Unknown

 

 

 

 

 

 

 

 

 

 

 

ସାହିତ୍ୟ ସମ୍ଭାର

ନୃସିଂହ ଷଡ଼ଙ୍ଗୀ

 

ଉତ୍ସର୍ଗ

 

ଓଡ଼ିଆ ସାହିତ୍ୟର ବିଶିଷ୍ଟ ଗବେଷକ ଓ ସମାଲୋଚକ ଅଧ୍ୟାପକ ବୈଷ୍ଣବ ଚରଣ ସାମଲ

ଏବଂ

ସାହିତ୍ୟାନୁରାଗୀ ତଥା ଜନପ୍ରିୟ ଲୋକସେବକ ଶ୍ରୀଯୁକ୍ତ ରାଜୁରାମଙ୍କୁ...

 

ଏଥିରେ ଅଛି.....

 

୧.

ଓଡ଼ିଆ ଗଦ୍ୟ ସାହିତ୍ୟର ରୂପରେଖ

୨.

ଓଡ଼ିଆ ପ୍ରବନ୍ଧ ସମ୍ପର୍କରେ

୩.

ଓଡ଼ିଆ ପଦ୍ୟ ସାହିତ୍ୟର ଉତ୍ପତ୍ତି ଓ ବିକାଶକ୍ରମ

୪.

ଆଧୁନିକ ଓଡ଼ିଆ କବିତାର ସ୍ୱରୂପ

୫.

ଗଦ୍ୟ ସାହିତ୍ୟର ପୃଷ୍ଠଭୂମିରେ ଓଡ଼ିଆ ଭ୍ରମଣ ସାହିତ୍ୟ

୬.

ଓଡ଼ିଆ ଜୀବନୀ ସାହିତ୍ୟ : ଏକ ବିହଙ୍ଗାବଲୋକନ

୭.

ଓଡ଼ିଆ ଉପନ୍ୟାସ ସାହିତ୍ୟର ବିକାଶଧାରା

୮.

ଓଡ଼ିଆ ନାଟ୍ୟ ସାହିତ୍ୟ

୯.

ଓଡ଼ିଆ ଗଳ୍ପ ସାହିତ୍ୟର ଇତିବୃତ୍ତ

୧୦.

ଓଡ଼ିଆ ସାହିତ୍ୟରେ ଏକାଙ୍କିକା

୧୧.

ଅନୁବାଦ ସାହିତ୍ୟର ଭୂମି ଓ ଭୂମିକା

୧୨.

ଓଡ଼ିଆ ରମ୍ୟ ରଚନାର ସୃଷ୍ଟି ଓ ସ୍ୱରୂପ

☆☆☆

 

॥ ନିଜକଥା ॥

 

“ସାହିତ୍ୟ ସମ୍ଭାର” ମୋର ପଞ୍ଚମ ପ୍ରକାଶିତ ଆଲୋଚନା ଗ୍ରନ୍ଥ । ଓଡ଼ିଆ ସାହିତ୍ୟର ବିଭିନ୍ନ ଦିଗ ଉପରେ ଏକ ନିର୍ଦ୍ଦିଷ୍ଟ ପୁସ୍ତକରେ ଆଲୋଚନା କରିବା ଥିଲା ମୋର ବହୁଦିନର ଅଭିଳାଷ । ସମୟ ସୁବିଧା କ୍ରମେ ସେହି ସବୁ ସାହିତ୍ୟିକ ଦିଗ ଉପରେ ମୁଁ ପତ୍ରପତ୍ରିକା ଆଲୋଚନା କରିଥିଲି । ସାହିତ୍ୟର ପ୍ରାୟ ସବୁ ଦିଗ ଉପରେ ଏକ ବିହଙ୍ଗମ ଦୃଷ୍ଟିପାତ ପରେ ସେସବୁର ଏକତ୍ରିକରଣ କରିଛି ଏହି ଆଲୋଚନା ଗ୍ରନ୍ଥରେ । ଓଡ଼ିଆ ଏମ୍.ଏ. ଶ୍ରେଣୀର ଛାତ୍ର ଥିବାବେଳେ ମୁଁ କାହିଁକି, ମୋର ଅନେକ ବନ୍ଧୁ ଓ ଅଧ୍ୟାପକମାନେ ମଧ୍ୟ ଏଭଳି ଏକ ଗ୍ରନ୍ଥର ଆବଶ୍ୟକତା ଉପଲବ୍ଧି କରିଥିଲେ । ଏବେ ସେହି ଉପଲବ୍ଧିଜନିତ ଚିନ୍ତା ଓ ଚେତନାର ଫଳସ୍ୱରୂପ ଆତ୍ମପ୍ରକାଶ କଲା ମୋର ଏହି “ସାହିତ୍ୟ ସମ୍ଭାର” ଆଲୋଚନା ଗ୍ରନ୍ଥଟି । ଓଡ଼ିଆ ସାହିତ୍ୟର ଛାତ୍ର ଓ ସମାଲୋଚକଙ୍କଠାରେ ଏହା ଆଦର ଲାଭକଲେ ମୋର ଶ୍ରମ ସାର୍ଥକ ମଣିବି ।

 

ଏହି ଗ୍ରନ୍ଥ ପ୍ରକାଶ କରିବାରେ ଯଥେଷ୍ଟ ଆଗ୍ରହ ପ୍ରକାଶ କରିଥିବାରୁ ଏହାର ପ୍ରକାଶକ ଶ୍ରୀଯୁକ୍ତ ଗୋବିନ୍ଦ ଚରଣ ପାତ୍ରଙ୍କ ଠାରେ ଏହି ଅବସରରେ ମୋର କୃତଜ୍ଞତା ଜଣାଉଛି । ଡଃ କୃଷ୍ଣ ପ୍ରସାଦ ମିଶ୍ର, ଡଃ ଗୋପାଳ ଚନ୍ଦ୍ର ମିଶ୍ର, ଅଧ୍ୟାପକ ବୈଷ୍ଣବ ଚରଣ ସାମଲ, ଡଃ ରତ୍ନାକର ଚଇନି ଓ ଡଃ ଅସିତ କବି ପରି ମୋର ବହୁ ହିତାକାଂକ୍ଷୀମାନଙ୍କର ପ୍ରେରଣା ଏ କ୍ଷେତ୍ରରେ ଭୁଲିବାର ନୁହେଁ । ଏହି ଗ୍ରନ୍ଥ ପ୍ରକାଶନ କ୍ଷେତ୍ରରେ ଏମାନେ ମୋର ଅବିସ୍ମରଣୀୟ । ବନ୍ଧୁ ବିଜୟ ଶଙ୍କର ପାତ୍ର ଓ ମହାପାତ୍ର ଭାସ୍କର ଗନ୍ତାଏତ୍‌ଙ୍କ ସାହାଯ୍ୟ ପାଇଁ ତାଙ୍କୁ ମୋର ସାଧୁବାଦ ଜଣାଉଛି ।

 

ନୃସିଂହ ଷଡ଼ଙ୍ଗୀ

 

ଓଡ଼ିଆ ଗଦ୍ୟ ସାହିତ୍ୟର ରୂପରେଖ

 

ପଦ୍ୟହିଁ ସାହିତ୍ୟର ଆଦିମତମ ସୃଷ୍ଟି । ପ୍ରତ୍ୟେକ ସାହିତ୍ୟରେ ପ୍ରଥମେ ପଦ୍ୟର ଆରମ୍ଭ ହୋଇଥିଲା । ମଣିଷ ଭଲ ପାଉଥିଲା ତା’ର ହୃଦୟର ଭାବକୁ ବ୍ୟକ୍ତ କରିବାକୁ ପଦ୍ୟରେ । ମାତ୍ର ସମୟ ଓ ସଭ୍ୟତାର ପରିବର୍ତ୍ତନ ସଙ୍ଗେ ସଙ୍ଗେ ପଦ୍ୟର ପ୍ରଭାବ କ୍ରମଶଃ ହ୍ରାସ ହେଲା । ପଦ୍ୟର ସ୍ଥାନନେଲା ଗଦ୍ୟ । ଗଦ୍ୟ ମାଧ୍ୟମରେ ବ୍ୟକ୍ତି ତା’ର ହୃଦୟର ଭାବକୁ ବ୍ୟକ୍ତ କଲା । ସାମ୍ପ୍ରତିକ କାଳରେ ଗଦ୍ୟହିଁ ପ୍ରଧାନ ଭୂମିକା ଗ୍ରହଣ କରିଛି ସାହିତ୍ୟରେ । ଗଦ୍ୟ ପୁଣି ବହୁମୁଖୀ । ପ୍ରବନ୍ଧ, ଉପନ୍ୟାସ, ନାଟକ, କ୍ଷୁଦ୍ରଗଳ୍ପ ଓ ସମାଲୋଚନା ପ୍ରଭୃତି ଗଦ୍ୟ ସାହିତ୍ୟର ଅନ୍ତର୍ଭୁକ୍ତ । ପ୍ରତ୍ୟେକର ପରିସର ଭିନ୍ନଭିନ୍ନ । ପ୍ରବନ୍ଧ ସାହିତ୍ୟର ପରିସର ମଧ୍ୟ ସ୍ଵତନ୍ତ୍ର । ବ୍ୟକ୍ତି ତା’ର ବୌଦ୍ଧିକ ଭାବକୁ ଯୁକ୍ତିସମ୍ମତ ଭାବରେ ପ୍ରବନ୍ଧରେ ପ୍ରକାଶ କରିଥାଏ । ସମଗ୍ର ବିଶ୍ଵ ସାହିତ୍ୟରେ ପ୍ରବନ୍ଧର ଜନକ ହେଉଛନ୍ତି ଫରାସୀ ଦେଶର ମାଣ୍ଟେଞ୍ଜ । ଇଂରାଜୀ ପ୍ରବନ୍ଧ ସାହିତ୍ୟର ଜନକ ବେକେନ୍‍ କହନ୍ତି, ପ୍ରବନ୍ଧ ହେଉଛି–“Dispersed meditations” । ଡକ୍ଟର ଜନସନ୍‌ ମଧ୍ୟ ପ୍ରବନ୍ଧର ସଂଜ୍ଞା ନିରୂପଣ କରି ଲେଖିଛନ୍ତି–“a loose sally of the mind, an irregular indigested piece, not a regular and orderly composition” ମାତ୍ର ଏହି ସଂଜ୍ଞା ସାମ୍ପ୍ରତିକ ଯୁଗରେ ବଦଳି ଗଲାଣି । ପ୍ରବନ୍ଧରେ ବିଭିନ୍ନ ବିଷୟ ପ୍ରକାଶିତ ହୋଇପାରେ, ମାତ୍ର ଏହା ଯୁକ୍ତିର ଶାଣିତ ଏବଂ ଭାବଗର୍ଭକ ହେବା ଉଚିତ । ତେଣୁ Virginia Woolf କହନ୍ତି–“The essay should lay the reader under a spell with its first word and he should awake refreshed only with its last’ । ପ୍ରବନ୍ଧ ସାହିତ୍ୟକୁ ଛାଡ଼ିଦେଲେ ଉପନ୍ୟାସ, କ୍ଷୁଦ୍ରଗଳ୍ପ, ନାଟକ ଆଦି ମଧ୍ୟ ସାହିତ୍ୟ ପରିସରଭୁକ୍ତ । ପ୍ରବନ୍ଧରେ ଯେଭଳି ଶୈଳୀ ଅନୁସୃତ ହୋଇଥାଏ, ଉପନ୍ୟାସ ଇତ୍ୟାଦିରେ ସେଭଳି ଶୈଳୀ ଅନୁସୃତ ହୁଏନାହିଁ । ପ୍ରତ୍ୟେକଙ୍କର ଶୈଳୀ ସ୍ଵତନ୍ତ୍ର ଏବଂ ପ୍ରତ୍ୟେକ ସ୍ଵକୀୟ ଶୈଳୀ ଏବଂ ଭାବଧାରାରେ ଉନ୍ନତ, ମାର୍ଜିତ ଓ ଭାବବ୍ୟଞ୍ଜକ ।

 

ଓଡ଼ିଆ ଗଦ୍ୟ ସାହିତ୍ୟର ସଂକ୍ଷିପ୍ତ ପରିଚୟ :

 

ଅନ୍ୟାନ୍ୟ ସାହିତ୍ୟ ଭଳି ଓଡ଼ିଆ ଗଦ୍ୟ ସାହିତ୍ୟର ବିକାଶ ମଧ୍ୟ ଅର୍ବାଚୀନ । ପ୍ରାଚୀନ କାଳରେ ପଦ୍ୟସାହିତ୍ୟର କେବଳ ବିକାଶ ସାଧିତ ହୋଇଥିଲା । ଗଦ୍ୟ ପ୍ରତି ସେତେବେଳେ ଦୃଷ୍ଟି ଦିଆଯାଉ ନଥିଲା । ତଥାପି ପ୍ରାଚୀନ ଓଡ଼ିଆ ସାହିତ୍ୟରେ ଗଦ୍ୟର ବିକାଶ ଦେଖିବାକୁ ମିଳିଥାଏ । କେତେକ ଶିଳାଲିପି ତମ୍ବା ପଟାକୁ ଛାଡ଼ିଦେଲେ ଓଡ଼ିଆ ଗଦ୍ୟର ପ୍ରାଥମିକ ପରିଚୟ ମାଦଳାପାଞ୍ଜିରୁ ହିଁ ମିଳିଥାଏ । ସମାଲୋଚକମାନେ ମାଦଳାପାଞ୍ଜିକୁ ହିଁ ଓଡ଼ିଆ ସାହିତ୍ୟର ପ୍ରଥମ ଗଦ୍ୟ ରଚନା ବୋଲି ମତବ୍ୟକ୍ତ କରିଅଛନ୍ତି । ମାଦଳାପାଞ୍ଜିର ରଚନାକାଳ ସମ୍ବନ୍ଧରେ ଅବଶ୍ୟ ମତିଦ୍ୱିଧା ଅଛି । କେତେକ ମତ ବ୍ୟକ୍ତ କରନ୍ତି ଯେ ଏହା ଏକାଦଶ ଶତାବ୍ଦୀରେ ରଚିତ । ଡକ୍ଟର ଆର୍ତ୍ତବଲ୍ଲଭ ମହାନ୍ତି ପ୍ରଭୃତି ସମାଲୋଚକମାନେ ମାଦଳାପାଞ୍ଜିର ରଚନାବଳୀକୁ ଦ୍ଵାଦଶ ତ୍ରୟୋଦଶ ଶତାବ୍ଦୀର ବୋଲି ମତବ୍ୟକ୍ତ କରିଛନ୍ତି; ମାତ୍ର ଡକ୍ଟର ହରେକୃଷ୍ଣ ମହତାବ ଓ ଡକ୍ଟର କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ପ୍ରଭୃତି ସମାଲୋଚକମାନେ ମାଦଳାପାଞ୍ଜିକୁ ଷୋଡ଼ଶ ଶତାବ୍ଦୀର ରଚନା ବୋଲି ମନେକରନ୍ତି । ସେ ଯାହାହେଉନା କାହିଁକି, ମାଦଳାପାଞ୍ଜି ଓଡ଼ିଆ ସାହିତ୍ୟର ପ୍ରାଚୀନତମ ଗଦ୍ୟ ରଚନା । ଏଥିରେ ବହୁ ଯାବନିକ ଶବ୍ଦ ରହିଛି । ଏହାର ଶୈଳୀ ମଧ୍ୟ ପ୍ରାଚୀନତମ । ଏଥିରୁ ତତ୍କାଳୀନ ଐତିହାସିକ ପରିସ୍ଥିତି, ସାମାଜିକ ଓ ସାଂସ୍କୃତିକ ପରିସ୍ଥିତି ସମ୍ବନ୍ଧରେ ପରିଚୟ ମିଳିଥାଏ-। ଶ୍ରୀ ଜଗନ୍ନାଥ ମନ୍ଦିରର ଇତିହାସ ମଧ୍ୟ ଏଥିରୁ ମିଳିଥାଏ । ମାଦଳାପାଞ୍ଜି ପରେ ‘ରୁଦ୍ର ସୁଧାନିଧି’ ଓଡ଼ିଆ ସାହିତ୍ୟରେ ପ୍ରାଚୀନ ଗଦ୍ୟ ରଚନା ଭାବରେ ସ୍ଵୀକୃତ । ଏହାର ରଚନା କାଳକୁ ସପ୍ତଦଶ ଶତାବ୍ଦୀର ପୂର୍ବବର୍ତ୍ତୀ ବୋଲି ଅନୁମାନ କରାଯାଇଥାଏ । ଏହାର ଲେଖକ ନାରାୟଣ ନନ୍ଦ ଅବଧୂତ ସ୍ଵାମୀ । ଏହାର ଭାଷା ସାବଲୀଳ ଏବଂ କବିତ୍ଵମୟ । ଏହା ଏକ ପଦ୍ୟାତ୍ମକ ଗଦ୍ୟରଚନା-। ଶିବପାର୍ବତୀଙ୍କ କଥୋପକଥନ ଛଳରେ ସୃଷ୍ଟିତତ୍ତ୍ଵ ଏଥିରେ ଆଲୋଚିତ । ସାରଳାଦାସଙ୍କ ଚଣ୍ଡି ପୁରାଣରେ ଥିବା ମହିଷାସୁରଙ୍କ ଆଜ୍ଞାପତ୍ର ପ୍ରାଚୀନ ଗଦ୍ୟର ଏକ ନମୁନା । ଜଗନ୍ନାଥ ଦାସ ମଧ୍ୟ ତାଙ୍କର ତୁଳାଭିଣା ପୁସ୍ତକରେ ପଦ୍ୟର ଅର୍ଥକୁ ଗଦ୍ୟ ମାଧ୍ୟମରେ ରଚନା କରି ଅଛନ୍ତି । ବଳରାମ ଦାସଙ୍କ ବ୍ରହ୍ମ ଶାଙ୍କୋଳିରେ ମଧ୍ୟ ଗଦ୍ୟ ରଚନାର ଦୃଷ୍ଟାନ୍ତ ଦେଖିବାକୁ ମିଳିଥାଏ । ବଳରାମ ଦାସ ଓ ଜଗନ୍ନାଥ ଦାସଙ୍କ ଗଦ୍ୟରଚନା ଆଧ୍ୟାତ୍ମିକ ତତ୍ତ୍ଵ ସମ୍ବଳିତ । ଷୋଡ଼ଶ ଶତାବ୍ଦୀ ପର୍ଯ୍ୟନ୍ତ ଓଡ଼ିଆ ଗଦ୍ୟ ସାହିତ୍ୟ ବିଶେଷ ଉନ୍ନତି କରିନାହିଁ । ସପ୍ତଦଶ ଶତାବ୍ଦୀରେ ମଧ୍ୟ ଗଦ୍ୟର ବିକାଶ ହୋଇନାହିଁ-। ଏହି ସମୟରେ ସୋମନାଥ ବ୍ରତ କଥା ଓଡ଼ିଆ ଗଦ୍ୟସାହିତ୍ୟର ଅନ୍ୟତମ ରଚନା ଭାବରେ ସ୍ଵୀକୃତ ।

ଅଷ୍ଟାଦଶ ଶତାବ୍ଦୀରେ କାବ୍ୟ ବିଶେଷ ଉତ୍କର୍ଷ ଲାଭ କରିଥିଲେ ହେଁ ଗଦ୍ୟ ପ୍ରତି ଧ୍ୟାନ ଦିଆଯାଇ ନାହିଁ । ତଥାପି ବ୍ରଜନାଥ ବଡ଼ଜେନାଙ୍କର “ଚତୁର ବିନୋଦ” ଗଦ୍ୟ ଗ୍ରନ୍ଥଟି ଓଡ଼ିଆ ଗଦ୍ୟ ସାହିତ୍ୟର ବିକାଶ ଦିଗରେ ସଙ୍କେତ ପ୍ରଦାନ କଲା । ଏହାର ଭାଷା ସରଳ । ଏକ ମୁଖ୍ୟ କାହାଣୀକୁ ବହୁ ଉପକାହାଣୀ ମାଧ୍ୟମରେ ହସ ବିନୋଦ, ରସ ବିନୋଦ, ନୀତି ବିନୋଦ ଓ ପ୍ରୀତି ବିନୋଦ ନାମକ ଚାରୋଟି ବିଭାଗରେ ବର୍ଣ୍ଣନା କରିଅଛନ୍ତି । ପରବର୍ତ୍ତୀ କାଳରେ ଓଡ଼ିଆ ଗଦ୍ୟ ସାହିତ୍ୟର ବିକାଶ ଦିଗରେ ଏହା ଯଥେଷ୍ଟ ସାହାଯ୍ୟ କରିଛି । ସୂର୍ଯ୍ୟକବି ବଳଦେବ ରଥଙ୍କର ‘ହାସ୍ୟ କଲ୍ଲୋଳ’ ଓ ଅଷ୍ଟାଦଶ ଶତାବ୍ଦୀର ନୀଳାମ୍ବର ବିଦ୍ୟାଧରଙ୍କର ‘ପ୍ରସ୍ତାବ ଚିନ୍ତାମଣି’ ମଧ୍ୟ ପ୍ରାଚୀନ ଓଡ଼ିଆ ଗଦ୍ୟ ସାହିତ୍ୟର ଅନ୍ୟ ଦୁଇଟି ଉଜ୍ଜ୍ଵଳ ନିଦର୍ଶନ ।

ଊନବିଂଶ ଶତାବ୍ଦୀହିଁ ଯଥାର୍ଥରେ ଓଡ଼ିଆ ଗଦ୍ୟ ସାହିତ୍ୟର ବିକାଶକାଳ । ୧୮୦୩ ଖ୍ରୀ.ଅ.ରେ ଇଂରେଜମାନେ ଓଡ଼ିଶା ଆକ୍ରମଣ କଲେ । ସେମାନେ ଓଡ଼ିଶାକୁ ଅଧିକାର କଲାପରେ ଖ୍ରୀଷ୍ଟଧର୍ମ ପ୍ରଚାର ପାଇଁ ଓଡ଼ିଆ ଭାଷାରେ ବାଇବେଲ ଅନୁବାଦ କଲେ । ୧୮୧୧ ମସିହାରେ ଶ୍ରୀରାମପୁର ମିସନାରୀମାନଙ୍କ ଦ୍ଵାରା ବାଇବେଲ ଅନୂଦିତ ହେଲା । ୧୮୨୬ରେ ନିଉଟେଷ୍ଟାମେଣ୍ଟ ଗ୍ରୀକ ଭାଷାରୁ ଅନୂଦିତ ହୋଇ ପ୍ରକାଶିତ ହେଲା । ୧୮୪୯ ଖ୍ରୀ.ଅରେ “ଜ୍ଞାନରୁଣ” ପତ୍ରିକା ରେଭେରେଣ୍ଡ ଲେସିଙ୍କ ସମ୍ପାଦନାରେ ପ୍ରକାଶିତ ହେଲା । ଓଡ଼ିଆ ଗଦ୍ୟର ବିକାଶ ଦିଗରେ ଖ୍ରୀଷ୍ଟାନ ମିସନାରୀମାନଙ୍କର ଚେଷ୍ଟା ବାସ୍ତବିକ ଅଭିନନ୍ଦନୀୟ । ନିଜର ଧର୍ମ ପ୍ରଚାର କରିବାକୁ ସେମାନେ ବାଇବେଲ ପ୍ରଭୃତି ଅନୁବାଦ କରିଥିଲେହେଁ ତାହା ପରୋକ୍ଷରେ ଓଡ଼ିଆ ଗଦ୍ୟର ବିକାଶ ଦିଗରେ ଯଥେଷ୍ଟ ସାହାଯ୍ୟ କଲା । ବାସ୍ତବିକ ପରୋକ୍ଷରେ ଏହା ଓଡ଼ିଆ ଗଦ୍ୟ ସାହିତ୍ୟ ପ୍ରତି ଏକ ଆଶୀର୍ବାଦ । ୧୮୫୬ ମସିହାରେ ପ୍ରକାଶିତ ‘ପ୍ରବୋଧ ଚନ୍ଦ୍ରିକା’ ମଧ୍ୟ ଓଡ଼ିଆ ଗଦ୍ୟର ବିକାଶରେ ସାହାଯ୍ୟ କରିଥିଲା । ଏହି ସମୟରେ ମୁଦ୍ରଣ ଯନ୍ତ୍ରର ବିକାଶ ଓ ପ୍ରତିଷ୍ଠା ଫଳରେ ଓଡ଼ିଆ ପତ୍ରପତ୍ରିକା ପ୍ରକାଶିତ ହେଲା । ୧୮୬୬ ମସିହାରେ କଟକରୁ କର୍ମଯୋଗୀ ଗୌରୀଶଙ୍କରଙ୍କ ସମ୍ପାଦନାରେ ‘ଉତ୍କଳଦୀପିକା’ ୧୮୬୮ ମସିହାରେ ବାଲେଶ୍ୱରରୁ ଗୋବିନ୍ଦଚନ୍ଦ୍ର ପଟ୍ଟନାୟକଙ୍କ ସମ୍ପାଦନରେ ‘ସମ୍ବାଦବାହିକା’ ଏବଂ ସମ୍ବଲପୁରରୁ ନୀଳମଣି ବିଦ୍ୟାରତ୍ନଙ୍କ ସମ୍ପାଦନରେ ‘ସମ୍ବଲପୁର ହିତୈଷିଣୀ’ ପ୍ରକାଶିତ ହୋଇ ଓଡ଼ିଆ ଗଦ୍ୟ ସାହିତ୍ୟର ବିକାଶ ଦିଗରେ ଯଥେଷ୍ଟ ସାହାଯ୍ୟ କଲା । ଏହା ବ୍ୟତୀତ ଏ ଯୁଗରେ ‘ଉତ୍କଳ ଦର୍ପଣ’ ଉତ୍କଳ ମଧୁପ, ଉତ୍କଳ ପୁତ୍ର, ଉତ୍କଳ ପ୍ରଭା, ଇନ୍ଦ୍ରଧନୁ, ବିଜୁଳି, ଉତ୍କଳ ସାହିତ୍ୟ ଆଦି ବହୁ ପତ୍ରପତ୍ରିକା ପ୍ରକାଶିତ ହୋଇ ଓଡ଼ିଆ ଗଦ୍ୟ ସାହିତ୍ୟର ଅଭୂତପୂର୍ବ ଉନ୍ନତିସାଧନ କରିଥିଲା । ୧୮୬୩ ମସିହାରେ ଉତ୍କଳ ଦର୍ପଣରେ ପ୍ରକାଶିତ ରାଧାନାଥଙ୍କର ‘ବିବେକୀ’ ପ୍ରବନ୍ଧହିଁ ଯଥାର୍ଥରେ ଆଧୁନିକ ଓଡ଼ିଆ ଗଦ୍ୟ ସାହିତ୍ୟର ପ୍ରଥମ ସାର୍ଥକ ନିଦର୍ଶନ । ଏ ଯୁଗରେ ଉମେଶଚନ୍ଦ୍ର ସରକାରଙ୍କର ‘ପଦ୍ମମାଳୀ’ ରାମଶଙ୍କର ରାୟଙ୍କର ‘ବିବାସିନୀ’ ଗୋପାଳବଲ୍ଲଭ ଦାସଙ୍କର ‘ଭୀମାଭୂୟାଁ’ ଏବଂ ଫକୀରମୋହନ ସେନାପତିଙ୍କର ‘ଛ’ ମାଣ ଆଠଗୁଣ୍ଠ’ ଆଦି ଉପନ୍ୟାସଗୁଡ଼ିକ ଓଡ଼ିଆ ଗଦ୍ୟସାହିତ୍ୟ ବିକାଶରେ ଯଥେଷ୍ଟ ସାହାଯ୍ୟ କରିଛି । ଫକୀମୋହନ ସେନାପତି ୧୮୯୭ ମସିହାରୁ ୧୯୧୭ ମସିହା ପର୍ଯ୍ୟନ୍ତ ନିରବଚ୍ଛିନ୍ନ ଭାବରେ ୨୦ଗୋଟି କ୍ଷୁଦ୍ରଗଳ୍ପ ଏବଂ ‘ଛ’ ମାଣ ଆଠଗୁଣ୍ଠ’, ‘ଲଛମା’, ‘ମାମୁ’ ଓ ‘ପ୍ରାୟଶ୍ଚିତ’ ଆଦି ଉପନ୍ୟାସମାନ ରଚନାକରି ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଅଛନ୍ତି । ଏ ସମୟରେ ଭକ୍ତକବି ମଧୁସୂଦନ ରାଓ, ନନ୍ଦକିଶୋର ବଳ, ରାମଶଙ୍କର ରାୟ, ଗୋପାଳଚନ୍ଦ୍ର ପ୍ରହରାଜ, କୁଳବୃଦ୍ଧ ମଧୁସୂଦନ ଦାସ, ଗଙ୍ଗାଧର ମେହେର ଓ ଉତ୍କଳ ସାହିତ୍ୟ ସମ୍ପାଦକ ବିଶ୍ଵନାଥ କର ପ୍ରଭୃତି ବହୁ ଭାବରେ ଓଡ଼ିଆ ଗଦ୍ୟ ସାହିତ୍ୟକୁ ସମୃଦ୍ଧ କରି ଅଛନ୍ତି ।

ଫକୀରମୋହନଙ୍କ ଯୁଗ ପରେ ସତ୍ୟବାଦୀ ଗୋଷ୍ଠୀର ବରେଣ୍ୟ ସାହିତ୍ୟ ସାଧକମାନେ ବିଭିନ୍ନ ଦିଗରୁ ଗଦ୍ୟରଚନା କରି ଓଡ଼ିଆ ସାହିତ୍ୟରେ ନବ ଦିଗନ୍ତର ସୂଚନା ଦେଲେ-। ସେମାନଙ୍କ ଗଦ୍ୟ ଅପେକ୍ଷାକୃତ ସରଳ । ଜାତୀୟତା, ଜାତିର ଐତିହ୍ୟ ଚିନ୍ତା, ମହାମାନବିକ ଭାବଧାରାରେ ସେମାନଙ୍କର ଗଦ୍ୟଗୁଡ଼ିକ ରୁଦ୍ଧିମନ୍ତ । ଗୋପବନ୍ଧୁ ଦାସଙ୍କର ‘ସତ୍ୟବାଦୀ ପତ୍ରିକା ଏବଂ ‘ସମାଜ’ ପତ୍ରିକା ଉତ୍କଳ ଗଦ୍ୟସାହିତ୍ୟର ବିକାଶ ଦିଗରେ ଯଥେଷ୍ଟ ସାହାଯ୍ୟ କରିଛନ୍ତି-। ଏ ଯୁଗରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ନୀଳକଣ୍ଠ ଦାସ, ଗୋଦାବରୀଶ ମିଶ୍ର, କୃପାସିନ୍ଧୁ ମିଶ୍ର ପ୍ରଧାନ ସାଧକ । ଏମାନଙ୍କ ବ୍ୟତୀତ ସବୁଜ ଯୁଗୀୟ କବି ଓ ସାହିତ୍ୟିକମାନଙ୍କ ଦ୍ଵାରା ମଧ୍ୟ ଓଡ଼ିଆ ସାହିତ୍ୟ ରୁଦ୍ଧିମନ୍ତ ହେଲା । ଗୋଦାବରୀଶ ମହାପାତ୍ର, କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର, କୁନ୍ତଳାକୁମାରୀ ସାବତ ପ୍ରଭୃତି ମଧ୍ୟ ଓଡ଼ିଆ ଗଦ୍ୟ ରଚନା କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଅଛନ୍ତି-। ଓଡ଼ିଆ ସମାଲୋଚନା ସାହିତ୍ୟ ଓ ପ୍ରବନ୍ଧ କ୍ଷେତ୍ରରେ ବିପିନବିହାରୀ ରାୟ, ରତ୍ନାକର ପତି, ଶଶିଭୂଷଣ ରାୟ, ବ୍ରଜବିହାରୀ ମହାନ୍ତି, ଆର୍ତ୍ତବଲ୍ଲଭ ମହାନ୍ତି, କାଳିନ୍ଦୀଚରଣ ପାଣିଗ୍ରାହୀ ପ୍ରମୁଖ ପ୍ରତିଷ୍ଠା ଅର୍ଜନ କରିଅଛନ୍ତି । ଏମାନଙ୍କ ବ୍ୟତୀତ କୁଞ୍ଜବିହାରୀ ତ୍ରିପାଠୀ, ଗୋଲକବିହାରୀ ଧଳ କାହ୍ନୁଚରଣ ମିଶ୍ର, ବଂଶୀଧର ମହାନ୍ତି, ଜାନକୀବଲ୍ଲଭ ମହାନ୍ତି, ଚିତ୍ତରଞ୍ଜନ ଦାସ, ଗୋପାଳ ମିଶ୍ର, ଶ୍ରୀନିବାସ ମିଶ୍ର, ଡକ୍ଟର ଶ୍ରୀ ରାମଚନ୍ଦ୍ର ଦାସ, ଡକ୍ଟର ହରେକୃଷ୍ଣ ମହତାବ, ଡଃ ବୈଦ୍ୟନାଥ ମିଶ୍ର, ଡଃ ଗୋକୁଳାନନ୍ଦ ମହାପାତ୍ର, ନିତ୍ୟାନନ୍ଦ ମହାପାତ୍ର ଆଦି ଲେଖକମାନେ ଓଡ଼ିଆ ସମାଲୋଚନା ସାହିତ୍ୟ ଓ ବୈଜ୍ଞାନିକ ତଥା ରାଜନୀତିକ ପ୍ରବନ୍ଧ ଆଦି ରଚନା କରି ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଅଛନ୍ତି । କ୍ଷୁଦ୍ରଗଳ୍ପ ଓ ଉପନ୍ୟାସ କ୍ଷେତ୍ରରେ ଗୋପିନାଥ ମହାନ୍ତି, କାହ୍ନୁଚରଣ ମହାନ୍ତି, କାଳିନ୍ଦୀଚରଣ ପାଣିଗ୍ରାହୀ, ଫତୁରାନନ୍ଦ, ସୁରେନ୍ଦ୍ର ମହାନ୍ତି, ମହାପାତ୍ର ନୀଳମଣି ସାହୁ, ଶାନ୍ତନୁ କୁମାର ଆଚାର୍ଯ୍ୟ–ନାଟକ କ୍ଷେତ୍ରରେ ମନୋରଞ୍ଜନ ଦାସ, ବିଜୟ କୁମାର ମିଶ୍ର, ବିଶ୍ଵଜିତ୍ ଦାସ, କମଳଲୋଚନ ମହାନ୍ତି, ଗୋପାଳ ଛୋଟରାୟ, ଭଞ୍ଜକିଶୋର ପଟ୍ଟନାୟକ ଆଦି ପ୍ରତିଷ୍ଠା ଅର୍ଜନ କରି ଅଛନ୍ତି ।

ସାମ୍ପ୍ରତିକ କାଳରେ ଓଡ଼ିଆ ଗଦ୍ୟ ସାହିତ୍ୟ କ୍ରମଶଃ ଅଗ୍ରଗତି ପଥରେ ଆଗେଇ ଚାଲିଛି-। ଗଦ୍ୟସାହିତ୍ୟର ବିକାଶ ଅର୍ବାଚୀନ ହୋଇଥିଲେ ହେଁ ବୋଧହୁଏ ସାମ୍ପ୍ରତିକ କାଳରେ ଏହାର ପ୍ରାଧାନ୍ୟ ସବୁଠାରୁ ବେଶୀ ଉପଲବ୍ଧି କରାଯାଉଛି । ଆଜିର ଯୁଗ କବିତାର ଯୁଗ ନୁହେଁ, ଏହା ଗଦ୍ୟର ଯୁଗ । ତେଣୁ ଓଡ଼ିଆ ସାହିତ୍ୟରେ ମଧ୍ୟ ଏହାର ବହୁ ପରୀକ୍ଷା ହୋଇ ଚାଲିଛି । କାହାଣୀ, ନାଟକ, ଉପନ୍ୟାସକୁ ଛାଡ଼ିଦେଲେ ଭ୍ରମଣ ସାହିତ୍ୟ, ଜୀବନୀ, ବୈଜ୍ଞାନିକ ପ୍ରବନ୍ଧ, ରାଜନୀତିକ ତଥା ଆର୍ଥନୀତିକ ପ୍ରବନ୍ଧମାନ ମଧ୍ୟ ପ୍ରକାଶିତ ହୋଇ ଓଡ଼ିଆ ସାହିତ୍ୟ ସମୃଦ୍ଧ ହୋଇଛି-। ଏ ଯୁଗରେ ପତ୍ରପତ୍ରିକାର ବିକାଶ ସଙ୍ଗେ ସଙ୍ଗେ ଗଦ୍ୟ ସାହିତ୍ୟର ମଧ୍ୟ ବିକାଶ ସାଧିତ ହୋଇଛି-
ମୋଟ ଉପରେ ଓଡ଼ିଆ ଗଦ୍ୟସାହିତ୍ୟ ଉନ୍ନତି ପଥରେ ସତତ ଧାବମାନ ହୋଇ ଚାଲିଛି ।

☆☆☆

 

Unknown

ଓଡ଼ିଆ ପ୍ରବନ୍ଧ ସାହିତ୍ୟ ସମ୍ପର୍କରେ

 

ପ୍ରବନ୍ଧ ଆଧୁନିକ ସାହିତ୍ୟର ଏକ ମୁଖ୍ୟ ବିଭବ; ସାହିତ୍ୟ ଜଗତର ଏକ ସ୍ୱୟଂ ସମ୍ପୂର୍ଣ୍ଣ କଳାତ୍ମକ ପରିପ୍ରକାଶ । ଆଧୁନିକ ଯୁଗର ବହୁମୁଖୀ ଜ୍ଞାନ ବିଜ୍ଞାନ, ଚିନ୍ତା-ଚେତନା, କ୍ରିୟା-ପ୍ରତିକ୍ରିୟା ପ୍ରକାଶର ବଳିଷ୍ଠ ମାଧ୍ୟମ ହେଉଛି ପ୍ରବନ୍ଧ ସାହିତ୍ୟ । ଏହାର ସ୍ଥିତି ଅତି ପ୍ରାଚୀନ । ବିଗତ ବହୁ ଶତାବ୍ଦୀର କବର ତଳୁ ତା’ର ଆଦିମ-ଉନ୍ମେଷଲିପି ସଂଗୃହୀତ । ସଭ୍ୟତାର ତାଳେ ପ୍ରବନ୍ଧ ପରିବର୍ତ୍ତନ ଦେଇ ଗତି କରିଛି । ପ୍ରାଚୀନ କାଳରେ ପଦ୍ୟ ଓ ଗଦ୍ୟ ଉଭୟ ପ୍ରବନ୍ଧ ରୂପେ ବିବେଚିତ ହୋଇଥିଲେ । ସଂସ୍କୃତ ଓ ପ୍ରାଚୀନ ଓଡ଼ିଆ ସାହିତ୍ୟକୁ ଅନୁଧ୍ୟାନ କଲେ ଜଣାଯାଏ, କାବ୍ୟ କବିତାକୁ ପ୍ରବନ୍ଧ ନାମରେ ନାମିତ କରାଯାଉଥିଲା । କିନ୍ତୁ ପ୍ରବନ୍ଧର ଏକ ନିର୍ଦ୍ଦିଷ୍ଟ ସଂଜ୍ଞା ଓ ସ୍ୱରୂପ ସ୍ଥିରୀକୃତ ହୋଇ ସାରିଛି ।

 

ପ୍ରବନ୍ଧର ସଂଜ୍ଞା ଓ ସ୍ୱରୂପ :

 

ସାହିତ୍ୟ ଜଗତରେ ପ୍ରବନ୍ଧ ଏକ ସ୍ୱୟଂ ସମ୍ପୂର୍ଣ୍ଣ ଯୁକ୍ତିନିଷ୍ଠ ଆବେଗ ସଞ୍ଜତ କଳାକର୍ମ । ଏଥିରେ ବାକ୍-ବାହୁଲ୍ୟ ନଥାଏ ବା ଯୁକ୍ତି ବର୍ହିଭୂତ ବିଷୟର ଅଯଥା ବର୍ଣ୍ଣନା ମଧ୍ୟ ନଥାଏ । ମାର୍ଜିତ ଓ ଗୁରୁ ଗମ୍ଭୀର ଭାଷା ବିନ୍ୟାସରେ ପ୍ରବନ୍ଧର ପ୍ରାଣ ପ୍ରତିଷ୍ଠା କରାଯାଏ । ପ୍ରାଚୀନ କାଳରେ ପ୍ରବନ୍ଧ ରଚନା କରାଯାଉଥିଲେ ହେଁ ଆଧୁନିକ କାଳରେ ପ୍ରବନ୍ଧର ବିଶେଷ ବିକାଶ ହୋଇଛି । ପ୍ରବନ୍ଧର କଳାତ୍ମକ ଅର୍ଥ ହେଉଛି ଏକ ପରୀକ୍ଷା (an experiment, an attempt) ପ୍ରବନ୍ଧରେ ପ୍ରାବନ୍ଧିକଙ୍କର ବ୍ୟକ୍ତିତ୍ୱ ବିଦ୍‍ବତ୍ତା ଓ ଯୁକ୍ତି ଅତି ସ୍ପଷ୍ଟ ଭାବରେ ରୂପାୟିତ ହୋଇଥାଏ । ପ୍ରବନ୍ଧର ଭାଷା ତାତ୍ତ୍ଵିକ ବିଶ୍ଳେଷଣ ହେଉଛି (ପ୍ର+ବନ୍ଧ୍+ଅ) ଅର୍ଥାତ୍‍ କୌଣସି ବିଷୟକୁ ଯୁକ୍ତିନିଷ୍ଠ ଭାବରେ ଏକ ନିର୍ଦ୍ଦିଷ୍ଟ ଭାଷା ଓ ଶିଳ୍ପ ମଧ୍ୟରେ କମନୀୟ ଭାବରେ ପ୍ରକାଶ କରିବା ହେଉଛି ପ୍ରବନ୍ଧର ଲକ୍ଷ୍ୟ । ଡକ୍ଟର ଜନ୍‌ସନ୍ କହନ୍ତି–“ପ୍ରବନ୍ଧ ହେଉଛି ହୁଗୁଳା ମନର ଏକ ଅନିୟମିତ ଅଭିବ୍ୟକ୍ତି (A loose Sally of the mind, an irregular indigested piece, not a regular and orderly composition) ବେକନ୍–ପ୍ରବନ୍ଧକୁ ପ୍ରାଣର ବିଚ୍ଛୁରିତ ଚେତନା ଭାବରେ ଗ୍ରହଣ କରିଥିଲା ବେଳେ, ରବର୍ଟ ଲାଇଣ୍ଡ ଏ ସମ୍ପର୍କରେ କହନ୍ତି–‘‘ପ୍ରବନ୍ଧ ହେଉଛି ମଣିଷର ଅନ୍ତର୍ନିହିତ ଭାବାବେଗକୁ ଯୁକ୍ତିଯୁକ୍ତ ଓ ନିର୍ଦ୍ଦିଷ୍ଟ ପରିସର ମଧ୍ୟରେ ପ୍ରକାଶ କରିବାର ପ୍ରଚେଷ୍ଟା ।” ପ୍ରାବନ୍ଧିକ ବେନ୍‌ସନ୍ କହନ୍ତି–‘‘ବିଷୟ ବସ୍ତୁକୁ ଉପସ୍ଥାପନା କରିବା ପ୍ରବନ୍ଧର ମୁଖ୍ୟ ଲକ୍ଷ୍ୟ ନୁହେଁ, ମାତ୍ର ବ୍ୟକ୍ତିତ୍ୱର ଆନନ୍ଦ ପ୍ରଦାନ ଏକାନ୍ତ କାମ୍ୟ ।” ପ୍ରବନ୍ଧର ସୌଷ୍ଠବ ଓ ଗୌରବ ଫୁଟି ଉଠେ ମାର୍ଜିତ ଭାଷା ବିନ୍ୟାସରେ ଓ ବିଷୟବସ୍ତୁର ଯୁକ୍ତି-ସମ୍ମତ ବୌଦ୍ଧିକ ନିର୍ଯ୍ୟାସରେ । ପ୍ରବନ୍ଧର ସଂଜ୍ଞା ଓ ସ୍ୱରୂପକୁ ଚିହ୍ନିବା ପାଇଁ ଅନେକ ମତର ଅବତାରଣା ଓ ତା’ର ସଂଶୋଧନ, ବିଶୋଧନ ସମାଲୋଚକମାନଙ୍କ ଦ୍ୱାରା କରାଯାଇଛି । ମୋଟାମୋଟି ପ୍ରବନ୍ଧ-କଳାସମ୍ପନ୍ନ ସୁଶୃଙ୍ଖଳ, ସୀମିତ ଗଦ୍ୟ ରଚନାକୁ ବୁଝାଇଥାଏ ।

 

ପ୍ରବନ୍ଧ ଏକ ସ୍ୱଭାବସୁନ୍ଦର ସାରସ୍ୱତ କଳା । କଳାପରି ପ୍ରବନ୍ଧ କ୍ଷେତ୍ରରେ ସଜ୍ଜୀକରଣର ଆବଶ୍ୟକତା ଅଧିକ । ପ୍ରବନ୍ଧର ଲେଖକର ଆତ୍ମସଚେତନତାର ଅଭିବ୍ୟକ୍ତି ଓ ଜ୍ଞାନର ବ୍ୟାପକ ବିଳାସ-ପ୍ରବନ୍ଧକଳାର ଗୌରବ ବର୍ଦ୍ଧନ କରିଥାଏ । ବ୍ୟକ୍ତିକ ପ୍ରୟାସ ପ୍ରବନ୍ଧର ଅନିବାର୍ଯ୍ୟ ତତ୍ତ୍ୱ । ପ୍ରବନ୍ଧ ଜଗତ ବ୍ୟାପକ । ବିଷୟ ନିର୍ବାଚନ କ୍ଷେତ୍ର ଏହାର ଅତି ବିସ୍ତୃତ । ଜଗତ ଜୀବନର ପ୍ରତ୍ୟେକ ବସ୍ତୁ ପ୍ରବନ୍ଧର ସାମଗ୍ରୀ ହୋଇପାରେ । ବୈଚିତ୍ର୍ୟ ଓ ବିସ୍ତୃତି ହିଁ ପ୍ରବନ୍ଧ ସାହିତ୍ୟର ବୈଶିଷ୍ଟ୍ୟ । ବୈଚିତ୍ର୍ୟ ମଧ୍ୟରେ ସୌନ୍ଦର୍ଯ୍ୟ ସୃଷ୍ଟି, ଆନନ୍ଦ ପ୍ରଦାନ ଓ ଜ୍ଞାନ ବିତରଣ ପ୍ରବନ୍ଧ ସାହିତ୍ୟର ଉଦ୍ଦେଶ୍ୟ-

 

ପ୍ରବନ୍ଧ ସାହିତ୍ୟର ପ୍ରାଚୀନତା :

 

ଆଧୁନିକ ଯୁଗରେ ପ୍ରବନ୍ଧକୁ ଯେପରି ଏକ ସ୍ୱତନ୍ତ୍ର ମର୍ଯ୍ୟାଦା ପ୍ରଦାନ କରାଯାଇଛି ଏବଂ ଗଦ୍ୟାତ୍ମକ ରଚନାକୁ ପ୍ରବନ୍ଧ ସାହିତ୍ୟ ଶ୍ରେଣୀଭୁକ୍ତ କରାଯାଇଛି ପ୍ରାଚୀନ ଯୁଗରେ ସେପରି କରାଯାଉନଥିଲା । କବିତାକୁ ମଧ୍ୟ ‘ପ୍ରବନ୍ଧ’ ଅର୍ଥରେ ଗ୍ରହଣ କରାଯାଉଥିଲା । ଏହାର ବହୁଳ ଦୃଷ୍ଟାନ୍ତ ପ୍ରାଚୀନ ସାହିତ୍ୟମାନଙ୍କରେ ଦେଖିବାକୁ ମିଳିଥାଏ । ସଂସ୍କୃତ କବି ଜୟଦେବ ‘ଗୀତ ଗୋବିନ୍ଦ’ ଲେଖିବାକୁ ଯାଇ ଲେଖିଛନ୍ତି–‘‘ଶ୍ରୀ ବାସୁଦେବ ରତିକେଳି କଥା ସମେତ ମେତଂ କରୋତି ଜୟଦେବ କବିଃ ପ୍ରବନ୍ଧଃ ।’’ ଗୀତଗୋବିନ୍ଦ ପରି କାବ୍ୟକୁ ମଧ୍ୟ ପ୍ରବନ୍ଧ ବୋଲି ଗ୍ରହଣ କରାଯାଇଛି-। ଜଗନ୍ନାଥ ଦାସ ଭାଗବତ ରଚନା କଲାବେଳେ ମଧ୍ୟ ଲେଖିଛନ୍ତି–‘‘ଭାଷା ପ୍ରବନ୍ଧେ ଭାଗବତ-। ଅଭିମନ୍ୟୁ ସାମନ୍ତ ସିଂହାର ମଧ୍ୟ ବିଦଗ୍ଧ ଚିନ୍ତାମଣି କାବ୍ୟରେ ‘ଯମକାଦି ଚିତ୍ରକାବ୍ୟ ପ୍ରବନ୍ଧ’ ବୋଲି ଉଲ୍ଲେଖ କରିଛନ୍ତି । ଏହା ବ୍ୟତୀତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, ବ୍ରଜନାଥ ବଡ଼ଜେନା, ଯଦୁମଣି ମହାପାତ୍ର ପ୍ରଭୃତି କବିମାନେ ଗଦ୍ୟରଚନା ଓ ପଦ୍ୟ ରଚନା ମଧ୍ୟରେ ପ୍ରବନ୍ଧ ଅର୍ଥରେ କୌଣସି ପାର୍ଥକ୍ୟ ଦର୍ଶାଇ ନାହାନ୍ତି । କାବ୍ୟ କବିତାକୁ ତେଣୁ ସେମାନେ ପ୍ରବନ୍ଧ ରୂପେ ଗ୍ରହଣ କରି ଅଛନ୍ତି-। କିନ୍ତୁ କାଳକ୍ରମେ ପଦ୍ୟର ଶୈଳୀ ଓ ପ୍ରବନ୍ଧର ଶୈଳୀ ଭିନ୍ନ ହୋଇଛି । ପ୍ରବନ୍ଧ କହିଲେ ଏବେ ଏକ ନିର୍ଦ୍ଦିଷ୍ଟ ଗଦ୍ୟଧର୍ମୀ ସର୍ଜନାତ୍ମକ କଳା ସୃଷ୍ଟିକୁ ବୁଝାଉଛି । ଇଂରେଜୀରେ Essay ଶବ୍ଦକୁ ଓଡ଼ିଆରେ ପ୍ରବନ୍ଧ ବୋଲି ଅନୁବାଦ କରାଯାଇଛି । ଅବଶ୍ୟ ପ୍ରବନ୍ଧ ଶବ୍ଦଟି ସାହିତ୍ୟରେ ବହୁ ପ୍ରାଚୀନ କାଳରୁ ପ୍ରଚଳିତ । କିନ୍ତୁ ଆଧୁନିକ ପ୍ରବନ୍ଧ ଶବ୍ଦଟି ଇଂରେଜ ସାହିତ୍ୟ ପ୍ରଭାବିତ ଏବଂ ସମ୍ପୂର୍ଣ୍ଣ ରୂପେ ଗଦ୍ୟ ସାହିତ୍ୟ ପ୍ରତି ଉଦ୍ଦିଷ୍ଟ । କାଳକ୍ରମେ ପ୍ରବନ୍ଧ ସାହିତ୍ୟ ସ୍ଵକୀୟ ସ୍ୱତନ୍ତ୍ର କଳା ଶିଳ୍ପରେ ପ୍ରତିଷ୍ଠିତ ହୋଇଛି । ବାସ୍ତବବାଦୀ ସଭ୍ୟତାର ବିକାଶ ଓ ଶିଳ୍ପ ସଭ୍ୟତାର ପ୍ରସାର ଫଳରେ କ୍ରମେ ପ୍ରବନ୍ଧ ସାହିତ୍ୟର ହୋଇଛି ନବ ଉନ୍ମେଷ ।

 

ଆଧୁନିକ ପ୍ରବନ୍ଧ ସାହିତ୍ୟର ଆଦ୍ୟ ଉନ୍ମେଷ :

 

ଜାତୀୟତାରେ ଉଦ୍‌ବୁଦ୍ଧ ହୋଇ କେହିକେହି ଆଧୁନିକ ପ୍ରବନ୍ଧର ଆଦିରୂପ ଶଙ୍କର, ରାମାନୁଜଙ୍କ ଭାଷ୍ୟମାନଙ୍କରେ ଠାବ କରିଛନ୍ତି । କିନ୍ତୁ ଆଧୁନିକ ପ୍ରବନ୍ଧ ସମ୍ପୂର୍ଣ୍ଣ ଭାବେ ପାଶ୍ଚାତ୍ୟରୁ ଆମଦାନୀ । ଆଧୁନିକ ପ୍ରବନ୍ଧ ସାହିତ୍ୟର ଆଦ୍ୟ ଉନ୍ମେଷ ଘଟେ ୧୫୮୦ ଖ୍ରୀଷ୍ଟାବ୍ଦରେ, ଫରାସୀ ଦେଶରେ । ଖ୍ରୀ.ପୂର୍ବ ଯୁଗରେ ରୋମାନ ଲେଖକ ସିସେରୋ ଓ ସିନେକା ପ୍ରବନ୍ଧ ସୃଷ୍ଟି ପାଇଁ ପ୍ରଯତ୍ନ କରିଥିଲେ ମଧ୍ୟ ପ୍ରଥମ ଶତାବ୍ଦୀର ଗ୍ରୀକ୍ କବି ପ୍ଳୁଟାର୍କ ପ୍ରବନ୍ଧର ଅୟମାରମ୍ଭ କରିଥିଲେ । କିନ୍ତୁ ଫରାସୀ ଲେଖକ ମଣ୍ଟେନ ସ୍ଵୟଂସମ୍ପୂର୍ଣ୍ଣ ବିକଶିତ ପ୍ରବନ୍ଧର ସୃଷ୍ଟି ସମ୍ପାଦନ କଲେ । ବ୍ୟକ୍ତିଗତ ଅନୁଭୂତିର ଅଭିଲିପି ଓ ଯୁଗତାନ୍ତ୍ରିକ ବିଚାରଧାରାକୁ ଏକ ପୁସ୍ତକରେ ସନ୍ନିବେଶିତ କରି ସେ ତାହାକୁ–‘Essais’ ନାମରେ ଅଭିହିତ କରିଥିଲେ । ମଣ୍ଟେନଙ୍କ ପ୍ରବନ୍ଧ ଇଂରାଜୀରେ ରୂପାନ୍ତରିତ ହେବାପୂର୍ବରୁ ୧୬୧୨ ଖ୍ରୀଷ୍ଟାବ୍ଦ ବେଳକୁ କେବଳ ବେକନ୍‌ (Bacon) କେତେକ ଯୁକ୍ତି ପ୍ରବଣ ବୁଦ୍ଧିଦୀପ୍ତ ଉଚ୍ଚାଙ୍ଗ ପ୍ରବନ୍ଧ ରଚନା କରିସାରିଥିଲେ । ପରେ ପରେ ଇଂରାଜୀ ସାହିତ୍ୟରେ ଅନେକ ପ୍ରାବନ୍ଧିକଙ୍କର ଅଭ୍ୟୁଦୟ ହୋଇଛି । ଆଡ଼ିସନ୍‍, ଜନସନ୍‌, ଗୋଲ୍‍ଡ୍‍ ସ୍ମିଥ୍, ଷ୍ଟିଲ, ଲ୍ୟାମ୍ବ, ଆରନୋଲଡ଼, ପଭୃତିଙ୍କଠାରୁ ଆରମ୍ଭକରି ଚେଷ୍ଟାରଟନ, ଲାସ୍କି ଓ ରସେଲ ପର୍ଯ୍ୟନ୍ତ ଅନେକ ପ୍ରାବନ୍ଧିକ ପ୍ରବନ୍ଧ ସାହିତ୍ୟକୁ ସମୃଦ୍ଧ କରିଛନ୍ତି । ଇଂରେଜୀ ସାହିତ୍ୟ ବିଶ୍ୱର ଅନ୍ୟ ସାହିତ୍ୟକୁ ପ୍ରଭାବିତ କରିବାକୁ ସକ୍ଷମ ହୋଇଛି । ଏହି କୃତି ପ୍ରାବନ୍ଧିକମାନଙ୍କ ଲେଖନୀରେ ପ୍ରବନ୍ଧର ବିକାଶ ଓ ଅଭ୍ୟୁଦୟ ଘଟିଛି । ବ୍ୟକ୍ତିଗତ ଆଦର୍ଶ ଓ ଶୈଳୀ ଭିତର ଦେଇ ଗତିକରି ପ୍ରବନ୍ଧ ନୂତନ ପରିପାଟୀରେ ଭୂଷିତ ହୋଇଛି । ମଣ୍ଟେନଙ୍କ ମତରେ–‘‘ପ୍ରବନ୍ଧ ବିଚାର, ଉଦ୍ଧୃତି ଓ କଥାର ଏକ ମିଶ୍ରଣ ।’’ ‘‘(Essay is a model of reflection, quotations, and anecdotes Montaigne) ନିଜ ପ୍ରବନ୍ଧ ଉପରେ ମତବ୍ୟକ୍ତ କରିବାକୁ ଯାଇ ସେ କହିଛନ୍ତି–ନିଜ ଆତ୍ମାକୁ ଅନ୍ୟ ନିକଟରେ ପହଞ୍ଚାଇବାର ପ୍ରଯତ୍ନ ହିଁ ପ୍ରବନ୍ଧ ।” ପ୍ରବନ୍ଧର ଏହି ସ୍ୱଚ୍ଛନ୍ଦ ବ୍ୟକ୍ତିଗତ ଶୈଳୀକୁ ପ୍ରକାଶ କରିବାକୁ ଯାଇଁ ଜନ୍‌ସନ୍‌ କହିଛନ୍ତି ‘ପ୍ରବନ୍ଧ ସ୍ଵଚ୍ଛନ୍ଦ ମନର ତାରତମ୍ୟହୀନ ବିଶୃଙ୍ଖଳ ପ୍ରକାଶ ମାତ୍ର । ପରବର୍ତ୍ତୀ କାଳରେ ଜନ୍‌ସନ୍‌‌ଙ୍କ ଏହି ଆଭିମୁଖ୍ୟ ପରବର୍ତ୍ତିତ ହୋଇଛି । ଏଡିସନ୍‌, ଲ୍ୟାମ୍ବ ପ୍ରଭୃତି ଅସମ୍ବନ୍ଧତାକୁ ପ୍ରବନ୍ଧର ଦୋଷରୂପେ ଗ୍ରହଣ କରିଛନ୍ତି । ପ୍ରବନ୍ଧ ମାଧ୍ୟମରେ ଯେ ରସସୃଷ୍ଟି ସମ୍ଭବପର, ଲେଖକ ବ୍ୟକ୍ତିତ୍ଵର ସ୍ପର୍ଶରେ ନିଜସ୍ଵ ଦୃଷ୍ଟିଭଙ୍ଗୀ ଦ୍ୱାରା ରଞ୍ଜିତ ହୋଇ ଆଦୃତ ସମ୍ପଦ ଯେ ନୂତନ ରୂପରେ ପାଠକର ମର୍ମସ୍ପର୍ଶୀ ହୋଇପାରେ, ଏହା ପ୍ରବନ୍ଧର ବିକାଶ ଫଳରେ ପ୍ରତିପନ୍ନ ହୋଇଛି ।

 

ପ୍ରବନ୍ଧର ଶ୍ରେଣୀ ବିଭାଗ :

 

ବିଷୟବସ୍ତୁ ଓ ରଚନା ଶୈଳୀକୁ ନେଇ ପ୍ରବନ୍ଧକୁ ମୁଖ୍ୟତଃ ଦୁଇଭାଗରେ ବିଭକ୍ତ କରାଯାଇଥାଏ । (୧) ବସ୍ତୁନିଷ୍ଠ ବା ତନ୍ମୟ ପ୍ରବନ୍ଧ (୨) ବ୍ୟକ୍ତିନିଷ୍ଠ ବା ମନ୍ମୟ ପ୍ରବନ୍ଧ । ବସ୍ତୁନିଷ୍ଠ ପ୍ରବନ୍ଧ ହେଉଛି ତଥ୍ୟ ପରିବେଷମୂଳକ ଓ ବ୍ୟକ୍ତିନିଷ୍ଠ ପ୍ରବନ୍ଧ ହେଉଛି ଅନୁଭୂତି ମୂଳକ । ବସ୍ତୁନିଷ୍ଠ ପ୍ରବନ୍ଧରେ ବିଷୟବସ୍ତୁକୁ ନୈର୍ବ୍ୟକ୍ତିକ ଭାବେ ବର୍ଣ୍ଣନା କରାଯାଉଥିଲା ବେଳେ ବ୍ୟକ୍ତିନିଷ୍ଠ ପ୍ରବନ୍ଧରେ ବ୍ୟକ୍ତି କୈନ୍ଦ୍ରିକ ଭାବଧାରାକୁ ପ୍ରକାଶ କରାଯାଇଥାଏ । ବସ୍ତୁନିଷ୍ଠ ପ୍ରବନ୍ଧରେ ଲେଖକ ଓ ପାଠକର ପ୍ରଭେଦ ଲକ୍ଷ୍ୟ କରାଯାଇଥିଲାବେଳେ ବ୍ୟକ୍ତିନିଷ୍ଠ ପ୍ରବନ୍ଧରେ ଏହି ପାର୍ଥକ୍ୟ ଦୃଷ୍ଟିଗୋଚର ହୁଏନାହିଁ-। ବସ୍ତୁନିଷ୍ଠ ପ୍ରବନ୍ଧଗୁଡ଼ିକ ଏକ ସୁନିର୍ଦ୍ଦିଷ୍ଟ ଓ ସୁଚିନ୍ତିତ ସୀମାରେଖା ମଧ୍ୟରେ ଆଦି, ମଧ୍ୟ ଓ ଅନ୍ତର କ୍ରମ ରକ୍ଷାକରି ଲେଖାଯାଇଥାନ୍ତି । ଏ ଜାତୀୟ ପ୍ରବନ୍ଧରେ ଲେଖକର ଜ୍ଞାନ, ପାଣ୍ଡିତ୍ୟ ଓ ପରାକାଷ୍ଠା ନୈର୍ବ୍ୟକ୍ତିକ ଭାବେ ପ୍ରକାଶିତ ହୋଇଥାଏ । ଏଥିରେ ଲେଖକର ପ୍ରଜ୍ଞା ସହିତ ପାଠକର ବୃଦ୍ଧିବୃତ୍ତିର ସଂଯୋଗ ସ୍ଥାପିତ ହୁଏ ସତ କିନ୍ତୁ ହୃଦୟ ଦୂରେଇ ଯାଇଥାଏ । ବ୍ୟକ୍ତିନିଷ୍ଠ ପ୍ରବନ୍ଧ ଭାବପ୍ରଧାନ-। ଏହା ଜ୍ଞାନର ବିଷୟକୁ ଲଘୁକଳ୍ପନା ରଞ୍ଜିତ କରି ହୃଦୟକୁ ସରସ କରେ । ଏହି ପ୍ରବନ୍ଧରେ ଲେଖକ ପାଠକ ସହ ଏକାତ୍ମ ହୁଏ–ଆତ୍ମନିବେଦନର ନିଷ୍ଠା ଅନୁଭୂତ ହୁଏ । ବିଷୟରୁ ବିଷୟାନ୍ତରକୁ ଗମନକରିବା ଏହି ଗୋଷ୍ଠୀର ପ୍ରାବନ୍ଧିକମାନଙ୍କର ଏକ ସ୍ଵାଧୀନତା । ବସ୍ତୁନିଷ୍ଠ ପ୍ରବନ୍ଧରେ କୌଣସି ନିର୍ଦ୍ଦିଷ୍ଟ ଘଟଣା ବା ତଥ୍ୟକୁ ବର୍ଣ୍ଣନା କରାଯାଇଥାଏ । ଏଥିରେ ବିଷୟବସ୍ତୁ ପ୍ରାଧାନ୍ୟ ଲାଭ କରୁଥିଲାବେଳେ ବ୍ୟକ୍ତିନିଷ୍ଠ ପ୍ରବନ୍ଧରେ ବ୍ୟକ୍ତିର ବ୍ୟକ୍ତିଗତ ଚିନ୍ତାଧାରା ପ୍ରାଧାନ୍ୟଲାଭ କରିଥାଏ-। ବସ୍ତୁନିଷ୍ଠ ପ୍ରବନ୍ଧ ରଚନା ଅପେକ୍ଷାକୃତ ସହଜ ସାଧ୍ୟ ହେଲେ ହେଁ, ଏଥିପାଇଁ ଯଥେଷ୍ଟ ପାଣ୍ଡିତ୍ୟ ଓ ଜ୍ଞାନ ଗାରିମା ଆବଶ୍ୟକ ହୋଇଥାଏ, ମାତ୍ର ବ୍ୟକ୍ତିନିଷ୍ଠ ପ୍ରବନ୍ଧ ରଚନା ପାଇଁ ପାଣ୍ଡିତ୍ୟ ବା ବିଦ୍‍ବତ୍ତାର ଆବଶ୍ୟକ ଅନୁଭୂତ ହୁଏ ନାହିଁ । ବ୍ୟକ୍ତିନିଷ୍ଠ ପ୍ରବନ୍ଧ ରଚନା ଶୈଳୀକୁ ବ୍ୟକ୍ତିଗତ ଶୈଳୀ (Personal style) କୁହାଯାଇଥାଏ । ବସ୍ତୁନିଷ୍ଠ ପ୍ରବନ୍ଧ ତାତ୍ତ୍ଵିକ ହୋଇଥିଲାବେଳେ ବ୍ୟକ୍ତିନିଷ୍ଠ ପ୍ରବନ୍ଧ ତାତ୍ତ୍ଵିକ ନୁହେଁ । ଏହି ପ୍ରବନ୍ଧର ଲେଖକ ଓ ପାଠକ ଅଭିନ୍ନ ଏବଂ ଏକାତ୍ମ-। ଓଡ଼ିଆ ସାହିତ୍ୟରେ ଏହି ଦ୍ୱିବିଧ ପ୍ରବନ୍ଧର ବିକାଶ ସାଧନ ହୋଇଥିଲେ ହେଁ ବସ୍ତୁନିଷ୍ଠ ରଚନା ସେତେ ବ୍ୟାପକ ବା ପୁସ୍କଳନୁହେଁ । ରତ୍ନାକର ପତି, ମୋହିନୀ ମୋହନ ସେନାପତି, ବ୍ରଜବିହାରୀ ମହାନ୍ତି, ଶଶିଭୂଷଣ ରାୟ, ବିଶ୍ୱନାଥ କର ପ୍ରଭୃତି ପ୍ରାବନ୍ଧିକମାନେ ବସ୍ତୁନିଷ୍ଠ ପ୍ରବନ୍ଧ ରଚନାକରି ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଥିଲାବେଳେ ଗୋପାଳ ଚନ୍ଦ୍ର ପ୍ରହରାଜ, ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ, କୃଷ୍ଣପ୍ରସାଦ ବସୁ ପ୍ରଭୃତି ବ୍ୟକ୍ତିନିଷ୍ଠ ପ୍ରବନ୍ଧମାନ ରଚନା କରିଅଛନ୍ତି ।

 

ବିଷୟବସ୍ତୁ ଦୃଷ୍ଟିରୁ ପ୍ରବନ୍ଧକୁ ବିଭିନ୍ନ ଶ୍ରେଣୀରେ ବିଭକ୍ତ କରାଯାଇପାରେ । ଯଥା (୧) ଭାବାତ୍ମକ ବା ଚିନ୍ତାମୂଳକ ପ୍ରବନ୍ଧ (Reflective), (୨) ବର୍ଣ୍ଣନାମୂଳକ (Descriptive), (୩) ବ୍ୟାଖ୍ୟାତ୍ମକ (Narrative) (୪) ଆବେଗ ପ୍ରଧାନ (Emotional) (୫) ଜୀବନୀ ମୂଳକ (Biographical) (୬) ଐତିହାସିକ ପ୍ରବନ୍ଧ (Historical) (୭) ଦାର୍ଶନିକ ପ୍ରବନ୍ଧ (Philosophical) (୮) ସାହିତ୍ୟ ପ୍ରବନ୍ଧ (literary) (୯) ସମାଲୋଚନାତ୍ମକ ବା ସମୀକ୍ଷାତ୍ମକ (literary Criticism) (୧୦) ଯୁକ୍ତିମୂଳକ ପ୍ରବନ୍ଧ (Quotational) (୧୧) ତାତ୍ତ୍ଵିକ (Argumentative) (୧୨) ସମ୍ବାଦ ଧର୍ମୀ (Journalistic) (୧୩) ତଥ୍ୟ ମୂଳକ (Informative)

 

ପ୍ରବନ୍ଧ କ୍ଷେତ୍ରରେ ରମ୍ୟ ରଚନା ଓ ରିପୋତାକ :

 

ଫରାସୀ ସାହିତ୍ୟରେ ମାଁତେନ୍‌ ପ୍ରଥମେ ଲଘୁ ଶୈଳୀ ସାହାଯ୍ୟରେ ରମ୍ୟ ରଚନା ସୃଷ୍ଟି କରିଥିଲେ । ସେ ଏହାର ନାମ ଦେଇଥିଲେ ବେଲେଲେଁତା (Blles letters) । ରମ୍ୟ ରଚନା ବା ବେଲ୍‌ ଲେଁତାର ଗତି ସ୍ଵଚ୍ଛନ୍ଦ, ସରଳ ସାବଲୀଳ, ଆବେଗ ପ୍ରଧାନ ଓ ଉଦ୍ଦେଶ୍ୟ ଧର୍ମୀ । ଏଥିରେ ହାସ୍ୟରସ ଥାଏ । ମାତ୍ର ହାସ୍ୟରସ ଏହି ଶ୍ରେଣୀୟ ପ୍ରବନ୍ଧର ମୁଖ୍ୟ କଥା ନୁହେଁ । ମୁଖ୍ୟ କଥା ହେଉଛି ଆକ୍ଷେପ ମାଧ୍ୟମରେ ବୌଦ୍ଧିକ ଚାବୁକ ପ୍ରହାରକରି ଜନସାଧାରଣଙ୍କୁ ସଚେତନ କରିବା । ଓଡ଼ିଆ ସାହିତ୍ୟରେ ଏ ଧରଣର ପ୍ରବନ୍ଧ ରଚନା ଆରମ୍ଭ କରିଥିଲେ ସ୍ୱର୍ଗତ ଗୋପାଳ ଚନ୍ଦ୍ର ପ୍ରହରାଜ । ତାଙ୍କର ‘ବାଇ ମହାନ୍ତି ପାଞ୍ଜି’, ‘ନନାଙ୍କ ବସ୍ତାନି’, ‘ଭାଗବତ ଟୁଙ୍ଗୀରେ ସନ୍ଧ୍ୟା’, ‘ଦୁନିଆର ହାଲ୍‌ଚାଲ୍’, ‘ମିଆଁ ସାହେବଙ୍କ ରୋଜନାମଚା’, କାନ୍ତ କବି ଲକ୍ଷ୍ମୀକାନ୍ତଙ୍କର ‘ଅସହଯୋଗୀର ଆତ୍ମକଥା’ କୃଷ୍ଣପ୍ରସାଦ ବସୁଙ୍କ ‘ଆଖଡ଼ା ଘରେ ବୈଠକ’ ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀଙ୍କର ‘ବଟୁଆ’ ‘ଅଦାବେପାର’, ହରେକୃଷ୍ଣ ମହତାବଙ୍କ ‘ଗାଁ ମଜଲିସ୍‌’ ନିତ୍ୟାନନ୍ଦ ମହାପାତ୍ରଙ୍କ ‘ପତ୍ର ଓ ପ୍ରତିମା’ ଭୁବନେଶ୍ୱର ବେହେରାଙ୍କ ‘ଶୁଣ ପରୀକ୍ଷ’ ଆଦି ରଚନା ମାନ ରମ୍ୟ ରଚନା ଶ୍ରେଣୀଭୁକ୍ତ ।

 

ରିପୋତାଜ ମଧ୍ୟ ଫରାସୀ ସାହିତ୍ୟରୁ ସୃଷ୍ଟି । ସେମାନେ ସମ୍ବାଦ ମୂଳକ ବା ବିବୃତି ମୂଳକ କଥାବସ୍ତୁକୁ ଆକର୍ଷିତ ଭଙ୍ଗୀରେ ପ୍ରକାଶ କରିବାକୁ ଯାଇଁ ରିପୋତାଜ (Reportage) ସୃଷ୍ଟି କରିଛନ୍ତି । ଆଧୁନିକ ପ୍ରବନ୍ଧ ସାହିତ୍ୟର ଏହି ନୂତନ ବିଭବ ଆମ ସାହିତ୍ୟରେ ବିଶେଷ ଉନ୍ନତି କରିନାହିଁ । ତଥାପି ଏ ଦିଗରେ କେତେକ ପ୍ରଚେଷ୍ଟାର ଫଳ ସ୍ଵରୂପ ପତ୍ର ପତ୍ରିକାରେ ଦିଲ୍ଲୀ ଡାଏରୀ, ରାଜନୈତିକ ଡାଏରୀ, ବାରବୁଲାର ଡାଏରୀ ନାମରେ ଆତ୍ମପ୍ରକାଶ କରୁଛି । ଓଡ଼ିଆ ପ୍ରବନ୍ଧ ସାହିତ୍ୟର ଏ ଦିଗଟି ଏବେ ମଧ୍ୟ ପରୀକ୍ଷା ନିରୀକ୍ଷା ସ୍ଥଳରେ ରହିଛି ।

 

ପ୍ରବନ୍ଧ ରଚନାର ଭାଷା ଓ ଶୈଳୀ :

 

ଆଳଙ୍କାରିକମାନେ ଗଦ୍ୟକୁ କବିର କଷଟି ପଥର ବୋଲି କହିଛନ୍ତି–‘ଗଦ୍ୟଂ କବିନାମ୍ ନିକଷଂ ବଦନ୍ତି’ । ଯଦି ଗଦ୍ୟ କବିଙ୍କ କଷଟି ହୁଏ ତେବେ ପ୍ରବନ୍ଧ ହେବ ଗଦ୍ୟର କଷଟି । ଏଥିପାଇଁ ପ୍ରବନ୍ଧ ରଚନା ବେଳେ ସତର୍କତା ନିତ୍ୟାନ୍ତ ଆବଶ୍ୟକ । ଭାଷା ଓ ଶୈଳୀ ପ୍ରାବନ୍ଧିକର ବ୍ୟକ୍ତିତ୍ଵ ଉପରେ ସମ୍ପୂର୍ଣ୍ଣ ନିର୍ଭର କରେ । ଯୁକ୍ତି ନିଷ୍ଠଭାବେ ଗୁରୁତ୍ଵପୂର୍ଣ୍ଣ ବିଷୟକୁ ଉପସ୍ଥାପନା କରିବାହିଁ ପ୍ରବନ୍ଧର ଲକ୍ଷ୍ୟ । ତେଣୁ ପ୍ରବନ୍ଧରେ ଅଯଥା ଭାଷାଡ଼ମ୍ବର ଓ ଆଳଙ୍କାରିକ ବାହୁଲ୍ୟ ସୃଷ୍ଟି କରିବା ଉଚିତ ନୁହେଁ ବାକ୍ ବାହୁଲ୍ୟ ପ୍ରବନ୍ଧର ଚରମ ଦୁର୍ବଳତା । ପ୍ରବନ୍ଧର ବିଭିନ୍ନ ପରିଚ୍ଛେଦ ସହିତ ସମତା ରହିବା ଏକାନ୍ତ ଆବଶ୍ୟକ । ପ୍ରବନ୍ଧ ରଚନା ପାଇଁ ପ୍ରଧାନତଃ ପାଞ୍ଚଟି ବିଷୟ ପ୍ରତି ଧ୍ୟାନ ଦେବାକୁ ହୋଇଥାଏ । ପ୍ରଥମତଃ ସଂକ୍ଷିପ୍ତତା (Brevity) । ପ୍ରବନ୍ଧର ବିଷୟ ବସ୍ତୁକୁ ଅଯଥା ସ୍ଫିତିକୃତ କଲେ ପ୍ରବନ୍ଧର କଳାତ୍ମକ ସୌନ୍ଦର୍ଯ୍ୟ ନଷ୍ଟ ହୋଇଥାଏ । ପ୍ରବନ୍ଧରୁ ଉଦ୍ଦେଶ୍ୟ ‘ଯାହା କହିବ ସଂକ୍ଷେପରେ କହିବ’ ଅଥଚ ସୁନ୍ଦର ଓ ଯୁକ୍ତିନିଷ୍ଠ ଭାବରେ କହିବା ହେଉଛି ସମତା ବା Balance । ପ୍ରବନ୍ଧର ବିଭିନ୍ନ ପରିଚ୍ଛେଦ ଓ ବିଷୟ ସହିତ ସମତା ରକ୍ଷା କରାଯିବା ଏକାନ୍ତ ଆବଶ୍ୟକ । ଏହା ନ ହେଲେ ପ୍ରବନ୍ଧର ମୂଲ୍ୟହାନି ହୋଇଯାଏ । (୩) ଏକତ୍ଵ (Uniformity)–କୌଣସି ପ୍ରବନ୍ଧରେ ଯେତେ ବିଷୟ ବର୍ଣ୍ଣନା କରାଯାଇଥାଏ ସେହି ସମସ୍ତ ବିଷୟ ମଧ୍ୟରେ ଐକ୍ୟ ସ୍ଥାପନ ହେବା ଏକାନ୍ତ ଆବଶ୍ୟକ । ଚିନ୍ତାଧାରାରେ ଓ ବିଷୟ ବିନ୍ୟାସରେ ଏକତ୍ଵ ବା ସଂହତିର ଅଭାବ ଘଟିଲେ ପ୍ରବନ୍ଧ ରୁଚିହୀନ ହୋଇ ପଡ଼ିବ । (୪) ସଠିକତା (Accuacy)–ପ୍ରବନ୍ଧରେ ଯେଉଁ ବିଷୟ ବର୍ଣ୍ଣିତ ହେବ ତାହା ଯଥାଯଥ ଓ ସଠିକ୍‍ ଭାବରେ ବର୍ଣ୍ଣିତ ହେବା ଉଚିତ । (୫) ସାବଲୀଳତା (Regularity)–ପ୍ରବନ୍ଧର ପ୍ରକାଶ ଭଙ୍ଗୀ ସାବଲୀଳ ନ ହେଲେ ତାହା ହୃଦୟକୁ ସ୍ପର୍ଶ କରେ ନାହିଁ । ଅତଏବ ପ୍ରବନ୍ଧରେ ପ୍ରାବନ୍ଧିକଙ୍କର ବ୍ୟକ୍ତିତ୍ଵ ଓ ଚିନ୍ତାଧାରାର ପ୍ରକାଶ ସଙ୍ଗେ ସଙ୍ଗେ ପ୍ରବନ୍ଧର ଉପସ୍ଥାପନାରେ ସଂହତି ଓ କଳାତ୍ମକତା ରହିଲେ ପ୍ରବନ୍ଧର ଗୌରବ ଫୁଟିଉଠେ ।

 

ଓଡ଼ିଆ ପ୍ରବନ୍ଧ ସାହିତ୍ୟ :

 

ଓଡ଼ିଆ ପ୍ରବନ୍ଧ ସାହିତ୍ୟର ସାଧନା ସିଦ୍ଧିର ଇତିହାସ ଆଜକୁ ଏକ ଶତ ବର୍ଷ ବ୍ୟାପୀ ଊନବିଂଶ ଶତାବ୍ଦୀର ଶେଷ ତ୍ରିଦଶକରୁ ଓଡ଼ିଆ ସାହିତ୍ୟରେ ପ୍ରବନ୍ଧର ଆରମ୍ଭ ଓ ବିକାଶ ହୋଇଛି । ୧୮୬୬ ମସିହାର ନଅଙ୍କ ଦୁର୍ଭିକ୍ଷ, ୧୮୬୮ ମସିହାର ଭାଷା ବିଲୋପ ଆନ୍ଦୋଳନ ଓ ପାଠ୍ୟପୁସ୍ତକର ଆବଶ୍ୟକତା ଦୃଷ୍ଟିରୁ ଆଧୁନିକ ସାହିତ୍ୟର ନବଜନ୍ମ ହେବା ସଙ୍ଗେ ସଙ୍ଗେ ପ୍ରବନ୍ଧର ଉତ୍ପତ୍ତି ମଧ୍ୟ ହେଲା । ଊନବିଂଶ ଶତାବ୍ଦୀର ଶେଷ ଭାଗରେ ଉତ୍କଳ ଦୀପିକା–୧୮୬୭, ବାଲେଶ୍ଵର ସମ୍ବାଦ ବାହିକା–୧୮୬୮, ଉତ୍କଳ ଦର୍ପଣ–୧୮୭୩, ପୁରୁଷୋତ୍ତମ ଦୀପିକା–୧୮୮୦, ନବ ସମ୍ବାଦ–୧୮୮୬, ସମ୍ବଲପୁର ହିତୈଷିଣୀ–୧୮୮୯, ଉତ୍କଳ ପ୍ରଭା–୧୮୯୧, ଇନ୍ଦ୍ରଧନୁ–୧୮୯୩, ବିଜୁଳି–୧୮୯୪, ଉତ୍କଳ ସାହିତ୍ୟ–୧୮୯୭, ମୁକୁର–୧୯୦୪, ଆଦି ବିଭିନ୍ନ ପତ୍ର ପତ୍ରିକା ମାନ ପ୍ରକାଶ ପାଇ ଓଡ଼ିଆ ପ୍ରବନ୍ଧ ସାହିତ୍ୟକୁ କ୍ରମବିକାଶ ପଥରେ ଆଗେଇ ନେବାରେ ସାହାଯ୍ୟ କଲେ । ଏହି ସବୁ ପତ୍ର ପତ୍ରିକାରେ ବିଭିନ୍ନ ବିଷୟରେ ପ୍ରବନ୍ଧ ମାନ ଲେଖା ହେଲା । ସେତେବେଳେ ଯେଉଁମାନେ ପ୍ରାବନ୍ଧିକ ଭାବେ ଖ୍ୟାତି ଅର୍ଜନ କରିଥିଲେ, ସେମାନଙ୍କ ମଧ୍ୟରେ ରାଧାନାଥ ରାୟ, ମଧୁସୂଦନ ରାଓ, ଗୌରୀଶଙ୍କର ରାୟ, ଗୋବିନ୍ଦ ଚନ୍ଦ୍ର ପଟ୍ଟନାୟକ, ଜଗମୋହନ ଲାଲ, ବିଶ୍ୱନାଥ କର, ଫକୀରମୋହନ ସେନାପତି, ଶାମସୁନ୍ଦର ରାଜଗୁରୁ, ଗୋପିନାଥ ନନ୍ଦ, ଶଶିଭୂଷଣ ରାୟ, ଚନ୍ଦ୍ର ମୋହନ ମହାରଣା, ସାଧୁଚରଣ ରାୟ, ଗୋପାଳ ଚନ୍ଦ୍ର ପ୍ରହରାଜ, ନନ୍ଦ କିଶୋର ବଳ, ଗୋପାଳ ବଲ୍ଲଭ ଦାସ ପ୍ରଭୃତିଙ୍କ ନାମ ଉଲ୍ଲେଖ ଯୋଗ୍ୟ ।

 

ଏମାନଙ୍କ ପରେ ଓଡ଼ିଆ ସାହିତ୍ୟରେ ସତ୍ୟବାଦୀ ଗୋଷ୍ଠୀ ଏକ ନିର୍ଦ୍ଦିଷ୍ଟ ଭୂମିକା ପ୍ରଦାନ କଲେ ପ୍ରବନ୍ଧ ସାହିତ୍ୟକୁ । ୧୯୧୪ ମସିହାରେ ‘ସତ୍ୟବାଦୀ’ ମାସିକ ପତ୍ରିକା ପ୍ରକାଶିତ ହେଲା । ଏହି ଗୋଷ୍ଠୀର ପ୍ରତିଷ୍ଠାତା ହେଲେ ପଣ୍ଡିତ ଗୋପବନ୍ଧୁ ଦାସ । ସେ ନିଜେ ଜଣେ ଉଚ୍ଚକୋଟୀର ପ୍ରାବନ୍ଧିକ । ତାଙ୍କ ବ୍ୟତୀତ ପଣ୍ଡିତ ନୀଳକଣ୍ଠ ଦାସ, ପଣ୍ଡିତ କୃପାସିନ୍ଧୁ ମିଶ୍ର, ପଣ୍ଡିତ ଗୋଦାବରୀଶ ମିଶ୍ର, ମଧ୍ୟ ବହୁ ପ୍ରବନ୍ଧ ରଚନା କରି ଓଡ଼ିଆ ପ୍ରବନ୍ଧ ସାହିତ୍ୟକୁ ସମୃଦ୍ଧ କରି ଅଛନ୍ତି । ଏମାନଙ୍କ ପ୍ରବନ୍ଧ ପ୍ରାୟତଃ ସଂସ୍କାରକାମୀ ଓ ଜାତୀୟ ଭାବଧାରାରେ ଉଦ୍‌ବୁଦ୍ଧ । ଏହି ସମୟରେ ଅନ୍ୟାନ୍ୟ ପ୍ରାବନ୍ଧିକଙ୍କ ମଧ୍ୟରେ ମୋହିନୀ ମୋହନ ସେନାପତି, ଜଗବନ୍ଧୁ ସିଂହ, ମୃତ୍ୟୁଞ୍ଜୟ ରଥ, ରତ୍ନାକର ପତି, ବିପିନ ବିହାରୀ ରାୟ, ବାସୁଦେବ ମହାପାତ୍ର, ଜଳନ୍ଧର ଦେବ, ସତ୍ୟନାରାୟଣ ରାଜଗୁରୁ, କୁଳମଣି ଦାଶ ଓ ଚିନ୍ତାମଣି ମହାନ୍ତିଙ୍କ ନାମ ଉଲ୍ଲେଖଯୋଗ୍ୟ । ଏମାନେ ବିଭିନ୍ନ ଦିଗରୁ ଓଡ଼ିଆ ପ୍ରବନ୍ଧ ସାହିତ୍ୟକୁ ସମୃଦ୍ଧ କରିବାକୁ ଲାଗିଲେ ।

 

ଓଡ଼ିଆ ପ୍ରବନ୍ଧ ସାହିତ୍ୟର ତୃତୀୟ ପର୍ଯ୍ୟାୟରେ ବହୁ ପ୍ରାବନ୍ଧିକଙ୍କର ଆବିର୍ଭାବ ଘଟିଛି । ପ୍ରତ୍ୟେକଙ୍କର ସାଧନା ଦ୍ୱାରା ଓଡ଼ିଆ ପ୍ରବନ୍ଧ ସାହିତ୍ୟ ଉତ୍ତରୋତ୍ତର ଉନ୍ନତି ପଥରେ ଆଗେଇ ଚାଲିଛି । ଏହି ସମୟରେ ଜୀବନୀ, ରମ୍ୟ ରଚନା, ରିପୋତାଜ, ସାହିତ୍ୟସମାଲୋଚନା, ବୈଜ୍ଞାନିକ ରଚନା, ଐତିହାସିକ ଓ ଭୌଗଳିକ ପ୍ରବନ୍ଧ, ସାମ୍ବାଦିକ ରଚନା ଇତ୍ୟାଦିର ବହୁଳ ବିକାଶ ହୋଇଛି-। ପଦ୍ମଚରଣ ପଟ୍ଟନାୟକ, ଅନନ୍ତ ପଦ୍ମନାଭ ପଟ୍ଟନାୟକ, ଚନ୍ଦ୍ରଶେଖର ମିଶ୍ର, ସାରଳା ଦେବୀ, ଗୋଲକବିହାରୀ ଧଳ, ସୁରେନ୍ଦ୍ର ମହାନ୍ତି ପ୍ରଭୃତି ଜୀବନୀମୂଳକ ପ୍ରବନ୍ଧ ରଚନା କରିଥିଲାବେଳେ କେଦାର ନାଥ ମହାପାତ୍ର, କୃଷ୍ଣଚନ୍ଦ୍ର ପାଣିଗ୍ରାହୀ, ମନ୍ମଥ ନାଥ ଦାସ, ନବୀନ କୁମାର ସାହୁ, ସୁଧାକର ପଟ୍ଟନାୟକ, ପରମାନନ୍ଦ ଆଚାର୍ଯ୍ୟ, ସୂର୍ଯ୍ୟ ନାରାୟଣ ଦାସ ପ୍ରଭୃତି ଐତିହାସିକ ପ୍ରବନ୍ଧମାନ ରଚନା କରିଛନ୍ତି । ପଣ୍ଡିତ ନୀଳକଣ୍ଠ ଦାସ, ଡଃ ଆର୍ତ୍ତବଲ୍ଲଭ ମହାନ୍ତି, ଡଃ କରୁଣାକର କର, ଗିରିଜା ଶଙ୍କର ରାୟ, କାଳିନ୍ଦୀଚରଣ ପାଣିଗ୍ରାହୀ, ପଣ୍ଡିତ ବାନାମ୍ବର ଆଚାର୍ଯ୍ୟ, ମାୟାଧର ମାନସିଂହ, ସୁରେନ୍ଦ୍ର ମହାନ୍ତି, ସୂର୍ଯ୍ୟନାରାୟଣ ଦାସ ପ୍ରଭୃତି ସାହିତ୍ୟିକ ପ୍ରବନ୍ଧମାନ ରଚନା କରି ଓଡ଼ିଆ ସାହିତ୍ୟର ବିକାଶ କ୍ଷେତ୍ରରେ ଉଲ୍ଲେଖଯୋଗ୍ୟ ଭୂମିକା ନେଇଛନ୍ତି । ଏମାନଙ୍କ ବ୍ୟତୀତ କୁଞ୍ଜବିହାରୀ ତ୍ରିପାଠୀ, ଡକ୍ଟର ଗୋପାଳ ଚନ୍ଦ୍ର ମିଶ୍ର, କାହ୍ନୁଚରଣ ମିଶ୍ର, ନରେନ୍ଦ୍ର ନାଥ ମିଶ୍ର, କୃଷ୍ଣପ୍ରସାଦ ମିଶ୍ର, ଖଗେଶ୍ଵର ମହାପାତ୍ର, ଧନେଶ୍ୱର ମହାପାତ୍ର, ଡକ୍ଟର ଅସିତ୍ କବି, ନଟବର ସାମନ୍ତରାୟ, ଚନ୍ଦ୍ରଶେଖର ରଥ, ମହାପାତ୍ର ନୀଳମଣି ସାହୁ, ଜାନକୀବଲ୍ଲଭ ମହାନ୍ତି, ଚିନ୍ତାମଣି ବେହେରା, ଦାଶରଥି ଦାସ, ବେଣିମାଧବ ପାଢ଼ୀ, ବାସୁଦେବ ସାହୁ, ପଠାଣୀ ପଟ୍ଟନାୟକ, ଗଙ୍ଗାଧର ବଳ, କୃଷ୍ଣଚରଣ ବେହେରା, ଡକ୍ଟର ଦେବେନ୍ଦ୍ର ମହାନ୍ତି, ଶ୍ରୀନିବାସ ମିଶ୍ର, ଚିତ୍ତରଞ୍ଜନ ଦାସ, ବ୍ରଜବିହାରୀ ମହାନ୍ତି, ବାଉରୀବନ୍ଧୁ କର, ରତ୍ନାକର ଚଇନି, ବୈଷ୍ଣବ ଚରଣ ସମାଲ, ଅଧ୍ୟାପକ ନୃସିଂହ ଷଡ଼ଙ୍ଗୀ ପ୍ରଭୃତି ଲେଖକମାନେ ଓଡ଼ିଆ ପ୍ରବନ୍ଧର ବିକାଶ ଦିଗରେ ଯଥେଷ୍ଟ ଉଦ୍ୟମ କରିଛନ୍ତି । ବୈଜ୍ଞାନିକ ପ୍ରବନ୍ଧ ରଚନା କ୍ଷେତ୍ରରେ ଗୋକୁଳାନନ୍ଦ ମହାପାତ୍ର, ଦେବକାନ୍ତ ମିଶ୍ର, ବିଦ୍ୟାଧର ପାଢ଼ୀ, ଡଃ ରାଧାନାଥ ରଥ, କୁଳମଣି ସମାଲ ପ୍ରଭୃତିଙ୍କର ନାମ ଉଲ୍ଲେଖଯୋଗ୍ୟ-। ଏତଦ୍‌ବ୍ୟତୀତ ଓଡ଼ିଆ ସାହିତ୍ୟରେ ବହୁ ଲେଖକ ରମ୍ୟରଚନା ଲେଖିଛନ୍ତି-। ଭାବ ଓ ପ୍ରକାଶ ଭଙ୍ଗୀରେ ଓଡ଼ିଆ ପ୍ରବନ୍ଧ ସାହିତ୍ୟ ଉତ୍ତରୋତ୍ତର ଉନ୍ନତି ପଥରେ ଯେ ଆଗେଇ ଚାଲିଛି ଏଥିରେ ସନ୍ଦେହ ନାହିଁ ।

 

ଓଡ଼ିଆ ପ୍ରବନ୍ଧ ସାହିତ୍ୟ ଦୀର୍ଘ ଏକଶତ ବର୍ଷରୁ ଊର୍ଦ୍ଧ୍ଵକାଳ ଧରି ନିରବଚ୍ଛିନ୍ନ ଭାବରେ ଗତି କରି ଆସିଛି । ‘ବିବେକୀ’ ପ୍ରବନ୍ଧ ୧୮୭୩ ମସିହାରେ ପ୍ରକାଶ ପାଇବା ପରଠାରୁ ଓଡ଼ିଆ ପ୍ରବନ୍ଧ ସାହିତ୍ୟର ଅଭ୍ୟୁଦୟ ଓ କ୍ରମବିକାଶ ହୋଇ ଏପର୍ଯ୍ୟନ୍ତ ନାନା ପରୀକ୍ଷା ନିରୀକ୍ଷା ମଧ୍ୟରେ ଗତି କରିଛି । ପ୍ରଥମ ପର୍ବରେ ପ୍ରାବନ୍ଧିକମାନେ ଦାର୍ଶନିକ ତତ୍ତ୍ୱ ଓ ଆତ୍ମଚିନ୍ତାମୂଳକ ବିଷୟ ବସ୍ତୁ ସହିତ ଜାତୀୟ ଜୀବନ ପ୍ରତିଷ୍ଠା ପାଇଁ ତଥା ସମାଜ ସଂସ୍କାର ପାଇଁ ପ୍ରବନ୍ଧମାନଙ୍କରେ ପ୍ରେରଣା ଦେଉଥିଲେ । ସତ୍ୟବାଦୀଗୋଷ୍ଠୀଙ୍କ ଆବିର୍ଭାବ ପରେ ଓଡ଼ିଆ ପ୍ରବନ୍ଧ ସାହିତ୍ୟରେ ଦେଖାଦେଲା ପରିବର୍ତ୍ତନ । ପୂର୍ବର ଗାମ୍ଭୀର୍ଯ୍ୟପୂର୍ଣ୍ଣ ଭାଷାବିନ୍ୟାସ ହେଲା ସରଳ ଓ ଲୋକମୁଖୀ । ଏହି ସମୟର ପ୍ରବନ୍ଧଗୁଡ଼ିକ ଜାତୀୟ ଜୀବନର ପୁନରୁତ୍‍ଥାନ ପାଇଁ ମୁଖ୍ୟତଃ ଉଦ୍ଦିଷ୍ଟ । ଅଯଥା ବାକ୍ ବାହୁଲ୍ୟ ନକରି ଯୁକ୍ତିନିଷ୍ଠ ବିଷୟ ବିନ୍ୟାସ ସାହାଯ୍ୟରେ ଜାତୀୟ ଜୀବନରେ ନୂତନ ଭାବାନ୍ତର ସୃଷ୍ଟି କରିବାକୁ ଏହି ସମୟରେ ପ୍ରବନ୍ଧ ଲେଖାଗଲା । ଏହାପରେ ଓଡ଼ିଆ ପ୍ରବନ୍ଧ ସାହିତ୍ୟ ବହୁମୁଖୀ ଭାବ ସ୍ପନ୍ଦନକୁ ନେଇ ହେଲା ଋଦ୍ଧିମନ୍ତ । ଦାର୍ଶନିକ ତତ୍ତ୍ୱ–ସାହିତ୍ୟିକ ତତ୍ତ୍ୱ–ଓ ଜିଜ୍ଞାସା, ସମାଜ ତତ୍ତ୍ୱ–ମନସ୍ତତ୍ତ୍ୱ–ଧର୍ମତତ୍ତ୍ୱ, ଜାତୀୟ ଚେତନା ଆଦି ବିଭିନ୍ନ ଭାବଧାରାକୁ ନେଇ ପ୍ରବନ୍ଧ ରଚିତ ହେଲା । ଶିକ୍ଷାର କ୍ରମବିକାଶ ଫଳରେ ପ୍ରବନ୍ଧ ସାହିତ୍ୟ ମଧ୍ୟ କ୍ରମବିକାଶ ଲାଭକଲା ।

 

ସ୍ଵାଧୀନତା ପରେ ଯଦିଓ ବହୁ ପ୍ରାବନ୍ଧିକ ପ୍ରବନ୍ଧ ରଚନା କରୁଅଛନ୍ତି ମାତ୍ର ସେଗୁଡ଼ିକ ଅନେକ ସମୟରେ ଉଚ୍ଚଭାବ ପ୍ରକାଶ କରିବାରେ ସମର୍ଥ ହେଉ ନାହାନ୍ତି । ଅଯଥା ବାକ୍‌ବାହୁଲ୍ୟ ଓ ପାଣ୍ଡିତ୍ୟର ନିଷ୍କର୍ଷରେ ତାହା ଶୁଷ୍କ ମନେ ହେଉଛି । ଏହାର କାରଣ ହେଉଛି ଯେ ଓଡ଼ିଆ ଭାଷାରେ ଆଧୁନିକ ଯୁଗର ଚିନ୍ତା ଚେତନା, ଜ୍ଞାନବିଜ୍ଞାନ ବିଷୟକ ପୁସ୍ତକର ଅଭାବ । ପ୍ରବନ୍ଧ ସାହିତ୍ୟର ଅଭିବୃଦ୍ଧି ହିଁ ଜାତୀୟ ଜୀବନର ବିକାଶର ପରିମାପକ । ତେଣୁ ଏହି ବିଭାଗକୁ ସମୃଦ୍ଧ ବରିବା ଏକାନ୍ତ ପ୍ରୟୋଜନ । ସମ୍ପ୍ରତି ପ୍ରବନ୍ଧ ସାହିତ୍ୟର ଅଭାବ ହେତୁ–ଏବେ ପାଠ୍ୟପୁସ୍ତକ ପାଇଁ ଅର୍ଦ୍ଧଶତାବ୍ଦୀ ପୂର୍ବର ଏପରିକି ଶତାବ୍ଦୀ ତଳର ପ୍ରବନ୍ଧଗୁଡ଼ିକୁ ମଧ୍ୟ ସ୍ଥାନ ଦିଆଯାଉଛି । ଜୀବନର ବୈଚିତ୍ର ପରି ପ୍ରବନ୍ଧ ମଧ୍ୟ ବୈଚିତ୍ର ପୂର୍ଣ୍ଣ । ଅନୁଭୂତିର ଗଭୀରତା ଓ ଜ୍ଞାନର ଆନ୍ତରିକତା ଫଳରେ ପ୍ରବନ୍ଧ ସାହିତ୍ୟ ଯେ ବିକାଶଶୀଳ ହୋଇ ପାରିବ ଏଥିରେ ସନ୍ଦେହ ନାହିଁ । ସମ୍ପ୍ରତି ଏ ଦିଗରେ ପ୍ରାବନ୍ଧିକମାନେ ଯଥେଷ୍ଟ ଯତ୍ନବାନ ଓ ନିଷ୍ଠାପର ହେଉଥିବାର ଉଦ୍ୟମ ପ୍ରଶଂସନୀୟ ଓ ପ୍ରବନ୍ଧ ସାହିତ୍ୟ ପାଇଁ ଏକ ଶୁଭ ସଂକେତ ।

☆☆☆

 

ଓଡ଼ିଆ ପଦ୍ୟ ସାହିତ୍ୟର ଉତ୍ପତ୍ତି ଓ ବିକାଶ କ୍ରମ

 

କବିତାର ସଂଜ୍ଞା ଓ ସ୍ୱରୂପ :

 

କବିତା କବି ହୃଦୟର ସ୍ୱଚ୍ଛନ୍ଦ ଅଭିବ୍ୟକ୍ତି । ସକଳ ଦୁଃଖ କଷ୍ଟ ବ୍ୟଥା ବେଦନା ମଧ୍ୟଦେଇ କବିତାର ହୁଏ ନବଜନ୍ମ । ସାଧାରଣ ମଣିଷ ଯାହା ଅନୁଭବ କରିପାରେ ନାହିଁ–ଯାହା ଦେଖିପାରେ ନାହିଁ, କବି ତାହାକୁ ଅନୁଭବ କରେ–ତୈଜସ ଦୃଷ୍ଟିରେ ତାକୁ ଦେଖେ–କମନୀୟ କଳାରୂପ ଦେଇ ତାକୁ ଜୀବନ୍ୟାସ ଦିଏ–ସେଇ ବାଙ୍‌ମୟ ଅଭିବ୍ୟକ୍ତି ହୁଏ କବିତା–ଅଗଣିତ ଜନ ହୃଦୟରେ ତାହା ସୃଷ୍ଟିକରେ ଭାବାନ୍ତର–ଏଥିପାଇଁ କବି ହେଉଛି ସ୍ୱୟମ୍ଭୂ–ପରିଭୁ । ତେଣୁ କୁହାଯାଏ–‘‘ଅପାରେ କାବ୍ୟ-ସଂସାରେ କବିରେବ ପ୍ରଜାପତିଃ ।” କବିତା କେବଳ ବାଙ୍‌ମୟ ଅଭିବ୍ୟକ୍ତି ନୁହେଁ ଏହା ଛନ୍ଦୋବଦ୍ଧ ରଚନା । (Metrical Composition) । ସତ୍ୟ ସହିତ ଆନନ୍ଦକୁ ମିଶାଇ ଦେବାରୁ ଏହା ଏକ କମନୀୟ କଳାଶିଳ୍ପ (The art of uniting pleasure with truth) । କବିତା ହେଉଛି ଶବ୍ଦର ଏକ ଯାଦୁକରୀ ଶିଳ୍ପ । ଏହାର ଛନ୍ଦେ ଛନ୍ଦେ ବାଜିଉଠେ ଜୀବନର ସାମସଙ୍ଗୀତ–ବିଶ୍ୱର ରହସ୍ୟ ହୁଏ ଉନ୍ମୋଚିତ–ବିଶ୍ଵାତୀତ ଆଲୌକିକ ସତ୍ତାର ହୁଏ ପରିପ୍ରକାଶ । କେହି କେହି କବିତାକୁ ସାଙ୍ଗୀତିକ ଭାବନା (Musical thought) କହୁଥିଲା ବେଳେ ଅନ୍ୟ କେହି ଏହାକୁ କଳ୍ପନାର ଅଭିବ୍ୟକ୍ତିରୂପେ ବର୍ଣ୍ଣନା କରି ଅଛନ୍ତି । ଲେ ହଣ୍ଟ କିନ୍ତୁ କବିତାର ସ୍ୱରୂପ ସମ୍ବନ୍ଧରେ ମତ ଦେଇଛନ୍ତି–‘‘The utterance of a passion for truth, beauty and power, embodying and illustrating its language on the principle of variety in unity” କଲେରିଜଙ୍କ ମତରେ କବିତାର ମୌଳିକ ଧର୍ମ ହେଉଛି ଆନନ୍ଦଦାନ । ସତ୍ୟ ପ୍ରକାଶ ଏହାର ପ୍ରଧାନ କଥା ନୁହେଁ । ଓ୍ଵାଡ଼ସଓ୍ଵାର୍ଥ ମଧ୍ୟ କବିତା ସମ୍ପର୍କରେ ମତ ଦେଇ ଲେଖିଛନ୍ତି, କବିତା ହେଉଛି–‘‘The breath and finer spirit of all knowledge.” କବିତା ବାସ୍ତବିକ କବି ହୃଦୟର ସରଳତମ ଆନନ୍ଦଦାୟକ ଅଭିବ୍ୟକ୍ତି । ଏହି ଅଭିବ୍ୟକ୍ତି ମାଧ୍ୟମରେ କବି ମଣିଷ ଜୀବନର ସକଳ ଅନୁଭୂତିକୁ ମନ୍ମୟଭାବରେ ପ୍ରକାଶ କରେ–ଅରୂପକୁ ରୂପ ଦିଏ, ଅବ୍ୟକ୍ତକୁ ବ୍ୟକ୍ତ କରେ–ଅସୀମକୁ ସୀମା ମଧ୍ୟରେ ବର୍ଣ୍ଣନା କରେ ସ୍ଥୂଳକୁ ସୂକ୍ଷ୍ମରେ ରୂପାନ୍ତରିତ କରେ–କୁତ୍ସିତକୁ ଅପରୂପ ଲାବଣ୍ୟ ପ୍ରଦାନ କରେ–ନଗଣ୍ୟକୁ ପ୍ରତିଷ୍ଠା ଦିଏ । ତେଣୁ କବିତା ହେଉଛି ସୌନ୍ଦର୍ଯ୍ୟର ଛାନ୍ଦସିକ ସୃଷ୍ଟି (The rhythimic creation of beauty) ।

 

କବିତା ଯେ ସର୍ବସର୍ବଦା ଛନ୍ଦୋବଦ୍ଧ ହେବ, ଏପରି ନୁହେଁ । ବହୁ ସମୟରେ ଗଦ୍ୟାତ୍ମକ ଶୈଳୀରେ ମଧ୍ୟ କବିତା ରଚନା କରାଯାଇପାରେ । ମାତ୍ର କବିତାର ଆଙ୍ଗିକ ପାଇଁ ସଙ୍ଗୀତର ପ୍ରୟୋଜନ ରହିଛି । ଏହାଦ୍ୱାରା କବିତାର ସୌନ୍ଦର୍ଯ୍ୟ ଓ ଶକ୍ତି ବୃଦ୍ଧିଲାଭ କରିଥାଏ । କବିତାର ଭାଷା ସ୍ଵତନ୍ତ୍ର । ଏହା କବିର ଦିବ୍ୟ ଭାବନାରେ ଉଦ୍‍ବୁଦ୍ଧ ହୋଇଉଠେ । ତେଣୁ କେହି କେହି କହନ୍ତି–“poetry is divine” । କବିତା କେବଳ ପାଠକକୁ ସାମୟିକ ଆନନ୍ଦ ଦିଏ ନାହିଁ, ମାତ୍ର ପାଠକର ଚିତ୍ରବୃତ୍ତିରେ ଏହା ଅଲୌକିକ ରସ ସଞ୍ଚାର କରି ତା’ର ପ୍ରାଣକୁ ଆପ୍ଳୁତ କରେ । ଆନନ୍ଦଦାନ ସଙ୍ଗେ ସଙ୍ଗେ ପାଠକକୁ କବି ସାମାଜିକ ଭାବନାରେ ଉଦ୍‍ବୁଦ୍ଧ କରେ । କବିତା କେବଳ କଳ୍ପନାକୁ ଆଶ୍ରୟ କଲେ ତା’ର ସ୍ଥିତି କ୍ଷଣଭଙ୍ଗୁର ହୋଇପଡ଼େ । ସତ୍ୟ ଓ ବାସ୍ତବତା, କଳ୍ପନା ଓ ସୋନ୍ଦର୍ଯ୍ୟବୋଧର ସମନ୍ୱୟରେ କବିତା ସାର୍ବଜନୀନତା ଲାଭ କରିଥାଏ । କବିତା କବିର ରସମୟ ହୃଦୟର ଅଭିବ୍ୟକ୍ତି ହେଲେହେଁ ସହୃଦୟ ସାମାଜିକର ଅଭାବରେ ତା’ର ସ୍ଥିତି ହରାଇ ବସେ । ତେଣୁ ପ୍ରାଚୀନ କବି ଦୀନକୃଷ୍ଣ କହନ୍ତି–

 

“କବିତା ବନିତା କବି ତା’ ପିତା

କହିବା ଲୋକ ତାର ଉପମାତା

କଲେ ତାକୁ ଭୋଗ ରସିକନେତା

କେତେହେଁ ରହଇ ତାର ଯୋଗ୍ୟତା

କୁମତି ଗୁଆଁର

କେବଳ ବଇମାତ୍ର ଭାଇ ତାର ।’’

 

ବାସ୍ତବିକ କବିତାର ସ୍ଥିତି ଓ ପ୍ରସାର ପାଇଁ ସହୃଦୟ ସାମାଜିକ ବ୍ୟକ୍ତିର ଆବଶ୍ୟକତା ରହିଛି । ଏହା ନ ହେଲେ କବିତାର ଯଥାର୍ଥ ମୂଲ୍ୟବୋଧ ପ୍ରକଟିତ ହେବ ନାହିଁ । ପ୍ରାଚୀନ ଯୁଗରେ କବିତା ଥିଲା ଦୀର୍ଘ । ସେତେବେଳେ ବର୍ଣ୍ଣନାଧର୍ମୀ କାବ୍ୟ କବିତା ଓ ପୁରଣାଦି ରଚିତ ହେଉଥିଲା । କାଳକ୍ରମେ କାବ୍ୟ ରଚନା ସହିତ କ୍ଷୁଦ୍ର କ୍ଷୁଦ୍ର କବିତାମାନ ରଚିତ ହେଲା । ସେ ସମୟର ପ୍ରାୟ ସମସ୍ତ କବିତା ଥିଲା ସଙ୍ଗୀତମୟ ଓ ଛନ୍ଦୋବଦ୍ଧ । ଆଧୁନିକ ଯୁଗରେ କିନ୍ତୁ କବିତାରୁ କ୍ରମେ ସାଙ୍ଗୀତିକତା ଲୋପ ପାଇ ଯାଇଛି । କବିତା ହୋଇଛି ଗଦ୍ୟମୟୀ । ପ୍ରାଚୀନ କବିତା ଥିଲା ପ୍ରାଚୀନ ନାରୀ ପରି ଅଳଙ୍କାର ପ୍ରବଣା; ମାତ୍ର ଆଧୁନିକ କବିତା ଆଧୁନିକା ନାରୀପରି ସ୍ୱଳ୍ପ ଅଳଙ୍କାରଯୁକ୍ତା ଅଥଚ ରୁଚିସମ୍ପନ୍ନା ଓ ଭାବାମୟୀ । ଆଧୁନିକ କବିତା ଆଧୁନିକ ଜଟିଳ ଜୀବନର ବାସ୍ତବ ଆଲେଖ୍ୟ । ଏଥିରେ କଳ୍ପନା ବିଳାସର ସ୍ଥାନ ନାହିଁ–ଅଯଥା ଅଳଙ୍କାର ପ୍ରୟୋଗର ଉଦ୍ୟମ ନାହିଁ । ବାସ୍ତବ କ୍ଷତ ଜୀବନର ଯଥାର୍ଥ ଚିତ୍ର ଆଧୁନିକ କବିତାରେ ପ୍ରକଟିତ । ଆଧୁନିକ ଜୀବନ ଗଦ୍ୟମୟ–ନୀରସ–ଜଟିଳ । ତେଣୁ ଆଧୁନିକ କବିତା ମଧ୍ୟ ଗଦ୍ୟମୟ ଓ ଜଟିଳ । ଆଧୁନିକ ଯୁଗରେ ଦେଖା ଦେଇଥିବା ବହୁତ ବାଦ (ism)ର ପ୍ରଭାବ ମଧ୍ୟ ଆଜିର କବିତାରେ ପ୍ରତିଫଳିତ । ଅତଏବ ଆଧୁନିକ କବିତା ମାନସିକ ସଙ୍କଟ ଓ ଜୀବନ ଯନ୍ତ୍ରଣାର ମାର୍ମିକ ଚିତ୍ର ବହନ କରି ସ୍ଵତନ୍ତ୍ର ଆସନ ଗ୍ରହଣ କରିଛି । ଏହି କବିତା କେତେବେଳେ ମାର୍କସୀୟ ଶ୍ରେଣୀ-ଦ୍ଵନ୍ଦରେ ଗତିଶୀଳ ତ କେତେବେଳେ ଫ୍ରଏଡୀୟ ମଗ୍ନଚେତନାରେ ଉଦ୍‍ବୁଦ୍ଧ–କେତେବେଳେ ନୈରାଶ୍ୟ ଜର୍ଜରିତ ତ’ କେତେବେଳେ ବିଭୁଚେତନାରେ ବିଦଗ୍ଧ । ଅତଏବ ଆଧୁନିକ କବିତା ବିଚିତ୍ର ବିଭୂଷା ଓ ବିବିଧ ସୁରୂପା ।

 

ଓଡ଼ିଆ ପଦ୍ୟ ସାହିତ୍ୟର ଉତ୍ପତ୍ତି ଓ ବିକାଶ :

 

ବିଶ୍ଵର ପ୍ରତ୍ୟେକ ସାହିତ୍ୟରେ ପ୍ରଥମେ ସୃଷ୍ଟି ହୋଇଛି ପଦ୍ୟ । ପଦ୍ୟର ତାଳେ ତାଳେ ଆଦିମାନବ ତା’ର ହୃଦୟ ଭାବକୁ ବ୍ୟକ୍ତ କରିଛି । ଲିପିର ଉଦ୍ଭାବନ ପୂର୍ବରୁ ମଧ୍ୟ ମଣିଷ ସଙ୍ଗୀତ ଗାନ କରିଛି । ମନ ମତାଣିଆ ଭାବରେ ସେ ଗୁଣୁଗୁଣୁ ହୋଇ ଗୀତ ଗାଇଛି । କେତେବେଳେ ସେ ଉଚ୍ଚ ସ୍ୱରରେ ସଙ୍ଗୀତର ମଧୁର ମୂର୍ଚ୍ଛନା ତୋଳିଛି । ଏହାଦ୍ୱାରା ସେ ଭୁଲିଯାଇଛି କିୟତ୍‍କାଳ ପାଇଁ ଜୀବନର ଯନ୍ତ୍ରଣା ଓ କ୍ଳାନ୍ତି, ବ୍ୟଥା ଓ ବେଦନା । କ୍ରମେ ଲିପିର ବିକାଶ ହେଲା । ବ୍ୟକ୍ତି ତା’ର ହୃଦୟର ଭାବକୁ ଲିପିବଦ୍ଧ କରି ରଖିବାକୁ ଚେଷ୍ଟିତ ହେଲା । ପ୍ରାଥମିକ ଅବସ୍ଥାରେ ମଣିଷ ତା’ର ହୃଦୟର ଭାବକୁ ବ୍ୟକ୍ତ କଲା ପଦ୍ୟରେ । ସଭ୍ୟତାର ବିକାଶ ଓ ପରିବର୍ତ୍ତନ ସଙ୍ଗେ ସଙ୍ଗେ ସାହିତ୍ୟରେ ମଧ୍ୟ ପରିବର୍ତ୍ତନ ଦେଖା ଦେଲା । ଯେତେବେଳେ କବି ତା’ର ଏକାନ୍ତ ବ୍ୟକ୍ତିଗତ ହୃଦୟର ଗୋପନ ଅନୁଭୂତିକୁ କବିତାର ସୀମିତ କଳେବର ମଧ୍ୟରେ ବୟକ୍ତିକ ଭାବରେ ପ୍ରକାଶ କଲା, ସେତେବେଳେ ସେ ହେଲା ଗୀତିକବି । ପୁଣି ଯେତେବଳେ ବସ୍ତୁଭିତ୍ତିକ ବା କାହାଣୀଧର୍ମୀ ଦୀର୍ଘ କବିତା ନୈର୍ବ୍ୟକ୍ତିକ ଭାବରେ ରଚନା କଲା, ସେତେବେଳେ ସେ ହେଲା ଗାଥାକବି । ଯେତେବେଳ ଆଧ୍ୟାତ୍ମ ଆଲୋକ ଛଟାରେ ସମାଜକୁ ଉଦ୍ଭାସିତ କରିବାକୁ ଚାହିଁଲା, ସେତେବେଳେ ସେ ରଚନା କଲା ପୁରାଣ । କାବ୍ୟାମୋଦୀ ପଣ୍ଡିତ ବ୍ୟକ୍ତିମାନଙ୍କ ପାଇଁ ସୃଷ୍ଟି ହେଲା ରସମୟ କାବ୍ୟ । ଏହିଭଳି ଭାବରେ ପଦ୍ୟ ସାହିତ୍ୟର ବିବର୍ତ୍ତନ ହେଲା । ଜୀବନ ଓ ସମାଜର ବିବର୍ତ୍ତନ ଏବଂ ଜଟିଳତା ସଙ୍ଗେ ସଙ୍ଗେ ପଦ୍ୟସାହିତ୍ୟା ମଧ୍ୟ ତା’ର ସମସ୍ତ ସୌକୁମାଜ୍ୟ ଓ କୋମଳତାକୁ ପରିତ୍ୟାଗ କରି କ୍ରମେ ଜଟିଳ ଓ ଦୁର୍ବୋଧ୍ୟ ହୋଇଛି । ଏଥିପାଇଁ ସେ ସାମ୍ପ୍ରତିକ କାଳରେ ହରାଇ ବସିଛି ତା’ର ସମସ୍ତ ସାବଲୀଳତା ।

 

ଓଡ଼ିଆ ସାହିତ୍ୟରେ ପଦ୍ୟର ବିଧିବଦ୍ଧ ରଚନା ପୂର୍ବରୁ ଲୋକ ସାହିତ୍ୟର ସୃଷ୍ଟି ହୋଇଥିଲା । ଏ ସାହିତ୍ୟର ସ୍ରଷ୍ଟା ସମଗ୍ର ଜନତା । ନିର୍ଦ୍ଦିଷ୍ଟ କୌଣସି ବ୍ୟକ୍ତି ଏହାର ସ୍ରଷ୍ଟା ନୁହେଁ । ଲୋକ ମୁଖରୁ ଏହାର ଗତି । ଓଡ଼ିଆ ସାହିତ୍ୟରେ ଲୋକଗୀତକୁ ପ୍ରାଥମିକ ସୃଷ୍ଟି ଭାବରେ ଗ୍ରହଣ କରାଯାଇଥାଏ । ଡାକବଚନ, ମନ୍ତ୍ର, ଢଗଢମାଳୀ, ପାଣିବୁହା ଗୀତ, ଶଗଡ଼ିଆ ଗୀତ, କାନ୍ଦଣା, ପ୍ରବଚନ ଆଦି ଲୋକଗୀତର ଉଜ୍ଜ୍ଵଳ ଦୃଷ୍ଟାନ୍ତ । ଓଡ଼ିଆ ସାହିତ୍ୟର ଇତିହାସରେ ଏମାନଙ୍କର ସ୍ଵତନ୍ତ୍ର ଭୂମିକା ରହିଛି ।

 

ଓଡ଼ିଆ ପଦ୍ୟ ସାହିତ୍ୟର ପ୍ରାଥମିକ ସ୍ୱରୂପ ସମ୍ବନ୍ଧରେ, ନାନା ମତ ଥିଲେ ହେଁ ବୌଦ୍ଧଗାନ ଓ ଦୋହାକୁ ଓଡ଼ିଆ ପଦ୍ୟ ସାହିତ୍ୟର ଆଦ୍ୟରୂପ ଭାବରେ ଗ୍ରହଣ କରାଯାଇ ଥାଏ । ନେପାଳର ରାଜଦରବାରରୁ ପ୍ରାପ୍ତ ଜୀର୍ଣ୍ଣପୋଥି ଅଧ୍ୟୟନ କରି ମହାମହୋପାଧ୍ୟାୟ ହରପ୍ରସାଦ ଶାସ୍ତ୍ରୀ ବୌଦ୍ଧଗାନ ଓ ଦୋହାକୁ ବଙ୍ଗଳା ପଦ୍ୟସାହିତ୍ୟର ଆଦିରୂପ ଭାବରେ ପ୍ରମାଣିତ କରିଥିଲେ ମାତ୍ର ପରବର୍ତ୍ତୀ କାଳରେ ବହୁ ଆଲୋଚକ ଏଥିରେ ସନ୍ଦେହ ପ୍ରକାଶ କରିଛନ୍ତି । ଡକ୍ଟର କରୁଣାକର କର ପ୍ରଭୃତି ଆଲୋଚକମାନେ ଏହି ଗ୍ରନ୍ଥକୁ ଓଡ଼ିଆ ପଦ୍ୟ ସାହିତ୍ୟର ଆଦିରୂପ ଭାବରେ ଗ୍ରହଣ କରିଛନ୍ତି । ଶବରୀପାଦ, ଲୁଇପାଦ, କାହ୍ନୁପାଦ ଓ କୁକୁରୀପାଦ ପ୍ରଭୃତି କବିମାନେ ଏହି ଦୋହାର ରଚକ । ଏଥିରେ ତାନ୍ତ୍ରିକ ବୌଦ୍ଧଧର୍ମ ସମ୍ବନ୍ଧୀୟ ଦୋହାମାନ ସନ୍ନିବେଶିତ ହୋଇଅଛି । ଭାଷାଶୈଳୀ ଓ ସ୍ଥାନିକ ପଟ୍ଟଭୂମି ଦୃଷ୍ଟିରୁ ଏହାକୁ ଓଡ଼ିଆ ଭାଷାର ଆଦିମତମ ରଚନା ବୋଲି ଆଲୋଚକମାନେ ମତବ୍ୟକ୍ତ କରିଥାନ୍ତି ।

 

ବୌଦ୍ଧଗାନ ଓ ଦୋହାପରେ ନାଥସାହିତ୍ୟର ବିକାଶ ହୋଇଛି । ଗୋରେଖନାଥ, ମଲ୍ଲୀକାନାଥ ଓ ମତ୍ସେନ୍ଦ୍ରନାଥ ପ୍ରଭୃତି ସିଦ୍ଧ କବିମାନେ ଏହି ସମୟରେ ଯୋଗମାର୍ଗୀ କବିତାମାନ ରଚନା କରିଥିଲେ । ଏମାନଙ୍କ ପରେ ବତ୍ସାଦାସଙ୍କର କଳସା ଚଉତିଶା ଓ ମାର୍କଣ୍ଡ ଦାସଙ୍କର କେଶବ କୋଇଲି, ଓଡ଼ିଆ ପଦ୍ୟ ସାହିତ୍ୟର ବିକାଶ କ୍ଷେତ୍ରରେ ଉଲ୍ଲେଖଯୋଗ୍ୟ ଭୂମିକା ଗ୍ରହଣ କରିଥିଲା । ଏହି ସମୟରେ ଓଡ଼ିଆ ସାହିତ୍ୟର ଆଦିକବି ଶୂଦ୍ରମୁନି ସାରଳାଦାସ ମହାଭାରତ, ଚଣ୍ଡୀପୁରାଣ ଓ ବିଲଙ୍କା ରାମାୟଣ ରଚନା କରି ଓଡ଼ିଆ ପଦ୍ୟସାହିତ୍ୟର ଭୂୟୋବିକାଶ କଲେ । ଓଡ଼ିଶାର ସାଂସ୍କୃତିକ ତଥା ସାମାଜିକ ଜୀବନର ବାସ୍ତବଚିତ୍ର ସାରଳାଦାସଙ୍କ ଗ୍ରନ୍ଥମାନଙ୍କରୁ ମିଳିଥାଏ । ତାଙ୍କର ମହାଭାରତ ସଂସ୍କୃତ ମହାଭାରତର ଅନୁବାଦ ନୁହେଁ । ସେ ନିଜର କଳ୍ପନାନୁଯାୟୀ ବହୁ ବିଷୟ ଏଥିରେ ସଂଯୋଗ କରିଛନ୍ତି । ବହୁ ଲୋକପ୍ରିୟ କାହାଣୀକୁ ସେ ତାଙ୍କର ଗ୍ରନ୍ଥମାନଙ୍କର ପ୍ରୟୋଗ କରିଛନ୍ତି । ପ୍ରଥମ ପୁରାଣକାର ଭାବରେ ସାରଳା ଦାସ ଓଡ଼ିଆ ସାହିତ୍ୟର ଗୌରବ ଅର୍ଜନ କରିଛନ୍ତି । ତାଙ୍କ ପରେ ଓଡ଼ିଆ ପଦ୍ୟ ସାହିତ୍ୟରେ ପଞ୍ଚସଖା ଗୋଷ୍ଠୀ ଅନ୍ୟ ଏକ ଦିଗନ୍ତର ସୂଚନା ଦେଲେ । ଯୋଗପଣ୍ଡିତ ଆଧ୍ୟାତ୍ମିକ ତତ୍ତ୍ଵ ସମ୍ବଳିତ ବିଭିନ୍ନ ପୁରାଣ, କାବ୍ୟ, କବିତା, ଭଜନ, ଜଣାଣ, ମାଳିକା, ଗୀତା ଇତ୍ୟାଦି ରଚନା କରି ଏମାନେ ଓଡ଼ିଆ ସାହିତ୍ୟକୁ ଋଦ୍ଧିମନ୍ତ କଲେ । ବଳରାମ ଦାସ, ଜଗନ୍ନାଥ ଦାସ, ଅଚ୍ୟୁତାନନ୍ଦ ଦାସ, ଯଶୋବନ୍ତ ଦାସ ଓ ଶିଶୁ ଅନନ୍ତ ଦାସ ପ୍ରଭୃତି ଏ ଯୁଗର ବରେଣ୍ୟ ସାଧକ କବି । ଓଡ଼ିଆ ଭାଗବତ ଏବଂ ଦାଣ୍ଡୀ ରାମାୟଣ ଏ ଯୁଗର ଅମୂଲ୍ୟ ରତ୍ନ ।

 

ଯୋଗପଣ୍ଡିତ ପଞ୍ଚସଖା ଯୁଗ ପରେ ଓଡ଼ିଆ ସାହିତ୍ୟରେ ସୃଷ୍ଟି ହୁଏ କାବ୍ୟଯୁଗ ବା ରୀତିଯୁଗ । ଓଡ଼ିଆ ଜାତିର ଐତିହାସିକ ବିପର୍ଯ୍ୟୟ ସଙ୍ଗେ ସଙ୍ଗେ ଓଡ଼ିଶାର ଶାସନ କ୍ଷେତ୍ରରେ ମଧ୍ୟ ନାନାଦି ବିପର୍ଯ୍ୟୟ ଦେଖା ଦେଇଛି । ତତ୍କାଳୀନ ଓଡ଼ିଶାର ରାଜାମାନେ ମୋଗଲ ଶାସନାଧୀନ ହୋଇ ସମୟ ଅତିବାହିତ କରିବାରୁ କ୍ରମେ ବିଳାସୀ ହୋଇ ଉଠିଲେ । ଫଳରେ ଓଡ଼ିଆ ସାହିତ୍ୟରେ ଦରବାରୀ ସାହିତ୍ୟର ଜନ୍ମ ହେଲା । ଏହି ହେତୁ ଏ ଯୁଗର ସାହିତ୍ୟ ହେଲା ପାଣ୍ଡିତ୍ୟାଶ୍ରୟୀ । ଆଳଙ୍କାରିକ ଦୁର୍ବହ ଭାରରେ ଏ ଯୁଗର କବିତା ହେଲା ଭାରାକ୍ରାନ୍ତ । କବିତା ହରାଇ ବସିଲା ତା’ର ସ୍ଵାଭାବିକତା, ସରଳ କୋମଳତା ଓ ସହୃଦୟତା । କେବଳ ଶବ୍ଦାଡ଼ମ୍ବର ମାଧ୍ୟମରେ କବିତା ହେଲା ଛନ୍ଦିତ । ଅଳଙ୍କାରର ବହୁଳ ପ୍ରୟୋଗରେ କବିତା ହେଲା ପଥଭ୍ରଷ୍ଟ । ପୁଣି ଏ ଯୁଗର କାବ୍ୟ କବିତା ହେଲା କାମ ବିଦଗ୍ଧା ନାୟିକା ଭଳି । ରତି ରଙ୍କ ରଙ୍କୁଣୀ, ରତି କୁହୁକିନୀ, କାମ ବିଳାସିନୀ ନାୟିକାଭଳି ଏ ଯୁଗର କବିତା ହେଲା କାମ ପ୍ରବଣା । ଏ ଯୁଗର କାବ୍ୟରେ କେବଳ ଶୃଙ୍ଗାରିକତାର ବିଶେଷ ପ୍ରୟୋଗ ଦେଖାଯାଏ । ରାମ ଓ କୃଷ୍ଣଙ୍କୁ ନେଇ ଏ ଯୁଗରେ ବହୁ ପୌରାଣିକ କାବ୍ୟ ରଚନା କରାଯାଇଛି । ପତ୍ନୀ ବିରହ ଓ ବିଧୁର ଶ୍ରୀ ରାମଚନ୍ଦ୍ର ଙ୍କର ଭାବକୁ ନେଇ ଯେପରି କାବ୍ୟ କବିତା ରଚନା କରାଯାଇଛି, ସେହିଭଳି ଗୋପୀ-ହୃଦ-ପଦ୍ମ-ମିହିର ରସରାଜ ଶ୍ରୀକୃଷ୍ଣଙ୍କର ନାନାଦି ଲୀଳାକୁ ମନୋଜ୍ଞ ଭାବରେ ବର୍ଣ୍ଣନା କରାଯାଇଛି । ଏହା ବ୍ୟତୀତ ବହୁ କାଳ୍ପନିକ କାବ୍ୟ ମଧ୍ୟ ଏ ଯୁଗରେ ରଚନା କରାଯାଇଛି । ଦୀନକୃଷ୍ଣ ଦାସ, ଧନଞ୍ଜୟ ଭଞ୍ଜ, ଅଭିମନ୍ୟୁ ସାମନ୍ତସିଂହାର, ଲୋକନାଥ ବିଦ୍ୟାଧର, ଦନେଇ ଦାସ, ଭୁପତି ପଣ୍ଡିତ, ବୃନ୍ଦାବତୀ ଦାସ, ଭକ୍ତଚରଣ ଦାସ, ଗୋପାଳକୃଷ୍ଣ, ବନମାଳୀ, କବିସୂର୍ଯ୍ୟ ବଳଦେବ ରଥ, ଯଦୁମଣି ମହାପାତ୍ର ପ୍ରଭୃତି ଏ ଯୁଗର ବରେଣ୍ୟ କବି । ନାନା ଭାବରେ ଏମାନେ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରି ଅଛନ୍ତି-। ଭଞ୍ଜ ଯୁଗରେ କାବ୍ୟ ଯେପରି ପ୍ରାଧାନ୍ୟ ଲାଭ କରିଛି, ସଙ୍ଗୀତ ମଧ୍ୟ ସେହିଭଳି ପ୍ରାଧାନ୍ୟ ଲାଭ କରିଛି । କବି କଳହଂସ ଗୋପାଳକୃଷ୍ଣ ସଙ୍ଗୀତାବଳୀ ପ୍ରତ୍ୟେକ ପ୍ରାଣରେ ଅମୃତର ଭାବ ସଞ୍ଚାର କରେ । ଏହାଛଡ଼ା ଏ ଯୁଗରେ ପରକୀୟା ପ୍ରୀତି ଓ ସ୍ଵକୀୟା ପ୍ରୀତିକୁ ନେଇ ମଧ୍ୟ ବହୁ କାବ୍ୟକବିତା ରଚନା କରାଯାଇଛି ।

 

ରୀତିଯୁଗର ଅବସାନ ପରେ ପରେ ଓଡ଼ିଆ ସାହିତ୍ୟରେ ଆଧୁନିକତାର ବାର୍ତ୍ତା ନେଇ ରାଧାନାଥ ଯୁଗ ଆବିର୍ଭୁତ ହେଲା । ରାଧାନାଥ ହେଉଛନ୍ତି ଆଧୁନିକତା ଓ ପ୍ରାଚୀନତାର ସଂଯୋଗ ସେତୁ । ଏ ଯୁଗ ହେଉଛି ଚିନ୍ତସମନ୍ଵୟର ଯୁଗ । ଏହି ସମନ୍ଵୟ ସୃଷ୍ଟି ହୋଇଛି ପ୍ରାଚ୍ୟ ଓ ପାଶ୍ଚାତ୍ୟ ମଧ୍ୟରେ, ନୂତନତା ଓ ପ୍ରାଚୀନତା ମଧ୍ୟରେ । ରାଧାନାଥ ହେଉଛନ୍ତି ଏହି ଚିନ୍ତା ସମନ୍ଵୟର ଆଦ୍ୟ ପୁରୋଧା । ଊନବଂଶ ଶତାବ୍ଦୀରେ ଓଡ଼ିଶା ବହୁ ରାଜନୀତିକ ବିପର୍ଯ୍ୟୟ ତଥା ସାଂସ୍କୃତିକ ସଙ୍କଟ ମଧ୍ୟରେ ଗତି କରିଛି । ଏକ ଦିଗରେ ୧୮୦୩ ମସିହାରେ ଇଂରେଜମାନେ ଓଡ଼ିଶାକୁ ଆକ୍ରମଣ କରି ଶାସନ ପ୍ରତିଷ୍ଠା କରିବା ସଙ୍ଗେ ସଙ୍ଗେ ଖ୍ରୀଷ୍ଟିୟାନ ମିସନାରୀମାନେ ଧର୍ମପ୍ରଚାର ଆରମ୍ଭ କରିଦେଲେ । ଅନ୍ୟ ପକ୍ଷରେ ୧୮୧୭ ମସିହାରେ ଓଡ଼ିଶାରେ ପାଇକ ବିଦ୍ରୋହ ଦେଖାଦେଲା ।

 

ଏହି ଶତାବ୍ଦୀରେ ବ୍ରାହ୍ମ ଧର୍ମ ଓ ଆର୍ଯ୍ୟ ସମାଜ ଗଠନ କରଯାଇଛି । ମହିମା ଧର୍ମ ମଧ୍ୟ ଏହି ସମୟରେ ଓଡ଼ିଶାରେ ଗଣଜୀବନକୁ ଆକୃଷ୍ଟ କରିଛି । ଏହିସବୁ ଚିନ୍ତାଧାରା ତତ୍କାଳୀନ ସାହିତ୍ୟିକମାନଙ୍କୁ ପ୍ରଭାବିତ କରିଛି । ଏହାବ୍ୟତୀତ ୧୮୬୬ ମସିହାରେ ନଅଙ୍କ ଦୁର୍ଭିକ୍ଷ ୧୭୬୮-୬୯ ମସିହାର ଭାଷାବିଲୋପ ଆନ୍ଦୋଳନ ଇତ୍ୟାଦି ଆଧୁନିକ ଓଡ଼ିଆ ସାହିତ୍ୟ ସୃଷ୍ଟି ପାଇଁ ପ୍ରେରଣା ପ୍ରଦାନ କରିଛି । ଉତ୍କଳ ଦୀପିକା, ଉତ୍କଳ ସମ୍ବାଦ-ବାହିକା ଉତ୍କଳ ମଧୁପ, ଉତ୍କଳ ପୁତ୍ର, ସମ୍ବଲପୁର ହିତୈଷିଣୀ, ଦର୍ପଣ, ଉତ୍କଳ ସାହିତ୍ୟ, ଇନ୍ଦ୍ରଧନୁ, ବିଜୁଳି ପ୍ରଭୃତି ସାହିତ୍ୟ ପତ୍ରିକା ଓ ସମ୍ବାଦପତ୍ରମାନ ପ୍ରକାଶିତ ହୋଇ ଓଡ଼ିଆ ସାହିତ୍ୟର ବିକାଶ ଦିଗରେ ଯଥେଷ୍ଟ ସାହାଯ୍ୟ କଲା-। ଏ ଯୁଗରେ ପ୍ରସିଦ୍ଧ କାବ୍ୟକାର ଓ କବିମାନଙ୍କ ମଧ୍ୟରେ ଯୁଗସ୍ରଷ୍ଟା ରାଧାନାଥ ରାୟ, ବ୍ୟାସକବି ଫକୀରମୋହନ ସେନାପତି, ସ୍ଵଭାବକବି ଗଙ୍ଗାଧର ମେହେର, ପଲ୍ଲୀକବି ନନ୍ଦକିଶୋର ବଳ, ନାଟ୍ୟକାର ରାମଶଙ୍କର ରାୟ ଓ ଭକ୍ତକବି ମଧୁସୂଦନ ରାଓ ପ୍ରଭୃତି ପ୍ରଧାନ-। ରାୟ-ରାଓ-ସେନାପତି ଏ ଯୁଗର ସତ୍ୟ-ଶିବ-ସୁନ୍ଦରର ଯଥାର୍ଥ ସ୍ରଷ୍ଟା । ରାଧାନାଥ ରାୟ ‘ସୌନ୍ଦର୍ଯ୍ୟର କବି–ରୂପର କବି–ପ୍ରକୃତିର କବି’ । ‘ଚିଲିକା’ କାବ୍ୟରେ ତେଣୁ ସେ ଲେଖିଛନ୍ତି–

 

“ଦୃଷ୍ଟପୂର୍ବ ହୋଇ ଅପୂର୍ବ ପ୍ରତୀତି

ସୁନ୍ଦର ପଣର ଚିରନ୍ତନ ରୀତି

ସୁନ୍ଦର ତୃପ୍ତିର ଅବସାଦ ନାହିଁ

ଯେତେ ଦେଖିଲେହେଁ ନୂଆ ଦିଶୁଥାଇ ।”

 

କବିବର ରଧାନାଥ ସୌନ୍ଦର୍ଯ୍ୟର ରୂପକାର ହେଲେ ମଧ୍ୟ ଓଡ଼ିଆ ସାହିତ୍ୟରେ ଜାତୀୟ ଚେତନାର ଆଦ୍ୟ ସୂତ୍ରଧର । ତାଙ୍କପରେ ଫକୀରମୋହନ ସେନାପତି ଓଡ଼ିଆ ସାହିତ୍ୟରେ ସତ୍ୟର ହେଲେ ଉପାସକ । ସେ ତତ୍କାଳୀନ ସାମାଜିକ ଜୀବନକୁ ଯଥାର୍ଥ ଭାବରେ ତାଙ୍କର କାବ୍ୟ କବିତାରେ ପ୍ରକାଶ କଲେ । ସାଧାରଣ ମଣିଷର ଜୀବନ ଯନ୍ତ୍ରଣା ବିଧବାର ବୁକୁଫଟା ବିଳାପ–ଶୋଷକର ଅତ୍ୟାଚାର–ଶୋଷିତର ଆର୍ତ୍ତନାଦ ସବୁ କିଛି ତାଙ୍କ ସାହିତ୍ୟରେ ଆତ୍ମପ୍ରକାଶ କରିଛି । ଭକ୍ତକବି ମଧୁସୂଦନଙ୍କ କବିତାରେ ଅଛି ଶିବଙ୍କର ସଙ୍କେତ । ବାଲ୍ୟକାଳର ସେ ଧର୍ମ ପରାୟଣ । ସାଂସାରିକ ବିଷୟବସ୍ତୁ ପ୍ରତି ସେ ଉଦାସୀନ । କବିତାର ଛନ୍ଦେ ଛନ୍ଦେ ସେ ବିଭୁବୋଧକୁ ପ୍ରକାଶ କରି ମଙ୍ଗଳର ବାଣୀ ଶୁଣାଇ ଅଛନ୍ତି । ସମଗ୍ର ମାନବ ଜାତିର କଲ୍ୟାଣ ପାଇଁ ତାଙ୍କର କବିତାରେ ଅଛି ମାର୍ମିକ ଆବେଦନ । ସତ୍ୟ, ଶିବ ଓ ସୁନ୍ଦରର ନିରଜନା ପାଇଁ ରାଧାନାଥ ଯୁଗ ଓଡ଼ିଆ ସାହିତ୍ୟରେ ଅବିସ୍ମରଣୀୟ ହୋଇ ରହିଛି । ଏହି ଯୁଗରେ ପ୍ରକୃତି କବି ରଙ୍ଗାଜୀବ ଗଙ୍ଗାଧର ମେହେର ବିଭିନ୍ନ କାବ୍ୟ କବିତାରେ ବହିଃପ୍ରକୃତି ସହିତ ଅନ୍ତଃପ୍ରକୃତିର ସମନ୍ଵୟ କରି ସମ୍ପୂର୍ଣ୍ଣ ନୂତନ ଭାବରେ କାବ୍ୟ ରଚନା କଲେ । ପ୍ରକୃତି ଆଉ ମୂକ ନୁହେଁ ଜଡ଼ ନୁହେଁ–ନିର୍ବେଦ ନୁହେଁ । ପ୍ରକୃତି ହେଲା ବାଙ୍‌ମୟୀ–ଭାବମୟୀ । ମଣିଷର ସୁଖ ଦୁଃଖରେ ପ୍ରକୃତି ହେଲା ସମଭାଗିନୀ । ଏହି ସତ୍ୟକୁ ଗଙ୍ଗାଧର ପ୍ରକାଶକଲେ ତାଙ୍କର କବିତାରେ । ସେ ମଧ୍ୟ ମଧୁସୂଦନ ରାଓଙ୍କ ପରି ଘୋଷଣା କଲେ–

 

‘‘ବିଶ୍ଵ ଦେଖ ମଧୁ- ମୟରେ ଜୀବନ

ବିଶ୍ଵ ଦେଖ ମଧୁମୟ

ମଧୁର ଝରଣ କରିବ ହରଣ

ତୋ ପାପ ମରଣ ଭୟରେ ଜୀବନ ।”

 

ଦାରିଦ୍ର୍ୟ ନିପୀଡ଼ିତ ଜୀବନ ଯାପନ କରି ମଧ୍ୟ ସେ ଅମୃତର ବାଣୀ ପ୍ରଚାର କରିଛନ୍ତି । ସେ ମଧ୍ୟ ମାତୃଭୂମି ମାତୃଭାଷାର ମଙ୍ଗଳ ପାଇଁ ଆହ୍ଵାନ ଦେଇ ଅଛନ୍ତି–

 

ମାତୃଭୂମି ମାତୃ- ଭାଷାର ମମତା

ଯା ହୃଦେ ଜନମି ନାହିଁ

ତାକୁ ଯେବେ ଜ୍ଞାନୀ- ଗଣରେ ଗଣିବା

ଅଜ୍ଞାନ ରହିବେ କାହିଁ ?”

 

ଏ ଯୁଗରେ ପଲ୍ଲୀକବି ନନ୍ଦକିଶୋର ବଳ ଅବହେଳିତ ପଲ୍ଲୀର ସ୍ନିଗ୍ଧ ଲାବଣ୍ୟକୁ ନେଇ ରଚନା କଲେ ଅଭିନବ କବିତା । ପଲ୍ଲୀ ପ୍ରକୃତି ଓ ପଲ୍ଲୀର ସରଳ ଜୀବନଯାତ୍ରା ତାଙ୍କ କବିତାରେ ଆତ୍ମପ୍ରକାଶ କଲା । ଏହା ପୂର୍ବରୁ ପଲ୍ଲୀ ଜୀବନ ଓ ପଲ୍ଲୀ ପ୍ରକୃତି ଅନ୍ୟ କୌଣସି କବିଙ୍କ ଲେଖନୀରେ ରୂପ ନେଇ ନଥିଲା । ସରଳ ତରଳ ସାବଲୀଳ ଭାଷା ବିନ୍ୟାସରେ ନନ୍ଦକିଶୋର ପଲ୍ଲୀ ଜୀବନର ଚିତ୍ରକୁ ତାଙ୍କର କବିତାରେ ରୂପ ଦେଲେ । ଏହି ଯୁଗରେ ଅନ୍ୟାନ୍ୟ ବହୁ କବି ମଧ୍ୟ କବିତା ରଚନା କରି ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଥିଲେ ।

 

ରାଧାନାଥ ଯୁଗ ଆଧୁନିକ ଓଡ଼ିଆ ସାହିତ୍ୟରେ ଯେଉଁ ଆଶା ଓ ଆଶ୍ଵାସନା ସୃଷ୍ଟି କରିଥିଲା, ତାହା କ୍ରମେ ଉନ୍ନତି କରିବାକୁ ଲାଗିଲା । ଏହି ଯୁଗ ପରେ ପରେ ଓଡ଼ିଶାର ଜାତୀୟତାବାଦୀ ଯୁଗର ଆରମ୍ଭ ହୁଏ । ୧୯୦୩ ମସିହାରେ ଉତ୍କଳ ସମ୍ମିଳନୀ ପ୍ରତିଷ୍ଠିତ ହୋଇ ହୃତଗୌରବ‌ ଓଡ଼ିଆ ଜାତିର ଅନ୍ତର ମଧ୍ୟରେ ସୃଷ୍ଟି କଲା ନୂତନ ଜାତୀୟ ଚେତନା । ସେହି ଚେତନାର ନବ ବାହକ ଭାବରେ ଓଡ଼ିଶାରେ ସତ୍ୟବାଦୀ ଗୋଷ୍ଠୀର ଆବିର୍ଭାବ ଘଟିଲା । ପୂର୍ଣ୍ଣାଙ୍ଗ ଉତ୍କଳ ଗଠନ, ଓଡ଼ିଆ ଜାତିର ସେବା, ଇଂରେଜ ସରକାରଙ୍କ ବିରୁଦ୍ଧରେ ଆନ୍ଦୋଳନ, ଜାତୀୟ ଚେତନାର‌ ଜାଗରଣ ଇତ୍ୟାଦି କ୍ଷେତ୍ରରେ ଏମାନଙ୍କର ଭୂମିକା ସର୍ବାଦୌ ସ୍ମରଣୀୟ । ଏମାନେ ଉଗ୍ରଜାତୀୟତାବାଦୀ କବି । ରାଧାନାଥଙ୍କର‌ ସାହିତ୍ୟିକ ଆଦର୍ଶକୁ ବିରୋଧ କରିବାକୁ ଯାଇ ଏଯୁଗର‌ କବି ରାଧାନାଥଙ୍କ ଶୈଳୀ ଓ ଚେତନାକୁ ପରୋକ୍ଷରେ ଅନୁସରଣ କରିଥିଲା ଭଳି ମନେ ହୋଇଥାଏ । ସତ୍ୟବାଦୀ ଗୋଷ୍ଠୀ ଓଡ଼ିଶାରେ ଜାତୀୟ ଆନ୍ଦୋଳନର ଭଗୀରଥ‌ । ଏମାନେ ପାଶ୍ଚାତ୍ୟ ସାହିତ୍ୟ ଓ ସଂସ୍କୃତିକୁ ବିରୋଧ କରି ଭାରତୀୟ ସଂସ୍କୃତିକୁ ସାହିତ୍ୟ ମାଧ୍ୟମରେ ପ୍ରକାଶ କରୁଥିଲେ । ଏ ଯୁଗର ବରେଣ୍ୟ ଜନନାୟକ ଦେଶସେବକ କବି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ଲେଖନୀରୁ ସୃଷ୍ଟି ହେଲା ‘ଧର୍ମପଦ’, ‘କାରାକବିତା’, ‘ବନ୍ଦୀର ଆତ୍ମକଥା’, ‘ଗୋ-ମାହାତ୍ମ୍ୟ’, ‘ନଚିକେତା ଉପାଖ୍ୟାନ’, ଆଦି କାବ୍ୟ କବିତାମାନ । ଉତ୍କଳୀୟ ଜାତୀୟ ଜୀବନର ଯଥାର୍ଥ ପରିଚୟ ନେଇ ଏସବୁ କାବ୍ୟାବଳି ଭାସ୍ୱର । ନୀଳକଣ୍ଠ ଦାସଙ୍କର ‘କୋଣାର୍କେ’, ‘ପ୍ରଣୟିନୀ’, ‘ଖାରବେଳ’, ‘ଦାସନାୟକ’, ଓ ଗୋଦାବରୀଶ ମିଶ୍ରଙ୍କର ‘କଳିକା’, ‘କିଶଳୟ’, ‘ଆଲେଖିକା’, ‘ଚୟନିକା’, ‘ଗୀତାୟନ’, ‘ଚୟନ ଆଦି କବିତା ଗ୍ରନ୍ଥଗୁଡ଼ିକ ଆଧୁନିକ ସାହିତ୍ୟରେ ଗୋଟିଏ ଗୋଟିଏ ଅମଳିନ ସୃଷ୍ଟି ।

 

ସତ୍ୟବାଦୀ ଯୁଗପରେ ୧୯୨୧ ମସିହାରେ କେତେଜଣ ତରୁଣ ମିଳି ସବୁଜ ବାର୍ତ୍ତା ପ୍ରଚାର କଲେ । ‘ନନ୍‌ ସେନ୍‌ସ କ୍ଲବ’ ଗଠନ କରି ତା’ର ଆନୁକୂଲ୍ୟରେ ସେମାନେ ପ୍ରକାଶ କଲେ ‘ଅବକାଶ’ ନାମକ ହାତଲେଖା ପତ୍ରିକା । ପ୍ରଥମେ ଚାରି ଜଣଙ୍କ ନାମାନୁସାରେ ଏହି ପତ୍ରିକାକୁ ନାମ କରଣ କରାଯାଇ ଥିଲା । ସେମାନେ ହେଲେ ଅନ୍ନଦାଶଙ୍କର‌ ରାୟ, ବୈକୁଣ୍ଠନାଥ ପଟ୍ଟନାୟକ, କାଳନ୍ଦୀଚରଣ‌ ପାଣିଗ୍ରାହୀ ଓ ଶରତଚନ୍ଦ୍ର ମୁଖାର୍ଜୀ । ଏମାନଙ୍କ ସହିତ ହରିହର ମହାପାତ୍ର ମଧ୍ୟ ଯୋଗଦେଲେ । ଏହି ଗୋଷ୍ଠୀର ମୁଖପତ୍ର ‘ଯୁଗବୀଣା’ ୧୯୩୧ରେ ପ୍ରକାଶିତ ହେଲା । ଏ ଗୋଷ୍ଠୀର କବିମାନେ ତରୁଣ । ତେଣୁ ଏମାନେ ତାରୁଣ୍ୟର‌ ଉପାସକ । ଯୌବନର ଭାବଧାରାରେ ଏମାନେ ଉଦ୍ଦୀପ୍ତ‌ । ଯୌବନ ଦେବତାର ପଦ ପଙ୍କଜରେ ଅର୍ଘ୍ୟ ପ୍ରଦାନ କରିବାକୁ ଏମାନେ ଉତ୍‌କଣ୍ଠିତ । ତେଣୁ ଏଯୁଗର କବି ଅନ୍ନଦାଶଙ୍କର କହନ୍ତି–

 

‘‘ଛୋଟ ଏ ଜୀବନ ବୋଲି ଦୁଃଖ ନାହିଁ ତ

ଯୌବନ ବିହୁନେ ମୋ ସୁଖ ନାହିଁ ତ ।

ଯୌବନ ସାଥେ ଯାଉ ଜୀବନ ମୋର

ଜରା ଚୋର ସାଥେ ଆସୁ ମରଣ ଚୋର ।’’

 

ଏ ଯୁଗର କବି ଉଦାତ୍ତ‌ କଣ୍ଠରେ ଘୋଷଣା କରିଥିଲା–

 

‘‘ଜୀବନଟା ତ ସଂଗ୍ରାମ ଭାଇ

କାହିଁକି ଦୁଃଖେ ହତାଶ ହେଉ ଚାହିଁ ?

ନବୀନ ତୁହି, ତରୁଣ ତୁହି,

ଆଲୋକ ତୋର ସାଥୀ,

ଦୁର୍ଦ୍ଦିନେ ଥରେ ବିଜୟୋଲ୍ଲାସେ

ଉଠିବୁକିରେ ମାତି !

ସକଳ ଜୀର୍ଣ୍ଣ ସକଳ ଜରା କାହିଁକି ଚାହୁଁ ପଛେ

ଅର୍ଦ୍ଧମୃତ କେବେ କି କାହିଁ

ସବୁଜ ସୃଷ୍ଟି ରଚେ... ?

 

–(ବୈକୁଣ୍ଠନାଥ ପଟ୍ଟନାୟକ)–

 

ଏଥିପାଇଁ କବି ଅନ୍ନଦାଶଙ୍କର ‘ପ୍ରଳୟ ପ୍ରେରଣା’ କବିତାରେ ନୂତନ ସୃଷ୍ଟିର ସର୍ଜନା ପାଇଁ ଆଶାନ୍ୱିତ‌ ଆହ୍ୱାନ ଦେଇ ଲେଖିଛନ୍ତି–

 

‘‘ଏଇ ଭସ୍ମ ଅବଶେଷ

ଉପରେ ମୁଁ ରଚିବି ନନ୍ଦନ–

ମର୍ତ୍ତ୍ୟରେ ଅମରାବତୀ,

ଜଡ଼ ଦେହେ ଜୀବନ-ସ୍ପନ୍ଦନ ।

ଜଗତର ନର ନାରୀ

ଶୁଣ ମୋର ଅଗ୍ନି ଗର୍ଭ ଧ୍ୱନୀ

‘ମୁକ୍ତହୁଅ’, ‘ମୁକ୍ତହୁଅ

ଗର୍ଜେ ଆଜି ପ୍ରଳୟ ଅଶନି ।’’

 

ଅନ୍ନଦାଶଙ୍କର‌ ‘ପ୍ରଳୟ ପ୍ରେରଣା’ କବିତାରେ ଧ୍ୱଂସର‌ ବାଣୀ ପ୍ରଚାର କରିଥିଲେହେଁ ‘ସୃଜନ-ସ୍ୱପ୍ନ’ କବିତାରେ ଏହି ଭାବର ବିରୋଧ କରିଛନ୍ତି । ଯୌବନର ସୃଜନ-ବେଣୁରେ ସେ ଗୀତ ମୁଖର । ପ୍ରଳୟକୁ ସେ ମିଥ୍ୟା ବୋଲି ଅଭିହିତ କରିଅଛନ୍ତି । ଏ ଯୁଗର ପ୍ରତ୍ୟେକ କବି ଯୌବନର ଉପାସନା କରିଛନ୍ତି । ଅନ୍ନଦାଶଙ୍କର ତାଙ୍କର ପ୍ରେୟସୀକୁ ସମ୍ବୋଧନ କରି କହିଛନ୍ତି–

 

“ଚାଲ ସେ ଲୋକେ ଯିବା ଗୋ ପ୍ରିୟେ

ଏ ମର ମରୁ ସହିବ କିଏ

ମରିଚିମୟ ଭବ ଏ

ନିରମି ନୀଡ଼ ସେ ଅମରାରେ

ନିତ୍ୟ ନବ ପ୍ରେମା ଭିସାରେ

ଯାପିବା ଦିନ ଉଭୟେ

ନୟନ ପରେ ନୟନ ରଖି

ମରମ ସାଥେ ମରମ ଯୋଖି

ସ୍ଵପନ ସୁଖେ ଥିବା ଗୋ ।

ପ୍ରେମ ପୁରୁଣା ନ ହୁଏ ଯହିଁ

ଚାଲ ସେ ପୁରେ ଯିବା ଗୋ ସହି

ଚାଲ ସେ ପୁରେ ଯିବା ଗୋ”

 

ଏହି ହେଉଛି ସବୁଜ ଯୁଗର ଆଭିମୁଖ୍ୟ । ଏମାନେ ଚାହିଁଛନ୍ତି ସ୍ଵପ୍ନର ଅମରାବତୀକୁ ଯାଇ ଯୌବନକୁ ଉପଭୋଗ କରିବାପାଇଁ । ଏମାନେ ସ୍ଵପ୍ନ ବିଳାସୀ–ପଦ୍ମଭୁକ୍‍ । ବାସ୍ତବତାକୁ ଏମାନେ ଏଡ଼ାଇ ଦେଇଛନ୍ତି । ବଙ୍ଗଳାର ‘କଲ୍ଲୋଳ ଯୁଗ’ ଦ୍ଵାରା ଏମାନେ ପ୍ରଭାବିତ । ଏମାନଙ୍କ ଉପରେ ବଙ୍ଗଳା ଭାଷା ଓ ଛନ୍ଦର ପ୍ରଭାବ ପଡ଼ିଛି । ରୋମାଣ୍ଟିକ୍ ଦୃଷ୍ଟିକୋଣରୁ ଏମାନେ ଓଡ଼ିଆ କବିତାକୁ ନୂଆକରି ପ୍ରକାଶ କଲେ । ଏମାନଙ୍କର କବିତାଗୁଡ଼ିକୁ ଯେଡ଼େ ସମାଲୋଚନା କଲେ ମଧ୍ୟ ଏମାନଙ୍କର ଭୂମିକାକୁ ଅସ୍ଵୀକାର କରାଯାଇ ନ ପାରେ । ଏମାନଙ୍କୁ ଲକ୍ଷ୍ୟକରି ସଚ୍ଚିଦାନନ୍ଦ ରାଉତରାୟ ଲେଖିଛନ୍ତି–

 

“ଆରେ ଆରେ ପଳାୟନପନ୍ଥୀ

ପଳାଇବାକୁ ଆଜି କାହିଁ ଛିନ୍ନ କରି

ଧରଣୀର ଗ୍ରନ୍ଥି ?

କାହିଁ ଭୀରୁ ନେବୁରେ ଆଶ୍ରୟ ?

ତୋର ସେହି କୁଞ୍ଜବନ ଦେଇକିସେ

ପାରିବ ଅଭୟ ?”

 

ସବୁଜ କବିମାନଙ୍କର ପଳାୟନ ପନ୍ଥୀ ମନୋଭାବକୁ ଏହି କବିତାରେ ସମାଲୋଚନା କରାଯାଇଛି ।

 

ସବୁଜ ଯୁଗ ପରେ ନବଯୁଗର ବାର୍ତ୍ତା ନେଇ ୧୯୩୫ରେ ଭଗବତୀଚରଣ ପାଣିଗ୍ରାହୀଙ୍କ ନେତୃତ୍ୱରେ ‘ନବଯୁଗ ସାହିତ୍ୟ ସଂସଦ’ ଗଠିତ ହେଲା ଏବଂ ଏହି ସଂସଦର ମୁଖପତ୍ର ‘ଆଧୁନିକ’ ପ୍ରକାଶ ପାଇଲା ୧୯୩୬ ମସିହାରେ । ଏହି ପ୍ରଗତିବାଦୀ ଗୋଷ୍ଠୀର ସଭ୍ୟ ହେଲେ ମନମୋହନ ମିଶ୍ର, ଅନନ୍ତ ପଟ୍ଟନାୟକ ଓ ସୁନନ୍ଦ କର । ମାର୍କସିଜିମ୍ ଦ୍ଵାରା ଏମାନେ ପ୍ରଭାବିତ ହୋଇ କବିତା ରଚନା କଲେ । ପାରମ୍ପରିକ ବିଶ୍ୱାସ ଓ ଚଳଣିରେ କୁଠାରାଘାତ କରି ନୂତନ ଯୁଗର ବାର୍ତ୍ତା ଏମାନେ ପ୍ରଦାନ କଲେ । ଯୁଗ ଯୁଗର ଦଳିତ ଶୋଣିତ ଜନତାର ବାଣୀକୁ ଏମାନେ ପ୍ରମୂର୍ତ୍ତ କଲେ କବିତାମାନଙ୍କରେ । କବି ଆଉ ସ୍ଵପ୍ନ ବିଳାସୀ ନୁହେଁ । ସେ ବାସ୍ତବତାର ଉପାସକ । ସେ ଦଳିତ ଜନତାର ରୂପକାର । ଭାଗ୍ୟ ଭଗବାନର ସେ ସମର୍ଥକ ନୁହେଁ । ତେଣୁ ଅନନ୍ତ ପଟ୍ଟନାୟକ ଲେଖନୀରୁ ସୃଷ୍ଟି ହେଲା–

 

“ନବୀନ ଯୁଗର ତରୁଣ ଜାଗରେ

ଜାଗ ବନ୍ଧନ ହରା

ବକ୍ଷ ଶୋଣିତ ଲକ୍ଷ ଜୀବନେ

ଖେଳାଇ ଆଲୋକ ଧାରା ।

ଛିନ୍ନ କରରେ ବନ୍ଧନ ରାଜି

କ୍ରନ୍ଦନ ହେଉ ଶେଷ

ଲୁପ୍ତ ହେଉରେ ଜାତି ଉପଜାତି

ଖଣ୍ଡିତ ଶତ ଦେଶ

X X X

ଚିର ଅତୀତର ଜୀର୍ଣ୍ଣ-ଜୀବନ

ଜାଗ ଆହେ ଭବିଷ୍ୟତ

ଚୂର୍ଣ୍ଣ କରୁରେ ସ୍ୟନ୍ଦନ ତବ

ପୀଡ଼ନର ପରବତ ।

ଭାଙ୍ଗି ପଡ଼ୁଅଛି ଅର୍ଗଳ ରାଜ

ଘେନ ବିଜୟର ମାଳା ।

ଘେନି ବନ୍ଧନ-ହରା”

 

ବିପ୍ଳବୀ କବି ଅନନ୍ତ ପଟ୍ଟନାୟକଙ୍କ ଲେଖନୀରୁ ସୃଷ୍ଟି ହେଲା ନବଯୁଗର ବାଣୀ । ସେଇ ବାଣୀରେ ପ୍ରମୂର୍ତ୍ତ ହୋଇ ଉଠିଲା ଭବିଷ୍ୟତର ଧ୍ଵନି । ଭାଗ୍ୟ ଭଗବାନ ଓ ଅଦୃଷ୍ଟ ଉପରେ ନିର୍ଭର କରି ମଣିଷ ଆଉ ଦୁଃଖ ସହିବାକୁ ପ୍ରସ୍ତୁତ ନୁହେଁ । ତେଣୁ ସେ କହେ–

 

“ଝରରେ ରୁଧିର ଅଧୀରେ ଝର

ଅଶ୍ରୁ-ସାଗରେ ଅଗ୍ନି ବାଣୀ ତୁ’ ଅନ୍ତରେ ମୋର ଜଳରେ ଜଳ ।”

 

ନବଯୁଗ ସାହିତ୍ୟ ସଂସଦ ପ୍ରଗତିବାଦର ଯେଉଁ ଝଙ୍କାର ସୃଷ୍ଟି କଲା ସେହି ଆଦର୍ଶରେ ଅନୁପ୍ରାଣିତ ହେଲେ କାଳିନ୍ଦୀଚରଣ ପାଣିଗ୍ରାହୀ । ତେଣୁ ସେ “ଆଗାମୀ” କବିତାରେ ଲେଖିଲେ–

 

“କବିତା ଗଢ଼େ ଏକ ବିରାଟ ସମାଜର

ସବୁରିପାଇଁ ଯହିଁ ବଖରେ ହେଲେ ଘର ।

ସକଳେ ଲଭିବାକୁ ମୁଠିଏ ଦୁଧ ଭାତ

ଯୋଗ୍ୟ ଯେତେ ଯହିଁ ବାଳକ ବାଳିକା ତ ।

ଦୁଇଟା ଲୁଗା ଜାମା ସବୁରି ପାଇଁ ମିଳେ

ପଢ଼ିବା ପାଇଁ ବାଧା କାହାରି ନାହିଁ ତିଳେ

ବେକାର ରହିବାକୁ ନାହିଁଟି ଅଧିକାର

ସବୁରି ପାଇଁ କାମ ଯୋଗାଏ ସରକାର ।

କହିବା ପାଇଁ କଥା ସବୁରି ଦାବି ଅଛି

ମୁଁ ସେହି ସମାଜର କବିତା ବସେ ରଚି ।”

 

କାଳିନ୍ଦୀଚରଣ ସବୁଜ ଯୁଗର ସ୍ଵପ୍ନ ସମ୍ଭାରକୁ ପରିତ୍ୟାଗ କରି ଏକ ସାମ୍ୟବାଦୀ ସମାଜର ପରିକଳ୍ପନା କରିଛନ୍ତି ଏହି କବିତାରେ । ଏ ଯୁଗର କବିତା ଅବହେଳିତ, ନିପୀଡ଼ିତ ଦଳିତ ଜନତାକୁ ନେଇ ରଚିତ । ସେହିମାନଙ୍କର ହୃଦୟର ଦୁଃଖ ଓ ଯନ୍ତ୍ରଣାକୁ ନେଇ ଆଜିର କବିତା ଗତିମୁଖର । କବିତା ବଞ୍ଚିବା ପାଇଁ ପ୍ରେରଣା ଦେଇ ନ ପାରିଲେ ସେହି କବିତାର ମୂଲ୍ୟ କିଛି ନାହିଁ-। ଆଜିର କଳା, କଳାପାଇଁ ସୃଷ୍ଟି ନୁହେଁ (Art is not for art’s sake) ଆଜିର କଳା ଜୀବନ ପାଇଁ ସୃଷ୍ଟି (Art for life’s sake) । ଏହି ଭାବକୁ ଆଜି ଯେଉଁ କବିତା ପ୍ରଦାନ କରି ପାରୁଛି ସେହି କବିତାହିଁ ଆମ ପାଖରେ ଅଧିକ ବରଣୀୟ । ଆଜିର କବିତା ଆଉ ସ୍ଵପ୍ନ ଯୌବନ, ପ୍ରେମ ଓ ଫଗୁଣକୁ ନେଇ ରଚିତ ହେଉନାହିଁ । ଯନ୍ତ୍ରଣା କ୍ଷତ ଜୀବନର ସାମସଙ୍ଗୀତ ଗାନ କରୁଛି ଆଜିର କବିତା । ଆଜିର କବିତା ବିଳାସ କକ୍ଷର କବିତା ନୁହେଁ ପୁଞ୍ଜିବାଦର ସ୍ତୁତିଗାନ ନୁହେଁ । ଏ କବିତା ଘୋଷଣା କରୁଛି ଜୀବନର ତୁର୍ଯ୍ୟନାଦ । ଆଜିର କବିତା ପ୍ରତ୍ୟେକ ଅସହାୟ ମଣିଷ ଜୀବନର କବିତା । ତେଣୁ Walt Whitman ଲେଖିଛନ୍ତି ।

 

“Comrade this is no book

Who touches this, touches a man.”

 

ସମଗ୍ର ମଣିଷ ଜାତିକୁ ସେ ଭାଇ ଭଉଣୀ ଭାବରେ ସମ୍ବୋଧନ କଲେ । ସବୁ ମଣିଷ ଜାତି ପ୍ରତି ତାଙ୍କର ଝରି ଆସିଲା କରୁଣାର ଅବାରିତ ସ୍ରୋତ । କବି ସଚ୍ଚିଦାନନ୍ଦ ରାଉତରାୟ ଏହି ମର୍ମରେ ଲେଖିଥିଲେ–

 

“ପୋଷାଦାର ଗାୟକ ମୁଁ ନୁହେଁ

ତୁମେ ମୋର ଛପା ବହି ଯେତେବେଳେ ଛୁଅଁ

ଛୁଅଁ ନୂଆ ମଣିଷର ଛାତି ।

ଏଇ ପୃଥିବୀର ସବୁ ମଣିଷ ଜାତି

ତାର ପ୍ରତିଟି ଖବର

ରୂପ ପାଏ କବିତାରେ ମୋର ।”

 

ଆଧୁନିକ କବିତା କୌଣସି ନିର୍ଦ୍ଦିଷ୍ଟ ସୀମା ମଧ୍ୟରେ ଆବଦ୍ଧ ନୁହେଁ । ଏହା ଆନ୍ତର୍ଜାତିକ ଭାବଧାରାରେ ଉଦ୍‍ବୁଦ୍ଧ । ବିଶ୍ଵ ମାନବର ହୃଦୟ ଓ ମନକୁ ନେଇ ଆଜିର କବିତା ଗତିଶୀଳ । ଆଜିର ମଣିଷର ଭଣ୍ଡତା, ଛଳନା ଓ ହିପୋକ୍ରେସିକୁ ଆଧୁନିକ କବିତାରେ ପ୍ରକାଶ କରାଯାଇଛି । ଆନ୍ତର୍ଜାତିକ ଚିନ୍ତାଧାରାରୁ ଆଜିର ଓଡ଼ିଆ କବିତା ସ୍ଵତନ୍ତ୍ର ନୁହେଁ । ସ୍ୱାଧୀନତାପରେ ସମଗ୍ର ଭାରତବର୍ଷରେ ଯେଉଁ ନୂତନ ପରିବର୍ତ୍ତନ ଦେଖା ଦେଇଛି ସେହି ପରିବର୍ତ୍ତନକୁ ଆଜିର କବି ରୂପ ଦେଉଛି ତାର କବିତାରେ । ମଣିଷର ମନୋରାଜ୍ୟରେ ଦେଖା ଦେଇଥିବା ସଙ୍କଟ, ରାଜନୀତିରେ ଦେଖା ଦେଇଥିବା ଦୁର୍ନୀତି, ପ୍ରଶାସନିକ କ୍ଷେତ୍ରରେ ସୃଷ୍ଟି ହୋଇଥିବା ବିଶୃଙ୍ଖଳା ଓ ସାମାଜିକ କ୍ଷେତ୍ରରେ ଦେଖା ଦେଇଥିବା ନୂତନ ବୈଷମ୍ୟ ଆଜିର କବିକୁ ପ୍ରେରଣା ଦେଉଛି ନୂତନ ଜୀବନଧର୍ମୀ କବିତା ଲେଖିବାକୁ । କବିତାର ଆତ୍ମିକରେ ପରିବର୍ତ୍ତନ ହେବା ସଙ୍ଗେ ସଙ୍ଗେ ଆଙ୍ଗିକରେ ମଧ୍ୟ ପରିବର୍ତ୍ତନ ସଂଗଠିତ ହୋଇଛି । ପ୍ରତୀକବାଦ, ରୂପକଳ୍ପ ଓ ମିଥ୍‍ର ବ୍ୟବହାର କରାଯାଇ ଆଜିର କବିତାରେ ଭାବ ପ୍ରକାଶ କରାଯାଉଛି । ଆଧୁନିକ ଓଡ଼ିଆ କବିତାରେ ଏକକ ଭାବରେ ପ୍ରତିଷ୍ଠା କରିଛନ୍ତି ଡକ୍ଟର ମାୟାଧର ମାନସିଂହ, ରାଧାମୋହନ ଗଡ଼ନାୟକ, ବିନୋଦ ନାୟକ, ଗୋଦାବରୀଶ ମହାପାତ୍ର । ଏମାନଙ୍କୁ ଛାଡ଼ିଦେଲେ ଆଜିର କବିତା କ୍ଷେତ୍ରରେ ଯେଉଁମାନେ ଗୌରବ ଅର୍ଜନ କରିଅଛନ୍ତି, ସେମାନେ ହେଲେ ଜାନକୀବଲ୍ଲଭ ମହାନ୍ତି (ଭରଦ୍ୱାଜ), ବେଣୁଧର ରାଉତ, ଗୋପାଳ ମିଶ୍ର, ମନୋଜ ଦାସ, କୃଷ୍ଣଚନ୍ଦ୍ର ତ୍ରିପାଠୀ, ଭାନୁଜୀ ରାଓ, ଦୁର୍ଗାମାଧବ ମିଶ୍ର, ଜ୍ଞାନୀନ୍ଦ୍ର ବର୍ମା, ପରେଶ ରାଉତ, ଗୁରୁପ୍ରସାଦ ମହାନ୍ତି, ରମାକାନ୍ତ ରଥ, ସୀତାକାନ୍ତ ମହାପାତ୍ର, ବ୍ରଜନାଥ ରଥ, ରବୀନ୍ଦ୍ର ନାଥ ସିଂହ, ରବୀନ୍ଦ୍ର କୁମାର ପଣ୍ଡା, ରାଜେନ୍ଦ୍ର କିଶୋର ପଣ୍ଡା, କମଳାକାନ୍ତ ଲେଙ୍କା, ପ୍ରସନ୍ନ ମିଶ୍ର, ସୌଭାଗ୍ୟକୁମାର ମିଶ୍ର, ଦୀପକ ମିଶ୍ର ପ୍ରଭୃତି । ଓଡ଼ିଆ କବିତାରେ ଏମାନେ ବିଭିନ୍ନ ଦିଗରୁ ପରୀକ୍ଷା ନିରୀକ୍ଷା କରି ସଫଳତା ଅର୍ଜନ କରିଛନ୍ତି । ଓଡ଼ିଆ କବିତା ତଥାପି ପରୀକ୍ଷା ସ୍ତରରେ । ଆଧୁନିକ ଓଡ଼ିଆ କବିତାର ଭବିଷ୍ୟତ ଯେ ଉଜ୍ଜ୍ଵଳମୟ ଏଥିରେ ସନ୍ଦେହ ନାହିଁ ।

 

ଆଧୁନିକ ଓଡ଼ିଆ କବିତାର ସ୍ୱରୂପ

 

ଆଧୁନିକ କବିତା କୌଣସି ନିର୍ଦ୍ଦିଷ୍ଟ ଉନ୍ମୋଚିତ ଶିଳ୍ପ ପ୍ରତିକୃତି ନୁହେଁ ଏହା ଆଧୁନିକ କବିମାନସର ବିସ୍ତୀର୍ଣ୍ଣ ଭାବଚିନ୍ତାର କଳାପଟାରେ ବିଭିନ୍ନ ଚିନ୍ତା, ଅନୁଚିନ୍ତାର ସଫଳ ରେଖାଚିତ୍ର । ମଣିଷର ଅନ୍ଧକାର ମନର ସ୍ୱରୂପ ଉଦ୍‌ଘାଟନ କରିବା ଏହାର ଅନ୍ୟତମ ମୁଖ୍ୟ ଉଦ୍ଦେଶ୍ୟ । ଅତୀତର କବିତା ମୁଖ୍ୟତଃ ମଣିଷର ବହିଃରଙ୍ଗ ପ୍ରକୃତିକୁ ନେଇ ସୃଷ୍ଟିଶୀଳ ହୋଇଥିବାସ୍ଥଳେ ଆଜିର କବିତା ପ୍ରକାଶ କରୁଛି ମଣିଷର ଅନ୍ତରଙ୍ଗ ପ୍ରକୃତିର ବହୁ ନିଗୂଢ଼ତମ ରହସ୍ୟମୟ ଭାବଧାରା । ଆଧୁନିକ କବିତାର ମଣିଷ କୌଣସି ନିର୍ଦ୍ଦିଷ୍ଟ ଭୌଗଳିକ ସୀମା ମଧ୍ୟରେ ଆବଦ୍ଧ ନୁହେଁ । ତା’ର ପରିଚୟ ଆଜି ଆନ୍ତର୍ଜାତିକ ସ୍ତରର । ସେ ତେଣୁ କବିତା ମଧ୍ୟରେ ଆନ୍ତର୍ଜାତିକ ଭାବଧାରା ଓ ଚିନ୍ତା-ଚେତନାକୁ ପ୍ରକାଶ କରିବା ପାଇଁ ଉତ୍କଣ୍ଠିତ । ସୁତରାଂ ଆଜିର ଆଧୁନିକ କବିତା ସମଗ୍ର ମାନବ ଜାତିର ଭାବ ବହନ କରି ବେଶ୍‍ ବ୍ୟାପ୍ତ ଓ ବିସ୍ତୃତ । କେତେବେଳେ ଆଧୁନିକ କବିତା ମଣିଷର ଜଟିଳ ଅବଚେତନା ମନର ସଂଗୁପ୍ତ କ୍ରିୟାକଳାପକୁ ଆଲୋକିତ କରିବାରେ ଆଗ୍ରହୀ ତ କେତେବେଳେ ମଣିଷର ସାମାଜିକ, ଅର୍ଥନୈତିକ ସ୍ଥିତି ସମ୍ପର୍କରେ ସଚେତନ । ସ୍ଥୂଳତଃ ଆଧୁନିକ କବିତା ମଣିଷ ଜୀବନର ସ୍ପନ୍ଦନ; ମଣିଷ ହୃଦୟର ବାର୍ତ୍ତା, ମଣିଷ ଚିନ୍ତାର ପ୍ରତିଧ୍ଵନି । ପ୍ରାଚୀନ କବିତା ଭଳି ଏହା ସମ୍ପୂର୍ଣ୍ଣ ରୋମାଣ୍ଟିକ୍ ଧର୍ମୀ ବା ଧାର୍ମିକ ଚିନ୍ତାଧାରା ଉପରେ ରଚିତ ନୁହେଁ ବା ନିର୍ଦ୍ଦିଷ୍ଟ କୌଣସି ସାମାଜିକ ଆଦର୍ଶ ଏ କବିତାକୁ ଆବଦ୍ଧ କରିପାରେନା । ଗତାନୁଗତିକ ପ୍ରକୃତିଚିତ୍ରଣ, ପ୍ରେମ, ମିଳନ, ବିରହ, ଋତୁଆବର୍ତ୍ତନ ପ୍ରଭୃତିର ଦ୍ୱନ୍ଦ୍ୱହୀନ ବର୍ଣ୍ଣନା ଏହାର ଆଭିମୁଖ୍ୟ ନୁହେଁ ବା ନାୟକ ନାୟିକାଙ୍କର ମିଳନ, ବିରହଜନିତ କାହାଣୀରେ ଏହା ଆଦୌ ଋଦ୍ଧିମନ୍ତ ନୁହେଁ । ସମୟର ପରିବର୍ତ୍ତନ ସଙ୍ଗେ ସଙ୍ଗେ ବଦଳିଯାଇଛି ଜୀବନର ଚିରାଚରିତ ଭାବଧାରା । ଆଧୁନିକ ଜୀବନ ଜଟିଳ, ଜଞ୍ଜାଳ ଓ ଜ୍ୱାଳାପୂର୍ଣ୍ଣ । ଏ ଜୀବନରେ ଭଲ ପାଇବା, ସ୍ନେହ, ପ୍ରୀତି ସବୁକିଛି ଉପହସିତ–ଏଠି ମାନବିକତା ବଡ଼ ରୁଗ୍‌ଣ ଓ ନିଃଶେଷପ୍ରାୟ । ସଙ୍କଟପୂର୍ଣ୍ଣ ଜୀବନର ଏଭଳି ସ୍ଥିତିରେ ବ୍ୟଥା, ଯନ୍ତ୍ରଣା, ଶୋଚନୀୟତା, ବିଫଳତା ଓ ଶୂନ୍ୟତାବୋଧ ଆଜିର ମଣିଷକୁ ବିକଳାଙ୍ଗ କରି ଦେଇଛି । ଆଜିର କବି ସେଥିପାଇଁ ମଣିଷର ଜୀବନକୁ କବିତାର ଆଧାର ଭାବେ ଗ୍ରହଣ କରିନେଇଛି ଏବଂ ସେ ଏ ସମସ୍ତ ଯନ୍ତ୍ରଣା ଓ ଦୁଃଖର ଅକୁହା କାହାଣୀକୁ କବିତା ମାଧ୍ୟମରେ ବ୍ୟକ୍ତ କରିବାକୁ ପ୍ରୟାସୀ ହୋଇଛି । ପ୍ରଥମ ବିଶ୍ୱଯୁଦ୍ଧ ପରବର୍ତ୍ତୀ କାଳରେ ସାରା ବିଶ୍ୱରେ ଯେଉଁ ନିଃସଙ୍ଗତାବୋଧ ଜନ୍ମ ନେଲା–ସେହି ନିଃସଂଗତା ଓ ଅସହାୟତା ଦ୍ଵିତୀୟ ବିଶ୍ଵଯୁଦ୍ଧ ପରେ ଆହୁରି ତୀବ୍ରଭାବେ ମାନବ ସମାଜକୁ ପ୍ରଭାବିତ କଲା । ମଣିଷ କ୍ରମଶଃ ତା’ର ସମାଜ, ଗୋଷ୍ଠୀ ପରିବାରରୁ ବିଚ୍ଛିନ୍ନ ହୋଇପଡ଼ିଲା ଏବଂ ସେ ଏକ ଏକକସତ୍ତା ଭାବରେ ନୂତନ ପରିଚୟ ଲାଭ କଲା । ସେ କ୍ରମଶଃ ହୋଇପଡ଼ିଲା ସ୍ଵାର୍ଥକୈନ୍ଦ୍ରିକ । ସେ ଅନ୍ୟକୁ ଅବିଶ୍ଵାସ କରିବାକୁ ଆରମ୍ଭ କଲା ଏବଂ ଏ ଅବିଶ୍ଵାସ କରିବାର ମନୋବୃତ୍ତି ଆଧୁନିକ ଯୁଗର ମଣିଷ ନିକଟରେ ଏତେ ସହଜ ହୋଇପଡ଼ିଲା ଯେ ନିଜକୁ ସମୟେ ସମୟେ ଅବିଶ୍ଵାସ କରିବାକୁ ଆରମ୍ଭ କଲା । ମଣିଷ ମଣିଷର ବନ୍ଧୁ ହେବା ପରିବର୍ତ୍ତେ ହୋଇପଡ଼ିଲା ଶତ୍ରୁ । ଏ ଆଚରଣକୁ ଇନ୍ଧନ ଯୋଗାଇଲା ବିଭିନ୍ନ ବୈଜ୍ଞାନିକ ଶକ୍ତି ଓ କ୍ଷମତା । ମଣିଷ କ୍ରମଶଃ ଅପରକୁ ଭୟ କରିବାକୁ ଆରମ୍ଭ କଲା । ସେ ମଣିଷର ହୃଦୟବତ୍ତା ଓ ମାନବିକତା ହେଲା ସୁଦୂରପରାହତ । ସମସ୍ତ କ୍ଷେତ୍ରରେ ଅସନ୍ତୋଷମଣିଷର ଆର୍ତ୍ତଚିତ୍କାର–ନିଜସ୍ଵ ନିଃସଙ୍ଗତାରେ ନିଜେ ସେ ବନ୍ଦୀ । କବି ଟି.ଏସ. ଏଲିୟଟ୍ ସମଗ୍ର ବିଶ୍ୱର ଅବସ୍ଥା ଦେଖି ଲେଖିଲେ–“ମୁଁ ମୁଠାଏ ମାଟି ଭିତରେ ମଧ୍ୟ ଭୟର ସତ୍ତା ଦେଖାଇ ଦେଇ ପାରିବି ।” ସ୍ଥୂଳତଃ ସମଗ୍ର ବିଶ୍ୱର ଶାନ୍ତି ଯେ ଲୋପ ପାଇ ଯାଇଛି ଏବଂ ତା’ର ସ୍ଥାନ ପୂରଣ କରିଛି ଅବିଶ୍ଵାସ, ଭୟାର୍ତ୍ତ ଜୀବନ, ଅହେତୁକ ଆତଙ୍କ, ମୃତ୍ୟୁକାଳୀନ ଏକ ବିଷଣ୍ଣତା ।

 

ଏ ଆଧୁନିକ କାଳ ମଣିଷକୁ ଭଗବାନଙ୍କଠାରୁ ଦୂରେଇ ନେଇଛି ଏବଂ ଏକ ନୂତନ ବୌଦ୍ଧିକତା ଓ ଆଧୁନିକତା ଏ ଦୂରତ୍ୱକୁ ବୃଦ୍ଧି କରିଛନ୍ତି । କ୍ରମଶଃ ମଣିଷ ଶାନ୍ତ ଜୀବନଠାରୁ ଜାଣିଶୁଣି ଦୂରେଇ ଯାଇ ନିକଟବର୍ତ୍ତୀ ହୋଇଛି ଯନ୍ତ୍ରଣାର, ନିଃସଙ୍ଗତାର, ଏକାକୀତ୍ୱର, ଉଦ୍ଭଟ୍ଟତାର ଓ ମୃତ୍ୟୁର । ମଣିଷ ନିଜ ଉପରୁ ଆସ୍ଥା ହରେଇ ବସିଛି । ଆତ୍ମବିଶ୍ଵାସ ଆଜି ଭାଙ୍ଗିପଡ଼ିଛି, ଭାଙ୍ଗିପଡ଼ିଛି ପାରମ୍ପରିକ ମାନବିକ ମୂଲ୍ୟବୋଧ । ନୂତନ ମୂଲ୍ୟବୋଧ ମଣିଷର ଚିନ୍ତାରାଜ୍ୟରେ ସୃଷ୍ଟି କରିଛି ଆଲୋଡ଼ନ । ବିଶେଷ କରି ବିଂଶ ଶତାବ୍ଦୀର ପ୍ରାରମ୍ଭରେ ଏ ନେତିବାଚକ ଚିନ୍ତାଧାରାର ସ୍ରୋତ ସମଗ୍ର ମାନବ ସମାଜରେ ବିସ୍ତୃତ ହୋଇପଡ଼ିଛି । ଭଗବାନଙ୍କ ଉପରୁ ମଣିଷ ତା’ର ସଂସ୍କାରଗତ ବିଶ୍ୱାସକୁ ତୁଟାଇ ଦେବାରେ ଲାଗିଲା । ଫଳରେ ତା’ ମନରେ ଦେଖାଦେଇଛି ଏକ ଅସ୍ଥିରତା, ତାହା ମୁଖ୍ୟତଃ ମାନସିକ ଅସ୍ଥିରତା ଯାହାକି ତା’ର ଭବିଷ୍ୟତ ସମ୍ପର୍କରେ ନୀରବ ରହେ, ଭବିଷ୍ୟତର ସମସ୍ତ ସମ୍ଭାବନା ପ୍ରତି ଏକ ସନ୍ଦେହ ଓ ହତାଶାର ପ୍ରଶ୍ନବାଚୀ ତୋଳେ । ଫଳରେ ମଣିଷ ପାଲଟିଛି ଅତୀତ ସମ୍ପର୍କ-ହୀନ, ଭବିଷ୍ୟତ ପ୍ରତି ଅସ୍ଥାହୀନ, ବର୍ତ୍ତମାନ ପ୍ରତି ବିଶ୍ଵାସୀ, ଏକ ଅସହାୟଛିନ୍ନ ମୂଳସତ୍ତା । ସେ କେବଳ ସମୟ ସୁଅରେ ଭାସିଚାଲିଛି, ତା’ର ଜୀବନର ଲକ୍ଷ୍ୟ ନିଜ ନିକଟରେ ଆଜି ଅସ୍ପଷ୍ଟ, ଉଦ୍ଦେଶ୍ୟ ଆଜି ବିଫଳ ।

 

ଏହି ଶତାବ୍ଦୀରେ ଯେଉଁ କେତେକ ଦାର୍ଶନିକ ଓ ମନୀଷୀ ଜନ୍ମଗ୍ରହଣ କରି ନିଜସ୍ଵ ଦର୍ଶନ ବଳରେ ସମଗ୍ର ବିଶ୍ଵକୁ ପ୍ରଭାବିତ କରିପାରିଛନ୍ତି, ସେମାନଙ୍କ ମଧ୍ୟରେ କାର୍ଲମାର୍କସ ଅନ୍ୟତମ । ତାଙ୍କର ଦ୍ୱନ୍ଦ୍ଵାତ୍ମକ ବସ୍ତୁବାଦ ମଣିଷ ଚିନ୍ତାରାଜ୍ୟରେ ଏକ ଆଲୋଡ଼ନ ସୃଷ୍ଟି କରିଥିଲା । ମାର୍କସ୍‍ ଘୋଷଣା କରିଥିଲେ, ସାହିତ୍ୟ ଓ କଳା ହେଉଛି ଶ୍ରେଣୀସଙ୍ଘର୍ଷର ଏକ ଅସ୍ତ୍ର । ଋଷରେ ଏହି ଚିନ୍ତାଧାରା ଗର୍କି, ମାୟାକୋଭସ୍କି, ମେରେଜୋକୋଭସ୍କ, ପୁଷ୍କିନ ପ୍ରଭୃତି ସାହିତ୍ୟିକ ଓ ଦାର୍ଶନିକଙ୍କୁ ପ୍ରଭାବିତ କରିଥିଲା । କେବଳ ଏହା ଋଷରେ ନୁହେଁ, ସମଗ୍ର ବିଶ୍ୱରେ ଏହାର ପ୍ରତିଧ୍ୱନି ଶୁଣିବାକୁ ମିଳିଲା । ଏହି ମାର୍କସ୍‍ଙ୍କ ଦର୍ଶନକୁ ପ୍ରସାର କରିବା ପାଇଁ ବିଶ୍ୱଯୁଦ୍ଧକାଳୀନ ନୈରାଶ୍ୟବୋଧ ବିଶେଷ ଭାବେ ସହାୟକ ହୋଇଥିଲା । ଏ ସମ୍ପର୍କରେ କୁହାଯାଇଛି–“...born of the despair of world war and civil war, of social unrest and economic chaos, the desire for a complete break with the past, for starting human history form scratch, was deep and genuine” ମାର୍କସ୍‍ଙ୍କ ମତରେ “man is the outcome of economic and social forces, the product of an evolutionary necessity as rigid as any to be found in the natural world.” ସ୍ଥୂଳତଃ ବିଂଶ ଶତାବ୍ଦୀର ସାହିତ୍ୟିକମାନଙ୍କ ଚିନ୍ତା ଓ ଚେତନାସ୍ତରରେ ମାର୍କସ୍‌ଙ୍କ ଦର୍ଶନ ଗଭୀର ରେଖାପାତ କଲା । ମାର୍କସ୍‌ଙ୍କୁ ବାଦଦେଲେ ଏହି ଶତାବ୍ଦୀର ବିଶିଷ୍ଟ ମନସ୍ତତ୍ୱବିତ୍ ସିଗ୍‌ମଣ୍ଡ ଫ୍ରୟେଡ଼ଙ୍କ ମନୋବୈଜ୍ଞାନିକ ବିଶ୍ଳେଷଣାତ୍ମକ ଚିନ୍ତାଧାରା ଏ ଯୁଗର ସାହିତ୍ୟିକଙ୍କ ଚିନ୍ତାରାଜ୍ୟରେ ଏକ ତୀବ୍ର ଆଲୋଡ଼ନ ସୃଷ୍ଟି କରିଥିଲା । ମଣିଷ କେବଳ ଯେ ଏକ ଅର୍ଥନୈତିକ ବା ସମାଜଭିତ୍ତିକ ପ୍ରାଣୀ ନୁହେଁ; ତା’ର କେତେକ ବ୍ୟକ୍ତିଗତ ଆବଶ୍ୟକତା ରହିଛି; ତା’ର ମନର ଓ ଦେହର କ୍ଷୁଧା ରହିଛି, ଯାହାର ଚରିତାର୍ଥ ସାଧନ କରିବା ଏକାନ୍ତ ଆବଶ୍ୟକ । ଫ୍ରୟେଡ଼ଙ୍କ ମତରେ-“man is a biological phenomenon, a prey to instinctual desires and their redirection in the face of ‘harash’ reality.” ମଣିଷର ଅବଚେତନ ମନର ରହସ୍ୟକୁ ଏହି ମତବାଦ ଦ୍ୱାରା ବିଚାର ବିଶ୍ଳେଷଣ କରିବାର ସୁଯୋଗ ମିଳିଲା । ନୈତିକତାର ମାନଦଣ୍ଡରେ ସବୁ କିଛି ଯେ ବିଚାର କରାଯାଇପାରେ–ଏହି ଆଦର୍ଶର ଅବସାନ ଘଟିଲା ଓ ଅବଚେତନ ମନର ବିଚାର ବିଶ୍ଳେଷଣ ମାଧ୍ୟମରେ ମଣିଷର କାର୍ଯ୍ୟକଳାପର ମୂଲ୍ୟାଙ୍କନ କରିବାର ବୈଜ୍ଞାନିକ ସମ୍ବଳିତ ସାହିତ୍ୟ ସୃଷ୍ଟି କରିବାରେ ମନଯୋଗୀ ହେଲା । ଏତଦ୍‌ବ୍ୟତୀତ କିରକେଗାର୍ଡ଼ଙ୍କର ସ୍ଥିତବାଦୀ ଦର୍ଶନ ବିଶ୍ୱର ସାହିତ୍ୟ କ୍ଷେତ୍ରରେ ନୂତନତ୍ୱର ସମ୍ଭାବନା ସୃଷ୍ଟି କରିଥିଲା । ସାର୍ଭେ, କାଫ୍‌କା କାମ୍ୟୁ ପ୍ରଭୃତି ସାହିତ୍ୟିକଙ୍କର ଶକ୍ତିଶାଳୀ ଲେଖନୀରେ ଏହି ସ୍ଥିତିବାଦୀ ଦୃଷ୍ଟିଭଙ୍ଗୀର ବହୁଳ ବିଶ୍ଳେଷଣ ବିଶ୍ୱସାହିତ୍ୟ କ୍ଷେତ୍ରରେ ସମ୍ଭବ ହୋଇ ପାରିଛି ।

 

ବିଂଶ ଶତାବ୍ଦୀର ସାହିତ୍ୟକୁ ମୁଖ୍ୟତଃ କେତେକ ଦାର୍ଶନିକ ଚିନ୍ତାଧାରା ଓ ଭାବଧାରା ପ୍ରଭାବିତ କରିଛି । ଦାଦାବାଦ୍, ଅତିବାସ୍ତବବାଦ, ସ୍ଥିତିବାଦ, ମାର୍କସବାଦ, ନେତିବାଦ, ବିବର୍ତ୍ତନବାଦ, ଏବଂ ଫ୍ରୟେଡ଼ୀୟ ଚିନ୍ତାଧାରା ବିଶେଷ ଭାବେ ବିଂଶ ଶତାବ୍ଦୀର ସାହିତ୍ୟର ସ୍ୱରୂପରେ ନୂତନତ୍ୱ ଆରୋପ କରିବାରେ ସହାୟକ ହୋଇଛି । ଏହା ଏକ ସମୟରେ ସାହିତ୍ୟର ଆଙ୍ଗିକ ଓ ଆତ୍ମିକ ପରିବର୍ତ୍ତନ କରାଇବାରେ ସମର୍ଥ ହୋଇଥିଲା ।

 

କବିତାର ପଦ୍ୟଧର୍ମୀ ଆଙ୍ଗିକ ପରିବର୍ତ୍ତେ ଗଦ୍ୟଧର୍ମୀ ଆଙ୍ଗିକର ପ୍ରଚଳନ ଆରମ୍ଭ ହୋଇଥିଲା ଓ କ୍ରମଶଃ ଏହା ପ୍ରଧାନ୍ୟ ଲାଭ କରିଥିଲା । କବିତାରୁ କ୍ରମେ ପାରମ୍ପରିକ ସିମିଲି, ମେଟାଫର, ଇମେଜ, ଅଳଙ୍କାର ପ୍ରଭୃତି ବିଦାୟ ନେଇ ସେ ସବୁ ସ୍ଥାନରେ ଚିତ୍ରକଳ୍ପ, ପ୍ରତୀକ, ମିଥ୍ ପ୍ରଭୃତିର ବହୁଳ ପ୍ରଚଳନ ଆରମ୍ଭ ହେଲା । ଜୀବନ ଓ ସମାଜର ବାସ୍ତବ ଚିତ୍ର ଏହି ଆଙ୍ଗିକଗତ ଶୈଳୀରେ ପ୍ରକାଶିତ ହେବାକୁ ଆରମ୍ଭ ହେଲା । ଫଳରେ ସମଗ୍ର ବିଶ୍ୱର ବିଂଶ ଶତାବ୍ଦୀର କବିତା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଦେଖାଦେଲା । ଆଜିର ବିଶ୍ୱର କବିତାର ସ୍ୱର ବହୁଧା ବିଭକ୍ତ । ତଥାପି ଏ କବିତା ମଧ୍ୟରେ ବଞ୍ଚିବାର ଆପ୍ରାଣ ଉଦ୍ୟମ ଓ ସଂଗ୍ରାମ କରିବାର ପ୍ରବଳ ଆଗ୍ରହ ଏକ ଦିଗରେ ଦେଖାଗଲାବେଳେ ଅପରଦିଗରେ ଯନ୍ତ୍ରଣାଦଗ୍ଧ, ମାନସିକ ବିକାରଗ୍ରସ୍ତ ମାନବ ସମାଜର କରୁଣ ଚିତ୍ର ଦେଖିବାକୁ ମିଳେ ।

 

ଆଧୁନିକ ଓଡ଼ିଆ କବିତାର ଜନ୍ମ ଓ ତା’ର ପୃଷ୍ଠଭୂମି:

 

ଊନବିଂଶ ଶତାବ୍ଦୀର ଶେଷ ଭାଗରେ ଆଧୁନିକ ଓଡ଼ିଆ କବିତାର ସୃଷ୍ଟି । ପାରମ୍ପରିକ କବିତାର ରକ୍ଷଣଶୀଳ ବନ୍ଧନରୁ ମୁକ୍ତିଲାଭ କରି ଆଧୁନିକ କବିତା ଜନ୍ମଲାଭ କରିଥିଲା ଏକ ନୂତନ ସମ୍ଭାବନା ଓ ସ୍ୱାଧୀନ ଚେତନାର ସ୍ଵାକ୍ଷର ବହନ କରି । ଏକ ଦିଗରେ ଇଂରେଜ ଶାସନ ଏବଂ ପାଶ୍ଚାତ୍ୟ ସଭ୍ୟତା ଓ ସଂସ୍କୃତିର ପ୍ରଭାବ ଓ ବଙ୍ଗୀୟମାନଙ୍କ ଓଡ଼ିଆ ଭାଷା ବିଲୋପ ପାଇଁ ଚକ୍ରାନ୍ତ, ଅପର ଦିଗରେ କରାଳ ନଅଙ୍କ ଦୁର୍ଭିକ୍ଷର ତାଣ୍ଡବଲୀଳା ଫଳରେ ବିପର୍ଯ୍ୟସ୍ତ ଓଡ଼ିଶାର ଅର୍ଥନୀତିକ ସ୍ଥିତିର ସନ୍ଧିକ୍ଷଣରେ ଆଧୁନିକ ସାହିତ୍ୟର ଶୁଭଜନ୍ମ । ଇଂରେଜମାନଙ୍କର ଓଡ଼ିଶା ଅଧିକାର, ଓଡ଼ିଶାରେ ଇଂରେଜ ଶାସନ ପ୍ରତିଷ୍ଠା ଓ ଖ୍ରୀଷ୍ଟିୟାନ୍ ମିସନାରୀମାନଙ୍କର ଖ୍ରୀଷ୍ଟଧର୍ମ ପ୍ରଚାର ଏବଂ ମୁଦ୍ରାଯନ୍ତ୍ର ପ୍ରତିଷ୍ଠା, ପତ୍ରପତ୍ରିକାର ପ୍ରକାଶନ, ଇଂରେଜ ଶିକ୍ଷା ପ୍ରସାର ପାଇଁ ବିଦ୍ୟାଳୟ ଓ କଲେଜ ପ୍ରତିଷ୍ଠାକୁ ଆଧୁନିକ ଓଡ଼ିଆ ସାହିତ୍ୟ ସୃଷ୍ଟିର ଆଦ୍ୟ ପ୍ରେରଣା ଭାବେ ଗ୍ରହଣ କରାଯାଇପାରେ । ନଅଙ୍କ ଦୁର୍ଭିକ୍ଷର କରାଳଛାୟା ସମଗ୍ର ଓଡ଼ିଶାର ଅର୍ଥନୀତିକ ମାନଦଣ୍ଡକୁ ଧୂଳିସାତ୍ କରିଥିବା ସମୟରେ କାନ୍ତିଲାଲ ଭଟ୍ଟାଚାର୍ଯ୍ୟଙ୍କର ରଚିତ ପୁସ୍ତକ ‘‘ଓଡ଼ିଆ ସ୍ଵତନ୍ତ୍ର ଭାଷାନୟ”କୁ ତତ୍‍କାଳୀନ ଇଂରେଜ ସରକାରଙ୍କ ସମର୍ଥନରେ ଓଡ଼ିଶାରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଥିଲା । ଏହି ଆନ୍ଦୋଳନ ଓଡ଼ିଆ ଆଧୁନିକ ସାହିତ୍ୟର ଜନ୍ମଦାତା । ବସ୍ତୁତଃ ଊନବିଂଶ ଶତାବ୍ଦୀର ଶେଷ ତ୍ରିଦଶକରେ ଆଧୁନିକ ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାଗର ଆଦ୍ୟ ଉନ୍ମେଷ ସଂଗଠିତ ହୋଇଥିଲା-। ଏହି ସମୟରେ କବି ରାଧାନାଥ ରାୟ, ବ୍ୟାସକବି ଫକୀରମୋହନ ସେନାପତି, ଭକ୍ତକବି ମଧୁସୂଦନ ରାଓ, ନାଟ୍ୟକାର ରାମଶଙ୍କର, ଔପନ୍ୟାସିକ ଉମେଶ ଚନ୍ଦ୍ର ସରକାର, ପଲ୍ଲୀକବି ନନ୍ଦକିଶୋର ବଳ, ସମାଜ ସଂସ୍କାରକ ବିଶ୍ଵନାଥ କର ପ୍ରଭୃତି ବହୁ ପ୍ରତିଭାଶାଳୀ ବ୍ୟକ୍ତିଙ୍କର ସମାହାର ଓଡ଼ିଆ ଆଧୁନିକ ସାହିତ୍ୟର ଭିତ୍ତିପ୍ରସ୍ତର ଦିଗରେ ଯଥେଷ୍ଟ ସହାୟକ ହୋଇଥିଲା-। ଏହିସମୟରେ ‘ଉତ୍କଲ ଦୀପିକା’, ‘ସମ୍ବଲପୁର ହିତୈଷିଣୀ’, ‘ବାଲେଶ୍ଵର ସମ୍ବାଦବାହିକା’, ପ୍ରଭୃତି ସମ୍ବାଦପତ୍ର ସହ ‘ଉତ୍କଳ ଦର୍ପଣ’, ‘ଉତ୍କଲମଧୁପ’, ‘ଉତ୍କଳପୁତ୍ର’, ‘ଇନ୍ଦ୍ରଧନୁ’, ‘ବିଜୁଳି’, ‘ଉତ୍କଳ-ସାହିତ୍ୟ, ଓ ‘ମୁକୁର’ ପ୍ରଭୃତି ସାହିତ୍ୟ ପତ୍ରିକାମାନ ପ୍ରକାଶିତ ହୋଇ ଆଧୁନିକ ସାହିତ୍ୟ ବିକାଶ ଦିଗରେ ଯଥେଷ୍ଟ ସହାୟକ ହୋଇଥିଲା । ଏତଦ୍‍‍ବ୍ୟତୀଥ ସର୍ବଭାରତୀୟ ସ୍ତରରେ ୧୮୮୫ ମସିହାରେ ଜାତୀୟ କଂଗ୍ରେସ ଗଠିତ ହୋଇ ସ୍ଵାଧୀନତାର ଆଦ୍ୟସଙ୍କେତ ପ୍ରଚାର କରିଥିଲା-। ୧୮୮୬ ମସିହାରେ କୁଳବୃଦ୍ଧ ମଧୁସୂଦନ ଦାସଙ୍କର କଂଗ୍ରେସର ସଭ୍ୟ ଭାବେ ଯୋଗଦାନ, ବିହାର, ବଙ୍ଗଳା, ମଧ୍ୟପ୍ରଦେଶ ଓ ମାଡ୍ରାସ ସହିତ ମିଶିରହିଥିବା ବିଖଣ୍ଡିତ ଉତ୍କଳକୁ ସ୍ଵତନ୍ତ୍ର ପ୍ରଦେଶ କରିବା ପାଇଁ ଆନ୍ଦୋଳନର ଆରମ୍ଭ, ୧୯୦୩ ମସିହାରେ ମଧୁସୂଦନଙ୍କ ନେତୃତ୍ୱରେ ଉତ୍କଳ ସମ୍ମିଳନୀ ଗଠିତ ହୋଇ ଜାତୀୟତାର ନବ ଆବାହନ, ଆଧୁନିକ ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାଗକୁ ବୈଚିତ୍ର୍ୟପୂର୍ଣ୍ଣ ଓ ସମ୍ଭାବନାକ୍ଷମ ଭାବେ ଗଢ଼ି ତୋଳିଥିଲା । ରାଧାନାଥଙ୍କ ସାହିତ୍ୟରେ କ୍ଷୋଭ ଓ ଆଶା ପରୋକ୍ଷଭାବେ ଓ ମଧୁସୂଦନ, ସତ୍ୟବାଦୀ ଗୋଷ୍ଠୀଙ୍କ ଲେଖାରେ ପ୍ରତ୍ୟକ୍ଷଭାବେ ଜାତୀୟତାର ପ୍ରତିଷ୍ଠା ପାଇଁ ପ୍ରେରଣା ଓ ଉଦ୍‌-ବୋଧନ ପ୍ରଦାନ କରାଯାଇଥିଲା । ଉତ୍କଳ ସମ୍ମିଳନୀ ଯଥାର୍ଥରେ ଓଡ଼ିଆ ଜାତୀୟ ଜୀବନର ପ୍ରଧାନ ପ୍ରେରଣା, ଯାହାକି ପରବର୍ତ୍ତୀ ସତ୍ୟବାଦୀ, ସାହିତ୍ୟିକ-ଗୋଷ୍ଠୀଙ୍କୁ ଏକତ୍ରିତ କରି ଜାତୀୟ ଭାବାପନ୍ନ ସାହିତ୍ୟ ସୃଷ୍ଟି କରିବାରେ ପ୍ରେରଣା ଯୋଗାଇଥିଲା । ୧୯୨୧ ମସିହାରେ ମହାତ୍ମାଗାନ୍ଧୀଙ୍କର ଅସହଯୋଗ ଆନ୍ଦୋଳନ ସୃଷ୍ଟି ହେଲା-। ଏ ଦେଶକୁ ମୁକ୍ତ କରିବା ପାଇଁ ମହାତ୍ମାଗାନ୍ଧୀଙ୍କର ଏ ନେତୃତ୍ଵ ସେତେବେଳେ ଆଧୁନିକ ସାହିତ୍ୟିକମାନଙ୍କୁ ବିଶେଷ ଭାବରେ ପ୍ରଭାବିତ କରିଥିଲା । ଏହା ସହ ସମାଜ ସଂସ୍କାର ମନୋବୃତ୍ତି, ରକ୍ଷଣଶୀଳତାର ବିଲୋପ ସାଧନ, ଅସ୍ପୃଶ୍ୟତା ନିବାରଣ, ମଦ୍ୟପାନ ନିଷେଧ, ନାରୀଶିକ୍ଷାର ପ୍ରସାର, ବିଧବା ବିବାହ ପ୍ରସାର ଆଦି ନାନା ସାମାଜିକ ଆନ୍ଦୋଳନ ମଧ୍ୟ ଆଧୁନିକ ସାହିତ୍ୟିକମାନଙ୍କୁ ନୂତନ ସୃଷ୍ଟି କରିବାକୁ ଇଙ୍ଗିତ ଦେଲା । ସର୍ବୋପରି ଅସହଯୋଗ ଆନ୍ଦୋଳନ, ଲବଣ ସତ୍ୟାଗ୍ରହ, ଅଗଷ୍ଟ ସତ୍ୟାଗ୍ରହ, ଦ୍ଵିତୀୟ ବିଶ୍ୱଯୁଦ୍ଧ, ଭାରତୀୟ ସ୍ଵାଧୀନତା ଆନ୍ଦୋଳନ, ସାମ୍ପ୍ରଦାୟିକ ସଂଘର୍ଷ ଆଧୁନିକ ସାହିତ୍ୟର ଦୃଷ୍ଟିଭଙ୍ଗୀକୁ ଆହୁରି ବ୍ୟାପକ, ତୀବ୍ର ଓ ଶକ୍ତିଶାଳୀ କରିବାରେ ଯଥେଷ୍ଟ ଅବଦାନ ଯୋଗାଇଥିଲ ।

 

ଆଧୁନିକ ଓଡ଼ିଆ କବିତାର ଆଦ୍ୟ ପ୍ରବର୍ତ୍ତକ ରାଧାନାଥ ଓ ସମକାଳୀନ ଅନ୍ୟାନ୍ୟ ସ୍ରଷ୍ଟା :

 

ଓଡ଼ିଆ ରୀତିସାହିତ୍ୟର ଶତବର୍ଷବ୍ୟାପ୍ତି ଶକ୍ତିଶାଳୀ ପ୍ରବାହକୁ ଭ୍ରୂକ୍ଷେପ ନ କରି ରାଧାନାଥ ରାୟ ଯେଉଁ ଆଧୁନିକ ସାହିତ୍ୟର ପଥ ପ୍ରଦର୍ଶକ ଓ ପ୍ରବର୍ତ୍ତକ ରୂପେ ଊନବଂଶ ଶତାବ୍ଦୀର ଶେଷ ତିନିଦଶକରେ ଲେଖନୀଚାଳନା କଲେ, ତାଙ୍କ କୃତିତ୍ଵ ସମ୍ପର୍କରେ ସୂଚନା ଦେବାକୁ ଯାଇ ବିଶିଷ୍ଟ ସମାଲୋଚକ ଡଃ ନଟବର ସାମନ୍ତରାୟ ଯଥାର୍ଥରେ ଉଲ୍ଲେଖ କରିଛନ୍ତି–‘‘ଆଧୁନିକ ଶିକ୍ଷା ପ୍ରସାର ଫଳରେ ଗତ ଶତାବ୍ଦୀରେ ଏ ଦେଶର ଲୋକଙ୍କ ଜୀବନଧାରାରେ ଯେଉଁ ନୂତନ ଆଭିମୁଖ୍ୟ ଓ ପ୍ରାଣପ୍ରବାହର ଏକ କଳା ଚାରୁର୍ଯ୍ୟମୟ ସୃଷ୍ଟିଗତ ଅଭିବ୍ୟକ୍ତି ମାତ୍ର । ଆଧୁନିକ ଶିକ୍ଷାୟତନ ସେହି ସାହିତ୍ୟ ବିକାଶର ଆଦି ପ୍ରସୂତିକେନ୍ଦ୍ର । ଇଂରେଜ ଶିକ୍ଷା ଓ ସାହିତ୍ୟର ପ୍ରସାର ଦ୍ଵାରା ଏ ଦେଶର ଲୋକଙ୍କ ଚିନ୍ତା ଓ ଅଭୀପ୍ସାରେ ପରିବର୍ତ୍ତନ ଆନୟନ କରିବାର ଯେଉଁ ମଧୁର ସ୍ଵପ୍ନ ଦିନେ ଲର୍ଡ଼ ମେକଲେ ଦେଖିଥିଲେ ସେହି ସ୍ଵପ୍ନର ବାସ୍ତବ ସତ୍ୟ ପରିଣତିହେଉଛି ଆଧୁନିକ ଶିକ୍ଷାପ୍ରସୂତ ଏକ ଶିକ୍ଷିତ ମଧବିତ୍ତ ଶ୍ରେଣୀ । ନୂତନ ସୃଷ୍ଟି ଆଦର୍ଶରେ ଅନୁପ୍ରାଣିତ, ନୂତନ ଜୀବନବୋଧରେ ଉଜ୍ଜୀବିତ, ନୂତନ ଆଶା, ଆକାଙ୍‌କ୍ଷା ଓ ଜୀବନ–ଜିଜ୍ଞାସାରେ ଉନ୍ମାଦିତ ଏଇ ଶିକ୍ଷିତ ମଧବିତ୍ତ ଶ୍ରେଣୀ ଏକ ପରିବର୍ତ୍ତିତ ଚିତ୍ତବୃତ୍ତିର ଆଶ୍ରୟରେ ପାଶ୍ଚାତ୍ୟ ସାହିତ୍ୟକୁ ଆଦର୍ଶ ରୂପେ ସ୍ଵୀକାର କରି ଆଧୁନିକ ଶିକ୍ଷା, ଶିକ୍ଷିତ ଶ୍ରେଣୀ ଓ ଆଧୁନିକ ସାହିତ୍ୟ ପରସ୍ପର ଅଭିନ୍ନ–ଏଥିରୁ ଦ୍ଵିତୀୟ ଓ ତୃତୀୟ ହେଉଛନ୍ତି ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟର ପରିଣତି । ଗତ ଶତାବ୍ଦୀର ଦୀର୍ଘ ପଚାଶ ବର୍ଷ (୧୮୨୨-୭୨) ଭିତରେ ଆଧୁନିକ ଶିକ୍ଷା ଓଡ଼ିଶାରେ ଯେଉଁ ଶିକ୍ଷିତ ଶ୍ରେଣୀର ମୂଳ-ପତନ ଦେଇଥିଲା ସେଇ ଶ୍ରେଣୀର ଜଣେ ବଶିଷ୍ଠ କଳାକାର, ଜଣେ ପ୍ରଥମ ଓ ପ୍ରଧାନ ସ୍ରଷ୍ଟା ହେଉଛନ୍ତି କବିବର ରାଧାନାଥ ରାୟ । ରାଧାନାଥଙ୍କ ଜୀବନର ଆରମ୍ଭ, ବିକାଶ ଓ ପରିଣତି ଊନବିଂଶ ଶତାବ୍ଦୀର ଶେଷ ତିରିଶି ବର୍ଷର ସାହିତ୍ୟ ଇତିହାସ ସହିତ ଘନିଷ୍ଟ ଭାବେ ସମ୍ପୃକ୍ତ । ସେ ଥିଲେ ଶିକ୍ଷିତ ମଧ୍ୟବିତ୍ତ ଶ୍ରେଣୀର ଜଣେ ସାର୍ଥକ ପ୍ରତିନିଧି । ତାଙ୍କର ଚିନ୍ତାଧାରା ଓ ସୃଷ୍ଟି ଆଦର୍ଶ ଆଧୁନିକ ଓଡ଼ିଆ ସାହିତ୍ୟ-ପ୍ରବୃତ୍ତିର ଯଥାର୍ଥ ପ୍ରଖ୍ୟାପକ, ତାଙ୍କର ସୃଷ୍ଟି କୌଶଳ ଓ କଳାରୂପାୟନ ପଦ୍ଧତି ନୂତନ ସାହିତ୍ୟ-ବିକାଶର ଏକ ଅବିସ୍ମରଣୀୟ ଅବଲମ୍ବନ । ସ୍ଥୂଳତଃ ବିଦେଶୀ ସାହିତ୍ୟ ସୃଷ୍ଟି ଆଦର୍ଶର ଅନୁସରଣରେ ଗଢ଼ିଉଠୁଥିବା ଆଧୁନିକ ଓଡ଼ିଆ ସାହିତ୍ୟର ଗତି ନିୟାମକ ଥିଲେ ରଧାନାଥରାୟ । ତାଙ୍କର ଜୀବନ ଓ ସାହିତ୍ୟ ଏକକ ସୌନ୍ଦର୍ଯ୍ୟରେ ବିଭୂଷିତ ହୋଇଥିଲେ ହେଁ ଏ ଉଭୟେ ସମଗ୍ର ଶିକ୍ଷିତ ଶ୍ରେଣୀର ସୌନ୍ଦର୍ଯ୍ୟବୋଧ ଓ ସମଗ୍ର ଆଧୁନିକ ଓଡ଼ିଆ ସାହିତ୍ୟକୁ ପ୍ରାୟ ବହୁ ପରିମାଣରେ ପ୍ରଭାବିତ କରିଥିବା ଦେଖିବାକୁ ମିଳେ ।”

 

ଉପରୋକ୍ତ ମନ୍ତବ୍ୟରୁ ସ୍ପଷ୍ଟ ପ୍ରମାଣିତ ହୁଏ ଯେ ରଧାନାଥ ଆଧୁନିକ ଓଡ଼ିଆ ସାହିତ୍ୟର ଯୁଗପ୍ରବର୍ତ୍ତକ କବି । ପାରମ୍ପରିକ ରୀତିସାହିତ୍ୟର ଆଦର୍ଶ ଓ କାବ୍ୟଗତ ନିୟମକୁ ସମ୍ପୂର୍ଣ୍ଣ ପରିହାର କରି ନୂତନ ଶୈଳୀ ଓ ଭାବଧାରାରେ ସେ ଆଧୁନିକତାର ସାର୍ଥକ ବାର୍ତ୍ତାବହ ସତ, ମାତ୍ର ଅନ୍ୟ ଦିଗରୁ ବିଚାର କଲେ ସେ ରୀତିସାହିତ୍ୟ ଓ ଆଧୁନିକ ସାହିତ୍ୟର ଯୋଗସେତୁ । ରାଧାନାଥଙ୍କ ସମକାଳୀନ ସାହିତ୍ୟିକ ଭାବେ ଫକୀରମୋହନଙ୍କ ଅବଦାନ କୌଣସି ଦୃଷ୍ଟିରୁ ରଧାନାଥଙ୍କଠାରୁ ନ୍ୟୂନ ନୁହେଁ ।

 

ଗଙ୍ଗାଧର ମଧ୍ୟ ଏ ଯୁଗର ଅନ୍ୟ ଏକ ବିଶିଷ୍ଟ ପ୍ରତିଭା ଯେ କି ନିଜ ସାହିତ୍ୟକୃତି ମଧ୍ୟରେ ପ୍ରାଚୀନ ଓ ଆଧୁନିକତାର ଏକ ସଂଯୋଗ ରକ୍ଷାକାରୀ ସାହିତ୍ୟିକ ଭାବେ ସୁପ୍ରତିଷ୍ଠିତ । ଏହି କାଳର ଅନ୍ୟାନ୍ୟ ବିଶିଷ୍ଟ ସାହିତ୍ୟିକ ଭାବରେ ଭକ୍ତକବି ମଧୁସୂଦନ ରାଓ, ପଲ୍ଲୀକବି ନନ୍ଦକିଶୋର ବଳ ପ୍ରଭୃତି କାବ୍ୟ-କବିତା କୃତି ମଧ୍ୟରେ ଆଧୁନିକ ଓଡ଼ିଆ ସାହିତ୍ୟ ପ୍ରତିଷ୍ଠା ପାଇଁ ଅବିସ୍ମରଣୀୟ ଉଦ୍ୟମ କରିଥିଲେ । ରଧାନାଥ ରୀତିଯୁଗୀୟ ଶବ୍ଦ-ସଂଯୋଜନା, ଅଳଙ୍କାର ବ୍ୟବହାର, ନର-ନାରୀଙ୍କର ପ୍ରେମ, ବିରହ ମିଳନ ଇତ୍ୟାଦିକୁ ପରିତ୍ୟାଗ କରି ନୂତନ ଭାବ ଚେତନା ସାହିତ୍ୟରେ ସୃଷ୍ଟି କରିଥିଲେ । ଭାଷାରେ ସ୍ଵାଭାବିକତା ସୃଷ୍ଟି କରିବା ସଙ୍ଗେ ସଙ୍ଗେ ପ୍ରକୃତିଚିତ୍ରଣରେ ସେ ଅଭିନବତ୍ଵ ପ୍ରଦର୍ଶନ କରିଥିଲେ । ଓଡ଼ିଶାର ପ୍ରକୃତି ତା’ଙ୍କ ଲେଖନୀ ମୁନରେ ଜୀବନ୍ତ ହୋଇଉଠିଥିଲା । ଜାତୀୟତାର ଆହ୍ଵାନର ସ୍ଵର ତାଙ୍କ କାବ୍ୟରେ ଶୁଣିବାକୁ ମିଳିଲା । କବି ପ୍ରତିଭାର ଉଜ୍ଜ୍ୱଳ ଆଲେଖ୍ୟ ନେଇ କେଦାରଗୌରୀ, ନନ୍ଦିକେଶ୍ୱରୀ, ଉଷା, ପାର୍ବତୀ, ମହାଯାତ୍ରା, ଦରବାର ପ୍ରଭୃତି କାବ୍ୟ ସୃଷ୍ଟି ହେଲା । ଆଧୁନିକ ଓଡ଼ିଆ ସାହିତ୍ୟର ଆଦ୍ୟ ପ୍ରେରଣା ନେଇ ଏହି କାବ୍ୟଗୁଡ଼ିକ ଏକଦା ଚମକ ସୃଷ୍ଟି କରିଥିଲା । ରାଧାନାଥଙ୍କୁ କେତେକ ସମାଲୋଚକ ସାହିତ୍ୟକ୍ଷେତ୍ରରେ ଆଧୁନିକ ଚେତନାର ପ୍ରଥମ ପ୍ରବର୍ତ୍ତକ ଭାବେ ମାନିବାକୁ କୁଣ୍ଠିତ । ଏଭଳି ମନ୍ତବ୍ୟ ଆଦୌ ଗ୍ରହଣଯୋଗ୍ୟ ନୁହେଁ । ପ୍ରଥମେ ସେ ବଙ୍ଗଳା କବିତାର ସ୍ରଷ୍ଟା ଥିଲେ, ମାତ୍ର ଭୂଦେବ ମୁଖୋପାଧ୍ୟାୟଙ୍କ ପ୍ରେରଣାରେ ସେ ଓଡ଼ିଆରେ କବିତା ରଚନା କରି ନିଜ କବି-ପ୍ରତିଭାର ଯଥାର୍ଥ ପରିଚୟ ଦେଇଅଛନ୍ତି । ରାଧାନାଥ ମାନବୀୟ ପ୍ରେମ ଓ ମଣିଷର ଜାନ୍ତବ ଯୌନ ପ୍ରବୃତ୍ତିକୁ ବାସ୍ତବବାଦୀ ଦୃଷ୍ଟିକୋଣରୁ ରୂପାୟିତ କରିଛନ୍ତି । ଗ୍ରୀକ୍ ପୁରାଣର ବିଷୟବସ୍ତୁକୁ ଗ୍ରହଣ କରି ଓଡ଼ିଶାର ଜଳବାୟୁ ମଧ୍ୟରେ ମିଶାଇ ଦେଇ ଚମତ୍କାର କାବ୍ୟସୌଧ ନିର୍ମାଣ କରିବାରେ ସେ ନିଜ ଲେଖନୀସିଦ୍ଧିତାର ପରିଚୟ ପ୍ରଦାନ କରିଛନ୍ତି । କାବ୍ୟ ରଚନା କ୍ଷେତ୍ରରେ ସେ ଆଦର୍ଶ, କର୍ମବାଦ ଓ ଭାଗ୍ୟବାଦ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି । ‘ଚିଲିକା’ ରାଧାନାଥଙ୍କର ଏକ ଅମଳିନ କୃତି । ଓଡ଼ିଆ ସାହିତ୍ୟରେ ପ୍ରକୃତିକୁ ଜୀବନ୍ତ ଭାବେ ବର୍ଣ୍ଣନା କରି ପ୍ରଥମଥର ପାଇଁ ପ୍ରକୃତିକୁ ବ୍ୟକ୍ତିତ୍ଵ-ମୟୀ ଭାବରେ ଚିତ୍ରଣ କରିଛନ୍ତି । ଏଥିରେ ରାଧାନାଥ ଉତ୍କଳୀୟ ଜାତୀୟତାର ଅଧୋ-ପତନ ପାଇଁ କ୍ଷୋଭ ପ୍ରକାଶ କରିବା ସଙ୍ଗେ ସଙ୍ଗେ ଏକ ନୂତନ ଆଶା ପୋଷଣ କରିଛନ୍ତି–

 

‘‘ପାହିଲାଣି ଘୋର ତାମସୀ ରଜନୀ

ଫୁଟିବ ଉତ୍କଳ ଭାଷା କମଳିନୀ ।”

 

ରାଧାନାଥଙ୍କ ଅନ୍ୟତମ ବିଶିଷ୍ଟ କାବ୍ୟ ‘ଦରବାର’ ଏକ ବ୍ୟଙ୍ଗକାବ୍ୟ ଭାବରେ ବିଖ୍ୟାତ-। ଏଥିରେ ସେ ତତ୍କାଳୀନ ରାଜତନ୍ତ୍ର, ପ୍ରଶାସକ କର୍ମଚାରୀ ତଥା ଜମିଦାରମାନଙ୍କୁ ବ୍ୟଙ୍ଗ କରିବା ସଙ୍ଗେ ସଙ୍ଗେ ମୃତ୍ୟୁ ଦଣ୍ଡରେ ଦଣ୍ଡିତ ହୋଇ କିପରି ନରକ ଯନ୍ତ୍ରଣା ଭୋଗକରିବାକୁ ହୁଏ, ତାହା ବର୍ଣ୍ଣନା କରିଛନ୍ତି ।

 

ରାଧାନାଥଯୁଗରେ ଭକ୍ତକବି ମଧୁସୂଦନ ଆଧ୍ୟାତ୍ମିକ ଭାବଧାରାକୁ ନେଇ ବହୁ କବିତା ରଚନା କରିଛନ୍ତି । ତାଙ୍କ କାବ୍ୟ-କବିତା ଉପନିଷଦୀୟ ଚିନ୍ତାଧାରାର ମନୋଜ୍ଞ ମଧୁଭଣ୍ଡାର । ସେ ବ୍ରାହ୍ମଧର୍ମାବଲମ୍ବୀ, ତେଣୁ କବିତାମାନଙ୍କରେ ସେ ବ୍ରହ୍ମଚେତନାକୁ ପ୍ରକାଶ କରିଛନ୍ତି । ‘‘ଜୀବାତ୍ମାରେ ପରମାତ୍ମା ଭୂମା ଆବିର୍ଭାବ’’ ହେଉଛି ମଧୁସୂଦନଙ୍କ କାବ୍ୟଦର୍ଶନର ମର୍ମବାଣୀ । ଏହି ଯୁଗରେ ବ୍ୟାସକବି ଫକୀରମୋହନ ମଧ୍ୟ ବହୁ କାବ୍ୟ କବିତା ରଚନା କରିଥିଲେ । ପରିଣତ ବୟସରେ ସେ ଉପନ୍ୟାସ ଓ କ୍ଷୁଦ୍ରଗଳ୍ପ ରଚନା କରିଥିଲେ ହେଁ ତତ୍‌ପୂର୍ବରୁ ସେ ବହୁ କବିତାର ସ୍ରଷ୍ଟାଭାବେ ସୁପରିଚିତ ଥିଲେ । ପୂଜାଫୁଲ, ଉପହାର, ଧୂଳି, ଅବସର ବାସରେ, ଉତ୍କଳ ଭ୍ରମଣ, ବୌଦ୍ଧାବତାର କାବ୍ୟ ଆଦି କବିତା ଗୁଚ୍ଛଗୁଡ଼ିକ ତାଙ୍କ କବି ଜୀବନର ପରିଚୟ ଦେଇଥାଏ । ଫକୀରମୋହନଙ୍କ କବିତା ରଚନାର ବୈଶିଷ୍ଟ୍ୟ ତାଙ୍କ ଭାଷାର ସାରଲ୍ୟ ଓ ବାସ୍ତବବାଦୀ ଦୃଷ୍ଟିଭଙ୍ଗୀ । ସେ ମୁଖ୍ୟତଃ ଜଣେ ଗୀତିକବି । ସେ ମଧ୍ୟ ଜାତୀୟତାବାଦୀ କବିତା ରଚନାକ୍ଷେତ୍ରରେ ନିଜର କୃତିତ୍ଵ ପ୍ରଦାନ କରିଛନ୍ତି ।

 

ରାଧାନାଥଙ୍କ କନିଷ୍ଠ, ସମ୍ବଲପୁରର ବିଶିଷ୍ଟ କବି ଗଙ୍ଗାଧର ମେହେରଙ୍କ ସାହିତ୍ୟକୃତି ମଧ୍ୟରେ ବହିଃପ୍ରକୃତି ଓ ଅନ୍ତଃପ୍ରକୃତିର ସମନ୍ଵୟ ଦେଖିବାକୁ ମିଳେ । ପ୍ରାଚୀନ ଭାରତୀୟ ତଆ ଉତ୍କଳୀୟ ସାହିତ୍ୟ ଓ ଅଦର୍ଶକୁ ଉପଜୀବ୍ୟ କରି ସେ କାବ୍ୟ-କବିତା ରଚନାରେ ବ୍ରତୀ ଥିଲେ । ତାଙ୍କ ରଚିତ ତପସ୍ୱିନୀ, ପ୍ରଣୟ ବଲ୍ଲରୀ, ଇନ୍ଦୁମତି, କୀଚକ ବଧ, ଉତ୍କଳ ଲକ୍ଷ୍ମୀ, ଅର୍ଘ୍ୟଥାଳୀ ପ୍ରଭୃତି କବିତାଗ୍ରନ୍ଥ ଓଡ଼ିଆ ସାହିତ୍ୟକୁ ଋଦ୍ଧିମନ୍ତ କରିଛି । ମଧୁସୂଦନ ମେହେର ପ୍ରତିଭାର ଉଦାତ୍ତ ସ୍ଵର ଘୋଷଣା କରିଛନ୍ତି–

 

“ବିଶ୍ଵଦେଖ ମଧୁ- ମୟରେ ଜୀବନ

ବିଶ୍ଵ ଦେଖ ମଧୁମୟ

ମଧୁର ଝରଣ କରିବ ହରଣ

ତୋ ପାପ ମରଣ ଭୟରେ ଜୀବନ ।”

 

ଦାରିଦ୍ର୍ୟ-ନିପୀଡ଼ିତ ଜୀବନ ଯାପନ କରି ମଧ୍ୟ ସେ ଅମୃତର ଉପାସକ ଥିଲେ । ଧୂଳି ମଳିନ ଧରଣୀର ଧୂସରତା ତାଙ୍କୁ ପାଣ୍ଡୁର କରିପାରି ନଥିଲା । ସେ ମାତୃଭୂମି ଓ ମାତୃଭାଷାର ସେବା ପାଇଁ ଆହ୍ଵାନ ଦେଇ ଲେଖିଥିଲେ–

 

“ମାତୃଭୂମି ମାତୃ- ଭାଷାର ମମତା

ଯା’ ହୃଦେ ଜନମି ନାହିଁ

ତା’କୁ ଯଦି ଜ୍ଞାନୀ ଗଣରେ ଗଣିବା

ଅଜ୍ଞାନ ରହିବେ କାହିଁ ?”

 

ଗଙ୍ଗାଧରଙ୍କ ସାହିତ୍ୟ ଭାରତୀୟ ତଥା ଉତ୍କଳୀୟ ସଂସ୍କୃତି ଓ ଐତିହ୍ୟକୁ ରୂପାୟିତ କରିବାରେ ଯେପରି ଯତ୍ନବାନ, ଠିକ୍ ସେହିପରି ନନ୍ଦକିଶୋର ବଳଙ୍କ ପଲ୍ଲୀଜୀନବର ଚିତ୍ର ସାହିତ୍ୟ ପୃଷ୍ଠାରେ ଚିତ୍ରିତ । ଏପର୍ଯ୍ୟନ୍ତ ପଲ୍ଲୀର ଜୀବନ, ପଲ୍ଲୀର ପ୍ରକୃତି ଓ ପଲ୍ଲୀ ଜୀବନର ଆଦର୍ଶ ଓଡ଼ିଆ କବିତାର ଉପଯୁକ୍ତ ସ୍ଥାନରେ ପହଞ୍ଚିପାରି ନଥିଲା । ନନ୍ଦକିଶୋର ଏହି ଅବହେଳିତ ସମାଜ ପ୍ରତି ଦୃଷ୍ଟିପାତ କଲେ । ପଲ୍ଲୀ ଜନତାର ଭାଷା ବ୍ୟବହାର କରି କବିତାଗୁଡ଼ିକ ସରଳ ଓ ସାବଲୀଳ କରି ସୃଷ୍ଟି କରିବାରେ ସେ ଓଡ଼ିଆ ସାହିତ୍ୟରେ ଏକ ନୂତନ ଦିଗ୍‌ଦର୍ଶନ ପ୍ରଦାନ କଲେ ।

 

ଆଧୁନିକ ଓଡ଼ିଆ ସାହିତ୍ୟ ସୃଷ୍ଟି କ୍ଷେତ୍ରରେ ସତ୍ୟବାଦୀ ଗୋଷ୍ଠୀ:

 

କବିବର ରାଧାନାଥରାୟ ୧୯୦୮ ମସିହାରେ, ମଧୁସୂଦନ ୧୯୧୨ ମସିହାରେ ଓ ଫକୀରମୋହନ ୧୯୧୮ ମସିହାରେ ମୃତ୍ୟୁ ଲାଭ କରିବା ପରେ ଊନବିଂଶ ଶତାବ୍ଦୀର ଶେଷଭାଗରେ ଯେଉଁ ନୂତନ ଧରଣର ସାହିତ୍ୟ ସୃଷ୍ଟିର ଅୟମାରମ୍ଭ ଘଟିଥିଲା, ତା’ର ଏକ ନିର୍ଦ୍ଦିଷ୍ଟ ଆଶା ଓ ଆଦର୍ଶ ଗ୍ରହଣ କରି ପରବର୍ତ୍ତୀ ଯୁଗ ଜାତୀୟବାଦୀ ଯୁଗ ଭାବରେ ଦେଖା ଦେଇଥିଲା । ୧୯୦୩ ମସିହାରେ କୁଳବୃଦ୍ଧ ମଧୁସୂଦନ ଦାସଙ୍କଦ୍ଵାରା ‘ଉତ୍କଳ ସମ୍ମିଳନୀ’ ଗଠିତ ହୋଇ ହୃତଗୌରବ ଓଡ଼ିଆ ଜାତିର ନବଜାଗରଣ ଓ ପୁନଃଗଠନ ପାଇଁ ଆହ୍ଵାନ ବାସ୍ତବରେ ସମଗ୍ର ଉତ୍କଳର ଶିକ୍ଷିତ, ସାହିତ୍ୟିକ ତଥା ସମାଜ ସଚେତନ ବ୍ୟକ୍ତିମାନଙ୍କ ମନ ଓ ଚିନ୍ତାଧାରାରେ ଗଭୀର ପ୍ରଭାବ ବିସ୍ତାର କରିଥିଲା । ମଧୁସୂଦନଙ୍କ ଏ ସମ୍ମିଳନୀ ସମ୍ପର୍କରେ ଘୋଷଣା ଓ ଆହ୍ଵାନ–

 

“ଏହି ସମ୍ମିଳନୀ ଜାତି-ପ୍ରାଣ-ସିନ୍ଧୁ

କୋଟି ପ୍ରାଣ ବିନ୍ଦୁ ଧାରେ

ତୋର ପ୍ରାଣବିନ୍ଦୁ ମିଶାଇ ଦେ ଭାଇ

ଡେଇଁପଡ଼ି ସିନ୍ଧୁ ନୀରେ ।”

 

୧୯୦୩ଠାରୁ ଉତ୍କଳ ସମ୍ମିଳନୀ ମାଧ୍ୟମରେ ଉତ୍କଳ ଜନନୀର ପୂର୍ଣ୍ଣାଙ୍ଗ କଳେବର ଗଠନ ପାଇଁ ଯେଉଁ ଉଦ୍ୟମ ଓ ଆହ୍ଵାନ ଦିଆଗଲା, ସେହି ଆହ୍ଵାନକୁ ସତ୍ୟବାଦୀର ସାହିତ୍ୟ ସାଧକମାନେ ସମର୍ଥନ ଜଣାଇଥିଲେ । ପୂର୍ଣ୍ଣାଙ୍ଗ ଉତ୍କଳ ଗଠନ, ଓଡ଼ିଆ ଜାତିର ସେବା, ଇଂରେଜମାନଙ୍କ ବିରୁଦ୍ଧରେ ଆନ୍ଦୋଳନ, ଜାତୀୟ ଚେତନାର ଜାଗରଣ ପ୍ରଭୃତି କ୍ଷେତ୍ରରେ ଏମାନଙ୍କର ଭୂମିକା ସର୍ବଦା ସ୍ମରଣୀୟ । ଏମାନେ ଉଗ୍ର ଜାତୀୟବାଦୀ କବି । ସେମାନଙ୍କ ସକ୍ରିୟ ଉଦ୍ୟମରେ ଆଧୁନିକ ଓଡ଼ିଶାର ରୂପରେଖ ନିର୍ଣ୍ଣିତ ହୋଇ ଉତ୍କଳୀୟମାନଙ୍କର ସ୍ଵତନ୍ତ୍ର ସଭା ଓ ସମ୍ମାନ ପ୍ରତିଷ୍ଠିତ ହୋଇପାରିଥିଲା ।

 

୧୯୦୯ ମସିହାରେ ସତ୍ୟବାଦୀ ବନବିଦ୍ୟାଳୟ ପ୍ରତିଷ୍ଠିତ ହୋଇଥିଲା ଏବଂ ସେହି ଅନୁଷ୍ଠାନକୁ କେନ୍ଦ୍ରକରି ସତ୍ୟବାଦୀଗୋଷ୍ଠୀର ଆବିର୍ଭାବ ଘଟିଲା । ଏହି ଗୋଷ୍ଠୀର ପ୍ରତିଷ୍ଠାତା ଗୋପବନ୍ଧୁ ଦାସ, ପଣ୍ଡିତ ନୀଳକଣ୍ଠ, ଗୋଦାବରୀଶ ମିଶ୍ର, କୃପାସିନ୍ଧୁ, ଆଚାର୍ଯ୍ୟ ହରିହର ପ୍ରଭୃତି ଏହି ଗୋଷ୍ଠୀର ଜଣେ ଜଣେ ବିଶିଷ୍ଟ ସଭ୍ୟ । ଗୋପବନ୍ଧୁଙ୍କ ରଚନା ମଧ୍ୟରୁ ‘ଧର୍ମପଦ, କାରାକବିତା, ବନ୍ଦୀର ଆତ୍ମକଥା, ଗୋ-ମହାତ୍ମ୍ୟ, ନଚିକେତା ଉପାଖ୍ୟାନ, ଅବକାଶ ଚିନ୍ତା,’ ନୀଳକଣ୍ଠଙ୍କର କୋଣାର୍କେ, ପ୍ରଣୟିନୀ, ଖାରବେଳ, ଦାସନାଏକ; ଗୋଦାବରୀଶ ମିଶ୍ରଙ୍କର କଳିକା, କିଶଳୟ, ଆଲେଖିକା, ଚୟନିକା, ଗୀତାୟନ ପ୍ରଭୃତି ଗ୍ରନ୍ଥଗୁଡ଼ିକ ସତ୍ୟବାଦୀ ଗୋଷ୍ଠୀର ବିଶିଷ୍ଟ ସାହିତ୍ୟକୃତି ଭାବରେ ପ୍ରତିଷ୍ଠିତ । ଏ ସମସ୍ତ କୃତି ମଧ୍ୟରେ ଜାତୀୟ ଚେତନା, ପ୍ରାଚୀନ ଉତ୍କଳର ହୃତ ସଂସ୍କୃତି ଓ ବୈଭବ ସମ୍ପର୍କରେ ସଚେତନତା, ସ୍ଵାଧୀନତା ପ୍ରାପ୍ତି ପାଇଁ ସଂଗ୍ରାମ କରିବା ଇତ୍ୟାଦିର ଆହ୍ଵାନ ପ୍ରଭୃତି ଦେଖିବାକୁ ମିଳେ । ସ୍ଥୂଳତଃ ଓଡ଼ିଆ ସାହିତ୍ୟରେ ପ୍ରଥମଥର ପାଇଁ ପ୍ରତ୍ୟକ୍ଷଭାବେ ବ୍ୟକ୍ତିଜାଗରଣ ତଥା ସମାଜ ସଚେତନତାର ସ୍ଵର ଏହି ଗୋଷ୍ଠୀର ସାହିତ୍ୟକୃତି ମଧ୍ୟରେ ଦେଖିବାକୁ ମିଳେ । ସେମାନଙ୍କର ଆଦର୍ଶ ଥିଲା–

 

“ଜାତୀୟ ମମତା ବିଶ୍ଵ ଜନପ୍ରୀତି

ଉତ୍କଳବାସୀର ହେଉ ଏହା ନୀତି ।”

 

ଏ ଗୋଷ୍ଠୀର ସମସ୍ତ ଜାତୀୟ ପ୍ରୀତି ମଧ୍ୟରେ ସେମାନେ ଧର୍ମ, ଆଦର୍ଶକୁ ପରିତ୍ୟାଗ କରି ନାହାନ୍ତି । ଉତ୍କଳୀୟ ଧାର୍ମିକ ସଭାର ପ୍ରାଣକେନ୍ଦ୍ର ‘ଜଗନ୍ନାଥ’–ସେ କଥାକୁ ସେମାନେ ଘୋଷଣା କରିଛନ୍ତି–

 

“ଥିଲେ ଯହିଁ ତହିଁ ଭାରତ ଶୟଳେ

ମଣିବି ମୁଁ ଅଛି ନୀଳଚକ୍ର ତଳେ ।

ପ୍ରଭୁ ଜଗନ୍ନାଥ ପତିତପାବନ

ଜୀବନେ ମରଣେ ତୁମ୍ଭେ ମୋ ଶରଣ ।”

 

ଗୋପବନ୍ଧୁଙ୍କ କାବ୍ୟ କବିତାରେ ଉତ୍କଳୀୟ ଜାତୀୟ ଚେତନା ସହିତ ମହାଭାରତୀୟ ତଥା ବିଶ୍ୱବୋଧ ପ୍ରକଟିତ । ସେହିପରି ନୀଳକଣ୍ଠଙ୍କ କାବ୍ୟ କବିତାରେ ଉଗ୍ର ଜାତୀୟ ଚେତନା ପ୍ରକାଶିତ । “କୋଣାର୍କେ” କାବ୍ୟରେ ସେ ରାଧାନାଥୀ କାବ୍ୟ ଜିଜ୍ଞାସାର ବିରୋଧ କରି ସ୍ପଷ୍ଟ ଲେଖିଛନ୍ତି “କବିଙ୍କି ସୁମରି ବିରାଗେ ମୁହଁ ଫେରାଅ ପଛେ ।” ଗୋଦାବରୀଶ ତାଙ୍କର ଅଜସ୍ର ଗୀତିକବିତା ଓ ଗାଥାକବିତା ମାଧ୍ୟମରେ ପ୍ରେମ, ମାନବିକତା, ଜାତୀୟତା, ବିଶ୍ଵବୋଧ ଓ ସର୍ବୋପରି ଉତ୍କଳୀୟ ଐତିହ୍ୟବୋଧକୁ ଜୀବନ୍ତ ଭାବରେ ରୂପାୟିତ କରିଛନ୍ତି । ବାସ୍ତବରେ ଓଡ଼ିଆ ସାହିତ୍ୟରେ ଏ ଗୋଷ୍ଠୀର ପ୍ରଭାବ ସ୍ପଷ୍ଟ ଓ ଉଲ୍ଲେଖଯୋଗ୍ୟ । ଏହି ସତ୍ୟବାଦୀ ଗୋଷ୍ଠୀର ସାହିତ୍ୟିକ ଆଦର୍ଶ ପରବର୍ତ୍ତୀ ସାହିତ୍ୟିକମାନଙ୍କ ଉପରେ ପଡ଼ିଥିବାର ଦେଖିବାକୁ ମିଳେ । ରାୟବାହାଦୁର ପଦ୍ମଚରଣ ପଟ୍ଟନାୟକ, ଗୋଦାବରୀଶ ମହାପାତ୍ର, କୁନ୍ତଳା କୁମାରୀ ସାବତ, ବୀରକିଶୋର ଦାସ, ବାଞ୍ଛାନିଧି ମହାନ୍ତି ପ୍ରଭୃତି କବି ଓ ସାହିତ୍ୟିକ ଏହି ପ୍ରଭାବର ସ୍ପଷ୍ଟ ଉଦାହରଣ-। ଏପରିକି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର, ନିତ୍ୟାନନ୍ଦ ମହାପାତ୍ର, ହରେକୃଷ୍ଣ ମହତାବ, ରାଧାମୋହନ ଗଡ଼ନାୟକ, ସଚ୍ଚି ରାଉତରାୟ, ଅନନ୍ତ ପଟ୍ଟନାୟକ ମାନସିଂହଙ୍କର ଲେଖା ମଧ୍ୟରେ ଏହି ଗୋଷ୍ଠୀର ପ୍ରଭାବ ଅଳ୍ପେ ବହୁତେ ଅନୁଭୂତ ହୁଏ ।

 

ଓଡ଼ିଆ ସାହିତ୍ୟରେ ସବୁଜ ଗୋଷ୍ଠୀ

 

ବଙ୍ଗଳା ସାହିତ୍ୟରେ କଲ୍ଲୋଳ ଯୁଗ ଅନୁକରଣରେ ଓଡ଼ିଆ ସାହିତ୍ୟରେ ସବୁଜ ଗୋଷ୍ଠୀର ଶୁଭ ଆବିର୍ଭାବ ଘଟିଥିଲା । ଯେତେବେଳେ ସାରା ଭାରତବର୍ଷରେ ଜାତୀୟ ଆନ୍ଦୋଳନର ପଞ୍ଚଜନ୍ୟ ନିନାଦିତ ଏବଂ ଉତ୍କଳରେ ସେହି ଶୁଭ ଶଙ୍ଖର ଧ୍ଵନି ସତ୍ୟବାଦୀ ଗୋଷ୍ଠୀର ସାହିତ୍ୟରେ ଯେତେବେଳେ ପ୍ରତିଧ୍ଵନିତ, ସେହି ସମୟରେ ସବୁଜ ଗୋଷ୍ଠୀ ଏହି ଜାତୀୟ ଆନ୍ଦୋଳନର ନିରାପଦ ଦୂରତ୍ଵରେ ରହି ଜୀବନ, ଯୌବନ, ପ୍ରେମ ଜାତୀୟ ଓ ରହସ୍ୟବାଦକୁ ନେଇ କାବ୍ୟ-କବିତା ରଚନା କରିବାକୁ ଆରମ୍ଭ କଲେ । ବଙ୍ଗଳାରେ ୧୯୧୪ ମସିହାରେ ‘ସବୁଜପତ୍ର’ ପ୍ରକାଶିତ ହୋଇ ସାରିବା ପରେ ଏହି ପତ୍ରିକାର ଲକ୍ଷ୍ୟ ସମ୍ପର୍କରେ ପ୍ରମଥନାଥ ଚୌଧୁରୀ ଲେଖିଥିଲେ–“ସାହିତ୍ୟ ଜାତିର ଓ ଖୋରପୋଷେର୍ ବ୍ୟବସ୍ଥା କରେ ଦିତେ ପାରେନା । କିନ୍ତୁ ତାକେ ଆତ୍ମହତ୍ୟା ଥେକେ ରକ୍ଷା କରତେପାରେ ।” ପ୍ରାଣର ସ୍ଵାଭାବିକ ସ୍ଫୂର୍ତ୍ତିକୁ ବାଧା ନଦେଇ ଦେହ, ମନ ଓ ଯୌବନକୁ କାବ୍ୟ-କବିତାରେ ରୂପାୟିତ କରିବା ପାଇଁ ସେ ଆହ୍ଵାନ ଦେଇଥିଲେ । ବିଶ୍ୱକବି ରବୀନ୍ଦ୍ରନାଥ ମଧ୍ୟ ସେହି ସବୁଜ କବିମାନଙ୍କୁ “ଓରେ ସବୁଜ” ଭାବେ ସମ୍ବୋଧନ କରି ପ୍ରେରଣା ଦେଇଥିଲେ । ଓଡ଼ିଆ ସାହିତ୍ୟରେ ଅନୁରୂପ ଦର୍ଶନ ବହନ କରି, ୧୯୨୧ ମସିହାରେ କେତେକ ଯୁବକ ଛାତ୍ରମାନଙ୍କର ପ୍ରତିଷ୍ଠିତ ‘Nonsence Club’ ନାମକ ଏକ ଅନୁଷ୍ଠାନ ମାଧ୍ୟମରେ ସାହିତ୍ୟ ସାଧନା ଆରମ୍ଭ ହୋଇଥିଲା । ଏହି ଅନୁଷ୍ଠାନ ଆନୁକୁଲ୍ୟରେ ‘ଅବକାଶ’ ନାମକ ଏକ ମୁଖପତ୍ର ପ୍ରକାଶିତ ହୋଇଥିଲେ । ଚାରିଜଣ ତତ୍କାଳୀନ ରେଭେନ୍‌ସା କଲେଜ ଛାତ୍ର–ଅନ୍ନଦା ଶଙ୍କର ରୟ, ବୈକୁଣ୍ଠନାଥ ପଟ୍ଟନାୟକ, କାଳିନ୍ଦୀଚରଣ ପାଣିଗ୍ରାହୀ, ଶରତଚନ୍ଦ୍ର ମୁଖାର୍ଜିଙ୍କର ନାମର ପ୍ରଥମ ଅକ୍ଷରକୁ ନେଇ ଏହି ମୁଖତ୍ରର ନାମକରଣ କରାଯାଇଥିଲା । ଏହାପରେ ସେମାନଙ୍କସହ ଯୋଗଦେଲେ ହରିହର ମହାପାତ୍ର ଓ ଅନ୍ୟ କେତେକ ତରୁଣ ବନ୍ଧୁ । ୧୯୩୧ ମସିହାରେ ଏହି ସବୁଜ ଗୋଷ୍ଠୀ ମୁଖପତ୍ର “ଯୁଗବୀଣା’’ ପ୍ରକାଶିତ ହୋଇ ସେମାନଙ୍କର ଆଦର୍ଶ ଓ ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦିଆଗଲା । କାଳିନ୍ଦୀଚରଣ ପାଣିଗ୍ରାହୀ ଯଥାର୍ଥରେ ଲେଖିଥିଲେ–“ଓଡ଼ିଆ ସାହିତ୍ୟରେ ସବୁଜଯୁଗ ହଁ ଉଡ଼ାଇଛି ନବୀନଯୁଗର, ଆଗାମୀ ଯୁଗର ଜୈତ୍ର ପତାକା ।” ରବୀନ୍ଦ୍ର-ପ୍ରମଥ ପ୍ରଭାବିତ ଓଡ଼ିଆ ସବୁଜ ଯୁଗର କବିବୃନ୍ଦ ୧୯୨୧ ମସିହାଠାରୁ ରାଧାନାଥ କାବ୍ୟ ଶୈଳୀ ଓ ସତ୍ୟବାଦୀ ଭାବବନ୍ଧନକୁ ତ୍ୟାଗ କରି ମୁକ୍ତ ମନରେ କବିତା ରଚନା କରିବାକୁ ଆରମ୍ଭ କରିଥିଲେ । ଏମାନଙ୍କ କବିତାର ଆଙ୍ଗିକାରେ କବିତାର ନୂତନତ୍ଵ ଫୁଟିଉଠିଲା ସେହିପରି ଆତ୍ମିକରେ ମଧ୍ୟ ଦେଖାଦେଲା ନୂତନତା । ଏ ଯୁଗର କବିତାର ଭାବଧର୍ମ ଏବଂ ଶିଳ୍ପ ପ୍ରକରଣ ବଙ୍ଗଳା କବିତାରୁ ଆହୃତ ହୋଇଥିଲେ ହେ ନିଜସ୍ଵ ଦୀପ୍ତିରେ ଏହା ଭାସ୍ଵର । ସବୁଜ ଦ୍ୟୋତନା ହେଉଛି ଯୌବନ ଓ ତାରୁଣ୍ୟର ଚେତନା । ସବୁଜ କବି ଯୌବନ ଓ ସ୍ଵପ୍ନର କବି । ସେମାନେ ରୋମାଣ୍ଡିକ୍ ଭାବଧାରା ନେଇ ଯୌବନର ମୁଗ୍ଧ ବନ୍ଦନା ବରିଛନ୍ତି । ତେଣୁ ସେମାନେ ନିର୍ଦ୍ଦିଷ୍ଟ ସୀମା ସରହଦ ଡେଇଁ ଆନ୍ତର୍ଜାତିକ ବିଶ୍ଵ ମନର ପରିଚୟ ଦେଇଛନ୍ତି । ଯୌବନର ଭାବଧାରା ଓ ଭାବପ୍ରବଣତାରେ ଏମାନେ ଉଦ୍ଦୀପ୍ତ । ଯୌବନ ଦେବତାର ପଦପଙ୍କଜରେ ଅର୍ଘ୍ୟ ପ୍ରଦାନ କରିବାପାଇଁ ଏମାନେ ଉତ୍କଣ୍ଠିତ । ତେଣୁ କବି ଅନ୍ନଦା ଶଙ୍କର ଯଥାର୍ଥରେ ଲେଖିଛନ୍ତି–

 

“ଛୋଟ ଏ ଜୀବନ ବୋଲି ଦୁଃଖ ନାହିଁ ତ

ଯୌବନ ବିହୁନେ ମୋ ସୁଖ ନାହିଁ ତ ।

X X X

ଯୌବନ ସାଥେ ଯାଉ ଜୀବନ ମୋର

ଜରା ଚୋର ସାଥେ ଆସୁ ମରଣ ଚୋର ।”

 

“ପ୍ରଳୟ ପ୍ରେରଣା” କବିତାରେ ଧ୍ଵଂସର ବାଣୀ ଶୁଣାଇ କବି ଅନ୍ନଦା ଶଙ୍କର “ସୃଜନର ସ୍ଵପ୍ନ” କବିତାରେ ତା’ର ବିରୋଧ କରିଛନ୍ତି । ଧ୍ଵଂସ ଓ ପ୍ରଳୟ ତାଙ୍କ ହୃଦୟର ବାଣୀ ନୁହେଁ । ସେ ପ୍ରେମ ଓ ପ୍ରଣୟ, ଜୀବନ ଓ ଯୌବନର କବି । ତେଣୁ ସେ ତାଙ୍କର ପ୍ରେୟସୀକୁ ସମ୍ବୋଧନ କରି କହିଛନ୍ତି–

 

“ଚାଲ ସେଲୋକେ ଯିବା ଗୋ ପ୍ରିୟେ

ଏ ମନ ମରୁ ସହିବ କିଏ

ମରୀଚିମୟ ଭବ ଏ,

ନରିମି ନୀଡ଼ ସେ ଅମରାରେ

ନିତ୍ୟ ନବ ପ୍ରେମାଭିସାରେ

ଯାପିବା ଦିନ ଉଭୟେ ।

ନୟନ ପରେ ନୟନ ରଖି

ମରମ ସାଥେ ମରମ ଯୋଖି

ସ୍ଵପନ ସୁଖେ ଥିବାଗୋ

ପ୍ରେମ ପୁରୁଣା ନହୁଏ ଯହିଁ

ଚାଲ ସେ ପୁରେ ଯିବା ଗୋ ସହି

ଚାଲ ସେ ପୁରେ ଯିବା ଗୋ ।”

 

କବି ବୈକୁଣ୍ଠନାଥ ମଧ୍ୟ ଏହିପରି ଯୌବନର ବନ୍ଦନା କରିଛନ୍ତି । “ନବ ଯୌବନ” କବିତାରେ ସେ ନବ ଯୌବନର ଆଗମନ ଘୋଷଣା କରିଛନ୍ତି–

 

“ମୁଁ ଗୋ, ଆସିଛି ନବ ଯୌବନ

ନବ ଯୌବନ !

ମୁଁ ଗୋ, ମଧୁ ସହଚର ଆସିଛି ଭାସି

ଭରିଅଛି କରେ କୁସୁମର ରାଶି

ମୁଁ ଗୋ, ମଧୁତୁଲେ ହସଇ ରସଇ

ସ୍ଵପ୍ନେ ଭାସଇ

ସ୍ଵପ୍ନେ ଲସଇ

ସ୍ଵପ୍ନକୁ କରେ ଚୁମ୍ବନ

ମୁଁ ଗୋ ଯୌବନ

ନବ ଯୌବନ ।”

 

ସବୁଜ କବି ଯେ କେବଳ ଯୌବନ ଓ ସ୍ଵପ୍ନର ବନ୍ଦନା କରିଛନ୍ତି ତା’ ନୁହେଁ; ସେମାନେ କୁସଂସ୍କାର ଅନ୍ଧବିଶ୍ଵାସ ପରିପୂର୍ଣ୍ଣ ସମାଜକୁ ଏକ ନୂତନ ଗଠନାତ୍ମକ ଦିଗରେ ଆଗେଇ ନେବାକୁ ଆହ୍ଵାନ ଦେଇଛନ୍ତି । ସେଥିପାଇଁ ସଂଗ୍ରାମର ଆବଶ୍ୟକତା ରହିଛି । ବୈକୁଣ୍ଠନାଥ ସେଥିପାଇଁ ଯଥାର୍ଥରେ ଲେଖିଛନ୍ତି–

 

“ଜୀବନଟା ତ ସଂଗ୍ରାମ ଭାଇ

କାହିଁକି ଦୁଃଖେ ହତାଶ ହେଉ ଚାହିଁ ?

ନବୀନ ତୁହି,ତରୁଣ ତୁହି

ଆଲୋକ ତୋର ସାଥୀ,

ଦୁର୍ଦ୍ଦିନେ ଥରେ ବିଜୟୋଲ୍ଲାସେ

ଉଠିବୁ କିରେ ମାତି !

ସକଳ ଜୀର୍ଣ୍ଣ ସକଳ ଜରା କାହିଁକି ଚାହୁଁ ପଛେ

ଅର୍ଦ୍ଧମୃତ କେବେ କି ନାହିଁ

ସବୁଜ ସୃଷ୍ଟି ରଚେ.........?”

 

କବି ଅନ୍ନଦାଶଙ୍କର ରାୟ ମଧ୍ୟ ତାଙ୍କ ‘ପ୍ରଳୟ ପ୍ରେରଣା’ କବିତାରେ ଧ୍ୱଂସର ବାଣୀ ଶୁଣାଇଛନ୍ତି । ଏକ ନୂତନ ମୁକ୍ତ ସମାଜ ଗଠନ ପାଇଁ ସେ ଆଶାନ୍ୱିତ ବାଣୀ ପ୍ରକାଶ କରିଛନ୍ତି । ତାଙ୍କ ଭାଷାରେ–

 

“ଏଇ ଭସ୍ମ ଅବଶେଷ

ଉପରେ ମୁଁ ରଚିବି ନନ୍ଦନ–

ମର୍ତ୍ତ୍ୟରେ ଅମରାବତୀ

ଜଡ଼ିଦେହେ ଜୀବନ ସ୍ପନ୍ଦନ ।

ଜଗତର ନର-ନାରୀ

ଶୁଣ ମୋର ଅଗ୍ନିଗର୍ଭ ଧ୍ୱନି

“ମୁକ୍ତ ହୁଅ” ‘ମୁକ୍ତ ହୁଅ’

ଗର୍ଜେ ଆଜି ପ୍ରଳୟ ଅଶନି ।”

 

ସମାଜରେ ଯେତେ ପାପ, ଯେତେ ମିଥ୍ୟା, ଯେତେ ପ୍ରବଞ୍ଚନା, ଧର୍ମ ଓ ନୀତି ନାମରେ ଚାଲିଛି ଜାତି ନାମରେ ଯେତେ ଆବର୍ଜନା ସୃଷ୍ଟି ହୋଇଛି, ସେସବୁଗୁଡ଼ିକୁ ନିର୍ବିକାର ଭାବରେ ଦଳି ଧ୍ୱଂସ କରିଦେବାକୁ କବି ଆହ୍ଵାନ ଦେଇଛନ୍ତି । ଯଦିଓ ଏହି କବିତାର ମାର୍ମିକଭାବ ବିଶ୍ଵକବି ରବିନ୍ଦ୍ରନାଥଙ୍କ “ବନ୍ଦନା” କାବ୍ୟ ଅନ୍ତର୍ଗତ କବିତାଂଶର ମର୍ମଭାବରେ ପରିପୁଷ୍ଟ । ସବୁଜଯୁଗର ତରୁଣ କବିମାନେ ସମାଜ ସଂସ୍କାର ପାଇଁ ଯେପରି ଆଶାନ୍ୱିତ ଆହ୍ଵାନ ଜଣାଇଛନ୍ତି; ସେହିପରି ସେମାନେ ଯୌବନର ଉଦାତ୍ତ ସାମସଙ୍ଗୀତ ଗାନ କରିଛନ୍ତି । ଜୀବନର ସ୍ଵପ୍ନ ସମ୍ଭାରରେ ସେମାନେ ଗୀତିମୁଖର । ସମୟେ ସମୟେ ସେମାନଙ୍କର କେତେକ ରଚନା ରବିନ୍ଦ୍ରନାଥଙ୍କ ସୃଷ୍ଟି ଭଳି ରହସ୍ୟବାଦୀ ହୋଇପଡ଼ିଛି । ବିଶେଷତଃ ବୈକୁଣ୍ଠନାଥ ପଟ୍ଟନାୟକ ବହୁ ପରିମାଣରେ ରହସ୍ୟବାଦୀ କବିତା ରଚନା କରିଛନ୍ତି । ଏମାନେ ଚାହିଁଛନ୍ତି ସ୍ଵପ୍ନର ଅମରାବତୀକୁ ଯାଇ ଯୌବନକୁ ଉପଭୋଗ କରିବାପାଇଁ । ବାସ୍ତବତା ପ୍ରତି ଏମାନେ ବିଶେଷ ସଚେତନ ତଥା ଆଗ୍ରହୀ ନୁହଁନ୍ତି । ଏମାନଙ୍କ ସୃଷ୍ଟି ଉପରେ ବଙ୍ଗଳାଭାଷା ଓ ଛନ୍ଦର ପ୍ରଭାବ ବହୁ ପରିମାଣରେ ପଡ଼ିଥିବା ଲକ୍ଷ୍ୟ କରାଯାଏ । ରୋମାଣ୍ଟିକ୍‍ଧର୍ମୀ କବିତା ରଚନା କରିବାରେ ସେମାନଙ୍କର ଉଦ୍ୟମ ଉଲ୍ଲେଖଯୋଗ୍ୟ । ଏମାନଙ୍କର କବିତାକୁ ଯେତେ ସମାଲୋଚନା କଲେ ମଧ୍ୟ ଏ ଯୁଗର ସାହିତ୍ୟିକ ଭୂମିକା ତଥା ଆଧୁନିକ ଓଡ଼ିଆ ସାହିତ୍ୟର ବିକାଶ କ୍ଷେତ୍ରରେ ସବୁଜ ଯୁଗର କବିମାନଙ୍କର ଭୂମିକାକୁ ଏଡ଼ାଇ ଦିଆଯାଇ ନପାରେ । ସ୍ଥୂଳତଃ ସବୁଜ କବିଙ୍କର କାବ୍ୟିକ ଆଭିମୁଖ୍ୟକୁ ବିଭିନ୍ନ ଦୃଷ୍ଟିକୋଣରୁ ଆଲୋଚନା କରାଯାଇପାରେ । ସେମାନଙ୍କ କବିତାରେ (୧) ଯୌବନ ବନ୍ଦନା ଓ ପ୍ରଚଳିତ ମୂଲ୍ୟବୋଧ ବିରୋଧରେ ବିଦ୍ରୋହ, (୨) ରୋମାଣ୍ଟିକ୍ ସୌନ୍ଦର୍ଯ୍ୟର ସନ୍ଧାନ ଓ ସ୍ୱପ୍ନ ପ୍ରବଣତା, (୩) ମାନବବାଦର ବନ୍ଦନା, (୪) ପ୍ରକୃତି ପ୍ରାଣତା, (୫) ରହସ୍ୟବାଦ ଓ ଅତୀନ୍ଦ୍ରିୟଭାବ ଚେତନା, (୬) ରୋମାଣ୍ଟିକ୍ ବେଦନାବୋଧ, (୭) ପଳାୟନବାଦୀ ମନୋବୃତ୍ତି, (୮) ସତ୍ୟଶିବ ସୁନ୍ଦରର ଉପାସନା, (୯) ସହରର ଆହ୍ୱାନ ପ୍ରଭୃତି ବିଶେଷଭାବେ ଦେଖିବାକୁ ମିଳେ । ଏସବୁ ସତ୍ତ୍ୱେ ନିର୍ଦ୍ଦିଷ୍ଟ ଦିଗ ପ୍ରତି ଦୃଷ୍ଟିପାତ କରି ସାହିତ୍ୟର ଅଭିରୁଚିକୁ ସମାଜରେ ପ୍ରତିଷ୍ଠା କରିବାରେ ନିଷ୍ଠା ଓ ଧୈର୍ଯ୍ୟ ସେମାନଙ୍କ ପାଖରେ ଅଭାବ ଥିଲା । ସେଥିପାଇଁ ବିଭିନ୍ନ ସମୟରେ ସମାଲୋଚକମାନଙ୍କ ଦ୍ଵାରା ସେମାନେ ଶରବ୍ୟ ହୋଇଛନ୍ତି । ଡଃ ମାୟାଧର ମାନସିଂହ, ତାଙ୍କ ରଚିତ “ପରଧର୍ମ” ପ୍ରବନ୍ଧ ଓ ଡଃ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ, ତାଙ୍କ ରଚିତ “ସବୁଜଶୈଳୀ” ପ୍ରବନ୍ଧରେ ସବୁଜ କବିମାନଙ୍କୁ ତୀବ୍ର ସମାଲୋଚନା କରିଛନ୍ତି । କବି ସଚ୍ଚି ରାଉତରାୟ ମଧ୍ୟ ସବୁଜ ଗୋଷ୍ଠୀର କବିମାନଙ୍କ ପ୍ରତି ଆକ୍ଷେପ ଉକ୍ତି ପ୍ରୟୋଗ କରିବାରେ ବାଦ ପଡ଼ିନାହାନ୍ତି–

 

“ଆରେ ଆରେ ପଳାୟନ ପନ୍ଥୀ

ପଳାଇବୁ ଆଜି କାହିଁ ଛିନ୍ନ କରି

ଧରଣୀର ଗ୍ରନ୍ଥୀ ?

କାହିଁ ଭୀରୁ ନେବୁରେ ଆଶ୍ରୟ !

ତୋର ସେହି କୁଞ୍ଜବନ ଦେଇ କିରେ

ପାରିବ ଅଭୟ ?

X X X

ମୃତ୍ତିକାର ଏଡ଼େ ଦାବି

ପାରିବୁ କି ସହଜେ ଏଡ଼ାଇ ?”

 

ସବୁଜ କବିମାନଙ୍କର କାବ୍ୟିକ ଆଭିମୁଖ୍ୟକୁ ସମାଲୋଚନା କରାଗଲା ପରେ ସେମାନଙ୍କର ଦୃଷ୍ଟିଭଙ୍ଗୀ ୧୯୩୬ ମସିହା ବେଳକୁ କ୍ରମଶଃ ବଦଳିବାକୁ ଲାଗିଲା । ନବଯୁଗ ସାହିତ୍ୟ ସଂସଦ ପ୍ରତିଷ୍ଠିତ ହୋଇ ନୂତନ ସମାଜବାଦୀ କାବ୍ୟ ଜିଜ୍ଞାସା ସୃଷ୍ଟି କରିବାରୁ ସବୁଜ କବି ମଧ୍ୟ ଏହି ଆଦର୍ଶରେ ପ୍ରଭାବିତ ହେଲେ । କବି କାଳନ୍ଦୀଚରଣ ପାଣିଗ୍ରାହୀ ତେଣୁ ଗଣଆଭିମୁଖୀ କବିତା ରଚନା କରି “ଆଗାମୀ” କବିତାରେ ଲେଖିଛନ୍ତି–

 

“କବିତା ଗଢ଼େ ଏକ ବିରାଟ ସମାଜର

ସବୁରି ଅଛି ମୁହିଁ ବଖୁରେ ହେଲେ ଘର ।

ସକଳେ ଲଭିବାକୁ ମୁଠାଏ ଦୁଧଭାତ

ଯୋଗ୍ୟ ଯେତେ ଯହିଁ ବାଳକ ବାଳିକା ତ ।

ଦୁଇଟା ଜାମା ଲୁଗା ପିନ୍ଧିବା ପାଇଁ ମିଳେ

ପଢ଼ିବା ପାଇଁ ବାଧା କାହାରି ନାହିଁ ତିଳେ ।

ବେକାର ରହିବାକୁ ନାହିଁଟି ଅଧିକାର

ସବୁରି ପାଇଁ କାମ ଯୋଗାଏ ସରକାର ।

କହିବା ପାଇଁ କଥା ସବୁରି ଦାବି ଅଛି

ମୁଁ ସେହି ସମାଜର କବିତା ବସେ ରଚି ।”

 

ସବୁଜ ଗୋଷ୍ଠୀ ଓଡ଼ିଆ କବିତା କ୍ଷେତ୍ରରେ ଯେଉଁ ନୂତନ ଆଭିମୁଖ୍ୟ ପ୍ରଦାନ କରିଥିଲେ, ତାହା ପରବର୍ତ୍ତୀ କବିମାଙ୍କୁ ବିଶେଷଭାବରେ ପ୍ରଗତିଧର୍ମୀ କବିତା ରଚନା କରିବାକୁ ପ୍ରେରଣା ଦେଇଥିଲା ।

 

ଆଧୁନିକ ଓଡ଼ିଆ କବିତାରେ ନୂତନତାର ପଦଧ୍ୱନି :

 

ସବୁଜ ଯୁଗର ଅବସାନ ପରେ ପରେ ଏକ ନବଯୁଗର ବାର୍ତ୍ତା ନେଇ ଭଗବତୀ ଚରଣ ପାଣିଗ୍ରାହୀଙ୍କ ନେତୃତ୍ୱରେ ‘ନବଯୁଗ ସାହିତ୍ୟ ସଂସଦ’ ଗଠିତ ହେଲା ଏବଂ ଏହି ସଂସଦର ମୁଖପତ୍ର ‘ଆଧୁନିକ’ ପ୍ରକାଶ ପାଇଲା ୧୯୩୬ ମସିହାରେ । ଏହି ପ୍ରଗତିବାଦୀ ଗୋଷ୍ଠୀର ସଭ୍ୟ ଭାବରେ ମନମୋହନ ମିଶ୍ର, ଅନନ୍ତ ପଟ୍ଟନାୟକ, ସୁନନ୍ଦ କର ପ୍ରଭୃତି ଲେଖକମାନେ ଯୋଗଦେଇଥିଲେ । ମାର୍କସୀୟ ଚିନ୍ତାଧାରା ଏହି ପ୍ରଗତିବାଦୀ ସାହିତ୍ୟର ପ୍ରାଣସ୍ପନ୍ଦନ ଥିଲା । ପାରମ୍ପରିକ ବିଶ୍ଵାସ ଓ ଚଳଣିରେ କୁଠାରଘାତ କରି ନୂତନଯୁଗର ବାର୍ତ୍ତା ପ୍ରଚାର କରିବା ସେମାନଙ୍କର ମୂଳ ଆଦର୍ଶ ଥିଲା । ଯୁଗ ଯୁଗର ଦଳିତ ଶୋଷିତ ଜନତାର ବାଣୀକୁ ଏମାନେ ପ୍ରମୂର୍ତ୍ତ କଲେ କବିତା ମାଧ୍ୟମରେ । କବି ଆଉ ସୂପ୍ନବିଳାସୀ ହୋଇ ବାସ୍ତବ ବିମୁଖ ହେବାକୁ ଚାହିଁଲା ନାହିଁ । ସେ ଅନୁଭବକଲା ତା’ର କିଛି ସାମାଜିକ ଦାୟିତ୍ଵ ରହିଛି । ଗଣଜୀବନକୁ ଅବହେଳା ଓ ହେୟଜ୍ଞାନ କରି ସମ୍ଭ୍ରାନ୍ତ ସାହିତ୍ୟ ସୃଷ୍ଟି କରିବାକୁ ସେମାନେ ଆଉ ଭଲ ପାଇଲେ ନାହିଁ । କବିତା ଯେ କେବଳ ସ୍ୱପ୍ନର ବସ୍ତୁ ନୁହେଁ–ବିଳାସର ଉପାଦାନ ନୁହେଁ । ଏହା ସମାଜକୁ ଗଢ଼େ–ସମାଜକୁ ପରିଚାଳିତ କରେ ମଣିଷକୁ ମଧ୍ୟ ତିଆରି କରେ । ଋଷିଆରେ ଏହି ଗଣଆଭିମୁଖୀ ସାହିତ୍ୟ ପ୍ରଥମେ ସୃଷ୍ଟି ହେଲା । ସେ ଦେଶର ଅତ୍ୟାଚାରୀ ଜାର୍ ଶାସନର ରଥଚକ୍ରତଳୁ ମଣିଷଜାତିକୁ ରକ୍ଷାକରିବା ପାଇଁ ସଚେତନ ସାହିତ୍ୟିକ ଆଗେଇ ଆସିଥିଲେ । ଏକଦା ୧୮୩୫ ମସିହା ଡିସେମ୍ବର ମାସ ୧୪ ତାରିଖରେ ଋଷିଆର ଶୀତଳ ମରୁଭୂମିରେ ସେ ଦେଶର ସମସ୍ତ ଲେଖକ ଓ କଳାକାରମାନଙ୍କୁ ଧାଡ଼ିକରି ଛିଡ଼ା କରାଯାଇ ଗୁଳି କରାଯାଇଥିଲା । ସେହି ଘଟଣା କିନ୍ତୁ ଅବଦମିତ ହେଲା ନାହିଁ । ସେଥିରୁ ଜନ୍ମନେଲେ ଯୁଗବିପ୍ଳବୀ ମାକ୍‌ସିମ୍ ଗର୍କି । ବୈପ୍ଳବିକ ବାଣୀ ମାଧ୍ୟମରେ ସେ ଜନମାନସରେ ନୂତନ ଯୁଗ ଚେତନା ସୃଷ୍ଟି କଲେ । କାର୍ଲମାକ୍‌ସିଙ୍କର ଦ୍ୱନ୍ଦ୍ଵାତ୍ମକ ବସ୍ତୁବାଦକୁ ଋଷିଆ ଗ୍ରହଣ କଲା । ଗୋର୍କିଦ ତୋଭସ୍କି, ମାୟାକୋଭସ୍କି, ମେରେଜୋକୋ ଭସ୍କି, ଚେକେଭ୍ ପ୍ରଭୃତି ବହୁ କବି ଓ ଲେଖକଗଣ ଏହି ସମାଜବାଦୀ ଚିନ୍ତାଧାରାକୁ ସେମାନଙ୍କ ଲେଖାରେ ପ୍ରକାଶ କଲେ । ୧୯୪୭ ମସିହାରେ ବଲସ୍ଳେଭିକ୍ ଆନ୍ଦୋଳନ ସଫଳତା ଲାଭକଲା । ଋଷିଆରେ ପ୍ରତିଷ୍ଠିତ ହେଲା ଏକ ଶୋଷଣମୁକ୍ତ ସାମ୍ୟବାଦୀ ସମାଜ । ଏହି ଆଦେଶକୁ କେବଳ ସେ ଦେଶର ଲେଖକମାନେ ଯେ ପ୍ରକାଶ କଲେ ତାହା ନୁହେଁ; ମାତ୍ର ସମଗ୍ର ବିଶ୍ୱର ଚେତନଶୀଳ ଲେଖକମାନେ ଗ୍ରହଣ କରିବାକୁ ଲାଗିଲେ । କାର୍ଲମାର୍କସ୍‌ଙ୍କର ବାଣୀ–“Art is a classweapon”–ଏହା ସମଗ୍ର ବିଶ୍ୱରେ ପ୍ରତିଧ୍ଵନିତ ହେଲା । ଲେଲିନ୍ ଏହି ଆଦର୍ଶକୁ ମଧ୍ୟ ଗ୍ରହଣ କଲେ । କଳାହେଲା ସର୍ବସାଧାରଣଙ୍କ ଜୀବନର ମାର୍ମିକ ଅଭିବ୍ୟକ୍ତି । ଜୀବନର ନାନାବିଧ ସମସ୍ୟାର ସମାଧାନ ପାଇଁ କଳାହେଲା ପ୍ରେରଣା । ଏହା କେବଳ କବିର ଆବେଗ ପ୍ରସୂତ ଉତ୍ସରଣରୂପେ ବିବେଚିତ ହେଲା ନାହିଁ; ମାତ୍ର ଅବହେଳିତ ନିର୍ଯ୍ୟାତିତ ମଣିଷର ଆଶା ଓ ଆକାଙ୍‌କ୍ଷାର ବାଣୀରୂପେ ପ୍ରକାଶିତ ହେଲା । ମାୟାକୋଭସ୍କି ତେଣୁ ଯଥାର୍ଥରେ ଘୋଷଣା କରିଥିଲେ–“I donot believe in flowery nice. I sing once again of men as crumpled as hospital beds and women as trite as a proverb.” ଇତିହାସ ପୃଷ୍ଠାର ଏହି ଗତିଧାରା ଆଜିମଧ୍ୟ ଅପ୍ରତିହତ । ଆଜି ଆଉ ମୁଷ୍ଠିମେୟ ବୁର୍ଜୁୟାଗୋଷ୍ଠୀର ଶୋଷଣରେ ମଣିଷ ଜାତି ଶୋଷିତ ହେବାକୁ ଚାହେଁ ନାହିଁ । ଜନତାର ନ୍ୟାୟ ଦରବାରରେ ଶୋଷଣକୁ ନତମସ୍ତକ ହେବାକୁ ପଡ଼ିଛି । ସୁତରାଂ ସୋଲୋକୋଭ୍ ଯଥାର୍ଥରେ ଉଲ୍ଲେଖ କରିଛନ୍ତି–

 

“And earth can best of no power to turn

The course of history back,

The peoples shall in judgement sit,

Upon the mis-anthorpes.

No dollars then, lies nor bombs

Shall save them from the ropes.”

 

ଋଷରେ ଯେଉଁ ନୂତନ ଧରଣର ସାହିତ୍ୟ ସୃଷ୍ଟିର ଧାରା ଆରମ୍ଭ ହେଲା; ତା’ର ଆଦର୍ଶରେ ଓଡ଼ିଶାରେ ୧୯୩୬ ମସିହା ବେଳକୁ ଏକ ଅଭ୍ୟୁଦୟ ସାହିତ୍ୟଗୋଷ୍ଠୀର ଆବିର୍ଭାବ ଘଟିଲା । ଭାଗ୍ୟ, ଭଗବାନ, କର୍ମବାଦ ଓ ପରମ୍ପରାକୁ ସମ୍ପୂର୍ଣ୍ଣ ଭାବରେ ବିରୋଧ କରି ନୂତନ ଗଣଅଭିମୁଖୀ ସାହିତ୍ୟର ଜନ୍ମହେଲା । ଏହାର ପ୍ରତିଧ୍ଵନି କବି ଅନନ୍ତପଟ୍ଟନାୟକଙ୍କ କବିତାରେ ନିମ୍ନୋକ୍ତଭାବେ ଦେଖିବାକୁ ମିଳେ–

 

“ନବୀନ ଯୁଗର ତରୁଣ ଜାଗରେ

ଜାଗ ବନ୍ଧନ-ହରା

ବକ୍ଷ ଶୋଣିତେ ଲକ୍ଷ ଜୀବନେ

ଖେଳାଅ ଆଲୋକ ଧାରା ।

ଛିନ୍ନ କରରେ ବନ୍ଧନ ରାଜି

କ୍ରନ୍ଦନ ହେଉ ଶେଷ

ଲୁପ୍ତ ହେଉରେ ଜାତି ଉପଜାତି

ଖଣ୍ଡିତ ଶତ ଦେଶ ।

ମହାମାନବର ଶଙ୍ଖ ଶବଦେ ଶମୁରେ ଦୁଃଖଜ୍ଵାଳା

ଜାଗ ବନ୍ଧନ କାରା ।

X X X

ଚିର ଅତୀତର ଜୀର୍ଣ୍ଣ-ଜୀବନ

ଜାଗ ଆହେ ଭବିଷ୍ୟତ

ଚୂର୍ଣ୍ଣ କରୁରେ ସ୍ୟନ୍ଦନ ତବ

ପୀଡ଼ନର ପରବତ ।

ଭାଙ୍ଗିପଡ଼ୁ ଆଜି ଅଗଳ-ରାଜ

ଘେନ ବିଜୟର ମାଳା

ଜାଗ ବନ୍ଧନ ହରା ।”

 

ବିପ୍ଳବୀ କବି ଅନନ୍ତ ପଟ୍ଟନାୟକଙ୍କ ଲେଖନୀରୁ ସୃଷ୍ଟିହେଲା ନବଯୁଗର ବୈପ୍ଳବିକ ବାଣୀ । ସେଇ ବାଣୀରେ ପ୍ରମୂର୍ତ୍ତ ହୋଇ ଉଠିଲା ଭବିଷ୍ୟତର ଧ୍ଵନି । ଭାଗ୍ୟ, ଭଗବାନ ଓ ଅଦୃଷ୍ଟ ଉପରେ ନିର୍ଭର କରି ମଣିଷ ଆଉ ଦୁଃଖ ସହ୍ୟକରିବାକୁ ପ୍ରସ୍ତୁତ ନୁହେଁ । ଅନନ୍ତପଟ୍ଟାନୟକଙ୍କ ଭାଷାରେ....

 

“ଝରରେ ରୁଧିର ଅଧୀରେ ଝର,

ଅଶ୍ରୁସାଗରେ ଅଗ୍ନି-ବାଣୀ ତୁ ଅନ୍ତରେ ମୋର ଜଳରେ ଜଳ ।”

 

ନବଯୁଗ ସାହିତ୍ୟ ସଂସଦ ପ୍ରଗତିବାଦର ଯେଉଁ ସ୍ୱର ଉତ୍ତୋଳନ କଲା, ସେହି ଆଦର୍ଶର ସମର୍ଥନ ଜଣାଇଥିଲେ ସବୁଜ କବି କାଳନ୍ଦୀଚରଣ ପାଣିଗ୍ରାହୀ, ବୈକୁଣ୍ଠନାଥ ପଟ୍ଟନାୟକ ସେମାନଙ୍କ ପରବର୍ତ୍ତୀ କବିତା ମାଧ୍ୟମରେ । କାଳନ୍ଦୀଚରଣ ସବୁଜ ପ୍ରାଣର ବିଲୋଳ ସ୍ୱପ୍ନ ସମ୍ଭାରକୁ ତ୍ୟାଗ କରି ସାମ୍ୟବାଦୀ ସମାଜର ପରିକଳ୍ପନା କରିଛନ୍ତି । ସେମାନଙ୍କ ଦୃଷ୍ଟିରେ ଆଜିର କବିତା ହେଲା ଅବହେଳିତ ନିପୀଡ଼ିତ ଜନତାର ଦୁଃଖ ଯନ୍ତ୍ରଣାର କାହାଣୀ । ସେହିମାନଙ୍କର ସମସ୍ୟାର ଉପସ୍ଥାପନା ଓ ସମାଧାନ ନିମନ୍ତେ ପନ୍ଥା ଅନ୍ୱେଷଣ ଏବଂ ନିର୍ଦ୍ଦିଷ୍ଟମାର୍ଗ ଅବଲମ୍ବନରେ ଏହାର ସମାଧାନ ସେମାନଙ୍କ କବିତାର ସବୁକିଛି । ସେମାନଙ୍କ ମତରେ କବିତା ବଞ୍ଚିବା ପାଇଁ ପ୍ରେରଣା ନ ଦେଇପାରିଲେ ସେହି କବିତାର ମୂଲ୍ୟ କିଛି ରହେ ନାହିଁ । ଆଜିର କଳା ସୌଖୀନ୍ ସର୍ବସ୍ୱ ନୁହେଁ; ଏହାର କଳାତ୍ମକ ମୂଲ୍ୟବୋଧ ଲୋପ ପାଇଛି । ଆଜିର କବିତା ଜୀବନ ସମ୍ବନ୍ଧୀ । ଏହି ଜୀବନର ଭାଷା, ଭାବକୁ ବହନ କରିବାର କ୍ଷମତା ଯେଉଁ କବିତାରେ ଯେତେ ପରିମାଣରେ ଦେଖାଯାଉଛି, ସେ କବିତା ପାଠକମାନଙ୍କର ସେତେ ଆଦରଲାଭ କରିପାରୁଛି । ଯନ୍ତ୍ରଣାକ୍ତ ଜୀବନର ସାମ ସଙ୍ଗୀତ, ଗାନକରିଛି ଆଜିର କବିତା । ଆଜିର କବିତା ଦରକାରୀ କବିତା ବା ବିଳାସ କକ୍ଷର ଆମୋଦିତ କବିତା ନୁହେଁ । ପୁଞ୍ଜିବାଦର ସ୍ତୁତିଗାନ ପାଇଁ ଅଭିପ୍ରେତ ନୁହେଁ । ଆଜି ଏ କବିତା ପୁଞ୍ଜିପତିମାନଙ୍କ ବିରୁଦ୍ଧରେ ଏକ ଶକ୍ତିଶାଳୀ ଅସ୍ତ୍ର । ଏ କବିତା ଘୋଷଣା କରିଛି ଜୀବନର ତୂର୍ଯ୍ୟନାଦ । ଆଜିର କବିତା ପ୍ରତ୍ୟେକ ଅସହାୟ ମଣିଷର ଜୀବନକୁ ସ୍ପର୍ଶ କରି ବେଗବାନ ଓ ଶକ୍ତିମାନ ହୋଇଛି । Walt Whitmanଙ୍କ କବିତାର ପ୍ରତିଧ୍ୱନି ଓଡ଼ିଆ ପ୍ରଗତିବାଦୀ କବିତା ମଧ୍ୟରେ ଶୁଣିବାକୁ ମିଳିଅଛି–

 

“Comrade ! this is no book

Who touches this touches a man.”

 

ହୁଇଟ୍‌ମ୍ୟାନ ସମଗ୍ର ମଣିଷ ଜାତିକୁ ବନ୍ଧୁଭାବରେ ସମ୍ବୋଧନ କଲେ । ସବୁ ମଣିଷଜାତି ପ୍ରତି ଝରିଆସିଲା କରୁଣା ଓ ଆନ୍ତରିକତାର ଅବାରିତ ସ୍ରୋତ । ସଚ୍ଚି ରାଉତରାୟଙ୍କର ଏହି ମର୍ମରେ କବିତା ଏଠାରେ ଉଲ୍ଲେଖଯୋଗ୍ୟ–

 

“ମୁଁ ସଚ୍ଚି ରାଉତରାୟ

(ନୁହେଁ ଟାଗୋର ବା ଶେଲୀ)

ମୁଁ ଏଇ ମାଟିର, ଧରା

ଆଉ ଆକାଶର କବି ।

କାମ ନୁହେଁ ମୋ ଖାଲି ଆଙ୍କିବା କାଗଜର ଛବି ।

ପେଶାଦାର ଗାୟକ ମୁଁ ନୁହେଁ ।

ତୁମେ ମୋର ଛପାବହି ଯେତେବେଳେ ଛୁଅଁ

ଛୁଅଁ ନୂଆ ମଣିଷର ଛାତି,

ଏଇ ପୃଥିବୀର ସବୁ ମଣିଷ ଜାତି,

ତା’ର ପ୍ରତିଟି ଖବର,

ରୂପ ପାଏ କବିତାରେ ମୋର ।

(ରାଜଜେମା)

 

ଧର୍ମ ସେମାନଙ୍କ ଦୃଷ୍ଟିରେ ଏକ ସାମାଜିକ ଦୁର୍ବଳତା । କାର୍ଲମାର୍କସ୍ ଯେପରି ଧର୍ମକୁ ଅଫିମ ନିଶା ସହ ତୁଳନା କରିଛନ୍ତି, ସେହିଭଳି ସଚ୍ଚି ରାଉତରାୟ ଧର୍ମକୁ ବୁର୍ଜ୍ଜୁୟ ସଭ୍ୟତାର ଏକ ଶୋଷକ ଅସ୍ତ୍ର ଭାବରେ ବିବେଚନା କରିଛନ୍ତି । ସେ ଏ ପ୍ରସଙ୍ଗରେ ଲେଖିଛନ୍ତି–

 

“ଧର୍ମର ମଦ ଖୁଆଇ କରିଚଭାଇ

ମଣିଷ ଜାତିକୁ ଚିରଦିନ ମସ୍‌ଗୁଲ

ଅଫିମ ନିଶାରେ ଖୋଲି ସେ ନପାରେ ଆଖି

ତମେ ଶୋଷ ତା’ର ବୁକୁର ଜୀବନ ଫୁଲ ।”

 

ସବୁଜ ଯୁଗର କବିମାନଙ୍କର ସ୍ୱର ଧର୍ମର ସଂସ୍କାର ପାଇଁ ଉଦ୍ଦିଷ୍ଟ ଥିଲାବେଳେ ପ୍ରଗତିବାଦୀମାନଙ୍କ ମତରେ ଧର୍ମ ହେଉଛି “ସବୁ ଫିସାଦର ଚାବି ।”–ଧନିକ ହାତମୁଠାରେ ଏହି ଚାବି ରହିଛି । ସମସ୍ତ ଶୋଷଣର ମଞ୍ଜି ହେଉଛି ଧର୍ମ । ନିଃସ୍ୱର ଆର୍ତ୍ତଚିତ୍କାରକୁ ଧର୍ମ କର୍ଣ୍ଣପାତ କରେ ନାହିଁ । ଏ ଯୁଗର କବି ସେହି କଥାକୁ କବିତା ମାଧ୍ୟମରେ ପ୍ରକାଶ କରି ନୂତନ ଗଣଚେତନା ସୃଷ୍ଟି କରିବାକୁ ଚେଷ୍ଟା କରିଛନ୍ତି । ଏହି ଆଦର୍ଶରେ ଅନୁପ୍ରାଣିତ ହୋଇ କବି କାଳିନ୍ଦୀଚରଣ “ଯାଦୁଘର” କବିତା ରଚନା କରିଛନ୍ତି । ରଘୁନାଥ ଦାସ, ମନମୋହନ ମିଶ୍ର ଓ ଅନନ୍ତ ପଟ୍ଟନାୟକ ମଧ୍ୟ ବହୁ କବିତା ରଚନା କରି ଆଧୁନିକ ଓଡ଼ିଆ କବିତା କ୍ଷେତ୍ରରେ ଏକ ନୂତନ ଗଣଅଭିମୁଖୀ ଭାବଚେତନା ସୃଷ୍ଟି କରିଛନ୍ତି । ସ୍ୱାଧୀନତା ପରେ ମଧ୍ୟ ଏହି ଭାବଧାରା ବ୍ରଜନାଥ ରଥ, ରବି ସିଂହ ପ୍ରଭୃତି କବିତା ମଧ୍ୟରେ ପ୍ରତିଫଳିତ ।

 

ଓଡ଼ିଆ ଆଧୁନିକ ସାହିତ୍ୟର ଗତିଧାରାରେ ପ୍ରଗତିବାଦୀ ସାହିତ୍ୟର ବିକାଶ କାଳରେ ଆପାତତଃ ବୈପ୍ଳବିକ ଏକ ସାହିତ୍ୟିକ ଗୋଷ୍ଠୀ ସାହିତ୍ୟ ମାଧ୍ୟମରେ ସମାଜରେ ବୈପ୍ଳବିକ ପରିବର୍ତ୍ତନ ଆଣିବାପାଇଁ ଲେଖନୀ ଚାଳନା କରିଥିଲେ । ସେମାନଙ୍କ ଉଦ୍ଦେଶ୍ୟ ଠିକ୍ ବିପ୍ଳବ ନଥିଲା, ଥିଲା ଜାତୀୟ ସଚେତନତା । ସେମାନଙ୍କର ସମଗ୍ର କବିଜୀବନ ଏକ ନିର୍ଦ୍ଦିଷ୍ଟ ସାହିତ୍ୟିକ ଆଭିମୁଖ୍ୟ ନେଇ ଗତିଶୀଳ ନହୋଇ ବରଂ ଜାତୀୟ ଚେତନା ତଥା ସ୍ଵାଧୀନତା ସଂଗ୍ରାମ ପରିପ୍ରେକ୍ଷୀରେ କେତେକ ଦେଶପ୍ରେମମୂଳକ କବିତା ରଚନା କରି ଜନସମାଜକୁ ଉଦ୍‍ବୁଦ୍ଧ କରିବାରେ ସହାୟକ ହୋଇଥିଲେ । ଏ ଧରଣର କବିମାନଙ୍କୁ ପ୍ରଗତିବାଦୀ ବା ବିପ୍ଳବୀ କବି କହିଲେ ଭୁଲ୍‍ ହେବ, ତେବେ ସତ୍ୟବାଦୀ ଯୁଗର ଯେଉଁ ଉଗ୍ର ଜାତୀୟଚେତନା କବିମାନଙ୍କ କୃତି ମଧ୍ୟରେ ପ୍ରତିଫଳିତ ହୋଇଥିଲା ତା’ର ଏକ ଅବଗୟ ସତ୍ତା ଠିକ୍ ସ୍ୱାଧୀନତା ପୂର୍ବବର୍ତ୍ତୀ ଓଡ଼ିଆ କବିତା କ୍ଷେତ୍ରରେ ଦେଖିବାକୁ ମିଳେ । ସେ କବିମାନେ ମୁଖ୍ୟତଃ ଜାତୀୟତାର ବାର୍ତ୍ତାବହ ଓ ଗାନ୍ଧୀ ଦର୍ଶନର ପ୍ରଚାରକ । ନାରୀକବି କୁନ୍ତଳା କୁମାରୀ ସାବତ, ଗୋଦାବରୀଶ ମହାପାତ୍ର, ବାଞ୍ଛାନିଧି ଦାସ, ବୀରକିଶୋର ଦାସ, ମନମୋହନ ମିଶ୍ର, ରଘୁନାଥ ଦାସ, ନିତ୍ୟାନନ୍ଦ ମହାପାତ୍ର, ସଚ୍ଚି ରାଉତରାୟ, ସୁନନ୍ଦ କର, ମାୟାଧର ମାନସିଂହ, ରାଧାମୋହନ ଗଡ଼ନାୟକ ପ୍ରଭୃତି କବିଙ୍କ ଲେଖାରେ ଭାରତୀୟ ସ୍ୱାଧୀନତା ସଂଗ୍ରାମ, ଭାରତୀୟ ମୁକ୍ତି ଚେତନା ଓ ସର୍ବୋପରି ଗାନ୍ଧିଜୀଙ୍କର ଆଦର୍ଶ ରୂପାୟିତ ହୋଇଅଛି । ସ୍ୱାଧୀନତା ପର୍ଯ୍ୟନ୍ତ ବିଭିନ୍ନ କବି ସେମାନଙ୍କର ଲେଖାରେ ମୁକ୍ତି ସଂଗ୍ରାମର ଚିତ୍ର ପ୍ରକାଶ କରିଛନ୍ତି, ପରାଧୀନ ଜାତିର ଅନ୍ତରରେ ନୂତନ ଜାତୀୟ ଜାଗୃତି ଆଣିବାପାଇଁ ସେମାନେ ଉଦ୍ୟମ କରିଥିଲେ । ବାଞ୍ଛାନିଧି ଦାସଙ୍କ “ଜୟଭେରୀ” ନିତ୍ୟାନନ୍ଦ ମହାପାତ୍ରଙ୍କର “ପାଞ୍ଚଜନ୍ୟ” ଓ ‘କାଳରଡ଼ି’ ମାୟାଧର ମାନସିଂହଙ୍କର ‘ବାପୁଜୀ’ ‘ଗାନ୍ଧିଜୀ’ ବୈକୁଣ୍ଠନାଥ ପଟ୍ଟନାୟକଙ୍କର ‘ଗଣବନ୍ଧୁ ଗାନ୍ଧୀ’ ଅନନ୍ତ ପଟ୍ଟନାୟକଙ୍କର “ତର୍ପଣ କରେ ଆଜି” ପ୍ରଭୃତି କବିତାଗୁଡ଼ିକର ସ୍ଵାଧୀନତାର ଭାବ ସ୍ପନ୍ଦନ ମର୍ମରିତ ହେବା ସଙ୍ଗେ ସଙ୍ଗେ ଗାନ୍ଧିଜୀଙ୍କ ପ୍ରତି ଭାରତୀୟ ଜନତାର ଗଭୀର ମମତ୍ୱବୋଧ ପ୍ରକାଶିତ ହୋଇଛି । ଅତଏବ ସ୍ୱାଧୀନତା ପୂର୍ବରୁ ଓଡ଼ିଆ କବିତା କ୍ଷେତ୍ରରେ ଆତ୍ମିକ ଦୃଷ୍ଟିରୁ ମୁଖ୍ୟତଃ ଦୁଇଟି ଧାରା ପ୍ରକାଶିତ ହୋଇଥିଲା । ଗୋଟିଏ ହେଲା ଭାରତୀୟ ମୁକ୍ତି ସଂଗ୍ରାମ; ଅର୍ଥାତ୍ ଜାତୀୟତାବାଦୀ ଆନ୍ଦୋଳନକୁ ନେଇ । ଅନ୍ୟଟି ହେଲା ମାର୍କସୀୟ ଜୀବନ ଦର୍ଶନକୁ ନେଇ । ଏତଦ୍‍ବ୍ୟତୀତ ଏହି ସମୟର ଓଡ଼ିଆ କବିତାରେ ପ୍ରଂୟେଡ଼ୀୟ ମନୋବୈଜ୍ଞାନିକତା, ଦ୍ଵିତୀୟ ବିଶ୍ଵଯୁଦ୍ଧ କାଳୀନ ମଣିଷର ଅସହାୟତା ଓ ନିଃସଙ୍ଗତା ମଧ୍ୟ ପ୍ରକଟିତ । ୧୯୪୭ରେ କବି ସଚ୍ଚି ରାଉତରାୟ ୫ ପ୍ରକାଶିତ “ପାଣ୍ଡୁଲିପି” ଆଙ୍ଗିକ ଓ ଆତ୍ମିକ ଦୃଷ୍ଟିରୁ ଆଧୁନିକ ଓଡ଼ିଆ କବିତା କ୍ଷେତ୍ରରେ ପ୍ରଥମ ପରୀକ୍ଷାମୂଳକ ଓ ପ୍ରୟୋଗବାଦୀ କବିତା ସଂକଳନ । ଏଥିରେ ନୂତନ ନୂତନ ଚିତ୍ରକଳ୍ପ ପ୍ରତୀକ ଓ ମିଥ୍‍ର ସଫଳ ପ୍ରୟୋଗ ସହିତ ଆଧୁନିକ ଜୀବନ ଯନ୍ତ୍ରଣାର ସ୍ୱର ମର୍ମରିତ । ବାକ୍‌ଛନ୍ଦ ସହିତ କାବ୍ୟିକ ଛନ୍ଦର ମିଳନ ଏଥିରେ କରାଯାଇଛି । ଗଦ୍ୟ କବିତାର ସଫଳ ଦୃଷ୍ଟାନ୍ତ ମଧ୍ୟ ଏଥିରୁ ଦେଖିବାକୁ ମିଳେ ।

 

ସ୍ଵାଧୀନତା ପରବର୍ତ୍ତୀ ଆଧୁନିକ ଓଡ଼ିଆ କବିତା :

 

ସ୍ଵାଧୀନତା ପୂର୍ବବର୍ତ୍ତୀ ଓଡ଼ିଆ କବିତାର ଜାତୀୟବାଦୀ ସ୍ୱର ତଥା ପ୍ରଗତିବାଦୀ ଚିନ୍ତାଧାରାର ଯେଉଁ ନିର୍ଦ୍ଦିଷ୍ଟ ଆଶାପୋଷିତ ହୋଇଥିଲା, ତାହା ଭାରତର ସ୍ଵାଧୀନତା ଲାଭ ପରେ ବିଫଳତାରେ ପର୍ଯ୍ୟବସିତ ହେଲା । ଯେଉଁ ସ୍ଵପ୍ନ ଓ ଆଶା ସ୍ୱାଧୀନତା ସଂଗ୍ରାମରେ ଭାରତୀୟମାନଙ୍କୁ ଆକୃଷ୍ଟ କରିଥିଲା, ସେ ସ୍ଵପ୍ନ ବିଫଳ ହେଲା । ଭାରତୀୟମାନଙ୍କର ସ୍ଵାଧୀନତା ପ୍ରାପ୍ତି ପରର ଭାରତର ଅବସ୍ଥା ସମ୍ପର୍କରେ ଯେଉଁ ଆଶାପୋଷଣ କରିଥିଲେ ତାହା ବିଡ଼ମ୍ବିତ ହୋଇଥିଲା । ସ୍ଵାଧୀନତା ପୂର୍ବରୁ ସ୍ଵରାଜ୍ୟ ଚେତନା ଓ ସ୍ୱଦେଶୀ ଭାବନା, ସ୍ଵାଧୀନତା ପରେ ବିଦେଶୀ ଭାବଧାରାରେ କ୍ରମେ ଅନୁପ୍ରାଣିତ ହୋଇଥିଲା । ରାଜନୀତିକ ସ୍ୱାଧୀନତା ଲାଭ ହୋଇଥିଲେ ହେ ସାଂସ୍କୃତିକ ପରାଧୀନତା ସତେ ଯେପରି ଭାରତୀୟ ଜନସାଧାରଣଙ୍କୁ ମୋହାଚ୍ଛନ୍ନ କରିଦେଲା । ଭାରତୀୟ ଜନମାନସ କ୍ରମେ ସୀମିତ ଜାତୀୟସ୍ତରକୁ ଅତିକ୍ରମ କରି ଆନ୍ତର୍ଜାତିକ ଜନମାନସ ସହ ଆତ୍ମିକ ସଂଯୋଗ ସ୍ଥାପନ କଲା । ତେଣୁ ଭାରତୀୟ କବିତାରେ ଆନ୍ତର୍ଜାତିକ ଯୁଗଯନ୍ତ୍ରଣା, ନୈରାଶ୍ୟବୋଧ, ଶୂନ୍ୟତାବୋଧ, ନିଃସଙ୍ଗ ବ୍ୟକ୍ତିଚେତନା ଓ ସର୍ବୋପରି ବ୍ୟକ୍ତିକୈନ୍ଦ୍ରିକ ବିଚ୍ଛିନ୍ନତାବୋଧ ପ୍ରକାଶିତ ହେଲା । ଓଡ଼ିଶାର କବିତା କ୍ଷେତ୍ରରେ ଏହି ଧାରା ମଧ୍ୟ ଦେଖିବାକୁ ମିଳେ । ସ୍ଵାଧୀନତା ପୂର୍ବରୁ ଯେଉଁ ସମାଜବାଦୀ ତଥା ଜାତୀୟବାଦୀ ଧାରା ଓଡ଼ିଆ କବିତା କ୍ଷେତ୍ରରେ ଦେଖା ଦେଇଥିଲା ସ୍ୱାଧୀନତା ପରେ ତାହା ବିଡ଼ମ୍ବିତ ହୋଇ ବ୍ୟକ୍ତିକୈନ୍ଦ୍ରିକ ନିଃସଙ୍ଗତାବୋଧ ଓ ଯନ୍ତ୍ରଣାବୋଧକୁ ରୂପାୟିତ କଲା । ବିଶେଷ କରି ଷଷ୍ଠ ଦଶକରେ ଏହି ଚିନ୍ତାଧାରା ସୃଷ୍ଟି ହୋଇ ସପ୍ତଦଶକବେଳକୁ ବିଶେଷ ପରିମାଣରେ ଓଡ଼ିଆ କବିତାରେ ଅନୁଭୂତ ହେଲା । ସପ୍ତଦଶକର ଦ୍ଵିତୀୟ ପର୍ଯ୍ୟାୟବେଳକୁ ବ୍ୟକ୍ତି ଯନ୍ତ୍ରଣା ସହିତ ଆଧ୍ୟାତ୍ମିକ ଜିଜ୍ଞାସା ଓ ବେଦନାବୋଧ ପ୍ରକାଶିତ ହେଲା । ଅଷ୍ଟାଦଶକର ଆରମ୍ଭରେ ମଧ୍ୟ ଏହି ଚିନ୍ତାଧାରା ଦେଖିବାକୁ ମିଳିଥାଏ ।

 

ପ୍ରଥମ ବିଶ୍ଵଯୁଦ୍ଧ ପରବର୍ତ୍ତୀକାଳରେ କବି ଟି.ଏସ୍‍.-ଏଲିୟଟ୍ ଯୁଦ୍ଧ ବିକ୍ଷୁବ୍ଧ ଶୂନ୍ୟଗର୍ଭ ପାଶ୍ଚାତ୍ୟ ଜଗତର ଅସହାୟତାକୁ ତାଙ୍କର କାବ୍ୟ-କବିତାରେ ଯେପରି ପ୍ରକାଶ କରିଥିଲେ; ସ୍ଵାଧୀନତା ପରେ ଓଡ଼ିଆ କବିତାରେ ସେହି ଚିନ୍ତାଧାରା ଅନୁପ୍ରାଣିତ ହେଲା । ସଚ୍ଚିଦାନନ୍ଦ ରାଉତରାୟ ପାଣ୍ଡୁଲିପିରେ ଯେଉଁ ସମାଜବାଦୀ ଦୃଷ୍ଟଭଙ୍ଗୀର ପରିଚୟ ଦେଇଥିଲେ ତାହା କ୍ରମେ ଦୂରେଇଯାଇ “ସ୍ଵର୍ଗତ”, “କବିତା ୧୯୬୯”, “କବିତା ୧୯୭୧’’ ‘‘କବିତା ୧୯୭୪’’ ବେଳକୁ ଅସହାୟ ଅବକ୍ଷୟୀ ବ୍ୟକ୍ତି ଚିତ୍ତର ଭାବଧାରାକୁ ନେଇ ପ୍ରକାଶିତ ହେଲା । ନୂତନ କାବ୍ୟ ଜିଜ୍ଞାସାର ରୂପକାର ଭାବରେ ଗୁରୁପ୍ରସାଦ ମହାନ୍ତି, ଭାନୁଜୀ ରାଓ, ରମାକାନ୍ତ ରଥ, ସୀତାକାନ୍ତ ମହାପାତ୍ର, ବେଣୁଧର ରାଉତ, ଗୋପାଳ ଚନ୍ଦ୍ର ମିଶ୍ର, ଚିନ୍ତାମଣି ବେହେରା, ଦୁର୍ଗାମାଧବ ମିଶ୍ର, ଜାନକୀବଲ୍ଲଭ ମହାନ୍ତି (ଭରଦ୍ୱାଜ)ଙ୍କ ନାମ ଉଲ୍ଲେଖଯୋଗ୍ୟ । ଗୁରୁପ୍ରସାଦଙ୍କ ସ୍ଵାଧୀନତା ପରବର୍ତ୍ତୀ ବିଧ୍ଵସ୍ତ ଅଶାନ୍ତ ସମାଜ ପ୍ରତି ଦୃଷ୍ଟିଭଙ୍ଗୀ ନିମ୍ନୋକ୍ତ ଭାବେ ଦେଖିବାକୁ ମିଳେ–

 

“ଭୟ ଆଉ ପାପ ମିଶି ଏ ସମୟ ଅନ୍ତସତ୍ତ୍ଵ........

ଜୀବନର ଭଗ୍ନାଂଶ କେବଳ ।

ତେଣୁ ଏହି ସହରର ଗଳିରେ ଛିନ୍ନ ପ୍ରାଣ-

ହୀନ ଦେହ ଓ କାମନା ।

ତେଣୁ ଏହି ସହରର ବିବର୍ଣ୍ଣ ଦେହରେ ଶୀତ

ଖଦଡ଼ ଓ ଉଲ୍‌ର ପୋଷାକ

ଭିତରେ ହଠାତ୍ ଆସି ଛିଡ଼ାହୁଏ ସାମ୍ନାରେ

ଅଭିଶପ୍ତ ମଣିଷର ପାପ ଆଉ ଭୟର ପ୍ରେତାତ୍ମା ।’’

 

ସେ ପୁଣି ଗ୍ରାମ୍ୟ ଜୀବନର ଅସହାୟତା, ବିଷାଦ ଓ ଶୂନ୍ୟତାକୁ ମଧ୍ୟ ରୂପ ଦେଇ ବର୍ଣ୍ଣନା କରିଛନ୍ତି–

 

“ଚୁପ୍‌ଚାପ୍ ବାଲିଚର, ଗାଁ ସ୍କୁଲ,

ଡାକପିଅନ ସାଇକେଲ ଘଣ୍ଟି

କେଉଟସାହିର ଢିଙ୍କି ଚୁପ୍‌ଚାପ୍‍,

ଲୁଗା ନାହିଁ ଧୋବାତୁଠଆଡ଼େ

ଗୁରୁବାର ଚିତା ନାହିଁ ମାଣବସା ହୁଳହୁଳି

ସଉତୁଣୀ ଶାଶୁ ବୋହୂ କଳି

ଶୂନଶାନ୍ ତୁମ ଗାଆଁ ଆମ ଗାଁ

ବିଷଣ୍ଣ ଏ ଶ୍ରୀହୀନ ଖରାରେ ।”

 

ଆଜିର ଜୀବନରେ ନାହିଁ ଆନନ୍ଦ, ନାହିଁ ପ୍ରେମ, ନାହିଁ ମୈତ୍ରୀବୋଧ, ନାହିଁ ଶାନ୍ତି । ତେଣୁ ଆଜିର ମଣିଷ ଖୋଜେ ସ୍ନେହ, ପ୍ରେମ, ଶାନ୍ତି ଓ ଆଧ୍ୟାତ୍ମିକ ମୁକ୍ତି । ଗୁରୁପ୍ରସାଦ ତେଣୁ ‘କାଳ ପୁରୁଷ’ରେ ଉଲ୍ଲେଖ କରିଛନ୍ତି–

 

“ହେ ଅକ୍ରୂର ହେ ଉଦ୍ଧବ ସଖା ମୋର ପ୍ରାଣର ଦୋସର

ରୁହ ରୁହ ଛିଡ଼ା ରୁହ ପିଠିରେ ମୋ ତୁମପରି ବୋଝ

ମୁଁ ଯିବି ତୁମରିପରି ତାରା ଖୋଜି, ଜହ୍ନ ଖୋଜି,

ଖୋଜି ଖୋଜି ଝରଣାର ସୁଅ

ମୁଁ ଯିବି ତୁମରିପରି ଖୋଜି ମୋର ପିତାମାତା

ନିର୍ମୂଳୀ ନଟାରେ

ଖୋଜି ଅରୁନ୍ଧତୀ ତାରାର ଆଲୁଅ” ?

 

ସୁତରାଂ ସ୍ଵାଧୀନତା ପରବର୍ତ୍ତୀ ଷଷ୍ଠ ଦଶକରେ ଏଲିୟଟ୍‌ଙ୍କ ଚିନ୍ତାଧାରା, ଓ ଯୁଗ ଯନ୍ତ୍ରଣା ଓ ଆଧ୍ୟାତ୍ମିକ ଆକୁତି ଓଡ଼ିଆ କବିତାରେ ଦେଖିବାକୁ ମିଳିଛି । କବି ସୀତାକାନ୍ତ ମହାପାତ୍ର, ରମାକାନ୍ତ ରଥ, ଭାନୁଜୀ ରାଓ, ସୌରୀନ୍ଦ୍ର ବାରିକ, ଦୀପକ ମିଶ୍ର, କମଳାକାନ୍ତ ଲେଙ୍କା, ସୌଭାଗ୍ୟ ମିଶ୍ର, ପ୍ରସନ୍ନ କୁମାର ମିଶ୍ର, ହରିହର ମିଶ୍ର, ବିଭୂଦତ୍ତ ମିଶ୍ର, ବଂଶୀଧର ଷଡ଼ଙ୍ଗୀ ପ୍ରଭୃତିଙ୍କ ଲେଖାରେ ସ୍ଵାଧୀନୋତ୍ତର ସମାଜର ଅଶାନ୍ତ ଚିତ୍ର ଦେଖିବାକୁ ମିଳେ । ସୀତାକାନ୍ତ ମହାପାତ୍ର ‘‘ଦୀପ୍ତି ଓ ଦ୍ୟୁତି’ରେ ସାମାଜିକ ଭାବଧାରାକୁ ପ୍ରକାଶ କରିଥିବାବେଳେ ‘ଅଷ୍ଟପଦୀ’ରେ ଯୁଗ ଯନ୍ତ୍ରଣା ସହ ମୃତ୍ୟୁ ଚେତନା ଓ ଆଧୁନିକ ବେଦନାବୋଧକୁ ପ୍ରକାଶ କରିଛନ୍ତି ।

 

‘ଶବ୍ଦର ଆକାଶ’ରେ ଏହି ବେଦନାବୋଧ କ୍ରମେ ବ୍ୟକ୍ତି-ମାନସରେ ଆଧ୍ୟାତ୍ମିକ ପ୍ରଶାନ୍ତି ସୃଷ୍ଟି କରିଅଛି । ରମାକାନ୍ତ ରଥ ମୁଖ୍ୟତଃ ଜଣେ ମୃତ୍ୟୁ ସଚେତନ କବି । ଏହି ମୃତ୍ୟୁ ଚେତନା ମଧ୍ୟଦେଇ କବି-ମାନସର ଋଗ୍‌ଣ ତଥା ଅବକ୍ଷୟୀ ଭାବଧାରକୁ ରୂପାୟିତ କରିବାକୁ ସକ୍ଷମ ହୋଇଛନ୍ତି । ଉତ୍ତର ପଚାଶରେ ଓଡ଼ିଆ କବିତା କ୍ଷେତ୍ରରେ ଆତ୍ମପ୍ରକାଶ କରି ଶ୍ରୀ ରମାକାନ୍ତ ରଥ ସ୍ଵାଧୀନତା ପରବର୍ତ୍ତୀ ଓଡ଼ିଆ କାବ୍ୟଧାରାର ଜଣେ ଶକ୍ତିଶାଳୀ କବିଭାବେ ନିଜକୁ ପ୍ରତିଷ୍ଠିତ କରି ପାରିଛନ୍ତି । ତାଙ୍କ କାବ୍ୟ ଆତ୍ମିକ ଓ ଶୈଳୀରେ ପ୍ରଥମରୁ ପ୍ରକାଶ ପାଇଥିବା ସ୍ଵକୀୟତା ହିଁ ଏହି ସ୍ଵୀକୃତି ପାଇଁ ଦାୟୀ । ତାଙ୍କ ପ୍ରାଥମିକ କବିତାଗୁଡ଼ିକ ଯୁବସୁଲଭ ପ୍ରେମ, ପ୍ରତୀକ୍ଷା, ହତାଶା ଓ ତଦୁତ୍ତାରୁ ତାଙ୍କ ଆତ୍ମିକ ସ୍ପନ୍ଦନ ଓ ପ୍ରତିକ୍ରିୟାର କାବ୍ୟରୂପ ନେଇ ପ୍ରକାଶିତ ହେଲେ ବି ଏ କବିତାଗୁଡ଼ିକରେ ପ୍ରେମର ଗତାନୁଗତିକ ଆସକ୍ତ ରୋମାଣ୍ଟିକ୍ ଉଚ୍ଛ୍ୱାସ ଦେଖାଯାଏ ନାହିଁ । ବରଂ ପ୍ରେମ ପ୍ରତି ତାଙ୍କର ଗଭୀର ପରୀକ୍ଷା ଓ ସମୀକ୍ଷାତ୍ମକ ମନୋବୃତ୍ତି ଦେଖିବାକୁ ମିଳେ । ତାଙ୍କ କବିତାର ଆଦ୍ୟାନୁଭୂତିରେ ସମୟ ପ୍ରତି ପ୍ରକାଶିତ ବିଷାଦବାଦୀ ଦୃଷ୍ଟିଭଙ୍ଗୀର କେନ୍ଦ୍ରବିନ୍ଦୁରେ ପ୍ରେମର ବିଫଳତା ହିଁ ପ୍ରତିଷ୍ଠିତ । ତେଣୁ କବି କହିଛନ୍ତି–

 

‘‘ମୋ ମନରେ ମାଘମାସୀ ଜାଡ଼ ଏବଂ

ତୁଷାରର ତପସ୍ୟା ଭିତରେ

କି ଫୁଲ ଫୁଟିବ ଆଉ ?

ମୋ ମନରେ ହାଡ଼ଭଙ୍ଗା ହାଓ୍ୱା ?”

 

ଏହା ତାଙ୍କ ମନର ଅବିକଳ ପ୍ରତିଫଳନ ବହନ କରି ସମୟ ଓ ପ୍ରେମର କ୍ଷତାକ୍ତ ଯନ୍ତ୍ରଣାକୁ ସୂଚାଇ ଦିଏ । ‘ଅଳ୍ପ ଦିନର” ପର୍ଯ୍ୟାୟଭୁକ୍ତ କବିତାର ଶୈଳୀରେ ଶ୍ରୀ ରଥ ଯେଉଁ ଉଲ୍ଲେଖଯୋଗ୍ୟ ପରିବର୍ତ୍ତନ ଆଣିଛନ୍ତି, ତାହା କବି ସଚ୍ଚିରାଉତରାୟଙ୍କ ବାକ୍‍ରୀତିର ସମାହାର ନୁହେଁ; ବରଂ ଏକ ସ୍ଵକୀୟ ଶୈଳୀ, ଯାହା ଇଂରାଜୀ କବିତାର ଶୈଳୀଦ୍ଵାରା ଅଧିକ ଅନୁପ୍ରାଣିତ ।

 

୧୯୬୨-୬୭ ମଧ୍ୟରେ ବିଭିନ୍ନ ସମୟରେ ରଚିତ ‘ଅନେକ କୋଠରୀ’ର କାବ୍ୟ ଭାବନା ମୁଖ୍ୟତଃ ସମୟ, ମୃତ୍ୟୁ ଓ ଦେହାନ୍ତର ଚେତନାକୁ ନେଇ ଗତିଶୀଳ । ସବୁ ଦିଗରେ କାବ୍ୟନାୟକ କେବଳ ମୃତ୍ୟୁ ଓ ମୃତ୍ୟୁର ହିମ ଶୀତଳସ୍ପର୍ଶ ହିଁ ଅନୁଭବ କରୁଛି ।

 

“ତମର ଚୌଦିଗେ ମୃତ୍ୟୁ ଏବଂ ତା’ର ଥଣ୍ଡା ଥଣ୍ଡା ହାତ

ଚିପିବାକୁ ଆସେ ତମ ବେକ”

 

(ଅନନ୍ତ ଶୟନ)

 

ମୃତ୍ୟୁ ସଚେତନ କାବ୍ୟ ନାୟକ ମନରୁ ପ୍ରେମ-ପ୍ରଣୟର ସ୍ଵାଦ ଅନୁଭୂତି ସ୍ଵାଭାବିକ ଭାବେ ତିରୋହିତ ହୋଇଯାଇଛି । ସେ ଜଣେ ପ୍ରବୁଦ୍ଧ ଦାର୍ଶନିକ ବ୍ୟକ୍ତିତ୍ଵପରି ଅନ୍ୟ ଲୋକର ପାଣି ଦେଖୁଛି ବା ମୃତ୍ୟୁ ପରବର୍ତ୍ତୀ ଅନୁଚିନ୍ତାରେ ପ୍ରପୀଡ଼ିତ ହୋଇଛି । ଫଳରେ “ଅନେକ କୋଠରୀ”ର କବିତାଗୁଡ଼ିକରେ ନାରୀ ଓ ଯୌନ ସମ୍ପର୍କୀୟ ବକ୍ତବ୍ୟ ବହୁ ସ୍ଥାନରେ ଥିଲେ ମଧ୍ୟ ତାହା ମୃତ୍ୟୁ ଚେତନାଦ୍ଵାରା ଗ୍ରସ୍ତ । “ସପ୍ତମ ଋତୁ” କବିତା ଗ୍ରନ୍ଥରେ ନିଜସ୍ଵ ମନ୍ତବ୍ୟ ପ୍ରଦାନ କରି ରମାକାନ୍ତ ରଥ କହିଛନ୍ତି ‘‘ପ୍ରତ୍ୟେକ ପ୍ରାଣସ୍ପର୍ଶୀ କବିତାରେ ସବୁବେଳେ ଏକ ସନ୍ନ୍ୟାସୀର ସ୍ଵର ଶୁଭେ, ଯାହା ସମୟ ସମୟରେ ଖୁବ୍ ବାଷ୍ପରୁଦ୍ଧ ଓ ଖୁବ୍ ସହଜରେ ଶୁଭେ ନାହିଁ ।” “ସପ୍ତମ ରୁତୁ”ରେ ଶ୍ରୀ ରଥଙ୍କ ଦେହୋତ୍ତର ଚିନ୍ତାଧାରା (Metaphysical) ସ୍ପଷ୍ଟ ପ୍ରକଟିତ ହୋଇଛି ।

 

ଏତଦ୍‍ବ୍ୟତୀତ ବେଣୁଧର ରାଉତଙ୍କ ‘ପିଙ୍ଗଳାର ସୂର୍ଯ୍ୟ’ କବିତା ପୁସ୍ତକରେ ସମାଜବାଦୀ ଚିନ୍ତାଧାରା ସହ ଆଧ୍ୟାତ୍ମିକ ଭାବ ସ୍ପନ୍ଦନ ପ୍ରକଟିତ । ଚିନ୍ତାମଣି ବେହେରା ଫରାସୀ ପ୍ରତୀକବାଦୀ କବିତାର ଭାବକୁ ଗ୍ରହଣ କରି ଓଡ଼ିଆ କବିତାରେ ଏହାର ସଫଳ ପ୍ରୟୋଗ କରିଛନ୍ତି-। ଜାନକୀବଲ୍ଲଭ ମହାନ୍ତିଙ୍କର ‘ତୀର୍ଯ୍ୟକ’ ଓ ‘ବିଚିତ୍ରବର୍ଣ୍ଣ’; ଦୀପକ ମିଶ୍ରଙ୍କ ‘ମଧ୍ୟାହ୍ନର ଛାଇ’, ‘ନିର୍ଜନ ନକ୍ଷତ୍ର’; ସୌଭାଗ୍ୟ କୁମାର ମିଶ୍ରଙ୍କର ‘ଆତ୍ମିନେପଦୀ’ ‘ମଧ୍ୟପଦଲୋପୀ’, ‘ନଈପହଁରା’, ‘ଅନ୍ଧ ମହୁମାଛି’, କମଳାକାନ୍ତ ଲେଙ୍କାଙ୍କର ‘ଉତ୍ତରଣ’ ‘ସ୍ମରଣ ବିସ୍ମରଣ’; ସୌରୀନ୍ଦ୍ର ବାରିକଙ୍କର ‘ସାମାନ୍ୟ କଥନ’; ଯଦୁନାଥ ଦାଶ ମହାପାତ୍ରଙ୍କର “ଯନ୍ତ୍ରଣାର କାବ୍ୟ” ପ୍ରସନ୍ନ କୁମାର ମିଶ୍ରଙ୍କର ‘ବସନ୍ତର ସ୍କେଚ୍’ ହରିହର ମିଶ୍ରଙ୍କର ‘ଶଙ୍ଖନାଭି’, ବ୍ରଜନାଥ ରଥଙ୍କର ‘ନିଜସ୍ଵ ସ‍ଂଳାପ’ ଆଦି କବିତା ପୁସ୍ତକଗୁଡ଼ିକ ଓଡ଼ିଆ ସାହିତ୍ୟରେ ଗୋଟିଏ ଗୋଟିଏ ଉଲ୍ଲେଖ ଯୋଗ୍ୟ ସୃଷ୍ଟି ।

 

ଆଜିର ଆଧୁନିକ କବିତା କୌଣସି ନିର୍ଦ୍ଦିଷ୍ଟ ସୀମା ମଧ୍ୟରେ ଆବଦ୍ଧ ନୁହେଁ । ଏହା ଆନ୍ତର୍ଜାତିକ ଭାବଧାରାରେ ଉଦ୍‌ବୁଦ୍ଧ । ବିଶ୍ଵ ମାନବର ହୃଦୟ ଓ ମନକୁ ନେଇ ଆଜିର କବିତା ଗତିଶୀଳ । ଆଜିର ମଣିଷର ଭଣ୍ଡତା, ଛଳନା ଓ ହିପୋକ୍ରେସିକୁ ଆଧୁନିକ କବିତାରେ ପ୍ରକାଶ କରାଯାଉଛି । ଦୁଇଟି ବିଶ୍ଵଯୁଦ୍ଧ ସମଗ୍ର ବିଶ୍ୱ ଜନତାର ଅନ୍ତରେ ଯେଉଁ ସଙ୍କଟ ଓ ଭୀତି ସୃଷ୍ଟି କରିଥିଲା ତାହାକୁ ଆଧୁନିକ କରି ରୂପାୟିତ କଲା କବିତାରେ । ବିଜ୍ଞାନର ଅଭିନବ ପ୍ରଗତି ଓ ପାରମ୍ପରିକ ବିଶ୍ଵାସ ଓ ମୂଲ୍ୟବୋଧ ପ୍ରତି ସଂଶୟ, ରାଜନୀତି କ୍ଷେତ୍ରରେ ନାନା ଦ୍ଵନ୍ଦ୍ୱ, ସମାଜବାଦୀ ଭାବଧାରାର ବିକାଶ, ସ୍ଥିତିବାଦୀ ଦର୍ଶନ, ଫ୍ରୟେଡ଼ୀୟ ମନସ୍ତତ୍ତ୍ଵର ପ୍ରଭାବ ଆଦି ନାନା ଭାବବସ୍ତୁ ଆଧୁନିକ କବି ମାନସରେ ଗଭୀର ଆଲୋଡ଼ନ ସୃଷ୍ଟି କଲା । ତେଣୁ କବି ଆଉ ପ୍ରାଚୀନ ଛନ୍ଦ, ଭାଷା ଓ ଶୈଳୀକୁ ଗ୍ରହଣ କରି ଦ୍ରୁତ ପରିବର୍ତ୍ତନଶୀଳ, ମାନବିକ ଚିନ୍ତାରାଜିକୁ ପ୍ରକାଶ କରିବା ପାଇଁ କ୍ଷମ ହେଲାନାହିଁ । ନୂତନ ନୂତନ ଚିତ୍ରକଳ୍ପ, ପ୍ରତୀକ ଓ ମିଥ୍‍ ସାହାଯ୍ୟରେ କବି ଆଧୁନିକ ଚିନ୍ତାଧାରାକୁ ପ୍ରକାଶ କରିବାକୁ ସମର୍ଥ ହେଲା । ଆନ୍ତର୍ଜାତିକ ଚିନ୍ତାଧାରାରୁ ଆଜିର ଓଡ଼ିଆ କବିତା ଅଲଗା ନୁହେଁ । ସ୍ଵାଧୀନତା ପରେ ସମଗ୍ର ଭାରତବର୍ଷରେ ଯେଉଁ ନୂତନ ପରିବର୍ତ୍ତନ ଦେଖାଦେଇଛି, ସେହି ପରିବର୍ତ୍ତନକୁ ଆଜିର କବି ରୂପ ଦେଉଛି ତା’ର କବିତାରେ । ମଣିଷ ମନୋରାଜ୍ୟରେ ଦେଖାଦେଇଥିବା ନାନାଦି ବୈଷମ୍ୟ, ପରିବାର ମଧ୍ୟରେ ଦେଖା ଦେଇଥିବା ସମ୍ପର୍କର ସେତୁ ଆଜିର କବିକୁ ନୂତନ ଭାବଧାରାରେ ଆଧାରିତ କବିତା ରଚନା କରିବାରେ ପ୍ରେରଣା ଦେଉଛି । ଅନେକ ସମୟରେ କବିର ବ୍ୟକ୍ତିଗତ ଚିନ୍ତାରାଜ୍ୟର କ୍ଳିଷ୍ଟ ଓ‌ ଜଟିଳ ପ୍ରତିଫଳନ ଆଧୁନିକ କବିତା ବହନ କରି ନିଜର ଆଙ୍ଗିକକୁ ଅର୍ଥପୂର୍ଣ୍ଣ କରି ପକାଉଛି । ଆଧୁନିକ ଓଡ଼ିଆ କବିତା କ୍ରମଶଃ ଜାତୀୟତା ଓ ରୋମାଣ୍ଟିକଧର୍ମୀ ଚିନ୍ତାଧାରାରୁ ଦୂରେଇ ଯାଇ ଅତିବାସ୍ତବତା, ମନୋବିଶ୍ଳେଷଣଧର୍ମୀ, ସ୍ଥିତିବାଦୀ, ଅତିନ୍ଦ୍ରିୟ ଚେତନା, ଆଧ୍ୟାତ୍ମିକ ଅନ୍ୱେଷା, ନିଃସଙ୍ଗତାବୋଧ, ଉଦ୍ଭଟ୍ଟତା ଆଡ଼କୁ ବିଶେଷ ଭାବେ ଅଗ୍ରସର ହେଉଛି । କବିତାର ଆତ୍ମିକରେ ଏଭଳି ପରିବର୍ତ୍ତନ ମଧ୍ୟ ଏହାର ଆଙ୍ଗିକର ଅଭିନବ ପରିବର୍ତ୍ତନରେ ସାହାଯ୍ୟ କରୁଛି । ଓଡ଼ିଆ କବିତା କ୍ରମେ ଜନଗଣଠାରୁ ଦୂରେଇ ଯାଇ ଦୁର୍ବୋଧ୍ୟ ହୋଇପଡ଼ୁଛି । ଏହା ସମ୍ପ୍ରତି ପରୀକ୍ଷାଧର୍ମୀ । ଏହାର ଭବିଷ୍ୟତର ସମ୍ଭାବନା ଓ ଏହାର ଭାବ ଓ ଚିନ୍ତାର ଗଭୀରତା ଉପରେ ନିର୍ଭର କରେ ।

☆☆☆

 

Unknown

ଗଦ୍ୟସାହିତ୍ୟର ପୃଷ୍ଠଭୂମିରେ ଓଡ଼ିଆ ଭ୍ରମଣ ସାହିତ୍ୟ

 

ବିଶ୍ଵର ସକଳ ଭାଷାର ସାହିତ୍ୟରେ ପଦ୍ୟ ସାହିତ୍ୟ ହିଁ ପ୍ରଥମ କରି ବିକାଶଲାଭ କରିଥିଲା । ଛନ୍ଦୋବଦ୍ଧ କାବ୍ୟ-କବିତା ମାଧ୍ୟମରେ ବ୍ୟକ୍ତି ଆପଣାର ହୃଦୟର ଭାବକୁ ପ୍ରକାଶ କରିବାକୁ ସୁବିଧା ମନେ କରିଥାଏ । ପଦ୍ୟ ସାହିତ୍ୟର ଆରମ୍ଭ ଓ ବିକାଶ ପରେ ପରେ ଗଦ୍ୟର ଉତ୍ପତ୍ତି ହୋଇଛି । ସମ୍ଭତଃ ପଦ୍ୟ ସାହିତ୍ୟର ଗୂଢ଼ତତ୍ତ୍ଵକୁ ସରଳଭାବରେ ବୁଝାଇଦେବା ପ୍ରବୃତ୍ତିରୁ ଗଦ୍ୟର ଜନ୍ମ । ବିଶ୍ଵର ଅନ୍ୟାନ୍ୟ ଭାଷା ପରି ଓଡ଼ିଆ ଭାଷାରେ ମଧ୍ୟ ପ୍ରଥମେ ପଦ୍ୟ ସୃଷ୍ଟି ହୋଇଥିଲା । ଲୋକ ସାହିତ୍ୟକୁ ଛାଡ଼ିଦେଲେ ମଧ୍ୟ ଲିଖିତ ସାହିତ୍ୟରୂପେ ଅଷ୍ଟମ ନବମ ଶତାବ୍ଦୀ ମଧ୍ୟରେ ରଚିତ ହୋଇଥିବା ‘ବୌଦ୍ଧଗାନ ଓ ଦୋହା’ ଏହାର ପ୍ରମାଣ ଦେଇଥାଏ । ତେବେ ଏହା ଉଭୟ ପଦ୍ୟ ଓ ଗଦ୍ୟଧର୍ମୀ । ବିଶ୍ଵର ପ୍ରତ୍ୟେକ ସାହିତ୍ୟରେ ପଦ୍ୟର ଆରମ୍ଭ ହୋଇଥିଲେହେଁ ସମୟ ଓ ସଭ୍ୟତାର କ୍ରମବିକାଶ ଓ ବିବର୍ତ୍ତନ ଫଳରେ ସାହିତ୍ୟ ସାମ୍ରାଜ୍ୟରେ ଗଦ୍ୟର ଉଦ୍ଭବ ଓ ବିକାଶ ହେବାକୁ ଲାଗିଲା । ସାହିତ୍ୟ ଜଗତରେ ପ୍ରବନ୍ଧ ଏକ ସ୍ଵୟଂ ସମ୍ପୂର୍ଣ୍ଣ ଯୁକ୍ତିନିଷ୍ଠ ଆବେଗ ସଞ୍ଜତ କଳାକର୍ମ । ଏଥିରେ ବାକ୍‌ବାହୁଲ୍ୟ ନ ଥାଏ । କିମ୍ବା ଯୁକ୍ତି ବହିର୍ଭୂତ ବିଷୟର ଅଯଥା ବର୍ଣ୍ଣନା ନ ଥାଏ । ମାର୍ଜିତ ଓ ଗୁରୁଗମ୍ଭୀର ଭାଷା ବିନ୍ୟାସରେ ପ୍ରବନ୍ଧର ପ୍ରାଣ ପ୍ରତିଷ୍ଠା କରାଯାଏ । ପଦ୍ୟରେ ଆବେଗ ଓ କଳ୍ପନା ପ୍ରାଧାନ୍ୟ ଲାଭ କରୁଥିଲାବେଳେ ପ୍ରବନ୍ଧରେ ବୌଦ୍ଧିକତା ଓ ଯୁକ୍ତିନିଷ୍ଠତା ପ୍ରାଧାନ୍ୟ ଲାଭ କରେ । ପ୍ରବନ୍ଧ ଗଦ୍ୟର ଏକ ବିଭାଗ ମାତ୍ର । ଅନ୍ୟାନ୍ୟ ସୃଷ୍ଟିଶୀଳ ଗଦ୍ୟରେ ଆବେଗ ଓ କଳ୍ପନା ଉଭୟ ପ୍ରାଧାନ୍ୟ ଲାଭ କରିଥା’ନ୍ତି । ମଣିଷର ଅନ୍ତରରୁ କ୍ରମେ ପଦ୍ୟ ହ୍ରାସପାଇ ତା’ ସ୍ଥାନରେ ସଭ୍ୟତାର ବିକାଶକ୍ରମରେ ଗଦ୍ୟ ପ୍ରଭାବ ବିସ୍ତାର କରୁଛି । ତେଣୁ ଆଧୁନିକ ଯୁଗ ଗଦ୍ୟର ଯୁଗ । ଆଧୁନିକ ମଣିଷ ତା’ର ଅନ୍ତରର ଭାବକୁ ଗଦ୍ୟ ମାଧ୍ୟମରେ ପ୍ରକାଶ କରିବାକୁ ଏବେ ସହଜ ମଣିଛି । ଏହି ଗଦ୍ୟ ଏକମୁଖୀ ନ ହୋଇ ବହୁମୁଖୀ ହୋଇପଡ଼ିଛି । କେତେବେଳେ ଏହା ଯୁକ୍ତିନିଷ୍ଠ ପ୍ରବନ୍ଧ ଆକାରରେ ପ୍ରକାଶିତ ହୁଏତ, ପୁଣି କେତେବେଳେ ଏହା ଆବେଗ କମ୍ପିତ ଭାଷା ବିନ୍ୟାସରେ ବ୍ୟକ୍ତି ହୃଦୟର କଳ୍ପନା ପ୍ରବଣତାକୁ ରୂପ ଦେଇଥାଏ । ପଦ୍ୟପରି ଗଦ୍ୟ ସ୍ରଷ୍ଟାର ବିଚିତ୍ର ଅନୁଭୂତିରେ ସମୃଦ୍ଧ । ଗଦ୍ୟକୁ ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ କରାଯାଇଥାଏ । (୧) ସୃଷ୍ଟିଶୀଳ ଗଦ୍ୟ, (୨) ସମୀକ୍ଷାତ୍ମକ ଗଦ୍ୟ । ସୃଷ୍ଟିଶୀଳ ଗଦ୍ୟ ବହୁବିଧ, ଯଥା–ଉପନ୍ୟାସ, କ୍ଷୁଦ୍ରଗଳ୍ପ, କାହାଣୀ ନାଟକ, ଜୀବନୀ ରମ୍ୟରଚନା, ପ୍ରବନ୍ଧ ଭ୍ରମଣ କାହାଣୀ ଇତ୍ୟାଦି । ସୃଷ୍ଟିଶୀଳ ଗଦ୍ୟ ମଧ୍ୟରେ ଭ୍ରମଣ କାହାଣୀ ଅନ୍ୟତମ । ଓଡ଼ିଆ ଗଦ୍ୟ ସାହିତ୍ୟର ବିକାଶଧାରାରେ ଏହାର ବିକାଶ ଯଥେଷ୍ଟ ତାତ୍ପର୍ଯ୍ୟପୂର୍ଣ୍ଣ ଓ ମହତ୍ତର ।

 

ଓଡ଼ିଆ ଗଦ୍ୟସାହିତ୍ୟ ଯୁଗର ବିବର୍ତ୍ତନ ସଙ୍ଗେ ସଙ୍ଗେ ମଧ୍ୟବିବର୍ତ୍ତିତ ହୋଇଛି । ତା’ର ଏହି ବିବର୍ତ୍ତକ ପରମ୍ପରା କ୍ରମଶଃ ତାକୁ କରିଛି ବହୁମୁଖୀ ଓ ବଳିଷ୍ଠ । ପ୍ରାଚୀନ କାଳରେ ପଦ୍ୟ ସାହିତ୍ୟର କେବଳ ବିକାଶ ସାଧିତ ହୋଇଥିଲା । ଗଦ୍ୟ ପ୍ରତି ସେତେବେଳେ ଦୃଷ୍ଟି ଦିଆଯାଉ ନଥିଲା । ତଥାପି ପ୍ରାଚୀନ ଓଡ଼ିଆ ସାହିତ୍ୟରେ ଗଦ୍ୟର ବିକାଶ ଦେଖିବାକୁ ମିଳିଥାଏ । କେତେକ ଶିଳ ଲିପି, ତମ୍ବାପଟାକୁ ବାଦ୍‌ ଦେଲେ ଓଡ଼ିଆ ଗଦ୍ୟର ପ୍ରାଥମିକ ପରିଚୟ ମିଳିଥାଏ । ମାଦଳାପାଞ୍ଜିରୁ ସମାଲୋଚକମାନେ ମାଦଳାପାଞ୍ଜିକୁ ହିଁ ଓଡ଼ିଆ ସାହିତ୍ୟରେ ପ୍ରଥମ ଗଦ୍ୟ ରଚନା ବୋଲି ମତ ଦିଅନ୍ତି । ମାଦଳାପାଞ୍ଜିର ରଚନାକାଳ ସମ୍ବନ୍ଧରେ ଅବଶ୍ୟ ମତଦ୍ଵୈଧ ଅଛି । କେତେକଙ୍କ ମତରେ ଏହା ଏକାଦଶ ଶତାବ୍ଦୀର ବୋଲି । ଡକ୍ଟର ଆର୍ତ୍ତବଲ୍ଲଭ ମହାନ୍ତି ପ୍ରଭୃତି ସମାଲୋଚକମାନେ ମାଦଳାପାଞ୍ଜିର ରଚନାକାଳକୁ ଦ୍ଵାଦଶ-ତ୍ରୟୋଦଶ ଶତାବ୍ଦୀର ବୋଲି ମତବ୍ୟକ୍ତ କରିଅଛନ୍ତି । ମାତ୍ର ଡଃ ହରେକୃଷ୍ଣ ମହତାବ ଓ ଡଃ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ପ୍ରଭୃତି ସମାଲୋଚକମାନେ ମାଦଳାପାଞ୍ଜିକୁ ଷୋଡ଼ଶ ଶତାବ୍ଦୀର ରଚନା ବୋଲି ମତ ଦିଅନ୍ତି । ସେ ଯାହାହେଉନା କାହିଁକି–ମାଦଳାପାଞ୍ଜି ଓଡ଼ିଆ ସାହିତ୍ୟର ପ୍ରାଚୀନତମ ଗଦ୍ୟ ରଚନା । ଏଥିରେ ବହୁ ଯାବନିକ ବା ବୈଦେଶିକ ଶବ୍ଦ ରହିଛି । ଏହାର ଶୈଳୀ ମଧ୍ୟ ପ୍ରାଚୀନତମ । ଏଥିରୁ ତତ୍କାଳୀନ ଓଡ଼ିଶାର ଐତିହାସିକ, ସାମାଜିକ, ରାଜନୀତିକ ଓ ସାଂସ୍କୃତିକ ପରିସ୍ଥିତି ସମ୍ପର୍କରେ ପରିଚୟ ମିଳିଥାଏ । ଶ୍ରୀ ଜଗନ୍ନାଥଙ୍କ ସମ୍ପର୍କରେ ଏଥିରେ ମଧ୍ୟ ଉଲ୍ଲେଖ ଅଛି ।

 

ମାଦଳାପାଞ୍ଜି ପରେ ‘ରୁଦ୍ର ସୁଧାନିଧି’ ଓଡ଼ିଆ ସାହିତ୍ୟରେ ପ୍ରାଚୀନ ଗଦ୍ୟ ରଚନାଭାବେ ସ୍ଵୀକୃତ । ଏହାର ରଚନାକାଳକୁ ସପ୍ତଦଶ ଶତାବ୍ଦୀର ପୂର୍ବବର୍ତ୍ତୀ ବୋଲି ଅନୁମାନ କରାଯାଇଥାଏ । ଏହାର ଲେଖକ ନାରାୟଣ ନନ୍ଦ ଅବଧୂତ ସ୍ଵାମୀ । ଏହାର ଭାଷା ସାବଲୀଳ ଏବଂ କବିତ୍ଵମୟ । ଏହା ଏକ ପଦ୍ୟାତ୍ମକ ଗଦ୍ୟରଚନା । ଶିବ-ପାର୍ବତୀଙ୍କ କଥୋପକଥନ ଛଳରେ ସୃଷ୍ଟିତତ୍ତ୍ଵ ଏଥିରେ ଆଲୋଚିତ । ଶାରଳା ଦାସଙ୍କ ଚଣ୍ଡୀ ପୁରାଣରେ ମହିଷାସୁରଙ୍କ ଆଜ୍ଞାପତ୍ର ପ୍ରାଚୀନ ଗଦ୍ୟର ଅନ୍ୟ ଏକ ନମୁନା ପ୍ରଦର୍ଶନ କରାଏ । ଜଗନ୍ନାଥ ଦାସ ମଧ୍ୟ ତାଙ୍କର ‘ତୁଳାଭିଣା’ ପୁସ୍ତକରେ ପଦ୍ୟର ଅର୍ଥକୁ ଗଦ୍ୟ ମାଧ୍ୟମରେ ରଚନା କରିଛନ୍ତି । ବଳରାମ ଦାସଙ୍କ ବ୍ରହ୍ମଶାଙ୍କୋଳିରେ ମଧ୍ୟ ଗଦ୍ୟ ରଚନାର ଦୃଷ୍ଟାନ୍ତ ଦେଖିବାକୁ ମିଳିଥାଏ । ବଳରାମ ଦାସ ଏବଂ ଜଗନ୍ନାଥ ଦାସଙ୍କ ଗଦ୍ୟ ରଚନା ଆଧ୍ୟାତ୍ମିକ ତତ୍ତ୍ଵ ସମ୍ବଳିତ । ଏଥିରୁ ସ୍ପଷ୍ଟ ଅନୁମିତ ହୁଏ ଯେ, ପଞ୍ଚସଖା ଯୁଗ (ଷୋଡ଼ଶ ଶତାବ୍ଦୀ) ପର୍ଯ୍ୟନ୍ତ ଗଦ୍ୟର ସେପରି ବିଧିବଦ୍ଧ ବିକାଶ ହୋଇ ନାହିଁ, ପୁଣି ଏହି ସମୟର ଗଦ୍ୟ କେତେକାଂଶରେ ପଦ୍ୟାତ୍ମକ । ‘ସୋମନାଥ ବ୍ରତକଥା’ ସପ୍ତଦଶ ଶତାବ୍ଦୀର ଅନ୍ୟତମ ଗଦ୍ୟ ରଚନା ହୋଇଥିଲେହେଁ ସପ୍ତଦଶ ଶତାବ୍ଦୀର ଗଦ୍ୟରଚନାର ବଳିଷ୍ଠ ଭିତ୍ତିଭୂମି ପ୍ରଦାନରେ ଏହାର ସେପରି କିଛି ଉଲ୍ଲେଖଯୋଗ୍ୟ ଅବଦାନ ନାହିଁ; ଅର୍ଥାତ୍ ସପ୍ତଦଶ ଶତାବ୍ଦୀରେ ଏହି ଖଣ୍ଡିଏ ଗଦ୍ୟରଚନା ବ୍ୟତୀତ ଅନ୍ୟ ଉଲ୍ଲେଖଯୋଗ୍ୟ ଗଦ୍ୟରଚନା ଦେଖିବାକୁ ମିଳେ ନାହିଁ ।

 

ଅଷ୍ଟାଦଶ ଶତାବ୍ଦୀରେ କାବ୍ୟ ବିଶେଷ ଉତ୍କର୍ଷଲାଭ କରିଥିଲେହେଁ ଗଦ୍ୟ ପ୍ରତି ଧ୍ୟାନ ଦିଆଯାଇନାହିଁ । ତଥାପି ବ୍ରଜନାଥ ବଡ଼ଜେନାଙ୍କର ‘ଚତୁର ବିନୋଦ’ ଗଦ୍ୟ ଗ୍ରନ୍ଥଟି ଓଡ଼ିଆ ଗଦ୍ୟସାହିତ୍ୟର ବିକାଶ ଦିଗରେ ସଙ୍କେତ ପ୍ରଦାନ କଲା । ଏହାର ଭାଷା ସରଳ । ଏକ ମୁଖ୍ୟ କାହାଣୀକୁ ବହୁ ଉପକାହାଣୀ ମାଧ୍ୟମରେ ହାସ୍ୟବିନୋଦ, ରସବିନୋଦ, ନୀତିବିନୋଦ ଓ ପ୍ରୀତିବିନୋଦ ନାମକ ଚାରୋଟି ବିଭାଗରେ ବର୍ଣ୍ଣନା କରାଯାଇଅଛି । ପରବର୍ତ୍ତୀ କାଳରେ ଓଡ଼ିଆ ଗଦ୍ୟ ସାହିତ୍ୟର ବିକାଶ ଦିଗରେ ଏହା ଯଥେଷ୍ଟ ସାହାଯ୍ୟ କରିଛି ।

 

ଊନବିଂଶ ଶତାବ୍ଦୀ ହିଁ ଯଥାର୍ଥରେ ଓଡ଼ିଆ ଗଦ୍ୟସାହିତ୍ୟର ବିକାଶ କାଳ । ଏହି ସମୟରେ ଗଦ୍ୟ ତା’ର ବହୁମୁଖୀ ବିକାଶ ଦିଗରେ ଗତି କରିଥିଲା । ୧୮୦୩ ମସିହାରେ ଇଂରେଜମାନେ ଓଡ଼ିଶା ଆକ୍ରମଣ କଲେ । ସେମାନେ ଓଡ଼ିଶାକୁ ଅଧିକାର କଲାପରେ ଖ୍ରୀଷ୍ଟଧର୍ମ ପ୍ରଚାର ପାଇଁ ଓଡ଼ିଆ ଭାଷାରେ ବାଇବେଲ୍ ଅନୁବାଦ କଲେ । ୧୮୧୧ ମସିହାରେ ଶ୍ରୀରାମପୁର ମିସନାରୀମାନଙ୍କ ଦ୍ଵାରା ପ୍ରଥମକରି ବାଇବେଲ୍ ଅନୂଦିତ ହେଲା । ୧୮୨୬ ମସିହାରେ ନିଉଟେଷ୍ଟାମେଣ୍ଟ ଗ୍ରୀକ୍‌ଭାଷାରୁ ଅନୂଦିତ ହୋଇ ପ୍ରକାଶିତ ହେଲା । ୧୮୪୯ ମସିହାରେ ‘ଜ୍ଞାନାରୁଣ; ପତ୍ରିକା ରେଭେରେଣ୍ଡ ଲେସିଙ୍କ ସମ୍ପାଦନାରେ ପ୍ରକାଶିତ ହେଲା । ଓଡ଼ିଆ ଗଦ୍ୟର ବିକାଶ ଦିଗରେ ଖ୍ରୀଷ୍ଟାନ୍ ମିସନାରୀମାନଙ୍କର ଚେଷ୍ଟା ବାସ୍ତବିକ–ଅଭିନନ୍ଦନୀୟ । ନିଜର ଧର୍ମପ୍ରଚାର କରିବାକୁ ସେମାନେ ବାଇବେଲ୍ ପ୍ରଭୃତି ଅନୁବାଦ କରିଥିଲେ । ତାହା ପରୋକ୍ଷରେ ଗଦ୍ୟର ବିକାଶ ଦିଗରେ ଯଥେଷ୍ଟ ସାହାଯ୍ୟ କଲା । ବାସ୍ତବିକ ପରୋକ୍ଷରେ ଏହା ଓଡ଼ିଆ ଗଦ୍ୟସାହିତ୍ୟ ପ୍ରତି ଏକ ଆଶୀର୍ବାଦ । ଏହି ସମୟରେ ମୁଦ୍ରାଯନ୍ତ୍ରର ବିକାଶ ଓ ପ୍ରତିଷ୍ଠା ଫଳରେ ଓଡ଼ିଆ ପତ୍ରିକା ପ୍ରକାଶିତ ହେଲା । ୧୮୬୬ ମସିହାରେ କଟକରୁ କର୍ମଯୋଗୀ ଗୌରୀଶଙ୍କରଙ୍କ ସମ୍ପାଦନାରେ ‘ଉତ୍କଳ ଦୀପିକା’ ୧୮୬୮ ମସିହାରେ ବାଲେଶ୍ଵରରୁ ଗୋବିନ୍ଦ ଚନ୍ଦ୍ର ପଟ୍ଟନାୟକଙ୍କ ସମ୍ପାଦନାରେ ‘ସମ୍ବାଦବାହିକା’ ଏବଂ ସମ୍ବଲପୁରରୁ ନୀଳମଣି ବିଦ୍ୟାରତ୍ନଙ୍କ ସମ୍ପାଦନାରେ ‘ସମ୍ବଲପୁର ହିତୈଷିଣୀ’ ପ୍ରକାଶିତ ହୋଇ ଓଡ଼ିଆ ଗଦ୍ୟ ସାହିତ୍ୟର ବିକାଶ ଦିଗରେ ଯଥେଷ୍ଟ ସାହାଯ୍ୟ କଲା । ଏହା ବ୍ୟତୀତ ଏ ଯୁଗରେ ଉତ୍କଳ ମଧୁପ; ଉତ୍କଳ ପୁତ୍ର, ଉତ୍କଳ ଦର୍ପଣ, ଇନ୍ଦ୍ରଧନୁ, ବିଜୁଳି, ଉତ୍କଳ ସାହିତ୍ୟ ଆଦି ବହୁ ପତ୍ରପତ୍ରିକା ପ୍ରକାଶିତ ହୋଇ ଓଡ଼ିଆ ଗଦ୍ୟସାହିତ୍ୟର ଅଭୂତପୂର୍ବ ଉନ୍ନତି ସାଧନ କରିଥିଲା । ୧୮୭୩ ମସିହାରେ ‘ଉତ୍କଳ ଦର୍ପଣ’ରେ ପ୍ରକାଶିତ ରାଧାନାଥଙ୍କର ‘ବିବେକୀ’ ପ୍ରବନ୍ଧ ହିଁ ଯଥାର୍ଥରେ ଆଧୁନିକ ଓଡ଼ିଆ ଗଦ୍ୟ ସାହିତ୍ୟର ପ୍ରଥମ ସାର୍ଥକ ନିଦର୍ଶନ । ଏ ଯୁଗରେ ଉମେଶ ଚନ୍ଦ୍ର ସରକାରଙ୍କର ‘ପଦ୍ମମାଳୀ’ ଉପନ୍ୟାସ, ରାମଶଙ୍କର ରାୟଙ୍କର ‘କବାସିନୀ’ ଗୋପାଳବଲ୍ଲଭ ଦାସଙ୍କର ‘ଭୀମାଭୁୟାଁ’ ଏବଂ ଫକୀରମୋହନଙ୍କ ‘ଛମାଣ ଆଠଗୁଣ୍ଠ’ ଲଛମା, ମାମୁ, ପ୍ରାୟଶ୍ଚିତ ଉପନ୍ୟାସମାନ ଓଡ଼ିଆ ଗଦ୍ୟର ବହୁମୁଖୀ ଦିଗ ପ୍ରତି ବିକାଶ କ୍ରମର ଇଙ୍ଗିତ ପ୍ରଦାନ କଲେ । ଏ ସମୟରେ ଭକ୍ତକବି ମଧୁସୂଦନ ରାଓ, ପ୍ୟାରିମୋହନ ଆଚାର୍ଯ୍ୟ, କାମପାଳ ମିଶ୍ର, ନନ୍ଦକିଶୋର ବଳ, ରାମଶଙ୍କର ରାୟ, ଗୋପାଳଚନ୍ଦ୍ର ପ୍ରହରାଜ, କୁଳବୃଦ୍ଧ ମଧୁସୂଦନ ଦାସ, ଗଙ୍ଗାଧର ମେହେର ଓ ଉତ୍କଳ ସାହିତ୍ୟର ସମ୍ପାଦକ ବିଶ୍ଵନାଥ କର ପ୍ରଭୃତି ବହୁ ଭାବରେ ଓଡ଼ିଆ ଗଦ୍ୟସାହିତ୍ୟକୁ ସମୃଦ୍ଧ କରିଅଛନ୍ତି ।

 

ଫକୀରମୋହନଙ୍କ ସମୟରେ ସତ୍ୟବାଦୀ ଗୋଷ୍ଠୀର ବରେଣ୍ୟ ସାହିତ୍ୟ ସାଧକମାନେ ବିଭିନ୍ନ ଦିଗରୁ ଗଦ୍ୟ ରଚନାକରି ଓଡ଼ିଆ ସାହିତ୍ୟରେ ନବଦିଗନ୍ତର ସୂଚନା ଦେଲେ । ସେମାନଙ୍କ ଗଦ୍ୟ ଅପେକ୍ଷାକୃତ ସରଳ । ଜାତୀୟତା, ଜାତିର ଐତିହ୍ୟ ଚିନ୍ତା ମହାମାନବିକ ଭାବଧାରାରେ ସେମାନଙ୍କ ଗଦ୍ୟଗୁଡ଼ିକ ରୁଦ୍ଧିମନ୍ତ । ଗୋପବନ୍ଧୁ ଦାସଙ୍କ ‘ସତ୍ୟବାଦୀ’ ପତ୍ରିକା ଏବଂ ‘ସମାଜ’ ଉତ୍କଳର ଗଦ୍ୟସାହିତ୍ୟର ବିକାଶ ଦିଗରେ ଯଥେଷ୍ଟ ସାହାଯ୍ୟ କରିଛି । ଏ ଯୁଗରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ନୀଳକଣ୍ଠ ଦାସ, ଗୋଦାବରୀଶ ମିଶ୍ର, କୃପାସିନ୍ଧୁ ମିଶ୍ର, ଆଚାର୍ଯ୍ୟ ହରିହର ଆଦି ହେଲେ ପ୍ରଧାନ ସାଧକ । ଏମାନଙ୍କ ବ୍ୟତୀତ ସବୁଜ ଯୁଗୀୟ କବି ଓ ସାହିତ୍ୟିକମାନଙ୍କ ଦ୍ଵାରା ମଧ୍ୟ ଓଡ଼ିଆ ସାହିତ୍ୟ ବହୁଭାବେ ଋଦ୍ଧିମନ୍ତ ହେଲା । ଗୋଦାବରୀଶ ମହାପାତ୍ର, କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର, କୁନ୍ତଳା କୁମାରୀ ସାବତ ପ୍ରଭୃତି ମଧ୍ୟ ଓଡ଼ିଆ ଗଦ୍ୟ ରଚନା କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଅଛନ୍ତି । ଓଡ଼ିଆ ସମାଲୋଚନା ସାହିତ୍ୟ ଓ ପ୍ରବନ୍ଧ କ୍ଷେତ୍ରରେ ବିପିନବିହାରୀ ରାୟ, ରତ୍ନାକର ପତି, ଶଶିଭୂଷଣ ରାୟ, ବ୍ରଜବିହାରୀ ମହାନ୍ତି, ଆର୍ତ୍ତବଲ୍ଲଭ ମହାନ୍ତି, କାଳିନ୍ଦୀଚରଣ ପାଣିଗ୍ରାହୀ ପ୍ରମୁଖ ପ୍ରତିଷ୍ଠା ଅର୍ଜନ କରିଅଛନ୍ତି । ଏମାନଙ୍କ ବ୍ୟତୀତ ଚଳିତ ଶତାବ୍ଦୀରେ କୁଞ୍ଜବିହାରୀ ତ୍ରିପାଠୀ, ଗୋଲକବିହାରୀ ଧଳ, କାହ୍ନୁଚରଣ ମିଶ୍ର, ଗୋପାଳଚନ୍ଦ୍ର ମିଶ୍ର, ବଂଶୀଧର ମହାନ୍ତି, ଖଗେଶ୍ଵର ମହାପାତ୍ର, ନରେନ୍ଦ୍ର ନାଥ ମିଶ୍ର, ଚିତ୍ତରଞ୍ଜନ ଦାସ, ବାରିଷ୍ଟର ଗୋବିନ୍ଦ ଦାସ, ଶ୍ରୀନିବାସ ମିଶ୍ର, ଶ୍ରୀହର୍ଷ ମିଶ୍ର, କୃଷ୍ଣପ୍ରସାଦ ମିଶ୍ର, ଶ୍ରୀ ରାମଚନ୍ଦ୍ର ଦାଶ, ହରେକୃଷ୍ଣ ମହତାବ, ବୈଦ୍ୟନାଥ ମିଶ୍ର, ଡଃ ଅସିତ କବି, ନିତ୍ୟାନନ୍ଦ ମହାପାତ୍ର, ରତ୍ନାକର ଚଇନି, ବୈଷ୍ଣବ ସାମଲ ଗୋପୀନାଥ ମହାନ୍ତି, କୃଷ୍ଣଚରଣ ବେହେରା, ମହାପାତ୍ର ନୀଳମଣି ସାହୁ, ମନୋଜ ଦାସ ସର୍ବେଶ୍ଵର ଦାସ, ଅଧ୍ୟାପକ ନୃସିଂହ ଷଡ଼ଙ୍ଗୀ, ନିତ୍ୟାନନ୍ଦ ଶତପଥୀ ପ୍ରମୁଖ ବହୁ ବିଶିଷ୍ଟ ସାହିତ୍ୟିକମାନେ ସାହିତ୍ୟର ବିଭିନ୍ନ ଗଦ୍ୟଧର୍ମୀ ଦିଗ ଉପରେ ଲେଖନୀ ଚଳାଇ କୃତିତ୍ଵ ଅର୍ଜନ କରିଛନ୍ତି ।

 

ସାମ୍ପ୍ରତିକ ସମୟ ପ୍ରଗତିର ସମୟ । ମଣିଷ ଏହି ଯୁଗ ଚେତନାର ଏକ ବିଶ୍ୱସ୍ତ ବାର୍ତ୍ତାବହ ହୋଇପଡ଼ିଛି । ତେଣୁ ଯୁଗ ସହ ତାଳ ଦେଇ ଚାଲିବା ସାହିତ୍ୟର ଧର୍ମ ହୋଇପଡ଼ିଥିବାରୁ ସାହିତ୍ୟିକ ସେଥିରୁ ନିବୃତ ରହିନାହିଁ । ତେଣୁ ଓଡ଼ିଆ ଗଦ୍ୟ ସାହିତ୍ୟ ମଧ୍ୟ ଏହି ପଥରେ ଯଥେଷ୍ଟ ଅଗ୍ରଗତି କରୁଛି । ଗଦ୍ୟ ସାହିତ୍ୟର କ୍ରମବିକାଶ ଏହିପରି ଭାବେ ଘଟିଛି ଓ ସାମ୍ପ୍ରତିକ କାଳରେ ଏହାର ପ୍ରାଧାନ୍ୟ ସବୁଠାରୁ ବେଶି ଉପଲବ୍ଧି କରାଯାଉଛି । ଆଜିର ଯୁଗ କବିତାର ଯୁଗ ନୁହେଁ, ଏହା ଗଦ୍ୟର ଯୁଗ, ତେଣୁ ଓଡ଼ିଆ ସାହିତ୍ୟରେ ମଧ୍ୟ ଏହାର ବହୁ ପରୀକ୍ଷା ନିରୀକ୍ଷା ହୋଇ ଚାଲିଛି-

 

ଏହି ପରୀକ୍ଷା ନିରୀକ୍ଷା ଯେଭଳି ଓଡ଼ିଆ ସାହିତ୍ୟର ପ୍ରବନ୍ଧ, ସମାଲୋଚନା, ଉପନ୍ୟାସ, କ୍ଷୁଦ୍ରଗଳ୍ପ, ଆଦିରେ ପ୍ରୟୋଗ ହୋଇଛି ଭ୍ରମଣ ସାହିତ୍ୟରେ ମଧ୍ୟ ତା’ର ଠିକ୍ ସେହିପରିଭାବେ ପ୍ରୟୋଗ ହୋଇଛି । ସାମ୍ପ୍ରତିକ କାଳରେ ଓଡ଼ିଆ ସାହିତ୍ୟକୁ ‘ଭ୍ରମଣ ସାହିତ୍ୟ’ ସୃଷ୍ଟି ଯଥେଷ୍ଟ ବଳିଷ୍ଠ ଭିତ୍ତିଭୂମି ଯୋଗାଇ ଆମ ସାହିତ୍ୟକୁ ଆମର ପ୍ରାନ୍ତୀୟ ସାହିତ୍ୟ ସହିତ ସମଗତିରେ ଚାଲିବାକୁ ଇଙ୍ଗିତ ପ୍ରଦାନ କରିଛି । ତେଣୁ ‘ଭ୍ରମଣ ସାହିତ୍ୟ’ ଓଡ଼ିଆ ସାହିତ୍ୟରେ ଯଥେଷ୍ଟ ବିଳମ୍ବରେ ବିକାଶଲାଭ କରିଥିଲେହେଁ ତା’ର ଗୁରୁତ୍ଵ ଓ ଆବଶ୍ୟକତା ଯଥେଷ୍ଟ ଉପଲବ୍ଧ ହୁଏ ।

 

ଓଡ଼ିଆ ଭ୍ରମଣ ସାହିତ୍ୟର ବିକାଶକ୍ରମ

 

ଭ୍ରମଣ ପିପାସା ଏକ ଚିରନ୍ତନ ଓ ଆଦିମ ପିପାସା । ତେଣୁ ଯୁଗେ ଯୁଗେ ମଣିଷର ଭ୍ରମଣ ପିପାସା ତାକୁ ଭ୍ରମଣ ନିମିତ୍ତ ପ୍ରେରଣା ଦେଇ ଆସିଛି । ଏହି ପିପାସାର ଅନ୍ତରାଳରେ ଜ୍ଞାନ ଦିଗନ୍ତର ପ୍ରସାର ଏକାନ୍ତଭାବେ ପ୍ରଚ୍ଛନ୍ନ । ଏହି ଉଦ୍ଦେଶ୍ୟ ହେତୁରୁ ମାନବ ହୁଏତ ଭ୍ରମଣ ନିମନ୍ତେ ଉଚ୍ଛନ୍ନ ହୋଇଛି । ତା’ର ମୌନ ମନ ଚାହିଁଛି ଅଧିକ ଅଧ୍ୟୟନ ଓ ଅନୁଭୂତି । ଏସପ୍‌ଟ ଅଗଷ୍ଟାଇନ ଏକଦା ମତବ୍ୟକ୍ତ କରିଥିଲେ–‘ପୃଥିବୀ ଏକ ବିରାଟ ଗ୍ରନ୍ଥ । ଯେଉଁମାନେ ଘରୁ ଗୋଡ଼ କାଢ଼ି ନାହାନ୍ତି ସେମାନେ ଏ ବିଶାଳ ଗ୍ରନ୍ଥର ଗୋଟିଏ ପୃଷ୍ଠା ମଧ୍ୟ ଅଧ୍ୟୟନ କରିଛନ୍ତି ।’ ଏହି ଉକ୍ତିଟି ରବୀନ୍ଦ୍ରନାଥଙ୍କ ଭାଷାରେ ପରିବର୍ତ୍ତିତ ହୋଇ ଏହିପରି ରୂପ ପାଇଛି ଯେ–‘ପୃଥିବୀରେ ଗୋଟିଏ ମାତ୍ର ବହି ଅଛି, ଯାହାର ନାମ ଦୁଇଟି ପୃଷ୍ଠାର ବହି । ସେ ବହିଟିର ଗୋଟିଏ ପୃଷ୍ଠା ଆକାଶ ଓ ଅନ୍ୟ ପୃଷ୍ଠାଟି ପୃଥିବୀ । ସେ ଦୁଇ ପୃଷ୍ଠାକୁ ସମଗ୍ର ଜୀବନ ବିନିମୟରେ ଅଧ୍ୟୟନ କରାଯାଇପାରେ-।’ ଚୀନ ଦେଶରେ ମଧ୍ୟ ଗୋଟିଏ ପ୍ରବାଦ ଅଛି ଯେ–‘ପାଞ୍ଚବର୍ଷ ବିଦ୍ୟାଳୟରେ ପଢ଼ିବା ଯାହା ବର୍ଷେ ବାହାରେ ବୁଲି ଆସିବା ତାହା ।’

 

ଏହି ଭ୍ରମଣ ନିମନ୍ତେ ମଣିଷ ମନ ଭିତରେ ଲୁକ୍‌କାୟିତଭାବେ ଅଛି ଏକ ଯାଯାବର ମନୋବୃତ୍ତି ଏବଂ ପ୍ରାକ୍ଇତିହାସର ଧନୁତୀରଧାରୀ ଭ୍ରାମ୍ୟମାଣ ଆଦିମ ମନୁଷ୍ୟର ପ୍ରେରଣା । ସେଇ କହେ, ବାହାରି ଆସ ଏ ସାଂସାରିକ ବନ୍ଦୀଶାଳରୁ । ଚାରିକାନ୍ଥ ଭିତରେ କେବଳ ସ୍ୱାର୍ଥପର ମନୋବୃତ୍ତିହିଁ ବାନ୍ଧିହୋଇ ରହିଛି । ଦେଖ, ଦୂର ଦିଗ୍‌ବଳୟ ପରେ ଅଛି ନୂତନ ଆକାଶ, ନୂତନ ତାରା, ଶ୍ୟାମଳବନାନୀ, ମୁକ୍ତ ସମୀରଣ ।

 

ଉପରୋକ୍ତ ମତବାଦର ଅନ୍ତଃସ୍ଥଳରେ ଥିଲା ମଣିଷର ଭ୍ରମଣ ପାଇଁ ସ୍ଵହୃଦୟାବେଗ ଓ ଜ୍ଞାନଲାଭର ପ୍ରଚଣ୍ଡ ପିପାସା ।

 

ଭ୍ରମଣ ସାହିତ୍ୟର ସ୍ୱରୂପ:- ଊନବିଂଶ ଶତାବ୍ଦୀର ଇଂରେଜ ଶିକ୍ଷା ଓ ସଭ୍ୟତାର ପ୍ରସାର ଓ ପ୍ରଚାର କେବଳ ରାଜନୀତି କ୍ଷେତ୍ରରେ ଯେ ପରିବର୍ତ୍ତନର ଆବହନୀ ହେଲା ଏକଥା ନୁହେଁ, ଅଧିକନ୍ତୁ ସାହିତ୍ୟର ଦିଗନ୍ତକୁ କଲା ପ୍ରସାରିତ । କାବ୍ୟକବିତାର ପରମ୍ପରାରୁ ମୁକ୍ତିଲାଭ କରି ଓଡ଼ିଆ ସାହିତ୍ୟକ୍ଷେତ୍ରରେ ଜନ୍ମଲାଭ ନେଲା ଗଦ୍ୟ ସାହିତ୍ୟ ଓ ଏହି ଗଦ୍ୟସାହିତ୍ୟର ବଳିଷ୍ଠ ବିକଶିକତା ପରେ ସୃଷ୍ଟିଲାଭ କଲା ଭ୍ରମଣ ସାହିତ୍ୟ । ଭ୍ରମଣ ସାହିତ୍ୟ ବୃତ୍ତାନ୍ତ ନୁହେଁ ବା ଚରିତ ନୁହେଁ । ଏହା ହେଲା ସାହିତ୍ୟର ଏକ ଅଂଶ । କବିତା, ନାଟକ, ଉପନ୍ୟାସ, ଗଳ୍ପ ଓ ସମାଲୋଚନା ପରି ଭ୍ରମଣ କାହାଣୀ ମଧ୍ୟ ସାହିତ୍ୟର ସମ୍ମାନ ପାଇଲା । ସ୍ରଷ୍ଟାର ମାନସ ମନ୍ଦିରରୁ ଜନ୍ମଲାଭ କରି ତା’ର ବାସ୍ତବ ଅନୁଭୂତି ସହ ହୃଦୟାବେଗ, ଆନନ୍ଦ ପୁଲକ, ଅଶ୍ରୁ ବିଷାଦର ମୂର୍ଚ୍ଛନାରେ ଅନୁରଞ୍ଜିତ ହୋଇ ସୃଷ୍ଟି କଲା ଏକ ସୁମଧୁର ରାଗିଣୀ, ଫଳରେ ତାହାହିଁ ହେଲା ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଭ୍ରମଣ କାହାଣୀ-। ଫଳସ୍ଵରୂପ ଓଡ଼ିଆ ସାହିତ୍ୟ ହେଲା ବିଭବଶାଳୀ ଓ ବୈଭବମୟୀ ଏକ ବିଚିତ୍ର ତୁଷାର ରମଣୀ-।’ (୧)

 

ଭ୍ରମଣ ସାହିତ୍ୟ ହେଉଛି ଏକ ତଥ୍ୟଭିତ୍ତିକ କଳା । ସ୍ଥାନ ସମ୍ପର୍କିତ ଯଥାଯଥ ବିବରଣୀ ଏଥିରେ ପ୍ରଦତ୍ତ ହେବା ଏକାନ୍ତଭାବରେ ବିଧେୟ ହୋଇଥିବାରୁ ଭ୍ରମଣ କାହାଣୀର ସ୍ରଷ୍ଟା ସୃଷ୍ଟଶୀଳ ସାହିତ୍ୟ ସ୍ରଷ୍ଟାଙ୍କ ପରି ସ୍ୱାଧୀନତା ପାଇ ନ ଥାଏ । ସେ ଏଠାରେ ପ୍ରଥମ ପୁରୁଷଭାବେ କାର୍ଯ୍ୟ ସମ୍ପାଦନ କରେ । ତା’ର କଳ୍ପନା ବିଳାସରେ ନଥାଏ ସ୍ଵାଧୀନତା । ସ୍ରଷ୍ଟାର ସୃଜନୀ ଶକ୍ତିର ସାର୍ଥକ ପରିଚୟ ଏଥିରୁ ମିଳିବା ସାଧାରଣତଃ କଷ୍ଟସାଧ୍ୟ ହୋଇଥାଏ ଏବଂ ଏଥିରେ ପ୍ରତିଭାର ଯଥେଷ୍ଟ ଆବଶ୍ୟକତା ଉପଲବ୍ଧ ହୁଏ । ଭ୍ରମଣ ସାହିତ୍ୟ ଦେଶ ଦେଶ, ଜାତି ଜାତି ମଧ୍ୟରେ ସାଂସ୍କୃତିକ ସମନ୍ଵୟଭାବ ସମ୍ପ୍ରସାରଣ ଓ ବହୁବିଧ ଦୃଷ୍ଟିକୋଣର ବିକାଶ ଦିଗରେ ସହାୟତା କରିଥାଏ । ଏହା ବ୍ୟକ୍ତିର ବର୍ହିଜଗତ ସମ୍ପର୍କିତ ଜ୍ଞାନପିପାସାର ଏକ ମନ୍ମୟ ଆଲେଖ୍ୟ । ବ୍ୟକ୍ତି ଅନ୍ତରର କୂପମଣ୍ଡୁକତ୍ଵ ଦୂରୀଭୂତକରି ଏକ ବ୍ୟାପକ ମନୋଭାବର ସୃଷ୍ଟି ଦିଗରେ ଏହା ହୋଇଥାଏ ସମ୍ପୂର୍ଣ୍ଣଭାବେ ସହାୟକ ।

 

(୧) ରମେଶଚନ୍ଦ୍ର ବିଶ୍ୱାଳଙ୍କ ‘ଭ୍ରମଣ ସାହିତ୍ୟ’ ପ୍ରବନ୍ଧର ସାହାଯ୍ୟରେ ।

 

ଭ୍ରମଣ ସାହିତ୍ୟର ପୃଷ୍ଠଭୂମି:-ଭ୍ରମଣ ସାହିତ୍ୟର ପୃଷ୍ଠଭୂମିରେ ରହିଛି ବିଦେଶୀ ସାହିତ୍ୟର ଯଥେଷ୍ଟ ଅବଦାନ । ବିଶ୍ୱସାହିତ୍ୟର ପରିପ୍ରେକ୍ଷୀରେ ଭ୍ରମଣ ସାହିତ୍ୟର ଇତିବୃତ୍ତି ପର୍ଯ୍ୟାଲୋଚନା ସମୟରେ ଭ୍ରମଣ ସାହିତ୍ୟର ନବାରୁଣ ସର୍ବପ୍ରଥମେ ଫ୍ରାନ୍‌ସର ସାହିତ୍ୟାକାଶରେ ଉଦିତ ହୋଇଥିଲା ବୋଲି ବହୁ ଆଲୋଚକ ମତ ପ୍ରଦାନ କରିଛନ୍ତି । ଏହା ବିକଶିତ ରୂପ ନେଇଛି Antone ଏବଂ R.H. Stevensonଆଦିଙ୍କ ହାତରେ । ପରବର୍ତ୍ତୀକାଳରେ ଏହା E.M. Forstorଙ୍କ passage to india, କକ୍‌ଙ୍କ ‘ଚାଇନା ଓ ଭାରତ’ ସମ୍ପର୍କିତ ଗ୍ରନ୍ଥରେ ଭ୍ରମଣ ସାହିତ୍ୟ ବିକଶିତ ହୋଇଛି । ଫ୍ରାନ୍‌ସର Antonedଙ୍କର Night Train ଏହି ସମୟର ଏକ ସାର୍ଥକ ଭ୍ରମଣ ଗ୍ରନ୍ଥ । ବିଶ୍ୱର ବହୁ ଦେଶରେ ଏହା ପରେ ପରେ ଭ୍ରମଣ କାହାଣୀ ସାହିତ୍ୟିକ ଦୃଷ୍ଟିକୋଣ ନେଇ ବିକଶିତ ହୋଇଛି । ଭାରତରେ ମଧ୍ୟ ଏହାର ପ୍ରଭାବ ଅନୁଭୂତ ହେଲା । ପ୍ରାନ୍ତୀୟ ବଙ୍ଗଳା ସାହିତ୍ୟର କବିଗୁରୁ ରବୀନ୍ଦ୍ରନାଥ ବହୁ ଭ୍ରମଣ କାହାଣୀ ରଚନା କରିଥିବାର ଲକ୍ଷ୍ୟ କରାଯାଏ । ତାଙ୍କର ପରେ ପରେ ରାମନାଥ ରାହୁଳ, ଦେବେନ୍ଦ୍ର ସତ୍ୟାର୍ଥୀ, ବିଭୂତି ଭୂଷଣ ବନ୍ଦୋପାଧ୍ୟାୟ ପ୍ରମୁଖ ଭ୍ରମଣ ସାହିତ୍ୟର ଦିଗନ୍ତକୁ ସୁଦୂର ପ୍ରସାରୀ-କରିବାରେ ସହାୟକ ହୋଇଛନ୍ତି ।

 

ଆମର ପ୍ରାଚୀନ ସାହିତ୍ୟ ଓ ପରମ୍ପରାପ୍ରତି ପୁରୋଦୃଷ୍ଟିପାତ କଲେ ବୋଧହୁଏ ସର୍ବପ୍ରଥମେ ଧର୍ମୀୟ ସମ୍ପ୍ରଦାୟ ଆମର ଦୃଷ୍ଟି ଆକର୍ଷଣ କରନ୍ତି । ବୌଦ୍ଧଧର୍ମାବଲମ୍ବୀମାନଙ୍କ ମଧ୍ୟରେ ଭ୍ରମଣମାନଙ୍କର ପର୍ଯ୍ୟଟନ, ତଥା ମହିମାଧର୍ମାଲଲମ୍ବୀମାନଙ୍କର ଦେଶାଟନ ଇତ୍ୟାଦି ଭ୍ରମଣର ପରିସରଭୁକ୍ତ ହେଲେ ମଧ୍ୟ–ସେମାନଙ୍କର ଅନୁଭୂତିକୁ ଭ୍ରମଣ ସାହିତ୍ୟର ପର୍ଯ୍ୟାୟଭୁକ୍ତ କରାଯାଇ ନପାରେ । କାରଣ ଆବେଗବିହୀନ ଅନିଚ୍ଛା ଭ୍ରମଣ ଉଦ୍ଦେଶ୍ୟ ସିଦ୍ଧିରେ ବେଶ୍ ସହାୟତା କରିପାରେ କିନ୍ତୁ ରସସିକ୍ତ ସାହିତ୍ୟ ସୃଷ୍ଟି ପାଇଁ ସହାୟକ ହୋଇ ନପାରେ । ଓଡ଼ିଆ ଭ୍ରମଣ ସାହିତ୍ୟର ଇତିବୃତ୍ତ ଆଲୋଚନାର ପରିପ୍ରେକ୍ଷୀରେ ପୁରାଣ ସାହିତ୍ୟ ସ୍ୱତଃ ସ୍ମୃରିତ ହୋଇଥାଏ । ପୁରାଣ ସାହିତ୍ୟରେ ଏହି ଭ୍ରମଣ କଥା ବିପୁଳ ଅଥଚ ଆଲୌକିକଭାବେ ବର୍ଣ୍ଣିତ ହୋଇଛି । ନାରଦଙ୍କର ତିନିପୁର ଭ୍ରମଣ ଓ ଗଣେଶ, କାର୍ତ୍ତିକ ଆଦି ଦେବତାମାନଙ୍କର ତୀର୍ଥାଟନକୁ ଭ୍ରମଣ ପର୍ଯ୍ୟାୟଭୁକ୍ତ କରାଯାଇପାରେ, ଯଦିବା ଭ୍ରମଣ ସାହିତ୍ୟର ଗୌରବ ତା’ଠାରେ ପ୍ରଦାନକରିବା ଧୃଷ୍ଟତାର ବ୍ୟାପାର । ତେବେ ମଧ୍ୟ ଓଡ଼ିଆ ଭ୍ରମଣ ସାହିତ୍ୟ ପରମ୍ପରାର ଆଦ୍ୟ ଶଙ୍ଖଧ୍ଵନି ଯେ ସେସବୁରେ ଲହରୀତ ହୋଇଥିଲା ଏକଥା ଅସ୍ଵୀକାର କରାଯାଇନପାରେ ।

 

ଭ୍ରମଣ ସାହିତ୍ୟ ଏକ ଗଦ୍ୟାତ୍ମକ କଳା । କିନ୍ତୁ ଭ୍ରମଣକାରୀର ଦକ୍ଷତା ନେଇ ଏହା ଗଦ୍ୟ ଓ ପଦ୍ୟ ଉଭୟରେ ପ୍ରକାଶିତ ହେବା ଅଯଥାର୍ଥ ନୁହେଁ । ତେବେ ଗଦ୍ୟ, ପଦ୍ୟ ଅପେକ୍ଷା ଭାବୋଚ୍ଛ୍ୱାସକୁ ସଠିକ୍ ମାର୍ଗରେ ପ୍ରବାହିତ କରୁଥିବାର ଆଜିର ଭ୍ରମଣ କାହାଣୀ ଗଦ୍ୟମୁଖୀ । କିନ୍ତୁ ପ୍ରାଚୀନ ଓଡ଼ିଆ ପଦ୍ୟ ସାହିତ୍ୟରେ ଭ୍ରମଣ କାହାଣୀ ମନରେ ଦୃଶ୍ୟପଟ ପ୍ରତିଫଳିତ କରାଉଥିଲା । ପ୍ରାଚୀନ ପଦ୍ୟ-ସାହିତ୍ୟରେ ବିଦେଶାଗମନର ଚିତ୍ର ସ୍ୱଳ୍ପ ହେଲେହେଁ ସୁଲଭ । ବୋଧହୁଏ ନରସିଂହ ସେଣଙ୍କ ‘ପରିମଳା’ କାବ୍ୟରେ ଏହାର ସୂଚନା ପ୍ରଥମକରି ପ୍ରଦତ୍ତ ।

 

ଯଥା–

“ବୋଇତରେ ବସାଇ ସାଧୁ ତ ଘେନିଗଲା

ସିଂହଳ ଦ୍ୱୀପରେ ଘରେ ପ୍ରବେଶ ହୋଇଲା ।,’’

 

କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ‘ଲାବଣ୍ୟବତୀ’ରେ ଏହି ବିଦେଶାଗମନର ଚିତ୍ର ମଧ୍ୟ ଫୁଟି ଉଠିଛି–

 

“ବହିତ୍ର ଲାଗିଲା ଯାଇଁ ସିଂହଳ ଦ୍ୱୀପରେ

ସାଧବ ଯୁବତୀମାନେ ଅତି ପ୍ରମୋଦରେ

ଗଲେ ବହିତ୍ର ବନ୍ଦାଇ

ଅର୍ଘ୍ୟସ୍ଥଳୀ ମାନଙ୍କରେ ହୁଳହୁଳି ଦେଇ ।” (ଲାବଣ୍ୟବତୀ)

 

ତେବେ ଏସବୁ କବିର ବା ଲେଖକର କଳ୍ପନାଜନିତ ଭ୍ରମଣ ପିପାସୁ ମନର କଳ୍ପିତ ଅଭିବ୍ୟକ୍ତି । ଏଠାରେ ନିଜେ ଲେଖକ ଭ୍ରମଣକାରୀ ନୁହେଁ ବା ଭ୍ରମଣଜନିତ ସ୍ଥାନ ଓ ଅଭିଜ୍ଞତା ସମ୍ପର୍କରେ ତା’ର ନିର୍ଦ୍ଦିଷ୍ଟ ଧାରଣା ସୁସ୍ପଷ୍ଟ ନୁହେଁ । ତା’ଦ୍ୱାରା ସୃଷ୍ଟ ଚରିତ୍ରମାନେ କେବଳ କାଳ୍ପନିକ ଭ୍ରମଣ କରିଛନ୍ତି ମାତ୍ର । ତେଣୁ ଏହା ନିର୍ଦ୍ଦିଷ୍ଟ ଭାବେ ଭ୍ରମଣ କାହାଣୀ ନୁହେଁ, ଭ୍ରମଣଜନିତ ଏକ ଏକ ଐନ୍ଦ୍ରଜାଲିକ ଚିତ୍ର ମାତ୍ର । ତେବେ ଭ୍ରମଣ ସାହିତ୍ୟର ଏହା ହେଉଛି ପୃଷ୍ଠଭୂମି । ଏହାରି ଉପରେ କାଳକ୍ରମେ ଆମର ଭ୍ରମଣ ସାହିତ୍ୟ ବଳିଷ୍ଠ ଭିତ୍ତିଭୂମି ସ୍ଥାପନ କରି ଦଣ୍ଡାୟମାନ ହୋଇଛି ।

 

ଓଡ଼ିଆ ଭ୍ରମଣ ସାହିତ୍ୟର ଆଦି ପର୍ଯ୍ୟାୟ-ଓଡ଼ିଆ ଭ୍ରମଣ ସାହିତ୍ୟକୁ ଦୃଷ୍ଟିପାତ କଲେ ଜଣାପଡ଼େ ଯେ, ପ୍ରକୃତପକ୍ଷେ ବିଂଶ ଶତାବ୍ଦୀର ଆରମ୍ଭରେ ଅର୍ଥାତ୍ ପ୍ରାକ୍ ବିଂଶ ଶତାବ୍ଦୀରେ ଏହାର ବିକାଶ ଘଟିଛି । ଆଦ୍ୟ ଅବସ୍ଥାରେ ଏହା ଗଦ୍ୟ ଓ ପଦ୍ୟ ଉଭୟରେ ଆତ୍ମପ୍ରକାଶ କରିଥିଲା । ଓଡ଼ିଶା ସମ୍ପର୍କିତ ଏହି ଭ୍ରମଣ କାହାଣୀ ସମୂହରେ କଳ୍ପନାବିଳାସିତାର ଆଧିକ୍ୟ ପରିଲକ୍ଷିତ ହୋଇଥିବା ପରିଦୃଷ୍ଟ ହୋଇଥାଏ ।

 

ଯେତେଦୂର ସମ୍ଭବ ଓଡ଼ିଆ ଭ୍ରମଣ ବୃତ୍ତାନ୍ତ ‘ଭ୍ରମଣକାରୀର ପତ୍ର’ ଶୀର୍ଷକକୁ ଆଧାରିତ କରି ବାଲେଶ୍ଵରରୁ ପ୍ରକାଶିତ ‘ସମ୍ବାଦ ବାହିକା’ ପତ୍ରିକାରେ ପ୍ରକାଶ ପାଇଥିଲା । ଏହି ଲେଖାକୁ ଆଦ୍ୟଭ୍ରମଣ ବୃତ୍ତାନ୍ତର ସମ୍ମାନ ପ୍ରଦର୍ଶନ କରାଗଲେ ଏହାର ଜନକତ୍ଵ ଆରୋପଣ ଏକ ଦୁରୂହ ବ୍ୟାପାର ହୋଇପଡ଼ିବ । ତେବେ ସେ ଯାହାହେଉ ‘ଭ୍ରମଣକାରୀର ପତ୍ର’ ପରେ ପରେ ଏହି ସମୟରେ କେତେକ ଭ୍ରମଣ ସାହିତ୍ୟ ସୃଷ୍ଟି ହୋଇଛି । ୧୮୭୫ ମସିହାରେ ଗୋବିନ୍ଦ ରଥଙ୍କ ‘କଲିକତା ବର୍ଣ୍ଣନ’ କବିତା ରୂପରେ ପ୍ରକାଶ ପାଇବା ପରେ ପରେ ତାଙ୍କ ଲେଖନୀରୁ ଆତ୍ମପ୍ରକାଶ କରିଥିଲା–‘ମେଳା ଦର୍ଶନ’ ଓ ‘ଲାଟଦର୍ଶନ’ ।

 

ଏହି ସମୟରେ ଦାମୋଦର ପଟ୍ଟନାୟକଙ୍କଦ୍ୱାରା ରଚିତ ‘କପିଳାସ କ୍ଷେତ୍ର’ (୧୮୮୫, ଏକ ଉଲ୍ଲେଖଯୋଗ୍ୟ ଭ୍ରମଣ ସାହିତ୍ୟ ସୃଷ୍ଟି । ଏହା ପରେ ପରେ ଫକୀରମୋହନଙ୍କ ‘ଉତ୍କଳ ଭ୍ରମଣ’ ରାଧାନାଥଙ୍କ ‘ଚିଲିକା’ ଓ ‘ମହାଯାତ୍ରା’ ଆଦି କାବ୍ୟ କବିତାରେ ଭ୍ରମଣ ସମ୍ପର୍କିତ ଦୃଶ୍ୟମାନ ପରିଦୃଷ୍ଟ ହୁଏ । ୧୮୯୩ ମସିହାରେ ବାସୁଦେବ ସୁଢଳଦେବଙ୍କ ‘ଚିତ୍ରୋତ୍ପଳା’ ପ୍ରକାଶିତ ହୋଇ ଆମ ଭ୍ରମଣ ସାହିତ୍ୟ ଦିଗକୁ ଏକ ଉଲ୍ଲେଖଯୋଗ୍ୟ ଦାନ ଦେଇଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ-। ପୁଣି ୧୯୦୦ ମସିହାରେ ନୀଳମଣି ଚାନ୍ଦଙ୍କର ‘କପିଳାସ ଦର୍ଶନ’ ପଣ୍ଡିତ ବିଶ୍ଵନାଥ ରଥଙ୍କ ‘ମାଲ୍ୟଗିରି’, ମୃତ୍ୟୁଞ୍ଜୟଙ୍କ ‘ନରାଜ’, ଚିନ୍ତାମଣିଙ୍କ ‘ଧରାକୋଟ’ ଆଦି ପ୍ରକାଶିତ ହୋଇ ଉତ୍କଳ ଭ୍ରମଣ ବୃତ୍ତାନ୍ତର ଭଣ୍ଡାରକୁ ସମୃଦ୍ଧ କରିବାରେ ସହାୟକ ହେଲା ।

 

ଶଶିଭୂଷଣଙ୍କ ଦାକ୍ଷିଣାତ୍ୟ ଭ୍ରମଣ ବିଂଶ ଶତାବ୍ଦୀର ଏକ ଉଲ୍ଲେଖଯୋଗ୍ୟ ଭ୍ରମଣ ବୃତ୍ତାନ୍ତ । ତାଙ୍କ ଭ୍ରମଣ କାହାଣୀର ସଫଳ ରୂପାୟନ ଦେଖି ଫକୀରମୋହନ ଲେଖିଥିଲେ–

 

“ଆହେ ଶଶୀ କବି କଲ ଦକ୍ଷିଣ ଭ୍ରମଣ

ମାତ୍ରକେ ପଢ଼ିଲେ ତାକୁ ବୋଲ କେତେ ଜଣ ?

ନ ପଢ଼ନ୍ତେ କେହି କିନ୍ତୁ ଯାହା ଗଲ ରଖି,

ତାହା ତୁଲେ ଆଉ କୀର୍ତ୍ତି ତୁଳନା ହେବ କି ?”

 

ଆଦିଯୁଗ ଭ୍ରମଣ ସାହିତ୍ୟ ମୁଖ୍ୟତଃ ପଦ୍ୟରେ ଆତ୍ମପ୍ରକାଶ କରିଥିବାରୁ ଭ୍ରମଣ ସାହିତ୍ୟର ମୁଖ୍ୟ ଲକ୍ଷ୍ୟ ହୁଏତ କେତେକାଂଶରେ ବ୍ୟାହତ ହୋଇଛି । ସ୍ଥାନ ସମ୍ପର୍କିତ ଯଥାଯଥ ବିବରଣୀ ପଦ୍ୟମାନଙ୍କରୁ ମିଳିବା କଷ୍ଟକର ହେବା ଅଯୌକ୍ତିକ ନୁହେଁ । ଏଥିରେ କବିର କଳ୍ପନାପ୍ରବଣତା ଅଧିକ, ବାସ୍ତବତା ଅପେକ୍ଷା । ଅନୁଭୂତିର ସ୍ପର୍ଶ ଏଥିରେ ଥିଲା ସତ କିନ୍ତୁ କଳ୍ପନା ସଙ୍ଗରେ ରଞ୍ଜିତହୋଇ ତାହା ବିବର୍ଣ୍ଣ ହୋଇପଡ଼ିଥିଲା । ଗଦ୍ୟରେ ରଚିତ ସ୍ଵଳ୍ପ କେତୋଟି ବୃତ୍ତାନ୍ତ ଶୁଷ୍କ ପ୍ରାଣହୀନ, ନୀରସ ଗଦ୍ୟରେ ରଚିତ ହୋଇଥିବାରୁ ସୁଖପାଠ୍ୟ ହୋଇ ପାରିନଥିଲା ଏବଂ କେତେକ ଚିତ୍ର ମାଧ୍ୟମରେ ତାହା ପରିପ୍ରକାଶ ଲାଭକରିଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ ।

 

ଓଡ଼ିଆ ଭ୍ରମଣ ସାହିତ୍ୟର ମଧ୍ୟ ପର୍ଯ୍ୟାୟ–ବିଂଶ ଶତକର ପ୍ରଥମ ତିନି ଦଶକ ସତେ ଯେପରି ନବାରୁଣର ବର୍ଣ୍ଣାଢ୍ୟ ସମ୍ଭାରରେ ଓଡ଼ିଆ ଭ୍ରମଣ ସାହିତ୍ୟର ଆକାଶକୁ ରଞ୍ଜିତ କରିଥିଲା ପରି ମନେହେଉଥିଲା ବେଳେ ମଧ୍ୟପର୍ଯ୍ୟାୟରେ ଏହା ଅଧିକ ଉଜ୍ଜ୍ୱଳ ହୋଇ ଉଠିଥିଲା । ଏହି ସମୟରେ ରଚିତ ଭ୍ରମଣ ସାହିତ୍ୟମାନ ଓଡ଼ିଶାର ଭୌଗୋଳିକ ସୀମା ମଧ୍ୟରୁ ନିଷ୍କୃତ ଲାଭକରି ପ୍ରଧାନତଃ ଭାରତାଭିମୁଖୀ ହେଲା । ଫଳରେ ଏହି ସାରସ୍ଵତ ସମ୍ପଦଟି ଅଧିକ ବଳିଷ୍ଠ ଜୀବନ୍ତ ହୋଇ ଉଠିଲା । ଆଲୋଚ୍ୟ ସମୟରେ ଭାରତଭିତ୍ତିକ ଭ୍ରମଣ କାହାଣୀର ରଚୟିତାମାନଙ୍କ ମଧ୍ୟରେ ଓ ଭ୍ରମଣ ବୃତ୍ତାନ୍ତ ମଧ୍ୟରେ–ଫକୀରମୋହନଙ୍କ ‘ଓଲ୍‌‌ଟିୟର ଦର୍ଶନ’, ଅନନ୍ତ ନାରାୟଣ ସେନଙ୍କ ‘‘ସେତୁବନ୍ଧ ରାମେଶ୍ଵର” ଚନ୍ଦ୍ରଶେଖର ଦେବଙ୍କର ‘ଦାର୍ଜିଲିଂ’, ଶ୍ରୀ ପ୍ରବାସୀଙ୍କର ‘ରାୟପୁର’ ଶ୍ରୀ ପଥିକର ପତ୍ର, ନନ୍ଦୀଙ୍କର ଟିପା ଖାତା, ଶ୍ରୀପତି ମିଶ୍ରଙ୍କର ‘ଶିମଳା ପୁସ୍ତକ’ ଚିନ୍ତାମଣି ଆଚାର୍ଯ୍ୟଙ୍କର ‘ବାରଣାସୀ ଯାତ୍ରା’, କୁଳମଣି ଦାସଙ୍କର ‘ହିମାଳୟ ପଥେ’ କୁନ୍ତଳା କୁମାରୀଙ୍କ ‘ଦିଲ୍ଲୀ ଚିଠି’, କାଳିପ୍ରସନ୍ନ କବିଙ୍କର ‘ଉତ୍ତର-ଭାରତେ’, କୁଳମଣି ଦାସଙ୍କର ‘ହିମାଳୟ ପଥେ’ ଆଦି ଅନ୍ୟତମ । ଏହି ସମୟରେ ଭାରତଭିତ୍ତିକ ଭ୍ରମଣ କାହାଣୀ ବ୍ୟତୀତ ଓଡ଼ିଶା କୈନ୍ଦ୍ରିକ କେତେକ ଭ୍ରମଣ ବୃତ୍ତାନ୍ତ ମଧ୍ୟ ପ୍ରକାଶିତ ହୋଇଥିଲା । ଏ ପର୍ଯ୍ୟାୟରେ ତାରିଣୀ ଚରଣ ରଥଙ୍କର ‘କୁଲାଡ଼-ଦର୍ଶନ’ ଭୋଳାନାଥ ସାମନ୍ତରାୟଙ୍କ ‘ଭ୍ରମଣକାରୀର ପତ୍ର’ ଶ୍ୟାମସୁନ୍ଦର ନନ୍ଦଙ୍କ ‘ପାଲ-ଲହଡ଼ା’, ଗୋଦାବରୀଶ ମିଶ୍ରଙ୍କର ‘କୋଣାର୍କ ଦର୍ଶନ’, ଶଶିଭୂଷଣଙ୍କ ‘ଉତ୍କଳ ପ୍ରକୃତି’, ‘ଉତ୍କଳର ଋତୁଚିତ୍ର’ ଚିନ୍ତାମଣି ମହାନ୍ତିଙ୍କ ‘ଚିଲିକା ଭ୍ରମଣ’ ଏକ ଏକ ଉଲ୍ଲେଖଯୋଗ୍ୟ ସୃଷ୍ଟି ।

 

ଉକ୍ତ ସମୟର ସୀମା ମଧ୍ୟରେ ଭବିଷ୍ୟତର ଉଜ୍ଜ୍ଵଳ ବାର୍ତ୍ତାବହଭାବେ ବିଶ୍ଵମୁଖୀ କେତୋଟି ଭ୍ରମଣ କାହାଣୀ ଆତ୍ମପ୍ରକାଶ କଲା । ଓଡ଼ିଶା ଓ ଭାରତର ସୀମାରେଖା ଡେଇଁ ଭ୍ରମଣକାରୀର ଚକ୍ଷୁ ବିଦେଶର ଦିଗନ୍ତ ଉପରେ ନିବଦ୍ଧ ହେଲା । ମହେଶଚନ୍ଦ୍ର ରାୟଙ୍କ ‘ଟୋକିଓରୁ କଲିକତା’, ଏହି ସମୟର ଏକ ବିଶେଷ ଉଲ୍ଲେଖଯୋଗ୍ୟ ଭ୍ରମଣ ବୃତ୍ତାନ୍ତ । ୧୯୦୭ ମସିହାରେ ନିଜସ୍ଵ ଜାପାନ ଭ୍ରମଣ ଅନୁଭୂତିକୁ ସେ ଏଥିରେ ଲିପିବଦ୍ଧ କରିଛନ୍ତି । ୧୯୦୮ ମସିହାରେ ଶୈଳବାଳା ଦେବୀ ବିଲାତ, ୧୯୨୭ ମସିହାରେ ପ୍ରାଣକୃଷ୍ଣ ପରିଜା କେମ୍ବ୍ରିଜ ଆଦି ବିଶ୍ଵର ବହୁସ୍ଥାନ ଭ୍ରମଣ କରି ତାଙ୍କ ଅନୁଭୂତିକୁ ପ୍ରକାଶ କରିଥିଲେ । ୧୯୧୪ ମସିହାରେ ଭୁବନାନନ୍ଦ ଦାସ ବିଲାତ ଯାତ୍ରାକରି ସେଥିର ଅନୁଭୂତିକୁ ତାଙ୍କ ‘ବିଲାତ ପତ୍ର’ରେ ଲିପିବଦ୍ଧ କରିଥିଲେ । ୧୯୨୭ ମସିହାରେ ଅନ୍ନଦା ଶଙ୍କର ତାଙ୍କ ‘ବିଲାତ ଚିଠି’ରେ ବିଦେଶ ଭ୍ରମଣଜନିତ ଅନୁଭୂତିକୁ ରୂପ ଦେଇଥିଲେ । ଏହା ପରେ ପରେ ନୃସିଂହ ଚରଣ ମହାନ୍ତି ରଚନା କଲେ ‘ପଶ୍ଚିମ ପଥେ’ ଭ୍ରମଣ ବୃତ୍ତାନ୍ତ ।

 

ଆଲୋଚ୍ୟ ପର୍ଯ୍ୟାୟରେ ଡଃ ମାୟାଧର ମାନସିଂହଙ୍କ ‘ପଶ୍ଚିମ ପଥିକ, ଏକ ଉଲ୍ଲେଖଯୋଗ୍ୟ ଭ୍ରମଣ କାହାଣୀ । ପରାଧୀନ ଦେଶର ସବୁଠାରୁ ପରିଭ୍ରମଣ ଅଞ୍ଚଳର ପ୍ରତିନିଧି ଭାବରେ ସେ ଏକ ସ୍ଵାଧୀନ ଦେଶରେ ଯାହା ଅନୁଭବ କରିଛନ୍ତି, ଆହାରଣ କରିଛନ୍ତି, ସେ ସବୁକୁ ମନୋଜ୍ଞ ଶୈଳୀ ମାଧ୍ୟମରେ ଉପସ୍ଥାପନ କରିପାରିଛନ୍ତି । ଏ ସମୟର ପାଶ୍ଚାତ୍ୟ ଭ୍ରମଣ କାହାଣୀଗୁଡ଼ିକ ମୁଖ୍ୟତଃ ଥିଲା ଇଂଲଣ୍ଡ ଭିତ୍ତିକ । କାରଣ ଯେତେକ ବିଦେଶ ଯାତ୍ରା ଏ ସମୟରେ ସମ୍ଭବହୋଇଛି, ପ୍ରାୟ ସମସ୍ତ ସେହି ଇଂଲଣ୍ଡକୁ ଉଦ୍ଦେଶ୍ୟ କରି । ଏ ସମୟର ଭ୍ରମଣ ସାହିତ୍ୟଗୁଡ଼ିକରେ ଏକ ଦେଶଦର୍ଶୀ ମତ ଦେଖିବାକୁ ପ୍ରାୟତଃ ମିଳିଥାଏ । ଆଲୋଚ୍ୟ ପର୍ଯ୍ୟାୟର ଭ୍ରମଣ ବୃତ୍ତାନ୍ତ ଓଡ଼ିଆ ଭ୍ରମଣ ସାହିତ୍ୟର ଭିତ୍ତିଭୂମିକୁ ଦୃଢ଼ କରିଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ-

 

ଓଡ଼ିଆ ଭ୍ରମଣ ସାହିତ୍ୟର ସ୍ୱାଧୀନୋତ୍ତର ପର୍ଯ୍ୟାୟ–ଭାରତ ସ୍ଵାଧୀନତା ପାଇବାର ପରବର୍ତ୍ତୀ ସମୟରେ ଓଡ଼ିଆ ଭ୍ରମଣ ସାହିତ୍ୟର ରୂପରେଖରେ ଉଲ୍ଲେଖଯୋଗ୍ୟ ପରିବର୍ତ୍ତନ–ବାସ୍ତବିକ ସ୍ୱାଗତଯୋଗ୍ୟ । ତେଣୁ ଓଡ଼ିଆ ଭ୍ରମଣ ସାହିତ୍ୟ ସାର୍ଥକ ରୂପରେଖ ନେଲା ସ୍ଵାଧୀନତା ପରର ରାଚନାମାନଙ୍କରେ । ପରାଧୀନତାର ବେଷ୍ଟନୀ ମଧ୍ୟରୁ ମୁକ୍ତହେବା ପରେ ପରେ ଭ୍ରମଣକାରୀର ମନ ବିହ୍ଵଳିତ ହେଲା ସୁଦୂରର ମୋହରେ । ସୀମିତ ଦୃଷ୍ଟିକୋଣକୁ ପରିହାର କରି ଏକ ପ୍ରଶସ୍ତ ଦୃଷ୍ଟିଭଙ୍ଗୀ ପ୍ରତ୍ୟେକଟି ପାଇଁ ଏକ ଆବଶ୍ୟକତା ହୋଇପଡ଼ିଲା । ଏ ପର୍ଯ୍ୟାୟରେ ରଚୟିତାର ଦୃଷ୍ଟିଭଙ୍ଗୀ ପ୍ରସାରିତ ହୋଇ ପୂର୍ବର ‘ଗଲି ଅଇଲି’ ନ୍ୟାୟ ଏ ଯୁଗ ପାଇଁ ହୋଇପଡ଼ିଲା ଏକାନ୍ତଭାବେ ମୂଲ୍ୟହୀନ । ଫଳରେ ଏ ଯୁଗର ଭ୍ରମଣ ସାହିତ୍ୟରେ ଆତ୍ମପ୍ରକାଶ କଲା ରଚୟିତାର ଭ୍ରମଣ ସ୍ଥାନର ବିବରଣୀ ସହିତ ସେ ଦେଶର ସାଂସ୍କୃତିକ, ସାମାଜିକ ଓ ରାଜନୀତିକ ମୂଲ୍ୟବୋଧ, ଶିକ୍ଷା, ବିଜ୍ଞାନ ଓ ଧର୍ମର ରୂପରେଖ, ସହର ଓ ଗ୍ରାମ୍ୟ ଜୀବନର ଚିତ୍ର, ଜନ ସମ୍ପର୍କର ଅନୁଭୂତି, କଳା ସାହିତ୍ୟର ବିବରଣୀ ଇତ୍ୟାଦି । ଏସବୁ ସହ ଭ୍ରମଣକାରୀ ନିଜ ଦେଶର ଏହି ସମସ୍ତ ଭାବଗୁଡ଼ିକ ତୁଳନାତ୍ମକ ଦୃଷ୍ଟିକୋଣରୁ ବିଚାର କଲା । ଭ୍ରମଣକାରୀର ସୂକ୍ଷ୍ମଜ୍ଞାନ, ତୀକ୍ଷ୍‌ଣ ପର୍ଯ୍ୟବେକ୍ଷଣ ଶକ୍ତି, ତୁଳନାତ୍ମକ ଅଧ୍ୟୟନ ଓ ଆଲୋଚନା ଇତ୍ୟାଦି ଏହି ଭ୍ରମଣ କାହାଣୀର ଅନ୍ତଃପର୍ଯ୍ୟାୟକୁ ଆଲୋଡ଼ିତ କରିଛି । ଏ ପର୍ଯ୍ୟାୟର ଭ୍ରମଣ କାହାଣୀ ରଚୟିତାଭାବେ ରମେଶଚନ୍ଦ୍ର ପାଣିଗ୍ରାହୀ, ଡକ୍ଟର ରାଧାନାଥ ରଥ, ଡକ୍ଟର ଶ୍ରୀ ରାମଚନ୍ଦ୍ର ଦାଶ, ଡଃ କୁଞ୍ଜବିହାରୀ ଦାଶ, ଡଃ କୃଷ୍ଣ ପ୍ରସାଦ ମିଶ୍ର, ସୁରେନ୍ଦ୍ର ମହାନ୍ତି, ଶ୍ରୀହର୍ଷ ମିଶ୍ର, ଗୋଲକବିହାରୀ ଧଳ, ରମାରାଣୀ ମିଶ୍ର, ମନୋଜ ଦାସ, ଚିତ୍ତରଞ୍ଜନ ଦାସ, ବାରିଷ୍ଟର ଗୋବିନ୍ଦ ଦାସ, ଗୁରୁଚରଣ ପଟ୍ଟନାୟକ, ଭୁବନେଶ୍ୱର ବେହେରା ପ୍ରମୁଖଙ୍କ ନାମ ଉଲ୍ଲେଖଯୋଗ୍ୟ ।

 

ସ୍ଵାଧୀନୋତ୍ତର ଓଡ଼ିଆ ଭ୍ରମଣ ସାହିତ୍ୟ ଦେଶ ଓ ବିଦେଶ ଉଭୟକୁ ଆଧାରିତ କରି ରଚିତ ହେଲା । ସ୍ଵାଧୀନ ମାନବର ମୁକ୍ତ ସ୍ଵଚ୍ଛଙ୍କ ମନ କେବଳ ଯେ ସୁଦୂର ପାଶ୍ଚାତ୍ୟାଭିମୁଖୀ ହେଲା ଏକଥା ନୁହେଁ, ଅଧିକନ୍ତୁ ଏହା ଦେଶର ନିକଟବର୍ତ୍ତୀ ଓ ଅନ୍ତର୍ବର୍ତ୍ତୀ ସ୍ଥାନ ବର୍ଣ୍ଣନାରେ ମୁଖରିତ ହୋଇଉଠିଲା ।

 

ଏହି ସମୟର ଭ୍ରମଣ କାହାଣୀ ଉଭୟ ଓଡ଼ିଶା ଓ ବିଦେଶକୁ ନେଇ ରୂପ ପାଇଛି । ପୁଣି ଏହି ସମୟର ଭ୍ରମଣ ବୃତ୍ତାନ୍ତ ଅତ୍ୟନ୍ତ ଉଚ୍ଚକୋଟୀର ଓ ତଥ୍ୟ ସମ୍ବଳିତ ହୋଇପାରିଛି । ତେଣୁ ଆଲୋଚ୍ୟ ସମୟର ଭ୍ରମଣ ବୃତ୍ତାନ୍ତକୁ ଭ୍ରମଣକାରୀ ଦୃଷ୍ଟିକୋଣ ନେଇ ଏଠାରେ ଆଲୋଚ୍ୟ-

 

ଭ୍ରମଣକାରୀର ବହୁମୁଖୀ ଚିନ୍ତା ଓ ଚେତନାରେ ଆମର ଭ୍ରମଣ କାହାଣୀ ଋଦ୍ଧିମନ୍ତ ହୋଇଛି । ଆମର ଭ୍ରମଣ କାହାଣୀକୁ–(୧) ସହିତ୍ୟିକମାନଙ୍କର ଭ୍ରମଣ କାହାଣୀ । (୨) ରାଜନୀତିକ ବ୍ୟକ୍ତିମାନଙ୍କର ଭ୍ରମଣ କାହାଣୀ (୩) ସାହିତ୍ୟିକ ଓ ରାଜନୀତିକ ଭ୍ରମଣ କାହାଣୀ (୪) ଶିକ୍ଷାବିତ୍ ଓ ଅଧ୍ୟାପକମାନଙ୍କର ଭ୍ରମଣ କାହାଣୀ (୫) ସାମ୍ବାଦିକ ଓ ସମ୍ପାଦକମାନଙ୍କର ଭ୍ରମଣ କାହାଣୀ (୬) ସାହିତ୍ୟିକ ଓ ଦାର୍ଶନିକ ବ୍ୟକ୍ତିମାନଙ୍କର ଭ୍ରମଣ କାହାଣୀ (୭) “ଧାର୍ମିକ ବ୍ୟକ୍ତିମାନଙ୍କର ଭ୍ରମଣ କାହାଣୀ” ଭାବେ ଆଲୋଚନା କରାଯାଇପାରେ ।

 

(୧) ସାହିତ୍ୟିକମାନଙ୍କର ଭ୍ରମଣ କାହାଣୀ:–ଏହି ପର୍ଯ୍ୟାୟର ଭ୍ରମଣ କାହାଣୀରେ ସାହିତ୍ୟିକ ଭାବାବେଗ ସହ କଳ୍ପନା ବିଳାସର ସ୍ଵଚ୍ଛନ୍ଦ ପ୍ରବାହ, ସାବଲୀଳ ବର୍ଣ୍ଣନା ଶୈଳୀ ଆଦି ଦୃଷ୍ଟିଗୋଚର ହୋଇଥାଏ । ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଡଃ କୁଞ୍ଜବିହାରୀ ଦାଶଙ୍କର ପ୍ରତ୍ୟେକଟି ଭ୍ରମଣ କୃତିରେ ଏହି ଭାବ ଲକ୍ଷ୍ୟ କରାଯାଏ । ତେବେ ଏ କ୍ଷେତ୍ରରେ ବାରିଷ୍ଟର ଗୋବିନ୍ଦ ଦାସଙ୍କ ‘ଦେଶେ ଦେଶେ’ ଭ୍ରମଣ କାହାଣୀଟି ଅଧିକ ତାତ୍ପର୍ଯ୍ୟପୂର୍ଣ୍ଣ । ଏଥିରେ ସେ ନିଜର ଭ୍ରମଣଜନିତ ଅନୁଭୂତି ସହ ସାହିତ୍ୟିକ ବର୍ଣ୍ଣବିଭାର ଅପୂର୍ବ ସମନ୍ୱୟ ଘଟାଇ ପାରିଛନ୍ତି ।

 

(୨) ରାଜନୀତିକ ବ୍ୟକ୍ତିମାନଙ୍କର ଭ୍ରମଣ କାହାଣୀ:–ବେଳେ ବେଳେ ନିଜ ଦେଶ ସହି ଅନ୍ୟ ଦେଶର ସମ୍ପର୍କକୁ ଘନିଷ୍ଠ କରିବା ପାଇଁ ରାଜନୀତିକ ପ୍ରତିନିଧିମାନେ ସେ ଦେଶ ଭ୍ରମଣ କରିଥା’ନ୍ତି । ନିଜ ଦେଶର ରାଜନୈତିକ ଘନଘଟା କିଭଳି ସେଠାରେ ଆଦୃତ ବା ଅନାଦୃତ ସେ କଥାକୁ ସେମାନେ ଉପଲବ୍ଧି କରିଥା’ନ୍ତି । ଆମର ରାଜନୀତିକ ବ୍ୟକ୍ତିମାନେ ଏପରି ଭ୍ରମଣକରି ସେହି ଅନୁଭୂତିକୁ ତାଙ୍କ ଭ୍ରମଣ କାହାଣୀରେ ସ୍ଥାନ ଦେଇଛନ୍ତି । ସେମାନଙ୍କ ମଧ୍ୟରୁ ରାଧାନାଥ ରଥ, ଗୁରୁଚରଣ ପଟ୍ଟନାୟକ ଓ ସୁରେନ୍ଦ୍ର ମହାନ୍ତି ଅନ୍ୟତମ । ଏମାନେ ରାଜନୈତିକ ବ୍ୟକ୍ତି ହୋଇଥିବାରୁ ତାଙ୍କ ଭ୍ରମଣ କାହାଣୀରେ ରାଜନୈତିକ ଚିନ୍ତା ଓ ଚେତନା ବେଶ୍ ପ୍ରବାହିତ ହୋଇପାରିଛି ।

 

(୩) ସାହିତ୍ୟିକ ଓ ରାଜନୈତିକ ବ୍ୟକ୍ତିମାନଙ୍କର ଭ୍ରମଣ କାହାଣୀ:–ଓଡ଼ିଆ ସାହିତ୍ୟରେ ସୁରେନ୍ଦ୍ର ମହାନ୍ତି ଜଣେ ବିଶିଷ୍ଟ ସାହିତ୍ୟିକ ଭାବେ ପରିଚିତ । ସେହିଭଳି ଜଣେ ରାଜନୀତିକ ବ୍ୟକ୍ତିଭାବେ ତାଙ୍କର ସୁନାମ ଅଛି । ସେ ତାଙ୍କ ସାହିତ୍ୟିକ ଛଟା ଓ ରାଜନୀତିକ ଚିନ୍ତା ଚେତନାରେ ତାଙ୍କର “ପେକିଂ ଡାଏରୀ”କୁ ଅନୁରଣିତ କରିଛନ୍ତି ।

 

ଏଥିରେ ସେ ତାଙ୍କର ଚୀନ୍‌ ପରିଭ୍ରମଣ ସମୟର କଥା ଉଲ୍ଲେଖ କରିଛନ୍ତି ।

 

(୪) ଶିକ୍ଷାବିତ୍‌ ଓ ଅଧ୍ୟାପକମାନଙ୍କର ଭ୍ରମଣ କାହାଣୀ:–ଡକ୍ଟର ଶ୍ରୀ ରାମଚନ୍ଦ୍ର ଦାଶ, ପ୍ରଫେସର ଭୁବନେଶ୍ଵର ବେହେରା, ଗୋଲକବିହାରୀ ଧଳ, କୃଷ୍ଣପ୍ରସାଦ ମିଶ୍ର ଏପରି ଭ୍ରମଣ କାହାଣୀର ସ୍ରଷ୍ଟା । ଡାକ୍ଟର ଶ୍ରୀ ରାମଚନ୍ଦ୍ର ଦାଶଙ୍କ “ୟୁରୋପରେ ମୋ ଅନୁଭୂତି” ଗୋଲକବିହାରୀ ଧଳଙ୍କ “ଲଣ୍ଡନ ଚିଠି” ଭୁବନେଶ୍ଵର ବେହେରାଙ୍କ ପଶ୍ଚିମ ଆଫ୍ରିକାରେ ‘ଓଡ଼ିଆ ଢେଙ୍କି’ ଓ କୃଷ୍ଣ ପ୍ରସାଦ ମିଶ୍ରଙ୍କ “କାନାଡ଼ା ଡାଏରୀ”ରେ ଅଧ୍ୟାପକଙ୍କର ଚିନ୍ତା ଓ ଚେତନା ଏବଂ ଶିକ୍ଷାବିତ୍‌‌ର ଦୃଷ୍ଟିକୋଣ ପ୍ରତିଫଳିତ ହୋଇଛି ।

 

(୫) ସାହିତ୍ୟିକ ଓ ଦାର୍ଶନିକମାନଙ୍କ ଭ୍ରମଣ କାହାଣୀ:–କୃଷ୍ଣ ପ୍ରସାଦ ମିଶ୍ର ଓ ମନୋଜ ଦାସଙ୍କ ଭ୍ରମଣ କାହାଣୀ ଏହି ପର୍ଯ୍ୟାୟର । ଚିତ୍ତରଞ୍ଜନ ଦାସଙ୍କ କେତେକ ଭ୍ରମଣ କାହାଣୀକୁ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ କରାଯାଇପାରେ । କୃଷ୍ଣ ପ୍ରସାଦଙ୍କ “କାନାଡ଼ା ଡାଏରୀ”ରେ ତାଙ୍କର ସାହିତ୍ୟିକ ଶୈଳୀସହ ଦାର୍ଶନିକ ଚିନ୍ତାଧାରାର ଅପୂର୍ବ ସମନ୍ୱୟ ଘଟିଛି । ମନୋଜ ଦାସଙ୍କ “ଦୂର-ଦୂରାନ୍ତର” ଓ “ଇଣ୍ଡୋନେସିୟା ଅନୁଭୂତି” ଭ୍ରମଣ କାହାଣୀରେ ତାଙ୍କ ଗଳ୍ପ ଚେତନା ଭିତରେ ଜଣେ ଦାର୍ଶନିକର ଗଭୀର ତିତିକ୍ଷାବୋଧ ପାଠକ ଦେଖିବାକୁ ପାଏ । ଠିକ୍ ସେହିଭଳି ଚିତ୍ତରଞ୍ଜନ ଦାସଙ୍କ ଡେନ୍‌‌ମାର୍କ ଚିଠି’ରେ ତାଙ୍କ ଦାର୍ଶନିକ ଚିନ୍ତାଧାରା ସହ ସାହିତ୍ୟିକ ଛଟାର ସମ୍ମିଶ୍ରଣ ଦେଖିବାକୁ ମିଳିଥାଏ ।

 

(୬) ଧାର୍ମିକ ବ୍ୟକ୍ତିମାନଙ୍କର ଭ୍ରମଣ କାହାଣୀ:–ଧର୍ମ ଉଦ୍ଦେଶ୍ୟରେ ବାହାରକୁ ଭ୍ରମଣ କରିବାକୁ ଯାଇଁ ଯେଉଁ ସବୁ ଭ୍ରମଣ କାହାଣୀ ଲେଖାଯାଇଛି ସେସବୁ ଧର୍ମଭିତ୍ତିକ । ତଥାପି ଏଥିରେ ସାହିତ୍ୟ ରସର ଅଭାବ ନ ଥିବାରୁ ଏହା ସୁଖପାଠ୍ୟ ଓ ଆମୋଦଦାୟକ । ମହାପାତ୍ର ଜତୀନ୍ଦ୍ର କୁମାରଙ୍କ ‘କେତେ ଦେବାଳୟ କେତେ ଲୋକାଳୟ’ କାହାଣୀଟି ଏହି ପର୍ଯ୍ୟାୟର ଅନ୍ତର୍ଭୁକ୍ତ ।

 

ଏହା ବ୍ୟତୀତ ସାମ୍ବାଦିକ, ସମ୍ପାଦକ ଏବଂ ସାଧାରଣ ବହୁ ବ୍ୟକ୍ତି ବିଦେଶ ଭ୍ରମଣ କରି ଭ୍ରମଣ କାହାଣୀମାନ ଲେଖି ଓଡ଼ିଆ ଭ୍ରମଣ ସାହିତ୍ୟର ଦିଗକୁ ବିସ୍ତାରିତ କରିଛନ୍ତି । ବିଂଶ ଶତାବ୍ଦୀରେ ଆଜି ଭ୍ରମଣ ପିପାସୀ ମଣିଷ ପାଇଁ ଏକ ନିର୍ଦ୍ଦିଷ୍ଟ ଆଭିମୁଖ୍ୟ ବା ପ୍ରବୃତ୍ତିର ପରିଚାୟକ ନୁହେଁ । ଏହା ତା’ପାଇଁ ବ୍ୟସ୍ତ ବା ବିବ୍ରତ ଉତ୍କଣ୍ଠା ଆଣୁ ନାହିଁ । ଏଥିରେ ଅଛି ପ୍ରଗାଢ଼ ଐକାନ୍ତିକତା । ତେଣୁ ବିଦେଶ ଭ୍ରମଣ ବେଳେ ଆମର ଭ୍ରମଣକାରୀ ନିଜ ପ୍ରତି ଯେତେ ସଚେତନ ନୁହେଁ; ତା’ର ସାହିତ୍ୟ, ସମାଜ, ଦେଶ, ସଂସ୍କୃତି ପ୍ରତି ଯଥେଷ୍ଟ ସଚେତନ ଥିବାର ଦେଖିବାକୁ ମିଳେ । ତେଣୁ ବିଂଶ ଶତାବ୍ଦୀର ଭ୍ରମଣକାରୀର ଦୃଷ୍ଟି ସଙ୍କୁଚିତ ନୁହେଁ । ଏହା ସମ୍ପ୍ରସାରିତ ହୋଇଥାଏ ଭ୍ରମଣ ଦିଗରେ । ସେଠି ହଜି ହଜି ଯିବାର ଆଶଙ୍କା ନାହିଁ ଅଛି ଖୋଜି ଖୋଜି ଯିବାର ଆତ୍ମନିଷ୍ଠା ଓ ଦୃଢ଼ ମନୋବଳ । ଯେଉଁଥିପାଇଁ ଆମର ଭ୍ରମଣକାରୀମାନେ ବିଦେଶର ରୀତିନୀତି ସହ ନିଜକୁ ବେଶ୍ ଖାପ ଖୁଆଇ ନେଇ ସୃଷ୍ଟି କରିଛନ୍ତି ସେମାନଙ୍କ ରିତୀନୀତିର ପ୍ରତିଫଳନରେ ମନୋଜ୍ଞ ଭ୍ରମଣ କାହାଣୀମାନ । ବିଂଶ ଶତାବ୍ଦୀର ଭ୍ରମଣ କାହାଣୀକୁ ଯେଉଁ କେତେକ ସ୍ୱନାମଧନ୍ୟ ଭ୍ରମଣ ସାହିତ୍ୟର ସ୍ରଷ୍ଟା ଋଦ୍ଧିମନ୍ତ କରିଛନ୍ତି ଏହି ପର୍ଯ୍ୟାୟରେ ସେମାନେ ଓ ତାଙ୍କର ଭ୍ରମଣ ପୁସ୍ତକର ନାମ ଉଲ୍ଲେଖଯୋଗ୍ୟ ।

 

ଉମେଶ ଚନ୍ଦ୍ର ପାଣିଗ୍ରାହୀଙ୍କ ପଥପ୍ରାନ୍ତେ, କୁଞ୍ଜବିହାରୀ ଦାଶଙ୍କ ଲଙ୍କାଯାତ୍ରୀ, ମୋ ସ୍ଵପ୍ନର କାଶ୍ମୀର, ୟୁରୋପରୁ ଆମେରିକା ଓ ଆଫ୍ରିକା, ଦୁଇ ଦିଗନ୍ତର ଆକାଶ; ଗୋଲକବିହାରୀ ଧଳଙ୍କ ଲଣ୍ତନ ଚିଠି; ରମାରାଣୀ ମିଶ୍ରଙ୍କ ଆମେରିକା ଚିଠି, ମନୋଜ ଦାସଙ୍କ ଦୂର ଦୂରାନ୍ତର; ଇଣ୍ଡୋନେସିୟା ଅନୁଭୂତି, ଶ୍ରୀହର୍ଷ ମିଶ୍ରଙ୍କ ପଶ୍ଚିମ ପଥିକ କପୁଳାଚପୃଥ୍ଵୀ; ସୁରେନ୍ଦ୍ର ମହାନ୍ତିଙ୍କ ପେକିଂ ଡାଏରୀ, ବାରିଷ୍ଟର ଗୋବିନ୍ଦ ଦାସଙ୍କ ଦେଶେ ଦେଶେ; ଶ୍ରୀ ରାମଚନ୍ଦ୍ର ଦାସଙ୍କ ୟୁରୋପରେ ମୋ ଅନୁଭୂତି; ଗୁରୁଚରଣ ପଟ୍ଟନାୟକଙ୍କ ଋଷିଆରେ ଯାହା ଦେଖିଲି, ନବ ସଭ୍ୟତା ଦେଶେ; ଚିତ୍ତରଞ୍ଜନ ଦାସଙ୍କ ଡେନମାର୍କ ଚିଠି, ନେପାଳ ପଥେ, ଗଞ୍ଜାମ ମାଳରେ ସାତଦିନ; ଡଃ କୃଷ୍ଣପ୍ରସାଦ ମିଶ୍ରଙ୍କ କାନାଡ଼ା ଡାଏରୀ, ଶତ୍ରୁଘ୍ନ ନାଥଙ୍କ ବିଲାତ କଥା ଡଃ ବୈଦ୍ୟନାଥ ମିଶ୍ରଙ୍କ ସେ ଦେଶର କଥା; କୃଷ୍ଣଚନ୍ଦ୍ର ମହାନ୍ତିଙ୍କ ଦିଲ୍ଲୀ ପଥିକ; ଗୋକୁଳାନନ୍ଦ ମହାପାତ୍ରଙ୍କ ନିଳଚକ୍ରବାଳ ସେପାରେ; ମହାପାତ୍ର ଜତୀନ୍ଦ୍ର କୁମାରଙ୍କ କେତେ ଦେବାଳୟ କେତେ ଲୋକାଳୟ; ରାଧାନାଥ ରଥଙ୍କ ଭାରତ ଓ ବିଲାତ; ପ୍ରଫେସର ଭୁବନେଶ୍ଵର ବେହେରାଙ୍କ ପଶ୍ଚିମ ଆଫ୍ରିକାରେ ଓଡ଼ିଆ ଢେଙ୍କି ବିଂଶ ଶତାବ୍ଦୀର ଏକ ଏକ ଉଲ୍ଲେଖଯୋଗ୍ୟ ଭ୍ରମଣ କାହାଣୀ ।

 

ଓଡ଼ିଆ ଭ୍ରମଣ ସାହିତ୍ୟ ସମ୍ପ୍ରତି ବିକାଶ ଅଭିମୁଖେ ଗତିକରି ଚାଲିଛି, ଏହା ଆମେ ସ୍ଵୀକାର କରିବାକୁ କୁଣ୍ଠାପ୍ରକାଶ କରିହେବ ନାହିଁ; କାରଣ ଆମର ଅନ୍ୟାନ୍ୟ ସାହିତ୍ୟିକର ବିକାଶ ଅପେକ୍ଷା ଭ୍ରମଣ ସାହିତ୍ୟ ଦିଗଟି ସେତେ ଅଗ୍ରଗତି କରିପାରି ନାହିଁ । ଦେଖିବାକୁଗଲେ ବିଂଶ ଶତାବ୍ଦୀରେ ଏହାର ରଚନା ନୀତିରେ ଏକ ସ୍ଵତନ୍ତ୍ରତା ଆସିଛି । ତେବେ ଭ୍ରମଣ ସାହିତ୍ୟ ଯେ ଆଜି ପାଠକ ପାଇଁ ବହୁଭାବେ ଆଦୃତ ଏକଥା ଅସ୍ୱୀକାର କରିହେବ ନାହିଁ ।

☆☆☆

 

Unknown

ଓଡ଼ିଆ ଜୀବନୀ ସାହିତ୍ୟ : ଏକ ବିହଙ୍ଗାବଲୋକନ

 

ଯୁଗ ଯୁଗ ଧରି ବହୁ କ୍ଷଣଜନ୍ମା ମହାପୁରୁଷ ଓ ପ୍ରତିଭାବାନ୍‍ ବ୍ୟକ୍ତି ନିଜ ନିଜର କର୍ତ୍ତବ୍ୟ ରୂପକ ସୁରଭିରେ ସମଗ୍ର ଜଗତକୁ ସୁରଭିତ କରିଅଛନ୍ତି । ଅସଂଖ୍ୟ ବୀର, ଦେଶ ବତ୍ସଳ, ଜାତୀୟବାଦୀ ନେତା ସ୍ଵୀୟ ବୀରତ୍ଵରେ, ଜାତୀୟତାରେ ସମଗ୍ର ମାନବ ସମାଜକୁ ମୁଗ୍ଧ କରିଅଛନ୍ତି-। ଦେଶ ପାଇଁ, ଦଶ ପାଇଁ, ଜାତିର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ନିଜ ଜୀବନକୁ ତିଳ ତିଳ କରି ଉତ୍ସର୍ଗ କରିଯାଇଅଛନ୍ତି । ମାନବ ସେବା ଓ ଜାତି ତଥା ଦେଶର ସେବାରେ ସେମାନେ ନିଜକୁ ସମ୍ପୂର୍ଣ୍ଣଭାବେ ଭୁଲିଯାଇଅଛନ୍ତି । ସେମାନଙ୍କୁ ଚିର ଅମର କରି ରଖିଛି ସେହି କର୍ମ-। ‘‘ଜାତସ୍ୟହି ଧ୍ରୁବୋ ମୃତ୍ୟୁ ମୃତୋ ଜନ୍ମ ଧ୍ରୁବସ୍ୟ ଚ” ନିୟମ ଲଙ୍ଘନପୂର୍ବକ ଏମାନେ କାଳଜୟୀ ଓ ମୃତ୍ୟୁଞ୍ଜୟୀ ହୋଇଛନ୍ତି । ଏ ଜାତି ଏମାନଙ୍କୁ କଦାପି ଭୁଲି ନାହିଁ ଓ କେବେ ଭୁଲି ମଧ୍ୟ ପାରିବ ନାହିଁ । ଅତୀତର ବିସ୍ମୃତି ଗର୍ଭରେ ରକ୍ତ ରଞ୍ଜିତ କେତେ ସଭ୍ୟରାଜ୍ୟ ଯେ, ବିଲୁପ୍ତ ହୋଇଛି ତା’ର କିଛି ହିସାବ ନାହଁ ସତ; ମାତ୍ର ଯାହାର ରୂପ ଥରେମାତ୍ର ସାହିତ୍ୟର ପରିସର ମଧ୍ୟରେ ଲିପିବଦ୍ଧ ହୋଇଛି ତାହା ଚିରକାଳ ବଞ୍ଚି ରହିବ ଏଥିରେ ସନ୍ଦେହର ଅବକାଶ ନାହିଁ । ପ୍ରତିଭାବାନ ବ୍ୟକ୍ତି ତା’ର ଜୀବଦ୍ଦଶାରେ ଯେତିକି ସମ୍ମାନ ପାଏ, ମୃତ୍ୟୁପରେ ସେ ଲୋକଙ୍କ ହୃଦୟରେ ଏକ ଅଲିଭାଦାଗ ସୃଷ୍ଟି କରି ତା’ଠାରୁ ଅଧିକ ସମ୍ମାନର ଭାଗିଦାର ହୁଏ । ଜାତି ଏମାନଙ୍କୁ ଓ ଏମାନଙ୍କର କର୍ମ ଓ ବାଣୀକୁ ସାହତ୍ୟ ମାଧ୍ୟମରେ ବଞ୍ଚେଇ ରଖେ । ଏମାନଙ୍କ ଜୀବନୀ ରଚନା କରିବାରେ ସାହିତ୍ୟ ହୁଏ ଗୌରବାନ୍ଵିତ-। ଲେଖକ ନିଜ କଲମ ମୁନରେ ଏମାନଙ୍କର ଜୀବନୀ ରଚନା କରି ନିଜକୁ ସୌଭାଗ୍ୟବନ୍ତ ମନେ କରେ ।

 

ଜୀବନୀ ସାହିତ୍ୟ ଚିତ୍ରକଳା ପରି ଏକ ବିଶେଷ ଶିଳ୍ପସୃଷ୍ଟି । ଏହା ମଣିଷର ଅପରକୁ ସ୍ମରଣ କରିବା ପ୍ରବୃତ୍ତିରୁ ଜାତ ହୋଇଛି । ଏଥିରେ ବ୍ୟକ୍ତିବିଶେଷର ଜୀବନୀକୁ ରୂପାୟିତ କରାଯାଇଥାଏ । କୌଣସି ସୁଲେଖକଙ୍କ ଲେଖା ପଢ଼ିଲେ ଯେପରି ତାଙ୍କ ବିଷୟରେ ବିଶେଷ ଜାଣିବା ପାଇଁ ପ୍ରବୃତ୍ତି ଜାତ ହୁଏ, ଠିକ୍ ସେହିପରି କୃତୀ, ସମ୍ମାନିତ ଅସାଧାରଣ ବ୍ୟକ୍ତିବିଶେଷଙ୍କୁ ମଣିଷ ସ୍ମରଣ କରିବା ଲାଗି ସର୍ବତ୍ର ଅଭିଳାଷୀ ହୋଇଥାଏ । ଏହି ପ୍ରବୃତ୍ତି ଜୀବନୀ ସାହିତ୍ୟ ସୃଷ୍ଟିର ପ୍ରେରକ ଭାବରେ ବିବେଚିତ । ଏଣୁ ଯଥାର୍ଥରେ କୁହାଯାଇଛି- “Biography aims at satisfying, the commemorative instinct by exercise of its power. To transmit personality.” ଯୋଗଜନ୍ମା ମହାମନୀଷୀଙ୍କ କର୍ମ ଏବଂ ବାଣୀକୁ ବଞ୍ଚେଇ ରଖିବାର ପ୍ରେରଣା ନେଇ ସାହିତ୍ୟ କ୍ଷେତ୍ରରେ ଯେଉଁ ଏକ ନୂତନ ବିଭାଗର ସୂତ୍ରପାତ ହୋଇଛି, ତାହା ଜୀବନୀ ସାହିତ୍ୟ ନାମରେ ଖ୍ୟାତ ।

 

ଜୀବନୀ ସାହିତ୍ୟର ସଂଜ୍ଞା ଓ ପ୍ରକାରଭେଦ

 

ଜୀବନୀ ସାହିତ୍ୟ ଏକ ବିଶେଷ ଶିଳ୍ପସୃଷ୍ଟି । ଏହା ସାହାଯ୍ୟରେ ଆମେ ମଣିଷର ଅନ୍ତର ପୁରୁଷଟିକୁ ଅଧିକ ମାତ୍ରାରେ ଜାଣିବାର ସୁଯୋଗ ପାଉଁ । କୃତୀ, ସମ୍ମାନିତ, ଅସାଧାରଣ ଯୋଗଜନ୍ମା ତଥା ପ୍ରତିଭାବାନ୍‍ ବ୍ୟକ୍ତିଙ୍କର କାରୁକାର୍ଯ୍ୟ, ସଦ୍‍ଉପଦେଶ ବାଣୀ ଇତ୍ୟାଦି ଯେଉଁ ସାହିତ୍ୟ ଗ୍ରନ୍ଥରେ ଲିପିବଦ୍ଧ କରାଯାଇଥାଏ, ତାହା ଜୀବନୀ ସାହିତ୍ୟ ଭାବରେ ନାମିତ । ଏହି ସାହିତ୍ୟ ସୃଷ୍ଟିର ଅନ୍ତରାଳରେ ଅପରକୁ ସ୍ମରଣ କରିବା ଓ ତାଙ୍କର ଆଦର୍ଶରେ ଅନୁପ୍ରାଣିତ ହେବାର ଉଦ୍ଦେଶ୍ୟ ପ୍ରଚ୍ଛନ୍ନ । ଏତାଦୃଶ ସୃଷ୍ଟି ଆମର ଅନ୍ତର୍ନିହିତ ସୁପ୍ତ ପ୍ରବୃତ୍ତିକୁ ଜାଗରିତ କରାଇଥାଏ । ଏହି ଜୀବନୀ ସାହିତ୍ୟ ସାଧାରଣତଃ ଦୁଇ ଭାଗରେ ବିଭକ୍ତ । ଯଥା– (୧) ଜୀବନୀ (Biography), (୨) ଆତ୍ମଜୀବନୀ (Autobiography)

 

ଜୀବନୀ (Biography) :-

 

ସାଧାରଣତଃ କ୍ଷଣଜନ୍ମା ମହାପୁରୁଷ, ପ୍ରତିଭାବାନ ବ୍ୟକ୍ତିମାନଙ୍କର ଜୀବନ ଇତିହାସକୁ ଅନ୍ୟମାନେ ଲିପିବଦ୍ଧ କରନ୍ତି । କୌଣସି ବ୍ୟକ୍ତି ବିଶେଷର ଜୀବନୀ ବୃତ୍ତାନ୍ତ ସାହିତ୍ୟିକ କଳାଯୁକ୍ତ ହୋଇ ଅନ୍ୟଜଣେ ବ୍ୟକ୍ତିଦ୍ଵାରା ରଚିତ ହେଲେ ତାହା ଜୀବନୀ ବା Biography ହୁଏ । ଓଡ଼ିଆ ସାହିତ୍ୟର ଏପ୍ରକାର ଗ୍ରନ୍ଥର ବହୁଳ ପ୍ରସାର ଥିବାର ଦୃଷ୍ଟିଗୋଚର ହୁଏ ।

 

ଆତ୍ମଜୀବନୀ (Autobiography) :

 

ଯେ କୌଣସି ବ୍ୟକ୍ତି ତା’ର ନିଜ ଜୀବନର ଇତିହାସ ବହୁ ସମୟରେ ରଚନା କରେ । ଯେତେବେଳେ ଜଣକର ଜୀବନୀ ଅନ୍ୟ ଜଣକ ଦ୍ଵାରା ରଚିତ ନହୋଇ ନିଜଦ୍ଵାରା ଲିପିବଦ୍ଧ ହୁଏ, ସେତେବେଳେ ତାହା ଆତ୍ମଜୀବନୀ ବା Autobiography ନାମରେ ନାମିତ ହୁଏ । ଓଡ଼ିଆ ସାହିତ୍ୟରେ ଫକୀରମୋହନଙ୍କର ଆତ୍ମଜୀବନୀ ଏପ୍ରକାର ଗ୍ରନ୍ଥର ଏକ ଶ୍ରେଷ୍ଠ ନମୁନା ।

 

ଜୀବନୀ ସାହିତ୍ୟ ବେଳେ ବେଳେ କେତେକ ଭୁଲ୍‍ ତଥ୍ୟକୁ ପ୍ରକାଶିତ କଲାବେଳେ, ଆତ୍ମଜୀବନୀ ସର୍ବଦା ସତ୍ୟ ପ୍ରକାଶରେ ଉନ୍ମୁଖ । ଜୀବନୀ ସାହିତ୍ୟ ସୃଷ୍ଟି ଏକ କଷ୍ଟକର ଶିଳ୍ପକଳା; ମାତ୍ର ଆତ୍ମଜୀବନୀ ଏକ ସୂକ୍ଷ୍ମ ବାସ୍ତବ ସୃଷ୍ଟିସମ୍ପଦ । ଏଣୁ ଡଃ: ଜନ୍‍ସନଙ୍କ ମତରେ “ସମସ୍ତେ ଆତ୍ମଜୀବନୀର ସ୍ରଷ୍ଟା ହେବା ବାଞ୍ଛନୀୟ ।”

 

ଆତ୍ମଜୀବନୀ କ’ଣ ?

 

ବିଖ୍ୟାତ ପାଶ୍ଚାତ୍ୟ ଚିନ୍ତାବିଦ୍‍ କାଲାଇଲ ମତ ଦିଅନ୍ତି–‘‘Biography is the only true history” ଏହା କୌଣସି ବ୍ୟକ୍ତି ବିଶେଷର ଜୀବନ କାହାଣୀ ହୋଇଥାଇପାରେ; ମାତ୍ର ସେଥିରେ ପ୍ରତିବିମ୍ବିତ ହୋଇଥାଏ ତତ୍କାଳୀନ ସମାଜର ରୀତି, ନୀତି, ନିର୍ଦ୍ଦିଷ୍ଟ ବ୍ୟକ୍ତିର ଆଦର୍ଶ ଓ ଅଭିରୁଚି ଏବଂ ପାରିପାର୍ଶ୍ୱିକତାର ନିଚ୍ଛକ ରୂପଚିତ୍ର । ସେଇ ମହାନ୍ ବ୍ୟକ୍ତିଙ୍କର ଭୁଲ୍‍ ଠିକ୍, ଆଦର୍ଶ ଅନାଦର୍ଶ, ଉତ୍‌ଥାନ-ପତନ ଓ ସର୍ବପରି ଅନୁଭୂତିର ମହାର୍ଘ ରୂପାୟନ ଆଗାମୀ ଯୁଗର ମାନବଙ୍କ ପାଇଁ ଆଲୋକ ବର୍ତ୍ତିକା ପରି ନୈରାଶ୍ୟ ଘନ-ଅନ୍ଧକାର ମଧ୍ୟରେ ପଥ ନିର୍ଦ୍ଦେଶ କରାଇଥାଏ । ଏହି ଦୃଷ୍ଟିରୁ ବିଚାର କଲେ A Psalm of life ଗ୍ରନ୍ଥରେ କବି Logfellowଙ୍କ ଉକ୍ତି ଯଥାର୍ଥ ବୋଲି ମନେହୁଏ ।

 

“Lives of great men all remainds us

We can make owe lives sublime;

And departing, leave behind us

Footprints on the sands of time.”

 

ମହତ ଲୋକଙ୍କ ଜୀବନ ସର୍ବଦା ଅନୁକରଣୀୟ । ସେମାନଙ୍କର ଆଚରଣ ଓ କାର୍ଯ୍ୟାବଳୀ ଅନ୍ୟମାନଙ୍କ ପାଇଁ ଆଦର୍ଶ ହୋଇ ରହେ । ସେମାନେ ସବୁବେଳେ ନିଜ ଆଦର୍ଶରେ ଅଟଳ ଥାଆନ୍ତି । ଯେତେ ବାଧାବିଘ୍ନ ଓ ପ୍ରଲୋଭନ ଆସିଲେ ସୁଦ୍ଧା ସେମାନେ ନିଜ ଲକ୍ଷ୍ୟ ପଥରୁ ବିଚ୍ୟୁତ ହୁଅନ୍ତି ନାହିଁ । କର୍ତ୍ତବ୍ୟ ପାଳନ କରିବା ହିଁ ସେମାନଙ୍କ ଜୀବନର ପ୍ରଧାନ କର୍ମ । ସେମାନେ ଭାବନ୍ତି, ଉପଯୁକ୍ତ ସାଧନାଦ୍ୱାରା ଏହି ଧରାପୃଷ୍ଠରେ କର୍ମବୀର ହେବାକୁ ପଡ଼ିବ । ଅତଏବ ସେଇମାନଙ୍କୁ ଅନୁସରଣ କରି ଲୋକେ ଅନୁଗାମୀ ହେବେ । ଜୀବନର ମୂଲ୍ୟାଙ୍କନ ପାଇଁ ଏହି ମହାମାନବଙ୍କ ଚଲାପଥ ଆଦର୍ଶର ପରିମାପକ ହୋଇ ଉଠେ । ଏଣୁ ଭାଗବତରେ କୁହାଯାଇଛି–

 

“ମହତେ ଯାହା ଆଚରିବେ

ଇତରେ ତାହା ହିଁ କରିବେ ।”

 

ଜୀବନ ହେଉଛି ଦୁଃଖ-ସୁଖର ଗନ୍ତାଘର । ଜୀବନର ଗତିପଥ କଙ୍କରିଳ । ଏଠି ନାନା ବାଧା-ବିପଦ ଓ ସଂଘର୍ଷର ସମ୍ମୁଖୀନ ହୋଇ ମଣିଷକୁ ଗତି କରିବାକୁ ହୁଏ । ତେବେ ଯେଉଁମାନେ ଏ ସଂସାରରେ ବଡ଼ ହୋଇଛନ୍ତି, ସେମାନେ ଏହି ବାଧା ବିପଦର କିପରି ସମ୍ମୁଖୀନ ହୋଇଛନ୍ତି, ତାହା ଜାଣିବାର ଆଗ୍ରହ ସାଧାରଣ ମଣିଷର ଜନ୍ମିବା ସ୍ୱାଭାବିକ । ସେଥିପାଇଁ ଜଣେ ମନୀଷୀ ଜୀବନ ଚରିତ ସମ୍ପର୍କରେ ମତ ପ୍ରକାଶ କରିବାକୁ ଯାଇ ଲେଖିଛନ୍ତି–“A good Biography presents a man as he lived. It is neither a enlogy nor an indictment. It recounts both good and bad actions, giving afair, unbiased view, so that we may know the subject as he was. It should also show his relationship to his sorroundings for a man’s attitude towards life is greatly influenced by his environment.” ବ୍ୟକ୍ତି ବିଶେଷର ଆତ୍ମଜୀବନୀ ନିଚ୍ଛକ ସତ୍ୟ ଉପରେ ଆଧାରିତ ହେବା ଆବଶ୍ୟକ । ରଚନା ସତ୍ୟ ପ୍ରତି ବିଶ୍ୱସ୍ତ ହୋଇ ନଥିଲେ ତାହା କାଳଜୟୀ ହୋଇପାରେ ନାହିଁ ।

 

ବର୍ଣାଡ ଶ ଆତ୍ମଚରିତଗୁଡ଼ିକ ମିଥ୍ୟାରେ ଭରପୂର ବୋଲି ମତ ଦେଇଛନ୍ତି । ଏହା ସମ୍ପୂର୍ଣ୍ଣ ସତ୍ୟ ନହେଲେ ବି ମିଥ୍ୟା ନୁହେଁ । ଅନେକ ଆତ୍ମଜୀବନୀ ଲେଖକ ସତ୍ୟକୁ ଗୋପନ ରଖି ନିଜକୁ ସୁହାଇଲା ଭଳି କଥା ଲେଖିଥାଆନ୍ତି । ମାତ୍ର ଏଭଳି ରଚନା ନିକୃଷ୍ଟଧରଣର ଆତ୍ମଜୀବନୀ ହୁଏ । ଆତ୍ମଜୀବନୀ ରଚନା ମଧ୍ୟ ସାହିତ୍ୟ ରସରେ ଅବଗାହନ କରିବା ଉଚିତ; ନଚେତ୍ ତାହା ସୁଖପାଠ୍ୟ ହୋଇପାରେ ନାହିଁ । ଅଧ୍ୟାପକ ଚିନ୍ତାମଣି ବେହେରା “ବିଦଗ୍‌ଧ ପାଠକ” ଗ୍ରନ୍ଥରେ ମତଦେଇଛନ୍ତି ଯେ, “ପ୍ରକୃତ ସାହିତ୍ୟ ରସରେ ସମୃଦ୍ଧ ଜୀବନ-ଚରିତ ବା ଆତ୍ମଚରିତ ମନୁଷ୍ୟ ମନ ଗଠନ ଦିଗରେ ସବିଶେଷ ସହାୟକ; ଏହାଦ୍ଵାରା କେବଳ ଯେ ସାହିତ୍ୟର ପରିପୁଷ୍ଟ ସାଧିତ ହୁଏ ତାହା ନୁହେଁ, ସମାଜ ଚେତନାର ମଧ୍ୟ ପରିପୃଷ୍ଟି ସଂଶୋଧିତ ହୋଇଥାଏ, କିନ୍ତୁ ଦୁଃଖର ବିଷୟ ଆମ ଦେଶରେ ଆଜି ପର୍ଯ୍ୟନ୍ତ ଏ ବିଷୟରେ ଅନେକଙ୍କ ମନରେ ସଠିକ୍ ଧାରଣା ଗଢ଼ି ଉଠିନି । ଜୀବନୀ ସାହିତ୍ୟର ପ୍ରକୃତ ତାତ୍ପର୍ଯ୍ୟ ଖୁବ୍ କମ୍ ପାଠକ ହିଁ ହୃଦୟଙ୍ଗମ କରିଥାନ୍ତି । ମହତ୍ ସାହିତ୍ୟ ଯାହାକୁ ଆମେ ବହୁ ସୃଜନଧର୍ମୀ ସାହିତ୍ୟ ବା Creative literature ମାନବ ଜୀବନର ହିଁ ଅଂଶ ବିଶେଷ । ଏଥିରେ ପ୍ରତିଫଳିତ ଶାଶ୍ୱତ କାଳର ଅନୁଭୂତି ଓ ଚିନ୍ତା ଯୁଗ ଯୁଗାନ୍ତର ଧରି ମନୁଷ୍ୟମନକୁ ନବ ନବ ସୃଷ୍ଟି ପଥରେ ପ୍ରତ୍ୟକ୍ଷ ପ୍ରେରଣା ପ୍ରଦାନ କରିଥାଏ–ତାକୁ ହିଁ ଆମେ କହୁ ସାର୍ଥକ ଆତ୍ମଜୀବନୀ ବା ଜୀବନ ଚରିତ, ଯାହା ମହତ୍ ସାହିତ୍ୟର ଗୋଟିଏ ଅପରିହାର୍ଯ୍ୟ ଅଂଶ ଭାବରେ ଆମ ନିକଟରେ ଉପସ୍ଥିତ ହୋଇ ଆମ ଚିନ୍ତାକୁ ଉଦ୍ଦିପ୍ତ କରେ ଏବଂ ଚିତ୍ତକୁ ସରସ କରେ-।”

 

ଆତ୍ମଚରିତ ପୃଥିବୀର ମହାମାନବଠାରୁ ମହତ୍ ଚେତନା ଲାଭ କରିବାକୁ ପ୍ରେରଣା ପ୍ରଦାନ କରେ । ଅଧ୍ୟାପକ ପଠାଣି ପଟ୍ଟନାୟକ ଏହି ପ୍ରସଙ୍ଗରେ ଉଲ୍ଲେଖ କରିଛନ୍ତି–“ଜୀବନ ଚରିତ ବାସ୍ତବିକ ରୋମାଞ୍ଚକର । ଏହା ଅତ୍ୟନ୍ତ ହୃଦ୍ୟ ଏବଂ ଆକର୍ଷଣୀୟ । ଏହା କେବଳ କୌଣସି ଲୋକର ଜୀବନର ସୁଖ ଦୁଃଖର କାହାଣୀ କହିଲେ ଅତିରଞ୍ଜନ ହେବ, ବରଂ ଜୀବନ ଚରିତ ହେଉଛି ସମକାଳୀନ ଜାତି ଓ ସମାଜର ଇତିହାସ ।” ଯେ କୌଣସି ଆଧୁନିକ ଆତ୍ମଜୀବନୀ ଲେଖକ ଆଜି ସ୍ପଷ୍ଟଭାଷୀ ହେବାକୁ ବାଧ୍ୟ ହେଉଛି; କାରଣ ସେ ବୁଝିଛି, ତା’ର ଜୀବନ ଏ ଜାତି ଭବିଷ୍ୟତ ପାଇଁ ଏକ କାଳଜୟୀ ସନନ୍ଦ ହୋଇ ରହିବ । ନିଜର ଦୋଷ ଦୁର୍ବଳତା ପ୍ରଦର୍ଶନ କରିବା ଦୋଷାବହ ହୋଇ ଆଜି ଆଉ ନାହିଁ । ତାହା ମାନବୀୟ ସ୍ନେହ, ପ୍ରୀତି ଓ ମମତ୍ୱବୋଧ ନିର୍ଦ୍ଧାରଣ କରୁଥିବାର ପ୍ରମାଣ ଦେଉଛି । ଅତଏବ ଆଜିର ଆତ୍ମଜୀବନୀ ଲେଖକର ଭୂମିକା ବିଶେଷ ଗୁରୁତ୍ୱପୂର୍ଣ୍ଣ ।

 

ସଫଳ ଜୀବନୀ ଓ ଆତ୍ମଜୀବନୀ ସୃଷ୍ଟିର କେତୋଟି ଦିଗ

 

ଜୀବନୀ ସାହିତ୍ୟ ଓ ସୃଷ୍ଟି ଏକ କଷ୍ଟସାଧ୍ୟ ବ୍ୟାପାର । ଏଣୁ ଜୀବନୀ ସାହିତ୍ୟ ସୃଷ୍ଟିକାରଙ୍କ ସୃଷ୍ଟି ସମୟରେ ନିମ୍ନଲିଖିତ କେତେକ ବିଷୟ ଉପରେ ଗୁରୁତ୍ୱ ପ୍ରଦାନ କରିବାକୁ ପଡ଼ିଥାଏ ।

 

ଜୀବନ ଜୀବନ୍ତ ହେବା ଉଚିତ, ଅର୍ଥାତ୍‍ ଜୀବନୀ ସାହିତ୍ୟ ଏପରି ହେବା ଉଚିତ ଯେଉଁଥିରୁ କି ପ୍ରକୃତ ରକ୍ତ ମାଂସଧାରୀ ମନୁଷ୍ୟର ମୂର୍ତ୍ତି ଫୁଟି ଉଠିବ । ସମାଲୋଚକ ସୁରେନ୍ଦ୍ର ମହାନ୍ତିଙ୍କ ମତରେ “ବସ୍ତୁତଃ ଜୀବନ ଚରିତ ସାଲ ସନ ତାରିଖର ଫର୍ମା ଭିତରେ ବନ୍ଧା ଏକ ଶୁଷ୍କ ନିଷ୍ପ୍ରାଣ ତଥ୍ୟର ସମାହାର ନୁହେଁ, ପ୍ରତ୍ୟେକ ଘଟଣାର ନେପଥ୍ୟରେ ରହିଥାଏ ଜୀବନର ଗଭୀର ସ୍ପନ୍ଦନ ।” ଆଲୋଚକ ଶ୍ରୀ ମହାନ୍ତିଙ୍କ ମତାନୁସାରେ ଜୀବନ ସାହିତ୍ୟ ସର୍ବଯୁଗୀନ, ସର୍ବମନୀନ ହେବା ଦରକାର । ଫଳତଃ ଜୀବନୀ ନାୟକର ବ୍ୟକ୍ତିତ୍ୱ ସବୁ ସମୟ ପାଇଁ ସମସ୍ତଙ୍କୁ ପ୍ରଭାବିତ କରି ପାରିବ । ଜୀବନ ସାହିତ୍ୟ ଲେଖକଙ୍କର ମାନବ ଚରିତ୍ର ସମ୍ବନ୍ଧରେ ଗଭୀର ଅନ୍ତର୍ଦୃଷ୍ଟି ରହିବା ବାଞ୍ଛନୀୟ । ପୁନଶ୍ଚ ଯେଉଁ ବ୍ୟକ୍ତିର ଜୀବନୀ ଲେଖା ହେବ, ତାଙ୍କ ବିଷୟରେ ଶ୍ରଦ୍ଧାନିତ୍ୱ ହେବା ଲେଖକଙ୍କର ଏକ ଶ୍ରେଷ୍ଠ କର୍ତ୍ତବ୍ୟ । ନଚେତ୍ ଲେଖକ ସେହି ବିଶିଷ୍ଟ ବ୍ୟକ୍ତିଙ୍କର ଚିତ୍ତ-କଥା ସର୍ବଜନବିଦିତ କରାଇ ତାଙ୍କର ଆଦର୍ଶକୁ ମୂର୍ତ୍ତି କରିବା ପାଇଁ ସକ୍ଷମ ହୋଇ ପାରନ୍ତି ନାହିଁ । ଜୀବନୀ ଲେଖକଙ୍କର ସହାନୁଭୂତି ଗୁଣର ଅତ୍ୟାବଶ୍ୟକତା ବିଷୟରେ ମତ ପ୍ରଦାନ କରି ସମାଲୋଚକ ହଡ଼ସନ୍ କହନ୍ତି-“To reach the best in literature as in life sympathy is a preliminary condition. Only through sympathy can we ever get into living touch with another soul ” ସଫଳ ଜୀବନୀ ସୃଷ୍ଟି ନିମନ୍ତେ କାରଲାଇନଙ୍କ ମତାନୁସାରେ “You can not look upon a great man however imperfectly without gaining something by his conduct” ଜୀବନୀକୁ ପ୍ରକୃତ ବାସ୍ତବ କରିବାକୁ ହେଲେ ଜୀବନୀ ଯାହା ବିଷୟରେ ଲେଖାହେବ ତା’ ସହିତ ବାସ୍ତବ କ୍ଷେତ୍ରରେ ଲେଖକଙ୍କର ସମ୍ବନ୍ଧ ରହିବା ଆବଶ୍ୟକ । ଅଧିକାଂଶ ଜୀବନୀ ମୃତ୍ୟୁ ପରେ ରଚନା କରାଯାଏ । ଏଣୁ ଲେଖକ ବିଚାରବନ୍ତ ହୋଇ ଅନାବଶ୍ୟକ ତଥ୍ୟକୁ ଗ୍ରହଣ କରିବା ଉଚିତ । ଜୀବନୀ ରଚନା ବେଳେ ଲେଖକଙ୍କୁ ବହୁତ କଷ୍ଟସ୍ଵୀକାର ପୂର୍ବକ ନାନା ତଥ୍ୟ ଖୋଜିବାକୁ ପଡ଼େ । ଏଣୁ ବହୁ ଅସୁବିଧାର ସମ୍ମୁଖୀନ ହୋଇ ଲେଖକ ଥରେ ଥରେ ଅଧୈର୍ଯ୍ୟ ହୋଇପଡ଼ନ୍ତି । ମାତ୍ର ଏହାଦ୍ଵାରା ଜୀବନୀ ସତ୍ୟତାକୁ ପରିହାର କରି ମିଥାଯୁକ୍ତ ହୋଇଥାଏ । ଅତଏବ ଲେଖକ ମହାଶୟ ଧୈର୍ଯ୍ୟଶୀଳ ହୋଇ ଆଗ୍ରହ ପ୍ରକାଶ ପୂର୍ବକ ସତ ଉଦ୍‍ଘାଟନରେ ବ୍ରତୀହେବା ଦରକାର ।

 

ବୀରପୂଜା ବା ଯଥୋଚିତ ସମ୍ମାନ ପ୍ରଦର୍ଶନ ନ୍ୟାୟରେ ଜୀବନୀ ରଚନା କରିବା ଉଚିତ ନୁହେଁ । ଏହା ଫଳରେ ଇତିହାସ ଓ ସତ୍ୟର ଅପଳାପ ହୁଏ । ଜୀବନୀକାର ସମାଜ ସଚେତନ ହେବା ଯୁକ୍ତି ସଂଗତ । କେନ୍ଦ୍ର ଚରିତ୍ରଗତ ସମ୍ବାଦ ପରିବେଷଣ ସଙ୍ଗେ ସଙ୍ଗେ ସମକାଳୀନ ପାରିପାର୍ଶ୍ଵିକ ଓ ଯୁଗୋଚିତ ଅନ୍ୟାନ୍ୟ ବ୍ୟକ୍ତିଙ୍କ ବିଷୟରେ ସୂଚନା ପ୍ରଦାନ କରିବା ସଫଳ ଜୀବନୀ ସ୍ରଷ୍ଟାର ଶ୍ରେଷ୍ଠ କର୍ତ୍ତବ୍ୟ । ଜୀବନୀରେ କାଳକ୍ରମ ଅନୁସରଣ କରିବା ବିଧେୟ । ଜୀବନୀ ମାଧ୍ୟମରେ ଗ୍ରନ୍ଥକାର ତତ୍ତ୍ଵକଥା ଓ ନୀତି କଥାର ଉପସ୍ଥାପନା ନ କରିବା ଉଚିତ । ଏହାଦ୍ଵାରା ଗ୍ରନ୍ଥର ଶିଳ୍ପ-ସୌନ୍ଦର୍ଯ୍ୟ ବ୍ୟାହତ ହୁଏ ବୋଲି Andre Maurois ନିମ୍ନୋକ୍ତ ଭାବରେ ମତ ପ୍ରଦାନ କରି ଅଛନ୍ତି । “A Beethovr symphony is highly moral so is to great biography not because the author lays down moral principles ebut because a great life is a thing of beauty.

 

ଜୀବନୀ ଲେଖକ ଜୀବନୀ ରଚନା ବେଳେ ବ୍ୟକ୍ତିଗତ ସ୍ଵାର୍ଥ ପରିହାର ନକଲେ ସଫଳଜୀବନୀ ଉତୁରିପାରେ ନାହିଁ । ନିଜ ବିଷୟରେ ଜୀବନୀ ଭିତରେ କହିବା ଅନାବଶ୍ୟକ । ଦୋଷ, ତ୍ରୁଟି, ଆଦର୍ଶ ପ୍ରଭୃତିର ସ୍ଥାନ ଏଥିରେ ରହିଥାଏ । ଦୋଷଦୁର୍ବଳତା ପରିହାର କରି କେବଳ ଆଦର୍ଶର ଉପସ୍ଥାପନା କରାଗଲେ ଜୀବନର ଚାରୁ ଶିଳ୍ପ ଓ ସୌନ୍ଦର୍ଯ୍ୟ ତିରୋହିତ ହୋଇଯାଏ । ସର୍ବୋପରି ଭାବରେ ଜୀବନୀ ମାନବ ଆତ୍ମାର ଜୟଯାତ୍ରାକୁ ଏପରି ଭାବରେ ଅଙ୍କିତ କରିବା ଉଚିତ, ଯାହାଦ୍ଵାରା ମଣିଷର ଆଶାଭରସା ଓ ସହାନୁଭୂତିକୁ ଏହା ଅକ୍ଳେଶରେ ଉଦ୍‌‌ବୁଧ କରିପାରିବ ।

 

ଆତ୍ମା ଜୀବନୀ ସୃଷ୍ଟି ଜୀବନ ସାହିତ୍ୟର ଅନ୍ୟତମ ବିଭାଗ । ଏଥିରେ ଲେଖକ ନିଜ ଜୀବନୀ ବିଷୟରେ ପାଠକଙ୍କୁ ଜାଣିବାର ସୁଯୋଗ ଦିଏ । ଡଃ ଜନ୍‌ସନ୍‌ଙ୍କ ମତରେ ସମସ୍ତେ ନିଜ ନିଜର ଆତ୍ମଚରିତ ରଚନା କରିବା ବାଞ୍ଛନୀୟ । ଏହି ଉକ୍ତି ଏକାନ୍ତ ଭାବରେ ସତ୍ୟ । ନିଜ ଜୀବନୀ ନିଜେ ଲେଖିବାଦ୍ୱାରା ସେଥିରେ ସମସ୍ତ ବିବରଣୀ ପ୍ରକାଶ ପାଇପାରିବ । ଆତ୍ମଜୀବନୀରେ ଲେଖକଙ୍କ ଜୀବନର ପରିବାର, ଆଦର୍ଶ, ରୀତିନୀତି ବିଷୟରେ ସମ୍ପୂର୍ଣ୍ଣ ଧାରଣା କରିହୁଏ ଏବଂ ଅନେକ ସତ ଘଟଣା ପ୍ରକାଶିତ ହେବାର ସୁଯୋଗଥାଏ । ଜନ୍‌ସନ୍‌ଙ୍କ ଏହି ବିଷୟରେ ମତ ହେଉଛି–“Every mans, life may be best written by himself, had he be employed in the presentation of his own history. that clearness or narration and eloquence of knowledge in which he has embalmed so many eminent person, the world probably have had the most perfect example of biography that was ever contributed–ଅନେକ ସମୟରେ ଆତ୍ମଚରିତ ଲେଖକମାନେ ଦାମ୍ଭିକତା, ଅସାମାନ୍ୟ ଲଜ୍ଜାହୀନ ବର୍ଣ୍ଣନା ଓ ମିଥ୍ୟାର ପ୍ରଭାବରେ ଆତ୍ମଚରିତକୁ ଭାରାକ୍ରାନ୍ତ କରିଥାଆନ୍ତି, ମାତ୍ର ଏହା ତାଙ୍କର ସୃଷ୍ଟି ଗୌରବକୁ ଅଧିକ ମାତ୍ରାରେ ବ୍ୟାହତ ବା ପୂର୍ଣ୍ଣକରେ । ଅଧିକନ୍ତୁ ଲେଖକ ନିଜ କଥା କହିବାକୁଯାଇ ଯେତେବେଳେ ଭବିଷ୍ୟତ କାଳର ପାଠକଙ୍କ କଥା ସ୍ମରଣ କରନ୍ତି ସେତେବେଳେ ଲଜ୍ୟା ଓ ବିଚାର ବୁଦ୍ଧିଯୁକ୍ତ ହୋଇ ନିଜ ଜୀବନର ଅନେକ କଥାକୁ ସେ ଗୋପନ କରିବା ସଙ୍ଗେ ସଙ୍ଗେ ଜୀବନୀରେ ଉପସ୍ଥାପିତ କରିପାରନ୍ତି ନାହିଁ । ଏହା ଅକପଟ ଆତ୍ମଚରିତ ରଚନାରେ ବାଧାସୃଷ୍ଟି କରେ । ନିଜ ଜୀବନର ଓ ଅଭିଜ୍ଞତାର ଅକପଟ ପରିପ୍ରକାଶ ଦ୍ଵାରା ଆତ୍ମଚରିତ ସରସ, ସୁନ୍ଦର ଓ ପ୍ରାଣବନ୍ତ ହୋଇ ଉଠେ । ଆତ୍ମଚରିତ ଲେଖକ ଅଧିକ ମାତ୍ରାରେ ନମ୍ରତା ଓ ଆତ୍ମ ସଚେତନ ହେବା ଉଚିତ ନୁହେଁ ।

 

ଜୀବନୀ ଓ ଆତ୍ମଚରିତ ମାନବ ଚରିତ୍ରର ଚିତ୍ରଶାଳା । ଏହା ସତ୍ୟଯୁକ୍ତ ହେବା ଏକାନ୍ତ ଆବଶ୍ୟକ, ନଚେତ୍‌ ଲୋକ ଚରିତ୍ର ଗଠନରେ ଏତାଦୃଶ ସାହିତ୍ୟର ମହତ୍ତ୍ୱ ପ୍ରକାଶିତ ହୋଇପାରିବ ନାହିଁ ।

 

ଓଡ଼ିଆ ଜୀବନୀ ଓ ଆତ୍ମଜୀବନୀର ସଂକ୍ଷିପ୍ତ ପରିଚୟ

 

ମାର୍ଜ୍ଜିତ ଜୀବନୀ ଓ ଆତ୍ମଜୀବନୀ ସୃଷ୍ଟି ସାହିତ୍ୟ କ୍ଷେତ୍ରରେ ବହୁଦିନର ବ୍ୟାପାର ନୁହେଁ-। ଭାରତୀୟ ସାହିତ୍ୟ ପ୍ରତି ଦୃଷ୍ଟିପାତ କଲେ ଜଣାଯାଏ ଯେ ଧର୍ମପ୍ରଚାର ଉଦ୍ଦେଶ୍ୟ ନେଇ ଏତାଦୃଶ ସାହିତ୍ୟ ସୃଷ୍ଟି ହୋଇଥିଲା ଓ କାଳକ୍ରମେ ତାହା ବ୍ୟକ୍ତିଗତ ଜୀବନର ସ୍ଵରୂପ ପ୍ରକାଶିତ କଲା-। ସମାଲୋଚକମାନେ ମତବ୍ୟକ୍ତି କରନ୍ତି ଯେ, ଅଶ୍ଵଘୋଷଙ୍କର ବୁଦ୍ଧ ଚରିତ ସର୍ବପ୍ରଥମ ଜୀବନୀ ସାହିତ୍ୟ । ବଙ୍ଗଳା ସାହିତ୍ୟରେ ‘‘ଚୈତନ୍ୟ ଚରିତା ମୃତ’’ ସେହିପରିଭାବରେ ପ୍ରଥମ ଜୀବନୀ ସାହିତ୍ୟ ଭାବରେ ବିବେଚିତ । ଓଡ଼ିଆ ସାହିତ୍ୟର ଜୀବନୀ ଓ ଆତ୍ମାଜୀବନୀ ଦିଗ ସମ୍ପୂର୍ଣ୍ଣ ଭାବରେ ଦୁର୍ବଳପରି ମନେହୁଏ, ମାତ୍ର ଏହାର ଉତ୍ସ ସୁପ୍ରାଚୀନ‌ ବୋଲି ଜଣାପଡ଼େ ।

 

ଧର୍ମର ଗୁରୁଚନ୍ଦ୍ରିକାରେ ଶୋଭିତ ପୁରାଣଯୁଗରେ ପୌରାଣିକତା ଓ କାଳ୍ପନିକତାକୁ ଆଶ୍ରୟକରି ସାହିତ୍ୟକାରମାନେ ସୃଷ୍ଟି ପକ୍ରିୟାରେ ମନପ୍ରାଣ ଢାଳି ଦେଇଥିଲେ । ସରଳ ତରଳ ଧର୍ମ ବିଶ୍ଵାସୀ ମଣିଷ କଳ୍ପନାରେ ଦେବତାମାନଙ୍କ ମର୍ତ୍ତ୍ୟ ରାଜ୍ୟରେ ଉପବେଶନ କରାଇ ଆନନ୍ଦରେ ମାତିଉଠୁଥିଲେ । ସେ ସମୟର ସାହିତ୍ୟରେ କୃଷ୍ଣ, ରାମ, ଶିବ ଇନ୍ଦ୍ର, ଲକ୍ଷ୍ମୀ ଦୁର୍ଗା ପ୍ରଭୃତି ଚରିତ୍ରମାନ‌ ସ୍ଥାନ ପାଉଥିଲା । ଓଡ଼ିଆଙ୍କ ପ୍ରାଣର ଦେବତା ଜଗତରନାଥ‌ ଜଗନ୍ନାଥଙ୍କୁ ଉତ୍କଳବାସୀ ଶ୍ରେଷ୍ଠବୋଲି ମାନିଥିଲା । ଏହିମନ୍ଦିରରୁ ଓଡ଼ିଆ ସାହିତ୍ୟର ପ୍ରଥମ ଗଦ୍ୟରଚନା ‘‘ମାଦଳାପାଞ୍ଜି’’, ଉତ୍କଳର ଅନେକ ରାଜରାଜୁଡ଼ାଙ୍କ ଜୀବନୀ ଇତିହାସକୁ ସମ୍ବଳ କରି ପ୍ରକାଶିତ ହେଉଥିଲା । ତତ୍କାଳୀନ ଓଡ଼ିଶାର ବହୁରାଜାଙ୍କ ଜୀବନୀ ପ୍ରକାଶ କରିବାରେ ‘‘ମାଦଳାପାଞ୍ଜିର କଳେବର‌ ପୃଷ୍ଟହୋଇଛି ସତ; କିନ୍ତୁ ତାହା ସାହିତ୍ୟ ପର୍ଯ୍ୟାୟଭୁକ୍ତ ନ ହୋଇ ଇତିହାସ ଭାବରେ ଖ୍ୟାତ । ଏଣୁ ସପ୍ତଦଶ ଶତକରେ ଦିବାକର ଦାସଙ୍କ ରଚିତ ‘ଜଗନ୍ନାଥ ଚରିତାମୃତ ଓଡ଼ିଆ ସାହିତ୍ୟର ପ୍ରଥମ ଜୀବନୀ ଗ୍ରନ୍ଥ । ଏହା ପଦ୍ୟରେ ରଚିତ । ଷୋଡ଼ଶ ଶତାବ୍ଦୀର ଭକ୍ତକବି ଜଗନ୍ନାଥ ଦାସଙ୍କ ଜୀବନୀ ବର୍ଣ୍ଣନା କରିବାକୁ ତାଇ କବି ଅଲୌକିକ ଓ ଦିବ୍ୟ ଗୁଣାଦଳୀର ଉପସ୍ଥାପନା କରିବା ସଙ୍ଗେ ସଙ୍ଗେ ସେ ସମୟର ଅନ୍ୟାନ୍ୟ ବହୁ କବି ତଥା ଭକ୍ତଙ୍କ‌ ଜୀବନୀକୁ ମଧ୍ୟ ଲିପିବଦ୍ଧ କରିଛନ୍ତି ।

 

ପଦ୍ୟରେ ରଚିତ ୧୮ଶ ଶତାବ୍ଦୀର କବି ରାମଦାସ କୃତ ‘ଦାର୍ଢ୍ୟତା ଭକ୍ତି’ ଓଡ଼ିଆ ଜୀବନୀ ସାହିତ୍ୟର ଅନ୍ୟ ଏକ ଶ୍ରେଷ୍ଠ କୃତୀ । ସରଳ, ସହଜ ଓ ବୋଧ୍ୟ ଭାଷାରେ ପ୍ରାୟ ୫୦ ଜଣ ଭକ୍ତଙ୍କ ଜୀବନୀ ଉକ୍ତ ଗ୍ରନ୍ଥରେ ସନ୍ନିବେଶିତ । ଅଷ୍ଟାଦଶ ଶତାବ୍ଦୀର ଅନ୍ତିମ ଭାଗବେଳକୁ ବହୁ ଦେବାଦେବୀ ଓ ରାଜା ରାଣୀଙ୍କୁ ନେଇ ଅନେକ କାବ୍ୟ ରଚନା କରାଗଲା । ଏଥିରେ ପ୍ରେମ ପ୍ରଣୟ, ହର୍ଷ-ବିଷାଦର ଚିତ୍ର ଦୃଷ୍ଟିଗୋଚର ହୁଏ । ଈଶ୍ଵର ଦାସ କୃତ ‘‘ଚୈତନ୍ୟ ଚରିତାମୃତ’’ ଏହି ସମୟର ଅନ୍ୟତମ ପଦ୍ୟାତ୍ମକ ଜୀବନୀ ଗ୍ରନ୍ଥ । ୧୮୫୩ମସିହା ବେଳକୁ ଅନୁଗୁଳର‌ ଜନୈକ କବି ନୃସିଂହ ରାଜଗୁରୁ ଅନୁଗୁଳର କରଦ ରାଜା ସୋମନାଥ ସିଂହଙ୍କ ଜୀବନୀ ରଚନା କରିଥିଲେ । ତାହା ‘‘ରାଜା ସୋମନାଥ ସିଂହ ଜଗଦେବ’’ ନାମରେ ନାମିତ ହୋଇଛି । ଏହି କେତେକ ମୁଷ୍ଟିମେୟ‌ ଜୀବନୀ ଗ୍ରନ୍ଥକୁ ଛାଡ଼ିଦେଲେ ଓଡ଼ିଆ ସାହିତ୍ୟର ଆଦିଯୁଗଠାରୁ ମଧ୍ୟଯୁଗ‌ ପର୍ଯ୍ୟନ୍ତ ଅନ୍ୟ କୌଣସି ଜୀବନୀ‌ଗ୍ରନ୍ଥ ସୃଷ୍ଟି ହେବାର ପ୍ରମାଣ ମିଳେନା ।

 

ଊନବିଂଶ ଶତାବ୍ଦୀର ଅନ୍ତିମ ଭାଗ ବେଳକୁ ଗଦ୍ୟ ସାହିତ୍ୟର ବିକାଶ ହେବା ସଙ୍ଗେ ସଙ୍ଗେ ତାହା ଭିନ୍ନ ଭିନ୍ନ ରୂପରେ ବିସ୍ତାର ଲାଭ କଲା । ସେତେବେଳକୁ ଭାରତରେ ଜାତୀୟ ଜାଗରଣ ଦେଖାଗଲା ଓ ଅନେକନେତା, ବୀରଙ୍କ‌ ଜୀବନୀ ରଚିତ ହେଲା । ଭାରତୀୟସାହିତ୍ୟର ଏତାଦୃଶ ସୃଷ୍ଟି ଓଡ଼ିଆସାହିତ୍ୟକୁ ଅନୁପ୍ରାଣିତ କଲା । ଉତ୍କଳବାସୀ ପ୍ରତିଭା ପୂଜାର ଉପାଦେୟତା ମର୍ମେ ମର୍ମେ ଅନୁଭବ କଲେ ଓ ବିଶିଷ୍ଟ ବ୍ୟକ୍ତିଙ୍କ ଆଦର୍ଶ ପ୍ରଚାର କରିବା ନିମନ୍ତେ ଜୀବନୀମାନ ରଚନା କଲେ । ପାଠ୍ୟପୁସ୍ତକ ରଚନା କ୍ଷେତ୍ରରେ ବହୁ ବୀର ପୁରୁଷ ଜାତୀୟ ନେତାଙ୍କ ଜୀବନୀମୂଳକ‌ କ୍ଷୁଦ୍ର ପ୍ରବନ୍ଧ ରଚନା କରାଗଲା । ଜୀବନୀ ବୃତ୍ତାନ୍ତକୁ ଅବଲମ୍ବନ କରି ଏ ସମୟରେ ମଧୁସୂଦନ ଅନେକ ପ୍ରବନ୍ଧ ରଚନା କରିଥିବାର ପ୍ରମାଣ ମିଳେ । ୧୮୮୯ ମସିହାରେ ପ୍ରକାଶିତ ହରିଶ୍ଚନ୍ଦ୍ର ସରକାରଙ୍କର‌ ‘ଶିବାଜୀ’ ସେ ସମୟରେ ଏକ ଶ୍ରେଷ୍ଠ ଜୀବନୀ ଗ୍ରନ୍ଥ ଭାବରେ ପରିଚିତ ।

 

ବିଂଶ ଶତାବ୍ଦୀରେ ଲେଖକମାନେ ଜୀବନୀ ସାହିତ୍ୟ ପ୍ରତି ବିଶେଷ ଆଗ୍ରହ ହୋଇ ବିଭିନ୍ନ ବ୍ୟକ୍ତିତ୍ୱ ବିଷୟ ସାହିତ୍ୟ-ସୃଷ୍ଟି କରିବାକୁ ଲାଗିଲେ । ଶ୍ୟାମ ସୁନ୍ଦର ରାଜଗୁରୁ, ମୃତ୍ୟୁଞ୍ଜୟ ରଥ, ସଦାଶିବ ମିଶ୍ର, ପାର୍ବତୀ ଚରଣ ଦାସ, ଇତ୍ୟାଦି ଓଡ଼ିଶାର ପ୍ରାଚୀନ କବି ଓ ଭକ୍ତମାନଙ୍କର ଜୀବନୀ ଅନୁଶୀଳନୀ କଲେ । ଶ୍ୟାମସୁନ୍ଦର ରାଜଗୁରୁଙ୍କ ‘‘ପ୍ରବନ୍ଧାବଳୀ’’ ମୃତ୍ୟୁଞ୍ଜୟ ରଥଙ୍କ ‘‘ସାରଳା ରଚିତ’’, କବି ଅଭିମନ୍ୟୁ ସାମନ୍ତ ସିଂହାର ଓ ‘‘ଦୀନକୃଷ୍ଣ ଦାସ’’ ଏକ ଏକ ସାର୍ଥକ ସୃଷ୍ଟି । ସଦାଶିବ ମିଶ୍ରଙ୍କ ରଚିତ ଜଗନ୍ନାଥଦାସଙ୍କ‌ ଜୀବନୀ, ପାର୍ବତୀ ଚରଣ ଦାସଙ୍କ ‘‘ରସିକାନନ୍ଦ’’, ‘ରାୟରାମାନନ୍ଦ’ ପ୍ରଭୃତି ଜୀବନୀ ଗ୍ରନ୍ଥ ଓଡ଼ିଆ ଜୀବନୀ ସାହିତ୍ୟର ଅମୂଲ୍ୟ ସମ୍ପଦ । ୧୯୦୩ ମସିହାରେ ସ୍ଥାପିତ ‘‘ଉତ୍କଳ ସାହିତ୍ୟ ସମାଜ’’ ସଂସ୍ଥା ଆନୁକୂଲ୍ୟରେ ଜୀବନୀ ସାହିତ୍ୟ ସୃଷ୍ଟିର ଉଦ୍ୟମ କରାଯାଇଥିଲା । ବିଂଶ ଶତାବ୍ଦୀର ଦ୍ଵିତୀୟ ଦଶକ ବେଳକୁ ଜୀବନୀ ସାହିତ୍ୟର ବହୁଳ ବିକାଶ ସାଧିତ ହେଲା । ବହୁ ଭାରତୀୟ ତଥା ଆନ୍ତର୍ଜାତୀୟ ବିଶିଷ୍ଟ ବ୍ୟକ୍ତିଙ୍କ ଜୀବନଚରିତ‌ ଓଡ଼ିଆରେ ରଚିତ ହେଲା । ଓଡ଼ିଆ ସାହିତ୍ୟ ପ୍ରଚାର ସଙ୍ଘ କଟକ ଆନୁକୂଲ୍ୟରେ ମାର୍ଟିନ ଲୁଥର‌; ଦୟାନନ୍ଦ ମଧୁସୂଦନ, ପିଟର ଔରଙ୍ଗଜେବ‌ ପ୍ରଭୃତିଙ୍କ‌ ଜୀବନୀ ପ୍ରକାଶିତ ହେଲା ।

 

ଏହି ସମୟରେ ଐତିହାସିକ ଚରିତ୍ରମାନଙ୍କୁ ନେଇ କେତେକ ପ୍ରବନ୍ଧ ଓ ସ୍ଵତନ୍ତ୍ର ପୁସ୍ତକମାନ‌ ପ୍ରକାଶ ପାଇଲା । ସେଗୁଡ଼ିକ ମଧ୍ୟରେ ବ୍ରଜବନ୍ଧୁ ଦାସଙ୍କ ‘‘ନେପୋଲିଅନ” ଶିବ ପ୍ରସାଦ ଦାସଙ୍କର ‘‘ଶିବାଜୀ’’ ଓ “ଗୁରୁଗୋବିନ୍ଦ‌ ସିଂହ’’ ଭଗବାନ ପତିଙ୍କ ‘ଚନ୍ଦ୍ର ଗୁପ୍ତ ଓ ବିକ୍ରମାଦିତ୍ୟ’ ଇତ୍ୟାଦି ପ୍ରଧାନ । ଏହାଛଡ଼ା, ଖାରବେଳ, ରାଣାପ୍ରତାପ‌, ଝାନ୍‌ସୀ ରାଣୀ ଲକ୍ଷ୍ମୀବାଇ‌, ବୀର ସୁରେନ୍ଦ୍ର ସାଏ, ବାଘା ଯତୀନ‌, ଚାଖି ଖୁଣ୍ଟିଆ ପ୍ରଭୃତି ବୀରମାନଙ୍କର‌ ଜୀବନୀ ରଚିତ ହୋଇ ସେମାନଙ୍କ ବୀରତ୍ଵର ଆଲେଖ୍ୟ ଅଙ୍କନ କରାଯାଇଛି । କେତେକ ଧର୍ମ ପ୍ରଚାରକଙ୍କ ଜୀବନୀ ରଚିତ ହୋଇ ଓଡ଼ିଆ ଜୀବନୀ ସାହିତ୍ୟର ମାନ ବର୍ଦ୍ଧିତ କରିଛି । ବୁଦ୍ଧ, ଯୀଶୁ, ଶଙ୍କରାଚାର୍ଯ୍ୟ, ସ୍ଵାମୀ ବିବେକାନନ୍ଦ, ମହାବୀର, ଅଲେଖ ବାବା, ଶ୍ରୀମା’ ଅରବିନ୍ଦ ପ୍ରଭୃତି ଧାର୍ମିକଗଣଙ୍କ ଜୀବନୀ ପ୍ରଭୃତି ଆମର ସ୍ମରଣୀୟ । ସାହିତ୍ୟର ସ୍ରଷ୍ଟା ଭାବରେ ଅନେକ ସାହିତ୍ୟିକଙ୍କ ଜୀବନୀ ଓଡ଼ିଆ ସାହିତ୍ୟରେ ରଚିତ ହୋଇଛି । ‘ମାଟିର କବି ସାରଳା ଦାସ’ ଜଗନ୍ନାଥ ଦାସ; ବଳରାମ ଦାସ, ଯଶୋବନ୍ତ ଦାସ, ଉପେନ୍ଦ୍ର ଭଞ୍ଜ, ଅଭିମନ୍ୟୁ ସାମନ୍ତ ସିଂହାର, ଦୀନକୃଷ୍ଣ, କବିସୂର୍ଯ୍ୟ ବଳଦେବ ରଥ, ଗୋପାଳକୃଷ୍ଣ, ସାମନ୍ତ ଚନ୍ଦ୍ରଶେଖର, ରାଧାନାଥ, ଫକୀରମୋହନ, ମଧୁସୂଦନ ରାଓ, ଗୋଦାବରୀଶ ମହାପାତ୍ର, ନୀଳକଣ୍ଠ ଦାସ, ସାହିତ୍ୟିକ ଗୋପବନ୍ଧୁ, କୁନ୍ତଳା କୁମାରୀ, ବ୍ରଜସୁନ୍ଦର ଦାସ, କବି ଶେଖର ଚିନ୍ତାମଣି, ବିଚ୍ଛିନ୍ଦ ଚରଣ ପଟ୍ଟନାୟକ, କବି କାଳିଦାସ ପ୍ରଭୃତି ବହୁ ସାହିତ୍ୟିକ ଜୀବନୀ ଗ୍ରନ୍ଥ ରଚନା କରି ଓଡ଼ିଆ ସାହିତ୍ୟ ଧନ୍ୟ ହୋଇଛି । ଜାତିର ପିତା ମହାତ୍ମା ଗାନ୍ଧୀ, ପଣ୍ଡିତ ଜବାହାରଲାଲ, ଆବ୍ରାହାମ ଲିଙ୍କନ, ଲିଓଟଷ୍ଟୟ, ଶାନ୍ତି ସହିଦ ଶାସ୍ତ୍ରୀଜୀ, ସର୍ଦ୍ଦାର ବଲ୍ଲଭଭାଇ, ଡକ୍ଟର ରାଜେନ୍ଦ୍ର ପ୍ରସାଦ, ଦେଶବନ୍ଧୁ ଚିତ୍ତିରଞ୍ଜନ, ତ୍ୟାଗୀ ଗୋପବନ୍ଧୁ ପ୍ରଭୃତି ଜାତିବନ୍ଧୁ ତଥା ଦେଶବନ୍ଧୁଙ୍କ ଜୀବନୀ ଓଡ଼ିଆ ସାହିତ୍ୟରେ ପ୍ରଧାନ ସ୍ଥାନ ଅଧିକାର କରିଛି । ଏହାଛଡ଼ା ପାଠ୍ୟପୁସ୍ତକ ଜରିଆରେ ଅନେକ ବୈଜ୍ଞାନିକଙ୍କ ଜୀବନୀ ଓଡ଼ିଆରେ ରଚିତ ହୋଇଛି । ମାର୍କୋନୀ ଏଡ଼ିସନ, ମାଡାମ୍ କ୍ୟୁରୀ, ଲୁଇ ପାଶ୍ଚର, ସାର୍ ଜଗଦୀଶ ଚନ୍ଦ୍ର ବୋଷ, ମାଇକେଲ ଫାରେଡ଼େ, ନିଉଟନ; ବୈଜ୍ଞାନିକ ଆଇନ୍‍ ଷ୍ଟାଇନ୍, ଭାରତ ରତ୍ନ ଆଚାର୍ଯ୍ୟ ରମଣ ପ୍ରଭୃତି ବିଶିଷ୍ଟ ବୈଜ୍ଞାନିକଙ୍କ ଜୀବନୀ ଓଡ଼ିଆରେ ରୂପାୟିତ ହୋଇଅଛି ।

 

ଓଡ଼ିଆରେ ବହୁ ଜୀବନିମୂଳକ ନାଟକ, ଉପନ୍ୟାସ ଓ କବିତା ମଧ୍ୟ ରଚିତ ହୋଇଛି । ସେଗୁଡ଼ିକ ମଧ୍ୟରେ ରଜତ କରଙ୍କର ‘କବିସମ୍ରାଟ’, ଦେବେନ୍ଦ୍ର ସିଂହଙ୍କ ‘ଉପେନ୍ଦ୍ର ଭଞ୍ଜ’, ସୁରେନ୍ଦ୍ର ମହାନ୍ତିଙ୍କ ଶତାବ୍ଦୀର ସୂର୍ଯ୍ୟ, ନିତ୍ୟାନନ୍ଦ ଶତପଥୀଙ୍କ ହେ ସାଥି “ହେ ସାରଥି” ଉଲ୍ଲେଖଯୋଗ୍ୟ । ବିଭିନ୍ନ ଭାଷାଭାଷୀରୁ କେତେକ ଜୀବନୀଗ୍ରନ୍ଥ ଓଡ଼ିଆରେ ଅନୁବାଦ ହୋଇଥିବାର ଦୃଷ୍ଟିଗୋଚର ହୁଏ । ଗୋପବନ୍ଧୁ ଚୌଧୁରୀଙ୍କ ‘ଗାନ୍ଧୀ’, ସୁରେନ୍ଦ୍ର ନାଥ ଦ୍ଵିବେଦୀଙ୍କ, “ନେହେରୁ” ବିଚିତ୍ରାନନ୍ଦ ମହାନ୍ତିଙ୍କ ରାଜେନ୍ଦ୍ର ପ୍ରସାଦ ଓ ଚିତ୍ତରଞ୍ଜନ ଦାସଙ୍କ ‘ଏରିନର ରୁଜଭେଟଲ୍’ ଏକ ଏକ ସାର୍ଥକ ଅନୂଦିତ ଜୀବନ ଗ୍ରନ୍ଥ । ରାଜେନ୍ଦ୍ର ପ୍ରସାଦଙ୍କ ‘ଗାନ୍ଧୀଙ୍କ ପଦତଳେ’, ହରିବଂଶ ସିଂଙ୍କ “ଗୁରୁ ଗୋବିନ୍ଦ ସିଂ”, ବ୍ରୁସଲିଙ୍କ ରଚିତ “କେନେଡ଼ିଙ୍କ ଜୀବନ କାହାଣୀ” ବିଷ୍ଣୁ ମହାନ୍ତିଙ୍କ “କାଳିଦାସ” ପ୍ରଭୃତି ଜୀବନୀକୁ ଓଡ଼ିଆରେ ଅନୁବାଦ କରାଯାଇଛି । ଜୀବନୀ ଅନୁବାଦ କରିବା ଦିଗରେ, ନୀଳକଣ୍ଠ ଦାଶ, ସଚ୍ଚିଦାନନ୍ଦ କାନୁନଗୋ, ମାୟାଧର ମାନସିଂହ, ଗୋଲକବିହାରୀ ଧଳ, ଭାବଗ୍ରାହୀ ମିଶ୍ରଙ୍କ ଦାନ ଅତୁଳନୀୟ ।

 

କିଶୋର ଓ ତରୁଣ ଛାତ୍ରମାନଙ୍କ ନିମନ୍ତେ ନୋବେଲ ପ୍ରାଇଜ ସିରିଜ୍, ଭାରତୀୟ ମହିଳା ସିରିଜ୍, ଋଷି ଜୀବନୀ ମାଳା, ସାଧକ ଚରିତ ମାଳା, ବୈଜ୍ଞାନିକ ସିରିଜ ପ୍ରଭୃତି ସଂକ୍ଷିପ୍ତ ଜୀବନୀ ବୃତ୍ତାନ୍ତ ଓଡ଼ିଆରେ ପ୍ରକାଶିତ ହୋଇଛି । ଏ ଦିଗରେ ଯେଉଁମାନେ ଲେଖନୀ ଚାଳନା କରିଛନ୍ତି ସେମାନେ ହେଲେ ବୀର କିଶୋର ଦାସ, ନୀଳକଣ୍ଠ ଦାଶ, ଶ୍ରୀଧର ଦାସ, ଗଦାଧର ମିଶ୍ର, ଗଙ୍ଗାଧର ବଳ, ରମେଶ ଚନ୍ଦ୍ର ଧଳ, ପଠାଣି ପଟ୍ଟନାୟକ ପ୍ରମୁଖ । ଏବେ ଓଡ଼ିଶାରେ ବହୁ ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ କେତେଗୋଟି ସ୍ମାରକ ଗ୍ରନ୍ଥ ପ୍ରକାଶିତ ହେଲାଣି । “ପୂଜ୍ୟ ପୂଜ୍ୟ ସଂସଦ” ଜୀବନୀ ସୃଷ୍ଟି କରିବା ଦିଗରେ ଏକ ସାର୍ଥକ ଅନୁଷ୍ଠାନ ଭାବରେ ପରିଚିତ । ଏତଦ୍‍ଭିନ୍ନ ବିଭିନ୍ନ ପତ୍ର-ପତ୍ରିକା ଓ ଅନୁଷ୍ଠାନ ଓଡ଼ିଆ ଜୀବନୀ ସାହିତ୍ୟ ସୃଷ୍ଟି କରିବାରେ ଅଗ୍ରଗଣ୍ୟ । ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମ ଦିବସରେ, ଶ୍ରାଦ୍ଧବାସରରେ, ମୃତ୍ୟୁରେ ବହୁ ସ୍ମୃତି କବିତା ଓ ଜୀବନୀମୂଳକ ପ୍ରବନ୍ଧ ପ୍ରକାଶିତହୋଇ ଜୀବନୀ ସାହିତ୍ୟର ଦିଗକୁ ପ୍ରସାରିତ କରୁଅଛି ।

 

ଓଡ଼ିଆ ସାହିତ୍ୟରେ କେତେକ ଆତ୍ମଜୀବନୀ ମଧ୍ୟ ସୃଷ୍ଟି ହୋଇଛି । ସଂଖ୍ୟା ଦୃଷ୍ଟିରୁ ଆତ୍ମଜୀବନୀ ସ୍ୱଳ୍ପ ହେଲେ ମଧ୍ୟ ଏଗୁଡ଼ିକ ଖୁବ୍ ଉଚ୍ଚାଙ୍ଗ ଓ ଶ୍ରେଷ୍ଠ ହୋଇପାରିଛି । ଫକୀରମୋହନ, ଗୋଦାବରୀଶ ମିଶ୍ର, ନୀଳକଣ୍ଠ, କବି ବୈଷ୍ଣବ ପାଣି, ପଣ୍ଡିତ ଲକ୍ଷ୍ମୀନାରାୟଣ ସାହୁ, ଯଥାକ୍ରମେ ‘ଆତ୍ମଚରିତ’ ‘ଅର୍ଦ୍ଧଶତାବ୍ଦୀର ଓଡ଼ିଆ ଓ ତହିଁରେ ମୋ ସ୍ଥାନ’ ଆତ୍ମଜୀବନୀ, ବୈଷ୍ଣବ ପାଣିଙ୍କ ‘ଆତ୍ମଜୀବନୀ’ ଓ ‘ମୋ ବାରବୁଲା ଜୀବନ’ ନାମକ ସେମାନଙ୍କ ନିଜ ଜୀବନୀ ରଚନା କରିଅଛି । ସ୍ମୃତିକଥା ଆତ୍ମଲିପି ପର୍ଯ୍ୟାୟଭୁକ୍ତ ରଚନା ଭାବରେ ଶଶିଭୂଷଣ ରାୟଙ୍କ ଶଙ୍ଖ ପତ୍ରିକାରେ ପ୍ରକାଶିତ “ଷାଠିଏ ବର୍ଷ ତଳର ଓଡ଼ିଆ’’ ହରେକୃଷ୍ଣ ମହତାବଙ୍କ “ସାଧନାର ପଥେ’, ଗୋବିନ୍ଦ ମିଶ୍ରଙ୍କ ‘ଜାତୀୟ ଜୀବନର ଆତ୍ମବିକାଶ’, ପାବିତ୍ରମୋହନ ପ୍ରଧାନଙ୍କ ‘ମୁକ୍ତି ପଥେ ସୈନିକ’, ଚନ୍ଦ୍ରଶେଖର ମିଶ୍ରଙ୍କ “ସତ୍ୟବାଦୀରେ ସାତବର୍ଷ” ପ୍ରଭୃତି ରଚନାଗୁଡ଼ିକର ନାମ ଉଲ୍ଲେଖଯୋଗ୍ୟ ।

 

ଓଡ଼ିଆ ସାହିତ୍ୟର ଜୀବନୀ ରଚୟିତା ଭାବରେ ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶ, ନୀଳକଣ୍ଠ ଦାସ, ବୀରକିଶୋର ଦାସ, ଚିନ୍ତାମଣି ଦାଶ, କୃଷ୍ଣଚନ୍ଦ୍ର କର, ସୁରେନ୍ଦ୍ର ମହାନ୍ତି, ପଦ୍ମନାଭ ପଟ୍ଟନାୟକ, ଉପେନ୍ଦ୍ର ମିଶ୍ର, ନିତ୍ୟାନନ୍ଦ ମହାପାତ୍ର, ବିଭୂତି ପଟ୍ଟନାୟକ, ଗୋକୁଳାନନ୍ଦ ମିଶ୍ର, ଶ୍ରୀଧର ଦାସ, ଗଦାଧର ମିଶ୍ର, ଲିଙ୍ଗରାଜ ମିଶ୍ର, ଚନ୍ଦ୍ରଶେଖର ମିଶ୍ର, କୁଞ୍ଜ ବିହାରୀ ଦାଶ, ଚିନ୍ତାମଣି ମହାନ୍ତି, ଦୟାନିଧି ମିଶ୍ର, ଅସିତ କବି, ସଦାଶିବ ତ୍ରିପାଠୀ, ଅନନ୍ତ ଚରଣ ଶତପଥୀ ପ୍ରଭୃତିଙ୍କ ନାମ ଉଲ୍ଲେଖଯୋଗ୍ୟ ।

 

ଉପଯୁକ୍ତ ଆଲୋଚନାରୁ ଜଣାଯାଏ ଯେ, ବିଗତ ଦୁଇ ଶତାବ୍ଦୀ ମଧ୍ୟରେ ଓଡ଼ିଆ ଜୀବନୀ ସାହିତ୍ୟର ଅଭୂତପୂର୍ବ ଉନ୍ନତି ହୋଇଅଛି । ପରିମାଣ ଦୃଷ୍ଟିରୁ ଜୀବନୀ ରଚନା ଅଗ୍ରଗତି କରିଛି ସତ ମାତ୍ର ଗୁଣାତ୍ମକ ଦୃଷ୍ଟିରୁ ଏହାର ଆଶାନୁରୂପ ଅଗ୍ରଗତି ହୋଇପାରି ନାହିଁ । ଓଡ଼ିଆରେ ରଚିତ ଅଧିକାଂଶ ଜୀବନୀ ଆହରଣମୂଳକ ଓ ବିବରଣୀ ପ୍ରଧାନ କହିଲେ ଅତ୍ୟୁକ୍ତି ହେବ ନାହିଁ । କାଳକ୍ରମେ ଏହି ବିଭାଗର ଯେ ଉନ୍ନତି ସାଧନ ହେବ ଏଥିରେ ସନ୍ଦେହର ଅବକାଶ ନାହିଁ ।

 

ଏହା ହିଁ ଲିଖିତ ଓଡ଼ିଆ ଜୀବନୀ ଓ ଆତ୍ମଜୀବନୀର ଏକ ସଂକ୍ଷିପ୍ତ ପରିଚୟ । ଏ ଦିଗରେ ବହୁ ସ୍ରଷ୍ଟା ସେମାନଙ୍କର ଲେଖନୀ ଚଳାଇ ଅଛନ୍ତି–ଯାହାର ନିଦର୍ଶନ ବହୁ ପତ୍ରପତ୍ରିକାରୁ ଦେଖିବାକୁ ମିଳେ । ଓଡ଼ିଆ ସାହିତ୍ୟର ଏହି ବିଭାଗଦିନ ଯେ ମୌଳିକ ହୋଇ ନୂତନ ଭାବରେ ନିଜର ସ୍ଵକୀୟତା ବଜାୟ ରଖିବ ଏଥିରେ ସନ୍ଦେହର ଅବକାଶ ନାହିଁ ।

 

ଓଡ଼ିଆ ଆତ୍ମଜୀବନୀ–ଏକ ବିହଙ୍ଗାବଲୋକନ

 

ଓଡ଼ିଆ ସାହିତ୍ୟରେ ଯେଉଁ କେତୋଟି ଆତ୍ମଜୀବନୀ ରଚିତ ହୋଇଛି ସେଗୁଡ଼ିକ ସ୍ଵ ସ୍ଵ ପ୍ରତିଭାରେ ଏକ ଏକ ସ୍ଵତନ୍ତ୍ର ଆସନ ଦାବି କରେ । ଆଲୋଚ୍ୟ ପ୍ରସଙ୍ଗରେ ଓଡ଼ିଆ ଜୀବନୀ ସାହିତ୍ୟଗୁଡ଼ିକ ଉପରେ ଏକ ବିହଙ୍ଗାବଲୋକ କରି ସେ ସବୁର ମହତ୍ତ୍ଵ ବିଷୟରେ ଆଲୋକପାତ କରାଯାଇପାରେ । ଓଡ଼ିଆର ଏକ ସଫଳ ଆତ୍ମଜୀବନୀ ଭାବରେ କଥା ସମ୍ରାଟ ଫକୀରମୋହନଙ୍କ ଆତ୍ମଚରିତ ଏକ ଅମୂଲ୍ୟ ସୃଷ୍ଟି ସମ୍ପଦ । ଜୀବନୀ ସାହିତ୍ୟର ସମସ୍ତ ସ୍ୱରୂପ ତଥା ବିଭବରେ ଉକ୍ତ ରଚନା ତାଙ୍କର ବିଭବବନ୍ତ । ନିପୁଣ ଚରିତ୍ର ଚିତ୍ରଣକାର ନିଜ ଚରିତ୍ରକୁ ସହଜ ସରଳ ଓ ନିରାଡ଼ମ୍ବର ଭାବେ ଚିତ୍ରଣ କରିଯାଇ ଅଛନ୍ତି । ଶ୍ରେଷ୍ଠ ସାହିତ୍ୟିକ ଭାବରେ ମନର ଆଭିଜାତ୍ୟ, ଅହମିକା କେଉଁଠି ପ୍ରକାଶ ପାଇନାହିଁ । ସୁଗୁଣର ପ୍ରଚାର ତଥା ପ୍ରକାଶ ପ୍ରଚେଷ୍ଟାଫଳରେ ଅନେକ ସ୍ଥାନରେ ଜୀବନର କେତେକ ଦୋଷଦୁର୍ବଳତା ଦ୍ଵିଧାହୀନଭାବେ ପ୍ରକାଶିତ ହୋଇଛି । ଆତ୍ମଚରିତଟି କେତେକ ଘଟଣାମୟୀ ବିବରଣୀ ନ ହୋଇ ବର୍ଣ୍ଣନାମୁଖୀ ଉପନ୍ୟାସ ମୁଖୀ ହୋଇଛି । ଅନେକ ସ୍ଥାନରେ ସମାଜର ଧନୀ, ଶାସକ, ପୁରୋହିତ ଇତ୍ୟାଦି ରକ୍ଷଣଶୀଳ ବ୍ୟକ୍ତିଙ୍କୁ ଶାଣିତଭାବେ ବ୍ୟଙ୍ଗ କରାଯାଇଅଛି । ଓଡ଼ିଆ ଇତିହାସର ଏକ ଚରମ ଦୁର୍ବିପାକ ନଅଙ୍କ ଦୁର୍ଭିକ୍ଷର ବର୍ଣ୍ଣନା କରାଯାଇଛି । ତାଙ୍କର ଶୈଳ୍ପିକ କଳ୍ପନାର ସାର୍ଥକତା ଯୋଗୁଁ ଦୁର୍ଭିକ୍ଷର ଚିତ୍ର ଅତୀବ ବାସ୍ତବ ହୋଇଛି । ଲେଖକଙ୍କ ଜୀବନ କାହାଣୀ ଓଡ଼ିଶାର ସାମାଜିକ, ରାଜନୀତିକ ଓ ଇତିହାସର କାହାଣୀ । ତତ୍କାଳୀନ ଗଡ଼ଜାତ ଅଞ୍ଚଳରେ ଯେଉଁ ହୁଙ୍କାପିଟା ଶାସନ ଚାଲୁଥିଲା, ତା’ର ବାସ୍ତବ ଚିତ୍ର ଫକୀରମୋହନ ଅଙ୍କନ କରିଛନ୍ତି । ସେ ଜଣେ ରାଜନୀତିକ ବିଭାଗର କର୍ମଚାରୀ ଥିଲେ । ଲେଖକଙ୍କ ଆତ୍ମଚରିତ ଏକ ସ୍ଵୟଂ ସମ୍ପୂର୍ଣ୍ଣକଳା ହୋଇଛି । ଏହା ସମସ୍ତ ଓଡ଼ିଆର ଏକ ବାସ୍ତବ ଇତିହାସ କହିଲେ ଅତ୍ୟୁକ୍ତି ହେବନାହିଁ ।

 

“ଅର୍ଦ୍ଧଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋର ସ୍ଥାନ’’, ସ୍ରଷ୍ଟାଗୋଦାବରୀଶ ମିଶ୍ରଙ୍କର ଆତ୍ମଜୀବନୀ । ତାଙ୍କର ଆତ୍ମଜୀବନୀ ଓଡ଼ିଆଙ୍କ ନିକଟରେ ଏକ କରୁଣ ଇତିହାସ । ଓଡ଼ିଶାର ସତ୍ୟବାଦୀ ବନବିଦ୍ୟାଳୟରୁ ବିଶିଷ୍ଟ ସଖା, ସହୋଦର, ସହକର୍ମୀ ଓ ଓଡ଼ିଶାର ଲୋକକବିଙ୍କ ଜୀବନ ଯେ ଏତେ ଦୁଃଖ ଓ ଦାରିଦ୍ରପୂର୍ଣ୍ଣ ତାହା ଏହି ଗ୍ରନ୍ଥ ପାଠ କଲେ ବେଶ୍‍ ଧାରଣା କରିହୁଏ । ଓଡ଼ିଶାର ଦୀର୍ଘ ପଚାଶବର୍ଷର ଇତିହାସ ଓ ତାଙ୍କ ଜୀବନ କାଳ ଗୋଟିଏ ବୃନ୍ତରେ ଦୁଇଟି ଫୁଲ ଭାବରେ ପରସ୍ପର ସମ୍ପୃକ୍ତ । ଏହି ଜୀବନୀରେ ମଧ୍ୟ ଦୋଷାବଳୀର କୁଣ୍ଠାହୀନ ବର୍ଣ୍ଣନା ଦୃଷ୍ଟିଗୋଚର ହୁଏ । ପଇସା ଚୋରୀ, ବହିଚୋରୀ, କଞ୍ଚା ମାଂସ ଖାଇବା ପ୍ରଭୃତି କେତେକ ସାଧାରଣ ପ୍ରବୃତ୍ତିକୁ କବି ତାଙ୍କ ଜୀବନର ତଥା ଚରିତ୍ରର ବିଶିଷ୍ଟ ଦୋଷ ଭାବେ ଚିତ୍ରିତ କରିଛନ୍ତି । ୧୯୦୭-୧୯୦୮ ମସିହାରେ କରାଳ ଦୁର୍ଭିକ୍ଷ ବର୍ଣ୍ଣନା ଅତ୍ୟନ୍ତ ହୃଦୟାଗ୍ରାହୀ ହୋଇଛି । ଓଡ଼ିଆଜାତି ଓ ଭାଷା ପାଇଁ ତାଙ୍କର ଉଦ୍ୟମ ତଥା ତ୍ୟାଗ ତାଙ୍କୁ ମହନୀୟ କରିପାରିଅଛି । ବିଚ୍ଛିନ୍ନ ଓଡ଼ିଆ ଅଞ୍ଚଳରେ ଓଡ଼ିଆ ଭାଷାକୁ ପ୍ରତିଷ୍ଠିତ କରାଇବା ପାଇଁ ତାଙ୍କର ଚେଷ୍ଟା ଓ ଉଦ୍ୟମ ଜୀବନୀରେ ଲିପିବଦ୍ଧ ହୋଇଅଛି । ସେ ଓଡ଼ିଶାର ନବଜାଗରଣରେ ମୁଖ୍ୟ ସ୍ଥାନ ଅଧିକାର କରିଥିଲେ । ଜଣେ ଦୃଢ଼ ପ୍ରତିଜ୍ଞା ଓ ଉଚ୍ଚମାନବିକତା ସମ୍ପନ୍ନ ବ୍ୟକ୍ତି ଭାବରେ ତାଙ୍କ ବ୍ୟକ୍ତିତ୍ଵର ପରିଚୟ ମିଳେ । ଓଡ଼ିଶାର ସାମାଜିକତାକୁ ଅଙ୍ଗେ ଲିଭେଇ, ରାଜନୀତିକୁ ପୂର୍ଣ୍ଣପ୍ରାଣରେ ଉପଭୋଗ କରି ସେ ନିଜ ଜୀବନକୁ ଓଡ଼ିଶାର ଜୀବନ ଭାବରେ ବିବେଚିତ କରିଅଛନ୍ତି । ତାଙ୍କର ସହଜ ସରଳ ବର୍ଣ୍ଣନା ଓ ବାସ୍ତବ ଅନୁଭୂତି ଉକ୍ତ ଗ୍ରନ୍ଥକୁ ଉଚ୍ଚକୋଟୀର କରାଇବା ସଙ୍ଗେ ସଙ୍ଗେ ଏକାଡେମୀ ପୁରସ୍କୃତ କରାଇପାରିଛି-

 

ନୀଳକଣ୍ଠଙ୍କର ଆତ୍ମଜୀବନୀ ଏକ ସାର୍ଥକ ସୃଷ୍ଟି । ଓଡ଼ିଶାର ପ୍ରତ୍ୟେକଟି ଘଟଣାର ବିଶ୍ଳେଷଣ ତାଙ୍କ ପୁସ୍ତକରେ ହୋଇଛି । ନୀଳକଣ୍ଠଙ୍କର ଆତ୍ମଜୀବନୀରେ ତତ୍କାଳୀନ ଶିକ୍ଷାପଦ୍ଧତି, ଓଡ଼ିଶାର ରାଜନୀତିକ ଅବସ୍ଥା, ସମାଜର ଅନୁରୂପ ବର୍ଣ୍ଣନା ଦେଖିବାକୁ ମିଳେ । ବାଲ୍ୟବିବାହ ପ୍ରଥା ତତ୍କାଳୀନ ସମାଜର ଏକ ବିଶିଷ୍ଟ ଅଙ୍ଗ ଥିଲା । ଏହା ନୀଳକଣ୍ଠ ମଧ୍ୟ ସୂଚନା ଦେଇଛନ୍ତି । ସମାଜର କେତେକ ଅନ୍ଧ କୁସଂସ୍କାର ପ୍ରତି ଲକ୍ଷ୍ୟ କରି ନୀଳକଣ୍ଠଙ୍କର ସଂସ୍କାରମନୋବୃର୍ତ୍ତି ଜାଗ୍ରତ ହୋଇଥିଲା-। ଜାଣିଶୁଣି ଠାକୁର ପ୍ରସାଦ ଅଇଁଠା କରିବା, ସତ୍ୟବାଦୀରେ ଛୁଆଁ ଅଛୁଆଁ ନିର୍ବିଶେଷରେ ସବୁ ଛାତ୍ରଙ୍କୁ ଏକାଠି ଖୁଆଇବା, ଲିପିର ସଂସ୍କାର, ବ୍ରାହ୍ମଣ ସମାଜରେ ନିଶର ପ୍ରଚଳନ ଆଦି କେତେଗୁଡ଼ିଏ ସଂସ୍କାର ମୂଳକ କାର୍ଯ୍ୟ କରିଥିଲେ । ଓଡ଼ିଶାର ରାଜନୀତିରେ ଯୋଗଦେଇ ସେ ନବଜାଗରଣ ଓ ଅସହଯୋଗ ଆନ୍ଦୋଳନ କରି ଅନେକ ଥର କାରାବରଣ କରିଥିଲେ-। ଓଡ଼ିଶାକୁ ସ୍ଵତନ୍ତ୍ର ପ୍ରଦେଶ ଗଠନ କରିବାର ପ୍ରସ୍ତାବ ସେ ପ୍ରଥମେ ଦେଇଥିଲେ । ସତ୍ୟବାଦୀ ବନବିଦ୍ୟାଳୟରୁ ନିଜର ଦକ୍ଷତାନୁସାରେ ନାଳନ୍ଦାରେ ପରିଣତ କରିପାରିଥିଲେ । ଏତାଦୃଶ ଭାବରେ ନୀଳକଣ୍ଠଙ୍କର ଆତ୍ମଜୀବନୀ ଫଳ ମହନୀୟ ସଦ୍‌ଗୁଣାବଳୀର ପରିଚୟ ପ୍ରଦାନ କରେ ।

 

‘ମୋ ବାରବୁଲା ଜୀବନ’ ପଣ୍ଡିତ ଲକ୍ଷ୍ମୀନାରାୟଣ ସାହୁଙ୍କର ବିକ୍ଷିପ୍ତ ଜୀବନୀର ଏକ ବାସ୍ତକ ଆଲେଖ୍ୟ । ଏହି ଗ୍ରନ୍ଥରେ ପଣ୍ଡିତ ମହାଶୟ ତତ୍କାଳୀନ ଚାଟଶାଳିର ଶିକ୍ଷାରୀତି, ବାଲ୍ୟବିବାହ ପ୍ରଥା, ଶ୍ରମିକ ସଂଗଠନ, ବନ୍ଦେମାତରମ୍‍ ଆନ୍ଦୋଳନରେ ଅଂଶଗ୍ରହଣ, ଲବଣ ସତ୍ୟାଗ୍ରହରେ ତାଙ୍କର ଭୂମିକା ଇତ୍ୟାଦିର ଏକ ବିପୁଳ ବର୍ଣ୍ଣନା ଅଙ୍କନ କରୁଛନ୍ତି । ସେ ତାଙ୍କ ଜୀବନର ସମସ୍ତ ଦୋଷ-ଗୁଣକୁ ସ୍ପଷ୍ଟଭାବରେ ପ୍ରକାଶିତ କରି ଅଛନ୍ତି । ତାଙ୍କ ସମ୍ପର୍କରେ ଆସିଥିବା ଗୁଣୀ ବ୍ୟକ୍ତିଙ୍କର କଥାରେ ଆତ୍ମଜୀବନରେ ଲିପିବଦ୍ଧ କରି ଅଛନ୍ତି । ସମସ୍ତ ବିଶେଷତ୍ଵ ଥାଇ ମଧ୍ୟ କୌଣସି ଗୋଟିକରେ ସଫଳତା ନଥିବାରୁ ସେ ମହାତ୍ମା ସାହିତ୍ୟ କ୍ଷେତ୍ରରେ ଆଜି ବହୁ ଆଲୋଚିତ ହୋଇପାରି ନାହାନ୍ତି । ଜୀବନୀ ସ୍ରଷ୍ଟା ଦୃଷ୍ଟିରୁ ତାଙ୍କର ମହତ୍ତ୍ଵ ସ୍ଵୀକାର୍ଯ୍ୟ ।

 

କବି ବୈଷ୍ଣବ ପାଣିଙ୍କ ଜୀବନ ତାଙ୍କ ନାଟକୀୟ ଜୀବନର ଆତ୍ମଲିପି । ଏହା ତାଙ୍କ ଜୀବନର ବହୁ ଘଟଣାରାଜିର ସମାହାର ବୋଲି କୁହାଯାଇପାରେ । କ୍ରମାନୁସାରେ ସେ ତାଙ୍କର ବାଲ୍ୟାବସ୍ଥା, ଯୌବନ, ବିବାହ ନାଟ୍ୟଜଗତରେ ପ୍ରବେଶ ଏବଂ ସୁଖ୍ୟାତି ପ୍ରଭୃତି ସବୁକିଛିର ଚିତ୍ର ଅଙ୍କନ କରିଛନ୍ତି । ଜୀବନର ଦୋଷ ଦୁର୍ବଳତା ପ୍ରଦର୍ଶନ କରାଇ ସେ ସ୍ପଷ୍ଟ ସ୍ଵଭାବର ପରିଚୟ ଦେଇଅଛନ୍ତି । ସଚ୍ଚିଦାନନ୍ଦ କାନୁନଗୋଙ୍କ ଦ୍ଵାରା ଅନୂଦିତ ହିନ୍ଦୀର ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦଙ୍କ ଆତ୍ମକଥା ଏକ ସଫଳ ଆତ୍ମଜୀବନୀ । ଏଥିରେ ତାଙ୍କର ବ୍ୟକ୍ତିଗତ ଜୀବନର ଚିତ୍ର ସହିତ ତତ୍କାଳୀନ ସମାଜର ରୂପ ପ୍ରଦାନ କରାଯାଇଛି । ରାଜନୀତିକ ବୀର ତଥା ନେତା ହିସାବରେ ତାଙ୍କ ସମଗ୍ର ଜୀବନ ରାଜନୀତି ଉପରେ ହିଁ ପ୍ରତିଷ୍ଠିତ ଓ ବିକଶିତ । ମୋଟ ଉପରେ କହିବାକୁ ଗଲେ ଫକୀରମୋହନଙ୍କ ପଦାଙ୍କ ଅନୁସରଣରେ ଓଡ଼ିଆ ସାହିତ୍ୟରେ ଆତ୍ମଜୀବନୀର ବିକାଶ ସାଧିତ ହୋଇଛି । ତେଣୁ ସେ ଆତ୍ମଚରିତ ସୃଷ୍ଟି ଦିଗରେ ଓଡ଼ିଆ ସାହିତ୍ୟରେ ପ୍ରାତଃସ୍ମରଣୀୟ ।

 

ଆତ୍ମଜୀବନୀ ଏକ ସୂକ୍ଷ୍ମକଳା । ଏଥିରେ ବ୍ୟକ୍ତିତ୍ଵର ବିକାଶ ହୋଇଥାଏ । କେବଳ ଘଟଣା ବିବରଣୀ ପ୍ରଦାନ ନକରି ଏହା ଆନନ୍ଦଦାୟକ ପ୍ରତିମୂର୍ତ୍ତି ପ୍ରଦର୍ଶନ କରାଏ । ଆତ୍ମଜୀବନୀ ରୂପକ ସାହିତ୍ୟ ବାତାୟନ ପଥଦେଇ ଆମେ ଗୋଟିଏ ମଣିଷ ଓ ଗୋଟିଏ ଯୁଗର ବିଷୟରେ ଧାରଣ କରିପାରୁ । ଏହି ମୂଲ୍ୟାଙ୍କନ ଦ୍ଵାରା ଆତ୍ମଜୀବନୀର ମୂଲ୍ୟାୟନ କଲେ ସାହିତ୍ୟର ବିଭାଗଟି ଯେ ଅଧିକ ପ୍ରସାରିତ ହେବ ଏଥିରେ ସନ୍ଦେହର ଅବକାଶ ନାହିଁ ।

☆☆☆

 

ଓଡ଼ିଆ ଉପନ୍ୟାସ ସାହିତ୍ୟର ବିକାଶଧାରା

 

ଉପନ୍ୟାସ ସାହିତ୍ୟର ସ୍ଵରୂପ–

 

ଉପନ୍ୟାସ ସାହିତ୍ୟର ସୃଷ୍ଟି ଅର୍ବାଚୀନ, ଯଦିଓ ବହୁ ପୂର୍ବରୁ ଭାରତରେ ଉପନ୍ୟାସ ଶବ୍ଦର ପ୍ରଚଳନ ଥିଲା । ତଥାପି ଆଜି ଯେଉଁ ଅର୍ଥରେ ଆମେ ଉପନ୍ୟାସ କହିଲେ ବୁଝୁ, ସେ ଅର୍ଥରେ ଉପନ୍ୟାସ ଶବ୍ଦକୁ ଗ୍ରହଣ କରାଯାଇ ନଥିଲା, ଅର୍ଥାତ୍‌ ନାଟ୍ୟଶାସ୍ତ୍ରରେ ଉପନ୍ୟାସକୁ ଆନନ୍ଦ ଦାନ ଅର୍ଥରେ ଗ୍ରହଣ କରାଯାଇ କୁହାଯାଇଛି– ‘ଉପନ୍ୟାସ ପ୍ରସାଦାନମ୍’ । ପୁନଶ୍ଚ ଉପନ୍ୟାସର ଅଭିଧାନିକ ଅର୍ଥ ହେଉଛି ଉପ (ସମୀପ)+ନ୍ୟାସ (ବସ୍ତୁ) = ଉପନ୍ୟାସ ବା ନିକଟରେ ଥିବା ବସ୍ତୁକୁ ବର୍ଣ୍ଣନା କରିବା । ଏହିପରି ଉପନ୍ୟାସ ସମ୍ପର୍କରେ ବହୁ ମତ ଥିଲେ ହେଁ, ‘ଭାଷାକୋଷ’ର ପ୍ରଣେତା ସ୍ଵର୍ଗତ ଗୋପାଳଚନ୍ଦ୍ର ପ୍ରହରାଜଙ୍କ ମତରେ ଊନବିଂଶ ଶତାବ୍ଦୀର ଶେଷଭାଗରୁ ଏହା ମୁଖ୍ୟତଃ ଗଦ୍ୟରେ ଲିଖିତ ଉପକଥା, କଳ୍ପିତ ବୃତ୍ତାନ୍ତ ବା ଇଂରାଜୀ “ନଭେଲ୍” ଅର୍ଥରେ ପ୍ରଯୁକ୍ତ ହେଉଛି ।

 

ଇଂରାଜୀରେ ‘Novel’ ଶବ୍ଦ ଲାଟିନ୍ ‘Novus’ ଶବ୍ଦରୁ ଆସିଥିବା ଅନୁମାନ କରାଯାଏ । ଲାଟିନ୍‍ ମୂଳଶବ୍ଦ ଅନୁସାରେ ଏହାର ଅର୍ଥ ହେଉଛି ‘ନୂତନ’, ଇଟାଲୀ ଭାଷାରେ ‘Novelle’ ଶବ୍ଦର ଅର୍ଥ ହେଉଛି–“କିଛି ପରିମାଣରେ ମୌଳିକ ।” ଅଷ୍ଟାଦଶ ଶତାବ୍ଦୀ ପର୍ଯ୍ୟନ୍ତ ଏହି ଅର୍ଥରେ ଇଂରାଜୀ ସାହିତ୍ୟରେ ସମ୍ବାଦ ବା କାଳ୍ପନିକ ଗଳ୍ପକୁ ଉପନ୍ୟାସ କୁହାଯାଉଥିଲା । ପରବର୍ତ୍ତୀ କାଳରେ ଚିତ୍ତବିନୋଦନ ପାଇଁ ଦୀର୍ଘ ରୋମାଣ୍ଟିକ୍ କାହାଣୀ ରଚିତ ହେଲା । ତାକୁ କୁହାଗଲା ଉପନ୍ୟାସ । ପରେ ପରେ ସାମାଜିକ ଜୀବନର ଘାତ-ସଂଘାତ ଉପନ୍ୟାସର କଳେବର ମଣ୍ଡନ କରିବା ଫଳରେ–ଉପନ୍ୟାସ ହେଲା ମାନବ ଜୀବନର ଗଦ୍ୟ ମହାକାବ୍ୟ । ବସ୍ତୁତଃ ସାମାଜିକ ବୈଷମ୍ୟ ଶିଳ୍ପ ସଭ୍ୟତାର ବୃହତ୍ତମ ଅବଦାନରୂପେ ଉପନ୍ୟାସ ପରିଗଣିତ ହେଲା । ସମାଲୋଚକ Ralph Foxଙ୍କ ମତରେ “The Novel is the most important gift of Bourgeois Capitalist Civilisation to the world’s imaginative, Culture the Novel is its great andventure it’s discover of man’

 

ତେବେ ସେସବୁ ଯାହା ହେଉନା କାହିଁକି ଆଧୁନିକ ଚିନ୍ତା ଚେତନା ଫଳରେ ଉପନ୍ୟାସ ସାହିତ୍ୟର ଯେ ସୃଷ୍ଟି–ଏଥିରେ ଦ୍ଵିମତ ହେବାର ଅବକାଶ ନାହିଁ । ବିଶେଷ କରି ସାହିତ୍ୟିକ ବିଭବଗୁଡ଼ିକ ମଧ୍ୟରେ ଉପନ୍ୟାସ ମାନବ ଜୀବନ ତଥା ସମାଜ ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ସମାଲୋଚକ E.M.Frosterଙ୍କ ଭାଷାରେ ସାହିତ୍ୟର ଅନ୍ୟାନ୍ୟ ବିଭାଗଠାରୁ ଉପନ୍ୟାସରେ ସ୍ୱାତନ୍ତ୍ର୍ୟ ହେଲା–“ଜୀବନର ଗୋପନ ଅଂଶକୁ ଦୃଶ୍ୟମାନ କରାଇବାର ଶକ୍ତି ଏଥିରେ ରହିଛି ।’ ଫଳରେ ବିଂଶ ଶତାବ୍ଦୀରେ ଉପନ୍ୟାସର ଗୁରୁତ୍ଵ ବଢ଼ିଯାଇଛି । ଭାରତୀୟ ସାହିତ୍ୟକୁ ପର୍ଯ୍ୟାଲୋଚନା କଲେ ଜଣାଯାଏ ଯେ ପ୍ରାଥମିକ କାଳରେ କାବ୍ୟ କବିତାର ମହତ୍ତ୍ଵ ସମାଜରେ ସ୍ଵୀକୃତ ହୋଇଥିଲା । ଗଦ୍ୟ ସାହିତ୍ୟ ବିଶେଷ କିଛି ନଥିଲା । ସାହିତ୍ୟର ମୂଳ ଆବେଦନ ହିଁ ପଦ୍ୟରୁ ଆରମ୍ଭ ହୋଇଛି । ମାତ୍ର ଗଦ୍ୟ ସାହିତ୍ୟ ସୃଷ୍ଟି ଫଳରେ ଧୀରେ ଧୀରେ ପଦ୍ୟ ସାହିତ୍ୟର ମୂଲ୍ୟ ହ୍ରାସ ପାଇଛି । ତେଣୁ ଆଧୁନିକ ଯୁଗରେ ମହାକାବ୍ୟର ଭୂମିକା ଉପନ୍ୟାସ ନେଇଥିବାରୁ ଉପନ୍ୟାସକୁ ଗଦ୍ୟ ମହାକାବ୍ୟ କୁହାଯାଏ । ପୁନଶ୍ଚ ସାହିତ୍ୟର ଅନ୍ୟାନ୍ୟ ବିଭବ ଯଥା–ନାଟକ, ଗଳ୍ପ, କବିତା, ପ୍ରବନ୍ଧ ଇତ୍ୟାଦି ଅପେକ୍ଷା ପାଠକମାନେ ଉପନ୍ୟାସରେ ମଣିଷ ଜୀବନର ପୂର୍ଣ୍ଣାଙ୍ଗ ଚିତ୍ର କିମ୍ବା ସମାଜର ବାସ୍ତବ ଚିତ୍ର ଦେଖିବାକୁ ପାଉଥିବାରୁ ଉପନ୍ୟାସର ଭୂମିକା ସାହିତ୍ୟ-ଜଗତରେ ପ୍ରାଧାନ୍ୟ ବିସ୍ତାର କରିପାରିଛି ।

 

ଯଥାର୍ଥରେ ସମାଲୋଚକଙ୍କ ମତରେ “ଇତିହାସରେ ନାମ ଓ ତାରିଖ ବ୍ୟତୀତ ଅନ୍ୟ ସମସ୍ତ ମିଥ୍ୟା; ମାତ୍ର ଉପନ୍ୟାସରେ କେବଳ ନାମ ଓ ତାରିଖକୁ ବାଦ୍ ଦେଲେ ଅନ୍ୟ ସମସ୍ତ ଘଟଣା ସତ୍ୟ ।” କେବଳ ଏତିକି ନୁହେଁ; Trollopeଙ୍କ ମତରେ- “A novel should give a picture of common Life enlivened by humour and sweetend by pathos.” ଅର୍ଥାତ୍‍ ସାଧାରଣ ମଣିଷର ଜୀବନଯାତ୍ରାକୁ ହାସ୍ୟ ଓ କରୁଣ ରସ ମଧ୍ୟରେ ବ୍ୟକ୍ତ କରିବାକୁ ଉପନ୍ୟାସ ସମର୍ଥ ହୋଇଥାଏ । ପୁନଶ୍ଚ ଉପନ୍ୟାସ ଯୌକ୍ତିକତାର କଠୋର ଜାଲରେ ପାଠକକୁ ଅଯଥା ଭାରାକ୍ରାନ୍ତ ନକରି ସମାଜ ତଥା ଜୀବନର ଅନ୍ତରଙ୍ଗ ପ୍ରକୃତିକୁ ଉଦ୍‌ଘାଟନ କରୁଥିବାରୁ ଉପନ୍ୟାସର ଭୂମିକା ଅନସ୍ଵୀକାର୍ଯ୍ୟ ।

 

ଓଡ଼ିଆ ଉପନ୍ୟାସ ସାହିତ୍ୟର ବିକାଶଧାରା–

 

ସାହିତ୍ୟର ସ୍ଥୂଳ ଆବେଦନ ହିଁ ପଦ୍ୟରେ ସୃଷ୍ଟି ହୋଇଛି । ତେଣୁ ଊନବିଂଶ ଶତାବ୍ଦୀ ପୂର୍ବରୁ ଆମେ ନାରାୟଣନନ୍ଦ ଅବଧୂତ ସ୍ଵାମୀଙ୍କର ଗଦ୍ୟ ପଦ୍ୟ ମିଶ୍ରିତ ରଚନା ‘ରୁଦ୍ର ସୁଧାନିଧି’ ବ୍ରଜନାଥ ବଡ଼ଜେନାଙ୍କ ରଚିତ ‘ଚତୁର ବିନୋଦ’ ବତ୍ରିଶ ସିଂହାସନ, ସୋମନାଥ ବ୍ରତକଥା, ହାସକଲ୍ଲୋଳ ଆଦି କେତେକ ମୁଷ୍ଟିମେୟ ରଚନା ଦେଖିବାକୁ ପାଇଥାଉ । ମାତ୍ର ସେ ସମସ୍ତ କାହାଣୀଧର୍ମୀ । ଉପନ୍ୟାସ କଳା ଦୃଷ୍ଟିରୁ ଉପରୋକ୍ତ ରଚନାଗୁଡ଼ିକ ଉପନ୍ୟାସ ପର୍ଯ୍ୟାୟବାଚୀ ନୁହନ୍ତି । ମାତ୍ର ଯଥାର୍ଥରେ ଇଂରେଜୀ ଶିକ୍ଷା ସଭ୍ୟତା ଫଳରେ ଊନବିଂଶ ଶତାବ୍ଦୀର ସପ୍ତଦଶକ ପରେ ଓଡ଼ିଆ ସାହିତ୍ୟରେ ଉପନ୍ୟାସ ସୃଷ୍ଟି ହେବାର ସୁଯୋଗ ପାଇଛି । ଯଥାର୍ଥରେ ଓଡ଼ିଆ ସାହିତ୍ୟରେ ୧୮୭୭ ସାଲରେ ଉମେଶ ଚନ୍ଦ୍ର ସରକାର ‘ପଦ୍ମମାଳୀ’ ଉପନ୍ୟାସ ସୃଷ୍ଟି କରି ଉପନ୍ୟାସର ମୂଳଦୁଆ ପକାଇଲେ । ଯଦିଓ ରାମଶଙ୍କର ରାୟ ତାଙ୍କ ଗ୍ରନ୍ଥାବଳିର ମୁଖବନ୍ଧରେ ଉଲ୍ଲେଖ କରିଛନ୍ତି ଯେ ସେ କଲେଜରେ ପାଠ ପଢ଼ୁଥିବା ସମୟରେ ‘ଉତ୍କଳ ମଧୁପ’ ପତ୍ରିକାରେ ଧାରାବାହିକ ଭାବରେ ‘ସୌଦାମିନୀ’ ଉପନ୍ୟାସକୁ ରୂପ ଦେଇଥିଲେ । ଉତ୍କଳ ମଧୁପର ପ୍ରକାଶନ ସ୍ଥଗିତ ରହିଗଲା । ତା’ପରେ ରାମଶଙ୍କର ‘ବିବାସିନୀ’ ଉପନ୍ୟାସକୁ ‘ଉତ୍କଳପ୍ରଭା’ରେ ପ୍ରକାଶ କଲେ । ତେଣୁ ରାମଶଙ୍କର ତାଙ୍କର ୧୮୯୨ ମସିହାରେ ପ୍ରକାଶ ପାଇଥିବା ‘ବିବାସିନୀ’ ଉପନ୍ୟାସକୁ ଓଡ଼ିଆ ଭାଷାର ପ୍ରଥମ ଉପନ୍ୟାସ ବୋଲି ଉଲ୍ଲେଖ କଲେ ସୁଦ୍ଧା ଓଡ଼ିଆ ସାହିତ୍ୟରେ ପ୍ରଥମ ଉପନ୍ୟାସ ଭାବେ ଉମେଶଚନ୍ଦ୍ର ସରକାରଙ୍କ ‘ପଦ୍ମମାଳୀ’କୁ ଉପେକ୍ଷା କରାଯାଇନପାରେ । ବସ୍ତୁତଃ ଓଡ଼ିଆ ସାହିତ୍ୟରେ ପଦ୍ମମାଳୀ, ବିବାସିନୀ ତଥା ଅସମ୍ପୂର୍ଣ୍ଣ ଉପନ୍ୟାସ ସୌଦାମିନୀ ସୃଷ୍ଟି ହେବାପରେ ଯଥାର୍ଥରେ ଉପନ୍ୟାସର ଗୌରବ ବଢ଼ାଇଲେ ଯୁଗସ୍ରଷ୍ଟା ଔପନ୍ୟାସିକ ବ୍ୟାସକବି ଫକୀରମୋହନ ସେନାପତି । ଫକୀରମୋହନଙ୍କର ଅମର ଲେଖନୀରୁ ସର୍ବପ୍ରଥମେ ୧୮୯୭ ମସିହାରେ ‘ଛମାଣ ଆଠଗୁଣ୍ଠ’ ଉପନ୍ୟାସ ପ୍ରକାଶ ପାଇ ଓଡ଼ିଆ ସାହିତ୍ୟରେ ଚହଳ ସୃଷ୍ଟି କଲା । ତା’ପରେ ସେ ସମାଜକୁ କେନ୍ଦ୍ର କରି ଆଉ ୩ଖଣ୍ଡ ଉପନ୍ୟାସ ସୃଷ୍ଟି କଲେ । ସେଗୁଡ଼ିକ ହେଲା ମାମୁ ଏବଂ ପ୍ରାୟଶ୍ଚିତ । ତାଙ୍କର ଏକମାତ୍ର ଉପନ୍ୟାସ ଲଚ୍ଛମା ଇତିହାସକୁ କେନ୍ଦ୍ର କରି ରଚିତ ହୋଇଥିବାବେଳେ ଅନ୍ୟ ଉପନ୍ୟାସଗୁଡ଼ିକ ସମାଜକୁ କେନ୍ଦ୍ର କରି ରଚିତ ହୋଇଛି । ସମାଲୋଚକଙ୍କ ମତରେ ଫକୀରମୋହନଙ୍କ ଉପନ୍ୟାସଗୁଡ଼ିକରୁ ଓଡ଼ିଆ ସମାଜ ଜୀବନର ଦୀର୍ଘ ୨୫୦ ବର୍ଷର ଇତିହାସ ଦେଖିବାକୁ ମିଳେ । କେବଳ ଏତିକି ନୁହେଁ, ଫକୀରମୋହନଙ୍କ ଉପନ୍ୟାସରେ ଓଡ଼ିଶାର ଜାତୀୟ ଚିତ୍ର ପ୍ରତିଫଳିତ ହୋଇଛି । ଓଡ଼ିଆ ସମାଜର ଚିତ୍ର, ଓଡ଼ିଶାର ମଧ୍ୟବିତ୍ତ ପରିବାରର ଚିତ୍ର, ଓଡ଼ିଶାର ଗ୍ରାମବାସୀମାନଙ୍କର ଚିତ୍ରକୁ ଫକୀରମୋହନ ହସେଇ, ରସେଇ, ମଜେଇ, ସଜେଇ ଖାଣ୍ଟି ଓଡ଼ିଆ ଭାଷାରେ ପ୍ରକାଶ କରିଛନ୍ତି । ତେଣୁ ଉପନ୍ୟାସର ଯୁଗ ସୃଷ୍ଟି କ୍ଷେତ୍ରରେ ସର୍ବପ୍ରଥମେ ଫକୀରମୋହନଙ୍କର ନାମ ଅବିସ୍ମରଣୀୟ । ବିଶେଷତଃ ଫକୀରମୋହନଙ୍କ ଉପନ୍ୟାସରୁ ତାଙ୍କୁ ଜଣେ ପ୍ରଧାନ ଚରିତ୍ର ସ୍ରଷ୍ଟା ଭାବେ ମଧ୍ୟ ଗ୍ରହଣ କରାଯାଇପାରେ, କାରଣ ଏହି ସମୟକୁ ବିଶ୍ଵର ଅନ୍ୟାନ୍ୟ ଔପନ୍ୟାସିକଗଣ ମଧ୍ୟ ଚରିତ୍ର ସୃଷ୍ଟି କରିବାରେ ବ୍ୟାପୃତ ଥିବା ଦେଖାଯାଏ । ଊନବିଂଶ ଶତାବ୍ଦୀର ପ୍ରାଥମିକ କାଳରେ ଉପନ୍ୟାସ ସାଧାରଣତଃ ଥିଲା କାହାଣୀଧର୍ମୀ । ମାତ୍ର ପରେ ପରେ ଚାର୍ଲସ ଡିକେନ୍‌ସ, ବାଲଜାକ୍, ଦସ୍ତୟଭସ୍କି ପ୍ରମୁଖ ଘଟଣା ଚିତ୍ରଣରୁ ଚରିତ୍ର ଚିତ୍ରଣ କରିବାକୁ ମନ ବଳାଇବାରୁ ଉପନ୍ୟାସ ହେଲା ଚରିତ୍ରପ୍ରଧାନ । ଚାର୍ଲସ ଡିକେନଙ୍କ ପରି ଓଡ଼ିଆ ଔପନ୍ୟାସିକ ଫକୀରମୋହନ ତାଙ୍କର ଉପନ୍ୟାସରେ ଘଟଣା ଏବଂ ଚରିତ୍ର ଚିତ୍ରଣରେ ପ୍ରାଧାନ୍ୟ ଦେଇଛନ୍ତି ।

 

ବ୍ୟାସକବି ଫକୀରମୋହନଙ୍କ ପରେ ୧୯୦୮ ମସିହାରେ ଗୋପାଳବଲ୍ଲଭ ଦାସ ଆଦିବାସୀ ଜୀବନକୁ କେନ୍ଦ୍ର କରି ‘ଭୀମ ଭୂୟାଁ’ ଉପନ୍ୟାସ ସୃଷ୍ଟି କଲେ । ତାଙ୍କ ପରେ ପରେ ସତ୍ୟବାଦୀ ଯୁଗର ଅଭ୍ୟୁଦୟ ହେଲା । ଏ ଯୁଗରେ ଗୋଦାବରୀଶ ମିଶ୍ର ଘଟାନ୍ତର, ରିକ୍‍ସାବାଲା, ଅଭାଗିନୀ, ଆଦି ଉପନ୍ୟାସ ସୃଷ୍ଟି କଲେ । ଗୋଦାବରୀଶଙ୍କ ପରେ ନାରୀ କବି କୁନ୍ତଳାକୁମାରୀ, କବିଶେଖର ଚିନ୍ତାମଣି, ଲକ୍ଷ୍ମୀକାନ୍ତ ମହାପାତ୍ର, ମୃତ୍ୟୁଞ୍ଜୟ ରଥ ପ୍ରମୁଖ ମଧ୍ୟ ସମାଜକୈନ୍ଦ୍ରିକ କେତେକ ଉପନ୍ୟାସ ସୃଷ୍ଟି କରିଛନ୍ତି । କୁନ୍ତଳାକୁମାରୀଙ୍କର ଭ୍ରାନ୍ତି; ପରଶମଣି, ରଘୁ ଅରକ୍ଷିତ, ନଅତୁଣ୍ଡୀ, କାଳୀବୋହୂ, ଲକ୍ଷ୍ମୀକାନ୍ତଙ୍କର କଣାମାମୁ ଚିନ୍ତାମଣି ମହାନ୍ତିଙ୍କର ବୁଲାଫକୀର, ରୂପାଚୁଡ଼ି, ଟଙ୍କା ଗଛ; ଶନିସପ୍ତା, ମୃତ୍ୟୁଞ୍ଜୟ ରଥଙ୍କର ଅଦ୍ଭୁତ ପରିଣାମ, ରାମଚନ୍ଦ୍ର ଆଚାର୍ଯ୍ୟଙ୍କର ବୀର ଓଡ଼ିଆ, କମଳକୁମାରୀ, ପଦ୍ମିନୀ, ବୀରାଙ୍ଗନା, ପୀୟୂଷ, ରାମଚନ୍ଦ୍ର ମହାପାତ୍ରଙ୍କର ବଳାଙ୍ଗୀ, ନନ୍ଦକିଶୋର ବଳଙ୍କର କନକଲତା, ମୁକୁନ୍ଦ ଦାସଙ୍କର କଳାପାହାଡ଼ ଆଦି ସୃଷ୍ଟି ହୋଇଛି ।

 

ସତ୍ୟବାଦୀ ଯୁଗ ପରେ ସବୁଜ ଯୁଗର ସୃଷ୍ଟି । ଏହି ଯୁଗରେ ସମାଜ ସଂସ୍କାର ଉଦ୍ଦେଶ୍ୟରେ ନଅଜଣ ଲେଖକ ସମ୍ମିଳିତ ଭାବେ ‘ବାସନ୍ତୀ’ ଉପନ୍ୟାସ ସୃଷ୍ଟି କରିଥିଲେ ହେଁ ୧୯୨୫ ମସିହା ପୂର୍ବରୁ ରଚିତ ବୈଷ୍ଣବ ଚରଣଙ୍କର ‘ମନେମନେ’ ଏବଂ ଉପେନ୍ଦ୍ର କିଶୋର ଦାସଙ୍କର ‘ମଲାଜହ୍ନ’ ଉପନ୍ୟାସର ଭୂମିକାକୁ ଅସ୍ଵୀକାର କରାଯାଇନପାରେ ।

 

ସବୁଜ ଯୁଗ ପରେ ପରେ ସଚ୍ଚିଦାନନ୍ଦ ରାଉତରାୟ ଏକମାତ୍ର ବ୍ୟଙ୍ଗାତ୍ମକ ଉପନ୍ୟାସ ‘ଚିତ୍ରଗ୍ରୀବ’ ଏବଂ କାଳିନ୍ଦୀଚରଣ ପାଣିଗ୍ରାହୀଙ୍କର ଗାନ୍ଧୀବାଦୀ ଆଦର୍ଶର ପଟ୍ଟଭୂମିରେ ରଚିତ ‘ମାଟିର ମଣିଷ’ ଉପନ୍ୟାସର ଉଲ୍ଲେଖଯୋଗ୍ୟ କୃତି । ମାଟିର ମଣିଷ ବ୍ୟତୀତ କାଳିନ୍ଦୀଚରଣ ଲୁହାର ମଣିଷ, ଆଜିର ମଣିଷ ମୁକ୍ତାଗଡ଼ର କ୍ଷୁଧା, ଅମରଚିତା, ଆଦି ଉପନ୍ୟାସ ସୃଷ୍ଟି କରିଛନ୍ତି । ଏହି ସମୟରେ ମଧ୍ୟ ନିତ୍ୟାନନ୍ଦ ମହାପାତ୍ରଙ୍କର ହିଡ଼ମାଟି, ଭଙ୍ଗାହାଡ଼, ସୁଖର ସନ୍ଧାନେ ଜଳନ୍ତାନିଆଁ, ଜିଅନ୍ତା ମଣିଷ, ରାଜକିଶୋର ପଟ୍ଟନାୟକଙ୍କର ପଞ୍ଜୁରୀ ପକ୍ଷୀ, ଚଲାବାଟ, ପ୍ରେମର ନିୟତି, ସପନ କୁହୁଡ଼ି, ଗୋଦାବରୀଶ ମହାପାତ୍ରଙ୍କର ରାଜଦ୍ରୋହୀ, ଲକ୍ଷ୍ମୀଧର ନାୟକଙ୍କର ବର୍ଷାର ଶେଷ, ସର୍ବହରା, ହାୟରେ ଦୁର୍ଭାଗା ଦେଶ, ହରେକୃଷ୍ଣ ମହତାବଙ୍କର ପ୍ରତିଭା, ଅବ୍ୟାପାର, ଟାଉଟର, ଉପନ୍ୟାସ ସାହିତ୍ୟକୁ ଉଲ୍ଲେଖଯୋଗ୍ୟ ଅବଦାନ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ମାତ୍ର ଏ ସମସ୍ତ ବ୍ୟତୀତ ଦ୍ଵିତୀୟ ବିଶ୍ଵଯୁଦ୍ଧ ପୂର୍ବରୁ ସ୍ଵାଧୀନତା ପ୍ରାପ୍ତି ପରେ ମଧ୍ୟ ଧାରାବାହିକ ଭାବେ ଲେଖନୀ ଚାଳନା କରି ଯେଉଁ ଦୁଇ ଭାଇ ଓଡ଼ିଆ ଉପନ୍ୟାସ ସାହିତ୍ୟକୁ ସମୃଦ୍ଧ କରିବା ସଙ୍ଗେ ସଙ୍ଗେ ଭାରତୀୟ ଦରବାରରେ ଓଡ଼ିଆକୁ ମହତ୍ତ୍ୱ ରକ୍ଷା କରିଛନ୍ତି, ସେମାନେ ହେଲେ–କାହ୍ନୁଚରଣ ମହାନ୍ତି ଏବଂ ଗୋପୀନାଥ ମହାନ୍ତି । ପ୍ରକୃତରେ ଅର୍ଦ୍ଧଶତାଧିକ ରଚନାର ସ୍ରଷ୍ଟା କାହ୍ନୁଚରଣଙ୍କର ବାଲିରାଜା, ପଳାତକ ତଥାସ୍ତୁ, ହା-ଅନ୍ନ, ଶାସ୍ତି, ଶର୍ବରୀ, କା, ବଜ୍ରବାହୁ, ଇତିହ ଝଞ୍ଜା, ଅଦେଖା ହାତ, ତୁଣ୍ଡବାଇଦ, ପରୀ, ଢେଉ ଢେଉକା, ତମସାତୀରେ, ଛୁଟିଲେ ଘଟ, ଓଲଟପାଲଟ, ଦୁନିଆର ଦାଉ, ମିଳନର ଛନ୍ଦ, ଭୁଲିହୁଏନା, ଏପାରିସେପାରି, କ୍ଷଣକ୍ଷଣକେଆନ, ମାୟାବର୍ତ୍ତ ଇତ୍ୟାଦି ଏବଂ ଆଦିବାସୀ ଜୀବନ ସମ୍ବଳିତ ରଚନାର ସ୍ରଷ୍ଟା ଗୋପୀନାଥ ମହାନ୍ତିଙ୍କର ଶିବଭାଇ, ଦାଦୀବୁଢ଼ା, ପରଜା, ଅମୃତର ସନ୍ତାନ, ହରିଜନ, ଅପହଞ୍ଚ, ମାଟି ମଟାଳ ଆଦି ଓଡ଼ିଆ ସାହିତ୍ୟରେ ଉଲ୍ଲେଖଯୋଗ୍ୟ କୃତି । ଏପରିକି ମାଟି ମଟାଳ ଉପନ୍ୟାସ ପାଇଁ ଶ୍ରୀଯୁକ୍ତ ଗୋପୀନାଥ ମହାନ୍ତି ଜ୍ଞାନପୀଠ ପୁରସ୍କାର ପାଇ ଓଡ଼ିଆ ଉପନ୍ୟାସ ମହତ୍ତ୍ୱ ବଢ଼ାଇ ଦେଇଛନ୍ତି ।

 

୧୯୪୭ ମସିହା ଅଗଷ୍ଟ ପନ୍ଦର ତାରିଖରେ ଭାରତ ସ୍ଵାଧୀନ ହେଲା । ସ୍ଵାଧୀନତା ପରେ ପରେ ବହୁ ପ୍ରବୀଣଙ୍କଠାରୁ ଆରମ୍ଭକରି ତରୁଣ ଗୋଷ୍ଠୀ ଉପନ୍ୟାସ ରଚନା କରି ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଛନ୍ତି । ସେମାନଙ୍କ ମଧ୍ୟରେ ସୁରେନ୍ଦ୍ର ମହାନ୍ତିଙ୍କର ଅନ୍ଧଦିଗନ୍ତ, ନୀଳଶୈଳ, କାଳାନ୍ତର, ବସନ୍ତ କୁମାରୀ ପଟ୍ଟନାୟକଙ୍କର ଅମଡ଼ାବାଟ, ଚୋରାବାଲି, କମଳାକାନ୍ତ ଦାସଙ୍କର ବୋଉ, ଜ୍ଞାନୀନ୍ଦ୍ର ବର୍ମାଙ୍କ ଲାଲ୍‍ ଘୋଡ଼ା, ଶତାବ୍ଦୀର ସ୍ଵପ୍ନଭଙ୍ଗ, ଅରଣ୍ୟର କୁଜ୍‌ଝଟିକା, ଭୂମିକା, ମୁରଲୀଧର ମଲିକଙ୍କର ମଙ୍ଗଳେ ଅଇଲା ଉଷା, ରଜନୀ ଯାଇଛି ବିତି, ଅକାଳ କୁହୁଡି, ଗୃହସ୍ଥର ବଧୂ, ପୁଣି ସାଧବର ଶକ୍ତି; ଧୂଳିର ଧରଣୀ ମୁକ୍ତିର ଆହ୍ୱାନ, ନବପଲ୍ଲବ, ଦେବୀ, ଛଦ୍ମବେଶରେ ସୁଭାଷ; ମହାପାତ୍ର ନୀଳମଣି ସାହୁଙ୍କର ଧରା ଓ ଧାରା, ତାମସୀ ରାଧା, ଫତୁରାନନ୍ଦଙ୍କର ନାକଟା ଚିତ୍ରକର, ମଙ୍ଗଳବାରିଆ ସାହିତ୍ୟ ସଂସଦ, ରତ୍ନାକର ଚଇନିଙ୍କର ଫୁଲର ଫଗୁଣ, ଖଗେନ୍ଦ୍ର ନାଥ ମଲ୍ଲିକଙ୍କର ଦୁର୍ଘଟଣା, ଯଦୁନାଥ ଦାଶ ମହାପାତ୍ରଙ୍କର ଗ୍ରାମ୍ୟ ନଦୀର ତୀରେ, ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କର ନରକ୍ଲିନ୍ନର, ଶତାବ୍ଦୀର ନଚିକେତା, ଦକ୍ଷିଣାବର୍ତ୍ତ, କୃଷ୍ଣପ୍ରସାଦ ମିଶ୍ରଙ୍କର ସିଂହକଟୀ, ବିଭୂତି ପଟ୍ଟନାୟକଙ୍କର ନାୟିକାର ନାମ ଶ୍ରାବଣୀ, କେଶବତୀ କନ୍ୟା, ସୁଲତାନା, ବାମାଚରଣ ମିତ୍ରଙ୍କର ଚନ୍ଦ୍ର ଓ ଚମ୍ପା, ଗୋବିନ୍ଦ ଦାସଙ୍କର ଅମାବାସ୍ୟାର ଚନ୍ଦ୍ର, ଯମେଶ୍ଵର ତ୍ରିପାଠୀଙ୍କର ସଞ୍ଜ ସକାଳ, ମହାପାତ୍ର ଯତୀନ୍ଦ୍ର, କୁମାରଙ୍କର ଅସି ଓ ମୃଣାଳ, ଗୋପୀନାଥ ବେହେରାଙ୍କର ବସୁଧାରାର ସଂସାର, ପ୍ରତିଭାରାୟଙ୍କର ‘ବର୍ଷା-ବସନ୍ତ-ବୈଶାଖ’ ଇତ୍ୟାଦି ଉଲ୍ଲେଖଯୋଗ୍ୟ କୃତି ।

 

ସ୍ଵାଧୀନତା ପରେ ସୃଷ୍ଟି ହୋଇଥିବା ଉପନ୍ୟାସଗୁଡ଼ିକରେ–ଫକୀରମୋହନଙ୍କର ପାପପୁଣ୍ୟବୋଧ, କାଳିନ୍ଦୀଚରଣ, ନିତ୍ୟାନନ୍ଦ ମହାପାତ୍ର ଓ କାହ୍ନୁଚରଣଙ୍କର ଗାନ୍ଧୀବାଦ କିମ୍ବା ଗୋପୀନାଥ ମହାନ୍ତିଙ୍କର ମାର୍କସବାଦର ଚିତ୍ରଣ ଦେଖିବାକୁ ମିଳେ ନାହିଁ । କାରଣ ସ୍ଵାଧୀନତା ପ୍ରାପ୍ତି ପରେ ତଥା ଜଡ଼ବାଦୀ ଆଦର୍ଶ ଫଳରେ ଦେଖାଦେଇଥିବା ସହରୀ ଜୀବନ ପ୍ରତି ସଂଶୟବୋଧ, ଯୌନଚେତନା ହେତୁ ବିକୃତ ଜୀବନଯାତ୍ରା, କ୍ଷମତାର ଅପପ୍ରୟୋଗ ହେତୁ ସାମାଜିକ ଅସ୍ଥିରତା ଆଦିକୁ ଲେଖକ ଲେଖିକାମାନେ ଚିତ୍ରଣ କରିବାକୁ ପ୍ରୟାସୀ ହୋଇଛନ୍ତି । ତେଣୁ ବାହ୍ୟ ସମସ୍ୟା ଅପେକ୍ଷା କେତେକ କ୍ଷେତ୍ରରେ ଔପନ୍ୟାସିକମାନେ ମଣିଷର ଅବଚେତନ ମନର ପ୍ରତିକ୍ରିୟାକୁ ପ୍ରକାଶକରିବା ଲାଗି ଲେଖନୀ ଚାଳନା କରିଛନ୍ତି । ସୁତରାଂ ଆଜିର ଓଡ଼ିଆ ଉପନ୍ୟାସ ପରୀକ୍ଷାଧର୍ମୀ । ତଥାପି ସମସ୍ତ ପରୀକ୍ଷା ନିରୀକ୍ଷା ସତ୍ତ୍ୱେ ଔପନ୍ୟାସିକଙ୍କ ସାଧନା ଯୋଗୁ ଓଡ଼ିଆ ଉପନ୍ୟାସ ସାହିତ୍ୟ ଯେ ସମୃଦ୍ଧ ହୋଇପାରିଛି–ଏ କଥାକୁ ଅସ୍ଵୀକାର କରାଯାଇନପାରେ ।

 

ଉପନ୍ୟାସର ପ୍ରକାରଭେଦ ଓ ଉପାଦାନ-

 

ଘଟଣା ଓ ଚରିତ୍ର ଏ ଦୁଇଟି ଉପନ୍ୟାସର ପ୍ରଧାନ ଉପାଦାନ । ତେଣୁ ଘଟଣା ଓ ଚରିତ୍ରର ପ୍ରାଧାନ୍ୟ ଅନୁସାରେ ଉପନ୍ୟାସକୁ ପ୍ରଥମତଃ ଦୁଇ ଭାଗରେ ବିଭକ୍ତ କରାଯାଏ । ପୁନଶ୍ଚ ବିଷୟବସ୍ତୁ ଦୃଷ୍ଟିରୁ ଉପନ୍ୟାସକୁ ସାଧାରଣତଃ ୧୪ ଭାଗରେ ବିଭକ୍ତ କରାଯାଏ । ଯଥା (୧) ଐତିହାସିକ, (୨) ସାମାଜିକ, (୩) ରାଜନୀତିକ, (୪) ଦାର୍ଶନିକ, (୫) ମନସ୍ତାତ୍ତ୍ୱିକ, (୬) ଚେତନା ପ୍ରବାହ ଧର୍ମୀ, (୭) କାବ୍ୟଧର୍ମୀ, (୮) କାହାଣୀ ଧର୍ମୀ, (୯) ବୀରତ୍ଵ ବ୍ୟଞ୍ଜକ, (୧୦) ପତ୍ରୋପ୍ୟାସ, (୧୧) ଆତ୍ମଜୀବନୀ ମୂଳକ, (୧୨) ଲୋମହର୍ଷଣକାରୀ, (୧୩) ହାସ୍ୟରସାତ୍ମକ, (୧୪) ପ୍ରେମମୂଳକ ।

 

ଇତିହାସର କଥାବସ୍ତୁକୁ ନେଇ ରଚିତ ହୋଇଥିବା ଉପନ୍ୟାସର ‘ଐତିହାସିକ’ ଉପନ୍ୟାସ କୁହାଯାଏ, ଏହା ଇତିହାସ ନୁହେଁ, ମାତ୍ର ଇତିହାସର ଭାବସ୍ପନ୍ଦନର କଳାତ୍ମକ ଅଭିବ୍ୟକ୍ତି ଏଥିରେ ଘଟିଥାଏ । ଅର୍ଥାତ୍ ଅତୀତର ଗୌରବଦୀପ୍ତ କାହାଣୀକୁ ଉପନ୍ୟାସ ଆକାରରେ ପାଠକଙ୍କ ସମ୍ମୁଖରେ ଉପସ୍ଥାପିତ କରି ଜାତିପ୍ରାଣରେ ନୂତନ ପ୍ରେରଣା ଓ ଉଦ୍ଦୀପନା ସୃଷ୍ଟି କରିବା ଐତିହାସିକ ଔପନ୍ୟାସିକର ଉଦ୍ଦେଶ୍ୟ ।

 

ସମାଜକୁ କେନ୍ଦ୍ର କରି ସୃଷ୍ଟି ହୋଇଥିବା ଉପନ୍ୟାସକୁ ‘ସାମାଜିକ ଉପନ୍ୟାସ’ କୁହାଯାଏ-। ବିଶେଷତଃ ଆଧୁନିକ ଉପନ୍ୟାସ ସମାଜମୁଖୀ । ଆଜିର ଔପନ୍ୟାସିକ ସାମ୍ପ୍ରତିକ ସମାଜର ବାହ୍ୟ ଓ ଅନ୍ତର୍ନିହିତ ଚିତ୍ର ପ୍ରଦାନ କରିବାରେ ତତ୍ପର । ବିବିଧ ସାମାଜିକ ସମସ୍ୟା, ସାମାଜିକ ରୀତନୀତିରେ ବିବର୍ତ୍ତନ, ସାମାଜିକ ମୂଲ୍ୟବୃଦ୍ଧିର ହ୍ରାସବୃଦ୍ଧି, ସମାଜର ବିଭିନ୍ନ କ୍ଷେତ୍ରରେ ଦେଖାଦେଇଥିବା ଉତ୍‌ଥାନ-ପତନ ସାମାଜିକ ଉପନ୍ୟାସର ଉପଜୀବ୍ୟ ।

 

ରାଜନୀତିକୁ କେନ୍ଦ୍ର କରି ରଚିତ ହୋଇଥିବା ଉପନ୍ୟାସକୁ ରାଜନୀତିକ ଉପନ୍ୟାସ କୁହାଯାଏ । ଆଧୁନିକଯୁଗ ବହୁ ପରିମାଣରେ ରାଜନୀତିକ ସଚେତନ ଆଧୁନିକ ମଣିଷର ସମସ୍ତ ଚିନ୍ତା ଚେତନା ସାମ୍ପ୍ରତିକ ପୃଥିବୀର ରାଜନୀତିକୁ ନିୟନ୍ତ୍ରିତ କରୁଥିବାରୁ ବହୁ ରାଜନୈତିକ ଉପନ୍ୟାସ ସୃଷ୍ଟି କରୁଥିବା ପରିଲକ୍ଷିତ ହୁଏ ।

 

ନିର୍ଦ୍ଦିଷ୍ଟ ଦାର୍ଶନିକ ସତ୍ୟକୁ ଉପଜୀବ୍ୟ କରି ରଚିତ ଉପନ୍ୟାସକୁ ଦାର୍ଶନିକ ଉପନ୍ୟାସ କୁହାଯାଏ । ଉକ୍ତ ଉପନ୍ୟାସ କାହାଣୀ ଭିତର ଦେଇ ଦାର୍ଶନିକ ଚିନ୍ତା ଚେତନା ପ୍ରକାଶ କରିବା ଔପନ୍ୟାସିକଙ୍କର ଲକ୍ଷ୍ୟ ।

 

କାବ୍ୟିକ ବର୍ଣ୍ଣନାଧର୍ମୀ ଉପନ୍ୟାସକୁ କାବ୍ୟଧର୍ମୀ ଉପନ୍ୟାସ କୁହାଯାଏ । ଏଥିରେ ଲେଖକ ଘଟଣା କିମ୍ବା ଚରିତ୍ର ସୃଷ୍ଟି ଉପରେ ଗୁରୁତ୍ଵ ନଦେଇ କାବ୍ୟିକବର୍ଣ୍ଣନା ଉପରେ ଅଧିକ ଗୁରୁତ୍ଵ ଦେଇଥାଏ ।

 

କିମ୍ବଦନ୍ତୀ କିମ୍ବା ପୌରାଣିକ ଆଖ୍ୟାନକୁ କେନ୍ଦ୍ର କରି ରଚିତ ଉପନ୍ୟାସକୁ କାହାଣୀଧର୍ମୀ ଉପନ୍ୟାସ କୁହାଯାଏ । ଏହା ଅତି ନିକୃଷ୍ଟ ଧରଣର ଉପନ୍ୟାସ ଏବଂ ଗଳ୍ପକଥନ ଛଳରେ ମନୋରଞ୍ଜନ କରିବା ହିଁ ଲେଖକର ଉଦ୍ଦେଶ୍ୟ ।

 

ବୀରତ୍ୱବ୍ୟଞ୍ଜନ କାହାଣୀର ଅବଲମ୍ବନରେ ରଚିତ ଉପନ୍ୟାସକୁ ବୀରତ୍ୱବ୍ୟଞ୍ଜକ ଉପନ୍ୟାସ କୁହାଯାଏ । ଐତିହାସିକ ଉପନ୍ୟାସଗୁଡ଼ିକ ପ୍ରାୟ ଏହି ଶ୍ରେଣୀୟ । ଉକ୍ତ ଉପନ୍ୟାସରେ ଗୁରୁଗମ୍ଭୀର ଭାଷାର ବର୍ଣ୍ଣନା ଥାଏ ।

 

ଉପନ୍ୟାସ ବର୍ଣ୍ଣିତ ଚରିତ୍ରର ପତ୍ରାବଳି ମାଧ୍ୟମରେ ଉପନ୍ୟାସର କଥାବସ୍ତୁ ଅଗ୍ରଗତି କରିଥିଲେ, ତାକୁ ପତ୍ରୋପନ୍ୟାସ କୁହାଯାଏ ।

 

ଯେଉଁ ଉପନ୍ୟାସରେ ଅଚେତନ ମନର ପ୍ରତିକ୍ରିୟା ଉପରେ ବିଶେଷ ପ୍ରାଧାନ୍ୟ ଦିଆଯାଇଥାଏ, ତାହାକୁ ମନସ୍ତାତ୍ତ୍ୱିକ ଉପନ୍ୟାସ କୁହାଯାଏ ।

 

ଯେଉଁ ଉପନ୍ୟାସରେ ଚରିତ୍ରର ମନ ଭିତରେ ପ୍ରବାହିତ ହେଉଥିବା ଅବିଶ୍ରାନ୍ତ ଚେତନାର ଧାରାକୁ ମନସ୍ତାତ୍ତ୍ୱିକ ଅନୁଶୀଳନ କରାଯାଇଥାଏ, ତାହାକୁ ଚେତନାପ୍ରବାହଧର୍ମୀ ଉପନ୍ୟାସ କୁହାଯାଏ । ଚେତନା-ପ୍ରବାହ ପଦ୍ଧତିର ମୌଳିକ ଉପାଦାନଗୁଡ଼ିକ ହେଉଛି ମନସ୍ତାତ୍ତ୍ୱିକ ବିଶ୍ଳେଷଣ, ବିଶେଷ ଭଙ୍ଗୀରେ ଚରିତ୍ରର ରୂପାୟନ, ତଥାକଥିତ ବହିର୍ଜାଗତିକ ବାସ୍ତବତା ପରିହାର କରି ଅନ୍ତର୍ମୁଖୀ ନବ ବାସ୍ତବତାର ପ୍ରବର୍ତ୍ତନ, ସ୍ମୃତିଚାରଣ, ଗୀତିମୟତା, ସଂକ୍ଷିପ୍ତ ସଂଳାପ ସଂଯୋଜନ ଆଦି ମାଧ୍ୟମରେ ଚରିତ୍ରର ମାନସଲୋକରେ ଆଲୋକରେ ଜଗତକୁ ସ୍ଵୀକାର କରି ପରିପ୍ରକାଶ କରାଯାଇଥାଏ ।

 

ଚରିତ୍ରଗୁଡ଼ିକ ନିଜେ ନିଜର ଆତ୍ମକାହାଣୀ ଯେଉଁ ଉପନ୍ୟାସରେ ବର୍ଣ୍ଣନା କରିଥାନ୍ତି, ତାହାକୁ ଆତ୍ମଜୀବନୀମୂଳକ ଉପନ୍ୟାସ କୁହାଯାଏ ।

 

ଯେଉଁ ଉପନ୍ୟାସରେ ମଣିଷ ଚରିତ୍ରର ବିଭିନ୍ନ ଅସଙ୍ଗତି ପ୍ରଦର୍ଶନ କରାଇ ଲେଖକ ପାଠକ ମନରେ ହାସ୍ୟରସ ସୃଷ୍ଟି କରେ, ତାହାକୁ ହାସ୍ୟରସାତ୍ମକ ଉପନ୍ୟାସ କୁହାଯାଏ ।

 

ଲୋମହର୍ଷଣକାରୀ ଡକାୟତି, ହତ୍ୟା, ଅପରାଧ, ରକ୍ତତାଣ୍ଡବ, ବିଭୀଷିକା, ଗୋଇନ୍ଦା ବିଭାଗର ତତ୍ପରତା ଆଦି ବର୍ଣ୍ଣିତ ହୋଇଥିବା ଉପନ୍ୟାସକୁ ଡିଟେକ୍‌ଟିଭ ଉପନ୍ୟାସ କୁହାଯାଏ । ଉପନ୍ୟାସର ପ୍ରତିଟି ପୃଷ୍ଠା ପାଠ କରିବାବେଳେ ପାଠକ ପ୍ରତିମୁହୂର୍ତ୍ତରେ ନିଜେ ଅନ୍ତରରେ ଉତ୍କଣ୍ଠା ଏବଂ ସ୍ପନ୍ଦନ ଅନୁଭବ କରିଥାଏ ।

 

ଅତି ଲୌକିକ ଭୀତିପ୍ରଦ ପରିବେଶ ସୃଷ୍ଟି ହୋଇଥିବା ଉପନ୍ୟାସକୁ ଲୋମହର୍ଷଣକାରୀ ଉପନ୍ୟାସ କୁହାଯାଏ ।

 

ଉପନ୍ୟାସର ଉପାଦାନ–

 

ଉପନ୍ୟାସ ବହୁବିଧ ଉପାଦାନକୁ ନେଇ ରଚିତ ହୋଇଥିଲେ ମଧ୍ୟ, ବସ୍ତୁତଃ (୧) କଥାବସ୍ତୁ, (୨) ଚରିତ୍ର ଚିତ୍ରଣ, (୩) ଗଠନ ଶୈଳୀ, (୪) ସଂଳାପ, (୫) ଜୀବନ ଦର୍ଶନ, (୬) ପରିବେଶ, (୭) ଦେଶକାଳ ବାତାବରଣ, (୮) ଉଦ୍ଦେଶ୍ୟ ଇତ୍ୟାଦିକୁ ନେଇ ଉପନ୍ୟାସ ରଚିତ ହୋଇଥାଏ ।

 

ଉପନ୍ୟାସରେ କଥାବସ୍ତୁ ନିର୍ମାଣ ବା କାହାଣୀ ରଚନା ହେଉଛି ସର୍ବପ୍ରଥମ ଓ ପ୍ରଧାନ କାର୍ଯ୍ୟ । ଐତିହାସିକ, ପୌରାଣିକ ଓ ସାମାଜିକ, କାଳ୍ପନିକ ଆଦି କଥାବସ୍ତୁକୁ ନେଇ ଉପନ୍ୟାସ ରଚିତ ହୋଇଥାଏ ଏବଂ ଗୋଟିଏ ମୁଖ୍ୟ କଥାବସ୍ତୁ ସହିତ ବହୁ ଗୌଣ କଥାବସ୍ତୁର ସଂଯୋଗ ହୋଇଥିଲେ ମଧ୍ୟ ଉପନ୍ୟାସର ସାମଗ୍ରିକ ଶୈଳୀରୁ କଥାବସ୍ତୁକୁ ଅଲଗା କରାଯାଇପାରେ ନାହିଁ । ଉପନ୍ୟାସର କଥାବସ୍ତୁ କିପରି ହେବା ଉଚିତ, ସେ ସମ୍ପର୍କରେ ମତଦେଇ ଇଂରେଜ ଔପନ୍ୟାସିକ ସମର ସେଟ୍ ମମ୍ କହିଛନ୍ତି: “The story, the author has to tell should be coherent and persuasive; it should have a begining, a middle and an end, and the end should be the natural consequence of the begining. The episodes should have probability and should not only develop the theme; but grow out of the story.”

 

ଉକ୍ତ କଥାବସ୍ତୁକୁ ଗତିଶୀଳ କରାଇବା ପାଇଁ ତଥା ସମାଜ ଓ ଜୀବନର ପରିଚୟ ଦେବାଲାଗି ଉପନ୍ୟାସରେ ଚରିତ୍ର ମୁଖ୍ୟ ଉପାଦାନ । ଚରିତ୍ରକୁ ସାଧାରଣତଃ ଦୁଇ ଭାଗରେ ବିଭକ୍ତ କରାଯାଇଥାଏ । ଯଥା. ଟାଇପ୍ ଚରିତ୍ର ବା Flat ଏବଂ ବର୍ତ୍ତୁଳ ଚରିତ୍ର ବା Round ଚରିତ୍ର । ଟାଇପ୍ ଚରିତ୍ରରେ ମଣିଷ ବିବିଧ ମୂର୍ତ୍ତିଦ୍ଵାରା ନିୟନ୍ତ୍ରିତ ହୁଏ ନାହିଁ । ଗୋଟିଏ ମାତ୍ର ବୃତ୍ତିକୁ ନେଇ ମଣିଷ ଗଢ଼ିଉଠେ । ମାତ୍ର ବର୍ତ୍ତୁଳ ବା ବ୍ୟକ୍ତି ଚରିତ୍ରରେ ମାନବ ଜୀବନର ଜଟିଳ ବୃତ୍ତିକୁ ବା ରହସ୍ୟମୟ ଅନ୍ତର୍ଜଗତକୁ ଉଦ୍‌ଘାଟନ କରାଯାଇଥାଏ । ପୁନଶ୍ଚ ଉପନ୍ୟାସର ମୁଖ୍ୟ ଚରିତ୍ର ସହିତ ବହୁ ଗୌଣ ଚରିତ୍ରର ମଧ୍ୟ ସମାବେଶ ହୋଇଥାଏ । ଦୁଷ୍ଟ, ଶିଷ୍ଟଠାରୁ ଆରମ୍ଭକରି ଶୋଷକ ଓ ଶୋଷିତ ଆଦି ଚରିତ୍ର ଚିତ୍ରଣ ହେବା ଉପନ୍ୟାସର ବିଧେୟ ।

 

କଥାବସ୍ତୁ ଓ ଚରିତ୍ରକୁ ପ୍ରକାଶ କରିବାକୁ ହେଲେ ଉପନ୍ୟାସରେ ସଂଳାପ ବା ଭାଷାର ଆବଶ୍ୟକତା ରହିଛି । ପୁନଶ୍ଚ ଉପନ୍ୟାସର ଭାଷା ବିଚାର କଲାବେଳେ ଆମେ ଦୁଇପ୍ରକାର ଭାଷା ଲକ୍ଷ୍ୟ କରିଥାଉଁ । ଗୋଟିଏ ସ୍ଵାଭାବିକ ଭାଷା ବା Realistic language ଏବଂ ଅପରଟି କଳାଗତ ଭାଷା ବା Artistic language । ପ୍ରଥମେ ଲେଖକ ନିଜ ଭାଷାରେ ତାଙ୍କ କାହାଣୀ କହିଥାନ୍ତି ଏବଂ ଉପନ୍ୟାସର ଚରିତ୍ରମାନେ କଥୋପକଥନ କଲାବେଳେ ଲେଖକମାନେ ତାଙ୍କ କଥୋପକଥନରେ ଚରିତ୍ର ଉପଯୋଗୀ ଭାଷା ବ୍ୟବହାର କରନ୍ତି । ତେଣୁ ଉନ୍ନତ ଶୈଳୀଦ୍ଵାରା ଲେଖକ ପାଠକ ପ୍ରାଣରେ ଆଲୋଡ଼ନ ସୃଷ୍ଟି କରିବାକୁ ସମର୍ଥ ହୋଇଥାଏ । କାରଣ ଶୈଳୀରୁ ମଧ୍ୟ ବ୍ୟକ୍ତିତ୍ଵ ଜଣା ପଡ଼ିଥାଏ । ସେଥିପାଇଁ ଇଂରାଜୀରେ ଗୋଟିଏ କଥାଅଛି “Style is the man.”

 

ଦେଶକାଳ ପାତ୍ର ମଧ୍ୟ ଉପନ୍ୟାସକୁ କାଳଜୟୀ ରୂପ ଦେବାରେ ସାହାଯ୍ୟ କରିଥାଏ । “A novel is a picture of real life and manners and of the times in which it is written.” ଅର୍ଥାତ୍‍ ଉପନ୍ୟାସ ବାସ୍ତବ ଜୀବନ ଓ ଲୋକାଚରଣର ଚିତ୍ର ଦେବା ସଙ୍ଗେ ସଙ୍ଗେ ଲେଖା ହେବା ସମୟରେ ସୂଚନା ମଧ୍ୟ ପ୍ରକାଶ କରିଥାଏ । ସମୟ ଚେତନା ନ ଥିଲେ ଔପନ୍ୟାସିକ ଯଥାର୍ଥ ଉପନ୍ୟାସ ସୃଷ୍ଟି କରି ନପାରେ ।

 

ଜୀବନ ଦର୍ଶନ ମଧ୍ୟ ଉପନ୍ୟାସର ଅନ୍ୟତମ ଉପାଦାନ । ପ୍ରତ୍ୟେକ ଲେଖକ ନିଜର ସାରତତ୍ତ୍ଵ ଚିନ୍ତାଧାରକୁ ଏଥିରେ ପ୍ରକାଶ କରିଥାନ୍ତି । Walter Allen କହିଛନ୍ତି–“Every novelist then gives us in his own personal idiosyncratic vision of the world. The vision is acted by the images of men and women–The novelists task is to draw his own likeness to any humanbeing the guilt as much as the innocent.” ଅର୍ଥାତ୍‍ ପ୍ରତ୍ୟେକ ଔପନ୍ୟାସିକ ଉପନ୍ୟାସରେ ଲୋକଜୀବନ ସମ୍ବନ୍ଧରେ ତା’ର ବ୍ୟକ୍ତିଗତ ଧାରଣା ରୂପଦିଏ । ତେଣୁ ଉପନ୍ୟାସଗତ ଚରିତ୍ର ସୃଷ୍ଟିରେ ଲେଖକର ରୁଚିକୁହିଁ ଦେଖିବାକୁ ପାଇଥାଉଁ ।”

 

ଏହା ବ୍ୟତୀତ ଉପନ୍ୟାସରେ ମାନବ ଜୀବନରେ ଆଶା, ଆକାଂକ୍ଷା, ହସ, କାନ୍ଦ ବିରହ ମିଳନ ଆଦି ଚିତ୍ର ରହିଥିବାରୁ ପାଠକ ବିଭିନ୍ନ ରସ ଆସ୍ଵାଦନ କରି ଆନନ୍ଦଲାଭ କରିଥାଏ ।

 

ଅନ୍ୟାନ୍ୟ ସାହିତ୍ୟିକ କଳା ସହିତ ଉପନ୍ୟାସର ସମ୍ପର୍କ–

 

ସାହିତ୍ୟିକ ବିଭାଗଗୁଡ଼ିକ ମଧ୍ୟରେ ଉପନ୍ୟାସ ହେଉଛି ପ୍ରଧାନ ସାହିତ୍ୟିକ ବିଭବ । କାରଣ Walter Allenଙ୍କ ମତରେ–“We find there a close imitation of man and manners we see the very well and texture of society as it really exists and we meet it when we come into the world” ଅର୍ଥାତ୍‌, ଉପନ୍ୟାସରେ ଦୈନନ୍ଦିନ ଜୀବନରେ ବାସ୍ତବ ଘଟଣାର ଅନୁକୃତି ଆମେ ପାଉଁ-। ସମାଜର ବାସ୍ତବ ରୂପ ଲୋକଚିତ୍ରର ଏକ ନିଗୂଢ଼ ଅଧ୍ୟୟନ ଉପନ୍ୟାସରେ ହିଁ ମଳିଥାଏ-। ସମାଲୋଚକଙ୍କ ମତରେ ଅନ୍ୟାନ୍ୟ ସାହିତ୍ୟିକ ବିଭବଠାରୁ ଉପନ୍ୟାସର ମୌଳିକ ପାର୍ଥକ୍ୟ ହେଲା–“ଉପନ୍ୟାସ ଏକ ମନନଶୀଳ ସାହିତ୍ୟିକ ଶିଳ୍ପ । ନାଟକ ଭଳି ଏହା ଦର୍ଶନୀୟ ନୁହେଁ, ସଙ୍ଗୀତ ଭଳି ଦେୟ ନୁହେଁ, କବିତା ଭଳି ଆବୃତ୍ତି-ପ୍ରଧାନ ନୁହେଁ । ମନରେ ସୂକ୍ଷ୍ମ ଅନୁଭବ ଶକ୍ତିଦ୍ୱାରା କେବଳ ଏହାର ରସ ଆସ୍ଵାଦନ କରିବା ସମ୍ଭବ । ପୁଣି ନାଟକ ଭଳି ଏହାକୁ ରଙ୍ଗମଞ୍ଚ ଉପରେ ନିର୍ଭର କରିବାକୁ ପଡ଼ୁନଥିବାରୁ ଏବଂ ସଙ୍ଗୀତ ଭଳି ଏହାକୁ ସ୍ୱରଯନ୍ତ୍ର କିମ୍ବା ବାଦ୍ୟଯନ୍ତ୍ର ଉପରେ ନିର୍ଭର କରିବାକୁ ହେଉନଥିବାରୁ ନାଟ୍ୟକାର ଓ ଗୀତିକାର ଭଳି ଔପନ୍ୟାସିକ ଲେଖାର କୌଣସି ଶୃଙ୍ଖଳା ବା ନିୟମ ଅନୁସାରେ ପରିଚାଳିତ ହେବାକୁ ବାଧ୍ୟନୁହେଁ ।

 

ବସ୍ତୁତଃ ଜୀବନ ଯେତେବେଳେ ଶାନ୍ତ, ସୁନ୍ଦର, କମନୀୟ, ଶୋଭାମୟ ଥାଏ, ସେତେବେଳେ ସୃଷ୍ଟି ହୁଏ କବିତା । ମାତ୍ର ଯନ୍ତ୍ରଣାକ୍ତ ଜୀବନକୁ ରୂପାୟିତ କରେ ନାଟକ ଏବଂ ଉପନ୍ୟାସ । ମାତ୍ର ନାଟକ ଓ ଉପନ୍ୟାସ ମଧ୍ୟରେ ମୌଳିକ ପଦାର୍ଥ ହେଲା–ନାଟକର ସମୟ ସୀମା ସୀମିତ ହୋଇଥିବାରୁ ଏହା ଯନ୍ତ୍ରଣାକ୍ତ ଜୀବନକୁ ଦ୍ରୁତଗତିରେ ରୂପାୟିତ କରେ । ମାତ୍ର ଏ ସମସ୍ତ କ୍ଷେତ୍ରରେ ଔପନ୍ୟାସିକ ସ୍ଵାଧୀନଚେତା । ତେଣୁ ସେ ଯନ୍ତ୍ରଣାକ୍ତ ମନକୁ ଧୀର ଗତିରେ ରୂପାୟିତ କରେ । ଔପନ୍ୟାସିକ ଲାଗି କୌଣସି ଧରାବନ୍ଧା ନିୟମ ନାହିଁ । ନିର୍ଦ୍ଦିଷ୍ଟ ସମୟ ସୀମା ତା’ପାଇଁ ମଧ୍ୟ ଉପଯୋଗ କରାଯାଇ ନାହିଁ । ବସ୍ତୁତଃ ବ୍ୟକ୍ତି ସ୍ଵାତନ୍ତ୍ର୍ୟବାଦର ପ୍ରତିଷ୍ଠା କେବଳ ଉପନ୍ୟାସରେ ହିଁ ଦେଖିବାକୁ ମିଳିଥାଏ । ମାତ୍ର କ୍ଷୁଦ୍ରଗଳ୍ପରେ ଏପରି ସ୍ୱାଧୀନତା ଲେଖକର ନଥାଏ-। କବିତା ପରି ଭାବପ୍ରବଣ ମନର ନିର୍ଦ୍ଦିଷ୍ଟ ଅନୁଭୂତିକୁ ରୂପାୟିତ କରେ କ୍ଷୁଦ୍ରଗଳ୍ପ । ସର୍ବୋପରି କେବଳ ଉପନ୍ୟାସ ମଧ୍ୟରେ ଆମେ ନାଟକୀୟତା, ପ୍ରବନ୍ଧର ଚିନ୍ତା-ଚେତନା, କବିତ୍ଵ ରସର ନିର୍ଝରିଣୀ ଆଦି ଦେଖିବାକୁ ପାଇଥାଉ । ଉପନ୍ୟାସ କଳାତ୍ମକ ଅଭିବୃଦ୍ଧି ଲାଗି ଔପନ୍ୟାସିକ ତା’ର ଇଚ୍ଛା ଆନୁସାରେ ପ୍ରତ୍ୟେକ ବସ୍ତୁ ପ୍ରୟୋଗ କରିପାରେ ।

 

ସଂଘର୍ଷମୟ ପ୍ରତିଚ୍ଛବି ହିଁ ଉପନ୍ୟାସର ପ୍ରାଣକେନ୍ଦ୍ର । ଜୀବନ ସଂଘର୍ଷମୟ, ସମାଜ ସଂଘର୍ଷମୟ । ତେଣୁ ଏହି ସଂଘର୍ଷମୟକୁ ଜୀବନ୍ତକରି ତୋଳେ ଉପନ୍ୟାସ । ଆଲୋଚକ Richard Burtonଙ୍କ ମତରେ–“It is a study of contemporary society with an implied social interest and with a special reference to as a matter of force simply because it is love which binds together the humanbeings in their social relations” ଅର୍ଥାତ୍‍, ମନୁଷ୍ୟର ଏ ସଂଘର୍ଷ କେବେହେଲେ ବନ୍ଦ ହେବାର ନୁହେଁ, ମନୁଷ୍ୟ ସମାଜକୁ ଛାଡ଼ି ରହିନପାରେ । ସୁଖଦୁଃଖର ଘାତ ପ୍ରତିଘାତରେ ସେ ସମାଜକୁ ଭଲପାଇ ଶିଖେ, ତା’ ସହିତ ମନ ମିଳାଇ ଚଳିବାକୁ ଚେଷ୍ଟାକରେ । ସଂଘର୍ଷ ହେଉ ବା ବିନୋଦ ହେଉ, ଗୋଷ୍ଠିପ୍ରତି ସ୍ନେହ ଓ ଆକର୍ଷଣ ତା’ଠାରେ ମାନବିକତାକୁ ଭରିଦିଏ । ଅଶ୍ରୁରେ ବି ସେ ଆନନ୍ଦ ପାଏ । ଗୋଷ୍ଠୀ ବା ସମାଜକୁ ଛାଡ଼ିପାରେ ନାହିଁ । ତାହାରି ଭିତରେ ରହି ସେମାନଙ୍କୁ ପର୍ଯ୍ୟବେକ୍ଷଣ କରିବାର ଦାୟିତ୍ୱ ନିଏ । ତେଣୁ ଔପନ୍ୟାସିକ ହୁଏ ସମାଜର ସମୀକ୍ଷକ ।”

 

ବସ୍ତୁତଃ ସମାଜ ଏବଂ ଜୀବନର ବାସ୍ତବ ଆନୁକୃତି ହିଁ ଉପନ୍ୟାସ । ପ୍ରାଚୀନ ଯୁଗରେ ମହାକାବ୍ୟ ଯେପରି ସମାଜରେ ଆସନ ମାଡ଼ି ବସିଥିଲା, ବର୍ତ୍ତମାନ ଉପନ୍ୟାସ ସେହିପରି ଗୌରବର ଅଧିକାରୀ ହୋଇପାରିଛି । କାରଣ ଉପନ୍ୟାସ ମାଧ୍ୟମରେ ପାଠକ ସମସ୍ତ ସାହିତ୍ୟିକ ବିଭବର ଆନନ୍ଦ ଏକ ସାଙ୍ଗରେ ପାଇପାରୁଛି । ତେଣୁ ସାଂସ୍କୃତିକ ଯୁଗରେ ଉପନ୍ୟାସର ଭୂମିକାକୁ ଅସ୍ଵୀକାର କରାଯାଇ ନପାରେ ।

☆☆☆

 

ଓଡ଼ିଆ ନାଟ୍ୟ ସାହିତ୍ୟ

 

ଉପୋଦ୍‍ଘାତ-

 

ମଣିଷର ଜୀବନ ଯେତେବେଳେ ଶାନ୍ତ, ସୁନ୍ଦର, ଶୋଭାମୟ ସେତେବେଳେ ମଣିଷ ଉପଲବ୍ଧି କରେ କାବ୍ୟର ଆସ୍ଵାଦ । ଜୀବନ ଯେତେବେଳେ ଜଟିଳ ଜଞ୍ଜାଳ ଜ୍ୱାଳାମୟ ସେତେବେଳେ ମଣିଷ କଳ୍ପନା କରେ ଉପନ୍ୟାସ । ଶାଖା ପଲ୍ଲବାକୀର୍ଣ୍ଣ ଜଟିଳ ବନସ୍ପତି ଭଳି ମଣିଷ ଜୀବନର ସୁବିସ୍ତୃତ ମନ୍ଥର କାହାଣୀ ମର୍ମରିତ ହୋଇଉଠେ ଉପନ୍ୟାସରେ । କିନ୍ତୁ ଜୀବନ ଯେତେବେଳେ ହୁଏ ସଂଘର୍ଷ, ସଂଘାତ ଓ ଦ୍ଵନ୍ଦ୍ୱମୟ ସେତିକିବେଳେ ଦେଖାଦିଏ ନାଟକ । ନାଟକ ଜୀବନ ମହାନାଟକର ଏକ ପ୍ରତ୍ୟକ୍ଷ କଳା । ଏହି କଳାରେ କଲ୍ଲୋଳିତ ହୋଇଉଠେ ରହସ୍ୟଘନ ମଣିଷ ଜୀବନର ବହୁ ଅଜ୍ଞାତ ତଥ୍ୟ । ଏହି କଳା କଳେବର ମଧ୍ୟ ଦେଇ ମଣିଷ ମନର ଅନ୍ଧକାର ସ୍ୱରୂପ ଉଦ୍‌ଘାଟିତ ହୁଏ । ଜୀବନ–ରହସ୍ୟମୟ । ଏ ଜୀବନ–ବହୁ ଉତ୍‌ଥାନ ପତନ–ଆରୋହ ଅବରୋହ–ହସ କାନ୍ଦ, ଦୁଃଖସୁଖ–ସଂଘାତ ସଂଘର୍ଷ ମଧ୍ୟଦେଇ ଗତିକରେ । ନାଟକ ଠିକ୍‍ ଏହି ଜୀବନକୁହିଁ ଅନୁସରଣ କରେ । ଜୀବନ ଓ ସମାଜ ନାଟକରେ ଯଥାର୍ଥ ଭାବରେ ଫୁଟି ଉଠେ । ଏହି ହେତୁ ଆଜି ସାହିତ୍ୟରେ ନାଟକ ଏକ ସ୍ଵତନ୍ତ୍ର ଭୂମିକା ଗ୍ରହଣ କରିଛି । ଜୀବନର ସକଳ ବିଭବକୁ ନାଟକ ମାଧ୍ୟମରେ ପ୍ରକାଶ କରାଯାଇ ପାରେ । ଏପରି ବିଦ୍ୟା, କଳା, ଶିଳ୍ପ, କର୍ମ ନାହିଁ ଯାହାକି ନାଟକରେ ପ୍ରଦର୍ଶିତ ହୋଇ ପାରିବ ନାହିଁ । ତେଣୁ ନାଟ୍ୟଶାସ୍ତ୍ରରେ ଉଲ୍ଲେଖ ଅଛି–

 

‘ନ ତତ୍‌ଜ୍ଞାନଂ, ନ ତଚ୍ଛିଳ୍ପଂ ନସାବିଦ୍ୟା ନସାକଳା

ନ ତତ୍କର୍ମଂ ନ ଯୋଗେ ସୌଽନାଟକେ ଯନ୍ତ୍ର ଦୃଶ୍ୟତେ ।’

 

ନାଟକ ଏକ ଦୃଶ୍ୟକାବ୍ୟ । ପ୍ରେକ୍ଷାଗୃହରେ ଦର୍ଶକ ରଙ୍ଗମଞ୍ଚରେ ଅଭିନୀତ ହେଉଥିବା ନାଟକକୁ ଦେଖି ନାଟ୍ୟରସ ଉପଭୋଗ କରେ । ପ୍ରେକ୍ଷାଗୃହର ମାୟାଜଗତରେ ବସି ନାଟକ ଉପଭୋଗ କରୁଥିଲାବେଳେ ଦର୍ଶକ ବାହାର ବାସ୍ତବ ଜଗତକୁ ଭୁଲି ଯାଇଥାଏ । ସେହି ମାୟାଜଗତକୁ ବାସ୍ତବ ଜଗତ ଭାବରେ ଗ୍ରହଣ କରି ଦର୍ଶକ ତା’ର ଜୀବନର ରହସ୍ୟ ଘେରା ଅବସ୍ଥାକୁ ଉପଲବ୍ଧି କରିଥାଏ । ଜୀବନର ସଂଘର୍ଷକୁ ପ୍ରକାଶ କରିବାହିଁ ନାଟକର ଧର୍ମ । ମେଘମେଦୁର ଆକାଶରେ ଦୁଇଖଣ୍ଡ ବାଦଲର ସଂଘର୍ଷରୁ ସୃଷ୍ଟି ହୁଏ ବିଦ୍ୟୁତ ଓ ବଜ୍ର । ଏହି ବଜ୍ର ହିଁ ନାଟକର ପ୍ରାଣବସ୍ତୁ । ନାଟକର ଗୌରବ ପ୍ରତିପାଦିତ ହୋଇଥାଏ ଏହି ବିଦ୍ୟୁତର ସ୍ଫୁରଣ ଏବଂ ବଜ୍ରର ଧ୍ୱନି ମଧ୍ୟଦେଇ । ନାଟକରେ ମଣିଷ ଜୀବନର ବାସ୍ତବ ଚିତ୍ର ରୂପାୟିତ ହୁଏ । ଏଲିଜାବେଥକୁ (Elizabeth Crew) ଯଥାର୍ଥରେ, ଲେଖିଛନ୍ତି–Drama is the creation and represention of life in terms theatre.” ରଙ୍ଗମଞ୍ଚ ମଧ୍ୟଦେଇ ଗୋଟିଏ ଜାତି ବା ଦେଶ ପ୍ରକାଶିତ ହୋଇଥାଏ ।

 

ସାହିତ୍ୟର ଅନ୍ୟାନ୍ୟ ବିଭାଗ ଭଳି ନାଟକ ମଧ୍ୟ ଏକ ମନୋରମ ସୁକୁମାର କଳା । କାବ୍ୟ ବା ଉପନ୍ୟାସକୁ ଅଧ୍ୟୟନ କରି ରସ ଉପଭୋଗ କରାଯାଇ ପାରେ । ଏଥିରେ ସ୍ରଷ୍ଟା ପ୍ରତ୍ୟକ୍ଷ ଭାବରେ ପୃଷ୍ଠାପରେ ପୃଷ୍ଠା ଲେଖିଯାଏ । ନିଜର ଆଦର୍ଶ ବା ଅଭିରୁଚିକୁ ତା’ର ମନଇଚ୍ଛା ବର୍ଣ୍ଣନା କରିପାରେ । ମାତ୍ର ନାଟକରେ ନାଟ୍ୟକାରକୁ କେତେକ ନିୟମ ମାନିବାକୁ ହୋଇଥାଏ । ଔପନ୍ୟାସିକ ବା କାବ୍ୟକାର ସ୍ଵାଧୀନ; ମାତ୍ର ନାଟ୍ୟକାର ପରାଧୀନ–ମଞ୍ଚର ଅଧୀନ । ଚରିତ୍ରଗୁଡ଼ିକର ସଂଳାପ ମାଧ୍ୟମରେ ସେ ଉପସ୍ଥାପନ କରେ ତା’ର ନାଟକର କଥାବସ୍ତୁକୁ । ସେ ନିଜେ କିଛି ପ୍ରତ୍ୟେକ୍ଷ ଭାବରେ ବର୍ଣ୍ଣନା ନକରି ଚରିତ୍ରଗୁଡ଼ିକର ସଂଳାପ ମାଧ୍ୟମରେ ବର୍ଣ୍ଣନା କରେ-। କେବଳ ଏତିକି ନୁହେଁ, ଦର୍ଶକ ମନରେ ନାଟ୍ୟୋତ୍କଣ୍ଠା ସୃଷ୍ଟିକରି ସେହି ନାଟ୍ୟ ମାୟା ଜଗତରେ ଦର୍ଶକକୁ ନାଟକର ଶେଷ ପର୍ଯ୍ୟନ୍ତ ବାହ୍ୟ ଜଗତରୁ ଦୂରେଇ ଆଣି ନିମଜ୍ଜିତ କରି ରଖିବାକୁ ନାଟ୍ୟକାରକୁ ବହୁ କୌଶଳ ଅବଲମ୍ବନ କରିବାକୁ ହୋଇଥାଏ-। ସଂସ୍କୃତ ଆଳଙ୍କାରିକମାନେ ଦୃଶ୍ୟକାବ୍ୟ ଓ ଶ୍ରାବ୍ୟ କାବ୍ୟ ଭାବରେ କାବ୍ୟକୁ ଦୁଇ ଭାଗରେ ବିଭକ୍ତ କରିଅଛନ୍ତି । ସଂସ୍କୃତ ଶାସ୍ତ୍ରରେ ଏଣୁ କୁହାଅଛି “କାବ୍ୟେଷୁ ନାଟକମ୍‍ ରମ୍ୟମ୍‍ ।” ଦର୍ଶକ ତା’ର ଚକ୍ଷୁ ସମ୍ମୁଖରେ ଦେଖେ ମଣିଷ ଜୀବନ ଓ ସମାଜର ବାସ୍ତବ ଚିତ୍ରକୁ । Marjorie Boultonଙ୍କ ଭାଷାରେ “It is a literature that walks and talks before our eyes.”

 

ନାଟକର ଉପାଦାନ–

 

ନାଟକର ପ୍ରଧାନ କଥା ହେଉଛି କଥାବସ୍ତୁ ବା ‘କାହାଣୀ’ (plot) । ଏହି କଥାବସ୍ତୁ ପୁଣି ପ୍ରଧାନ କଥାବସ୍ତୁ ଓ ଗୌଣ କଥାବସ୍ତୁ ଭାବରେ ଦ୍ଵିବିଧ । ମୁଖ୍ୟ କଥାବସ୍ତୁକୁ ଆଗେଇ ନେବାରେ ଗୌଣ କଥାବସ୍ତୁ ସାହାଯ୍ୟ କରିଥାଏ । କଥାବସ୍ତୁକୁ ଯଥାଯଥ ଭାବରେ ପ୍ରକାଶ କରିବା ପାଇଁ ଦରକାର ହୁଏ ଚରିତ୍ର (Character) । କଥାବସ୍ତୁ ଭଳି ଚରିତ୍ରକୁ ମଧ୍ୟ ବିଭିନ୍ନ ଭାବରେ ବିଭକ୍ତ କରାଯାଇପାରେ । ମୁଖ୍ୟ ଚରିତ୍ର ଓ ଗୌଣ ଚରିତ୍ରକୁ ଛାଡ଼ିଦେଲେ ନାଟକୀୟଚରିତ୍ରକୁ ମଧ୍ୟ ସ୍ଥିର ଚରିତ୍ର ଓ ଗତିଶୀଳ ଚରିତ୍ର ଭାବରେ ବିଭକ୍ତ କରାଯାଇ ପାରେ । ଚରିତ୍ରଗୁଡ଼ିକର ଅନ୍ତନିର୍ହିତ ଦ୍ଵନ୍ଦ୍ୱ ଓ କଥାବସ୍ତୁର ବିକାଶକୁ ଦେଖାଇବା ପାଇଁ ଆବଶ୍ୟକ ହୁଏ ଗତିବେଗ (Action) ସଂଳାପ (Dialogue) ନାଟକର ଅନ୍ୟତମ ପ୍ରଧାନ ଉପାଦାନ । ସ‍ଂଳାପର ବାସ୍ତବତା ଓ ସ୍ଵାଭାବିକତାରେ ନାଟକର କଥାବସ୍ତୁ ହୃଦୟସ୍ପର୍ଶୀ ହୋଇଥାଏ । ଦ୍ଵନ୍ଦ୍ଵ ହେଉଛି ନାଟକର ପ୍ରାଣ । ଦ୍ଵନ୍ଦ୍ଵ (Conflict) ବ୍ୟତୀତ ନାଟକ ସାର୍ଥକ ହୋଇପାରେ ନାହିଁ । ଏହି ଦ୍ଵନ୍ଦ୍ଵ ଚରିତ୍ରଗୁଡ଼ିକର ମନ ମଧ୍ୟରେ ଓ କଥାବସ୍ତୁ ମଧ୍ୟରେ ପ୍ରକଟିତ ହୋଇଥାଏ । ଏହା ବ୍ୟତୀତ ନାଟ୍ୟୋତ୍କଣ୍ଠା (Suspense), ନାଟ୍ୟଶ୍ଳେଷ (Dramatic lrony) ଆଦି ନାଟକୀୟ ବାତାରଣ ସୃଷ୍ଟି କରିବାରେ ସାହାଯ୍ୟ କରିଥାଏ । କଥାବସ୍ତୁ ଅନୁଯାୟୀ ନାଟକକୁ ମଧ୍ୟ ଟ୍ରାଜେଡ଼ି ଓ କମେଡ଼ି ଭାବରେ ବିଭକ୍ତ କରାଯାଇ ଥାଏ ।

 

ଟ୍ରାଜେଡ଼ି (Tragedy)କୁ ସାଧାରଣତଃ ଜଟିଳ (Complex), ଦୁଃଖାତ୍ମକ (Pathetic) ଓ ନୀତିଗତ (Ethical) ଭାବରେ ଏବଂ କମେଡ଼ି (Comedy)କୁ ଫାର୍ସ, ରୋମାନ୍‌ସ ଓ ହାସ୍ୟରସ ପ୍ରଧାନ, ବ୍ୟଙ୍ଗାତ୍ମକ, ଉଇଟ୍‍ ପ୍ରଧାନ, ଜେଣ୍ଟଲ କମେଡ଼ି, ଇଣ୍ଟ୍ରିଗ୍‍ ପ୍ରଧାନ କମେଡ଼ି ଭାବରେ ବିଭକ୍ତ କରାଯାଇଥାଏ । ଟ୍ରାଜେଡ଼ି ନାଟକକୁ ଗୌରବ ପ୍ରଦାନ କରିଥାଏ । ଏହା ଜୀବନର ଗଭୀର ଓ ଗମ୍ଭୀର ତତ୍ତ୍ଵକୁ ପ୍ରକାଶ କରେ । ଏଭଳି ନାଟକର ପରିଣତିରେ ଦର୍ଶକ ନାଟକୀୟ ଚରିତ୍ରର ଦୁଃଖ, ଯନ୍ତ୍ରଣା ଓ ଅଶ୍ରୁ ସହିତ ଦୁଃଖାଭିଭୂତ ହୋଇଥାଏ । କମେଡ଼ି ସମ୍ବନ୍ଧରେ ସିସେରୋ କହିଛନ୍ତି, “A copy of life, a mirror of custom, a reflection of truth.”

 

କଥାବସ୍ତୁ ଦୃଷ୍ଟିରୁ ସଂସ୍କୃତ ନାଟକରେ ଦଶପ୍ରକାର ନାଟକ ପ୍ରଚଳିତ ହେଉଥିଲା । ଯଥା–ନାଟକ, ପ୍ରକରଣ, ଭାଣ, ବ୍ୟାଯୋଗ; ସମବିକାର, ଡିମା, ଈହାମୃଗ, ବିଥି, ଅଙ୍କ, ପ୍ରହସନ । ପାଶ୍ଚାତ୍ୟ ନାଟକର ବିଷୟବସ୍ତୁ ଦୃଷ୍ଟିରୁ ସେଗୁଡ଼ିକୁ ସାଧାରଣତଃ ବିୟୋଗାତ୍ମକ (Tragedy), ମିଳନାତ୍ମକ (Comedy), ମିଳନ ବିୟୋଗାତ୍ମକ (Tragi-Comedy), ଏବଂ ପ୍ରହସନ(Farce), ଆଦି ଭାଗରେ ବିଭକ୍ତ କରା ଯାଇଥାଏ । ଏହା ବ୍ୟତୀତ କଥାବସ୍ତୁ ଅନୁଯାୟୀ ନାଟକକୁ (କ) ଐତିହାସିକ ନାଟକ, (ଖ) ପୌରାଣିକ ନାଟକ, (ଗ) ସାମାଜିକ ନାଟକ, (ଘ) ବସ୍ତୁବାଦୀ ନାଟକ, (ଙ) ସ୍ଵଭାବବାଦୀ ନାଟକ, (ଚ) ମନସ୍ତାତ୍ତ୍ୱିକ ନାଟକ, (ଛ) ପ୍ରତୀକଧର୍ମୀ ନାଟକ, (ଜ) ସଙ୍କେତଧର୍ମୀ ନାଟକ, (ଝ) ଉଦ୍ଭଟ ନାଟକ (Absurd drama) ଭାବରେ ବିଭକ୍ତ କରାଯାଇଥାଏ ।

 

ନାଟକର ଦେହସଜ୍ଜା–

 

ପ୍ରାଚୀନ ତଥା ମଧ୍ୟଯୁଗୀୟ ନାଟକକୁ ସାଧାରଣତଃ ପାଞ୍ଚଗୋଟି ଅଙ୍କରେ ବିଭକ୍ତ କରାଯାଉଥିଲା । ସଂସ୍କୃତ ନାଟକରେ ଏହି ପରମ୍ପରାକୁ ରକ୍ଷା କରାଯାଉଥିଲା । ଇଂରେଜ ସାହିତ୍ୟରେ ସେକ୍ସପିୟର, ମାର୍ଲୋ ପ୍ରଭୃତି ନାଟ୍ୟକାରମାନେ‌ ପାଞ୍ଚ ଅଙ୍କ ବିଶିଷ୍ଟ ନାଟକ ରଚନା କରଥିଲେ । ସଂସ୍କୃତ ନାଟକରେ ଅଙ୍କଗୁଡ଼ିକ ଯଥାକ୍ରମେ ମୁଖ, ପ୍ରତିମୁଖ, ଗର୍ଭବିମର୍ଷ ଓ ନିର୍ବହଣ କୁହାଯାଉଥିଲା । ଇଂରାଜୀ ସାହିତ୍ୟରେ ଏହି ପାଞ୍ଚ ଅଙ୍କକୁ ଯଥାକ୍ରମେ ଆରମ୍ଭ Biginning, ଆରୋହ (Climbing) ଶୀର୍ଷବିନ୍ଦୁ (Climax) ଅବରୋହ (Denoument) ଓ ଆଶ୍ଵସ୍ତି ବା ଅବଦମନ (relief) କୁହାଯାଉଥିଲା । ପ୍ରତ୍ୟେକ ଅଙ୍କ କେତେଗୁଡ଼ିଏ ଦୃଶ୍ୟରେ ବିଭକ୍ତ । ମଞ୍ଚରେ ଦୃଶ୍ୟ ଓ ଆଲୋକ ସଜ୍ଜା କରି ନାଟକକୁ ଅଭିନୀତ କରାଯାଏ ।

 

ନାଟକର ଭାଷା–

 

ନାଟକ ସାହିତ୍ୟର ଅନ୍ୟାନ୍ୟ ବିଭାଗ ଭଳି ଏକ ଭାଷାଶିଳ୍ପ ସତ୍ୟ, ମାତ୍ର ଏହାର ଭାଷା କାବ୍ୟ, ଉପନ୍ୟାସ ବା ଗଳ୍ପ ଭଳି ବର୍ଣ୍ଣନାଧର୍ମୀ ଭାଷା ନୁହେଁ । ଏହାର ଭାଷା ସଂଳାପଧର୍ମୀ । ଯେଉଁ ଭାଷାରେ ମଣିଷ କଥାବାର୍ତ୍ତା କରେ, ସେହି ଭାଷାକୁ ନାଟକରେ ବ୍ୟବହାର କରାଯାଇଥାଏ । ମଣିଷର ଗତିଶୀଳ ଜୀବନର ପ୍ରତ୍ୟକ୍ଷ ରୂପ ଏହି ଭାଷା ମାଧ୍ୟମରେ ଫୁଟି ଉଠିଥାଏ । କାବ୍ୟ ବା ଉପନ୍ୟାସ ଇତ୍ୟାଦିରେ ଲେଖକ ନିଜେ ବର୍ଣ୍ଣନାତ୍ମକ ଭାବରେ ଚରିତ୍ରମାନଙ୍କୁ ବର୍ଣ୍ଣନା କରନ୍ତି, ମାତ୍ର ନାଟକରେ ଚରିତ୍ରମାନେ ନିଜେ ନିଜେ ସଂଳାପ କହନ୍ତି । ଏଣୁ ନାଟ୍ୟକାର ଚରତ୍ରର ସଂଳାପ ମାଧ୍ୟମରେ ହିଁ ତା’ର ଭାଷାକୁ ପ୍ରୟୋଗ କରେ । ଏହି ହେତୁ ନାଟକର ଭାଷାକୁ ଯଥାର୍ଥ ଭାବରେ ପ୍ରୟୋଗ କରିବା କଷ୍ଟକର ହୋଇଥାଏ । ପାତ୍ରୋମୁଖୀ ଭାଷା ପ୍ରୟୋଗ କରି ନାଟକୀୟ ପରିବେଶ ସୃଷ୍ଟି କରିବା ସାଧାରଣ କଥା ନୁହେଁ । ଭାଷା ପ୍ରୟୋଗରେ ଯଥାର୍ଥ ଜ୍ଞାନ ନଥିଲେ ନାଟକର ମୂଲ୍ୟ କ୍ଷୁଣ୍ଣ ହୋଇଯାଏ । ସଂଳାପ ଉପରେ ନାଟକର ଗୌରବ ବହୁ ପରିମାଣରେ ନିର୍ଭର କରିଥାଏ ।

 

ନାଟକର ଅଭିନୟ–

 

ମଲ୍ଲୀନାଥଙ୍କ ଭାଷାରେ ଅଭିନୟ ହେଉଛି ରସ ଓ ଭାବର ଅଭିବ୍ୟକ୍ତି–“ଅଭିନୟୋ ରସଭାବାଦୀ ବ୍ୟଞ୍ଜକୋଶେଷ୍ଟା ବିଶେଷଃ ।” ନାଟକକୁ ଦର୍ଶକଙ୍କ ଆଡ଼କୁ ନେବା ହିଁ ଅଭିନୟ । ସଂସ୍କୃତରେ ଅଭିନୟ ଚାରିପ୍ରକାର । ଅଙ୍ଗ-ପ୍ରତ୍ୟଙ୍ଗ ସଞ୍ଚାଳନ ଦ୍ଵାରା ଯେଉଁ ଅଭିନୟ କରାଯାଏ ତାହା ଆଙ୍ଗିକ ଅଭିନୟ, ମୁଖରୁ ଶବ୍ଦ ଉଚ୍ଚାରଣ ଓ ସଙ୍ଗୀତାଦି ଗାନ ଦ୍ଵାରା ଯେଉଁ ଅଭିନୟ କରାଯାଏ ତାହା–ବାଚିକ ଅଭିନୟ, ଅଭିନେତା ଓ ଅଭିନେତ୍ରୀମାନଙ୍କର ରୂପସଜ୍ଜା, ମଞ୍ଚସଜ୍ଜା ଓ ଆଲୋକସଜ୍ଜା ଇତ୍ୟାଦିକୁ ଆହାର୍ଯ୍ୟ ଅଭିନୟ ଓ ଅଶ୍ରୁପାତ, କମ୍ପନ, ବେପଥୁ, ସ୍ଵେଦ, ହର୍ଷ, ବିମର୍ଷ ଭାବପ୍ରକାଶକୁ ସ୍ଵାତ୍ତ୍ଵିକ ଅଭିନୟ କୁହାଯାଏ ।

 

ନାଟକରେ ସଙ୍ଗୀତ–

 

ପ୍ରାଚୀନ କାଳରେ ସଙ୍ଗୀତକୁ ନାଟକରେ ପ୍ରଧାନ ସ୍ଥାନ ଦିଆଯାଉଥିଲା । ଏହି ହେତୁ ଗୀତାଭିନୟ ଓ ଯାତ୍ରା ଆମର ମୁଖ୍ୟ ନାଟ୍ୟ ଜଗତରେ ସ୍ଥାନ ଗ୍ରହଣ କରିଥିଲା । ଆଧୁନିକ ନାଟକରେ ସଙ୍ଗୀତର ସ୍ଥାନ ଗୌଣ । ସଙ୍ଗୀତର ବାହୁଲ୍ୟ ଦ୍ୱାରା ନାଟକୀୟ ପରିବେଶ କ୍ଷୁଣ୍ଣ ହୋଇ ନାଟକର ସ୍ଵାଭାବିକତା ନଷ୍ଟ ହୋଇଥାଏ । କଣ୍ଠସଙ୍ଗୀତ ଆଧୁନିକ ନାଟକରେ ଗୌଣ ହେଲେ ମଧ୍ୟ ଆବହ-ସଙ୍ଗୀତ ପ୍ରାଧାନ୍ୟ ଲାଭ କରୁଛି । ନାଟକୀୟ ସଂଘାତ ଓ ସଂଘର୍ଷ ଏବଂ ନାଟକର ଗୁରୁତ୍ଵପୂର୍ଣ୍ଣ ଘଟଣାକୁ ପରିବେଷଣ କରିବା ସମୟରେ ଆବହସଙ୍ଗୀତ ବୋଲାଯାଇ ଦର୍ଶକମାନଙ୍କର ମନକୁ ଅଭିନୀତ ବିଷୟ ପ୍ରତି ଆକୃଷ୍ଟ କରାଯାଇଥାଏ । ଏବେ ସଙ୍ଗୀତକୁ ଆବଶ୍ୟକତା ଅନୁଯାୟୀ ନାଟକରେ ବ୍ୟବହାର କରାଯାଉଛି ।

 

ଓଡ଼ିଆ ନାଟକର ଆଦିପର୍ବ–

 

ଓଡ଼ିଆ ସାହିତ୍ୟରେ ବିଧିବଦ୍ଧ ଭାବରେ ନାଟକ ରଚିତ ହେବା ପୂର୍ବରୁ ଲୋକ ସାହିତ୍ୟରେ କେତେ ନୃତ୍ୟନାଟ୍ୟ ପ୍ରଚଳିତ ଥିଲା । ଦଣ୍ଡନାଟ୍ୟ, କେଳା କେଲୁଣୀ ନାଟ, ଚଢ଼େୟା-ଚଢ଼େୟାଣୀ ନୃତ୍ୟ, ପାଲା, ଦାସକାଠିଆ, ମୋଗଲ ତାମସା, ଛଉନୃତ୍ୟ ଆଦି ପ୍ରାଚୀନ କାଳରେ ସାମାଜିକ ଜୀବନକୁ ଆନନ୍ଦ ଦେବା ପାଇଁ ଉଦ୍ଦିଷ୍ଟ ଥିଲା । ଏଥିରେ କଳା କଲ୍ଲୋଳରେ ନିତ୍ୟ କଲ୍ଲୋଳିତ ଉତ୍କଳୀୟ ଜନସମାଜର କଳା ପିପାସା ଚରିତାର୍ଥ ହେଲା ନାହିଁ । ମନ୍ଦିର ଗାତ୍ରରେ କଳା ଲକ୍ଷ୍ମୀର ପଦ ବନ୍ଦନା କରି ମଧ୍ୟ ତା’ର କଳା ସୃଷ୍ଟିରେ ପୂର୍ଣ୍ଣଚ୍ଛେଦ ପଡ଼ିଲା ନାହିଁ । ଯୁଗର ପରିବର୍ତ୍ତନ ସଙ୍ଗେ ସଙ୍ଗେ ସେ କଳା ନୈପୁଣ୍ୟ ଫୁଟାଇ ଆସିଛି । ଊନବିଂଶ ଶତାବ୍ଦୀର ମଧ୍ୟଭାଗ ପରେ ପରେ ଉତ୍କଳରେ ଦେଖାଦେଇଛି ନାନାଦି ଦୁର୍ବିପାକ । ନଅଙ୍କଦୁର୍ଭିକ୍ଷର କରାଳ କବଳରେ ପଡ଼ି ମଧ୍ୟ ଏ ଜାତି ଭାଙ୍ଗିଗଲା ନାହିଁ । ପରାଧୀନତାର ନାଗଫାଶରେ ଥାଇ ମଧ୍ୟ କଳାଲକ୍ଷ୍ମୀକୁ ଏ ଜାତି ଆପଣାର କରିଛି । ଭାଷା ଲୋପ କରିବା ପାଇଁ ଚକ୍ରାନ୍ତ ହୋଇ ମଧ୍ୟ ଏ ଭାଷା ବଞ୍ଚିଛି । ଓଡ଼ିଆ ନାଟ୍ୟ ପରମ୍ପରାରୁ ଜନ୍ମନେଲା ଚମ୍ପୂକାବ୍ୟ । ଏହା କାବ୍ୟ ସତ୍ୟ; ମାତ୍ର ନାଟକୀୟ ପରିବେଶରେ ଏହା ମନୋଜ୍ଞ । ଏହାପରେ ଓଡ଼ିଆ ସାହିତ୍ୟରେ ସୃଷ୍ଟିହେଲା ଗୀତିନାଟ୍ୟ । ୧୮୬୮ ମସିହାରେ ରଚିତ ରଘୁନାଥ ପରିଚ୍ଛାଙ୍କର “ଗୋପୀନାଥ ବଲ୍ଲଭ” ଗୀତିନାଟ୍ୟ ଓଡ଼ିଆ ନାଟ୍ୟସାହିତ୍ୟର ଇତିହାସର ଏକ ଉଲ୍ଲେଖଯୋଗ୍ୟ ଭୂମିକା ଗ୍ରହଣ କରିଛି । ଏହାପରେ ଯାତ୍ରା, ଲୀଳା ଓ ସୁଆଙ୍ଗ ପ୍ରଭୃତି ରଚିତ ହୋଇ ଆଧୁନିକ ନାଟକର ପଥକୁ ସୁଗମ କଲା । ଯାତ୍ରା, ଲୀଳା ଓ ସୁଆଙ୍ଗ ଓଡ଼ିଶାର ଅତି ପ୍ରାଚୀନ ଓ ପାରମ୍ପରିକ ମୌଳିକ ସମ୍ପତ୍ତି । ବୈଷ୍ଣବପାଣି ଓ ଗୋପାଳ ଦାସଙ୍କର ଗୀତିନାଟ୍ୟ ଓଡ଼ିଶାରେ ପ୍ରସିଦ୍ଧି ଲାଭ କରିଥିଲା ।

 

୧୮୭୭ ମସିହା ଓଡ଼ିଆ ନାଟ୍ୟସାହିତ୍ୟର ଇତିହାସରେ ଚିରସ୍ମରଣୀୟ । ଏହି ମସିହାରେ ଜନ୍ମ ନେଲା ନାଟ୍ୟକାର ଜଗନ୍ମୋହନ ଲାଲାଙ୍କର ପ୍ରଥମ ଏବଂ ସାର୍ଥକ ପୂର୍ଣ୍ଣାଙ୍ଗ ନାଟକ “ବାବାଜି” । ସମୟର ପ୍ରାଣସ୍ପନ୍ଦନ ହିଁ ଏହି ନାଟକରେ ଯଥାର୍ଥ ଭାବରେ ପ୍ରକାଶିତ । ସାମାଜିକ ନାଟକ ଭାବରେ ଏହାର ଭୂମିକାକୁ ଓଡ଼ିଆ ସାହିତ୍ୟରେ ଅସ୍ୱୀକାର କରାଯାଇ ନପାରେ । ଏହାବ୍ୟତୀତ ୧୮୮୭ ମସିହାରେ ଏହି ନାଟ୍ୟକାରଙ୍କର ଅନ୍ୟ ଏକ ସାମାଜିକ ନାଟକ “ସତୀ” ପ୍ରକାଶିତ ହେଲା । ଓଡ଼ିଆ ନାଟ୍ୟସାହିତ୍ୟର ଆଦିଯୁଗର ପ୍ରସିଦ୍ଧ ଏବଂ ପ୍ରଧାନ ନାଟ୍ୟକାର ହେଉଛନ୍ତି ରାମଶଙ୍କର ରାୟ । ୧୮୮୧ ମସିହାରେ ତାଙ୍କର ପ୍ରଧାନ ନାଟକ “କାଞ୍ଚିକାବେରୀ” ରଚିତ ଓ ଅଭିନୀତ ହୋଇଥିଲା । ଉତ୍କଳର ଅତୀତ ଇତିହାସର ଏକ ଗୌରବମୟ କାହାଣୀକୁ ଭିତ୍ତିକରି ଏ ନାଟକ ରଚିତ ହୋଇଥିଲେ ମଧ୍ୟ ଊନବିଂଶ ଶତକର ପରାଧୀନ ଓଡ଼ିଶାର ପ୍ରାଣସ୍ପନ୍ଦନକୁ ଏହା ଯଥାର୍ଥରେ ପ୍ରକାଶ କରିଥାଏ । ଏହାପରେ ସେ କଂସବଧ, କଳିକାଳ, ବୁଢ଼ାବର, ବିଷମୋଦକ, ରାମବନବାସ, ଲୀଳାବତୀ, ଯୁଗଧର୍ମ, କାଞ୍ଚନମାଳୀ ଆଦି ୧୪ ଖଣ୍ଡ ନାଟକ ରଚନା କରି ଓଡ଼ିଆ ନାଟ୍ୟସାହିତ୍ୟକୁ ସମୃଦ୍ଧ କରିଥିଲେ । ଏହି ଯୁଗରେ ନାଟ୍ୟକାର କାମପାଳ ମିଶ୍ରଙ୍କର “ସୀତା ବିବାହ” ନାଟକ ମଧ୍ୟ ବିଶେଷ ଗୌରବ ଅର୍ଜନ କରିଥିଲା । ଏହା ବ୍ୟତୀତ ତାଙ୍କର ବସନ୍ତଲତିକା, ଦୁର୍ଗାଶର୍ବରୀ ଓ ହରିଶ୍ଚନ୍ଦ୍ର ଆଦି ନାଟକଗୁଡ଼ିକ ମଧ୍ୟ ଉଲ୍ଲେଖଯୋଗ୍ୟ । ଭିକାରୀଚରଣ ପଟ୍ଟନାୟକଙ୍କର ‘କଟକ ବିଜୟ’, ‘ସଂସାର ଚିତ୍ର’, ‘ନନ୍ଦିକେଶରୀ’, ‘ରତ୍ନମାଳୀ’, ‘ରାଜା ପୁରୁଷୋତ୍ତମଦେବ’ ଆଜି ନାଟକଗୁଡ଼ିକ ଗୋଟିଏ ଗୋଟିଏ ସଫଳ ସୃଷ୍ଟି । ଏହି ସମୟରେ କିଶୋରଚନ୍ଦ୍ର ଗଜେନ୍ଦ୍ରଦେବ, ରାଧାମୋହନ ଗଜେନ୍ଦ୍ରଦେବ, ବିଶ୍ୱମ୍ବର ଗଜେନ୍ଦ୍ରଦେବ, ଗୋପୀନାଥ ନନ୍ଦ, ପଦ୍ମଲାଭ ନାରାୟଣଦେବ, ଗୌରଚନ୍ଦ୍ର ଗଜପତି, ନାରାୟଣଦେବ, ହରିହର ରଥ, ମୃତ୍ୟୁଞ୍ଜୟ ରଥ ଆଦି ନାଟ୍ୟକାରମାନେ ମଧ୍ୟ ବହୁ ନାଟକ ରଚନା କରି ଓଡ଼ିଆ ନାଟ୍ୟସାହିତ୍ୟକୁ ସମୃଦ୍ଧ କରିଥିଲେ । ଓଡ଼ିଆ ଆଦିଯୁଗରେ ବିଶେଷ କରି ଐତିହାସିକ ଓ ପୌରାଣିକ ନାଟକ ରଚନା କରାଯାଇଥିଲା । ସଂସ୍କୃତ, ଇଂରାଜୀ ଓ ବଙ୍ଗଳା ନାଟକର ପ୍ରଭାବ ଏ ଯୁଗରେ ବିଶେଷ ଲକ୍ଷ୍ୟ କରାଯାଇଥାଏ ।

 

ଓଡ଼ିଆ ନାଟକର ମଧ୍ୟଯୁଗୀୟ ରୂପରେଖ–

 

ମଧ୍ୟଯୁଗୀୟ ଓଡ଼ିଆ ନାଟ୍ୟସାହିତ୍ୟରେ ସତ୍ୟବାଦୀ ଯୁଗର ଅନ୍ୟତମ ସାହିତ୍ୟ ସାଧକ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କର “ପୁରୁଷୋତ୍ତମଦେବ” ଏବଂ “ମୁକୁନ୍ଦଦେବ” ନାଟକଦ୍ଵୟ ନାଟକୀୟତା ଦୃଷ୍ଟିରୁ ଉଚ୍ଚକୋଟିର ନ ହେଲେହେଁ ବିଷୟବସ୍ତୁ ଦୃଷ୍ଟିରୁ ଏହି ନାଟକ ଦ୍ୱୟର ସ୍ୱତନ୍ତ୍ର ଭୂମିକା ଅଛି । ଏହି ସମୟରେ ଅତୀତର ସୁଜଳା ସୁଫଳା ଶସ୍ୟଶ୍ୟାମଳା ବୀରପ୍ରସବିନୀ ଉତ୍କଳ ହେଲା ବିଖଣ୍ଡିତ କଳେବରା; ଶ୍ରୀହୀନା–ପରାଧୀନା । ଏହାର ସ୍ଵତନ୍ତ୍ର ପ୍ରଦେଶ ନାହିଁ । ଗୋଟିଏ ବିରାଟ ଐତିହ୍ୟସମ୍ପନ୍ନ ଜାତି ହୀନବୀର୍ଯ୍ୟ ହୋଇ ବିକଳାଙ୍ଗ ହୋଇଯାଇଥିଲା । ସେତିକିବେଳେ ଏ ଜାତିର ଅନ୍ତରରେ ଜାତୀୟ ଚେତନା ସୃଷ୍ଟିକରି ଏ ଜାତିକୁ ଜାଗ୍ରତ କରିବା ପାଇଁ ଗୋଦାବରୀଶ ମିଶ୍ର ଏହି ଦୁଇଟି ନାଟକରେ ସେ ଉତ୍କଳ ଇତିହାସର ଦୁଇଜଣ ସ୍ଵାଧୀନ ନରପତିମାନଙ୍କର ଦିଗ୍‍ବିଜୟ ଓ ଜାତୀୟ ମମତାକୁ ବର୍ଣ୍ଣନା କରିଅଛନ୍ତି । ଓଡ଼ିଶାର ଜନତାଙ୍କ ଅନ୍ତରକୁ ପ୍ରତ୍ୟକ୍ଷ ଭାବରେ ସ୍ପର୍ଶ କରିବା ପାଇଁ ସେ ନାଟକ ଦ୍ଵୟର ନାମକରଣ ଗଜପତି ଦ୍ଵୟଙ୍କ ନାମାନୁସାରେ କରିଅଛନ୍ତି । ଏଥିପୁର୍ବରୁ ରାମଶଙ୍କର ପୁରୁଷୋତ୍ତମ ଦେବଙ୍କର କାଞ୍ଚି ବିଜୟକୁ ଅବଲମ୍ବନ କରି “କାଞ୍ଚିକାବେରୀ” ନାଟକ ଲେଖିଥିଲେ; ମାତ୍ର ସେଥିରେ ବୀରତ୍ଵ ଅପେକ୍ଷା ଭକ୍ତିଭାବ ବିଶେଷ ଅନୁଭୂତ ହୋଇଥାଏ । ଗୋଦାବରୀଶ ମିଶ୍ର ତାଙ୍କର ନାଟକରେ ପୁରୁଷୋତ୍ତମଦେବଙ୍କୁ ଜଣେ ଜାତୀୟବାଦୀ ବୀର ଭାବରେ ବର୍ଣ୍ଣନା କରିଅଛନ୍ତି । “ମୁକୁନ୍ଦଦେବ” ମଧ୍ୟ ତାଙ୍କର ଅନ୍ୟ ଗୋଟିଏ ଐତିହାସିକ ନାଟକ । ଏହା ମଧ୍ୟ ସେହଭଳି ଜାତୀୟତାର ପୃଷ୍ଠଭୂମି ଉପରେ ରଚିତ । ଏହି ନାଟକରେ ମୁକୁନ୍ଦଦେବ ମଝି ଅଙ୍କରେ ନିହତ ହୋଇଥିଲେ ମଧ୍ୟ ତାଙ୍କର ଆଦର୍ଶ ଶେଷ ପର୍ଯ୍ୟନ୍ତ ନାଟକକୁ ପ୍ରଭାବିତ କରିଛି । ମୋଟ ଉପରେ ଗୋଦାବରୀଶ ମିଶ୍ରଙ୍କର ନାଟକଦ୍ଵୟ ମଞ୍ଚୋପଯୋଗୀ ନ ହେଲେହେଁ ସେ ଦୁଇଟିରେ ସାହିତ୍ୟିକ ମୂଲ୍ୟ ସଙ୍ଗେ ସଙ୍ଗେ ଜାତୀୟତା ମୂଲ୍ୟ ଅଛି ।

 

ଏହି ଯୁଗରେ ଅନ୍ୟତମ ନାଟ୍ୟକାର ଅଶ୍ଵିନୀକୁମାର ଘୋଷ । ୧୯୧୫ ମସିହାରୁ ସେ ନାଟକ ରଚନା ଆରମ୍ଭ କରିଥିଲେ ଏବଂ ମୃତ୍ୟୁ ପର୍ଯ୍ୟନ୍ତ ସେ ତାଙ୍କର ଲେଖନୀକୁ ଏ ଦିଗରୁ ଅପସାରିତ କରି ନଥିଲେ । ସାମାଜିକ, ଐତିହାସିକ ଓ ପୌରାଣିକ ନାଟକ ମାନ ରଚନା କରି ସେ ଓଡ଼ିଆ ନାଟ୍ୟ ସାହିତ୍ୟରେ ଏକ ଯୁଗ ସୃଷ୍ଟି କରିପାରିଥିଲେ ତେଣୁ ତାଙ୍କୁ “ନାଟ୍ୟଭାରତୀ” ଭାବରେ ଆଖ୍ୟାୟିତ କରାଯାଇଥିଲା । ୧୯୧୫ ମସିହାରେ ତାଙ୍କର ପ୍ରଥମ ନାଟକ ‘ଭୀଷ୍ମ’ ଅଭିନୀତ ହୋଇଥିଲା । ତତ୍‍ପରେ ତାଙ୍କର ‘ସେଓଜୀ’ ନାଟକ କଟକ ମେଡିକାଲ ସ୍କୁଲରେ ଅଭିନୀତ ହେଲା-। ଏହାଛଡ଼ା ତାଙ୍କର ‘ସାବିତ୍ରୀ’ ‘ସାଲବେଗ’, ‘ବନ୍ଧୁ ମହାନ୍ତି,’ ‘ଶ୍ରୀମନ୍ଦିର’, ‘ଚଣ୍ଡାଳୁଣୀ’, ‘ସାକ୍ଷୀଗୋପାଳ’, ‘ଜାନକୀ’, ‘କଳାପାହାଡ଼ ବା ମୁକୁନ୍ଦଦେବ’, ‘କୋଣାର୍କ’, ‘ଗୋବିନ୍ଦ ବିଦ୍ୟାଧର’ ପ୍ରଭୃତି ପୌରାଣିକ ଓ ଐତିହାସିକ ନାଟକ ଏବଂ ‘ହିନ୍ଦୁ ରମଣୀ’ ‘ମାଷ୍ଟରବାବୁ’, ‘ଶ୍ରୀଲୋକନାଥ’, ‘ଚଷାଝିଅ’ ‘ଦୁଃଖେ ସୁଖେ ପ୍ରଭୃତି ସାମାଜିକ ନାଟକମାନ ତାଙ୍କର ପ୍ରଧାନ ରଚନା । ‘କଇଦୀ’, ‘‘ରିଫର୍ମଲେଡ଼ି” ‘ପ୍ରେମିକ ଛାତ୍ର’ ମଧ୍ୟ ତାଙ୍କର ଗୋଟିଏ ଗୋଟିଏ ପ୍ରହସନ ମୂଳକ ନାଟକ ।

 

ଅଶ୍ଵିନୀକୁମାର ପୁରୀ ଜିଲ୍ଲାର ଜମିଦାର ବନମାଳୀ ପତିଙ୍କର ‘ବଳଙ୍ଗା ଥିଏଟର୍ସ’ ମାଧ୍ୟମରେ ନିଜର ନାଟକଗୁଡ଼ିକୁ ଅଭିନୀତ କରାଇବାର ସୁଯୋଗ ଲାଭ କରିଥିଲେ । ବନମାଳୀ ପତି କେତେକ ଆତତାୟୀଙ୍କ ଦ୍ଵାରା ନିହତ ହେବାରୁ ଅଶ୍ଵିନୀକୁମାର ନିଜେ ‘ବାସନ୍ତୀ ଥିଏଟର୍ସ’ ପ୍ରତିଷ୍ଠା କଲେ । ଏହାପରେ ଗଢ଼ିଉଠିଲା ‘ଅନ୍ନପୂର୍ଣ୍ଣା ଥିଏଟର’ । ଅଶ୍ୱିନୀକୁମାର ଏହିସବୁ ଥିଏଟର୍ସ ସମ୍ପର୍କରେ ଆସି ନାଟକ ରଚନା କରିବାର ପ୍ରେରଣା ଲାଭ କରିଥିଲେ । ତାଙ୍କର ଐତିହାସିକ ନାଟକରେ ବାସ୍ତବ ଅପେକ୍ଷା କଳ୍ପନା ପ୍ରବଣତା ଅଧିକ । ‘କୋଣାର୍କ’ ଓ ‘ଗୋବିନ୍ଦ ବିଦ୍ୟାଧର’ ପ୍ରଭୃତି ନାଟକ ଏହାର ଯଥାର୍ଥ ଦୃଷ୍ଟାନ୍ତ । ‘କଳାପାହାଡ଼’ ବା ‘ମୁକୁନ୍ଦଦେବ’ ନାଟକର ନାମକରଣରୁ ଜଣାଯାଏ ଯେ, ସେ ମୁକୁନ୍ଦଦେବ ଓ କଳାପାହାଡ଼କୁ ସମପର୍ଯ୍ୟାୟଭୁକ୍ତ କରିଅଛନ୍ତି । ଗୋଦାବରୀଶ ଯେପରି ଭାବରେ ମୁକୁନ୍ଦଦେବଙ୍କ ଚରିତ୍ରକୁ ଚିତ୍ରଣ କରିଅଛନ୍ତି ଅଶ୍ଵିନୀକୁମାର ସେପରି କରିନାହାନ୍ତି-। ସେ ଯାହା ହେଉନା କାହିଁକି ଆଦି ଓ ଆଧୁନିକ ଯୁଗର ନାଟ୍ୟ ସାହିତ୍ୟ ମଧ୍ୟରେ ଅଶ୍ୱିନୀକୁମାର ହିଁ ସଂଯୋଗ ସେତୁ ଭାବରେ ପ୍ରତିଷ୍ଠା ଅର୍ଜନ କରିଅଛନ୍ତି ।

 

ଆଧୁନିକ ଯୁଗର ଓଡ଼ିଆ ନାଟ୍ୟସାହିତ୍ୟ–

 

ଆଧୁନିକ ଓଡ଼ିଆ ନାଟକର ଆରମ୍ଭ ହୁଏ ୧୯୪୦ ମସିହାଠାରୁ । କାଳୀଚରଣ ପଟ୍ଟନାୟକ ଏହି ଯୁଗର ସ୍ରଷ୍ଟା । ୧୯୩୯ରେ କବିଚନ୍ଦ୍ର କାଳୀଚରଣ ଓଡ଼ିଶା ଥୀଏଟର୍ସ ଗଠନ କରି ସେଠାରେ ବହୁ ନାଟକ ଅଭିନୀତ କରାଇଥିଲେ । ତତ୍‍ପରେ ସେ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ସହିତ ସଂଶ୍ଳିଷ୍ଟ ହେଲେ । ଏଥିପୂର୍ବରୁ ସେ ବହୁ ରାସ ମଧ୍ୟ ରଚନା କରିଥିଲେ ତାଙ୍କର ଗାର୍ଲସ୍କୁଲ, ଚୁମ୍ବନ; ଜୟଦେବ, ଭାତ, ବେକାର, ଚକ୍ରୀ, ଦଶଭୁଜା, ଅଭିଯାନ, ଫଟାଭୂଇଁ, ରକ୍ତମାଟି, ରକ୍ତମନ୍ଦାର, ଅତିବଡ଼ି ଜଗନ୍ନାଥ ଦାସ, ପ୍ରଭୃତି ନାଟକମାନ ପ୍ରଧାନ । ସେହି ପ୍ରଧାନ ନାଟ୍ୟକାର, ଯେକି ଓଡ଼ିଆ ନାଟକରେ ବୈପ୍ଳବିକ ପରିବର୍ତ୍ତନ ଅଣିଥିଲେ । ନିଜେ ସଙ୍ଗୀତଜ୍ଞ ଥିବାରୁ ନାଟକରେ ସଙ୍ଗୀତର ମଧ୍ୟ ସୁଚାରୁ ପ୍ରୟୋଗ କଲେ । ପ୍ରଥମଥର ପାଇଁ ସେ ଓଡ଼ିଆ ରଙ୍ଗମଞ୍ଚରେ ଝିଅମାନଙ୍କୁ ଅବତୀର୍ଣ୍ଣ କରାଇଥିଲେ ।

 

ଏହି ଯୁଗରେ ରାମାରଞ୍ଜନ ରାୟଙ୍କର ‘ବିକ୍ରମଦେବ’ ରାମଚନ୍ଦ୍ର ମିଶ୍ରଙ୍କର ମୂଲିଆ କବିସୂର୍ଯ୍ୟ, ଘରସଂସାର, ଭାଇ ଭାଉଜ, ସାଇପଡ଼ିଶା, ମମତା, ଏବଂ ଏବର ନାଟକ ‘ନରୋତ୍ତମ ଦାସ କହେ’, ଭଞ୍ଜକିଶୋର ପଟ୍ଟନାୟକଙ୍କର ପହଲି ରଜ, ବୈରାଗୀର ସଂସାର, ଜୟମାଲ୍ୟ, ଆଲୋକ, ଜୀବନଜୁଆ, ଗରିବ, ଅତିଥି, ମାଣିକଯୋଡ଼ି, ପ୍ରତାପରୁଦ୍ର ପ୍ରଭୃତି, ଗୋପାଳ ଛୋଟରାୟଙ୍କର ଫେରିଆ, ଶଙ୍ଖାସିନ୍ଦୂର, ପରକଲମ, ଭରସା ଝଞ୍ଜା, ମଲାଜହ୍ନ, ଅମଡ଼ାବାଟ, ଘଟକ ମନୋରଞ୍ଜନ ଦାସଙ୍କର ଉପେନ୍ଦ୍ର ଭଞ୍ଜ, ବକ୍‌ସି ଜଗବନ୍ଧୁ, ଆଗାମୀ, ଅବରୋଧ ସାଗର ମନ୍ଥନ, ବନହଂସୀ, ଅରଣ୍ୟ ଫସଲ, କାଠଘୋଡ଼ା, ଅମୃତସ୍ୟ ପୁତ୍ରଃ, ଊର୍ମ୍ମି ଶବ୍ଦଲିପି; ଅଦୈତ ଚରଣ ମହାନ୍ତିଙ୍କର ‘ସାଧବ ଝିଅ’, ‘ନରଦେବତା’ ଆଦି ପ୍ରଧାନ ନାଟକ । ଅତ୍ୟାଧୁନିକ ନାଟ୍ୟକାର ହିସାବରେ କମଳଲୋଚନ ମହାନ୍ତି, ନରସିଂହ ମହାପାତ୍ର, ବଳରାମ ମିଶ୍ର, କାର୍ତ୍ତିକ କୁମାର ଘୋଷ, ଧନେଶ୍ୱର ପଟ୍ଟନାୟକ, ବ୍ୟୋମକେଶ ତ୍ରିପାଠୀ, ରଜତକୁମାର କର, ଭୁବନେଶ୍ୱର ମହାପାତ୍ର, ସାରଦାପ୍ରସନ୍ନ ନାୟକ, ବିଶ୍ୱଜିତ୍‍ ଦାସ, ପ୍ରାଣବନ୍ଧୁ କର, ଯଦୁନାଥ ଦାସମହାପାତ୍ର, ଉଦୟନାଥ ମିଶ୍ର, ରତ୍ନାକର ଚଇନି, କାର୍ତ୍ତିକ ରଥ ପ୍ରଭୃତିଙ୍କର ନାମ ଉଲ୍ଲେଖଯୋଗ୍ୟ । କମଳଲୋଚନ ମହାନ୍ତିଙ୍କର କିରାଣି, ସ୍ଵାମୀ ସ୍ତ୍ରୀ, ଡାକବଙ୍ଗଳା, ମାତୃମଙ୍ଗଳ କେନ୍ଦ୍ର, ଅଜାଦୀ, ମଣିଷ, ମଣିକାଞ୍ଚନ, ନରସିଂହ ମହାପାତ୍ରଙ୍କର କବି ଗୋପାଳକୃଷ୍ଣ, ସଞ୍ଜ ସକାଳ, ବନ୍ଧନ, ବାଉଁଶରାଣୀ, ବଳରାମ ମିଶ୍ରଙ୍କ ବନ୍ଦିତା, ଶଙ୍ଖମହୁରି, ବିଷପୀୟୂଷ, ବିଜକୁମାର ମିଶ୍ରଙ୍କର ଜନନୀ, ଅଶାନ୍ତଗ୍ରହ, ସାଗରତୀରେ, ତିମିରତୀର୍ଥ, ଏକାକୀ ଶବବାହକମାନେ, ଚନ୍ଦ୍ରଚୋରି, କାର୍ତ୍ତିକକୁମାର ଘୋଷଙ୍କର ଗୁରୁଦକ୍ଷିଣା, ବିଚାର, ଲକ୍ଷହୀରା, ଏମିତି ବି ହୁଏ, ରକ୍ତର ଡାକ, ଯଓ୍ୱାନ, କା ଆଗେ କହିବି, ୟା ପରେ କ’ଣ, ଧନେଶ୍ୱର ପଟ୍ଟନାୟକଙ୍କର ଉଠାପାଚେରୀ, ଆଦିବାସୀ, ବ୍ୟୋମକେଶ ତ୍ରିପାଠୀଙ୍କର କଂସାକବାଟ, ସିଂହଦ୍ଵାର, ଜାଗରଣ, ଅଖଣ୍ଡଜ୍ୟୋତି, ତୋଳା କନିଆ, ସୁନାଫରୁଆ, ଏକ ଦୁଇ ତିନି, ରଜତକୁମାର କରଙ୍କର ସଳିତା ଅନ୍ଧପୁଟୁଳି, କବିସମ୍ରାଟ, ଚନ୍ଦନହଜୁରୀ, ବିପ୍ଳବୀ ସୁରେନ୍ଦ୍ର ସାଏ, ଦାବି, ଭୁବନେଶ୍ୱର ମହାପାତ୍ରଙ୍କର କାଚକାଞ୍ଚନ, ତୁଠପଥର, ବାଡ଼ୁଅ ଝିଅ, ବାଟବରଣ, ବାହୁଡ଼ା ବିଜେ, ଜମାନବନ୍ଦୀ, ମୋତିମହଲ, ସାରଦାପ୍ରସନ୍ନ ନାୟକଙ୍କର ପରିଶୋଧ, ସଙ୍ଖାଳି, ଲକ୍ଷ୍ମୀ ବିଶ୍ୱଜିତ୍‍ ଦାସଙ୍କର ବହ୍ନି, ପ୍ରତାପଗଡ଼ରେ ଦୁଇଦିନ, ନାଲିପାନ ରାଣୀ କଳାପାନ ଟୀକା, ପ୍ରାଣବନ୍ଧୁ କରଙ୍କର ମାଟିର ମଣିଷ, ଅଶାନ୍ତ, ଉଦୟନାଥ ମିଶ୍ରଙ୍କର ନରକେ ବିପ୍ଳବ, ସ୍ୱେଚ୍ଛାମରଶ ସମିତି, ରଘୁନାଥ ପଣ୍ଡାଙ୍କର ସଂଗ୍ରାମ, ଭୁଲିହୁଏନା, ସେତୁବନ୍ଧ, ରାମରାଜ୍ୟ, ଶକୁନ୍ତଳା, ଆଲେକ୍‌ଜାଣ୍ଡର, ଯୋଗଜନ୍ମା ରାବଣ ପ୍ରଭୃତି ନାଟକମାନ ବେଶ୍‍ ଲେକପ୍ରିୟତା ଅର୍ଜନ କରିପାରିଛି ।

 

ଆଧୁନିକ ଓଡ଼ିଆ ସାହିତ୍ୟରେ ଉଦ୍ଭଟ୍ଟ ନାଟକ (absurd drama)ର ପ୍ରଭାବ ବିଶେଷ ଭାବରେ ଦେଖାଗଲାଣି । ସାମ୍ପ୍ରତିକ ନାଟ୍ୟଜଗତରେ ଉଦ୍ଭଟ୍ଟ ନାଟକ ହିଁ ପ୍ରଧାନ ଭୂମିକା ଗ୍ରହଣ କରିଛି । ସାମୁଏଲ ବାକେଟ, ଆୟାନାସ୍କୋ, କ୍ୟା ଜାନେ, ବ୍ରେକେଟ୍‍ ପ୍ରଭୃତି ନାଟ୍ୟକାରମାନେ ଏ ଦିଗରେ ଅଗ୍ରଣୀ । ଓଡ଼ିଆ ସାହିତ୍ୟରେ ମନୋରଞ୍ଜନ ଦାସଙ୍କର ବନହଂସୀ, ଅରଣ୍ୟ ଫସଲ, ଅମୃତସ୍ୟ ପୁତ୍ରଃ, କାଠଘୋଡ଼ା, ‘ଊର୍ମି’ ଶବ୍ଦଲିପି, ବିଜୟ ମିଶ୍ରଙ୍କର ଶବବାହକମାନେ, ଚନ୍ଦ୍ରଚୋରି, ବିଶ୍ୱଜିତ୍‍ ଦାସଙ୍କର ମୃଗୟା, ଉମେଶଚନ୍ଦ୍ର ପାଣିଗ୍ରାହୀଙ୍କର ‘ମୁଁ ଆମ୍ଭେ ଅମ୍ଭେମାନେ’ ମଣ୍ଡୁକ ଉପାଖ୍ୟାନମ୍‍ । ରତ୍ନାକର ଚଇନିଙ୍କର ‘ପୁନଶ୍ଚ ପୃଥିବୀ’, ‘ଶୂନ୍ୟତାର ଶିଡ଼ି’, କାର୍ତ୍ତିକ ରଥଙ୍କର ‘ସ୍ଵର୍ଗଦ୍ଵାର’, ‘ଆଜିର ରାଜା’ ଆଦି ଉଦ୍ଭଟ୍ଟ ନାଟକ ଭାବରେ ଗୌରବ ଅର୍ଜନ କରିଅଛି । ଏହିସବୁ ନାଟକରେ ମଣିଷର ଅସଙ୍ଗତିବୋଧ, ଅସାମଞ୍ଜସ୍ୟତା ଓ ସମୟ ହୀନତାକୁ ବିଶେଷ ଭାବରେ ଦେଖାଇ ଦିଆଯାଉଛି । ଏଥିରେ ସଂଳାପକୁ ଗୌଣ କରାଯାଇଛି । ମଣିଷର ଅନ୍ତରର ସ୍ୱରୂପକୁ କେତେକ ଚିତ୍ରକଳ୍ପ ମାଧ୍ୟମରେ ପ୍ରକାଶ କରିବାର ପ୍ରଚେଷ୍ଟାହିଁ ଉଦ୍ଭଟ୍ଟ ନାଟକର ପ୍ରଧାନ କଥା । ଏହିପରି ଭାବରେ ଓଡ଼ିଆ ନାଟକ ଉନ୍ନତି ପଥରେ ଆଗେଇ ଚାଲିଛି ।

 

ଓଡ଼ିଶାରେ ରଙ୍ଗମଞ୍ଚର ଇତିହାସ–

 

ନାଟକର ସମ୍ପର୍କ ରଙ୍ଗମଞ୍ଚ ସହିତ । ରଙ୍ଗମଞ୍ଚ ମଧ୍ୟରେ ନାଟକକୁ ଅଭିନୀତ କରାଯାଇଥାଏ । ରଙ୍ଗମଞ୍ଚର ସଫଳତା ଉପରେ ନାଟକର ସଫଳତା ନିର୍ଭର କରେ । ପ୍ରାଚୀନ କାଳରେ ବିଭିନ୍ନ ଦେଶରେ ମଧ୍ୟ ବିଭିନ୍ନ ପ୍ରକାର ରଙ୍ଗମଞ୍ଚ ଥିଲା । ଭାରତରେ ମଧ୍ୟ ବହୁ ଉନ୍ନତ ଓ ମାର୍ଜିତ ରଙ୍ଗମଞ୍ଚର ପ୍ରଚଳନ ଥିଲା । ଓଡ଼ିଶାରେ ରଙ୍ଗମଞ୍ଚର ଇତିହାସ ବେଶୀ ଦିନର ନୁହେଁ । ଊନବିଂଶ ଶତାବ୍ଦୀର ଶେଷଭାଗରେ ରଙ୍ଗମଞ୍ଚ ନିର୍ମାଣ କରି ନାଟକ ପ୍ରଦର୍ଶନ କରିବାର ସ୍ପୃହା ସୃଷ୍ଟି ହୋଇଥିଲା । ରାଜା ଜମିଦାର ଓ ମଠର ମହନ୍ତମାନେ ରଙ୍ଗମଞ୍ଚ ନିର୍ମାଣ କରିବାକୁ ଚେଷ୍ଟା କରିଥିଲେ, ମାତ୍ର ସେଗୁଡ଼ିକ ସ୍ଥାୟୀ ହୋଇପାରି ନଥିଲା ।

 

ସ୍ଵର୍ଗତ ମଧୁସୂଦନ ଦାସ ୧୮୮୭ ମସିହାରେ କଟକରେ ଗୋଟିଏ ସ୍ଥାୟୀ ରଙ୍ଗମଞ୍ଚ ନିର୍ମାଣ ପାଇଁ ନିଜ ଗୃହରେ ଗୋଟିଏ ରଙ୍ଗମଞ୍ଚ ନିର୍ମାଣ କରିଥିଲେ । ଏହି ରଙ୍ଗମଞ୍ଚ ବେଶୀ ଦିନ ରହିଲା ନାହିଁ । ୧୮୯୯ ଖ୍ରୀଷ୍ଟାବ୍ଦରେ ପାରଳାର ପଦ୍ମଲାଭ ରଙ୍ଗାଳୟ ନିର୍ମିତ ହୋଇଥିଲା । ୧୯୦୫ ମସିହାରୁ ଏହା ପୁନର୍ଗଠିତ ହୋଇ ୧୯୨୫ ସାଲ ପର୍ଯ୍ୟନ୍ତ ଚାଲିଥିଲା । ୧୯୦୦ ସାଲରୁ ୧୯୧୮ ସାଲ ମଧ୍ୟରେ କଟକରେ ‘ଉଷା’ ଏବଂ ‘ବାସନ୍ତୀ’ ରଙ୍ଗମଞ୍ଚ ନିର୍ମିତ ହୋଇଥିଲା । ୧୯୧୧ରେ ହଜୁରୀ ପେଣ୍ଡାଲ ନିର୍ମାଣ କରଯାଇଥିଲା । ଏହି ସମୟରେ ନାଟ୍ୟକାର ଅଶ୍ୱିନୀକୁମାରଙ୍କ ପ୍ରେରଣାରେ ପୁରୀ ଜିଲ୍ଲା ଜମିଦାର ବନମାଳୀ ପତି ‘ବଙ୍ଗଳା ଥିଏଟର୍ସ’ କରିଥିଲେ; ମାତ୍ର ଏହା ବେଶୀ ଦିନ ରହିପାରିଲା ନାହିଁ । ଅଶ୍ଵିନୀକୁମାର ନିଜେ ନାଟକରେ ବାସନ୍ତୀ ଥିଏଟର୍ସ ନିର୍ମାଣ କରିଥିଲେ ।

 

ଓଡ଼ିଶାର ରଙ୍ଗମଞ୍ଚରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କଲା ୧୯୩୬ ମସିହାରେ ପ୍ରତିଷ୍ଠିତ “ଅନ୍ନପୂର୍ଣ୍ଣା” ରଙ୍ଗମଞ୍ଚ । ଏହାପରେ ଅନ୍ନପୂର୍ଣ୍ଣା ‘ଏ’ ଗ୍ରୁପ୍‍ ଓ ଅନ୍ନପୂର୍ଣ୍ଣା ବି ଗ୍ରୁପ୍‍ ପୁରୀ ଏବଂ କଟକରେ ଦୁଇଟି ସ୍ଥାୟୀ ରଙ୍ଗମଞ୍ଚ ନିର୍ମାଣ କରି ବହୁ ନାଟକ ଅଭିନୀତ କରାଇଥିଲେ । ୧୯୩୯ ମସିହାରେ କଟକ ବାଙ୍କାବଜାରଠାରେ କବିଚନ୍ଦ୍ର କାଳୀଚରଣଙ୍କଦ୍ୱାରା ପ୍ରତିଷ୍ଠିତ ହେଲା ‘ଓଡ଼ିଶା ଥିଏଟର’ । ଏହା ୧୯୪୯ ମସିହା ପର୍ଯ୍ୟନ୍ତ ପରିଚାଳିତ ହୋଇଥିଲା ଏବଂ ପରେ ସେଠାରେ ଜନତା ରଙ୍ଗମଞ୍ଚ ନିର୍ମିତ ହେଲା । ଏବେ ଦୋଳମୁଣ୍ଡେଇରେ ‘କଳାଶ୍ରୀ’ ରଙ୍ଗମଞ୍ଚ ନିର୍ମିତ ହୋଇଛି । ୧୯୩୬ ମସିହା ପୂର୍ବରୁ ପ୍ରତିଷ୍ଠିତ ରଙ୍ଗମଞ୍ଚଗୁଡ଼ିକ ସ୍ଥାୟୀ ନ ଥିଲା, ମାତ୍ର ଏହି ମସିହାରୁ ପେଶାଦାର ରଙ୍ଗମଞ୍ଚ ପ୍ରତିଷ୍ଠିତ ହେଲା ଏବଂ ଏହାଦ୍ଵାରା ଓଡ଼ିଆ ନାଟକର ଅଗ୍ରଗତି ସମ୍ଭବ ହେଲା-। ବହୁ ନାଟ୍ୟକାର ଅନ୍ନପୂର୍ଣ୍ଣା, ଓଡ଼ିଶା ଥିଏଟର୍ସ ଓ ଜନତା ରଙ୍ଗମଞ୍ଚ ଯୋଗୁ ବହୁ ନାଟକ ରଚନା କରିବାର ପ୍ରେରଣା ଲାଭ କରିଛନ୍ତି-। ଏହି ପେଶାଦାର ରଙ୍ଗମଞ୍ଚଗୁଡ଼ିକ ବହୁ ସମୟରେ ବ୍ୟବସାୟିକ ଦୃଷ୍ଟିକୋଣରୁ ନାଟକର ରଚନା କରିଥିବାରୁ ନାଟକର ଉନ୍ନତି ଏହାଦ୍ୱାରା ସମ୍ଭବ ହେଉ ନାହିଁ । ସେହି ପାରମ୍ପରିକ ଅର୍ଥରେ ପେଶାଦାର ରଙ୍ଗମଞ୍ଚରେ ନାଟକ ଅଭିନୀତ ହେଉଛି-। ଆଧୁନିକ ଚେତନଶୀଳ ଦର୍ଶକକୁ ଏଭଳି ନାଟକ ବିଶେଷ ଆନନ୍ଦ ଦେଇପାରୁ ନାହିଁ-। ତେଣୁ କେତେକ ସୌଖୀନ ନାଟ୍ୟସଂସ୍ଥା ଓଡ଼ିଶାରେ ସୃଷ୍ଟି ହୋଇ ଆଧୁନିକ ନବନାଟ୍ୟ ଆନ୍ଦୋଳନକୁ ସାହାଯ୍ୟ କରିଛି । କଟକରେ ‘ସୃଜନୀ’ ନାଟ୍ୟସଂସ୍ଥା ଏହାର ଦୃଷ୍ଟାନ୍ତ । ୧୯୬୪ ମସିହାରେ ଏ ସଂସ୍ଥାର ଜନ୍ମ । ଏହାପରେ ସଙ୍କେତ ପ୍ରଭୃତି ସୌଖୀନ ନାଟ୍ୟସଂସ୍ଥା ପ୍ରତିଷ୍ଠିତ ହୋଇ ଆଧୁନିକ ନାଟ୍ୟ-ଚେତନାରେ ନୂତନ ବୈପ୍ଳବିକ ସ୍ଵର ସୃଷ୍ଟି କରିଛନ୍ତି ।

 

ପେଶାଦାର ରଙ୍ଗମଞ୍ଚଗୁଡ଼ିକ ବ୍ୟବସାୟିକ ଦୃଷ୍ଟିକୋଣ ରଖି ନାଟକ ଅଭିନୟ କରନ୍ତି । ଦର୍ଶକଙ୍କ ରୁଚି ଉପରେ ଏମାନେ ନିର୍ଭର କରିଥାଆନ୍ତି । ପୁଣି ସେହିସବୁ ରଙ୍ଗମଞ୍ଚର ଅଭିନେତା ଓ ଅଭିନେତ୍ରୀମାନଙ୍କୁ ଆଖିଆଗରେ ରଖି ନାଟକ ରଚିତ ହୋଇଥାଏ । ଅତଏବ ନାଟ୍ୟକାର ଅଭିନେତା ଓ ଅଭିନେତ୍ରୀ ଆଭିମୁଖୀ ଚରିତ୍ର ସୃଷ୍ଟିକରେ ନିଜର ସ୍ଵାଧୀନ ଚେତନାରୁ ଚରିତ୍ର ସୃଷ୍ଟି କରିପାରେ ନାହିଁ । ଏସବୁ ନାଟକରେ ଅନେକ ସମୟରେ ଶସ୍ତା ଧରଣର ହାସ୍ୟରସ ଓ ସଙ୍ଗୀତ ପରିବେଷିତ ହୋଇଥାଏ । ଏବେ ଚଳଚ୍ଚିତ୍ର ସହିତ ପ୍ରତିଯୋଗିତା କରି ବ୍ୟବସାୟିକ ରଙ୍ଗମଞ୍ଚମାନେ ନାନା ଦୃଶ୍ୟସଜା କରୁଅଛନ୍ତି । ଏହାଦ୍ଵାରା ନାଟକର ମର୍ଯ୍ୟାଦା କ୍ଷୁଣ୍ଣ ହେଉଛି । ପୁଣି ଏଭଳି ନାଟକରେ ଯେଉଁ ସଙ୍ଗୀତ ପ୍ରୟୋଗ ହୋଇଥାଏ, ତାହା ଉଦ୍ଦେଶ୍ୟମୂଳକ । ପେଶାଦାର ରଙ୍ଗମଞ୍ଚ ନାଟକର ବ୍ୟବସାୟିକ ମୂଲ୍ୟ ବୃଦ୍ଧି କରେ ସତ, ମାତ୍ର ନାଟକର କଳାତ୍ମକ ମୂଲ୍ୟ ବୃଦ୍ଧି କରେ ନାହିଁ । ଏହା ନାଟକକୁ ଶସ୍ତା ଲୋକପ୍ରିୟ କରିଥାଏ । ପରୀକ୍ଷାମୂଳକ ନାଟକଗୁଡ଼ିକ ଏଭଳି ରଙ୍ଗମଞ୍ଚରେ ଅଭିନୀତ ହୁଏ ନାହିଁ । ତଥାପି ଓଡ଼ିଆ ସାହିତ୍ୟରେ ନାଟକର ଅଭିବୃଦ୍ଧି ଓ ବିକାଶରେ ବ୍ୟବସାୟିକ ରଙ୍ଗମଞ୍ଚଗୁଡ଼ିକ ଯେ ଯଥେଷ୍ଟ ସାହାଯ୍ୟ କରିଛି, ଏଥିରେ ସନ୍ଦେହ ନାହିଁ ।

☆☆☆

 

Unknown

ଓଡ଼ିଆ ଗଳ୍ପ ସାହିତ୍ୟର ଇତିବୃତ୍ତ

 

‘କ୍ଷୁଦ୍ରଗଳ୍ପ’ର ଜନ୍ମଜାତକ:

 

ଗଳ୍ପର ଜନ୍ମଜାତକ କେବେ କହିବା ସହଜ ନୁହେଁ । ମଣିଷର ସୃଷ୍ଟିପରି ଏହାର ସୃଷ୍ଟି ସୁପ୍ରାଚୀନ । ଯେବେ ମଣିଷ କଥା କହି ଶିଖିଲା ସେହି କାଳରୁ ହୁଏତ ସେ ଗଳ୍ପ କହି ଆସିଥିବ । ସମୟର ପରିବର୍ତ୍ତନ ସଙ୍ଗେ ସଙ୍ଗେ ତା’ର ପ୍ରକାଶଭଙ୍ଗୀରେ ବିବର୍ତ୍ତନ ଆସିଥିବ । ଆନନ୍ଦ ଉପଭୋଗ କରିବା ପାଇଁ ହୁଏତ କାହାଣୀର ଜନ୍ମ ହୋଇଥିଲା ସେ କେଉଁ ଏକ ପ୍ରାଗୈତିହାସିକ କାଳରେ । ସଭ୍ୟତାର ଉଷାକାଳ ପୂର୍ବରୁ ମଧ୍ୟ ଏହାର ଜନ୍ମ । ଯେତିକି ପରିମାଣରେ ସଭ୍ୟତାର ବିକାଶ ହେଲା ସେତିକି ପରିମାଣରେ ଗଳ୍ପ-କାହାଣୀ-ଉପନ୍ୟାସ ଆଦି ବିକାଶ ଲାଭ କଲା । ପ୍ରାଚୀନ ଯୁଗରେ ଲୋକଗଳ୍ପ ବିଶେଷତଃ ପ୍ରାଧାନ୍ୟ ଲାଭ କରିଥିଲା । ପ୍ରତ୍ୟେକ ଦେଶରେ ଓ ପ୍ରତ୍ୟେକ ଭାଷାରେ ଲୋକଗଳ୍ପ ମଣିଷର ଆନନ୍ଦ ବିଧାନ ପାଇଁ ଉଦ୍ଦିଷ୍ଟ ଥିଲା । ସେତେବେଳେ ଜୀବନ ଥିଲା ଧୀର ମନ୍ଥର । ତେଣୁ ମଣିଷ ତା’ର ଅବସର ବିନୋଦନ ପାଇଁ କାବ୍ୟ ଓ ଦୀର୍ଘ ପୁରାଣ-ଶାସ୍ତ୍ର ଅଧ୍ୟୟନ କରୁଥିଲା । ବିଗତ ଶତାବ୍ଦୀରେ ମଧ୍ୟ ଦୀର୍ଘକାୟ ଉପନ୍ୟାସମାନ ରଚିତ ହୋଇଅଛି । ଚଳିତ ଶତାବ୍ଦୀରେ ମଧ୍ୟ ବିପୁଳାୟତନ ଉପନ୍ୟାସ ରଚିତ ହେଉଅଛି । ତଥାପି ଏହି ଯୁଗରେ କ୍ଷୁଦ୍ରଗଳ୍ପ ପ୍ରାଧାନ୍ୟ ଲାଭ କରିଅଛି ।

 

ଆଧୁନିକ ଯୁଗ ଅସ୍ଥିର । ପ୍ରତି ମୁହୂର୍ତ୍ତରେ ଦ୍ରୁତ ପରିବର୍ତ୍ତିତ ହେଉଛି ମଣିଷର ଚିନ୍ତା ଓ ଚେତନା । ବିଜ୍ଞାନ ନୂଆ ନୂଆ ଉଦ୍ଭାବନ କରୁଛି । ମଣିଷ ବ୍ୟସ୍ତ ଚଞ୍ଚଳ । ଶିଳ୍ପ ସଭ୍ୟତା ତାକୁ ଜଟିଳ କରିଦେଇଛି । ତା’ର ଅବସର ନାହିଁ । ସେ ଦୀର୍ଘ ଉପନ୍ୟାସ ବା ମହାକାବ୍ୟ ପଢ଼ିବାକୁ ସମୟ ପାଏନାହିଁ । ତାକୁ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରିବାକୁ ହୁଏ । ଶିଳ୍ପାୟତନଠାରୁ ଆରମ୍ଭ କରି ଅଫିସ ପର୍ଯ୍ୟନ୍ତ କଣ୍ଟ୍ରୋଲ ଦୋକାନରୁ ରେସନ ପାଇଁ ଧାଡ଼ିରେ ଛିଡ଼ାହେବାଠାରୁ ଆରମ୍ଭ କରି ଟ୍ରେନରେ ଯିବାପାଇଁ ଟିକେଟ କାଟିଲା ପର୍ଯ୍ୟନ୍ତ ସେ ବ୍ୟସ୍ତ ବିବ୍ରତ । ଏପରି ଏକ ଜୀବନରେ ଦୀର୍ଘକାୟ ଉପନ୍ୟାସ ବା ମହାକାବ୍ୟ ପଢ଼ିବାକୁ ସମୟ କାହିଁ ? ତା’ର ପୁଣି ଅବସର ବିନୋଦନର ଉପଦାନ ଦରକାର । ସେ ପୁଣି ଚାହେଁ ଜୀବନର ସୂକ୍ଷ୍ମ ରହସ୍ୟକୁ ସହଜରେ ଓ ଅଳ୍ପରେ ଜାଣିବାପାଇଁ । ତେଣୁ କ୍ଷୁଦ୍ରଗଳ୍ପର ଜନ୍ମ ହୋଇଛି ଏକ ଶୁଭକ୍ଷଣରେ । ଆଧୁନିକ ବ୍ୟସ୍ତ ଚଞ୍ଚଳ ଜଟିଳ ଜ୍ଵାଳାମୟ ଜୀବନର ବିଚ୍ଛିନ୍ନ ସତ୍ତାକୁ କ୍ଷୁଦ୍ର ପରିସର ମଧ୍ୟରେ କଳାତ୍ମକ ଭାବରେ ପ୍ରକାଶ କରିବା ହେଉଛି ଏହାର ଲକ୍ଷ୍ୟ । ବିଗତ ଶତାବ୍ଦୀ ହିଁ କ୍ଷୁଦ୍ରଗଳ୍ପର ପ୍ରକୃତ ଜନ୍ମକାଳ । ଏହି ଶତାବ୍ଦୀରେ ଫ୍ରାନ୍ସ, ଇଂଲଣ୍ଡ ଓ ରୁଷିଆରେ ଅନେକ ଲେଖକ କ୍ଷୁଦ୍ରଗଳ୍ପ ଲେଖିବାରେ ମନୋନିବେଶ କରିଥିଲେ । ଯଦିଓ ଏହା ପୂର୍ବରୁ କ୍ଷୁଦ୍ରଗଳ୍ପ ରଚିତ ହୋଇଥିଲା ତଥାପି ଊନବଂଶ ଶତାବ୍ଦୀର ଦ୍ଵିତୀୟାର୍ଦ୍ଧ ହିଁ ବିଶ୍ଵ ସାହିତ୍ୟରେ କ୍ଷୁଦ୍ରଗଳ୍ପର ବିକାଶ କାଳ ।

 

କ୍ଷୁଦ୍ରଗଳ୍ପର ସଂଜ୍ଞା ବିଚାର

 

ସୁବିସ୍ତୃତ ଜୀବନ ପ୍ରବାହ ମଧ୍ୟରୁ ଯେଉଁ ନିର୍ଦ୍ଦିଷ୍ଟ ମୁହୂର୍ତ୍ତଟି ମଣିଷର ହୃଦୟରେ ଗଭୀର ରେଖାପାତ କରେ ଏବଂ ଯାହା ଚିରସ୍ମରଣୀୟ ହୋଇ ରହେ, ସେହି ମୁହୂର୍ତ୍ତଟିକୁ ଚକିତ-ଉଦ୍ଭାସିତ କରିବା ଆଧୁନିକ କ୍ଷୁଦ୍ରଗଳ୍ପର ଧର୍ମ । ମଣିଷର ଜୀବନ ବହୁ ମୁହୂର୍ତ୍ତର ସମଷ୍ଟି । ପ୍ରତ୍ୟେକ ମୁହୂର୍ତ୍ତ ମଣିଷ ହୃଦୟରେ ରେଖାପାତ କରେ ନାହିଁ । ଗୋଟିଏ ଗୋଟିଏ ମୁହୂର୍ତ୍ତ ହୃଦୟରେ ଛାପ ପକାଏ । ସେହି ମୁହୂର୍ତ୍ତକୁ ଧରିରଖେ କ୍ଷୁଦ୍ରଗଳ୍ପ । ଜୀବନର ବିସ୍ତୃତ କାହାଣୀକୁ କ୍ଷୁଦ୍ରଗଳ୍ପ ପ୍ରକାଶ କରେ ନାହିଁ । ଏହା ପ୍ରକାଶ କରେ ଜୀବନର ଖଣ୍ଡାଂଶକୁ । କ୍ଷୁଦ୍ରଗଳ୍ପରେ ବ୍ୟାପ୍ତି ନାହିଁ ସତ; ମାତ୍ର ଅଛି ଦୀପ୍ତି । ସେହି ଦୀପ୍ତିରେ ଏହା ଆଲୋକିତ କରିଦିଏ ସମଗ୍ର ଜୀବନସତ୍ତାକୁ । କ୍ଷୁଦ୍ରଗଳ୍ପର ସୃଷ୍ଟି ଅର୍ବାଚୀନ । ବିଗତ ଶତାବ୍ଦୀର ମଧ୍ୟଭାଗରୁ ଏହାର ଜନ୍ମ ବିଶ୍ଵସାହିତ୍ୟରେ; କିନ୍ତୁ ବର୍ତ୍ତମାନ ଯୁଗରେ ଲେଖକ ଓ ପାଠକ ମଧ୍ୟରେ ଏହା ହେଉଛି ଏକ ସର୍ବୋତ୍ତମ ସଂଯୋଗ ମାଧ୍ୟମ । ବହୁ ଅତୀତ କାଳରୁ କାହାଣୀ-ସାହିତ୍ୟର ଜନ୍ମ ଓ ବିକାଶ ହୋଇଥିଲେ ହେଁ ଆଧୁନିକ ଯୁଗର କାହାଣୀ ସହିତ ସେ ସବୁର ସାମଞ୍ଜସ୍ୟ ନାହିଁ । ସିଧାସଳଖ ଭାବରେ କୌଣସି ଘଟଣାକୁ ବର୍ଣ୍ଣନ କରିବା କ୍ଷୁଦ୍ରଗଳ୍ପର ଲକ୍ଷଣ ନୁହେଁ । ତେଣୁ ଏ ସମ୍ବନ୍ଧରେ A.J.J Ratcliff କହନ୍ତି, ‘A short story proper that is deliberately finished work of art and not just a straight forward tale of one or more events, belongs to modern times.” ଆଧୁନିକ ଯୁଗର କର୍ମବ୍ୟସ୍ତ ମଣିଷର ସାହିତ୍ୟିକ ରସପିପାସାକୁ କ୍ଷୁଦ୍ରଗଳ୍ପ ହିଁ ଚରିତାର୍ଥ କରିଥାଏ । ଦୀର୍ଘକାୟ ଉପନ୍ୟାସ ପାଠ କରି ଆଉ ଏ ଯୁଗର ପାଠକ ରସସ୍ୱାଦନ କରିବାକୁ ପ୍ରସ୍ତୁତ ନୁହେଁ । ସେ ଚାହେଁ ଖୁବ୍‍ ଅଳ୍ପ ସମୟ ମଧ୍ୟରେ ତା’ର ସାହିତ୍ୟିକ ରସପିପାସାକୁ ଚରିତାର୍ଥ କରିବାକୁ । ତେଣୁ କ୍ଷୁଦ୍ରଗଳ୍ପ ଏ ଯୁଗରେ ବିଶେଷ ପ୍ରଭାବଶାଳୀ ହୋଇଛି । ବହୁ ଘଟଣା ଓ ଚରିତ୍ରର ଜାଙ୍ଗଲିକ ବର୍ଣ୍ଣନା ମଧ୍ୟରେ ଆଜିର ପାଠକ ଆଉ ଧୈର୍ଯ୍ୟ ଧରି ନିମଜ୍ଜିତ ହେବାକୁ ଚାହେଁ ନାହିଁ । ସେ ଚାହେଁ ସ୍ଵଳ୍ପ ଘଟଣା ଓ ଚରିତ୍ର ମଧ୍ୟରେ କ୍ଷୁଦ୍ରଗଳ୍ପର ରସାସ୍ୱାଦନ କରିବାକୁ । ଏଥିପାଇଁ Houdson କହନ୍ତି. Singleness of aim and singleness effect are therefore two great cannons by which we have to try the value of a story as a piece of art” ମୋଁପାସା କ୍ଷୁଦ୍ରଗଳ୍ପରେ ନାଟକୀୟତାକୁ ପ୍ରାଧାନ୍ୟ ଦେଇଥିଲେ-। କେହି କେହି କ୍ଷୁଦ୍ରଗଳ୍ପରେ ବ୍ୟଞ୍ଜନା ବା Suggestivenessକୁ ପ୍ରାଧାନ୍ୟ ଦେଇଥାନ୍ତି-। Edgar Alian Poe କ୍ଷୁଦ୍ରଗଳ୍ପର ବିଚାର କରି ଲେଖିଛନ୍ତି ।

 

୧। କ୍ଷଦ୍ରଗଳ୍ପ ନାତିଦୀର୍ଘ ହେବା ଉଚିତ । ବିରତି ନ ରଖି ଏହାକୁ ପାଠ କରାଯାଏ ।

 

୨। ଏହା ଏକକ ଫଳ ବା କ୍ରିୟା ସୃଷ୍ଟି କରିବା ଉଚିତ ।

 

୩। ଏହାର କୌଣସି ଶବ୍ଦ ଅପ୍ରାସଙ୍ଗିକ ହେବା ଉଚିତ ନୁହେଁ । ଅର୍ଥ ପ୍ରକାଶ ଏବଂ ରସ ସୃଷ୍ଟି କରିବାରେ ଯେପରି କୌଣସି ଶବ୍ଦ ପ୍ରତିବନ୍ଧକ ସୃଷ୍ଟି ନ କରେ ।

 

୪। ଏହା ଯେପରି କାହାଣୀର ଶେଷହେବାକୁ ସୂଚାଇଦିଏ, ସେଥିପ୍ରତି ମଧ୍ୟ ଲକ୍ଷ୍ୟଦେବାକୁ ହୋଇଥାଏ ।

 

୫। ଏହାକୁ ପଢ଼ିବାକୁ ଅଧଘଣ୍ଟାରୁ ଏକ ଘଣ୍ଟା ବା ଦୁଇଘଣ୍ଟା ସମୟ ଲାଗିବା ଉଚିତ ।

 

ଆଧୁନିକ ଯୁଗରେ କ୍ଷୁଦ୍ରଗଳ୍ପ ସମ୍ବନ୍ଧରେ ବହୁ ବ୍ୟକ୍ତି ବିଭିନ୍ନ ବ୍ୟକ୍ତବ୍ୟ ପ୍ରକାଶ କରିଅଛନ୍ତି-। ଘଟଣାର ଏକମୁଖୀନତାରେ କ୍ଷୁଦ୍ରଗଳ୍ପର ମହତ୍ତ୍ଵ ଫୁଟିଉଠେ । ଏଥିରେ ଘଟଣାର ଘନଘଟା ନ ଥାଏ, ଚରିତ୍ରର ବହୁଳତା ନ ଥାଏ । ପରିଣତିରେ ଥାଏ ଅନ୍ତହୀନ ଜିଜ୍ଞାସା, ଅତୃପ୍ତିର ବାସନା-। ଉପନ୍ୟାସ ପରି ଏଥିରେ ଶାଖାପଲ୍ଲବାକୀର୍ଣ୍ଣ ବନସ୍ପତିର ଜଟିଳତା ନ ଥାଏ । ଲଘୁପକ୍ଷ ପ୍ରଜାପତି ପରି ଏହାର ଗତି । ପକ୍ଷରେ ଏହାର ଦ୍ରୁତଲୟର ଛନ୍ଦ । ତେଣୁ ବିଶ୍ଵକବି ରବୀନ୍ଦ୍ରନାଥ ଲେଖିଛନ୍ତି–

 

“ଛୋଟ ପ୍ରାନ ଛୋଟ ବ୍ୟଥା ଛୋଟ ଛୋଟ ଦୁଃଖ କଥା

ନିତାନ୍ତଇ ସହଜ ସରଲ

ସହସ୍ର ବିସ୍ତୃତ ରାଶି ପ୍ରତ୍ୟହ ଉଠେଛେ ଭାସି

ତାରି ଦୁ ଚାରିଟି ଅଶ୍ରୁଜଲ

ନାହିଁ ବର୍ଣ୍ଣନାର ଛଟା ଘଟନାର ଘନଘଟା

ନାହିଁ ତତ୍ତ୍ଵ ନାହିଁ ଉପଦେଶ

ଅନ୍ତରେ ଅତୃପ୍ତି ରବେ ସାଙ୍ଗକରି ମନେହବେ

ଶେଷ ହୟେ ହୟଲ ନା ଶେଷ ।”

 

–ବର୍ଷା ଯାପନ–

 

ରବୀନ୍ଦ୍ରନାଥ କ୍ଷୁଦ୍ରଗଳ୍ପ ସମ୍ପର୍କରେ ଏହି ଯେଉଁ ମତ ଦେଇଛନ୍ତି ତାହା ବିଶେଷ ପ୍ରଣିଧାନଯୋଗ୍ୟ । କ୍ଷୁଦ୍ରଗଳ୍ପରେ ଜୀବନର ସହସ୍ର ସ୍ମୃତି ଭିତରୁ ଯେଉଁ ସ୍ମୃତିଟି ଗଭୀର ରେଖାପାତ କରିଥାଏ ତାକୁ ହିଁ କ୍ଷୁଦ୍ରଗଳ୍ପରେ ରୂପ ଦିଆଯାଏ । ଏହା ଶେଷହୋଇ ମଧ୍ୟ ଶେଷ ହୁଏ ନାହିଁ । ଏଡ଼ଗାର ଏଲେନ୍‍ ପୋ କ୍ଷୁଦ୍ରଗଳ୍ପର ପାଠକୁ ଅଧଘଣ୍ଟାରୁ ଏକଘଣ୍ଟା ବା ଦୁଇଘଣ୍ଟା ମଧ୍ୟରେ ସୀମାବଦ୍ଧ କରିଥିଲାବେଳେ ଏଚ୍.ଜି.ଓ୍ୱେଲ୍‌ସ ମାତ୍ର କୋଡ଼ିଏ ମିନିଟ୍‍ ମଧ୍ୟରେ କ୍ଷୁଦ୍ରଗଳ୍ପ ପାଠହେବା ଉଚିତ ବୋଲି ମତ ଦେଇଅଛନ୍ତି । ଏପରି ମତ ସମୀଚୀନ ନୁହେଁ । କାରଣ କ୍ଷୁଦ୍ରଗଳ୍ପ କ୍ଷୁଦ୍ର ପରିସରର କଳାତ୍ମକ ରୂପାୟନ ହେଲେହେଁ ଏହାକୁ କ୍ଷୁଦ୍ର ବା ଦୀର୍ଘ କରିବା ଲେଖକ ଉପରେ ନିର୍ଭର କରେ । ବର୍ଣ୍ଣନାରେ ଦୀର୍ଘତା ଥିଲେ ମଧ୍ୟ ଯଦି ତା’ର ଆବେଦନରେ ଖଣ୍ଡିଜ ମୁହୂର୍ତ୍ତର ଭାବ ଥାଏ, ତେବେ ତାକୁ କ୍ଷୁଦ୍ରଗଳ୍ପ କୁହାଯାଏ । କ୍ଷୁଦ୍ରଗଳ୍ପକୁ ଗୋଟିଏ ପରିବେଶରେ ପାଠ କରିବାକୁ ହୋଇଥାଏ । ଉପନ୍ୟାସ ପରି ଏହାକୁ ଦିନ ଦିନ ଧରି ପଢ଼ିବାକୁ ହୁଏ ନାହିଁ । ତେଣୁ କ୍ଷୁଦ୍ରଗଳ୍ପ ଉପନ୍ୟାସର ସଂକ୍ଷିପ୍ତ ସଂସ୍କରଣ ନୁହେଁ । ଏହା ଏକ ସ୍ଵତନ୍ତ୍ର କଳା । ଏହା ଭାବସାନ୍ଦ୍ର ଓ ଜଟିଳ । ଏହାର ଗତି ତୀବ୍ର । ତେଣୁ ବ୍ରାଣ୍ଡର ମାଥ୍ୟୁସ କହନ୍ତି–‘‘It is something other and something more than a mere story which is short. A true short story differs from the novel chiefly in its essential unity of impression. In fare more exact and precise are of the word, a short story has unity, a novel can not have.” ପ୍ରତୀତିର ଐକ୍ୟ ହିଁ କ୍ଷୁଦ୍ରଗଳ୍ପର ମୁଖ୍ୟ କଥା । ତେଣୁ କଥାକାର ଏପରି ଶବ୍ଦ ପ୍ରୟୋଗ କରେ ଯାହାକି କ୍ଷୁଦ୍ରଗଳ୍ପର ଐକ୍ୟରେ ବାଧା ସୃଷ୍ଟି କରେ ନାହିଁ । ପୋ’ଙ୍କ ଭାଷାରେ–“There should be no word written of which the tendency direct or indirect is not so the one pre-established design.” କ୍ଷୁଦ୍ରଗଳ୍ପର ବିଷବସ୍ତୁ ସୃଷ୍ଟ ହେବା ଉଚିତ ।

 

କ୍ଷୁଦ୍ରଗଳ୍ପ ରଚନା ସମ୍ପର୍କରେ ମଧ୍ୟ ଷ୍ଟିଫେନସନ କହନ୍ତି ଯେ, କ୍ଷୁଦ୍ରଗଳ୍ପ ଲେଖିବା ପାଇଁ ତିନିଗୋଟି ପ୍ରକ୍ରିୟା ଅଛି । ପ୍ରଥମେ କୌଣସି ବିଷୟ ଠିକ୍‍ କରି ସେଥିରେ ଚରିତ୍ର ସଂଯୋଗ କରାଯାଇପାରେ । ଦ୍ଵିତୀୟରେ ଚରିତ୍ର ଠିକ୍‍ କରି ସେଥିରେ ବିଷୟ ସଂଯୋଗ କରାଯାଇପାରେ । ତୃତୀୟରେ କୌଣସି ଏକ ପରିସ୍ଥିତ ଠିକ୍‍ କରି ସେଥିରେ ଚରିତ୍ର ଓ ଘଟଣାକୁ ସଂଯୋଗ କରାଯାଇପାରେ । କ୍ଷୁଦ୍ରଗଳ୍ପରେ ଘଟଣା ଚରିତ୍ର–ପରସ୍ଥିତି ଥିଲେହେଁ ଏହାର ଆତ୍ମା ହେଉଛି ପ୍ରତୀତିର ଐକ୍ୟ–ମନସ୍ଥିତି, ଉଦ୍ଦେଶ୍ୟ ଓ ଗତିବେଗର ଐକ୍ୟ । ସାର ହଗ୍‍ ଓ୍ୱାଲପୋଲ କ୍ଷୁଦ୍ରଗଳ୍ପ ସମ୍ପର୍କରେ ମତବ୍ୟକ୍ତ କରିଅଛନ୍ତି- “A short story should be a story, a record of things and happening, full of incidents and accidents, swifts movement, unexpected development leading through suspense to a climax and to a satisfying denoucement.”

 

କ୍ଷୁଦ୍ରଗଳ୍ପ ଅଧୁନା ସାହିତ୍ୟରେ ‘ଏକ ବିଶିଷ୍ଟ କଳାଶିଳ୍ପ ।’ ଏଥିରେ ନିମ୍ନୋକ୍ତ ବିଶେଷତ୍ଵ ଦେଖାଯାଇଥାଏ ।

 

(୧) ଏହା ଏକ ଗଦ୍ୟାତ୍ମକ ବର୍ଣ୍ଣନା ଶିଳ୍ପ ।

 

(୨) ଏହା କ୍ଷୁଦ୍ର ଓ ସଂକ୍ଷିପ୍ତ । ଏକାଥରକେ ଏହାକୁ ପଢ଼ାଯାଇପାରେ । ଏହାର ଆୟତନ ସମ୍ପର୍କରେ ସେପରି କୌଣସି ନିର୍ଦ୍ଦିଷ୍ଟ ମନ୍ତବ୍ୟ ପ୍ରକାଶ କରାଯାଇ ନ ପାରେ ।

 

(୩) ଏହାର ମନସ୍ଥିତି, ଉଦ୍ଦେଶ୍ୟ ଓ ଗତିବେଗ ମଧ୍ୟରେ ଐକ୍ୟ ରହିବା ଆବଶ୍ୟକ ପ୍ରଗତିର ଐକ୍ୟ ହିଁ ଏହାର ମୁଖ୍ୟ କଥା ।

 

(୪) ଏହାର ବିଷୟବସ୍ତୁ ସରଳ ଓ ଭାବସାନ୍ଦ୍ର ।

 

(୫) ଏହାର ବହିର୍ଦ୍ଵନ୍ଦ୍ଵ ବା ଅନ୍ତର୍ଦ୍ଵନ୍ଦ୍ଵ ଥାଏ ।

 

(୬) ଏହାର କୌଣସି ଅଂଶ ଅପ୍ରାସଙ୍ଗିକ ନୁହେଁ ।

 

(୭) ବିଷୟ ବସ୍ତୁ ମଧ୍ୟରେ ଐକ୍ୟ ରହେ ।

 

(୮) ଏହାର ରଚନାଶୈଳୀ ମଧ୍ୟ ସରଳ ଓ ଘନସାନ୍ଦ୍ର ହୋଇଥାଏ ।

 

ସମୟ:

 

କ୍ଷୁଦ୍ରଗଳ୍ପର ପ୍ରଧାନ କଥା ହେଉଛି ଏହାର ସଂକ୍ଷିପ୍ତୀକରଣ । ଏହାକୁ ପଢ଼ିବାକୁ ଯେପରି ଦୀର୍ଘସମୟ ନ ଲାଗେ । H.G.Wells ତେଣୁ କହନ୍ତି ସେ ୧୫ ରୁ ୨୦ ମିନିଟ ମଧ୍ୟରେ ଯେପରି ଏହା ପଢ଼ି ହୋଇପାରିବ । ମାତ୍ର ଏଲେନ୍‍ ପୋ’ କହନ୍ତି ଅଧଘଣ୍ଟାଠାରୁ ଘଣ୍ଟାଏ ବା ଦୁଇଘଣ୍ଟା ମଧ୍ୟରେ ଯେପରି ଏହାକୁ ପଢ଼ି ହୋଇପାରୁଥିବ । ମାତ୍ର ଏଥିପ୍ରତି ଯଥାର୍ଥ ଧ୍ୟାନ ଦେଇ ଗଳ୍ପ ଲେଖିବା ସମ୍ଭବ ନୁହେଁ । କେହି କ୍ଷୁଦ୍ରଗଳ୍ପର ସମୟ-ସୀମା ନିରୂପଣ କରି ନପାରେ । ଦୀର୍ଘଗଳ୍ପ ଯେପରି ଆଜିକାଲି ଦେଖାଯାଉଛି, ସେହିପରି ଲେଖାଯାଉଛି ଅତି କ୍ଷୁଦ୍ରଗଳ୍ପ । ଏ ଦିଗରେ ଲେଖକର ପୂର୍ଣ୍ଣ ସ୍ଵାଧୀନତା ଅଛି । ସେ ସମୟ-ସୀମାକୁ ମନ ମଧ୍ୟରେ ରଖି ଗଳ୍ପ ଲେଖିଥାଏ । ତେଣୁ ପୋ’ ଯାହା ଲେଖିଛନ୍ତି କ୍ଷୁଦ୍ରଗଳ୍ପ ହେଉଛି, “A Prose narrative requiring from half an hour to one or two hours in its perusal”–ଏହା ସର୍ବଦା ଗ୍ରହଣୀୟ ନୁହେଁ ।

 

ଶବ୍ଦ ସଂଯୋଜନା ଓ ବାକ୍ୟ ଗଠନରେ ସାନ୍ଦ୍ରତା:

 

କ୍ଷୁଦ୍ରଗଳ୍ପରେ କୌଣସି ଅପ୍ରାସଙ୍ଗିକ‌ ଶବ୍ଦ ବା ବାକ୍ୟ ରହିବା ବିଧେୟ ନୁହେଁ । ଯଥେଚ୍ଛାଚାର ଭାବରେ ଗୁଡ଼ିଏ ଶବ୍ଦର ଝଙ୍କାର ସୃଷ୍ଟିକଲେ ବା ବାକ୍ୟରେ ବିଳାସ ବର୍ଣ୍ଣିତ ହେଲେ କ୍ଷୁଦ୍ରଗଳ୍ପର‌ ମର୍ଯ୍ୟାଦାହାନି ହୋଇଥାଏ । ଘଟଣା, ଅବସ୍ଥା ଓ ପରିବେଶକୁ ଏପରି ଭାବରେ ବର୍ଣ୍ଣନା କରିବା ଉଚିତ, ଯାହାକି ଅପ୍ରାସଙ୍ଗିକ‌ ବୋଧ ହେବ ନାହିଁ ।

 

ସମତା:

 

କ୍ଷୁଦ୍ରଗଳ୍ପ ବିଭିନ୍ନ ଆଙ୍ଗିକ ତଥା ଆତ୍ମ ଚିନ୍ତାଧାରାରେ ସମତା ରକ୍ଷା ନକଲେ କ୍ଷୁଦ୍ରଗଳ୍ପ ସାର୍ଥକ ହୋଇପାରେ ନାହିଁ । ବିଷୟବସ୍ତୁ, ଚରିତ୍ର ସଂଳାପ ଭାଷା, ଶୈଳୀ ଇତ୍ୟାଦିର ଯେପରି ଅତି କଥନ ନହୁଏ, ସେଥିପ୍ରତି ଗଳ୍ପକାରକୁ ଲକ୍ଷ୍ୟଦେବାକୁ ହୋଇଥାଏ । ଗଳ୍ପକାର କୌଣସି ଗୋଟିଏ ଦିଗକୁ ବିଶେଷ ପ୍ରାଧାନ୍ୟ ଦେଲେ ଗଳ୍ପର ମର୍ଯ୍ୟାଦା ରହେ ନାହିଁ । ତେଣୁ H.E Bets ଯଥାର୍ଥରେ ଲେଖିଛନ୍ତି–“writing a short story may be compared with building a house with matchstics. There comes in its construction a time when the addition of one more stick may well bring it down in ruins. Thus balance is one of supreme essentials to its creation,” ଦାସ୍ତବିକ‌ କ୍ଷୁଦ୍ରଗଳ୍ପର ରଚନା ଡିଆସିଲି କାଠିରେ ଘର ତିଆରି କରିବା ସହିତ ତୁଳନୀୟ‌ । ସମତା ରକ୍ଷାକରି ଘର ନିର୍ମାଣ ନ କଲେ ଏପରି ସମୟ ଆସେ ଯେତେବେଳେ କି ଗୋଟିଏ ଅଧିକା କାଠି ଦେଇଦେଲେ ସେ ଘରଟି ଭାଙ୍ଗିଯାଏ । ସେହି ହେତୁ ଗଳ୍ପକାରକୁ ସତର୍କତା ଅବଲମ୍ବନ କରି ଗଳ୍ପ ଲେଖିବାକୁ ହୋଇଥାଏ ।

 

କ୍ଷୁଦ୍ରଗଳ୍ପରେ ଭାଷା ଓ କଥାବସ୍ତୁ ପ୍ରୟୋଗରେ ସତର୍କତା ଓ ସାନ୍ଦ୍ରତା:

 

କ୍ଷୁଦ୍ରଗଳ୍ପ ଏକ ସଚେତନ କଳାଶିଳ୍ପ । ଯେ କେହି ବ୍ୟକ୍ତି କ୍ଷୁଦ୍ରଗଳ୍ପ ରଚନା କରିପାରେ ନାହିଁ । କ୍ଷୁଦ୍ରଗଳ୍ପର ବୈଶିଷ୍ଟ୍ୟ ଫୁଟିଉଠେ ସାନ୍ଦ୍ରତା ଦ୍ଵାରା । ଅଳ୍ପ କଥାରେ ବହୁ ବିଷୟକୁ ଉପସ୍ଥାପିତ କରିବା ଏହାର ଧର୍ମ । ବିନ୍ଦୁ ମଧ୍ୟରେ ସିନ୍ଧୁ ଦର୍ଶନ କରିବା ହିଁ ଏହାର ବୈଶିଷ୍ଟ୍ୟ । କ୍ଷୁଦ୍ରଗଳ୍ପ ଜୀବନର ଖଣ୍ଡାଂଶକୁ ଚକିତ ଉଦ୍ଭାସିତ‌‌ କରେ । ଗୋଟିଏ ଗୋଟିଏ ମୁହୂର୍ତ୍ତକୁ ଏପରିକି ପ୍ରତ୍ୟେକ ମୁହୂର୍ତ୍ତର‌ ଖଣ୍ଡାଂଶକୁ କ୍ଷୁଦ୍ରଗଳ୍ପ ଧରିରଖେ ତା’ର ସୀମିତ କଲେଜର ମଧ୍ୟରେ । ତେଣୁ ଲେଖକକୁ ଏଥିପାଇଁ ସତର୍କ ହେବାକୁ ହୋଇଥାଏ । ଗଳ୍ପକାର ଏଭଳି ଭାଷା ପ୍ରୟୋଗ କରିବା ଉଚିତ ଯାହାକି କୌଣସି ସ୍ଥାନରେ ଅପ୍ରାସଙ୍ଗିକ‌ ହେବ ନାହିଁ । ବିସ୍ତୃତ ଓ ମନ୍ଥର ବର୍ଣ୍ଣନା କ୍ଷୁଦ୍ରଗଳ୍ପର ଧର୍ମ ନୁହେଁ । ଏହା ଲଘୁପକ୍ଷ ପ୍ରଜାପତି ପରି । ଗୋଟିଏ ଫଳରୁ ମଧୁ ସଂଗ୍ରହ କରିବାକୁ ଯେତିକି ସମୟ ଦରକାର, ସେତିକି ସମୟ ଦିଏ କ୍ଷୁଦ୍ରଗଳ‌୍ପ । ଅନାବଶ୍ୟକ ଶବ୍ଦ ଓ କଥାବସ୍ତୁକୁ ଗଳ୍ପକାର ପରିତ୍ୟାଗ କରେ । ବ୍ୟଞ୍ଜନାତ୍ମକ ଶୈଳୀ ସାହାଯ୍ୟରେ ସେ ତା’ର‌ ଗଳ୍ପକୁ ପ୍ରାଣବନ୍ତ‌ କରେ । କ୍ଷୁଦ୍ରଗଳ୍ପର ସାର୍ଥକତା ଫୁଟିଉଠେ ବ୍ୟଞ୍ଜନାରେ ବର୍ଣ୍ଣନା ବିଳାସ ଏହାର ଧର୍ମ ନୁହେଁ । ତେଣୁ ପ୍ରତୀକାତ୍ମକ ଭାଷାକୁ ଗଳ୍ପକାର ଗ୍ରହଣ କରିଥାଏ । ସାନ୍ଦ୍ରତା କ୍ଷୁଦ୍ରଗଳ୍ପର ପ୍ରଧାନ କଥା ହେଲେ ମଧ୍ୟ ଇଚ୍ଛାକୃତ ଭାବରେ ଗଳ୍ପକାର ତା’ର‌ ଗଳ୍ପକୁ ସଂକ୍ଷିପ୍ତ କରିବା ଉଚିତ ନୁହେଁ ।

 

କ୍ଷୁଦ୍ରଗଳ୍ପର କଥାବସ୍ତୁ :

 

କ୍ଷୁଦ୍ରଗଳ୍ପର ନିର୍ଦ୍ଦିଷ୍ଟ କୌଣସି କଥାବସ୍ତୁ ନାହିଁ । ଯେ କୌଣସି ବିଷୟକୁ ନେଇ କ୍ଷୁଦ୍ରଗଳ୍ପ ରଚନା କରାଯାଇପାରେ । ଜୀବନର ପ୍ରତ୍ୟେକ ମୁହୂର୍ତ୍ତ ବହୁ କାହାଣୀ ପୂର୍ଣ୍ଣ । ସେହି ମୁହୂର୍ତ୍ତ ସର୍ବସ୍ଵ ଜୀବନକୁ ଗଳ୍ପକାର ରୂପଦିଏ‌ ତା’ର ଗଳ୍ପରେ । ତେଣୁ କୁହାଯାଇଛି କ୍ଷୁଦ୍ରଗଳ୍ପ ହେଉଛି “a slice of life ।” ସାଧାରଣ ଯେଉଁ କଥାରୁ ଉପଲବ୍ଧି କରିପାରେ ନାହିଁ, ସେହି କଥାକୁ ନେଇ ଗଳ୍ପକାର ମଧ୍ୟ ସୁନ୍ଦର ଗଳ୍ପ ରଚନା କରିପାରେ । ସାମାଜିକ ସମସ୍ୟାମୂଳକ ବିଷୟବସ୍ତୁକୁ ନେଇ ଯେପରି କ୍ଷୁଦ୍ରଗଳ୍ପ ରଚନା କରାଯାଉଛି, ଠିକ୍‍ ସେହିପରି ମଣିଷର ଅତଳ ରହସ୍ୟମୟ ଅନ୍ଧକାର ମନର କାହାଣୀକୁ ନେଇ ମଧ୍ୟ ଗଳ୍ପ ରଚନା କରାଯାଉଛି । ଅବଚେତନ‌ ମନର ରହସ୍ୟକୁ ଆଜିର ଗଳ୍ପରେ ବିଶେଷ ଭାବରେ ରୂପାୟିତ କରାଯାଉଛି । କଥାବସ୍ତୁକୁ ଲେଖକ ଯେତିକି ସାବଲୀଳ ଓ ନାଟକୀୟ ଭାବରେ ପ୍ରକାଶ କରିପାରେ, ସେତିକି କ୍ଷୁଦ୍ରଗଳ୍ପ ହୁଏ ପ୍ରାଣବନ୍ତ ।

 

କ୍ଷୁଦ୍ରଗଳ୍ପରେ ଐକ୍ୟ ଓ ଏକାଗ୍ରତା

 

କ୍ଷୁଦ୍ରଗଳ୍ପର ବୈଶିଷ୍ଟ୍ୟ ଫୁଟିଉଠେ ଘଟଣା ଓ ଲକ୍ଷ୍ୟର ଏକମୁଖୀନତାରେ । କ୍ଷୁଦ୍ରଗଳ୍ପରେ ବହୁ ଲକ୍ଷ୍ୟ ବା ଉଦ୍ଦେଶ୍ୟ ନଥାଏ । ଏକ ନିର୍ଦିଷ୍ଟ ଲକ୍ଷ୍ୟକୁ ମନ ମଧ୍ୟରେ ସ୍ଥିତକରି କଥାକାର ଗଳ୍ପ ଲେଖେ । ଲକ୍ଷ୍ୟର ଏକମୁଖୀନତା (singleness of aim)ରେ ହିଁ ଫଳାଫଳରେ ଏକମୁଖୀନତା (singleness of effect) ସୃଷ୍ଟି ହୋଇଥାଏ । ତେଣୁ ଗଳ୍ପକାର ମନ ମଧ୍ୟରେ ଏକକ ଧାରଣାକୁ ସ୍ଥିରକରି ଗଳ୍ପ ଲେଖେ । ଯେତେବେଳେ ଗଳ୍ପକାର ଏକକ ଧାରଣାକୁ ଗଳ୍ପରେ ରୂପଦିଏ‌, ତାହା ପାଠକକୁ ଆନନ୍ଦ ଦେଇଥାଏ । ନିର୍ଦ୍ଦିଷ୍ଟ ଧାରଣା ଓ ଚିନ୍ତାରେ ଏକାଗ୍ର ଭାବ ରଖି ବିଭିନ୍ନ ବିଷୟବସ୍ତୁ ସହିତ ଏକତା ରକ୍ଷାକରି ଗଳ୍ପ ରଚନା କରାଗଲେ ତାହା ସାର୍ବଜନୀନ ଓ ପ୍ରଭାବଶାଳୀ ହୋଇଥାଏ ।

 

ଚରିତ୍ର:

 

କ୍ଷୁଦ୍ରଗଳ୍ପରେ ବହୁ ଚରିତ୍ର ରହିବା କଥା ନୁହେଁ । ସ୍ୱଳ୍ପ ଚରିତ୍ର ମଧ୍ୟଦେଇ କ୍ଷୁଦ୍ରଗଳ୍ପର କଥାବସ୍ତୁ ବର୍ଣ୍ଣିତ ହୋଇଥାଏ । ଚରିତ୍ରର ବହୁଳତା କ୍ଷୁଦ୍ରଗଳ୍ପର ମହତ୍ତ୍ଵ ନଷ୍ଟ କରିଦିଏ । ଗଳ୍ପକାର ଦୈବଶକ୍ତି ଭାବରେ ଚରିତ୍ର ନେଇ ଗଳ୍ପ ରଚନା କରିପାରେ ବା ବ୍ୟକ୍ତିକ ଶୈଳୀ ମାଧ୍ୟମରେ କ୍ଷୁଦ୍ରଗଳ୍ପ ରଚନା କରିପାରେ । ବ୍ୟକ୍ତିକ ଶୈଳୀରେ ଗଳ୍ପକାର ନିଜକୁ ପ୍ରଧାନ ଚରିତ୍ର ଭାବରେ ଚିତ୍ରଣ କରେ । ଏ କ୍ଷେତ୍ରରେ ଲେଖକକୁ ବହୁ ସତର୍କତା ଅବଲମ୍ବନ କରିବାକୁ ହୋଇଥାଏ । ବେଳେ ବେଳେ କୌଣସି ଚରିତ୍ର ନଥାଇ ମଧ୍ୟ ଗଳ୍ପ ରଚନା କରାଯାଏ । ଏ କ୍ଷେତ୍ରରେ ଏକ ନିର୍ଦ୍ଦିଷ୍ଟ ମାନସିକତାକୁ ବର୍ଣ୍ଣନା କରାଯାଏ । ଚରିତ୍ର ଓ ଘଟଣା ଏହି ମାନସିକତାର ଅନ୍ତରାଳରେ ଲୀନ ହୋଇଥାନ୍ତି । ଚରିତ୍ରଗୁଡ଼ିକ ଯେପରି ବାସ୍ତବଧର୍ମୀ ହୁଏ ସେଥିପ୍ରତି ଲକ୍ଷ୍ୟଦିଆଯିବା ଉଚିତ । କଳ୍ପନା ବିଳାସୀ ଓ ଶୂନ୍ୟସଞ୍ଚାରୀ ଚରିତ୍ରଗୁଡ଼ିକ କ୍ଷୁଦ୍ରଗଳ୍ପର ମର୍ଯ୍ୟାଦା ବୃଦ୍ଧିକରେ ନାହିଁ । ଜୀବନ ସହିତ ଚରିତ୍ରଗୁଡ଼ିକ ଯେତିକି ଜଡ଼ିତ ହେବେ ସେତିକି ଗଳ୍ପ ହେବ ପ୍ରାଣବନ୍ତ ।

 

କ୍ଷୁଦ୍ରଗଳ୍ପରେ ଦ୍ୱନ୍ଦ୍ୱ, ଶୀର୍ଷ ଓ ନାଟକୀୟତା:–

 

ମଣିଷର ଜୀବନ ହେଉଛି ଦ୍ୱନ୍ଦ୍ୱମୟ । ଏହି ଦ୍ୱନ୍ଦ୍ୱମୟ ଜୀବନକୁ ଯେତେବେଳେ କ୍ଷୁଦ୍ରଗଳ୍ପରେ ରୂପାୟିତ କରାଯାଏ, ସେତେବେଳେ ଲେଖକକୁ ବିଶେଷ ଭାବର ଯତ୍ନଶୀଳ ହେବାକୁ ହୋଇଥାଏ । ସମାଜରେ ମଣିଷର ମଣିଷ ସହିତ ଯେପରି ଦ୍ୱନ୍ଦ୍ୱ ଦେଖାଦିଏ, ଠିକ୍‌ ସେହିପରି ତା’ର ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥାଏ ସମାଜ, ଆଦର୍ଶ, ଧର୍ମ ଓ ଅନ୍ୟାନ୍ୟ ଭାବଧାରା ସହିତ । ଦ୍ୱନ୍ଦ୍ୱହିଁ ମଣିଷର ମନରେ ଆବେଗିକ ସନ୍ଦେହ ସୃଷ୍ଟି କରେ । ତେଣୁ ଗଳ୍ପରେ ଦ୍ୱନ୍ଦ୍ୱ ଥିଲେ ତାହା ପାଠକକୁ ପଢ଼ିବା ପାଇଁ ପ୍ରେରଣା ଦେଇଥାଏ । ଆଜିର କ୍ଷୁଦ୍ରଗଳ୍ପରେ ଜଟିଳ ମାନସିକ ଦ୍ୱନ୍ଦ୍ୱକୁ ବିଶେଷ ଭାବରେ ସ୍ଥାନ ଦିଆଯାଉଛି । ଏଥିପାଇଁ କ୍ଷୁଦ୍ରଗଳ୍ପରେ ନାଟକୀୟତା ପ୍ରାଧାନ୍ୟ ଦିଆଯାଉଛି । ମୋଁପାସା ତେଣୁ କ୍ଷୁଦ୍ରଗଳ୍ପରେ dramatic violenceକୁ ମୁଖ୍ୟ ସ୍ଥାନ ଦିଅନ୍ତି । ଏହାଛଡ଼ା କ୍ଷୁଦ୍ରଗଳ୍ପରେ ଶୀର୍ଷ (climax) ମଧ୍ୟ ଥାଏ । ହୁଏତ ବେଳେ ବେଳେ କ୍ଷୁଦ୍ରଗଳ୍ପ ଏହି କ୍ଲାଇମାକ୍‌ସରୁ ହିଁ ଆରମ୍ଭ ହୋଇଥାଏ । ପ୍ରାଚୀନ କ୍ଷୁଦ୍ରଗଳ୍ପ ପରି ଆଧୁନିକ ଯୁଗରେ କ୍ଷୁଦ୍ରଗଳ୍ପର ଆରମ୍ଭ, ବିକାଶ, ଶୀର୍ଷ, ଅବତରଣ, ପରିଣତି ନ ଥାଏ । ଆଜିର କ୍ଷୁଦ୍ରଗଳ୍ପରେ କୌଣସି ଧରାବନ୍ଧା ନୀତିନିୟମ ନାହିଁ । ତଥାପି ଦ୍ୱନ୍ଦ୍ୱ କ୍ଲାଇମାକ୍‌ସ ଓ ନାଟକୀୟତା କ୍ଷୁଦ୍ରଗଳ୍ପର ମହନୀୟତା ସୃଷ୍ଟି କରିବାରେ ସାହାଯ୍ୟ କରିଥାଏ ।

 

କ୍ଷୁଦ୍ରଗଳ୍ପ ଓ ଆନନ୍ଦବୋଧ:

 

କ୍ଷୁଦ୍ରଗଳ୍ପର ଉଦ୍ଦେଶ୍ୟ ଯାହା ଥାଉନା କାହିଁକି, ଏହାର ପ୍ରଧାନ ଲକ୍ଷ୍ୟ ହେଉଛି ପାଠକକୁ ଆନନ୍ଦ ଦେବା । ଯଦି ଏହା ପାଠକକୁ ଆନନ୍ଦ ଦେଇ ନ ପାରେ, ତେବେ ଯେତେ ସାର୍ଥକ କ୍ଷୁଦ୍ରଗଳ୍ପ ହୋଇଥିଲେ ମଧ୍ୟ ଏହାର ମୂଲ୍ୟ ରହେ ନାହିଁ । କେତେକ ମତ ଦିଅନ୍ତି ଯେ, କ୍ଷୁଦ୍ରଗଳ୍ପରେ ସାମାଜିକ ଅଙ୍ଗୀକାର ରହିବା ଉଚିତ । କେତେକ ଏହି ମତକୁ ବିରୋଧ କରିଥାଆନ୍ତି । ତଥାପି ଏକଥା ସର୍ବବାଦୀସମ୍ମତ ଯେ, କ୍ଷୁଦ୍ରଗଳ୍ପ ଯଦି ପାଠକକୁ ଆନନ୍ଦ ଦେଇ ନ ପାରେ ତେବେ ତା’ର ମର୍ଯ୍ୟାଦା ରହେ ନାହିଁ । କ୍ଷୁଦ୍ରଗଳ୍ପର ପ୍ରଥମ ଲକ୍ଷ୍ୟ ହେଉଛି ପାଠକକୁ ଆନନ୍ଦ ଦେବା ଏବଂ ପରବର୍ତ୍ତୀ ଲକ୍ଷ୍ୟ ହେଉଛି ସେହି ଆନନ୍ଦ ଦାନ ମଧ୍ୟଦେଇ ପାଠକକୁ ସାମାଜିକ ସମସ୍ୟା ସମ୍ବନ୍ଧରେ ସଚେତନ କରାଇବା ।

 

କ୍ଷୁଦ୍ରଗଳ୍ପ ଓ ଉପନ୍ୟାସ:

 

କ୍ଷୁଦ୍ରଗଳ୍ପ ଉପନ୍ୟାସ ନୁହେଁ ବା ଉପନ୍ୟାସ କ୍ଷୁଦ୍ରଗଳ୍ପ ନୁହେଁ । ଉପନ୍ୟାସ ମଣିଷ ଜୀବନର ବିସ୍ତୃତ କାହାଣୀକୁ ପ୍ରକାଶ କରୁଥିଲା ବେଳେ କ୍ଷୁଦଗପ୍ରଳ୍ପ ଜୀବନର ଖଣ୍ଡିତାଂଶକୁ ପ୍ରକାଶ କରେ । ଉପନ୍ୟାସ ହେଉଛି ଶାଖାପଲ୍ଲବାକୀର୍ଣ୍ଣ ଜଟିଳ ବନସ୍ପତି ପରି । ମାତ୍ର କ୍ଷୁଦ୍ରଗଳ୍ପ ଲଘୁପକ୍ଷ ପ୍ରଜାପତି ଭଳି । ଉପନ୍ୟାସର ପରିଣତିରେ ଥାଏ ତୃପ୍ତି, ମାତ୍ର କ୍ଷୁଦଗପ୍ରଳ୍ପର ପରିଣତିରେ ଥାଏ ଅନ୍ତହୀନ ଜିଜ୍ଞାସା ଓ ଅତୃପ୍ତିର ବାସନା । କ୍ଷୁଦ୍ରଗଳ୍ପ ଶେଷ ହୋଇ ମଧ୍ୟ ଶେଷ ହୁଏ ନାହିଁ । ଆଉ କିଛି ରହିଗଲା ପରି ମନେହୁଏ । କ୍ଷୁଦ୍ରଗଳ୍ପର ସାର୍ଥକତା ଫୁଟିଉଠେ ବ୍ୟଞ୍ଜନାରେ, ମାତ୍ର ଉପନ୍ୟାସର ସାର୍ଥକତା ଫୁଟିଉଠେ ବର୍ଣ୍ଣନା ବିଳାସରେ । ବହୁ ଘଟଣା ଓ ଚରିତ୍ରକୁ ନେଇ ଉପନ୍ୟାସର କଳେବର ଗଢ଼ି ଉଠିଲାବେଳେ ସ୍ଵଳ୍ପ ଚରିତ୍ର ଓ ଘଟଣାକୁ ନେଇ କ୍ଷୁଦ୍ରଗଳ୍ପର ଶରୀର ଗଢ଼ିଉଠେ । ଉପନ୍ୟାସରେ ଚରିତ୍ରର ଆରମ୍ଭ, ବିକାଶ, ବୃଦ୍ଧି ଓ ଶେଷ ଥାଏ, ମାତ୍ର କ୍ଷୁଦ୍ରଗଳ୍ପର ଚରିତ୍ରର ଏଭଳି କିଛି ନ ଥାଏ । ତେଣୁ Virginia Wolf କହନ୍ତି, “Characters begin young, they grow old, they move from scene to scene, from place to place.” ଉପନ୍ୟାସରେ ସମୟର ପରିବର୍ତ୍ତନ ଘଟେ ଏବଂ ସେହି ସମୟରେ କ୍ରମବିକାଶ ଓ ବିବର୍ତ୍ତନ ଅନୁଯାୟୀ ଚରିତ୍ର ଓ ଘଟଣାର ବିବର୍ତ୍ତନ ଓ ବିକାଶ ସାଧିତ ହୋଇଥାଏ, ମାତ୍ର କ୍ଷୁଦ୍ରଗଳ୍ପର ସମୟରେ କୌଣସି ପରିବର୍ତ୍ତନ ଘଟେ ନାହିଁ । ଉପନ୍ୟାସରେ ଜୀବନର ବିସ୍ତୃତ କାହାଣୀ ବର୍ଣ୍ଣିତ ହେଉଥିବାବେଳେ କ୍ଷୁଦ୍ରଗଳ୍ପରେ ଜୀବନର କେତେକ ବିଶିଷ୍ଟ ମୁହୂର୍ତ୍ତ ଅଭିବ୍ୟଞ୍ଜିତ ହୋଇଥାଏ । ତେଣୁ କୁହାଅଛି, “A poem insinuates, a novel pushes, but a short story hits.”

 

କ୍ଷୁଦ୍ରଗଳ୍ପ, ଅଣୁଗଳ୍ପ ଓ ଆଭାସ-ଗଳ୍ପ

 

କ୍ଷୁଦ୍ରଗଳ୍ପ ପରେ ଗଳ୍ପ କ୍ଷେତ୍ରରେ ଅଣୁଗଳ୍ପ ଓ ଆଭାସ-ଗଳ୍ପ ଦୁଇଟି ବିଭାଗ ଦେଖାଯାଇଛି । ଏଗୁଡ଼ିକ କ୍ଷୁଦ୍ରଗଳ୍ପର ସପତ୍ନୀ ନୁହନ୍ତି; ବରଂ ପରିପୂରକ । ଅଣୁଗଳ୍ପ କ୍ଷୁଦ୍ରଗଳ୍ପର ସମମର୍ମୀ । ଏଥିରେ ଏକ ନିର୍ଦ୍ଦିଷ୍ଟ କାହାଣୀ ଥାଏ ଏବଂ ଏକ ନିର୍ଦ୍ଦିଷ୍ଟ ମାନସିକତା ଥାଏ । କିନ୍ତୁ କ୍ଷୁଦ୍ରଗଳ୍ପ ପରି ଏହା ଦୀର୍ଘ ନୁହେଁ । ଏହା ମିତଭାଷୀ । ଯେତିକି ଦରକାର ସେତିକି କହେ । କ୍ଷୁଦ୍ରଗଳ୍ପ ମୁହୂର୍ତ୍ତକୁ ରୂପାୟିତ କରୁଥିଲାବେଳେ ଏହା ମୁହୂର୍ତ୍ତର ଖଣ୍ଡାଂଶକୁ ବର୍ଣ୍ଣନା କରେ । ବିନ୍ଦୁରେ ସିନ୍ଧୁ ଦର୍ଶନ ଏହାର ଲକ୍ଷ୍ୟ । ଆଭାସ ଗଳ୍ପରେ କାହାଣୀ ବା ଚରିତ୍ର ନ ଥାଏ, ମାତ୍ର ଏକ ନିର୍ଦ୍ଦିଷ୍ଟ ଭାବାବେଗଥାଏ । ସେହି ଭାବାବେଗର ଅନ୍ତରାଳରେ ବହୁ କାହାଣୀ ଓ ଚରିତ୍ର ଲୀନ ହୋଇଥାଏ । କାବ୍ୟିକ ବର୍ଣ୍ଣନା-ବୈଚିତ୍ର୍ୟ ମଧ୍ୟ ଦେଇ ଏହାର ବୈଶିଷ୍ଟ୍ୟ ଫୁଟିଉଠେ । ଆଭାସ-ଗଳ୍ପ କାବ୍ୟିକ ରୂପକଳ୍ପ ମଧ୍ୟଦେଇ ଜୀବନର ଏକ ନିର୍ଦ୍ଦିଷ୍ଟ ଦିଗକୁ ଆଭାସିତ କରିଥାଏ ମାତ୍ର ।

 

କ୍ଷୁଦ୍ରଗଳ୍ପର ପ୍ରକାର ଭେଦ–

 

ଯେ କୌଣସି ବିଷୟକୁ ନେଇ କ୍ଷୁଦ୍ରଗଳ୍ପ ରଚନା କରାଯାଇପାରେ । ସାମାଜିକ, ଐତିହାସିକ ଓ ମନସ୍ତାତ୍ତ୍ଵିକ ଆଦି ବିଭିନ୍ନ କଥାବସ୍ତୁକୁ ନେଇ କ୍ଷୁଦ୍ରଗଳ୍ପ ରଚନା କରାଯାଇଛି । କଥାବସ୍ତୁ ଓ ପ୍ରକାଶଭଙ୍ଗୀକୁ ନେଇ କ୍ଷୁଦ୍ରଗଳ୍ପକୁ ନିମ୍ନଲିଖିତ ଭାବରେ ବିଭକ୍ତ କରାଯାଇପାରେ ।

(କ) ସାମାଜିକ କ୍ଷୁଦ୍ରଗଳ୍ପ ।

(ଖ) ଐତିହାସିକ କ୍ଷୁଦ୍ରଗଳ୍ପ ।

(ଗ) ମନସ୍ତାତ୍ତ୍ୱିକ କ୍ଷୁଦ୍ରଗଳ୍ପ ।

(ଘ) ଡିଟେକ୍‌ଟିଭ୍ ବା ରହସ୍ୟଭେଦମୂଳକ କ୍ଷୁଦ୍ରଗଳ୍ପ ।

(ଙ) ହାସ୍ୟ ଓ ବ୍ୟଙ୍ଗାତ୍ମକ କ୍ଷୁଦ୍ରଗଳ୍ପ ।

(ଚ) ପ୍ରଗତିବାଦୀ କ୍ଷୁଦ୍ରଗଳ୍ପ ।

(ଛ) ସମାଜବାଦୀ କ୍ଷୁଦ୍ରଗଳ୍ପ ।

(ଜ) ମାନବତାବାଦୀ କ୍ଷୁଦ୍ରଗଳ୍ପ ।

(ଝ) ରାଜନୀତିକ କ୍ଷୁଦ୍ରଗଳ୍ପ ।

(ଞ) ବୈଜ୍ଞାନିକ କ୍ଷୁଦ୍ରଗଳ୍ପ ।

(ଟ) ପ୍ରେମମୂଳକ ବା ଯୌନଧର୍ମୀ କ୍ଷୁଦ୍ରଗଳ୍ପ ।

(ଠ) ଅନୁବାଦ ଗଳ୍ପ ।

(ଡ) ଆଭାସ ଗଳ୍ପ ।

(ଢ) ଅଣୁଗଳ୍ପ ବା ମିନିଗଳ୍ପ ।

(ଣ) ସାଙ୍କେତିକ କ୍ଷୁଦ୍ରଗଳ୍ପ ।

(ତ) ଉଦ୍ଭଟ ଗଳ୍ପ ।

(ଥ) ପ୍ରତୀକବାଦୀ କ୍ଷୁଦ୍ରଗଳ୍ପ ।

(କ) ସାମାଜିକ କ୍ଷୁଦ୍ରଗଳ୍ପ (Social Short Story):

ସାମାଜିକ ଜୀବନର ନାନା ସମସ୍ୟାକୁ ନେଇ କ୍ଷୁଦ୍ରଗଳ୍ପ ଲେଖାଯାଇଥାଏ । ଏ ଧରଣର କ୍ଷୁଦ୍ରଗଳ୍ପରେ ସମାଜ ଜୀବନର ସ୍ଵରୂପ ଉତ୍‌‌କୀର୍ଣ୍ଣ । ସମାଜ ସଂସ୍କାର, ସମାଜର ଅନ୍ତର୍ନିହିତ ଦ୍ଵନ୍ଦ୍ଵ, ସମାଜର ଉତ୍‌ଥାନ ପତନ, ସମାଜର ବହିଃରଙ୍ଗ ପ୍ରବୃତ୍ତି ସବୁକିଛି ଏ ଧରଣର ଗଳ୍ପରେ ରୂପାୟିତ ହୋଇଥାଏ । ମଣିଷ ଏକ ସାମାଜିକ ଜୀବ । ତାକୁ ଜୀବନ ସଂଗ୍ରାମ ଭିତରେ ଗତିକରିବାକୁ ହୋଇଥାଏ । ତେଣୁ କଥାକାର ତା’ର ଗଳ୍ପ ମଧ୍ୟଦେଇ ପାଠକକୁ ସାମାଜିକ ଅବସ୍ଥା ସମ୍ବନ୍ଧରେ ସଚେତନ କରାଇ ଥାଏ ।

 

(ଖ) ଐତିହାସିକ କ୍ଷୁଦ୍ରଗଳ୍ପ (Historical short story):

 

ଲେଖକ ଅନେକ ସମୟରେ ଇତିହାସରୁ ଚରିତ୍ର ବା ଘଟଣା ନେଇ ଐତିହାସିକ ଗଳ୍ପ ଲେଖିଥାଏ । ଏ ଧରଣର ଗଳ୍ପରେ ଇତିହାସ ଉପାଦାନ ହେଲେହେଁ ଲେଖକ ସେଥିରେ ଜାତୀୟ ଆଶା ଆକାଂକ୍ଷାକୁ ପ୍ରକାଶ କରିଥାଏ । ବର୍ଣ୍ଣନା ଏ ଧରଣର ଗଳ୍ପର ମୁଖ୍ୟକଥା; ମାତ୍ର ଅନେକ ସମୟରେ ବ୍ୟଞ୍ଜନାତ୍ମକ ଶୈଳୀରେ ଇତିହାସର ଅନ୍ତର୍ନିହିତ ଭାବସ୍ପନ୍ଦନକୁ ପ୍ରକାଶ କରାଯାଇଥାଏ-

 

(ଗ) ମନସ୍ତାତ୍ତ୍ୱିକ କ୍ଷୁଦ୍ରଗଳ୍ପ (Phychological Short Story):

 

ଆଧୁନିକ କ୍ଷୁଦ୍ରଗଳ୍ପ ମଣିଷର ବାହ୍ୟ ଜୀବନ ବା ବାହ୍ୟ ସମାଜ ବ୍ୟବସ୍ଥା ଉପରେ ଗୁରୁତ୍ଵଦେଇ ତା’ର ଅବଚେତନ ମନର ରହସ୍ୟକୁ ଉନ୍ମୋଚନ କରୁଅଛି । ଅବଚେତନ ସ୍ତରର ସଂଘର୍ଷ-ସଂଘାତ ଓ ସ୍ଵ ବିରୋଧକୁ ଏ ଧରଣର କ୍ଷୁଦ୍ରଗଳ୍ପରେ ରୂପାୟନ କରାଯାଉଅଛି । ଲେଖକକୁ ଏତାଦୃଶ ଗଳ୍ପ ଲେଖିବାକୁ ସତର୍କତା ଅବଲମ୍ବନ କରିବାକୁ ହୋଇଥାଏ ।

 

(ଘ) ରହସ୍ୟଭେଦମୂଳକ ଗଳ୍ପ (The Detective Story):

 

ଆଧୁନିକ ସାହିତ୍ୟରେ ଗୁଇନ୍ଦା ଗଳ୍ପ ବେଶ୍‍ ଲୋକପ୍ରିୟତା ଅର୍ଜନ କରିଅଛି । ଅପରାଧ ଓ ତା’ର ଅନୁସନ୍ଧାନଜନିତ ରହସ୍ୟମୟ ଘଟଣା ହିଁ ଏହି ଡିଟେକ୍‌ଟିଭ ଗଳ୍ପର କଥାବସ୍ତୁ । ଏଥିରେ ବହୁ ରୋମାଞ୍ଚକର ଘଟଣା ବର୍ଣ୍ଣିତ ହୋଇଥାଏ ।

 

(ଙ) ହାସ୍ୟ ଓ ବ୍ୟଙ୍ଗାତ୍ମକ ଗଳ୍ପ (Humourous & Satirical Short Story)

 

ଆଧୁନିକ ଯୁଗରେ ମଧ୍ୟ ବହୁହାସ୍ୟ ଓ ବ୍ୟଙ୍ଗାତ୍ମକ ଗଳ୍ପ ଲେଖାଯାଇଅଛି । ଜୀବନରେ ଯେପରି ଟ୍ରାଜେଡି ଅଛି ସେହିପରି ଅଛି ମଧ୍ୟ ହାସ୍ୟ ଓ ଆନନ୍ଦ । ତେଣୁ ଲେଖକ ନିର୍ମଳ ହାସ୍ୟରସକୁ ନେଇ ଗଳ୍ପ ରଚନା କରୁଅଛି । ଏପରି ଗଳ୍ପ ପାଠକକୁ ଆନନ୍ଦ ଦେଇଥାଏ । ବ୍ୟକ୍ତି ବିଶେଷର ଚରିତ୍ର ସଂଶୋଧନ ପାଇଁ ବା କୌଣସି ଅଦର୍ଶ ଓ ଭାବର ସଂସ୍କାର ପାଇଁ ଲେଖକ ବ୍ୟଙ୍ଗାତ୍ମକ ଶୈଳୀର ବ୍ୟବହାର କରିଥାଏ ।

 

(ଚ) ପ୍ରଗତିବାଦୀ କ୍ଷୁଦ୍ରଗଳ୍ପ (Progressive Short Story):

 

ଆଧୁନିକ ସାହିତ୍ୟରେ ପ୍ରଗତିବାଦୀ କ୍ଷୁଦ୍ରଗଳ୍ପ ବେଶ୍‍ ପ୍ରଭାବ ପକାଇଅଛି । ଏ ଧରଣର କ୍ଷୁଦ୍ରଗଳ୍ପ କଳ୍ପନା ବିଳାସ ବା ସ୍ଵପ୍ନ ଯୌବନର କଥା ନ କହି ସମସ୍ୟା-ପୀଡ଼ିତ ଜୀବନ ଓ ସମାଜର ନବୋତ୍‌ଥାନ ପାଇଁ ପ୍ରେରଣା ଦେଇଥାଏ । ଏପରି କ୍ଷୁଦ୍ରଗଳ୍ପ ମାର୍କସୀୟ ଶ୍ରେଣୀ-ଚେତନାରେ ସମୃଦ୍ଧ । ରୁଷିଆରେ ଏପରି ଗଳ୍ପ ଅନେକ ଲେଖାଯାଇଛି । ସମ୍ପ୍ରତି ବିଶ୍ୱର ବିଭିନ୍ନ ଦେଶରେ ପ୍ରଗତିବାଦୀ କ୍ଷୁଦ୍ରଗଳ୍ପ ଲେଖା ଯାଉଅଛି ।

 

(ଛ) ସମାଜବାଦୀ କ୍ଷୁଦ୍ରଗଳ୍ପ (ocialistic Short Story)

 

ଯେଉଁ କ୍ଷୁଦ୍ରଗଳ୍ପ ସମାଜବାଦ ସୃଷ୍ଟି କରିବାକୁ ପ୍ରେରଣା ଦିଏ ତାହାକୁ ସମାଜବାଦୀ ଗଳ୍ପ କହନ୍ତି । ଏପରି ଗଳ୍ପରେ ରୋମାଣ୍ଟିକ ଭାବସତ୍ତା ସହିତ ବୈପ୍ଳବିକ ମାନବିକ ଆବେଦନ ଥାଏ । ଏଥିରେ ନୈରାଶ୍ୟ ନଥାଏ, ମାତ୍ର ଥାଏ ଆଶାବାଦ । ଶୋଷଣମୁକ୍ତ ସମାଜ ଗଠନ କରିବା ପାଇଁ ଏହିପରି କ୍ଷୁଦ୍ରଗଳ୍ପ ପ୍ରେରଣା ଦେଇଥାଏ ।

 

(ଜ) ମାନବତାବାଦୀ କ୍ଷୁଦ୍ରଗଳ୍ପ (Humanistic Short Story)

 

ଯେଉଁ ଗଳ୍ପରେ ମାନବିକ ସମ୍ବେଦନା ଓ ମାନବିକ ସହାନୁଭୂତି ଥାଏ ତାହାକୁ ମାନବତାବାଦୀ କ୍ଷୁଦ୍ରଗଳ୍ପ କୁହାଯାଏ । ଏଥିରେ ସାଧାରଣ ମଣିଷ ପ୍ରତି ସହାନୁଭୂତି ଓ ସମ୍ବେଦନା ସୃଷ୍ଟି ହୋଇଥାଏ । ମଣିଷ ଉପରେ ଅଧିକ ଗୁରୁତ୍ଵ ଆରୋପ କରାଯାଇଥାଏ ।

 

(ଝ) ରାଜନୀତିକ କ୍ଷୁଦ୍ରଗଳ୍ପ (Political Short Story)

 

ଆଧୁନିକ ଯୁଗରେ ମଣିଷ ଅଧିକ ପରିମାଣରେ ରାଜନୀତି ସଚେତନ । ତେଣୁ କଥାକାର ରାଜନୀତିକ ସମସ୍ୟାକୁ ନେଇ ଗଳ୍ପ ରଚନା କରୁଅଛି । ଅନେକ ସମୟରେ ସେ ରାଜନୀତିକ ସଙ୍କଟ ଓ ରାଜନୀତିକ ଯଥେଚ୍ଛାଚାରକୁ କ୍ଷୁଦ୍ରଗଳ୍ପରେ ରୂପାୟନ କରିଅଛି ।

 

(ଞ) ବୈଜ୍ଞାନିକ କ୍ଷୁଦ୍ରଗଳ୍ପ (The Scientific Story):

 

ଆଧୁନିକ ଯୁଗ ବୈଜ୍ଞାନିକ ଯୁଗ, ତେଣୁ ବିଜ୍ଞାନର ବିଷୟକୁ ନେଇ କଥାକାର ଗଳ୍ପ ରଚନା କରିଅଛି । ଗ୍ରହ ଗ୍ରହାନ୍ତର ଯାତ୍ରା ଓ ଅନ୍ୟଗ୍ରହରେ ଜୀବନ ଯାତ୍ରା ତଥା ଅନ୍ୟାନ୍ୟ ବୈଜ୍ଞାନିକ ବିଷୟକୁ ନେଇ କ୍ଷୁଦ୍ରଗଳ୍ପ ରଚନା କରାଯାଉଅଛି ।

 

(ଟ) ପ୍ରେମମୂଳକ ବା ଯୌନଧର୍ମୀ ଗଳ୍ପ (The loveStory):

ଯେଉଁ ଗଳ୍ପରେ ପ୍ରେମ ଓ ଯୌନତା ସମ୍ପର୍କରେ ପ୍ରଧାନ୍ୟ ଦିଅଯାଇଥାଏ ତାକୁ ପ୍ରେମମୂଳକ ଗଳ୍ପ କୁହାଯାଏ । ଅନେକ ସମୟରେ କଥାକାର ନର-ନାରୀଙ୍କର ଯୌନାକାଂକ୍ଷା ଉପରେ ଗୁରୁତ୍ୱ ଦେଇ ଜୀବନର ରହସ୍ୟକୁ ଉଦ୍‌ଘାଟନ କରିଥାଏ । ଏ ଧରଣର ଗଳ୍ପରେ ଯୌନତା ଓ ସୌନ୍ଦର୍ଯ୍ୟବୋଧ ଘନିଷ୍ଠ ଭାବରେ ସମ୍ପୃକ୍ତ ।

(O) ଅନୁବାଦ ଗଳ୍ପ (Translated Story):

ଅନ୍ୟଭାଷାରୁ କ୍ଷୁଦ୍ରଗଳ୍ପକୁ ଅନୁବାଦ କରାଯାଇଥାଏ । ଅନେକ ସମୟରେ କୌଣସି ଭାଷାର ଗଳ୍ପର ମର୍ମକୁ ନେଇ ମଧ୍ୟ ଗଳ୍ପ ଲେଖାଯାଇଥାଏ ।

(ଡ଼) ଆଭାସ ଗଳ୍ପ (The Sketches):

ଏ ଧରଣର ଗଳ୍ପରେ କାହାଣୀ ବା ଚରିତ୍ରର ବର୍ଣ୍ଣନା ନଥାଏ, ମାତ୍ର କାବ୍ୟିକ ଚିତ୍ରକଳ୍ପ ମଧ୍ୟ ଦେଇ କୌଣସି ନିର୍ଦ୍ଦିଷ୍ଟ ଭାବର ବା ଅନେକ ଭାବର ସମାବେଶ ହୋଇଥାଏ । ଏହା ଅପେକ୍ଷାକୃତ କ୍ଷୁଦ୍ର ।

(ଢ) ଅଣୁଗଳ୍ପ ବା ମିନିଗଳ୍ପ (Mini Story):

ଏହା କ୍ଷୁଦ୍ରଗଳ୍ପର ମିନିରୂପ ନୁହେଁ, ମାତ୍ର ଏକ ସ୍ଵତନ୍ତ୍ର କଳାଶିଳ୍ପ । ଏଥିରେ ବହୁ କାହାଣୀ ବା ଭାବ ନଥାଏ । ବିନ୍ଦୁ ମଧ୍ୟରେ ସିନ୍ଧୁର ଦର୍ଶନ ହିଁ ଏ ଧରଣ ଗଳ୍ପର ମର୍ମବାଣୀ ।

 

ସାଙ୍କେତିକ ଗଳ୍ପ (Impressionistic Story):

 

ଯେଉଁ ଗଳ୍ପ କେତେକ ପ୍ରତୀତି ସୃଷ୍ଟିକରେ ତାହାକୁ ପ୍ରତୀତିଧର୍ମୀ ଗଳ୍ପ କୁହାଯାଏ । ସାଙ୍କେତିକ ଶବ୍ଦ ବିନ୍ୟାସରେ ଗଳ୍ପର ଭାବକୁ ଏଥିରେ ପ୍ରକାଶ କରାଯାଇ ଥାଏ । ବର୍ଣ୍ଣନା ଏହାର ମୁଖ୍ୟ ନୁହେଁ ମାତ୍ର ସଙ୍କେତ ଓ ପ୍ରତୀତି ହିଁ ମୁଖ୍ୟ ।

 

(ତ) ଉଦ୍ଭଟ ଗଳ୍ପ (Absurd Story):

 

ଆଜିର ଜୀବନ ଆବ୍‌ସାର୍ଡ । ଏହି ଅସଂଗତିପୂର୍ଣ୍ଣ ଓ ଶୂନ୍ୟଗର୍ଭ ଜୀବନର ଭାବକୁ ଏ ଧରଣର ଗଳ୍ପରେ ପ୍ରକାଶ କରାଯାଇଥାଏ । ଏହାର ପ୍ରକାଶ ଭଙ୍ଗୀ ଉଦ୍ଭଟ । ବାହାରକୁ ଅସଂଲଗ୍ନ ଜଣାଉଥିଲେହେଁ ଏପରି ଗଳ୍ପରେ ଅନ୍ତର୍ନିହିତ ସଂଗତି ଭାବ ବିଦ୍ୟମାନ ।

 

(ଥ) ପ୍ରତୀକବାଦୀ ଗଳ୍ପ (Symbolic Story):

 

ଆଧୁନିକ କ୍ଷୁଦ୍ରଗଳ୍ପରେ ବର୍ଣ୍ଣନା ଉପରେ ଗୁରୁତ୍ୱ ପ୍ରଦାନ କରାନଯାଇ ଇଙ୍ଗିତ ଉପରେ ଗୁରୁତ୍ଵ ପ୍ରଦାନ କରାଯାଉଅଛି । ତେଣୁ ପ୍ରତୀକାତ୍ମକ ଭାଷା ବିନ୍ୟାସରେ କ୍ଷୁଦ୍ରଗଳ୍ପପର ସୌନ୍ଦର୍ଯ୍ୟ ସୃଷ୍ଟି କରାଯାଉଅଛି ।

 

କ୍ଷୁଦ୍ରଗଳ୍ପର ବିକାଶ ଓ ପରିଣତି:

 

ଆଧୁନିକ ଯୁଗରେ କ୍ଷୁଦ୍ରଗଳ୍ପ ସୃଷ୍ଟି ହେବା ପୂର୍ବରୁ ଲୋକଗଳ୍ପ ପ୍ରଚଳିତ ଥିଲା । ଏହି କାହାଣୀର ସ୍ରଷ୍ଟା ଲୋକସାଧାରଣ । ସାଧାରଣ ଲୋକମୁଖକୁ ଏହାର ଗତି । ଏହା ଜନସାଧାରଣଙ୍କର କାହାଣୀ ପିପାସାକୁ ଚରିତାର୍ଥ କରୁଥିଲା । ବେଦ ଉପନିଷଦ ଓ ପୁରାଣମାନଙ୍କର କାହାଣୀ ବିଦ୍ୟାମନ । ଏହା ହିଁ ପ୍ରକୃତରେ କାହାଣୀ ସୃଷ୍ଟି ପାଇଁ ପ୍ରେରଣା ଦେଇଥିବ । ଜାତକ କାହାଣୀ, ପଞ୍ଚତନ୍ତ୍ର, ହିତୋପଦେଶ, ଆରବ ରଜନୀର କାହାଣୀ, De Cameron, The Canterbury Tales, Aesope Fables ପ୍ରଭୃତି ଯୁଗ ଯୁଗ ଧରି ଜନସାଧାରଣଙ୍କର କାହାଣୀ ପିପାସାକୁ ଚରିତାର୍ଥ କରୁଥିଲା । ଇଂଲଣ୍ଡରେ ନବଜାଗରଣ ସମୟରେ କେତେକ କ୍ଷୁଦ୍ରଗଳ୍ପ ରଚିତ ହୋଇଥିଲା । ମାତ୍ର ଅଷ୍ଟାଦଶ ଶତାବ୍ଦୀରେ କ୍ଷୁଦ୍ରଗଳ୍ପ କ୍ରମବିକାଶ ସାଧିତ ହେଲା ।

 

ୟୁରୋପରେ ଖ୍ରୀଷ୍ଟଧର୍ମର ପ୍ରସାର ପାଇଁ ଲୋକଶିକ୍ଷା ପ୍ରୟୋଜନ ହୋଇଥିଲା ଏବଂ ଏହି କାରଣରୁ ନୀତିମୂଳକ ତଥା ଧର୍ମୀୟ ଗଳ୍ପ ରଚିତ ହୋଇଥିଲା । ଯୀଶୁଙ୍କ ଜୀବନକୁ ନେଇ ଅନେକ ଗଳ୍ପ ରଚିତ ହୋଇଥିଲା । ଏପରି ଗଳ୍ପଗୁଡ଼ିକ ଉପଦେଶ ମୂଳକ । Johon Gower ଏବଂ Chaucer ଏହି ସମୟର ଦୁଇଜଣ ପ୍ରସିଦ୍ଧ କଥାକାର । ଚତୁର୍ଦ୍ଦଶ ଶତାବ୍ଦୀ ବେଳକୁ ଏମାନେ ନୀତିମୂଳକ ଗଳ୍ପ ରଚନା କରି ସାରିଥିଲେ । ପଞ୍ଚଦଶ ଶତାବ୍ଦୀରେ Thomas Malory ପ୍ରଥମେ ଗଦ୍ୟରେ ଗଳ୍ପ ରଚନା କଲେ । ଏଲିଜାବେଥ ଯୁଗରେ Johon lily, Robert Green, Thomas Nashe ଓ Thomas Deloney ଆଦି କଥାକାରମାନେ ଗଳ୍ପ ଲେଖିଥିଲେ । ତଥାପି ସେହିସବୁ ଗଳ୍ପ କାହାଣୀଧର୍ମୀ ଥିଲା । ଆଧୁନିକ ଅର୍ଥରେ ସେଗୁଡ଼ିକୁ କ୍ଷୁଦ୍ରଗଳ୍ପ କୁହାଯାଇ ନପାରେ । ଅଷ୍ଟାଦଶ ଶତାବ୍ଦୀର ଶେଷ ଓ ଊନବିଂଶ ଶତାବ୍ଦୀରେ ବହୁ କଥାକାର କ୍ଷୁଦ୍ରଗଳ୍ପ କ୍ଷେତ୍ରରେ ଆଭିନବ ପରୀକ୍ଷା କରିଥିଲେ । ଓ୍ୱାଲଟସ୍କଟ, ଷ୍ଟିଭେନସନ, ଚାର୍ଲସ ଡକେନସ ପ୍ରମୁଖ ଲେଖକଗଣ ଏ ଦିଗରେ ଆଶାତୀତ ସଫଳତା ଆର୍ଜନ କରିଥିଲେ । କ୍ଷୁଦ୍ରଗଳ୍ପକୁ ଏମାନେ ସାହିତ୍ୟରେ ଏକ ସ୍ଵତନ୍ତ୍ର ମର୍ଯ୍ୟାଦା ପ୍ରଦାନ କଲେ । ଆଧୁନିକ ଯୁଗର Joseph Rudy and Kipling, William Somerset Maugham, D.H. Lawrence, Joseph Conrad, H.G. Wells, Katherine Mansfield, O. Henry, Pearl S. Buck, William Sydney porter, Jules Verne, Balzac, Maupassant, Maxim Gorki, Leo Tolstoy, Turgnev, Chekov ପ୍ରମୁଖ ବହୁ ଶିଳ୍ପୀ କ୍ଷୁଦ୍ରଗଳ୍ପ କ୍ଷେତ୍ରରେ ଅଭିନବ ପ୍ରଗତି ସୃଷ୍ଟି କରିଅଛନ୍ତି-। ଊନବିଂଶ ଶତାବ୍ଦୀରେ ଆମେରିକାର ଲେଖକ Edgar Allan Poe କ୍ଷୁଦ୍ରଗଳ୍ପ କ୍ଷେତ୍ରରେ ନୂତନତ୍ଵ ପ୍ରଦର୍ଶନ କଲେ । ତାଙ୍କ ପରେ ନାଥାନିଏଲ ହଥର୍ଣ୍ଣ, A.G. Wells ଆଦି ଗଳ୍ପକାରମାନେ କ୍ଷୁଦ୍ରଗଳ୍ପ କ୍ଷେତ୍ରରେ ଆଶାତୀତ ଅଭିନବତ୍ଵ ଦେଖାଇଲେ । ଫ୍ରାନ୍ସର ମୋଁପାସା ଏବଂ ରୁଷିଆର ଚେକଭ ସମଗ୍ର ବିଶ୍ଵରେ କ୍ଷୁଦ୍ରଗଳ୍ପ କ୍ଷେତ୍ରରେ ଦୁଇଜଣ ଅପ୍ରତିଦ୍ୱନ୍ଦ୍ୱୀ କଥାଶିଳ୍ପୀ-। ସେମାନେ କଥା ସାହିତ୍ୟରେ ବୈପ୍ଳବିକ ପରିବର୍ତ୍ତନ ଆଣିଲେ । ଆଧୁନିକ ଯୁଗରେ କ୍ଷୁଦ୍ରଗଳ୍ପ ଯେ ପ୍ରଗତି ପଥରେ ଆଗେଇ ଚାଲିଛି ଏଥିରେ ସନ୍ଦେହ ନାହିଁ ।

 

ଓଡ଼ିଆ କ୍ଷୁଦ୍ରଗଳ୍ପର ଗତି ଓ ପ୍ରକୃତି:

 

ଓଡ଼ିଆ କ୍ଷୁଦ୍ରଗଳ୍ପର ସୃଷ୍ଟି ବେଶିଦିନର ନୁହେଁ । ଊନବିଂଶ ଶତାବ୍ଦୀର ଶେଷରେ ସର୍ବପ୍ରଥମେ ଆଧୁନିକ ଓଡ଼ିଆ କ୍ଷୁଦ୍ରଗଳ୍ପ ‘ରେବତୀ’ (୧୮୯୮) ସୃଷ୍ଟି ହୋଇଥିଲା । ପ୍ରାକ୍‍ ‘ରେବତୀ’ ଯୁଗରେ ମଧ୍ୟ କେତେକ ଗଳ୍ପ ରଚିତ ହୋଇଥିଲା । ଫକୀରମୋହନ ସେନାପତି ‘ଲଛମନିଆ’ ନାମକ ଗୋଟିଏ ଗଳ୍ପ ‘ବୋଧଦାୟିନୀ’ ପତ୍ରିକାରେ ଲେଖିଥିଲେ ବୋଲି ତାଙ୍କର ଆତ୍ମଜୀବନରେ ଉଲ୍ଲେଖ କରିଅଛନ୍ତି । ଏହା ୧୮୬୮ ମସିହାରେ ପ୍ରକାଶିତ ହୋଇଥିଲା । ମାତ୍ର ଉକ୍ତଗଳ୍ପ ଆଜି ଦୁଷ୍ପ୍ରାପ୍ୟ ।

 

ଏହାପରେ କବିବର ରାଧାନାଥ ରାୟଙ୍କର ‘ଇତାଲୀୟ ଯୁବା’, ଭକ୍ତକବି ମଧୁସୂଦନ ରାଓଙ୍କର ‘ପ୍ରଣୟର ଅଦ୍ଭୁତ ପରିଣାମ’, ‘ଚନ୍ଦ୍ର ଓ ତାରା’ ‘ହେମମାଳା’, ଆଦି ଗଳ୍ପଗୁଡ଼ିକ ପ୍ରକାଶିତ ହୋଇଥିଲା । ଏ ସବୁ ଗଳ୍ପକୁ ଆଧୁନିକ ବିଚାରଧାରା ଦୃଷ୍ଟିରୁ ଯଥାର୍ଥରେ କ୍ଷୁଦ୍ରଗଳ୍ପ କୁହାଯାଇ ନ ପାରେ । ତେଣୁ ‘ରେବତୀ’କୁ ହିଁ ଆଧୁନିକ ଓଡ଼ିଆ ସାହିତ୍ୟର ପ୍ରଥମ କ୍ଷୁଦ୍ରଗଳ୍ପ ବୋଲି କୁହାଯାଇଛି-। ଏହା ୧୮୯୮ ସାଲ ଆକ୍ଟୋବର ମାସରେ ଉତ୍କଳ ସାହିତ୍ୟ ପତ୍ରିକାରେ ‘ଧୂର୍ଜଟି’ ଛଦ୍ମନାମରେ ପ୍ରକାଶିତ ହୋଇଥିଲା ।

 

ଓଡ଼ିଆ କ୍ଷୁଦ୍ରଗଳ୍ପର ପ୍ରଥମ ଯୁଗରେ ଲେଖକ କୌଣସି ଜଣେ ବିଶିଷ୍ଟ ଲୋକଙ୍କର ଉଦ୍ଧୃତିକୁ ପ୍ରଥମେ ନେଇ ଗଳ୍ପ ରଚନା କରୁଥିଲେ । ଫକୀରମୋହନ ମଧ୍ୟ ସେହି ଆଦର୍ଶରେ ଅନୁପ୍ରାଣିତ ହୋଇ ‘ରେବତୀ ଗଳ୍ପର ଆରମ୍ଭ କରିଥିଲେ । ଏହି ଗଳ୍ପର ଆରମ୍ଭରେ Rev J.H Gurneyaର ଏକ କବିତାଂଶ ଉଲ୍ଲେଖ ଥିଲା–

 

“But off some shining April morn

Is darkened in an hour

And blackest grief’s over joyous home

Alas ! unseen may lower”

 

ଏହି ଆଦର୍ଶରେ ଅନୁପ୍ରାଣିତ ହୋଇ କଥାକାର ଚନ୍ଦ୍ରଶେଖର ନନ୍ଦ ମଧ୍ୟ ତାଙ୍କର କ୍ଷୁଦ୍ରଗଳ୍ପଗୁଡ଼ିକୁ ରଚନା କରିଥିଲେ । ଫକୀରମୋହନଙ୍କର ପ୍ରଥମ ଗଳ୍ପ ‘ରେବତୀ’ ୧୮୯୮ରେ ପ୍ରକାଶିତ ହୋଇଥିଲା ଓ ଶେଷ ଗଳ୍ପ ‘ଗାରୁଡ଼ି ମନ୍ତ୍ର’, ୧୯୧୭ରେ ପ୍ରକାଶିତ ହୋଇଥିଲା । ଏହି ସମୟ ମଧ୍ୟରେ ସେ କୋଡ଼ିଏଟି କ୍ଷୁଦ୍ରଗଳ୍ପ ରଚନା କରିଥିଲେ । ଫକୀରମୋହନଙ୍କର କ୍ଷୁଦ୍ରଗଳ୍ପଗୁଡ଼ିକ ତାଙ୍କର ପରିଣତ ବୟସର ସୃଷ୍ଟି । ଏଥିରେ ଊନବିଂଶ ଶତାବ୍ଦୀର ଶେଷ ତିରିଶି ବର୍ଷର ସାମାଜିକ ଜୀବନର ଚିତ୍ର ପ୍ରକାଶିତ ହୋଇଛି । କାଳିକାପ୍ରସାଦ ଗୋରାପ, କମଳାପ୍ରସାଦ ଗୋରାପ, ବାଲେଶ୍ଵରୀ ପଙ୍ଗାଲୁଣ, ବାଲେଶ୍ୱର ରାହାଜାନୀ ଓଡ଼ିଶାର ଅତୀତ ବାଣିଜ୍ୟିକ ଜୀବନର ଚିତ୍ର ପ୍ରଦାନ କରିଥାଏ । ଧୂଳିଆବାବା, ରେବତୀ, ପୁନମୂର୍ଷିକୋଽଭବ, ସୁନାବୋହୂ, ପେଟେଣ୍ଟମେଡ଼ିସିନ୍‍, ପାଠୋଇ ବୋହୂ, ମାଧମହାନ୍ତିଙ୍କ କନ୍ୟାସୁନା, ଗାରୁଡ଼ିମନ୍ତ୍ର, ବିରେଇ ବିଶ୍ଵାଳ, ଅଧର୍ମବିତ୍ତ, ସଭ୍ୟ ଜମିଦାର ରାଣ୍ଡୀପୁଅ ଅନନ୍ତା ଆଦି ବିଭିନ୍ନ କ୍ଷୁଦ୍ରଗଳ୍ପରେ ଫକୀରମୋହନ ଓଡ଼ିଶାର ସାମାଜିକ ଜୀବନକୁ ଯଥାର୍ଥ ଭାବରେ ପ୍ରକାଶ କରିଅଛନ୍ତି । ତେବେ ଏହି ସମସ୍ତ କ୍ଷୁଦ୍ରଗଳ୍ପରେ କଳାଧର୍ମ ସେତେ ପରିମାଣରେ ନାହିଁ । ତେଣୁ ଡକ୍ଟର ନଟବର ସାମନ୍ତରାୟ ଲେଖିଛନ୍ତି–‘‘ମନେହୁଏ, ଓଡ଼ିଆ ଗଳ୍ପ ସାହିତ୍ୟର ପ୍ରଥମାବସ୍ଥାରେ ଏମାନେ ଜନ୍ମଲାଭ କରିଥିବାରୁ ଗଳ୍ପର ଆରମ୍ଭରେ କଳାସୌନ୍ଦର୍ଯ୍ୟର ଉପାଦାନ ଦେବାକୁ ଫକୀରମୋହନ ସମ୍ୟକ ଭାବେ ସଚେତନ ହୋଇପାରି ନାହାନ୍ତି ।’’ ତଥାପି ଫକୀରମୋହନ ତାଙ୍କର ଗଳ୍ପମାନଙ୍କରେ ଉଚ୍ଚତର ମାନବିକ ଭାବଧାରାକୁ ପ୍ରକାଶ କରିଅଛନ୍ତି । କୁସଂସ୍କାର ବିଶୋଧନ ପାଇଁ ତାଙ୍କର କ୍ଷୁଦ୍ରଗଳ୍ପଗୁଡ଼ିକ ଉଦ୍ଦିଷ୍ଟ ହେଲେହେଁ, ମାନବବନ୍ଦନା ତାଙ୍କ କଳାକର୍ମର ସର୍ବଶେଷ ଅନ୍ତର୍ଧ୍ୱନି ।

 

ଫକୀରମୋହନଙ୍କର ସମସାମୟିକ ଚନ୍ଦ୍ରଶେଖର ନନ୍ଦଙ୍କର ଗୋଟିଏ ଗଳ୍ପ ପୁସ୍ତକ “ଚିତ୍ର” ୧୯୧୬ରେ କବିବର ରାଧାନାଥ ରାୟଙ୍କ ମୁଖବନ୍ଧ ସହ ପ୍ରକାଶିତ ହୋଇଥିଲା । ଏଥିରେ ଛଅଟି ଗଳ୍ପ ସନ୍ନିବେଶିତ ହୋଇଥିଲା । ନଚିକେତା, ଆହତପକ୍ଷୀ, ସତୀବଟ, ତେନ୍ତୁଳିଆପୀର, ସୌଦାମିନୀ, ଜଗୁ ଚୌକିଦାର, ଗଦା ଡକାୟତ, ରଜ-ପୋଡ଼ପିଠା, କଲ୍ୟାଣୀ, ପ୍ରତିଶୋଧ ଆଦି ତାଙ୍କର ଗୋଟିଏ ଗୋଟିଏ ନୂତନଧର୍ମୀ ଗଳ୍ପ । କଥାବସ୍ତୁରେ ନୂତନତା ଥିଲେହେଁ ଶୈଳ୍ପିକ ସୌନ୍ଦର୍ଯ୍ୟରେ ନୂତନତା ନାହିଁ । ଏହା ସମୟରେ ଦୟାନିଧି ମିଶ୍ର ମଧ୍ୟ ବହୁ କ୍ଷୁଦ୍ରଗଳ୍ପ ରଚନା କରିଥିଲେ । ସେ ବିଶେଷ କରି ଇତିହାସରେ କଥାବସ୍ତୁକୁ ଅବଲମ୍ବନ କରି କ୍ଷୁଦ୍ରଗଳ୍ପମାନ ରଚନା କରିଥିଲେ । ଭୁଲ୍‍, ଆକର୍ଷଣ, ଶାନ୍ତି, ଅରୁଣା, ରୂପରମୂଲ୍ୟ, ପ୍ରଦୀପ ନିର୍ମାଣ, ଆଦି ଗଳ୍ପଗୁଡ଼ିକ ତାଙ୍କର ପ୍ରତିଭାର ପରିଚୟ ଦେଇଥାଏ । ଦିବ୍ୟସିଂହ ପାଣିଗ୍ରାହୀଙ୍କର ପିତ, ଶିରାଧ, ମାଳତୀ, ପାନବାଲୀ, ଅମୃତକଙ୍କଣ, ଗୟାଶ୍ରାଦ୍ଧ, ପରିବର୍ତ୍ତନ, ହିସାବନିକାଶ; କାନ୍ତକବି ଲକ୍ଷ୍ମୀଧର ମହାପାତ୍ରଙ୍କର ପରୀକ୍ଷା ଫଳ, ପ୍ରତିଦାନ, ଭଲଲୋକ, ପ୍ରଜାପତିଙ୍କୁ ଅଭିଶାପ, ବୁଢ଼ାଶଙ୍ଖାରି ଆଦି ଗଳ୍ପ; ବାଙ୍କନିଧି ପଟ୍ଟନାୟକଙ୍କର ପ୍ରବଞ୍ଚନା, ପୋଷ୍ୟପୁତ୍ର, ମୁକ୍ତି, ଲଛମନଜୀ, ପ୍ରତିଦାନ, ମୋହର ଚୋରି ଆଦି ଗଳ୍ପ ରଚିତ ହୋଇ ଓଡ଼ିଆ କ୍ଷୁଦ୍ରଗଳ୍ପର ଭିତ୍ତି ସ୍ଥାପନରେ ଯଥେଷ୍ଟ ସାହାଯ୍ୟ କରିଥିଲେ-। ଏମାନଙ୍କ ବ୍ୟତିତ ଓଡ଼ିଆ କ୍ଷୁଦ୍ରଗଳ୍ପର ପ୍ରଥମ ଯୁଗରେ ରେବାରାୟ, ଗୋକୁଳଚନ୍ଦ୍ର ମିତ୍ର, ସୁଧାକାର ପଟ୍ଟନାୟକ, ବସନ୍ତକୁମାର କର, ଚିନ୍ତାମଣି ମହାନ୍ତି, ଦାଶରଥି ମହାପାତ୍ର, ବୈଷ୍ଣବଚରଣ ଦାସ, ଗୋଦାବରୀଶ ମିଶ୍ର ପ୍ରଭୃତି ବହୁ ଲେଖକ ବିଭିନ୍ନ ଦୃଷ୍ଟିକୋଣରୁ କ୍ଷୁଦ୍ରଗଳ୍ପମାନ ରଚନା କରି ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଥିଲେ ।

 

ସତ୍ୟବାଦୀ ଗୋଷ୍ଠୀର ଅନ୍ୟତମ ସାଧକ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କର ତିନୋଟି ଗଳ୍ପ ସଂକଳନ ଅଛି । ‘ଗଳ୍ପମାଳା’, ‘ପୁଆଣିଘର’ ଓ ନଅଟି ଗଳ୍ପରେ ସନ୍ନିବେଶିତ ହୋଇଥବା କ୍ଷୁଦ୍ରଗଳ୍ପଗୁଡ଼ିକ ତାଙ୍କ ପ୍ରତିଭାର ପରିଚୟ ପ୍ରଦାନ କରିଥାଏ । ପାଣୁ ମିଶ୍ରେ, ତୋଳାକତ୍ୟା, ବିଧବା କନ୍ୟା, ବନ୍ଦୀ, ସାବତପୁଅ, ବରଯାତ୍ରୀ, ଭାଇଭାଗ, ବଡ଼ପୁଅ, ପ୍ରେମର ଉଚ୍ଛ୍ୱାସ, ପୁଆଣିଘର, ପ୍ରଗତି, ରିକ୍‌ସାବାଲା, ଅନ୍ନଛତ୍ର, ପରିଚୟ, ପାଷାଣର ଭାଷା, ସେବତୀର ଶବ, ବିଦାୟ ଆଦି ବିଭିନ୍ନ ଗଳ୍ପ ଅବଲମ୍ବନରେ ସେ ଉତ୍କଳର ଜାତୀୟ ଜୀବନକୁ ମର୍ମରିତ କରିଅଛନ୍ତି । ଜଣେ ସହାନୁଭୂତିଶୀଳ ମାନବତାବାଦୀ କଥାଶିଳ୍ପୀ ଭାବରେ ସେ ପ୍ରତିଷ୍ଠିତ । ଗୋଦାବରୀଶ ମହାପାତ୍ର ସତ୍ୟବାଦୀ ଗୋଷ୍ଠୀର ଆଦର୍ଶରେ ଅନୁପ୍ରାଣିତ ହୋଇ କ୍ଷୁଦ୍ରଗଳ୍ପ ରଚନା କରିଅଛନ୍ତି । ତାଙ୍କର ଗଳ୍ପଗୁଡ଼ିକ ସରଳ, ସ୍ଵାଭାବିକ, ବ୍ୟଙ୍ଗାତ୍ମକ ଓ ମାନବଧର୍ମୀ । ଏବେ ମଧ୍ୟ ବଞ୍ଚିଛି, ନୀଳମାଷ୍ଟ୍ରାଣୀ, ମୁଁ ଦିନେ ମନ୍ତ୍ରୀ ଥିଲି, ଶ୍ରୁତିସଞ୍ଚୟନ ଆଦି ଗଳ୍ପ ପୁସ୍ତକଗୁଡ଼ିକ ତାଙ୍କ ପ୍ରତିଭାର ପରିଚୟ ପ୍ରଦାନ କରିଥାଏ ।

 

ବିଂଶ ଶତାବ୍ଦୀର ଦ୍ଵିତୀୟ ଦଶକ ପରେ ଅର୍ଥାତ୍‍ ପ୍ରଥମ ବିଶ୍ଵଯୁଦ୍ଧ ପରେ କ୍ଷୁଦ୍ରଗଳ୍ପ ସମଗ୍ର ବିଶ୍ଵରେ କ୍ରମେ ପ୍ରଭାବ ପକାଇଅଛି । ମହାପାତ୍ର ନୀଳମଣି ସାହୁ ‘ଗଳ୍ପବିଚିତ୍ରା’ର ଉପୋଦ୍‌ଘାତରେ ଯଥାର୍ଥରେ ଲେଖିଛନ୍ତି–‘ବର୍ତ୍ତମାନ କ୍ଷୁଦ୍ରଗଳ୍ପ କେବଳ ମନୋରଞ୍ଜନ ଉଦ୍ଦେଶ୍ୟରେ ଲିଖିତ ହେଉ ନାହିଁ । ଜୀବନର ବହୁମୁଖୀ ବିଶ୍ଳେଷଣ ତା’ର ଅର୍ଥବୋଧ ମୂଲ୍ୟ କଳନା, ମାନ ନିରୂପଣ ଓ ଦିଗ ନିର୍ଦ୍ଦେଶନ କରିପାରିଲେ ଯେ କୌଣସି ଗଳ୍ପ ସାହିତ୍ୟିକ ମୂଲ୍ୟ ଅର୍ଜନ କରି ପାରିବ ନାହିଁ । ଏଣୁ ସ୍ଵୟଂ ଗାଳ୍ପିକର ମାର୍ମିକତା, ଜୀବନାନୁରାଗ, ଜୀବନଚର୍ଯ୍ୟା ଓ ସାମାଜିକ ଦୃଷ୍ଟିଭଙ୍ଗୀ ଉପରେ ତା’ର ଗଳ୍ପର ମୂଲ୍ୟ ବହୁ ଅଂଶରେ ନିର୍ଭର କରେ ।’ ବିଂଶ ଶତାବ୍ଦୀର ତୃତୀୟ ଦଶକରୁ ଓଡ଼ିଆ ଗଳ୍ପ ସାହିତ୍ୟରେ ଏକ ପରିବର୍ତ୍ତନର ସୂତ୍ରପାତ ହୋଇଛି । ସେହି ମହାପାତ୍ର ନୀଳମଣି ସାହୁଙ୍କ ଭାଷାରେ-“କେବଳ ନୈତିକ ଦୃଷ୍ଟିକୋଣ ବା ସମାଜ ଚିତ୍ରଣର ବାହ୍ୟ ବିଭାଗ ଉପରେ ଆଧୁନିକ ଗାଳ୍ପିକର ଦୃଷ୍ଟି ଆଉ ନିବଦ୍ଧ ନୁହେଁ । ତା’ର ବହିଃଦୃଷ୍ଟି ବର୍ତ୍ତମାନ ସୁଦୂରପ୍ରସାରୀ । ତା’ର ଅନ୍ତର୍ଦୃଷ୍ଟି ବର୍ତ୍ତମାନ ଗଭୀରରୁ ଗଭୀରତର ଆଡ଼କୁ ମେଲିଯାଉଛି । ମଣିଷ ମନର ଅତି ବ୍ୟକ୍ତିଗତ ଗୋପନ ଅନୁଭୂତିମାନ–ତା’ର ଆଧ୍ୟାତ୍ମ ସାଧନାରେ ଚେତନାର ବିଭିନ୍ନ ସ୍ତର ଉଦ୍‌ଘାଟନ–ବ୍ୟକ୍ତିଗତ ଓ ସାମାଜିକ ଭାବାବେଶ ମଧ୍ୟରେ ସଙ୍ଗତି ପୁଣି ସଂଘର୍ଷଜନିତ ଅତି ଜଟିଳ ପରିସ୍ଥିତି ଓ ପ୍ରତିକ୍ରିୟା–ସର୍ବୋପରି ଆଧୁନିକ ଗଳ୍ପ ଲେଖକର ସ୍ଵୀୟଜୀବନ ସାଧନାରେ ଆପଣାର ବ୍ୟକ୍ତିତ୍ଵ ନିର୍ଭର ବହୁସମ ଓ ବିଷମ ମନୋବୃତ୍ତିର ଉଦ୍‌ଘାଟନ ଆଧୁନିକ ଗଳ୍ପର ବିଷୟବସ୍ତୁ ଓ ଆଙ୍ଗିକକୁ ମଧ୍ୟ ନିୟନ୍ତ୍ରିତ କରୁଛି ଓ ରୂପାୟନ ବି କରୁଅଛି । ଏହା ଆଉ ସରଳ ସହଜ ଘଟଣା ନିର୍ଭର ଚରିତ୍ର କୌଣସି ଏକ ନିର୍ଦ୍ଦିଷ୍ଟ ନୀତି ପ୍ରାଚୀରବେଷ୍ଟିତ ଟାଇପ ଚରିତ୍ରମାନଙ୍କର ଚିଡ଼ିଆଖାନା ମାତ୍ର ନୁହେଁ ।” (‘ଗଳ୍ପ ବିଚିତ୍ରା’ର ଉପୋଦଘାତ୍‍) । ବାସ୍ତବିକ ଆଧୁନିକ କ୍ଷୁଦ୍ରଗଳ୍ପ ମଣିଷର ବିଚିତ୍ର ବର୍ଣ୍ଣିଳ ଅନୁଭୂତିରେ ରୁଦ୍ଧିମନ୍ତ । ମଣିଷର ମନ ସ୍ତରର ସୂକ୍ଷ୍ମ ରହସ୍ୟକୁ ଉନ୍ମୋଚନ କରିବା ଦିଗରେ ଏହା ସଚେଷ୍ଟ ।

 

ବିଭିନ୍ନ ରାଜନୀତିକ ମତବାଦକୁ ଆଧୁନିକ କଥାକାରମାନେ ସେମାନଙ୍କ କ୍ଷୁଦ୍ରଗଳ୍ପରେ କଳାତ୍ମକ ରୂପ ପ୍ରଦାନ କରିଅଛନ୍ତି । ବିଶେଷକରି ମାର୍କସ୍‍ବାଦ ଆଧୁନିକ ସାହିତ୍ୟକୁ ବହୁ ପରିମାଣରେ ପ୍ରଭାବିତ କରିଛି । ଗାନ୍ଧୀବାଦୀ ଆଦର୍ଶ ଯେପରି ଭାରତୀୟ ତଥା ଉତ୍କଳୀୟ ସାହିତ୍ୟକୁ ପ୍ରଭାବିତ କରିଛି ସେହିପରି ମାର୍କସ୍‍ବାଦୀ ଚିନ୍ତାଧାରା ମଧ୍ୟ ପ୍ରଭାବିତ କରିଛି । ଏହା ବ୍ୟତୀତ ସ୍ଥିତିବାଦୀ ଦର୍ଶନ, ଫ୍ରଏଡ଼ୀୟ, ମନୋବୈଜ୍ଞାନିକ ଚିନ୍ତାଧାରା ମଧ୍ୟ ଆଧୁନିକ ଗଳ୍ପକୁ ନୂତନ ପ୍ରେରଣା ପ୍ରଦାନ କରିଛି । ଓଡ଼ିଆ କ୍ଷୁଦ୍ରଗଳ୍ପ କ୍ଷେତ୍ରରେ ଭଗବତୀଚରଣ ପାଣିଗ୍ରାହୀ ମାର୍କସବାଦୀ ଚିନ୍ତାଧାରାର ପ୍ରଥମ ସ୍ରଷ୍ଟା । ତାଙ୍କର “ଶିକାର ଓ ଅନ୍ୟାନ୍ୟ ଗଳ୍ପ” ଏହାର ପରିଚୟ ଦେଇଥାଏ । ଓଡ଼ିଆ ସାହିତ୍ୟର ଇତିହାସରେ ଡକ୍ଟର ମାୟାଧର ମାନସିଂହ ଯଥାର୍ଥରେ ଲେଖିଛନ୍ତି–“ଗଳ୍ପ, ପ୍ରବନ୍ଧ ଓ ବାସ୍ତବ ଜନସେବା ଦେଇ ଭଗବତୀ ଉତ୍କଳ ଦେଶରେ ବାମପନ୍ଥୀ ଚିନ୍ତାଧାରାର ମୂଳପତ୍ତନ ଦେଇଯାଇ ଅଛନ୍ତି ।” ମାର୍କସବାଦୀ ଆଦର୍ଶକୁ ନେଇ ଅନ୍ୟାନ୍ୟ କେତେକ କଥାକାର ଗଳ୍ପରଚନା କରିଅଛନ୍ତି । ଅନନ୍ତ ପଟ୍ଟନାୟକ, ରଘୁନାଥ ଦାସ, ମନୋଜ ଦାସଙ୍କର କେତେକ ଗଳ୍ପ ମାର୍କସବାଦୀ ଚିନ୍ତାଧାରା ଦ୍ଵାରା ପ୍ରଭାବିତ ।

 

ଆଧୁନିକ ଓଡ଼ିଆ ସାହିତ୍ୟରେ କାଳନ୍ଦୀଚରଣ ପାଣିଗ୍ରାହୀ ଜଣେ ପ୍ରତିଷ୍ଠିତ କଥାକାର । ତାଙ୍କର ‘ଦ୍ଵାଦଶୀ’, ‘ମୋ କଥାଟି ସରି ନାହିଁ’ ‘ସାଗରିକା’ ଆଦି ଗଳ୍ପ ପୁସ୍ତକଗୁଡ଼ିକ ଓଡ଼ିଆ ସାହିତ୍ୟରେ ଗୋଟିଏ ଗୋଟିଏ ଅମଳିନ ସୃଷ୍ଟି । ରାଜକିଶୋର ପଟ୍ଟନାୟକଙ୍କର ତୁଠପଥର, କଳ୍ପନାର ଫୁଲ, ଶାଳଗ୍ରାମ, ନିଶାଣ ଖୁଣ୍ଟ, ହାଟ ସଉଦା, ହାଟବାହୁଡ଼ା, ରାଜକିଶୋର ରାୟଙ୍କର ନୀଳ ଲହରୀ, ପଙ୍କଚନ୍ଦନ, ଜୀବନ ସଙ୍ଗୀତ, ନିତ୍ୟାନନ୍ଦ ମହାପାତ୍ରଙ୍କର ଧଳାଗାର ଓ କଳାଗାର, କ୍ଷଣିକା, ଗୋପୀନାଥ ମହାନ୍ତିଙ୍କର ରଣଧନ୍ଦୋଳ, ଗୁପ୍ତଗଙ୍ଗା, ଘାସଫୁଲ, ଉଡ଼ନ୍ତା ଖଇ, ସୁରେନ୍ଦ୍ର ମହାନ୍ତିଙ୍କର କୃଷ୍ଣଚୂଡ଼ା, ରୁଟି ଓ ଚନ୍ଦ୍ର, ମହାନଗରୀରେ ରାତ୍ରି, ମହାନିର୍ବାଣ ଓ କାଲକଟା, ଦୁଇ ସୀମାନ୍ତ, କବି ଓ ନର୍ତ୍ତକୀ, ଶେଷ କବିତା, ମରାଳର ମୃତ୍ୟୁ, ସବୁଜପତ୍ର ଓ ଧୂସର ଗୋଲାପ, ମନୋଜ ଦାସଙ୍କର କଥା ଓ କାହାଣୀ ଲକ୍ଷ୍ମୀର ଅଭିସାର, ଆବୁ ପୁରୁଷ, ଓ ଅନ୍ୟାନ୍ୟ କାହାଣୀ, କିଶୋରୀ ଚରଣ ଦାସଙ୍କର ଘରବାହୁଡ଼ା, ଭଙ୍ଗା ଖେଳନା, ଲକ୍ଷ ବିହଙ୍ଗ, ମଣିହରା, ଠାକୁର ଘର, ମହାପାତ୍ର ନୀଳମଣି ସାହୁଙ୍କର ସୁମିତ୍ରାର ହସ, ରାନୁଅପାଠାରୁ ପୁଷି ପର୍ଯ୍ୟନ୍ତ, କପୋତପକ୍ଷୀ ଗୁରୁମୋର, ମିଛବାଘ, ଅନ୍ଧରାତିର ସୂର୍ଯ୍ୟ, ଅନ୍ୟରୂପ ରୂପାନ୍ତର, ବାମାଚରଣ ମିତ୍ରଙ୍କର ବଟ ମହାପୁରୁଷ, ମହାପୁରୁଷ ବାଗ୍‍ ଏଣୁଶ୍ଚ ତେଣୁଶ୍ଚ; କୃଷ୍ଣପ୍ରସାଦ ମିଶ୍ରଙ୍କର ନାଏଗ୍ରା ଓ ଦେବଯାନୀ, ଭୃଗୁସଂହିତା, କ୍ରୀତଦାସର କାବ୍ୟ, ଶାନ୍ତନୁକୁମାର ଆଚାର୍ଯ୍ୟଙ୍କର ଦୁର୍ବାର, ମନମର୍ମର, ଏଇ ଶେଷ ପଦଟି, ଅରଣ୍ୟର ଚୂଳ; ବୀଣାପାଣି ମହାନ୍ତିଙ୍କର ତଟିନୀର ତୃଷ୍ଣା, କସ୍ତୁରୀମୃଗ ସବୁଜ ଅରଣ୍ୟ, ମଧ୍ୟାହ୍ନର ଛାଇ, ସାୟାହ୍ନର ସ୍ୱର, କାଳାନ୍ତର ବସ୍ତ୍ର ହରଣ, ନିମାଇ ପଟ୍ଟନାୟକଙ୍କର ପଦ୍ମତୋଳା, କଥା ଓ କାହାଣୀ, ରତ୍ନାକର ଚଇନିଙ୍କର ଗଳ୍ପ, କହ ଲଳିତା; ଅଚ୍ୟୁତାନନ୍ଦ ପତିଙ୍କ ଅଶୁଭ ପୁତ୍ରର କାହାଣୀ, ନିଆଁ ଜଳୁଛି; ରାମଚନ୍ଦ୍ର ବେହେରାଙ୍କର ଦ୍ଵିତୀୟ ଶ୍ମଶାନ, ବିଭୂତି ତ୍ରିପାଠୀଙ୍କର ସେତୁ; ସଚ୍ଚିଦାନନ୍ଦ ରାଉତରାୟଙ୍କର ମାଟିର ତାଜ, ମଶାଣିର ଫୁଲ ଓ ଛାଇ ଆଦି ଗଳ୍ପ ପୁସ୍ତକଗୁଡ଼ିକ ଗୋଟିଏ ଗୋଟିଏ ଉଲ୍ଲେଖଯୋଗ୍ୟ ସୃଷ୍ଟି । ଏମାନଙ୍କ ବ୍ୟତୀତ ଅନ୍ୟାନ୍ୟ ବହୁ କଥାକାର ବିଭିନ୍ନ ଦୃଷ୍ଟିକୋଣରୁ କ୍ଷୁଦ୍ରଗଳ୍ପମାନ ରଚନା କରୁଅଛନ୍ତି । ପ୍ରଫୁଲ୍ଲକୁମାର ତ୍ରିପାଠୀ, ସତ୍ୟମିଶ୍ର, ପ୍ରସନ୍ନକୁମାର ପାଟଶାଣୀ, ସତ୍ୟନାରାୟଣ ପଣ୍ଡା, ହରିମିଶ୍ର, ପ୍ରମୁଖ କଥାକାରମାନେ ମଧ୍ୟ ଗଳ୍ପ ରଚନା କରୁଅଛନ୍ତି । ବସନ୍ତକୁମାର ଶତପଥୀ ‘ଏଣ୍ଟି ରୋମାଣ୍ଟିକ’ ଗଳ୍ପ ପୁସ୍ତକରେ ତାଙ୍କର ଶାଣିତ ଦୃଷ୍ଟିଭଙ୍ଗୀର ପରିଚୟ ପ୍ରଦାନ କରିଅଛନ୍ତି । ଫତୁରାନନ୍ଦ ଜଣେ ହାସ୍ୟରସାତ୍ମକ କଥାଶିଳ୍ପୀ ଭାବରେ ସୁପରିଚିତ । ବିଦୂଷକ, ହେରେସା, ମଙ୍ଗଳବାରିଆ ସାହିତ୍ୟ ସଂସଦ ଆଦି ପୁସ୍ତକ ତାଙ୍କ ସମ୍ପର୍କରେ ପରିଚୟ ଦେଇଥାଏ । ଚୌଧୁରୀ ହେମକାନ୍ତ ମିଶ୍ର ପୁଳିନବିହାରୀ ରାୟ, କୁଳମଣି ମହାପାତ୍ର, ପ୍ରମୁଖ ହସ୍ୟରସଧର୍ମୀ ଗଳ୍ପ ରଚନା କରି ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଅଛନ୍ତି ।

 

କଥାକାର ଫକୀରମୋହନ ସେନାପତିଙ୍କଠାରୁ ଆରମ୍ଭ କରି ଏଯାବତ୍‍ ଓଡ଼ିଆ କ୍ଷୁଦ୍ରଗଳ୍ପ ବହୁ ପରୀକ୍ଷା ନିରୀକ୍ଷା ମଧ୍ୟଦେଇ ଗତି କରି ଆସିଛି । ଏ ପରୀକ୍ଷାର ଶେଷ ନାହିଁ । କ୍ଷୁଦ୍ରଗଳ୍ପ କ୍ରମେ ଆଖ୍ୟାନକୁ ଛାଡ଼ି ଭାବ ଉପରେ ଗୁରୁତ୍ୱ ପ୍ରଦାନ କରୁଛି । ମଣିଷର ଅବୋଧ୍ୟ ମନ ଗହନର ରହସ୍ୟକୁ ଉନ୍ମୋଚନ କରୁଛି । ଫକୀରମୋହନ ବିଗତ ସାମାଜିକ ଜୀବନର ପ୍ରାଣସ୍ପନ୍ଦନକୁ ପ୍ରକାଶ କରିଥିଲା ବେଳେ ତାଙ୍କ ପରବର୍ତ୍ତୀ ଲେଖକମାନେ ସମସାମୟିକ ସାମାଜିକ ଜୀବନକୁ ରୂପ ଦେଇଅଛନ୍ତି । ଜାତୀୟ ଜୀବନର ଭାବସ୍ପନ୍ଦନକୁ ମଧ୍ୟ କେତେକ କଥାକାର ବର୍ଣ୍ଣନା କରିଅଛନ୍ତି । ସ୍ୱାଧୀନତା ପୂର୍ବବର୍ତ୍ତୀ ଓଡ଼ିଆ କ୍ଷୁଦ୍ରଗଳ୍ପରେ ଜାତୀୟ ଆନ୍ଦୋଳନ, ଗାନ୍ଧୀବାଦୀ ଆଦର୍ଶ, ରୋମାଣ୍ଟିକ ପ୍ରେମାନୁଭୂତି, ସହାନୁଭୂତିଶୀଳ ମାନବିକତା ବାଦୀ ଦୃଷ୍ଟିକୋଣ, ଯୁଦ୍ଧଜନିତ ପରିସ୍ଥିତି ଇତ୍ୟାଦି କଥାକୁ ପ୍ରକାଶ କରାଯାଇଛି । ମାର୍କସବାଦୀ ଚିନ୍ତାଧାରା, ଫ୍ରଏଡ଼ୀୟ ମନୋବିଜ୍ଞାନ ବିଶ୍ଳେଷଣ, ସ୍ଥିତିବାଦୀ ଦର୍ଶନ ମଧ୍ୟ ଏ ସମୟର କଥାକାରଙ୍କୁ ପ୍ରଭାବିତ କରିଛି । ସ୍ୱାଧୀନତା ପରେ ଓଡ଼ିଆ କ୍ଷୁଦ୍ରଗଳ୍ପ ଆନ୍ତର୍ଜାତିକ ଭାବଧାରାକୁ ଗ୍ରହଣ କରିଛି । ସାମାଜିକତାରୁ ବ୍ୟକ୍ତି କୈନ୍ଦ୍ରିକତା ଆଡ଼କୁ ଗତିକରି ସୂକ୍ଷ୍ମ ମନଃସ୍ଥିତିକୁ ବିଶ୍ଳେଷଣ କରୁଛି । ତେଣୁ ସ୍ଵାଧୀନତା ପରବର୍ତ୍ତୀ ଓଡ଼ିଆ କ୍ଷୁଦ୍ରଗଳ୍ପ ଜଟିଳ ଓ ବୈଚିତ୍ର୍ୟପୂର୍ଣ୍ଣ ହୋଇଉଠିଛି ।

 

ଆଙ୍ଗିକରେ ଯେପରି ନାନା ପରୀକ୍ଷା କରାଯାଇଛି ସେହିପରି ଆତ୍ମିକରେ ମଧ୍ୟ ନାନା ପରୀକ୍ଷା କରାଯାଇଛି । ସମାଜ ମଣିଷକ୍ରମେ ବ୍ୟକ୍ତି ମଣିଷ ସ୍ତର ଦେଇ ଆତ୍ମ ମଣିଷ ସ୍ତରକୁ ଗତି କରିଛି । ଏହି ଅବସ୍ଥାରେ ତା’ର ଆଧ୍ୟାତ୍ମିକ ଭାବସ୍ପନ୍ଦନ ସୃଷ୍ଟି ହୋଇଛି । ଆଧୁନିକ କ୍ଷୁଦ୍ରଗଳ୍ପରେ ତେଣୁ ଆଧ୍ୟାତ୍ମ-ଚେତନାର ସଂଘର୍ଷ ଦେଖାଦେଇଛି । ଆନ୍ତର୍ଜାତିକ ଭାବସ୍ପନ୍ଦନ, ସମାଜବାଦୀ ବାସ୍ତବତା, ଜୀବନର ସୂକ୍ଷ୍ମ ବିଶ୍ଳେଷଣ, ଅବଚେତନର ରହସ୍ୟ ଉନ୍ମୋଚନ, ଲୋକତ୍ତର ଜୀବନ ପାଇଁ ଆଶାନ୍ୱିତ ଆହ୍ୱାନ ଆଦି ବିଭିନ୍ନ କଥା ଆଧୁନିକ କ୍ଷୁଦ୍ରଗଳ୍ପରେ ପ୍ରକାଶିତ ହେଉଅଛି । ଆଧୁନିକ ଓଡ଼ିଆ କ୍ଷୁଦ୍ରଗଳ୍ପ ଆଞ୍ଚଳିକତାକୁ ତ୍ୟାଗକରି ବିଶ୍ୱ ଜନନୀ ଆବେଦନରେ କ୍ରମେ ସମୃଦ୍ଧ ହେଉଛି ଓ ବିଶ୍ୱର କ୍ଷୁଦ୍ରଗଳ୍ପ ସହିତ ସମତାଳ ଦେଇ ଗତିକରୁଛି ଏଥିରେ ସନ୍ଦେହ ନାହିଁ ।

☆☆☆

 

ଓଡ଼ିଆ ସାହିତ୍ୟରେ ଏକାଙ୍କିକା

 

ଏକାଙ୍କିକା: ସଂଜ୍ଞା ଓ ସ୍ୱରୂପ :

 

ଆଧୁନିକ ଜୀବନ ସଂଘର୍ଷ, ସଙ୍କଟ ଓ ସଂଘାତମୟ । ପ୍ରତ୍ୟେକ ମୁହୂର୍ତ୍ତ ଆଜି ମଣିଷ ପକ୍ଷରେ ସମସ୍ୟାକୀର୍ଣ୍ଣ ହୋଇପଡ଼ିଛି । ଅତୀତପରି ଆଜି ମଣିଷ ଦୀର୍ଘ ଅବସର ଯାପନ କରିବାକୁ ସମୟ ପାଏ ନାହିଁ । ମଣିଷ ଆଜି ଯନ୍ତ୍ରଣା ଜର୍ଜରିତ, ଅଶାନ୍ତି, ବିକ୍ଷୁବ୍ଧ ଓ ରୁଗ୍‌ଣ । ତା’ର ପ୍ରତ୍ୟେକ ମୁହୂର୍ତ୍ତ ସମସ୍ୟାଜଡ଼ିତ । ପୁନଶ୍ଚ ବିଜ୍ଞାନର ଅଭିନବ ପ୍ରଗତି ସଙ୍ଗେ ସଙ୍ଗେ ମଣିଷର ଚିନ୍ତାଜଗତରେ ମଧ୍ୟ ଦେଖାଦେଇଛି ଆଶାତୀତ ଆଲୋଡ଼ନ । ସେ ଆଉ ପ୍ରାଚୀନ କାଳ ପରି ଦୀର୍ଘ ଓ ବିପୁଳକାୟ କାବ୍ୟ ରଚନା କରି ନିଜର କଳାପ୍ରଣତାକୁ ଚରିତାର୍ଥ କରିବାକୁ ଚାହେଁ ନାହିଁ । ପଞ୍ଚମାଙ୍କ ବିଶିଷ୍ଟ ନାଟକ ଆଉ ଏ ଯୁଗରେ ପ୍ରଭାବ ପକାଉ ନାହିଁ । ଦୀର୍ଘ ସମୟ ଧରି କୌଣସି ପୁସ୍ତକ ପଢ଼ିବାକୁ ଆଜିର ମଣିଷ ସମୟ ପାଉ ନାହିଁ । କର୍ମକ୍ଳାନ୍ତ ମଣିଷ ଆଜି ଚାହେଁ ଅଳ୍ପ ସମୟ ମଧ୍ୟରେ ତା’ର କଳାପ୍ରାଣତାକୁ ଚରିତାର୍ଥ କରିବା ପାଇଁ । ଏହି ଦୃଷ୍ଟିରୁ ଏକାଙ୍କିକା ଓ କ୍ଷୁଦ୍ରଗଳ୍ପର ସୃଷ୍ଟି । ବିଂଶ ଶତାବ୍ଦୀରେ ଏକାଙ୍କିକାର ବିକାଶ ହୋଇଛି ।

 

ପଞ୍ଚାଙ୍କ ନାଟକ ବା ଏକାଙ୍କ ନାଟକର କେବଳ ଯେ ଆକୃତିଗତ ପାର୍ଥକ୍ୟ ଅଛି, ତାହା ନୁହେଁ । ଭାଗବତ ପାର୍ଥକ୍ୟ ମଧ୍ୟ ଏହି ଉଭୟବିଧ ନାଟକରେ ଦେଖିବାକୁ ମିଳିଥାଏ । ପଞ୍ଚାଙ୍କ ବିଶିଷ୍ଟ ନାଟକରେ ଏକ ମୁଖ୍ୟ ଘଟଣା ସହିତ ବହୁ ଘଟଣାର ସମାବେଶ ହୋଇଥାଏ । ବହୁ ଚରିତ୍ର ଓ ପରିବେଶ ସୃଷ୍ଟି କରି ନାଟକୀୟ ବାତାବରଣ ସୃଷ୍ଟି କରାଯାଇ ନାଟକ-ବର୍ଣ୍ଣିତ କଥାବସ୍ତୁକୁ ଗତିଶୀଳ କରାଯାଇଥାଏ । ଗୋଟିଏ ମାତ୍ର ବିଶେଷ ଘଟଣାକୁ ସଂକ୍ଷିପ୍ତ ପରିଧି ମଧ୍ୟରେ ଏପରି ପ୍ରକାଶ କରାଯାଇଥାଏ ଯେ, ଯଦ୍ଦ୍ଵାରା ଗୋଟିଏ ଭାବର ନାଟକୀୟତା ସୃଷ୍ଟି ହୋଇଥାଏ । ଏକାଙ୍କିକାକୁ ବଢ଼ାଇ ଦେଲେ ଏହା କେବେ ପଞ୍ଚାଙ୍କ ନାଟକ ହୋଇପାରେ ନାହିଁ ବା ପଞ୍ଚାଙ୍କ ନାଟକକୁ ଛୋଟ କରିଦେଲେ ତାହା ଏକାଙ୍କିକା ହୁଏ ନାହିଁ । ଏହିପରି କ୍ଷୁଦ୍ରଗଳ୍ପକୁ ସ୍ଫୀତିକୃତ କରିଦେଲେ ଉପନ୍ୟାସ ହୁଏ ନାହିଁ ବା ଉପନ୍ୟାସକୁ ସଂକ୍ଷିପ୍ତ କରିଦେଲେ ତାହା ମଧ୍ୟ କ୍ଷୁଦ୍ରଗଳ୍ପ ହୁଏ ନାହିଁ । ଏକାଙ୍କିକାରେ ସୁଦୀର୍ଘ ସଂଳାପ ବା ସୁଗଭୀର ଆତ୍ମ ବିବୃତିର ଅବସର ନ ଥାଏ । ସ୍ୱଳ୍ପ ସମୟ ମଧ୍ୟରେ ଗୋଟିଏ ସୁନିର୍ବାଚିତ ଘଟଣାକୁ ନାଟକୀୟ ଚରମ ପରିଣତି ପ୍ରଦାନ କରିବା ଏକାଙ୍କିକାର ଧର୍ମ । ଏଥିରେ ଗୋଟିଏ ଭାବାନୁଭୂତି ସୃଷ୍ଟି କରାଯାଇଥାଏ । ଗୋଟିଏ ଚରିତ୍ରକୁ କେନ୍ଦ୍ର କରି ନାଟକୀୟ ଚରମ ପରିଣତି ଲାଭ କରିବା ବା ବିଶେଷ ପରିବେଶ ବା କ୍ରମପ୍ରସାରୀ ଅବିଚ୍ଛିନ୍ନ ଦୃଶ୍ୟ ସୃଷ୍ଟି କରି ନାଟକୀୟ ଚରମ ପରିଣତି (climax) ସୃଷ୍ଟି କରିବା ଏକାଙ୍କିକାର ପ୍ରଧାନ ଲକ୍ଷ୍ୟ । ପଞ୍ଚାଙ୍କ ନାଟକରେ ନାଟକୀୟ ଘଟଣାବଳୀ ଧୀରେ ଧୀରେ ପ୍ରସ୍ଫୁଟିତ ହେଉଥିଲାବେଳେ ଏକାଙ୍କ ନାଟକରେ ଘଟଣା ଚରମ ପରିଣତିରୁ ଆରମ୍ଭ ହୋଇଥାଏ । ଶ୍ରୀସଚନ୍ଦ୍ର ଦାସଙ୍କ ମତରେ “ପଞ୍ଚମାଙ୍କ ନାଟକରେ ନାଟକୀୟ ଘଟଣାବଳୀ ଦର୍ଶକ ସମ୍ମୁଖରେ ଧୀରେ ଧୀରେ ପ୍ରସ୍ଫୁଟିତ ହୁଏ । ପ୍ରଥମ ଅଙ୍କରେ ଅନାଗତ କାହାଣୀର ସୂଚନା ବା ଅତୀତ ଘଟଣାବଳୀର ବର୍ଣ୍ଣନାଦ୍ଵାରା ନାଟ୍ୟକାର ଦର୍ଶକକୁ ଘଟଣା ସ୍ରୋତର କେନ୍ଦ୍ରସ୍ଥଳକୁ ନେଇ ଆସେ । କିନ୍ତୁ ଏକାଙ୍କିକାରେ ନାଟକୀୟ ଚରମ ପରିଣତି ସାମାନ୍ୟ ପୂର୍ବ ମୁହୂର୍ତ୍ତରେ ବା ତନ୍ମୁହୂର୍ତ୍ତରେ ଯବନିକା ଉତ୍‌ଥିତ ହୁଏ । ସୁତରାଂ ଯବନିକା ଉତ୍‍ଥିତ ହେବା ପରେ ପରେ ଦ୍ରୁତଗତିରେ ଘଟଣା ପ୍ରବାହ ବିସ୍ତାରଲାଭ କରେ ।”

 

ଏକାଙ୍କିକାର ଆରମ୍ଭରେ ଘଟଣାପୁଞ୍ଜ ଶାନ୍ତ ବା ବିକ୍ଷୁବ୍ଧ ବା ଉଭୟ ହୋଇପାରେ । ଏହା ଯେପରି ଦର୍ଶକକୁ ପରବର୍ତ୍ତୀ ଘଟଣା ବିଷୟରେ ଉତ୍କଣ୍ଠିତ କରାଇପାରେ ସେ ବିଷୟରେ ଧ୍ୟାନ ଦେବାକୁ ହୋଇଥାଏ । ବିଦ୍ୟୁତ୍‍ ଗର୍ଭ ମେଘର ଆସନ୍ନବିପଦ ସମ୍ଭାବନା ପରି ଏକାଙ୍କିକାର ଘଟଣା ଦ୍ରୁତଗତିରେ ଅଗେଇଯାଏ । ଦର୍ଶକ ହୃଦୟରେ ପରିବେଶ ଓ ଘଟଣାର ପ୍ରକୃତି ଜନ୍ମାଏ । ଏହାର ଆରମ୍ଭ ଚରମପରିଣତି (climax)ରୁ ଓ ଗତି ଚରମ ପରିଣତିରେ ଓ ପରିଣତି ମଧ୍ୟ ସେହି ଚରମ ପରିଣତିରେ । ଏହାର ପରିଣତିରେ ଥାଏ ଅନ୍ତହୀନ ଜିଜ୍ଞାସା । ଦର୍ଶକର ମନଗହନରେ ଏହା ଗଭୀର ରେଖାପାତ କରେ । ଏକାଙ୍କିକାରେ ଦୁଇ ବା ତତୋଽଧିକ ଚରିତ୍ର ଥିଲେ ମଧ୍ୟ ଗୋଟିଏ ବିଶେଷ ଚରିତ୍ରକୁ ବିକଶିତ କରାଯାଇଥାଏ । ଏକାଙ୍କିକାରେ କେତେବେଳେ ଆଖ୍ୟାନ ଭାଗ ଉପରେ, କେତେବେଳେ ଚରିତ୍ର ଉପରେ, କେତେବେଳେ ଭାବ କଳ୍ପନା ଉପରେ, କେତେବେଳେ ପରିବେଶ ଉପରେ ଓ କେତେବେଳେ ହାସ୍ୟରସାତ୍ମକ ସଂସ୍ଥାନ ଉପରେ ଗୁରୁତ୍ଵ ଦିଆଯାଇଥାଏ । ଯେ କୌଣସି ଗୋଟିକୁ ଅବଲମ୍ବନ କରି ନାଟକୀୟ ରସଘନତା ସୃଷ୍ଟି କରାଯାଇଥାଏ । ଜୀବନର ଖଣ୍ଡାଂଶକୁ ଏକାଙ୍କ ନାଟକ ଚକିତ-ଉଦ୍ଭାସିତ କରି ନାଟକୀୟ କଳାତ୍ମକତା ସୃଷ୍ଟି କରିଥାଏ । ସ୍ଵଳ୍ପକାଳ ମଧ୍ୟରେ ଏହା ଜୀବନର ରହସ୍ୟକୁ ଉନ୍ମୋଚିତ କରିଥାଏ । ସମାଲୋଚକ K.J. Rees, ଇଂରେଜୀ Mystery ଓ Miracle ନାଟକ ସମ୍ବନ୍ଧରେ ଆଲୋଚନା କରିବାକୁ ଯାଇ ଲେଖିଚନ୍ତି “All that concerns us here, however, is that they were one-act plays requiring comparatively few actors and capable of being performed in twenty minutes or half an hour:” ଆଧୁନିକ ଯୁଗରେ ଏକାଙ୍କିକା କ୍ରମେ ପ୍ରାଧାନ୍ୟଲାଭ କରିଛି ଓ ସାହିତ୍ୟରେ ଏହାକୁ ସମ୍ମାନଜନକ ଆସନ ପ୍ରଦାନ କରାଯାଇଛି । ଆଧୁନିକ ଜଟିଳ ମନର ଏହା ଏକ ନାଟକୀୟ ଅଭିବ୍ୟକ୍ତି ।

 

ସଂସ୍କୃତ ସାହିତ୍ୟରେ ଏକାଙ୍କିକାର ସ୍ଵରୂପ :

 

ସଂସ୍କୃତରେ ଏକାଙ୍କିକାର ପ୍ରଚଳନ ନଥିଲା । ପଞ୍ଚାଙ୍କ ବିଶିଷ୍ଟ ନାଟକର ବିଶେଷ ପ୍ରଚଳନ ଥିଲା । ଆଧୁନିକ ଯୁଗରେ ଯେପରି ମୁହୂର୍ତ୍ତ ସର୍ବସ୍ଵ ଜୀବନକୁ ନେଇ ଏକାଙ୍କିକା ରଚନା କରାଯାଇ ଦର୍ଶକ ମନରେ ପ୍ରତୀତି ସୃଷ୍ଟି କରାଯାଇଛି, ସେପରି ରଚନା ପ୍ରାଚୀନ ସାହିତ୍ୟରେ ନଥିଲା । ସଂସ୍କୃତରେ ନାଟକ ବହୁ ବିଭାଗରେ ବିଭକ୍ତ ହୋଇଥିଲା ଏବଂ ଏକାଙ୍କିକା ସେହି ବିଭାଗ ମଧ୍ୟରୁ ସ୍ଵତନ୍ତ୍ର ଏକ ବିଭାଗ । ‘ସାହିତ୍ୟ ଦର୍ପଣ’ରେ ଆଳଙ୍କାରିକ ବିଶ୍ଵନାଥ କବିରାଜ ନାଟକର ବିଭାଗୀକରଣ କରିବାକୁ ଯାଇ ଭାଣ, ଈହାମୃଗ, ଅଙ୍କ, ବିଥି ଓ ପ୍ରହସନ ଆଦି ଏକାଙ୍କରୂପକର ବର୍ଣ୍ଣନା କରିଅଛନ୍ତି । ଏହା ବ୍ୟତୀତ ଉପରୂପକରେ ଗୋଷ୍ଠୀ, ରାସକ, ଶ୍ରୀଗଦିତ, ବିଳାସିକା, ହଲ୍ଲୀସକ, ଓ ଭାଣିକା ପ୍ରଭୃତି ବିଷୟରେ ଉଲ୍ଲେଖ ରହିଛି । ସଂସ୍କୃତ ସାହିତ୍ୟରେ ରୂପକ ଓ ଉପରୂପକୁ ଅଠେଇଶ ଭାଗରେ ବିଭକ୍ତ କରାଯାଇଅଛି । ସେଥିରୁ ପନ୍ଦରଟି ଏକାଙ୍କିକା ବିଶିଷ୍ଟ ଅଟେ । ଆଳଙ୍କାରିକ ବିଶ୍ଵନାଥ କବିରାଜ ‘ଅଙ୍କ’ର ରୂପଗତ ଓ ଗୁଣଗତ ବ୍ୟାଖ୍ୟା ସାହିତ୍ୟ ଦର୍ପଣରେ କରିଅଛନ୍ତି । ନାୟକର ଚରିତ୍ର ସ୍ପଷ୍ଟ ହେବା ସଙ୍ଗେ ସଙ୍ଗେ ଏଥିରୁ ଗୂଢ଼ାର୍ଥକୁ ତ୍ୟାଗ କରିବାକୁ ହୋଇଥାଏ । ସମାସ ବିହୀନ ଗଦ୍ୟ ଏଥିରେ ବ୍ୟବହୃତ ହୁଏ । ବହୁ ଘଟଣା ବା ବହୁ କାର୍ଯ୍ୟକୁ ଏଥିରେ ପ୍ରକାଶ କରାନଯାଇ ଘଟଣାର ଏକମୁଖୀନତା ଉପରେ ଗୁରୁତ୍ଵ ଦିଆଯାଇଥାଏ । ଦୀର୍ଘଦିନର ଘଟଣାକ୍ରମକୁ ଏଥିରେ ପ୍ରକାଶ ନ କରିବା ବାଞ୍ଛନୀୟ । ସଂସ୍କୃତ ଏକାଙ୍କିକାରେ ରାଜା ମହାରାଜାଙ୍କ କଥା ବର୍ଣ୍ଣିତ ହେଉଥିଲା । ଏଥିରେ ଜୀବନର ବାସ୍ତବତା ପ୍ରତି ବିଶେଷ ଧ୍ୟାନ ଦିଆଯାଉ ନଥିଲା । ମୁହୂର୍ତ୍ତସର୍ବସ୍ଵ ଜୀବନ ଅପେକ୍ଷା ଦୀର୍ଘ ଜୀବନର ପ୍ରଲମ୍ୱିତ କାହାଣୀ ଏଥିରେ ବର୍ଣ୍ଣିତ ହେଉଥିଲା । ସଂସ୍କୃତ ଏକାଙ୍କ ନାଟକରେ ଆଧୁନିକ ଏକାଙ୍କ ନାଟକର ଚରମ ପରିଣତି ନ ଥିଲା । ଏହି କାରଣରୁ ସଂସ୍କୃତରେ ଯେଉଁ ଏକାଙ୍କ ନାଟକର ପ୍ରଚଳନ ନ ଥିଲା, ଆଧୁନିକ ଯୁଗରେ ସେଗୁଡ଼ିକୁ ଯଥାର୍ଥରେ ଏକାଙ୍କିକା କୁହାଯାଇ ନ ଥାଏ । ସେଗୁଡ଼ିକ ବଡ଼ ନାଟକର ସମ୍ଭାବନା ଅନେକ ସମୟରେ ରଖିଥାଏ ।

 

ଇଂରେଜୀ ସାହିତ୍ୟରେ ଏକାଙ୍କିକାର ଗତି ଓ ପ୍ରକୃତି :

 

ଏକାଙ୍କିକା ବିଂଶ ଶତାବ୍ଦୀରେ ଏକ ଉଲ୍ଲେଖଯୋଗ୍ୟ ସୃଷ୍ଟି । ଏହା ପୂର୍ବରୁ ଏକାଙ୍କ ନାଟକ ଥିଲେହେଁ ବିଂଶ ଶତାବ୍ଦୀରେ ଏହାର ଆଙ୍ଗିକ ଓ ଆତ୍ମିକରେ ବୈପ୍ଳବିକ ପରିବର୍ତ୍ତନ ହୋଇଅଛି । ଇଂରେଜୀ ଏକାଙ୍କିକା ପ୍ରଭାବରେ ସମଗ୍ର ବିଶ୍ଵରେ ଏକାଙ୍କିକା ରଚନା କ୍ଷେତ୍ରରେ ନୂତନ ପରିକଳ୍ପନା ସୃଷ୍ଟି ହୋଇଛି–ଏ କଥାକୁ ଅସ୍ଵୀକାର କରାଯାଇ ନ ପାରେ । ଗ୍ରୀକ୍‌ ନାଟ୍ୟ ସାହିତ୍ୟରେ ‘Satyr Play’କୁ ଆଧୁନିକ ଏକାଙ୍କିକାର ଜନକ ବୋଲି କେତେକ କହିଥାନ୍ତି । ନାଟକର ଶେଷରେ ଏହା ଦର୍ଶକଙ୍କୁ ଲଘୁ ଆନନ୍ଦ ଦେଇଥାଏ । ବହୁ ସମୟ ନଷ୍ଟ ନ କରି ଅଳ୍ପ ସମୟ ମଧ୍ୟରେ ନାଟକ ଅଭିନୀତ କରାଇ ଦର୍ଶକମାନଙ୍କୁ ଆନନ୍ଦ ଦେବା ପାଇଁ ଚେଷ୍ଟା ହେଲା ଏବଂ ଏହି ପ୍ରଚେଷ୍ଟାରୁ ଛୋଟ ନାଟକର ଜନ୍ମ ହେଲା । ମଧ୍ୟଯୁଗୀୟ ଇଂରେଜୀ ସମାଜରେ ରହସ୍ୟାତ୍ମକ (Mystery) ଅଲୌକିକାତ୍ମକ (Miracle) ଓ ନୈତିକ (Morality) ନାଟକ ରଚିତ ହୋଇ ଆଧୁନିକ ଏକାଙ୍କିକାର ପଥକୁ ସୁଗମ କଲା । ପଞ୍ଚଦଶ ଶତାବ୍ଦୀରେ ଅଲୌକିକ ଓ ରହସ୍ୟାତ୍ମକ ନାଟକ ବିଶେଷ ଭାବରେ ସୃଷ୍ଟି ହୋଇଥିଲା । ଏଗୁଡ଼ିକର ଅଭିନୟ ପାଇଁ ମଧ୍ୟ ଦୀର୍ଘ ସମୟ ଦରକାର ହେଉଥିଲା । ଅବଶେଷରେ ନୈତିକ ( Morality) ନାଟକର ସୃଷ୍ଟି ହେଲା ଏବଂ ଏହା ଖୁବ୍‍ କମ୍‍ ସମୟ ମଧ୍ୟରେ ଅଭିନୀତ ହେଲା । ଏଥିରେ ମଣିଷକୁ ଚରିତ୍ର ଭାବରେ ଗ୍ରହଣ କରା ନଯାଇ Charity, Poverty, Generosity ଆଦିକୁ ଚରିତ୍ର ଭାବରେ ଗ୍ରହଣ କରାଯାଉଥିଲା । ପରବର୍ତ୍ତୀ କାଳରେ ଏକାଙ୍କ ନାଟକ (One-act play)ର ଉଦ୍ଭବ ଓ ବିକାଶ ସାଧିତ ହୋଇଥିଲା । ପ୍ରଚଳିତ ପରମ୍ପରାବାଦୀ ନାଟ୍ୟକାରମାନେ ଏ ଧରଣର ନାଟକ ରଚନା କରନ୍ତି ନାହିଁ ବା ବ୍ୟବସାୟିକ କଳାକାର ଓ ରଙ୍ଗମଞ୍ଚ ଏ ଧରଣର ନାଟକକୁ ଅଭିନୀତ ମଧ୍ୟ କରନ୍ତି ନାହିଁ । ନାଟକ କ୍ଷେତ୍ରରେ ଯେତେବେଳେ କୌଣସି ବୈପ୍ଳବିକ ପରିବର୍ତ୍ତନ ସମ୍ଭବ ହୋଇଛି, ଯାହା ସୌଖୀନ ରଙ୍ଗମଞ୍ଚ ଓ ସୌଖୀନ ଅଭିନେତାମାନଙ୍କ ଦ୍ୱାରା ସମ୍ଭବ ହୋଇଛି । ତେଣୁ ସମାଲୋଚକ R.J. Rees କହନ୍ତି The fact that the one-act-play has almost always been associated with amateur actors must not be taken to imply that there is anything about it which can be called ‘amateurish’ in the pejorative sense sometimes attached to that word Excellence in the arts is no monopoly of the professional, and every one know that it music, writing and acting the good amateur is often better than the indifferent professional.” ଏହି କାରଣରୁ ଏକାଙ୍କିକାର ଇତିହାସ ଅଧ୍ୟୟନ କଲାବେଳେ ସୌଖୀନ ରଙ୍ଗମଞ୍ଚ ଓ ସୌଖୀନ କଳାକାରମାନଙ୍କର ଭୂମିକାକୁ ଉପେକ୍ଷା କରାଯାଇ ନପାରେ । ବୈଷୟିକ ଦୃଷ୍ଟିକୁ ଆଖି ଆଗରେ ନରଖି ଏମାନେ କଳାର ବିକାଶକୁ ଦୃଷ୍ଟି ପଥରେ ରଖିଥାନ୍ତି । ଏକାଙ୍କିକା ନୂତନ ନ ହେଲେ ମଧ୍ୟ ଏହାର ଆଧୁନିକ ରୂପ ନିଶ୍ଚିତ ଭାବରେ ନୂତନ ଓ ନାଟକରୁ ସ୍ଵତନ୍ତ୍ର । ଷୋଡ଼ଶ ଶତାବ୍ଦୀରେ ଇଂରେଜୀ ସାହିତ୍ୟରେ ବ୍ୟବସାୟିକ (Professional) ନାଟକ ବିଶେଷ ଭାବରେ ଉନ୍ନତିଲାଭ କରିଥିଲା । ସେତେବେଳେ ଏକାଙ୍କ ନାଟକର ଚାହିଦା ନଥିଲା । ସପ୍ତଦଶ ଶତାବ୍ଦୀ ଏକାଙ୍କ ନାଟକକୁ ସମ୍ପୂର୍ଣ୍ଣଭାବରେ ରଙ୍ଗମଞ୍ଚରୁ ବିଦାୟ ଦେଇଥିଲା । ଅଷ୍ଟାଦଶ ଶତାବ୍ଦୀରେ ଏହା ଫାର୍ସ ଓ ବର୍ଲେଶ୍‌କ୍ୟୁ (Burlesque) ଭାବରେ ପ୍ରସାରଲାଭ କଲା ଏବଂ ଊନବିଂଶ ଶତାବ୍ଦୀ ହିଁ ଏକାଙ୍କିକାକୁ ସ୍ଵୀକୃତି ପ୍ରଦାନ କଲା । John Bale, John Heywood, Fielding., R.S Shersdan ପ୍ରଭୃତି ନାଟ୍ୟକାରମାନେ ଇଂରେଜୀ ସାହିତ୍ୟରେ ଏକାଙ୍କିକାର ଆଦ୍ୟ ସଙ୍କେତ ପ୍ରଦାନ କରିଥିଲେ । ପ୍ରଥମ ବିଶ୍ଵଯୁଦ୍ଧର ଅବସାନ ପରେ ପରେ ଇଂରାଜୀ ନାଟକ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଦେଖା ଦେଇଥିଲା । ୧୯୧୮ ମସିହାରେ ମେଘ କେଲାଙ୍କ ଦ୍ଵାରା “ଗ୍ରାମ୍ୟ ନାଟକ ସମାଜ’’ (Village Drama Society) ଗଠିତ ହେଲା । ଏହା ୧୯୩୧ ସାଲରେ ‘ବ୍ରିଟିଶ ନାଟକ ସଙ୍ଘ (British Drama league)ରେ ପରିଣତ ହେଲା । ଏହି ସଙ୍ଘ ଆନୁକୁଲ୍ୟରେ ୧୯୩୭ ମସିହାରେ ଏକାଙ୍କ ପ୍ରତିଯୋଗିତା ହୋଇଥିଲା ଏବଂ ଏଥିରେ ୬୦୦ ପ୍ରତିଯୋଗୀ ଯୋଗଦାନ କରିଥିଲେ । ସୌଖୀନ ନାଟକ ସଙ୍ଘମାନ ସୃଷ୍ଟିହୋଇ ଏକାଙ୍କ ନାଟକର ରଚନା ଓ ଅଭିନୟ କ୍ଷେତ୍ରରେ ଆଶାତୀତ ବିକାଶ ହୋଇ ପାରିଲା । ବ୍ୟବସାୟିକ ନାଟକ ଗୋଷ୍ଠୀ ଏହି ନୂତନ ଏକାଙ୍କ ନାଟକକୁ “Box-office poison” ବୋଲି କହୁଥିଲେ ମଧ୍ୟ ଏହାର ଦିନକୁ ଦିନ ବିକାଶ ଲାଭ ହେଲା । ରେଡ଼ିଓ ଏବଂ ଟେଲିଭିଜନର ବିକାଶ ଫଳରେ ଏକାଙ୍କ ନାଟକର ଆହୁରି ବିକାଶ ହେଲା । ଆୟୋନେଷ୍କ, ସାମୁଏଲ ବାକେଟ ପରି ନାଟ୍ୟକାରମାନେ ମଧ୍ୟ ଏକାଙ୍କ ନାଟକ ପ୍ରତି ଆକୃଷ୍ଟ ହେଲେ । ଆଧୁନିକ ଯୁଗରେ ଛୋଟ ନାଟକ ବା ଏକାଙ୍କ ନାଟକର ଚାହିଦା ଦିନକୁ ଦିନ ବଢ଼ୁଅଛି । ବେତାର ନାଟକ ଓ ଟେଲିଭିଜନ ନାଟକ ରଚିତ ହେବା ପରେ ଏକାଙ୍କ ନାଟକ କ୍ଷେତ୍ରରେ ଆହୁରି ପରିବର୍ତ୍ତନ ଦେଖା ଦେଉଛି । ଇଂରେଜୀ ନାଟକ କ୍ଷେତ୍ରରେ ଏକାଙ୍କିକାର ଯେଉଁ ପରୀକ୍ଷା ଚାଲିଛି ଊଣା ଅଧିକେ ତାହା ହିଁ ବିଶ୍ଵର ଅନ୍ୟାନ୍ୟ ନାଟକରେ ଦେଖାଯାଇଥାଏ ।

 

ଏକାଙ୍କିକାର ପ୍ରକାର ଭେଦ–

 

ବିଷୟବସ୍ତୁ ଦୃଷ୍ଟିରୁ ନାଟକ ପରି ଏକାଙ୍କିକାକୁ ମଧ୍ୟ ବିଭନ୍ନ ଭାଗରେ ବିଭକ୍ତ କରାଯାଇଥାଏ । ଯଥା–

 

କ। ସାମାଜିକ ସମସ୍ୟାମୂଳକ ଏକାଙ୍କିକା ।

 

ଖ। ଐତିହାସିକ ଏକାଙ୍କିକା ।

 

ଗ। ମନସ୍ତାତ୍ତ୍ୱିକ ଏକାଙ୍କିକା ।

 

ଘ। କିମ୍ବଦନ୍ତୀମୂଳକ ଏକାଙ୍କିକା ।

 

ଙ। ସମସ୍ୟାମୂଳକ ଏକାଙ୍କିକା ।

 

ଚ। ପ୍ରଚାରଧର୍ମୀ ଏକାଙ୍କିକା ।

 

ଛ। ହାସ୍ୟରସାତ୍ମକ ଏକାଙ୍କିକା ।

 

ଜ। ସଙ୍କେତ ଧର୍ମୀ ଏକାଙ୍କିକା ।

 

ଝ। ରହସ୍ୟ ଭେଦମୂଳକ ଏକାଙ୍କିକା ।

 

ଞ। ଚରିତ୍ରମୂଳକ ଏକାଙ୍କିକା ।

 

ଟ। ଜୀବନ ଚର୍ଯ୍ୟା-ମୂଳକ ଏକାଙ୍କିକା ।

 

ଠ। ପୌରାଣିକ ଏକାଙ୍କିକା ।

 

ଡ଼। ଉଦ୍ଭଟ (absurd) ଏକାଙ୍କିକା ।

 

(କ) ସାମାଜିକ ସମସ୍ୟା ମୂଳକ ଏକାଙ୍କିକା–

 

ସାହିତ୍ୟ ଓ ସମାଜର ସମ୍ପର୍କ ଘନିଷ୍ଠ । ସମାଜର ଅନ୍ତର୍ନିହିତ ଭାବକୁ ନାଟ୍ୟକାର ଏକାଙ୍କିକାରେ ପ୍ରକାଶ କରି ସାମାଜିକ-ଭାବ-ଚେତନା ସୃଷ୍ଟି କରିଥାଏ । ସାମାଜିକ ଜୀବନରେ ଦେଖା ଦେଉଥିବା ନାନା ସମସ୍ୟାକୁ ଏକାଙ୍କିକାରେ ରୂପାୟନ କରାଯାଇପାରେ । ସମାଜ ଜୀବନର ଶୋଷଣ, ପୀଡ଼ନ ଓ ଦୁଃଖ କଷ୍ଟକୁ ଏକାଙ୍କିକାରେ ପ୍ରକାଶ କରାଯାଇପାରେ । ସ୍ୱଳ୍ପ ପରିସର ଓ ସମୟ ମଧ୍ୟରେ ନାଟ୍ୟକାର ଏକାଙ୍କିକା ଦ୍ଵାରା ଜନଜାଗରଣ ସୃଷ୍ଟି କରିବାକୁ ସକ୍ଷମ ହୋଇଥାଏ ।

 

(ଖ) ଐତିହାସିକ ଏକାଙ୍କିକା–

 

ଇତିହାସର ବିଷୟବସ୍ତୁକୁ ନେଇ ମଧ୍ୟ ଏକାଙ୍କିକା ରଚନା କରାଯାଇପାରେ । ତେବେ ଐତିହାସିକ ଏକାଙ୍କିକାରେ ଇତିହାସ ମୁଖ୍ୟ ନହୋଇ ଇତିହାସର ଅନ୍ତର୍ନିହିତ ମାନବିକ ଭାବସତ୍ତା ମୁଖ୍ୟତ୍ଵ ଲାଭ କରିଥାଏ । ଇତିହାସର ମୂକ, ନିର୍ଜୀବ ଚରିତ୍ରକୁ ନାଟ୍ୟକାର ଜୀବନ୍ତ କରିଦିଏ । ଇତିହାସର କଥାବସ୍ତୁନୁ ମନଇଚ୍ଛା ନାଟ୍ୟକାର ପରିବର୍ତ୍ତିତ କରିଦେଇ ନ ପାରେ । ଐତିହାସିକ ଏକାଙ୍କିକା ଦ୍ଵାରା ନାଟ୍ୟକାର ସମସାମୟିକ ସମାଜରେ ଜାତୀୟ ଜାଗରଣ ସୃଷ୍ଟି କରିବାରେ ସାହାଯ୍ୟ କରିଥାଏ ।

 

(ଗ) ମନସ୍ତାତ୍ତ୍ୱିକ ଏକାଙ୍କିକା–

 

ଆଧୁନିକ ଯୁଗରେ ମନସ୍ତାତ୍ତ୍ୱିକ ଏକାଙ୍କିକା ବିଶେଷ ଭାବରେ ରଚିତ ହୋଇଅଛି । ମଣିଷର ମନଗହନର ଅନ୍ଧକାର ସ୍ୱରୂପକୁ ଆଜିର ଏକାଙ୍କିକାରେ ଉଦ୍‌ଘାଟନ କରାଯାଉଛି । ଅବଚେତନ ସ୍ତରରେ ଦେଖାଯାଉଥିବା ନାନା ସଂଘର୍ଷ ଓ ଦ୍ୱନ୍ଦ୍ୱକୁ ନାଟ୍ୟକାର ଚମତ୍କାର ଭାବରେ ପ୍ରକାଶ କରୁଛି । ଏ ଧରଣର ନାଟକରେ ମନଧର୍ମୀ ସଂଳାପ ବ୍ୟବହୃତ ହେଉଅଛି । ଦୋଷ, ଗୁଣ, ହିଂସା, ଦ୍ୱେଷ, ଘୃଣା ପ୍ରଭୃତି ମାନବିକ ଚରିତ୍ରଗୁଡ଼ିକୁ ଆଜିର ଏକାଙ୍କିକାରେ ପ୍ରକାଶ କରାଯାଉଅଛି । ମଣିଷର ଅନ୍ତର୍ନିହିତ ବ୍ୟକ୍ତିତ୍ଵକୁ ବିଶେଷ ଭାବରେ ଏ ଧରଣର ନାଟକରେ ବିଶ୍ଳେଷିତ କରାଯାଇଥାଏ । ଅବଚେତନ ମନର ଚେତନା ପ୍ରବାହକୁ ମଧ୍ୟ ଏହି ଏକାଙ୍କିକାରେ ରୂପାୟନ କରାଯାଇଥାଏ ।

 

(ଘ) କିମ୍ବଦନ୍ତୀ ମୂଳକ ଏକାଙ୍କିକା–

 

ନାଟ୍ୟକାର ଯେତେବେଳେ ଲୋକଶ୍ରୁତି ଓ କିମ୍ବଦନ୍ତୀକୁ ନେଇ ଏକାଙ୍କିକା ରଚନା କରେ, ସେତେବେଳେ ଏହି ଏକାଙ୍କିକାକୁ କିମ୍ବଦନ୍ତୀମୂଳକ ଏକାଙ୍କିକା କୁହାଯାଇଥାଏ । କିମ୍ବଦନ୍ତୀ ଇତିହାସ ନୁହେଁ; ମାତ୍ର ଇତିହାସର ବୃତ୍ତ ପରିସର ଭୁକ୍ତ କାଳ୍ପନିକ କାହାଣୀ । ଏହି କାହାଣୀକୁ ନାଟ୍ୟରୂପ ପ୍ରଦାନ କରି ନାଟ୍ୟକାର ସମାଜ ମଣିଷ ହୃଦୟରେ ଏକ ନୈତିକ ମୂଲ୍ୟବୋଧ ଜାଗ୍ରତ କରିଥାଏ ।

 

(ଙ) ସମସ୍ୟା ମୂଳକ ଏକାଙ୍କିକା–

 

ଆଜିର ସମାଜ ନାନା ସମସ୍ୟାକୀର୍ଣ୍ଣ । ରାଜନୀତିକୁ ନେଇ ଯେପରି ସମାଜରେ ଦେଖା ଦେଇଛି ନାନବିଧ ସମସ୍ୟା, ସେହିପରି ଅର୍ଥନୀତି ଓ ଆଦର୍ଶକୁ ନେଇ ମଧ୍ୟ ନାନା ସମସ୍ୟା ଦେଖା ଦେଇଛି । ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ଆଦର୍ଶଗତ ବୈଷମ୍ୟ, ଶ୍ରେଣୀ ସଂଘର୍ଷ, ଧର୍ମ, ଜାତି ଓ ଭାଷାକୁ ନେଇ ଦେଖା ଦେଇଥିବା ନାନା ଦ୍ୱନ୍ଦ୍ୱ, ସାମ୍ୟବାଦ ଓ ଗଣତନ୍ତ୍ର ମଧ୍ୟରେ ଆଦର୍ଶଗତ ଦ୍ୱନ୍ଦ୍ୱ, ବୁର୍ଜୁୟା ଓ ପ୍ରୋଲେଟେରିଏଟ୍‍ ମଧ୍ୟରେ ଦେଖା ଦେଇଥିବା ସଂଘର୍ଷ ଆଦି ସମସ୍ୟାକୁ ଆଜିର ଏକାଙ୍କିକାରେ ପ୍ରକାଶ କରାଯାଉଛି । ସମସ୍ୟାମୂଳକ ଏକାଙ୍କିକାରେ ଲଘୁ ସୌନ୍ଦର୍ଯ୍ୟ ସୃଷ୍ଟି କରିବାର ଅଭିପ୍‌ସା ନ ଥାଏ ବା ଏ ଧରଣର ଏକାଙ୍କିକା ଅବସର ବିନୋଦନ ପାଇଁ ଉଦ୍ଦିଷ୍ଟ ନୁହେଁ । ଯୁଗ ସମସ୍ୟାକୁ ଏହା ପ୍ରକାଶ କରିଥାଏ । ରାଷ୍ଟ୍ର ସମସ୍ୟା, ବେକାର ସମସ୍ୟା, ଜାତି ଓ ଭାଷା ସମସ୍ୟା, ଯୌନ ସମସ୍ୟା, ବିବାହ ସମସ୍ୟା, ଶିକ୍ଷା ସମସ୍ୟା, ଆଦି ବହୁବିଧ ଘଟଣାକୁ ସମସ୍ୟାମୂଳକ ଏକାଙ୍କିକାରେ ପ୍ରକାଶିତ ହୋଇଥାଏ ।

 

(ଚ) ପ୍ରଚାରଧର୍ମୀ ଏକାଙ୍କିକା–

 

କୌଣସି ଏକ ନିର୍ଦ୍ଦିଷ୍ଟ ଆଦର୍ଶ ବା ଲକ୍ଷ୍ୟ ଯେଉଁ ଏକାଙ୍କିକାରେ ପ୍ରଚାରିତ ହୋଇଥାଏ, ତାହାକୁ ପ୍ରଚାରଧର୍ମୀ ଏକାଙ୍କିକା କୁହାଯାଏ । ଏହା ଅତି ମାତ୍ରାରେ ପ୍ରଚାରଧର୍ମୀ ହେବାରୁ ଏହାର କଳାଗତ ମୂଲ୍ୟ ଲୋପ ପାଇଥାଏ । ଜନମତ ସୃଷ୍ଟି କରିବାପାଇଁ ଏ ଧରଣର ଏକାଙ୍କିକା ରଚିତ ହୋଇଥାଏ ।

 

(ଛ) ହାସ୍ୟରସାତ୍ମକ ଏକାଙ୍କିକା–

 

ଏ ଧରଣର ଏକାଙ୍କିକାରେ ହାସ୍ୟରସକୁ ପ୍ରାଧାନ୍ୟ ପ୍ରଦାନ କରାଯାଇ ଥାଏ । ହାସ୍ୟରସକୁ ବିଭିନ୍ନ ଚରିତ୍ରର ସଂଳାପ ମାଧ୍ୟମରେ ପ୍ରକାଶ କରାଯାଏ । ଦର୍ଶକର ହୃଦୟରେ ଲଘୁ ହାସ୍ୟୋଜ୍ଜ୍ଵଳ ଭାବ ସୃଷ୍ଟି କରି ସାମାଜିକ ଭାବ ସୃଷ୍ଟି କରିବାରେ ଏହା ସାହାଯ୍ୟ କରିଥାଏ । ଏହି ହାସ୍ୟ କେତେବେଳେ ଲଘୁହାସ୍ୟ ସୃଷ୍ଟି କରିଥାଏ ତ ପୁଣି କେତେବେଳେ ଏହା ବ୍ୟଙ୍ଗାତ୍ମକ ଭାବ ସୃଷ୍ଟି କରିଥାଏ ।

 

(ଜ) ସଂକେତଧର୍ମୀ ଏକାଙ୍କିକା–

 

ଆଧୁନିକ ଯୁଗର ମଣିଷର ଜୀବନ ସମସ୍ୟା ପ୍ରାଚୀନ କାଳର ମନୁଷ୍ୟର ଜୀବନ ସମସ୍ୟାଠାରୁ ସମ୍ପୂର୍ଣ୍ଣ ପୃଥକ । ଆଧୁନିକ ଯୁଗ ଜିଜ୍ଞାସାର ଯୁଗ, ପ୍ରଶ୍ନର ଯୁଗ । ମନୁଷ୍ୟ ବହିର୍ଜଗତରୁ ନିଜକୁ ଦୂରେଇ ଆଣି ନିଜର ଅନ୍ତର୍ଜଗତକୁ ବିଶ୍ଳେଷଣ କରୁଛି । ଆତ୍ମ-ବିଶ୍ଳେଷଣ ଓ ଆତ୍ମ-ପରୀକ୍ଷା ଦ୍ଵାରା ଆଜିର ମଣିଷ ଆତ୍ମ ଆବିଷ୍କାର କରୁଛି । ଏଥିପାଇଁ ସେ ଅନ୍ତର ପୁରୁଷକୁ ପ୍ରକାଶ କଲାବେଳେ ମନନଧର୍ମୀ ପ୍ରତୀକାତ୍ମକ ଭାଷା ବ୍ୟବହାର କରୁଛି । ଯେଉଁ ଏକାଙ୍କିକା ଅନ୍ତରର ଭାବଧାରକୁ ଓ ଭିତରେ ବ୍ୟକ୍ତିସତ୍ତାକୁ ପ୍ରତୀକାତ୍ମକ ଭାବରେ ବା ସଙ୍କେତଧର୍ମୀ ଭାବରେ ପ୍ରକାଶ କରେ ତାହାକୁ ସଙ୍କେତଧର୍ମୀ ଏକାଙ୍କିକା (Symbolic one act play) କୁହାଯାଏ ।

 

(ଝ) ରହସ୍ୟଭେଦ ମୂଳକ ଏକାଙ୍କିକା–

 

ସାଧାରଣତଃ ଏ ଧରଣର ଏକାଙ୍କିକା କୌଣସି ରହସ୍ୟକୁ ଉନ୍ମୋଚିତ କରିଥାଏ । ଗୁଇନ୍ଦା କାହାଣୀ ଏ ଧରଣର ଏକାଙ୍କିକାରେ ପ୍ରକାଶିତ ହୋଇଥାଏ । ଚୋର, ଡାକୁ, ପୋଲିସ, ଗୁଇନ୍ଦା ପ୍ରଭୃତିଙ୍କୁ ନେଇ ଏ ଧରଣର ଏକାଙ୍କିକା ସାଧାରଣତଃ ରଚିତ ।

 

(ଞ) ଚରିତ୍ରମୂଳକ ଏକାଙ୍କିକା–

 

ଚରିତ୍ରମୂଳକ ଏକାଙ୍କିକା (Biographical one act play) ଆଧୁନିକ ଯୁଗରେ ନୂତନତମ ସୃଷ୍ଟି । ଏ ଧରଣର ଏକାଙ୍କିକା ରଚନା ସହଜସାଧ୍ୟ ନୁହେଁ । କୌଣସି ମହାପୁରୁଷଙ୍କର ଜୀବନୀକୁ ଏକାଙ୍କିକାରେ ରୂପ ଦେବାକୁ ହେଲେ ତାଙ୍କର ଏକ ବିଶିଷ୍ଟ ଗୁଣକୁ ସାଧାରଣତଃ ନିର୍ବାଚିତ କରାଯାଇଥାଏ । ସଂଳାପ ମଧ୍ୟଦେଇ ଘଟଣାର ବିକାଶ ହେଲେ ଏ ଧରଣର ଏକାଙ୍କିକାର ସାର୍ଥକତା ସୃଷ୍ଟି ହୋଇଥାଏ । ମହତ୍‌ ଚରିତ୍ରକୁ ମାନବୀୟ କରି ଏକାଙ୍କିକାରେ ରୂପଦେଲେ ତାହା ପ୍ରଭାବଶାଳୀ ହୋଇଥାଏ ।

 

(ଟ) ଜୀବନଚର୍ଯ୍ୟାମୂଳକ ଏକାଙ୍କିକା–

 

ଦୈନନ୍ଦିନ ଜୀବନର ଟିକିନିଖି ବିବରଣୀକୁ ନେଇ ଏ ଧରଣର ଏକାଙ୍କିକା ରଚନା କରାଯାଇଥାଏ । ଜୀବନ ସମ୍ପର୍କିତ ଅନେକ ଯଥାର୍ଥବାଦୀ ଚିତ୍ର ଏ ଧରଣର ଏକାଙ୍କିକାରେ ପ୍ରକାଶିତ ହୋଇଥାଏ । କେତେବେଳେ ଏହା ହାସ୍ୟମୁଖର ଏବଂ କେତେବେଳେ ଏହା ଭାବଗମ୍ଭୀର ହୋଇଥାଏ ।

 

(ଠ) ପୌରାଣିକ ଏକାଙ୍କିକା–

 

କେତେକ ନାଟ୍ୟକାର ପୌରାଣିକ ବିଷୟକୁ ନେଇ ଏକାଙ୍କିକା ରଚନା କରିଥାନ୍ତି । ଅତୀତର ଅଧ୍ୟାତ୍ମ-ଆଲୋକ-ଛଟାରେ ସମସାମୟିକ ସମାଜକୁ ଆଲୋକିତ କରିବାପାଇଁ ନାଟ୍ୟକାର ଏ ଧରଣର ଏକଙ୍କିକା ପରିକଳ୍ପନା କରିଥାନ୍ତି । ପୁରାଣର ଏକ ବିଶେଷ ଭାବସତ୍ତାକୁ ଆଧୁନିକ ଜୀବନ ସହିତ ସମନ୍ୱିତ କରି ନାଟ୍ୟକାର ତାହା ଏଥିରେ ପ୍ରକାଶ କରି ଦର୍ଶକ ପ୍ରାଣରେ ପୌରାଣିକ ରସଚେତନା ସୃଷ୍ଟି କରିବାରେ ସାହାଯ୍ୟ କରିଥାଏ ।

 

ଏକାଙ୍କିକାର ଗଠନ ରୀତି–

 

ଏକାଙ୍କିକା ଏକସ୍ଵତନ୍ତ୍ର କଳା । ଏହା ନାଟକର ଅନୁରୂପ ହେଲେ ମଧ୍ୟ ଏହା ପୂର୍ଣ୍ଣାଙ୍ଗ ନାଟକ ନୁହେଁ । ନାଟକରେ ସାଧାରଣତଃ ପାଞ୍ଚଟି ଅଙ୍କ ଥାଏ । ସଂସ୍କୃତରେ ଏହାକୁ ମୁଖ, ପ୍ରତିମୁଖ, ଗର୍ଭ, ବିମର୍ଶ ଓ ନିର୍ବାହଣ କୁହାଯାଏ । ଇଂରାଜୀରେ ପ୍ରସ୍ଥାବନା (Exposition), ପ୍ରବାହ (Growth of action) ଉତ୍କର୍ଷ (The Climax), ଗ୍ରନ୍ଥିମୋଚନ (Denouement of Falling action) ଏବଂ ଉପସଂହାର (Gatastrophe) କୁହାଯାଏ । ପୂର୍ଣ୍ଣାଙ୍ଗ ନାଟକ ପ୍ରତି ଏହି ବିଭାଗଗୁଡ଼ିକ ପ୍ରଯୁଜ୍ୟ; ମାତ୍ର ଏକାଙ୍କ ନାଟକ ପ୍ରତି ଏ ସମସ୍ତ ପ୍ରଯୁଜ୍ୟ ନୁହେଁ । ଚରମ ପରିଣତି (Climax)ରୁ ଏକାଙ୍କିକା ଆରମ୍ଭ ହୁଏ ଏବଂ ସେହି ଚରମ ପରିଣତି ମଧ୍ୟରେ ଗତିକରି ସେଇଥିରେ ଶେଷ ହୋଇଥାଏ । ତେଣୁ ଏକାଙ୍କିକାରେ ଉତ୍କର୍ଷ (Climax) ହିଁ ପ୍ରାଧାନ୍ୟ ଲାଭ କରିଥାଏ । ପଞ୍ଚାଙ୍କ ନାଟକରେ ପାଞ୍ଚଟି ଅଙ୍କ ଥାଏ । ଏହି ପ୍ରତ୍ୟେକ ଅଙ୍କ କେତେଗୁଡ଼ିଏ ଦୃଶ୍ୟରେ ବିଭକ୍ତ ହୋଇଥାଏ । ତିନିଅଙ୍କ ବିଶିଷ୍ଟ ନାଟକରେ ମଧ୍ୟ ତିନୋଟି ଅଙ୍କ ଓ କେତେଗୁଡ଼ିଏ ଦୃଶ୍ୟଥାଏ-। ଏକାଙ୍କିକାରେ ମାତ୍ର ଗୋଟିଏ ଅଙ୍କଥାଏ । ଏହାକୁ କେତେଗୁଡ଼ିଏ ଦୃଶ୍ୟରେ ବିଭକ୍ତ କରାଯାଇଥାଏ ।

 

ଆଧୁନିକ କାଳରେ ଏକାଙ୍କିକାରେ ଆଉ ଦୃଶ୍ୟଗତ ପଟ୍ଟ ପରିବର୍ତ୍ତନ ହେଉନାହିଁ-। ଗୋଟିଏ ଦୃଶ୍ୟପଟ୍ଟ ଉପରେ ଏକାଙ୍କିକାର କଥାବସ୍ତୁକୁ ଅଭିନୀତ କରାଯାଉଛି । ନାଟକ ପରି ଏହାର ଆଙ୍ଗିକରେ (କ) କଥାବସ୍ତୁ, (ଖ) ଚରିତ୍ର, (ଗ) ସଂଳାପ, (ଘ) ଦ୍ଵନ୍ଦ୍ଵ, (ଙ) ଭାବଐକ୍ୟ ଆଦି ବିଭାଗକୁ ଲକ୍ଷ୍ୟ କରାଯାଏ ।

 

(କ) କଥାବସ୍ତୁ–

 

ଏକାଙ୍କିକାର ପ୍ରଧାନ ଉପାଦାନ ହେଲା କଥାବସ୍ତୁ । ସାମାଜିକ, ଐତିହାସିକ ପୌରାଣିକ, ମନସ୍ତାତ୍ତ୍ୱିକ ଘଟଣାକୁ ନେଇ ଏକାଙ୍କିକା ରଚନା କରାଯାଇଥାଏ । ଏକାଙ୍କିକାର କଥାବସ୍ତୁ ଏକତତ୍ତ୍ଵମୂଳକ ହେବା ବାଞ୍ଛନୀୟ । ଏହା ଯେତିକି ବାସ୍ତବ ଓ ଜୀବନ ଧର୍ମୀ ହେବ, ଏକାଙ୍କିକା ସେତିକି ହେବ ସାର୍ଥକ ଓ ସଫଳ । କଥାବସ୍ତୁରେ ସଂଶୟ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ରକ୍ଷା କରାଗଲେ ଦର୍ଶକ ପ୍ରାଣରେ ଏହା ଗଭୀର ରେଖାପାତ କରିଥାଏ । ‘ବିସ୍ମୟ’ ହେଉଛି କଥାବସ୍ତୁରେ ପ୍ରଧାନ ଆକର୍ଷଣୀୟ ଉପାଦାନ । ଆଜିର ଏକାଙ୍କିକାର କଥାବସ୍ତୁକୁ ସାଧାରଣ ଜୀବନରୁ ସଂଗ୍ରହ କରିବାକୁ ହେଉଅଛି । ଏହି କଥାବସ୍ତୁର ପ୍ରଭାବ ଅନୁଯାୟୀ ଏକାଙ୍କିକାର ପ୍ରଭାବ ଅନୁଭୂତ ହେଉଅଛି ।

 

(ଖ) ଚରିତ୍ର–

 

ନାଟ୍ୟକାର ନାଟକ ବର୍ଣ୍ଣିତ କଥାବସ୍ତୁ ଚରିତ୍ର ମାଧ୍ୟମରେ ପ୍ରକାଶ କରିଥାଏ । ଚରିତ୍ରକୁ ଆଶ୍ରୟକରି ନାଟକର ରସ ଓ ଭାବର ବିକାଶ ଘଟିଥିଲା । ଚରିତ୍ର ଓ ଘଟଣା ପରସ୍ପରକୁ ଆଶ୍ରୟକରି ନାଟକରେ ଗତି କରେ । ନାକଟରେ ଚରିତ୍ର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଏକାଙ୍କିକାର ପରିସର ସୀମିତ । ତେଣୁ ନାଟ୍ୟକାର ଖୁବ୍‍ ସତର୍କତା ସହିତ ଚରିତ୍ରକୁ ବର୍ଣ୍ଣନା କରିଥାଏ । ଅପ୍ରାସଙ୍ଗିକ ଚରିତ୍ରର ଆଦୌ ଅବତାରଣା ଏଥିରେ ହୁଏନାହିଁ । କେନ୍ଦ୍ରୀୟ ଚରିତ୍ର ପ୍ରଭାବଶାଳୀ ଓ ବାସ୍ତବ ହେବା ବିଧେୟ । ଚରିତ୍ର ସତ୍, ବାସ୍ତବ ଓ ସଙ୍ଗତ ହେବା ଉଚିତ । ଚରିତ୍ର ଯେପରି ଅପ୍ରାସଙ୍ଗିକତା ବା ଅତିମାନବିକତା ଦୋଷଦୁଷ୍ଟ ନ ହୁଏ, ସେଥିପ୍ରତି ଲକ୍ଷ୍ୟ କରାଯିବା ଉଚିତ । ଏକାଙ୍କିକାର ଚରିତ୍ର ପୂର୍ଣ୍ଣାଙ୍ଗ ନୁହେଁ–ଏହା ନିର୍ଦ୍ଦିଷ୍ଟ ଏକ ଭାବକୁ ପ୍ରକାଶ କରିଥାଏ । ଏହା ସ୍ଥିର ଚରିତ୍ର ନୁହେଁ–ମାତ୍ର ଗତିଶୀଳ ଚରିତ୍ର ।

 

(ଗ) ସଂଳାପ–

 

ଏକାଙ୍କିକା ନାଟକପରି ଦୁଶ୍ୟ-କାବ୍ୟ । ତେଣୁ ନାଟ୍ୟକାର ଏଥିରେ ସଂଳାପକୁ ପ୍ରାଧାନ୍ୟ ଦେଇଥାଏ । ଏକାଙ୍କିକାର କଥାବସ୍ତୁ ଚରିତ୍ରଗୁଡ଼ିକର ସଂଳାପ ମାଧ୍ୟମରେ ପ୍ରକାଶିତ ହୋଇଥାଏ । ନାଟ୍ୟକାର ଯାହା କିଛି କହେ, ଚରିତ୍ରମାନଙ୍କର ସଂଳାପ ମାଧ୍ୟମରେ କହେ । ସେ ପ୍ରତ୍ୟକ୍ଷ ଭାବରେ କିଛି କହେ ନାହିଁ । ତେଣୁ ସଂଳାପ ଯେତିକି ବାସ୍ତବଧର୍ମୀ ଓ ପାତ୍ରୋମୁଖୀ ହେବ, ଏକାଙ୍କିକା ସେତିକି ସାର୍ଥକ ହେବ । ସଂଳାପ ଦୁର୍ବଳ ହେଲେ ଏକାଙ୍କିକା ଦୁର୍ବଳ ହୋଇ ପଡ଼ିବ । ସଂଳାପର ଚମତ୍କାରିତା ଦ୍ଵାରା ଏକାଙ୍କିକାର ସଫଳତା ସୃଷ୍ଟି ହୁଏ । ଏଥିପ୍ରତି ଧ୍ୟାନ ଦେଇ ଏକାଙ୍କିକାରେ ସଂଳାପ ପ୍ରୟୋଗ କରିବାକୁ ହୋଇଥାଏ । ଏକାଙ୍କିକାର ସଂଳାପ ଅଯଥା ଦୀର୍ଘ ହେବା ଉଚିତ ନୁହେଁ । ସଂଳାପ ଯେତେ ସଂକ୍ଷିପ୍ତ ଅଥଚ ଭାବଗର୍ଭକ ହେବ ସେଥିପ୍ରତି ଧ୍ୟାନ ଦେବା ସର୍ବାଦୌ କର୍ତ୍ତବ୍ୟ ।

 

(ଘ) ଦ୍ଵନ୍ଦ୍ଵ–

 

“No conflit no drama”–ଦ୍ଵନ୍ଦ୍ୱ ନଥିଲେ ନାଟକ ହୋଇପାରେ ନାହିଁ । ଦ୍ଵନ୍ଦ୍ଵହିଁ ନାଟକର ପ୍ରାଣସତ୍ତା । ଏକାଙ୍କିକାରେ ମଧ୍ୟ ଦ୍ଵନ୍ଦ୍ଵ, ଅପରିହାର୍ଯ୍ୟ ବସ୍ତୁ । ଏହି ଦ୍ଵନ୍ଦ୍ଵ–ଘଟଣା ସହିତ ଘଟଣାର, ଚରିତ୍ର ସହିତ ଚରିତ୍ରର, ଭାବସହିତ ଭାବର ହୋଇଥାଏ । ଏପରିକି ମନ ଗହନରେ ନାନା ଦ୍ଵନ୍ଦ୍ଵ ସୃଷ୍ଟି ହୋଇଥାଏ । ନାଟକୀୟ ଚରିତ୍ର ମଧ୍ୟରେ ଦ୍ଵନ୍ଦ୍ଵ ରହିଥାଏ । ଦ୍ଵନ୍ଦ୍ଵ ମଧ୍ୟରେ ନାଟକର ପ୍ରାଣକୁ ଅନ୍ୱେଷଣ କରାଯାଏ । ଏକାଙ୍କ ନାଟକର, ପରିସର ସୀମିତ । ତେଣୁ ଏଥିରେ ଦ୍ଵନ୍ଦ୍ଵକୁ ଏପରି ଭାବରେ ପ୍ରକାଶ କରାଯାଇଥାଏ, ଯାହା ଫଳରେ ଦର୍ଶକ ଶେଷ ପର୍ଯ୍ୟନ୍ତ ଏକାଙ୍କିକାର ପରିଣତି ଜାଣିବା ପାଇଁ ଉତ୍କଣ୍ଠିତ ହୋଇ ରହେ । ତେଣୁ ଏକାଙ୍କିକାରେ ଦ୍ଵନ୍ଦ୍ଵର ସ୍ଥାନକୁ ଅସ୍ଵୀକାର କରାଯାଇ ନପାରେ ।

 

(ଙ) ଭାବ ଐକ୍ୟ–

 

ଏକାଙ୍କିକା ସୀମିତ ପରିସର ମଧ୍ୟରେ ଗତିଶୀଳ । ନାଟ୍ୟକାର ଏଥିରେ ପ୍ରକାଶିତ ହୋଇଥିବା ଘଟଣା ଓ ଭାବ ମଧ୍ୟରେ ଐକ୍ୟ ସ୍ଥାପନ କରେ । ବିଭିନ୍ନ ଭାବର ଐକ୍ୟ ସୃଷ୍ଟି ନହେଲେ ଏକାଙ୍କିକା ସଫଳ ହୁଏ ନାହିଁ । ସଙ୍ଗୀତର ସ୍ଵର ଏକ ଭାବ ପ୍ରକାଶ କଲାପରି ଏକାଙ୍କିକାର ପ୍ରାଣସତ୍ତା ଏକ ଭାବ ପ୍ରକାଶ କରିଥାଏ । ଭାବ ଐକ୍ୟରେ ବ୍ୟାଘାତ ସୃଷ୍ଟି ହେଲେ ଏକାଙ୍କିକା ସାର୍ଥକତା ଅର୍ଜନ କରେ ନାହିଁ । ଏଥିପ୍ରତି ଧ୍ୟାନ ଦେଇ ଏକାଙ୍କିକା ରଚନା କଲେ ଏକାଙ୍କିକା ଉନ୍ନତ ଓ ମାର୍ଜିତ ହୋଇଥାଏ ।

 

ଓଡ଼ିଆ ସାହିତ୍ୟରେ ଏକାଙ୍କିକାର ଗତି ଓ ପ୍ରକୃତି–

 

ଊନବିଂଶ ଶତକର ଶେଷ ପାଦରେ ଆଧୁନିକ ଓଡ଼ିଆ ନାଟକର ଜନ୍ମ ହେଲା ଜଗନ୍ମୋହନ ଲାଲା ପ୍ରଥମ ଓଡ଼ିଆ ନାଟ୍ୟକାର । ଏହି ସମୟରେ ମଧ୍ୟ ଏକାଙ୍କିକା ରଚନା କରାଯାଇଥିଲା । ସେ ସମୟରେ ରଚିତ ହୋଇଥିବା ଏକାଙ୍କିକାକୁ ଆଧୁନିକ ଯୁଗରେ ଏକାଙ୍କିକା କୁହାଯାଇପାରେ ନାହିଁ । ତାହା ପ୍ରହସନଧର୍ମୀ ରଚନା ଅଟେ । ରାମଶଙ୍କର ରାୟ କେତେକ ପ୍ରହସନ ରଚନା କରି ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଥିଲେ । ଏହାଙ୍କ ପରେ ଅଶ୍ୱିନୀକୁମାର ଘୋଷ, କୃଷ୍ଣପ୍ରସାଦ ବସୁ ଓ ଲକ୍ଷ୍ମୀକାନ୍ତ ମହାପାତ୍ର କେତେକ ଏକାଙ୍କିକା ଧର୍ମୀ ନାଟକ ରଚନା କରି ଆଧୁନିକ ଏକାଙ୍କିକାର ପଥକୁ ସୁଗମ କରିଦେଲେ । କାଳୀଚରଣ ପଟ୍ଟନାୟକ, ଡକ୍ଟର ହରେକୃଷ୍ଣ ମହତାବ ଓ ଡଃ ମାୟାଧର ମାନସିଂହ ମଧ୍ୟ କେତେକ ଏକାଙ୍କିକା ରଚନା କରିଅଛନ୍ତି । ଆଧୁନିକ ଓଡ଼ିଆ ଏକାଙ୍କିକା କ୍ଷେତ୍ରରେ ପ୍ରାଣବନ୍ଧୁ କରହିଁ ଯଥାର୍ଥରେ ବୈପ୍ଳବିକ ପରିବର୍ତ୍ତନ ସୃଷ୍ଟି କରିଅଛନ୍ତି । ବହୁ ଏକାଙ୍କିକା ରଚନା କରି ସେ ଓଡ଼ିଆ ଏକାଙ୍କିକା ସାହିତ୍ୟକୁ ସମୃଦ୍ଧ କରିଅଛନ୍ତି । ଆକାଶବାଣୀ ପ୍ରତିଷ୍ଠା ପରେ ଓଡ଼ିଆ ନାଟ୍ୟକାରମାନେ ବହୁ ଏକାଙ୍କିକା ଲେଖି ରେଡ଼ିଓରେ ପ୍ରଚାର କରାଇଅଛନ୍ତି-। ବେତାର କେନ୍ଦ୍ରହିଁ ଆଧୁନିକ ଏକାଙ୍କିକାର ପ୍ରସାର ଓ ଲୋକପ୍ରିୟତା ପାଇଁ ବିଶେଷ ଭାବରେ ଦାୟୀ ।

 

ଓଡ଼ିଆ ଏକାଙ୍କିକା କ୍ଷେତ୍ରରେ କାଳିନ୍ଦୀଚରଣ ପାଣିଗ୍ରାହୀଙ୍କର ଅବଦାନକୁ ଅସ୍ଵୀକାର କରାଯାଇ ନ ପାରେ । ତାଙ୍କର ଏକାଙ୍କିକାଗୁଡ଼ିକ ସଫଳ ନୁହେଁ ସତ, ମାତ୍ର ଏକାଙ୍କିକାର ଇତିହାସରେ ସେଗୁଡ଼ିକର ଅବଦାନକୁ ଅସ୍ଵୀକାର କରାଯାଇ ନ ପାରେ । ‘ସୌମ୍ୟା’ ‘ପଦ୍ମିନୀ’ ଓ ‘ଶିଳ୍ପୀର ସ୍ଵପ୍ନ’ ଆଦି ତାଙ୍କର ଏକାଙ୍କିକା । କାଳୀଚରଣ ପଟ୍ଟନାୟକ ଓଡ଼ିଆ ନାଟକ କ୍ଷେତ୍ରରେ ଜଣେ ବଳିଷ୍ଠ ପ୍ରତିଭା । ସେ ବହୁ ନାଟକ ରଚନା କରି ଓଡ଼ିଆ ନାଟ୍ୟ-ସାହିତ୍ୟକୁ ସମୃଦ୍ଧ କରିବା ସଙ୍ଗେ ସଙ୍ଗେ କେତେକ ଏକାଙ୍କିକା ମଧ୍ୟ ରଚନା କରିଅଛନ୍ତି । ‘ଯୁଗ ଯୋଗୀ’, ‘କଳିଙ୍ଗ ଜେମା’, ‘ଜୀବିତ ଦର୍ପଣ’, ‘ଦଳବେହେରା’, ‘ଶ୍ରୀପଞ୍ଚମୀ’ ‘ନୂଆଦୁନିଆ’, ‘ପୋଷ୍ୟପୁତ୍ର’ ଆଦି ଏକାଙ୍କିକାଗୁଡ଼ିକ ତାଙ୍କର ପ୍ରତିଭାର ପରିଚୟ ଦେଇଥାଏ । ଡକ୍ଟର ହରେକୃଷ୍ଣ ମହତାବ ମଧ୍ୟ ‘ଗନ୍ତାଘର’, ‘ଅନ୍ଧଯୁଗ’ ‘ରୂପାନ୍ତର’, ‘ଇତିହାସର ପରିହାସ’, ‘ବାସ୍ତବିକ’ ଆଦି ଏକାଙ୍କିକାମାନ ରଚନା କରିଅଛନ୍ତି । ତାଙ୍କର ଏକାଙ୍କିକାଗୁଡ଼ିକରେ ସାମ୍ପ୍ରତିକ ସାମାଜିକ ଓ ରାଜନୀତିକ ସମସ୍ୟାଗୁଡ଼ିକ ଉତ୍‌କୀର୍ଣ୍ଣ । କାଳିପ୍ରସନ୍ନ କବିଙ୍କର ମଧ୍ୟ କେତେକ ଏକାଙ୍କିକା ଅଛି । ‘ମଧ୍ୟମ’ ତାଙ୍କର ଏକ ଉଲ୍ଲେଖଯୋଗ୍ୟ ଏକାଙ୍କିକା ।

 

ଆଧୁନିକ ଏକାଙ୍କିକା କ୍ଷେତ୍ରରେ ଅଧ୍ୟାପକ ପ୍ରାଣବନ୍ଧୁ କରଙ୍କର ସ୍ଥାନ ସର୍ବାଦୌ ସ୍ମରଣୀୟ । ସେ ବହୁ ଏକାଙ୍କିକା ରଚନାକରି ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଅଛନ୍ତି । ଯଥାର୍ଥରେ ସେ ହିଁ ଓଡ଼ିଆ ଏକାଙ୍କିକାରେ ବୈପ୍ଳବିକ ପରିବର୍ତ୍ତନ ସୃଷ୍ଟି କରିଥିଲେ । ମୁହୂର୍ତ୍ତ ସର୍ବସ୍ୱ ଜୀବନର ଭାବକୁ ସେ ମନ୍ମୟ ଭାବରେ ଏକାଙ୍କିକାରେ ପ୍ରକାଶ କରିଅଛନ୍ତି । ‘ଶିଳ୍ପୀର ସୃତ୍ୟୁ’ ତାଙ୍କର ଏକ ଅନବଦ୍ୟ ଏକାଙ୍କିକା । ଏହାପରେ ସେ ‘ମହ୍ୟା’, ‘ଶ୍ୱେତପଦ୍ମା’, ‘ପ୍ରବୀରଦାସ’, ‘ଦଶବର୍ଷ ପରେ’, ‘ଦୂରପାହାଡ଼’, ‘ଶିଶୁ’, ‘ବାପୁଜୀ’, ‘ସନ୍ଧ୍ୟା ଆସରର ଭୂତ’, ‘ସ୍ମୃତି ବିଭ୍ରାଟ’, ‘ରାମଚନ୍ଦ୍ରର ସାଧନା’ ଆଦି ବହୁ ଏକାଙ୍କିକା ରଚନା କରି ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କଲେ । ନାଟ୍ୟକାର ମନୋରଞ୍ଜନ ଦାସ ମଧ୍ୟ କେତେକ ଏକାଙ୍କିକା ରଚନା କରିଅଛନ୍ତି । ‘ସେତୁ’, ‘ଅତିଥି’, ‘ଅତିମାନବ’, ‘ଏକାନ୍ତ ଶୋଚନୀୟ’, ‘ବାତ୍ୟା’, ‘ଉପତ୍ୟକା’ ଆଦି ବେତାର ନାଟକଗୁଡ଼ିକୁ ତାଙ୍କର ଏକାଙ୍କିକା ରଚନାର ପରିଚୟ ଦେଇଥାଏ । ନାଟ୍ୟକାର ଗୋପାଳ ଛୋଟରାୟଙ୍କର ‘ବିଭ୍ରାଟ’, ‘ଡାକ୍ତରବାବୁ’, ‘ପୂରାପୂରି ପାରିବାରିକ’, ‘ଶ୍ରୀହରିଙ୍କ ସଂସାର’, ଅଧ୍ୟାପକ ରାଜକିଶୋର ରାୟଙ୍କର ‘କଳିଙ୍ଗ ଶିଳ୍ପୀ’, ‘ବିଶ୍ଵରୂପ’ ‘ନବତାରକା’, ‘ରକ୍ତଜବା ହିମାଦ୍ରୀ’, ସୁରେନ୍‍ ମହାନ୍ତିଙ୍କର ‘ସାହାଜଦା ଫିରୋଜ ସାହା’ ‘ଝଡ଼’, ନରସିଂହ ମହାପାତ୍ରଙ୍କର ‘ସିନ୍ଦୂର’, ‘ମନମର୍ମର’, ‘ମଲାଜାତକ’ ‘ମୁଣ୍ଡବଳୀ’, ‘ଦୁଇଭାଙ୍ଗ’, ‘ଘର ଠାକୁର’, ସାମୁଏଲ ନାଏକଙ୍କର ‘କଙ୍କାଳ’, ‘ମାଟି’, ‘ପଥର’, ‘ମୁଖୀ’, ‘ହଳାହଳ’, ହିମାଂଶୁ ଭୂଷଣ ସାବତଙ୍କର ‘ପ୍ରତ୍ୟାବର୍ତ୍ତନ’, ‘ଶେଷ ବିଚାର’, ‘ଦୀପଶିଖା’, ‘ଅଶ୍ରିତା, ସୁରେନ୍ଦ୍ର ମହାନ୍ତିଙ୍କର ‘କୁରୁକ୍ଷେତ୍ର’ ‘ସେନାପତି’ ‘ପ୍ରଦୀପ’ ହେମନ୍ତ କୁମାର ଦାସଙ୍କର ‘ଅଶ୍ରୁଅର୍ଘ୍ୟ’ ‘ସଂସାର ଫୁଲ, ‘କିମାଶ୍ଚର୍ଯ୍ୟମ’ ‘ଶୁକସାରୀକଥା’ ‘ଈଶ୍ୱର ଜଣେ ଯୁବକ’ ‘ଅନ୍ଧାରହିଁ ଯଥେଷ୍ଟ ଆଲୋକ’, ‘ଅନୁତାପ’, ‘ଘରଘରଣୀ’ ‘ସୁନାହରିଣ’, ‘ଜୀବନ ଯମୁନା’, ‘ଗୀତାର ସଂସାର’, ‘ସୁଗନ୍ଧରାଜ’, ଆଦି ଏକାଙ୍କିକା, ସାରଦା ପ୍ରସନ୍ନ ନାୟକଙ୍କର ‘ତରଙ୍ଗ, ‘ଅଦ୍ଭୁତ ମାନବ’, ବସନ୍ତ କୁମାର ମହାପାତ୍ରଙ୍କର ‘ଏଇ ମାଟିର ଶିଶୁ’ ଡକ୍ଟର ଗୋପାଳ ଚନ୍ଦ୍ର ମିଶ୍ରଙ୍କର ‘ଧରମା’, ‘ସତ୍ୟାଗ୍ରହୀ’, ‘ହରିଜନ’, ଉଦୟନାଥ ମିଶ୍ରଙ୍କର ‘ସ୍ୱର୍ଗଲାଭ’ ଭୁବନେଶ୍ୱର ମିଶ୍ରଙ୍କର ‘ସୁନା କୁକୁଡ଼ା’, ରତ୍ନାକର ଚଇନିଙ୍କର ‘ଶୂନ୍ୟତାର ସିଢ଼ି’, ‘କଳଙ୍କିତ ସୂର୍ଯ୍ୟ’, ଗିରୀଶଚନ୍ଦ୍ର ନାୟକଙ୍କର ‘ଜଗନ୍ନାଥବାବୁ’, ‘ଯୋଗାଯୋଗ’, ‘ଅମିତ୍ରାକ୍ଷର’, ‘ପୋଡ଼ପିଠା’ ‘ଆକାଶ ତଳେ’, ବସନ୍ତ କୁମାର ଶତପଥୀଙ୍କର ‘ନବନାଟିକା’, ‘ଏକାଙ୍କିକା ସଂକଳନ’, ପ୍ରଫୁଲ୍ଲ କୁମାର ରଥଙ୍କର ‘ରାକ୍ଷସର ମୃତ୍ୟୁ’, ‘ଅନ୍ଧବିଶ୍ୱାସ’ ପ୍ରଭୃତି ଏକାଙ୍କିକାଗୁଡ଼ିକ ଓଡ଼ିଆ ନାଟ୍ୟ ସାହିତ୍ୟରେ ଗୋଟିଏ ଗୋଟିଏ ଉଲ୍ଲେଖଯୋଗ୍ୟ ସୃଷ୍ଟି । ଏମାନଙ୍କ ବ୍ୟତୀତ ଉପେନ୍ଦ୍ର କୁମାର ଦାସ, କାଳିପ୍ରସନ୍ନ କବି, ଅକ୍ଷୟ ମହାନ୍ତି, ବିଶ୍ୱଜିତ ଦାସ, ରମେଶଚନ୍ଦ୍ର ପାଣିଗ୍ରାହୀ, କାର୍ତ୍ତିକ ଚନ୍ଦ୍ର ରଥ, ବିଜୟ କୁମାର ମିଶ୍ର ପ୍ରଭୃତି ଅନେକ ପ୍ରତିଷ୍ଠିତ ନାଟ୍ୟକାରବୃନ୍ଦ ଏକାଙ୍କିକାମାନ ରଚନା କରି ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଅଛନ୍ତି । ବହୁ ମନ ଓ ବହୁ ହୃଦୟର ସମନ୍ଵୟରେ ଆଧୁନିକ ଓଡ଼ିଆ ଏକାଙ୍କିକା ଯେ ସମୃଦ୍ଧ, ଏ କଥାକୁ ଅସ୍ଵୀକାର କରାଯାଇ ନ ପାରେ ।

☆☆☆

 

Unknown

ଅନୁବାଦ ସାହିତ୍ୟର ଭୂମି ଓ ଭୂମିକା

 

“Say what will of its inadequacy, translation remains at the most important, worth while concerns in the totality of world affairs”–Gothe

 

ଅନୁବାଦ ସାହିତ୍ୟର ସଂଜ୍ଞା ଓ ସ୍ଵରୂପ–

 

ସେଣ୍ଟ ଅଗଷ୍ଟାଇନ୍‍ ଥରେ କହିଥିଲେ ପୃଥିବୀ ଗୋଟିଏ ବିରାଟ ଗ୍ରନ୍ଥ । ଯେଉଁମାନେ ‘ଘରୁ ଗୋଡ଼କାଢ଼ି ନାହାଁନ୍ତି ସେମାନେ ଏ ବିଶାଳ ଗ୍ରନ୍ଥରୁ ମାତ୍ର ଗୋଟିଏ ଅଧ୍ୟୟନ କରିଛନ୍ତି ।’ ଏହି ଉକ୍ତିକୁ ଅଧିକ କବିତ୍ଵପୂର୍ଣ୍ଣ‌ କରି ଏ ଯୁଗର କାବ୍ୟଗୁରୁ ରବିନ୍ଦ୍ରନାଥ ଠାକୁର ଥରେ କହିଥିଲେ “ପୃଥିବୀରେ ଗୋଟିଏ ମାତ୍ର ବହି ଅଛି, ଯାହାର ନାମ ଦୁଇଟି ପୃଷ୍ଠାର ବହି । ସେ ବହିର ଗୋଟିଏ ପୃଷ୍ଠା ଆକାଶ ଓ ଅନ୍ୟ ପୃଷ୍ଠାଟି ପୃଥିବୀ । ଏ ଦୁଇଟି ପୃଷ୍ଠାକୁ ସମଗ୍ର ଜୀବନ ବିନିମୟରେ ଅଧ୍ୟୟନ କରାଯାଇପାରେ । କବି ଗୁରୁଙ୍କ ଦର୍ଶାନୁଯାୟୀ ଏହି ଦୁଇ ପୃଷ୍ଠା ବିଶିଷ୍ଟ ବହିଟି ଆମ ଜନମାନସର‌ ପଟ୍ଟଭୂମିକୁ ସ୍ପର୍ଶ କରିବା ସଙ୍ଗେ ସଙ୍ଗେ ଏହାର ପରିପ୍ରକାଶ ଜୀବନରେ, ସାହିତ୍ୟରେ ଓ ସଂସ୍କୃତିରେ ବହୁବିଧ ଭାବେ ରୂପ ପାଇଥାଏ ! ଜୀବନରେ ଏହିପରି ପ୍ରକାଶର‌ ଅନ୍ୟନାମ ଆହରଣ ପ୍ରବୃତ୍ତି । ମାନବର ଆହରଣ ପ୍ରବୃତ୍ତି ଯେତେ ପ୍ରଖର ହେଲେ ସୁଦ୍ଧା, ତା’ର ମସ୍ତିଷ୍କ ଯେତେ ଉର୍ବର ହେଲେ ସୁଦ୍ଧା ବିଶ୍ଵର ସମସ୍ତଭାଷା ଆୟତ୍ତ କରିବା ତା’ପକ୍ଷେ ଏକାନ୍ତ ଭାବେ ସମ୍ପୂର୍ଣ୍ଣ ଅସମ୍ଭବ । ମାତୃଭାଷାରେ ପ୍ରବୀଣ ବ୍ୟକ୍ତି ହୁଏତ ତା’ର ପଡ଼ୋଶୀ ପ୍ରାଦେଶିକ ଭାଷାକୁ ଆୟତ୍ତ‌ କରିବାକୁ ସକ୍ଷମ ହୋଇପାରେ ମାତ୍ର ସମଗ୍ର ବିଶ୍ଵର ଭାଷାଗତ ବାଧାକୁ ତା’ର ସୀମିତ ଜ୍ଞାନଦ୍ଵାରା ଅତିକ୍ରମ କରିବା ସେତେ ସହଜ ନୁହେଁ । ତେଣୁ ବିଶ୍ଵ ସାହିତ୍ୟର ଅମର କୃତୀ ଅଧ୍ୟୟନ ପଥରେ ଭାଷା ଏକ ପ୍ରଧାନ ଅନ୍ତରାୟ । କେବଳ ଅନୁବାଦ ସାହିତ୍ୟରେ ହିଁ ଏହି ଭାଷାଗତ ବାଧା ଅତିକ୍ରମ କରାଯାଇ ପାରେ ।

 

ଅନୁବାଦ ଯୁଗ ଯୁଗ, ଜାତି ଜାତି ଓ ଭିନ୍ନ ଭାଷା ଭଷୀ, ଦେଶଦେଶ‌ ମଧ୍ୟରେ ଯୋଗସୂତ୍ର ସ୍ଥାପନ କରେ । ଅନୁବାଦର ସଂଜ୍ଞା ଦେବାକୁ ଯାଇଁ–ଡଃ ଜାନକୀବଲ୍ଲଭ ମହାନ୍ତି ତାଙ୍କ, ‘‘ଆଧୁନିକ ଓଡ଼ିଆ ସାହିତ୍ୟ”ରେ ଲେଖିଛନ୍ତି ଅନୁବାଦ ଶବ୍ଦର ଆକ୍ଷରିକ ଅର୍ଥ ହେଉଛି ପରେ କହିବା । ଗୋଟିଏ ଭାଷାରେ ଯାହା କୁହାଯାଇଛି ତାହାକୁ ପରେ ଅନ୍ୟ ଭାଷାରେ କହିବାହିଁ ଅନୁବାଦ ।” ଡଃ ଖଗେଶ୍ଵର ମହାପାତ୍ରଙ୍କ ମତାନୁଯାୟୀ–ଅନୁବାଦ ନାମତଃ ବୁଝାଏ ଭାଷିକ‌ ରୂପାନ୍ତରକୁ । ଉପନ୍ୟାସର ନାଟ୍ୟିକ ରୂପାୟନ‌ କଠିନ କଥାର ସରଳ ବାଖ୍ୟାକରଣ‌ ଅଥବା ବିଶାଳ ରଚନାର ସାରତତ୍ତ୍ୱ ସଂକ୍ଷେପଣ‌ ଇତ୍ୟାଦି ଯଥାର୍ଥତଃ ଅନୁବାଦ ନୁହେଁ । ମୂଳ ରଚନାର ଯଥାଯଥ ଭାଷାନ୍ତୀକରଣ‌ ଅନୁବାଦର ପ୍ରଧାନ ପ୍ରକାର୍ଯ୍ୟ‌ । ଏହି ଯଥାଯଥ ଆଙ୍ଗିକ‌ ରୂପ, ଆତ୍ମିକ ସ୍ଵର ଏବଂ ବାଣୀ ଭଙ୍ଗୀର‌ ବିଷୟ ନିଷ୍ଠ ଅଭିରଚନା–ଏପରି ତ୍ରିବିଧ କୋଟିରେ ପରିନିଷ୍ଠିତ ହେଲେ ଅନୁବାଦରେ ଆସେ ସାର୍ଥକତା । ପୁଣି ତାଙ୍କରି ମତରେ–‘‘ଅନୁବାଦରେ ଅନ୍ୟ‌ଏକ ସଂଜ୍ଞା‌ ହେଉଛି × × × ସାହିତ୍ୟ ତ‌ କେବଳ ସମ୍ବାଦ ସର୍ବସ୍ଵ ନୁହେଁ, ଏହା ସମ୍ବାଦ ଗର୍ଭିତ କଥାମୂର୍ତ୍ତି । ଅନୁବାଦ ମାଧ୍ୟମରେ ସେହି ମୂର୍ତ୍ତିର‌ କେବଳ ହୁଏ ଏକପ୍ରକାର ପରିଚ୍ଛଦ‌ ପରିବର୍ତ୍ତନ । ସବୁଥାଏ‌ ନିଟୋଳ‌ ବଦଳି ଯାଏ ଖାଲି ଭାଷାର ଛାଉଣୀ ।’’

 

ଅନୁବାଦର ଉଦ୍ଦେଶ୍ୟ–

 

ଅଧ୍ୟାପକ ଅଭିନ୍ନ ସାହୁ ଅନୁବାଦର ଉଦ୍ଦେଶ୍ୟ ବିଷୟରେ କହିବାକୁ ଯାଇଁ କହିଛନ୍ତି... ‘ଅନୁବାଦ ଏକ ସ୍ଵତନ୍ତ୍ର ମହିମାନ୍ୱିତ‌ କଳା । ଆତ୍ମ ପ୍ରୌଢ଼ିରେ ଦୃପ୍ତ‌ ଓ ମୋହନିନ୍ଦ୍ରାରେ ସୁପ୍ତ‌ ଜାତି ପାଇଁ ଏହା ମୋହ ମୁଗ୍ଧ କାର୍ଯ୍ୟକରେ । ଦେଶବିଦେଶର ସାହିତ୍ୟର ବିଶ୍ଵରୂପ ଦେଖି ମୁଗ୍ଧ ଚକିତ ହୁଏ । ନିଜ ସାହିତ୍ୟର ଦୈନ୍ୟ‌ ହୃଦୟଙ୍ଗମ‌ କରି ସେ ଦୁଃଖାଭିଭୂତ‌ ହୋଇପଡ଼େ । ଏହି ଦୁଃଖ ବା ବେଦନାରୁ‌ ଅଗ୍ରଗତିର‌ ପ୍ରେରଣା ମିଳେ । ଅନୁବାଦ ବିନା ସାହିତ୍ୟ ବିଶେଷକୁ ସମୃଦ୍ଧ କରିବା ସମ୍ଭବପର ନୁହେଁ । ଏହା ସାହିତ୍ୟକୁ ଆଞ୍ଚଳିକତାରୁ ମୁକ୍ତକରି ବିଶ୍ଵମୁଖୀ କରିଥାଏ ।’

 

ଦେଶକାଳ‌ ପାତ୍ର ଭେଦରେ ଏ ଜଗତର ନାନା ବୈଚିତ୍ର୍ୟ ଜାଣିବାର ଦୁରନ୍ତ‌ ଆଗ୍ରହ ପ୍ରତ୍ୟେକ ଲୋକଙ୍କୁ ତା’ର ସ୍ଵାଭାବିକ ସୀମାର ସେପାରିକୁ ଉଙ୍କି ମାରିବାକୁ ଉତ୍ସାହିତ କରେ । ଏହି ପ୍ରକାର କୌତୂହଳର ଉପଶମ ପାଇଁ ସାହିତ୍ୟ ବି ହୋଇଥାଏ ଗୋଟିଏ ସହାୟକ, ମାଧ୍ୟମ । ଅପରାପର‌ ଭାଷାଭାଷୀ ଜନ ସମ୍ପ୍ରଦାୟ ବିଶେଷର‌ ଜୀବନ ଚିତ୍ର ଓ କଳାବୋଧ‌ ଜାଣିବାର ଆକାଂକ୍ଷା ଫଳତଃ ଭିନ୍ନ ଭିନ୍ନ ସାହିତ୍ୟ ପ୍ରତି ଆମେ ଉନ୍ମୁଖ‌ ହେଉ । ଏହି ପ୍ରବଣତାର‌ ପରି ସାଧନାହିଁ ସୃଷ୍ଟି କରେ ଅନୁବାଦ ସାହିତ୍ୟ ।

 

(ଡଃ ଖଗେଶ୍ଵର ମହାପାତ୍ର)

 

ବିଶ୍ଵସାହିତ୍ୟ ବହୁଭାଷାର‌ ସମଷ୍ଟିଗତ ଏକ ମିଶ୍ରିତ ସାହିତ୍ୟ । ତେଣୁ ଗୋଟିଏ ଭାଷାର ଜ୍ଞାନ ବିଜ୍ଞାନ‌ ଓ ଅନୁଭୂତି ସମ୍ପଦକୁ ଭାଷାନ୍ତରୀକରଣ‌ ବା ଅନୁବାଦ, ଅନ୍ୟ ଭାଷାଭାଷୀମାନଙ୍କ‌ ନିକଟରେ ବୁଝାଇ ଦେବା ପଦ୍ଧତିକୁ ସହଜ କରିଦିଏ । ଏହାଦ୍ଵାରା ସାହିତ୍ୟିକ ସମ୍ପର୍କରେ ଉତ୍ତରୋତ୍ତର ଉନ୍ନତି ସାଧିତ ହୁଏ । ଅନୁବାଦର ଏହି ଉଦ୍ଦେଶ୍ୟ ଆଜି ସାହିତ୍ୟକୁ ବିଶ୍ଵମୁଖୀ କରି ଗଢ଼ି ତୋଳିଛି । ସେଥିପାଇଁ ସବୁଯୁଗର ବିକାଶକାମୀ ସାହିତ୍ୟରେ ଆଜି ଅନୁବାଦ ସାହିତ୍ୟ ବେଶି ଗୌରବର ଅଧିକାରୀ ହୋଇ ପାରିଛି ।

 

ମୌଳିକ ରଚନାର ଶିଳ୍ପଗତ ଆକୃତି–

 

ଅନୁବାଦରେ ମୌଳିକ ରଚନାର ଶିଳ୍ପଗତ ଆକୃତିକୁ ଅକ୍ଷୁଣ୍ଣ ରଖିବାର ପ୍ରୟାସ ଅନୁବାଦକ ଉପଲବ୍ଧି କରିବା ଆବଶ୍ୟକ । ଅନୁବାଦକର ରୁଚିଶକ୍ତି ଓ ପରିବେଶାନୁଯାୟୀ ଅନୁବାଦର ସ୍ୱାତନ୍ତ୍ର୍ୟତା ବିକଶିତ ହୁଏ । ସେଥିପାଇଁ ଅନୁବାଦର ମୂଲ୍ୟାୟନ କରିବାକୁ ଯାଇଁ ସମାଲୋଚକମାନେ ଏହାକୁ ତିନି ଭାଗରେ ବା ଶ୍ରେଣୀରେ ବିଭକ୍ତ କରି ଦେଇଛନ୍ତି । ଅନୁବାଦର ଏହି ପ୍ରକାର ଭେଦ ତା’ର ଅନୁବାଦକର ସାମର୍ଥ୍ୟ ତଥା ଉର୍ବର ମସ୍ତିଷ୍କର ପରିଚୟ ଦେଇଥାଏ । ତେଣୁ ଅନୁବାଦର ପ୍ରକାର ଭେଦ ସ୍ୱୀକାର୍ଯ୍ୟ ଓ ପାଠକ ଏହାକୁ ଯେଉଁ ତିନି ପ୍ରକାର ଭେଦରେ ଦେଖିବାକୁ ପାଉଥିଲେ ତାହା ହେଲା–॥ ୧ ॥ ଆକ୍ଷରିକ ଅନୁବାଦ, ॥ ୨ ॥ ଭାବାନୁବାଦ, ॥ ୩ ॥ ଛାୟାନୁବାଦ ବା ଅର୍ଥାନୁସାରୀ ଭାବଗତ ଅନୁବାଦ । ଅନୁବାଦର ଏହି ଶ୍ରେଣୀ ବିଭାଗ ମାଧ୍ୟମରେ ଆମେ ଅନୁବାଦ ସାହିତ୍ୟରେ ଉତ୍କର୍ଷତା ପ୍ରତି ଅଧିକ ଧ୍ୟାନଦେଇ ପାରିବା ସମ୍ଭବତଃ ଯୁକ୍ତି ଯୁକ୍ତ । ସେଥିପାଇଁ ଅନୁବାଦର ପ୍ରକାରଭେଦ ଓ ଏହାର ବିଶ୍ଳେଷଣର ଭୂମିକା ଦେବା ନିହାତି ଅପରିହାର୍ଯ୍ୟ-

 

ଅନୁବାଦର ପ୍ରକାର ଭେଦ-

 

ଅନୁବାଦର ପ୍ରକାର ଭେଦରେ ଏହାକୁ ତିନିଭାଗରେ ବିଭକ୍ତ କରାଯାଇଥିବା କଥା ଉପରୋକ୍ତ ଆଲୋଚନାରେ କୁହାଯାଇଛି । ସମ୍ପ୍ରତି ସେ ସବୁର ବିଶ୍ଳେଷଣ କରାଯାଉ ।

 

॥ ୧ ॥ ଆକ୍ଷରିକ ଅନୁବାଦ–

 

ଆକ୍ଷରିକ ଅନୁବାଦରେ ଭାଷା ବିନ୍ୟାସ ବା ଭାବସଙ୍ଗତି ପ୍ରତି ଆନୁବାଦକଙ୍କ ଦୃଷ୍ଟି ସୁଦୂରପ୍ରସାରୀ ନହୋଇ ସୀମିତ ହୋଇଥାଏ । କେବଳ ଭାଷା ଓ ଭାବର ସମୀକରଣଗତ ଦୈନ୍ୟ ଏଥିରେ ଉପଲବ୍ଧ ହୁଏ ନାହିଁ ବରଂ ଏହାକୁ ପାଠ କରିବା ମଧ୍ୟ ବିରକ୍ତିକର ହୋଇଥାଏ । ଏହା ରସ ଅବଧାରଣ ନିମନ୍ତେ ଉପଯୁକ୍ତ କ୍ଷେତ୍ର ପ୍ରସ୍ତୁତି କରିପାରି ନଥାଏ । ଏହାର ଅନ୍ୟ ଏକ ପ୍ରଧାନଦୋଷ ଦୁର୍ବୋଧ୍ୟତା । ଏହାକୁ ଦୂର କରିବା ପାଇଁ ଚେଷ୍ଟାକଲାବେଳେ ଅନୁବାଦକ ଏହାର ମର୍ମାନୁବାଦ କରି ଏହାକୁ ଆହୁରି ବିକୃତ କରିପକାନ୍ତି । ରଚୟିତାଙ୍କ ଭାବ ଓ ଚିନ୍ତାଧାରାଠାରୁ ଦୂରେଇଯାଇଁ ଅନ୍ୟ ଏକ କିମ୍ଭୂତକିମାକାର ବିଷୟର ଅବତାରଣା କରିଥାନ୍ତି ଅନୁବାଦକ ବିଚାରା । ତେଣୁ ଅନୁବାଦକଙ୍କ ଏହି ଅନୁବାଦ ପ୍ରକ୍ରିୟା, ସେତେବେଳେ ଲେଖକ ଓ ଭିନ୍ନ ଭାଷାଭାଷୀ ପାଠକଙ୍କ ମଧ୍ୟରେ ସେତୁ ନହୋଇ ତାଙ୍କ ପାଇଁ ଏକ ସ୍ଵାଭାବିକ ବିରକ୍ତି ଜନିତ କ୍ଳାନ୍ତିର ଶରବ୍ୟ ଓ ଶିକାର ହୋଇପଡ଼େ । ଏହି ଅନୁବାଦକ ସ୍ଵେଚ୍ଛାରେ ଅନୁବାଦ କରିନପାରି ଏକ ଧରାବନ୍ଧା ନିୟମରେ ନିଜର ମାନସିକ ସ୍ଥିତିକୁ ବାନ୍ଧି ଦେଇଥିବା ହେତୁ ଏହି ଅନୁବାଦ ଏକ ନିଷ୍କ୍ରିୟ ଓ ନିରସ ସୃଷ୍ଟିହୋଇ ଯିବାର ସ୍ଵାଭାବିକ ଆଶଙ୍କା ରହିଯାଏ ।

 

॥ ୨ ॥ ଭାବାନୁବାଦ ବା ମର୍ମାନୁବାଦ–

 

ମର୍ମାନୁବାଦରେ ଭାଷାର ମୌଳିକତା ରକ୍ଷା କରିବା ପାଇଁ ଦୃଷ୍ଟି ଦିଆଯାଇଥାଏ । ଏଥିରେ ମୂଳ ପୁସ୍ତକର ଶବ୍ଦାର୍ଥ ଓ କ୍ରମ ଅପେକ୍ଷା ବିଷୟ ବିନ୍ୟାସର ସାବଲୀଳତା ଓ ଭାଷା, ଭାବର ପ୍ରାକୃତିକତା ପ୍ରତି ଅଧିକ ଗୁରୁତ୍ଵ ଦିଆଯାଏ । ଆକ୍ଷରିକ ଓ ଭାବାନୁବାଦ ମଧ୍ୟରେ ତାରତମ୍ୟ ଯଥେଷ୍ଟ ପରିଲକ୍ଷିତ । ମର୍ମାନୁବାଦର ସ୍ଥାନ, କାଳ ବର୍ଣ୍ଣନା ଓ ଚରିତ୍ର ଚିତ୍ରଣରେ ଅନୁବାଦକ ଯଥେଷ୍ଟ ସ୍ଵାଧୀନତା ଦେଇଥାନ୍ତି । ଏହି ସ୍ଵାଧୀନତା ସଙ୍ଗେ ସୃଜନଶୀଳ ପ୍ରତିଭାର ମଣିକାଞ୍ଚନ ସଂଯୋଗ ଘଟିଲେ ଆହରଣ ଏକ ସ୍ଵତନ୍ତ୍ର ସୃଷ୍ଟିରେ ପରିଣତ ହୁଏ । ସେଥିପାଇଁ ରାଧାନାଥଙ୍କ ସୃଷ୍ଟି ନୈପୁଣ୍ୟ ଏ ଦିଗୁ ସାର୍ଥକତା ହାସଲ କରିପାରିଛି । ଏ ପ୍ରକାର ଅନୁବାଦ ପାଠକକୁ ଆନନ୍ଦ ଦେଇ ପାରିବାରେ କ୍ଷମଶୀଳ ହୋଇଥାଏ । ମୂଳଗ୍ରନ୍ଥର ଅଭିବ୍ୟକ୍ତି ମଧ୍ୟ ଏହାଦ୍ଵାରା ବ୍ୟାହତ ନ ହୋଇ ସ୍ପଷ୍ଟ ରୂପେ ପ୍ରତିଭାତ ହେବାର ଲକ୍ଷ୍ୟ କରାଯାଏ ।

 

॥ ୩ ॥ ଛାୟାନୁବାଦ–

 

ଛାୟାନୁବାଦ ମୂଳ ଗ୍ରନ୍ଥର ଛାୟାରେ, କଥାବସ୍ତୁର ସାମ୍ୟକୁ ନେଇ ଅନୂଦିତ ହୋଇଥାଏ-। ଏହା ମୂଳଗ୍ରନ୍ଥର ସମସ୍ତ ଉଦ୍ଦେଶ୍ୟକୁ ଅନୁବାଦ ମାଧ୍ୟମରେ ପ୍ରକଟିତ କରୁଥିଲେ ମଧ୍ୟ କେତେକାଂଶରେ ଏ ବହୁ ଉପାଦେୟ ପଦାର୍ଥକୁ ବର୍ଜନ ଏବଂ ବହୁ ଆଭରଣ ପୂର୍ଣ୍ଣ ବାଖ୍ୟାକୁ ଅତିରଞ୍ଜିତ କରିପକାଏ । ମୂଳକାହାଣୀର ଅର୍ଥାନୁସାରେ ତା’ର ଭାବଗତ ଉଦ୍ଦେଶ୍ୟକୁ ଉପଲବ୍ଧି କରି ମୂଳକାହାଣୀର ଛାୟାଗତ ନକଲିହିଁ ଛାୟାନୁବାଦର ଅନ୍ୟନାମ । ଏହା ପାଠକକୁ ରସାପ୍ଳୁତ କରେ ସିନା ସାହିତ୍ୟ କ୍ଷେତ୍ରରେ ଏହା ମୂଳ କାହାଣୀର ଛାୟାରେ ଅନୂଦିତ ହୋଇଥିବା ହେତୁ ଏହାର ମୌଳିକତା ବିନିଷ୍ଟ ହୋଇଥାଏ ଏବଂ ଅନୁବାଦକ ତା’ ମନଇଚ୍ଛା ଏହାର ପ୍ଲଟକୁ ଏପଟ ସେପଟ କରିଦେଇ ଅତିମାତ୍ରାରେ ସ୍ଵାଧୀନ ହୋଇପଡ଼ିଥାଏ । ସେଥିପାଇଁ ଛାୟାନୁବାଦ ଯେତେ ସରଳ ସୁନ୍ଦର ହେଲେ ସୁଦ୍ଧା ଏହାର ମୌଳିକତାକୁ ସ୍ୱୀକାର କରିବା ସେତେ ସମ୍ଭବ ନୁହେଁ ଓ ଏହା ଅନୁବାଦକର କୌଣସି ଦୃଷ୍ଟିରୁ ନିଜସ୍ଵ ହୋଇପାରେ ନାହିଁ ।

 

ଅନୁବାଦ ପ୍ରକାର ଭେଦର ସମୀକ୍ଷା–

 

ଏତିକି କହିଲେ ଯଥେଷ୍ଟ ହେବ ଯେ ଏହି ତିନି ପର୍ଯ୍ୟାୟ ଅନୁବାଦର ପ୍ରକାର ଭେଦ ଅନୁବାଦକର ଶକ୍ତି ଓ ଜ୍ଞାନଗତ ସାମର୍ଥ୍ୟର ମୂଲ୍ୟାୟନ କରି ନିଜ ଭିତରେ ତା’ର ପରିପ୍ରକାଶ ଘଟାଇଥାଏ । ସେଥିପାଇଁ ଏହି ତିନି ପର୍ଯ୍ୟାୟର ଅନୁବାଦର ସ୍ଵରୂପ ଭିନ୍ନ । ମାତ୍ର ଗୋଟିଏ ସଂଜ୍ଞା ଏମାନଙ୍କ ପାଇଁ ଯଥେଷ୍ଟ, ତାହା ହେଉଛି ଏମାନଙ୍କର ଉଦ୍ଦେଶ୍ୟ ଏକ । ଯାହା ପୂର୍ବରୁ କୁହାଯାଇଛି–“ଅନୁବାଦ ଯୁଗଯୁଗ, ଜାତି ଜାତି ଓ ଭିନ୍ନ ଭିନ୍ନ ଭାଷାଭାଷୀ, ଦେଶଦେଶ ମଧ୍ୟରେ ଯୋଗସୂତ୍ର ସ୍ଥାପନ କରେ । ଏହି ଲକ୍ଷ୍ୟ ନେଇ ଅନୁବାଦ ସାହିତ୍ୟର ଆତ୍ମପ୍ରକାଶ । ମାତ୍ର ରୁଚି ଦୃଷ୍ଟିରୁ ବିଚାର କଲେ ଉକ୍ତ ତିନିପର୍ଯ୍ୟାୟର ଅନୁବାଦ ମଧ୍ୟରୁ ଭାବଗତ ବା ମର୍ମାନୁବାଦ ଅନୁବାଦ କଳାର ଏକ ଗୁରୁତ୍ଵପୂର୍ଣ୍ଣ ବୈଶିଷ୍ଟ୍ୟ ବହନ କରିଛି । କାରଣ ଆକ୍ଷରିକ ଅନୁବାଦ ଅନୁବାଦକର ମନରେ ଯେଉଁ ଛାୟାରେଖା ଟାଣିଦିଏ ତାହା ତାହାରି ରୂପାନ୍ତର ମାତ୍ର । ସେଥିପାଇଁ ମୂଳ ପ୍ରସଙ୍ଗର ଠିକ୍‍ ରୂପ ଉକ୍ତ ଅନୁବାଦରୁ ପାଇବା ଯୁକ୍ତିଯୁକ୍ତ ନୁହେଁ । ଏ ସବୁର ଊର୍ଦ୍ଧ୍ଵରେ ଭାବାନୁବାଦ । ଏହା ମୂଳ କାହାଣୀକୁ ଠିକ୍‌ଭାବେ ରୂପଦେଇ କାହାଣୀର ଭାବଗତ ବୈଶିଷ୍ଟ୍ୟକୁ ଉପଯୁକ୍ତ ଭାଷା ବ୍ୟବହାରରେ ପରିପ୍ରକାଶ କରିଥାଏ । ସେଥିପାଇଁ ପାଠକ ଏଥିରୁ ମୂଳକାହାଣୀର ଅସଲି ରୂପକୁ ଭିନ୍ନ ଭାଷାରେ ଓ ଠିକ୍‍ ଭାବଗତ ବୈଶିଷ୍ଟ୍ୟକୁ ନେଇ ଗ୍ରହଣ କରିଥାଏ ।

 

ଅନୁବାଦର ଭୂମିକା ସମ୍ପର୍କରେ ଡ୍ରାସଡେନ୍‍ ଯଥାର୍ଥରେ କହିଛନ୍ତି, ମୌଳିକ ଲେଖାରେ ଥିବା ଜୀବନୀଶକ୍ତି ଅନୁବାଦରେ ଅବିକଳ ପ୍ରକାଶିତ ହେବା ଆବଶ୍ୟକ । ଶବ୍ଦରୁ ଶବ୍ଦ ଅନୁବାଦ କରୁଥିବା ବ୍ୟକ୍ତିଙ୍କର ଅନୁବାଦ କ୍ଳାନ୍ତିକର ରୂପାନ୍ତରୀକରଣରେ ସମସ୍ତ ଶକ୍ତି ହରାଇଥାଏ । ଡ୍ରାସଡେନଙ୍କର ଏହି ଉକ୍ତିର ସତ୍ୟତାକୁ ପ୍ରତ୍ୟେକ ଅନୁବାଦକ ହୃଦୟଙ୍ଗମ କରି ସେମାନଙ୍କ ଅନୁବାଦକୁ ସରସ ସୁନ୍ଦର କଲେ ଏହା ପାଠକର କ୍ଳାନ୍ତିକର ହେବନାହିଁ କିମ୍ବା ଅନୁବାଦକର ଶ୍ରମର ମୂଲ୍ୟ ହ୍ରାସ ହେବନାହିଁ ।

 

ଅନୁବାଦଜନିତ ଗ୍ରନ୍ଥ ଓ ଅନୁବାଦକ–

 

ଅନୁବାଦ ଏକ ଆୟାସସାକ୍ଷେପ କଳା । ଅନୁବାଦ ପାଇଁ ଉଭୟ ଭାଷା (ମାତୃଭାଷା ଓ ଅନୂଦିତ ହେଉଥିବା ଭାଷା)ରେ ଅନୁବାଦଙ୍କର ଉପଯୁକ୍ତ ଜ୍ଞାନ ଥିବା ଆବଶ୍ୟକ । କେବଳ ଗୋଟିଏ ମାତ୍ର ଭାଷା ଉତ୍ତମରୂପେ ଜାଣିଥିଲେ ଅନୁବାଦ କରିବା ସହଜ ନୁହେଁ । ଅନୁବାଦ କରିବା ପାଇଁ ସାଧାରଣତଃ ଅନୁବାଦକ ସୁଖ୍ୟାତି ଓ ବଳିଷ୍ଠ ରଚନାମାନଙ୍କୁ ଲକ୍ଷ୍ୟଦେବା କଥା । ଏଥିରେ ପୁଣି ଭିନ୍ନ ଭିନ୍ନ କାରଣ ଓ ଉପାଦାନ ହେତୁ ଗ୍ରନ୍ଥ ବିଶେଷ ଭାଷାରେ ପରିଧି ଡେଇଁ ଅପର ଜନଙ୍କ ମନକୁ ଛୁଏଁ । ତା’ ବ୍ୟତୀତ ପ୍ରତ୍ୟେକ ଭାଷା ଏକ ସମାଜ ଓ ସଂସ୍କୃତି ସହ ଜଡ଼ିତ ହୋଇଥିବା ହେତୁ ସେହି ସମାଜ ଓ ସଂସ୍କୃତି ସମ୍ପର୍କରେ ଅନୁବାଦ କରି ଯଥେଷ୍ଟ ଜ୍ଞାନ ହାସଲ କରିଥିବା ଆବଶ୍ୟକ ।

 

ସାହିତ୍ୟ ସମ୍ବାଦ ନୁହେଁ, ଏହା ସମ୍ବାଦ ଗର୍ଭିତ ଏକ କଳା ମୂର୍ତ୍ତି । ଅନୁବାଦ ମାଧ୍ୟମରେ ସେହି ମୂର୍ତ୍ତିର ହୁଏ ଏକପ୍ରକାର ପରିଧାନ ପରିବର୍ତ୍ତନ । ସବୁଥାଏ ନିଟୋଳ କେବଳ ବଦଳିଯାଏ ଯାହା ଭାଷାରେ ଛାଉଣୀ । ଏହି ଭାଷାର ଛାଉଣୀକୁ ବଦଳାଇବାରେ ଅନୁବାଦକଙ୍କ ଭୂମିକା ଯଥେଷ୍ଟ ପରିମାଣରେ ରହିଛି । ଭାଷାର ଛାଉଣୀର ଅବିକଳ ପ୍ରତିବଦଳ ମଧ୍ୟ ଦୁସାଧ୍ୟ ହୁଏ । ଉପଯୁକ୍ତ ଶବ୍ଦର ଅର୍ଥ ଯଦି ପ୍ରତିବଦଳ କରାଯାଇପାରେ ତେବେ ଅନୁବାଦକ ସେଠି ଉକ୍ତ ଶବ୍ଦର ଭାବଗତ ବୈଶିଷ୍ଟ୍ୟକୁ ଅନ୍ୟ ଉପଯୁକ୍ତ ଶବ୍ଦ ମାଧ୍ୟମରେ ପ୍ରକାଶ ଓ ଅବତାରଣ କରିପାରେ । ଅନୁବାଦକ ଗୋଟିଏ ଭାଷାରୁ ନୂତନ ଭାବ ଓ ଶବ୍ଦ ଆହରଣ କରି ତାହାକୁ ଅଧିକ ରସାଣିତ କରେ ଓ ସୁନ୍ଦର ଭାବେ ନିଜ ଭାଷାରେ ପ୍ରକାଶିତ କରିଥାଏ । ତାହାକୁ ଅଧିକ ଅର୍ଥ ସମ୍ପନ୍ନ ମଧ୍ୟ କରିବା ତାହାର ଅନ୍ୟତମ ପ୍ରଧାନ ପ୍ରକାର୍ଯ୍ୟ । ଏଣୁ କୃତୀ ଅନୁବାଦକକୁ ମଧ୍ୟ ଏକପ୍ରକାର ନୂତନ ସ୍ରଷ୍ଟା ବୋଲି କୁହାଯାଇ ପାରେ । ଭାଷାନ୍ତରୀକରଣର ଏ ସମସ୍ତ ପରିସୀମା ମଧ୍ୟରେ ଅନୁବାଦକର ସାଧନା ଓ ସିଦ୍ଧି ନିୟନ୍ତ୍ରିତ ହୁଏ । ମୌଳିକ ସୃଷ୍ଟିରେ ଅସ୍ମିତା ପ୍ରଦର୍ଶନଠାରୁ ନକଲ ବୃତ୍ତିରେ ସାଧୁତା ପରିପାଳନ ତା’ର ଉତ୍କର୍ଷର ନିକଷ ହୁଏ ।

 

ଅନୁବାଦକୁ ସରସ ଓ ଚିତାକର୍ଷକ କରିବା ଅନୁବାଦକର ମୁଖ୍ୟ ଉଦ୍ଦେଶ୍ୟ ହେବା ଉଚିତ-। ସେଥିପାଇଁ ତାକୁ ବିଦଗ୍ଧ ପାଠକ ଓ ଜିଜ୍ଞାସୁ ଛାତ୍ରର ମନୋବୃତ୍ତି ନେଇ ଅନୁବାଦ କାର୍ଯ୍ୟରେ ନିୟୋଜିତ ହେବାକୁ ପଡ଼ିବ । ଅନୁବାଦକର ଭୂମିକା ସାର୍ଥକ ଅନୁବାଦ ଦ୍ଵାରା ଅନୁବାଦ ସାହିତ୍ୟକୁ ପରିପୁଷ୍ଟ କରିବାରେ କିଭଳି ସାହାଯ୍ୟ କରେ ସେ ସମ୍ପର୍କରେ ଡଃ ଜାନକୀବଲ୍ଲଭ ମହାନ୍ତି ତାଙ୍କ “ଓଡ଼ିଆ ଅନୁବାଦ ସାହିତ୍ୟ” ପ୍ରବନ୍ଧରେ ଲେଖିଛନ୍ତି–“କେବଳ ସମ ଅର୍ଥ ସମ୍ପନ୍ନ ଶବ୍ଦ ଦ୍ୱାରା ଅନୁବାଦ ସମ୍ପାଦିତ ହୁଏ ନାହିଁ । ଶବ୍ଦର ପ୍ରକୃତ ମର୍ମ ନିଜ ଭାଷାରେ ଯେପରି ବ୍ୟକ୍ତ ହୁଏ ଅନୁବାଦକ ସେ ବିଷୟରେ ଅଭିହିତ ହେବା ଆବଶ୍ୟକ । ଭାଷାମାନଙ୍କ ମଧ୍ୟରେ ବାକ୍ୟଗଠନ ଓ ବାକ୍ୟରେ ଶବ୍ଦର ସଂସ୍ଥାନ ସମ୍ପର୍କରେ ପାର୍ଥକ୍ୟ ଥିବା ଦୃଷ୍ଟିରୁ ଅନୁବାଦକ ମାତୃଭାଷାରେ ବାକ୍ୟଗଠନ ରୀତିର ଶୁଦ୍ଧତାକୁ ଦୃଷ୍ଟି ରଖି ଅନୁବାଦ କରିବା ଶ୍ରେୟସ୍କର, ତା’ ନୋହିଲେ ଅନୁବାଦ ଭ୍ରମାତ୍ମକ ତଥା ହାସ୍ୟୋଦୀପକ ହେବା ସୁନିଶ୍ଚିତ । ଅତୀତରେ ଓଡ଼ିଆ ଭାଷା ତଥା ଅନୁବାଦ କଳା ସମ୍ପର୍କରେ ଅଜ୍ଞତା ଯୋଗୁ ଓଡ଼ିଆରେ ବାଇବେଲ୍‍ କିପରି ହାସ୍ୟୋଦୀପକ ଭାବେ ଅନୂଦିତ ହୋଇଥିଲା, ଫକୀରମୋହନ ତାହାର ଏକ ଚମତ୍କାର ବର୍ଣ୍ଣନା ତାହାଙ୍କ ଆତ୍ମଜୀବନୀ ଚରିତରେ ଲିପିବଦ୍ଧ କରିଯାଇଛନ୍ତି ।” ପାଶ୍ଚାତ୍ୟ କବି ଗେଟେ, କୀଟସ ପ୍ରଭୃତିଙ୍କ ମଧ୍ୟରୁ କେହି ସଂସ୍କୃତ ଭାଷାଭିଜ୍ଞ ନୁହନ୍ତି । କେହି କାଳିଦାସଙ୍କ ମୌଳିକ ଗ୍ରନ୍ଥ ଅଧ୍ୟୟନ କରିନାହାନ୍ତି-। ଅନୁବାଦ ମାଧ୍ୟମରେ ଏମାନେ ଯାହା ସେହି ଶ୍ରେଷ୍ଠ କବିଙ୍କ ରସ ପ୍ରବାହ ସହ ପରିଚିତ । କୀଟ୍‌ସଙ୍କର “ଏଣ୍ଡିମିଆନ୍‍” ମାଥ୍ୟୁଆର୍‌ଲ୍‌ଡଙ୍କର “ଦି ବୁରେଡ୍‍ ଲାଇଫ୍”ରେ ଶକୁନ୍ତଳାର ପ୍ରବାହ ଲକ୍ଷ୍ୟ କରାଯାଇ ପାରେ । ମୌଳିକ ସୃଷ୍ଟିର ବିକାଶରେ ଅନୁବାଦର ସ୍ଥାନ କଳନା କରିବା ପାଇଁ ଏହା ଜ୍ୱଳନ୍ତ ଦୃଷ୍ଟାନ୍ତ-। ତେଣୁ ଅନୁବାଦକ ସୁରୁଚି ସମ୍ପନ୍ନ, ବଳିଷ୍ଠ ଭାବ ଗର୍ଭିତ ଓ ଶ୍ରେଷ୍ଠ ବିବେଚିତ ପୁସ୍ତକ ଅନୂଦିତ କରିବା ସଙ୍ଗେ ସଙ୍ଗେ ଅନୁବାଦ କରିବାରେ ସମସ୍ତ ଶୈଳୀ ଓ କୌଶଳପ୍ରତି ଧ୍ୟାନ ଦେଲେ ତା’ର ଅନୁବାଦ ସାର୍ଥକ ହୁଏ ।

 

ଅନୁକୃତି ଓ ଅନୁସୃଷ୍ଟି–

 

ଅନୁକୃତି ଓ ଅନୁସୃଷ୍ଟି ମୁଖ୍ୟତଃ ଓଡ଼ିଆ ସାହିତ୍ୟର ପୁରୁଣା ଓ ଧର୍ମଗ୍ରନ୍ଥର ରୂପାନ୍ତର ପ୍ରକ୍ରିୟାକୁ ବୁଝାଇଥାଏ । ଏହାଦ୍ୱାରା ଲୌକିକ ଭାଷାରେ ସାହିତ୍ୟକତା ଅନୁବର୍ତ୍ତିତ ହେବା ସଙ୍ଗେ ସଙ୍ଗେ ବିବିଧ କଳ୍ପନା ଓ ଉପଲବ୍ଧି ପ୍ରକାଶିବାର ଶକ୍ତି ଓ ସଂହତି ସଞ୍ଚାରିତ ହୁଏ । ପ୍ରାଚୀନ ସାହିତ୍ୟରେ ବିଶେଷ କରି ଅନୁକୃତି ଓ ଅନୁସୃଷ୍ଟି ମାଧ୍ୟମରେ ଅନୁବାଦ କଳା ପରିପୁଷ୍ଟ ହୋଇଥିଲା-। ଏହାଛଡ଼ା ଅନୁବାଦର ଆଉ ଦୁଇଟି ବିଶେଷ ଭୂମିକା ସେ ଯୁଗରେ ପରିଲକ୍ଷିତ ହୁଏ ।

 

।୧। ଭାଷାର ସାହିତ୍ୟିକ ଦାରିଦ୍ର୍ୟତା ଦୂରୀକରଣ ।୨। ସମାନ୍ତରାଳ ମୌଳିକ ସୃଷ୍ଟି ପାଇଁ ଅନୁପ୍ରେରଣା । ଓଡ଼ିଆ ସାହିତ୍ୟରେ ଅନୁବାଦ ମାଧ୍ୟମରେ ଓଡ଼ିଆ ସାହିତ୍ୟରେ ଏକ ବର୍ଦ୍ଧିଷ୍ଣୁ ରୂପଭାବେ ଲୌକିକ ସଂସ୍କୃତି ଭୂମିଷ୍ଠ ହୋଇଥିଲା । ସେ ଅନୁବାଦର ପ୍ରାଥମିକ ପ୍ରବଣତା ଥିଲା ଅନୁକୃତି ଓ ଅନୁସୃଷ୍ଟି । ଏହି ସମୟରେ ଆଉ ଏକ ଅନୁଧ୍ୟେୟ ବିଶେଷତା ହୋଉଛି ଅନୁବାଦରେ ସ୍ୱରୂପତା ସଂରକ୍ଷଣ ଅଥବା ସ୍ୱକୀୟତା ପ୍ରତିଫଳନ କରିବାର ଦୁଇଟି ବିରୋଧୀ ପ୍ରବୃତ୍ତି । ଗୋଟିଏ ଗ୍ରନ୍ଥ “ଗୀତ ଗୋବିନ୍ଦ”ର ବହୁ ଅନୁବାଦ ଅନୁକ୍ରମରେ ଏହାର ଇଙ୍ଗିତ ପ୍ରଚ୍ଛନ୍ନ, ଏପରିକି ଗୀତଗୋବିନ୍ଦର ଗଦ୍ୟାନୁବାଦ ମଧ୍ୟ ଏକ ପରୀକ୍ଷା ମୂଳକ ପଦ୍ଧତିର ସୂତ୍ରପାତ କରିଥିଲା, ଯାହାର ହୁଏତ ପ୍ରଧାନ ପତିପାଦ୍ୟ ଥିଲା ଭାଷାର ଚାତୁର୍ଯ୍ୟଠାରୁ ଭାବର ସତ୍ୟତା ପରିଚର୍ଯ୍ୟା କରିବା ଅନୁବାଦର ଲକ୍ଷ୍ୟ । ସେଥିପାଇଁ ପ୍ରାଚୀନ ସାହିତ୍ୟ ଅନୁକୃତି ଓ ଅନୁସୃଷ୍ଟି ଦେଇ ଯେଉଁ ଅନୁବାଦର ଭୂମିକାକୁ ଆସିପାରିଥିଲା, ସେ ସାହିତ୍ୟର ବିକାଶ ସେତେ ଦ୍ରୁତ ହୋଇ ଜନଗୋଚର ହୋଇ ପାରିଥିଲା । ଏହି ଦୃଷ୍ଟିରୁ ଅନୁବାଦରେ ଅନୁକୃତି ଅନୁସୃଷ୍ଟିର ଭୂମିକା ନିଶ୍ଚିତ ଭାବେ ସ୍ଵୀକାର୍ଯ୍ୟ ।

 

ଅନୁବାଦକ ଓ ଅନୁବାଦ ସାହିତ୍ୟରେ ଅନ୍ତରାୟ:–

 

“ଦେଶକାଳ ଓ ରୁଚି ଅନୁସାରେ ଅନୁବାଦର ରୂପରେଖ ନିୟନ୍ତ୍ରିତ ହୋଇପାରେ । ସ୍ୱତଃସ୍ଫୂର୍ତ୍ତ ମୌଳିକ ମହାକାବ୍ୟ ସବୁ ଯୁଗଧର୍ମ ଅନୁରୋଧରେ ନବୀକୃତ ରୂପେ ଆତ୍ମପ୍ରକାଶ କରିଥାଆନ୍ତି । ଭାରତୀୟ-ମହାଭାରତ, ରାମାୟଣ ଓ ଗ୍ରୀସୀୟ-ଓଡ଼ସି, ଇଲିୟାଡ୍‍ ପ୍ରତି ଯୁଗରେ ଭିନ୍ନ ଭିନ୍ନ ରୂପେ ପ୍ରକାଶ ପାଇଛି । ମୌଳିକ ଗ୍ରନ୍ଥ ଅପେକ୍ଷା ଅନୁବାଦର ଉପଯୋଗିତା ଏ କ୍ଷେତ୍ରରେ ଅଧିକ । “ପ୍ରାୟ ଅର୍ଦ୍ଧ ଶତାବ୍ଦୀ ପୂର୍ବେ ରଚିତ ଅସମ୍ପୂର୍ଣ୍ଣ “ମହାଯାତ୍ରା”କୁ ସମ୍ପୂର୍ଣ୍ଣ ବା ପରିବର୍ତ୍ତିତ କରିବା ଧୃଷ୍ଟତାର ପରିଚୟ ବ୍ୟତୀତ ଅନ୍ୟ କିଛି ନୁହେଁ । କିନ୍ତୁ ଚାରିହଜାର ବର୍ଷ ପୂର୍ବେ ରଚିତ ବେଦକୁ ଆଧୁନିକ ରୁଚି ସଙ୍ଗତ ରୂପେ ଦିଆଯାଇ ପାରେ ।” (ଡଃ କୁଞ୍ଜବିହାରୀ ଦାଶ) । ସେହି ଦୃଷ୍ଟିରୁ ସହସ୍ରାଧିକ ବର୍ଷପୂର୍ବେ ରଚିତ ମେଘଦୂତର ଲଳିତ ଛନ୍ଦୋବଦ୍ଧ ଅନୁବାଦ କଥା ବିଚାରକୁ ନିଆଯାଇ ପାରେ । ପ୍ରଭାବଶାଳୀ କୁଶଳୀ ଅନୁବାଦକ ହାତରେ ମୂଳଗ୍ରନ୍ଥ ଅପେକ୍ଷା, ଅନୁବାଦ ଆହୁରି ଶୋଭନ ହୋଇପାରେ । କିନ୍ତୁ ଏସବୁ ସତ୍ତ୍ୱେ ଅନୁବାଦ କ୍ଷେତ୍ରରେ ବହୁ ଅଭିଯୋଗ ଓ ଅନ୍ତରାୟ ରହିଛି । ଏହି ଅଭିଯୋଗର ପ୍ରଧାନ ପ୍ରବକ୍ତା ରୂପେ widrow willson କହନ୍ତି–“ଅନୁବାଦ ପାଠ କରିବା ଅର୍ଥ ମୂଳଗ୍ରନ୍ଥର ଖଣ୍ଡିତ ଓ ବିକଳାଙ୍ଗ ରୂପେ ଦେଖିବା” ଶବ୍ଦାଡ଼ମ୍ବର ଉପରେ ନିର୍ଭରଶୀଳ କାବ୍ୟ କବିତା ବା କଥାସାହିତ୍ୟ ପ୍ରତି ଏହା ଅଧିକ ପ୍ରଯୁଜ୍ୟ । ଓଡ଼ିଆ ସାହିତ୍ୟର କବିସମ୍ରାଟ ଉପେନ୍ଦ୍ରଙ୍କ କାବ୍ୟଗୁଡ଼ିକ ଅନୂଦିତ ହେଲେ ନିଶ୍ଚିତ ଭାବେ ଏହାର ସଙ୍ଗୀତ, ସୌନ୍ଦର୍ଯ୍ୟ ଓ ଆବୃତ୍ତି ମାଧୁର୍ଯ୍ୟ ନଷ୍ଟ ହୋଇଯିବ, କିନ୍ତୁ ଆତ୍ମିକ ନୁହେଁ । ସମୀକ୍ଷକମାନଙ୍କ ମତରେ ଆତ୍ମିକ ସୌନ୍ଦର୍ଯ୍ୟହିଁ ସାହିତ୍ୟର ଶ୍ରେଷ୍ଠ ସମ୍ପଦ । ଉଚ୍ଚକୋଟୀର ଭାବ ଓ ସାର୍ବଜନୀନ ଆବେଦନ ଅନୁବାଦରେ ମଧ୍ୟ ଅମ୍ଳାନ ରହିପାରେ । ସାହିତ୍ୟର ଉତ୍କର୍ଷ ପ୍ରତିପାଦନ ପାଇଁ ଅନୁବାଦହିଁ ଏକମାତ୍ର କଷଟି ପଥର ।

 

ସାହିତ୍ୟର ବିଭିନ୍ନ ବିଭାଗ ମଧ୍ୟରେ କବିତାର ଅନୁବାଦ ସମୟସାପେକ୍ଷ ଓ ବହୁ କ୍ଳେଶଜନିତ । ସେଥିପାଇଁ ଡଃ ଜାନକୀବଲ୍ଲଭ ମହାନ୍ତି ତାଙ୍କ “ଓଡ଼ିଆ ଅନୁବାଦ ସାହିତ୍ୟ’’ ଶୀର୍ଷକ ପ୍ରବନ୍ଧରେ କହିଛନ୍ତି– ‘‘ଗୋଟିଏ ଭାଷାର ଛନ୍ଦ ସ୍କନ୍ଧକୁ ଅନ୍ୟ ଭାଷାରେ ଅନୁବାଦ କରିବା ଅସମ୍ଭବ କହିଲେ ଅତ୍ୟୁକ୍ତି ହେବନାହିଁ । କେତେକ ପ୍ରଥା ଓ କେତେକ ଆଚରଣ ସମ୍ପର୍କୀୟ ଶବ୍ଦ ମଧ୍ୟ ଗୋଟିଏ ଜାତିର ବୈଶିଷ୍ଟ୍ୟ । ଏଗୁଡ଼ିକୁ ଅନୁବାଦ କରିବା ମଧ୍ୟ ସେହିପରି ଅସମ୍ଭବ । ଉଦାହରଣ ସ୍ୱରୂପ–ରାଜପୁତ ରମଣୀଙ୍କର ଜହରବ୍ରତ, ମେରିଆ, ହୁଳହୁଳି, ହାଣ୍ଡିମଙ୍ଗଳା ପ୍ରଭୃତିକୁ ଅନୁବାଦ କରିବା କିପରି ଅସମ୍ଭବ ତାହା ସହଜରେ ଅନୁମେୟ । ଗୋଟିଏ ଗୋଟିଏ ଶବ୍ଦ ବିଭିନ୍ନ ଅର୍ଥରେ ବ୍ୟବହୃତ ହେଉଥିବାରୁ ସେଗୁଡ଼ିକୁ ଯଥାଭାବରେ ଅନୁବାଦ କରିବାର ଆବଶ୍ୟକତା ବେଶ୍‍ ଉପଲବ୍ଧି କରିହୁଏ ।

 

ଏହିସବୁ ଦୃଷ୍ଟିରୁ ଅନୁବାଦକୁ ସର୍ବାପେକ୍ଷା ସୁନ୍ଦର ଭାବେ ସମ୍ପନ୍ନ କରିବା ଯଦିଓ କଷ୍ଟସାଧ୍ୟ ତଥାପି ସଭ୍ୟତା ବା କୃଷ୍ଟି ଦିଗରୁ ବିଦେଶୀ ସାହିତ୍ୟ ଅପେକ୍ଷା ଭାରତୀୟ ସାହିତ୍ୟର ପ୍ରାନ୍ତୀୟ ଭାଷାକୁ ଅନୁବାଦ କରିବା ସହଜ । ବହୁ ଅସାମଞ୍ଜସ୍ୟ ସତ୍ତ୍ୱେ ଯେଉଁ ଅଖଣ୍ଡ କୃଷ୍ଟିଗତ ଐକ୍ୟ ରହିଥାଏ ତାହା ଅନୁବାଦର ପଥ ସୁଗମ କରିଦିଏ । ଗୋଦାନ ( ପ୍ରେମଚାନ୍ଦ) ଦେବଦାସ (ଶରତ ଚାଟାର୍ଜୀ)ର ଓଡ଼ିଆ ଅନୁବାଦ ବା ମାଟିର ମଣିଷ (କାଳିନ୍ଦୀଚରଣ)ର ବଙ୍ଗାନୁବାଦ କଲାବେଳେ ଏହା ଅନୁଭବ କରିହୁଏ ।

 

ଦ୍ଵିତୀୟତଃ ଅନୁବାଦରେ ଭାଷା ଓ ଶୈଳୀଗତ ଅନ୍ତରାୟ ଅଛି । ପ୍ରତ୍ୟେକ ସାହିତ୍ୟରେ ସାଧୁ ଓ କଥିତ ଭାଷାର ପ୍ରଚଳନ ରହିଛି । ସାଧାରଣ ଭାଷାଜ୍ଞାନ ଥିଲେ ସାଧୁଭାଷାରେ ଲିଖିତ ଗ୍ରନ୍ଥର ଅନୁବାଦ କରିବା ଅନୁବାଦକଙ୍କ ପକ୍ଷେ ପ୍ରାୟତଃ ସମ୍ଭବ ନୁହେଁ । ପ୍ରତ୍ୟେକ ଦେଶର ସାହିତ୍ୟରେ ସ୍ଵତନ୍ତ୍ର ରୂଢ଼ି ପ୍ରୟୋଗ, ପ୍ରବାଦ, ପ୍ରବଚନ ଓ ଦେଶଜ ଶବ୍ଦାବଳୀ ରହିଛି । ଏଗୁଡ଼ିକ ଜାତୀୟ ସଂସ୍କୃତିର ଶ୍ରେଷ୍ଠ ସମ୍ପଦ । ଭାଷାନ୍ତର କଲା ସମୟରେ ଏଗୁଡ଼ିକୁ ଉପଯୁକ୍ତ ଅନୁବାଦ କରିବାକୁ ଅନୁବାଦକ ସମୟେ ସମୟେ ସକ୍ଷମ ହୋଇନଥାନ୍ତି । ସେଥି ସକାଶେ ଉପଯୁକ୍ତ ଶବ୍ଦର ଆବଶ୍ୟକତା ପାଇଁ ପ୍ରତିବଦଳ ଶବ୍ଦର ପ୍ରୟୋଗ ଠିକ୍‍ ନ ହେଲେ ଏହାର ଅର୍ଥ ବଦଳି ଯାଏ ଓ ଏହା ବିକଳାଙ୍ଗ ହୋଇପଡ଼ିବା ସ୍ଵାଭାବିକ ହୋଇଉଠେ । ଏହି କ୍ଷେତ୍ରରେ ଅନୁବାଦକ ଆକ୍ଷରିକ ଅନୁବାଦ ନକରି ଭାବାନୁବାଦ କରିବା ସର୍ବାଦୌ ଯୁକ୍ତିଯୁକ୍ତ । ଶେଷରେ ଅନୁବାଦକଙ୍କୁ ଏତିକି କହିଲେ ଯଥେଷ୍ଟ ହେବ ଯେ, ଯାହା ‘ଅନୁବାଦ ଓ ଏକାଡେମୀ ପ୍ରବନ୍ଧରେ ପ୍ରଫେସର ଗୋଲକବିହାରୀ’ ଧଳ କହିଛନ୍ତି–“ଭାଷାର ପ୍ରାଣସ୍ପନ୍ଦନ ଅନୁଭବ ନକରି ପାରିଲେ ଅନୁବାଦ ଏକପ୍ରକାର ନିର୍ଜୀବ ହୋଇଯାଏ ।

 

ଓଡ଼ିଆ ସାହିତ୍ୟର ବିକାଶ ଧାରାରେ ଅନୁବାଦର ପରମ୍ପରା ଓ ପ୍ରବୃତ୍ତି:–

 

ଓଡ଼ିଆ ସାହିତ୍ୟର ବିକାଶରେ ଅନୁବାଦର ଦୃଢ଼ ପରମ୍ପରା ବିଦ୍ୟମାନ । ଓଡ଼ିଆ ଭାଷା ଯେ, ନାନାଭାବେ ସମୃଦ୍ଧ ଏହାର ପ୍ରତିବାଦ ନକରି ମଧ୍ୟ କୁହାଯାଇ ପାରେ ଯେ–ଏ ସମୃଦ୍ଧି ସର୍ବାଙ୍ଗୀନ ନୁହେଁ । ପ୍ରଫେସର ଡଃ ଖଗେଶ୍ଵର ମହାପାତ୍ର ସେଥିପାଇଁ କହିଛନ୍ତି–“ଆମେ ଆମ ମାପକାଠିରେ, ଆମର ଦୃଶ୍ୟମାନ ଜଗତର ପରିପ୍ରେକ୍ଷୀରେ, ଅନୁଭବ୍ୟ ସଚେତନାର ଆଲୋକରେ ହୁଏତ ଏକ ଏକ ପକ୍ଷରେ ପୂର୍ଣ୍ଣତା ଲାଭ କରିପାରିଥାଉଁ ମାତ୍ର ବିଶ୍ଵର ବିରାଟତା, ମାନବ ଚରିତ୍ରର ବିବିଧତା, ମାନବୀୟ ଅନୁଭୂତି ଓ ଚିନ୍ତାଧାରାର ବିଚିତ୍ରତା ପ୍ରତିପକ୍ଷରେ କଦାପି ପର୍ଯ୍ୟାପ୍ତି ବା ସ୍ଵୟଂ ସମ୍ପୂର୍ଣ୍ଣତା ଦାବି କରିପାରିବା ନାହିଁ । ଆମର ଭଲ ଉପନ୍ୟାସ ଅଛି, କିନ୍ତୁ ଆମର ଲେଖକ ଗର୍କୀ, କାମ୍ୟୁ, ସଲବେଲା, ପ୍ରେମଚାନ୍ଦ ବା ଅନନ୍ତ ମୂର୍ତ୍ତିଙ୍କଠାରୁ ଭିନ୍ନ । ଆମର ଭଲ ନାଟ୍ୟକାର, କବି ଓ ଗାଳ୍ପିକ ଅଛନ୍ତି କିନ୍ତୁ ସେମାନେ ଅପରାପର ବିଭିନ୍ନ ଭାଷାର ଲେଖକଙ୍କ ଠାରୁ ଭିନ୍ନ । ଅପରାପର ଭାଷାର ଏହି ବିଶିଷ୍ଟ ସାହିତ୍ୟକାରମାନେ କେବଳ ତାଙ୍କରି ଭାଷାର ଲୋକମାନଙ୍କ ପାଇଁ ନୁହେଁ ଆମମାନଙ୍କ ପାଇଁ ମଧ୍ୟ ଉପଯୋଗୀ ବିଷୟ ବ୍ୟାଖ୍ୟାନ କରିଛନ୍ତି ।” ଏକଥା ସମ୍ପୂର୍ଣ୍ଣଭାବେ ଆମ ସାହିତ୍ୟର ପ୍ରାଚୀନ ଅନୁବାଦ ଧାରା ପାଇଁ ପ୍ରଯୋଜ୍ୟ ନୁହେଁ । ଡଃ ଜାନକୀବଲ୍ଲଭ ମହାନ୍ତିଙ୍କ ଭାଷାରେ–“ଜନସାଧାରଣଙ୍କ ମଧ୍ୟରେ ଜ୍ଞାନର ପରିବେଷଣ ଲାଗି ଓ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିବା ଲାଗି ପ୍ରାଚୀନ ଯୁଗରୁ ଉଦ୍ୟମ ହୋଇ ଆସୁଅଛି । ସର୍ବଭାରତୀୟ ସଂସ୍କୃତି ସହ ସଂଯୋଗ ସ୍ଥାପନ ଲାଗି ସଂସ୍କୃତି ମହାଭାରତ ଓ ରାମାୟଣ ରଚନା କରିଥିଲେ । ଷୋଡ଼ଶ ଶତାବ୍ଦୀରେ ବଳରାମ ଦାସ ସଂସ୍କୃତରୁ ‘ଭାଗବତ ଗୀତା’, ଯଶୋବନ୍ତ ଦାସ ‘ଶିବସ୍ଵରୋଦୟ’ ଓ ଜଗନ୍ନାଥ ଦାସ ‘ଶ୍ରୀମଦ୍‍ ଭାଗବତ’କୁ ଓଡ଼ିଆରେ ଅନୁବାଦ କରିଥିଲେ । ପୁରାଣ ଯୁଗର ଅନୁବାଦକ ଭାବେ ଏମାନଙ୍କ କୃତିତ୍ଵ ଅତୁଳନୀୟ ।

 

ଆଲୋଚକ ଅଭିନ୍ନ ସାହୁ ‘ଅନୁବାଦ ଓ ଆମର ଅନୁବାଦକ’ ଶୀର୍ଷକ ପ୍ରବନ୍ଧରେ ଲେଖିଛନ୍ତି–“ଆଦିକବି ସାରଳା ଦାସ ସର୍ଜନାତ୍ମକ ଅନୁବାଦ ସାହିତ୍ୟର ଆଦି ପ୍ରବର୍ତ୍ତକ । ତାଙ୍କ କୃତୀରେ ଅନୁବାଦ–ଅନୁକରଣରେ ପର୍ଯ୍ୟବସିତ ନ ହୋଇ ଏକ ଶୋଭନ ଶିଳ୍ପରେ ରୂପାନ୍ତରିତ ହୋଇଛି । ବଳରାମଙ୍କ ସୃଷ୍ଟି ପ୍ରତି ମଧ୍ୟ ଏହା ପ୍ରଯୋଜ୍ୟ । ଏମାନଙ୍କ ଅନୁବାଦ ବ୍ୟାସ, ବାଲ୍ମୀକିଙ୍କ ଛାୟା ଛବି ନ ହୋଇ ଯୁଗଧର୍ମ ଓ ଯୁଗରୁଚି ପ୍ରଭାବରେ ନବକଳେବର ଧାରଣ କରିଛି । ଏହା ଜାତୀୟ ଜୀବନର ପ୍ରତିବିମ୍ବ ବହନ କରି ଜାତିର ହୃଦୟ କନ୍ଦରରେ ସୁପ୍ରତିଷ୍ଠିତ ହୋଇପାରିଛି । ପଞ୍ଚସଖା ଯୁଗର ଅନୂଦିତ ଗ୍ରନ୍ଥାବଳି ସାରଳା ଯୁଗର ସମଧର୍ମୀ । ସେକାଳର ଅନୁବାଦ ଗ୍ରନ୍ଥହିଁ ଓଡ଼ିଆ ସାହିତ୍ୟର ଭିତ୍ତି । ଉତ୍କଳୀୟ ମାନସ ଭୂମିର ପୃଷ୍ଠ ପଟରେ ଏହି ପୂର୍ବାଚାର୍ଯ୍ୟମାନଙ୍କର ପ୍ରେରଣା ବିଦ୍ୟମାନ ।’’

 

ଆଦି ଅନୁବାଦର ଭୂମି ଓ ଭୂମିକା ସମ୍ପର୍କରେ ଆଲୋଚିତ ଦୁଇଟି ଆଲୋଚନାର ଆଲୋଚକ ପ୍ରାୟତଃ ଏକମତ ଥିବାର ଲକ୍ଷ କରାଯାଏ । ଓଡ଼ିଆ ସାହିତ୍ୟରେ ଅନୁବାଦର ପରମ୍ପରା ଯେ ଖୁବ୍‍ ପ୍ରାଚୀନ ଏକଥା ଅସ୍ଵୀକାର କରି ହେବନାହିଁ । ଓଡ଼ିଆ ସାହିତ୍ୟର ବିକାଶ କ୍ରମରେ ଏହି ପରମ୍ପରା କେତେବେଳେ ଖରସ୍ରୋତାର ଖରସ୍ରୋତରେ ଦ୍ରୁତ ପ୍ରବାହମାନ, ତ କେତେବେଳେ ତା’ର ସ୍ରୋତ ସମୟରେ କର୍କଶ ପଟ୍ଟଭୂମିର ଆଘାତରେ ଧିମେଇ ଯାଇଛି । ଓଡ଼ିଆ ସାହିତ୍ୟର ବିକାଶ ଧାରାରେ ଏହା ନିଜର ଶିଶୁ ଅବୟବକୁ କ୍ରମଶଃ ପରିପୁଷ୍ଟ କରାଇ ପାରିଛି । ତା’ର ଏହି ବିକାଶ କ୍ରମ ଯୁଗ–ତଥା ସମୟର ପରିବର୍ତ୍ତନ ସ୍ରୋତରେ କିପରି କ୍ରମଶଃ ଅଭିବୃଦ୍ଧି ଘଟାଇଛି ତାହା ନିମ୍ନଲିଖିତ ଆଲୋଚନାରେ ଲକ୍ଷ କରାଯାଇପାରେ ।

 

ପ୍ରାଚୀନ ସାହିତ୍ୟରେ ଅନୁବାଦ–

 

ଓଡ଼ିଆ ଅନୁବାଦ ସାହିତ୍ୟର କ୍ରମବିକାଶର ମୁଖ୍ୟତଃ ଚାରୋଟି ମୁହୂର୍ତ୍ତର ପ୍ରାଣ ସ୍ପନ୍ଦନକୁ ନେଇ ଚଳିତ ଶତାବ୍ଦୀରେ ପହଞ୍ଚି ପାରିଛି । ଏହି ଚାରୋଟି ମୁହୂର୍ତ୍ତ ହେଲା (୧) ପ୍ରାଚୀନ ସାହିତ୍ୟର ଅନୁବାଦ (୨) ଊନବିଂଶ ଶତାବ୍ଦୀର ଅନୁବାଦ (୩) ଯୁଦ୍ଧୋତ୍ତରକାଳୀନ ଅନୁବାଦ ଓ (୪) ସ୍ଵାଧୀନୋତ୍ତର ଅନୁବାଦ ସାହିତ୍ୟ । ପ୍ରଥମେ ପ୍ରାଚୀନ ସାହିତ୍ୟ ମାଧ୍ୟମରେ ଅନୁବାଦ କଳାର କିପରି କ୍ରମବିକାଶ ଘଟିଛି ତାହା ଅନୁଧ୍ୟାନ କରାଯାଉ ।

 

ସାରଳାଦାସଙ୍କୁ ପ୍ରାଚୀନ ସାହିତ୍ୟର ଆଦି ଅନୁବାଦକ ଭାବେ ଡଃ ଖଗେଶ୍ଵର ମହାପାତ୍ର, ଡଃ ଜାନକୀବଲ୍ଲଭ ମହାନ୍ତି ଓ ଅଧ୍ୟାପକ ଅଭିନ୍ନ ସାହୁ ମତପୋଷଣ କରନ୍ତି। ତାଙ୍କ ପରବର୍ତ୍ତୀ ସାହିତ୍ୟିକ ଗୋଷ୍ଠୀଭାବେ ସୁପରିଚିତ ପଞ୍ଚସଖା ଗୋଷ୍ଠୀଙ୍କ ଅବଦାନ ଏ କ୍ଷେତ୍ରରେ ଉଲ୍ଲେଖନୀୟ । ସେମାନଙ୍କୁ ପରେ ପରେ ସପ୍ତଦଶ ଓ ଅଷ୍ଟାଦଶ ଶତାବ୍ଦୀରେ, ଜୟସିଂ–ଗୀତା, ମହାଭାରତ ଦ୍ରୋଣପର୍ବ, କୃଷ୍ଣ ପଟ୍ଟନାୟକ–ଭାଗବତ, ବାମନ ପୁରାଣ, କଳ୍‌କି ପୁରାଣ, ରାମାୟଣ, କୃଷ୍ଣସିଂହ–ମହାଭାରତ, ଦୀନବନ୍ଧୁ, ଖାଡ଼ଙ୍ଗା–ଭାଗବତ, ବଳଭଦ୍ର ମଙ୍ଗରାଜ–ସ୍କନ୍ଧ ପୁରାଣର କିୟଦଂଶ, ହଳଧର ଦାସ–ଆଧ୍ୟାତ୍ମ ରାମାୟଣ, ତ୍ରୀପୁରାରୀ ଦାସ–କଟପାୟା, ହରିବଂଶ ରାୟ–କୃଷ୍ଣଦାସ କବିରାଜଙ୍କ ଗୋବିନ୍ଦ ଲୀଳାମୃତର ଅନୁବାଦକୁ “ପ୍ରେମକଳ୍ପଲତା” ଭାବେ ଓଡ଼ିଆରେ ଅନୁବାଦ କରିଥିଲେ । ଯଦିଓ ଏସବୁ ସମ୍ପ୍ରତି ଅନୁବାଦ କଳାର ସଂଜ୍ଞା ବହନ କରେନି ତଥାପିଏହା ଓଡ଼ିଆ ଅନୁବାଦର ଆଦିରୂପ ହେତୁରୁ ଏହାର ସଂଜ୍ଞା ବିପର୍ଯ୍ୟସ୍ତ ହେବା ସ୍ୱଭାବିକ । ଏସବୁ ଅନୁକରଣ ଧର୍ମୀ ସଂସ୍କୃତ ସାହିତ୍ୟର ଭାବାନୁବାଦ । ଏହି ସମୟରେ ଆଉ କେତେକ ସଂସ୍କୃତ କାବ୍ୟ ଓଡ଼ିଆରେ ଅନୁବାଦ ହୋଇଥିବା କଥା–ଡଃ ଜାନକୀବଲ୍ଲଭ ମହାନ୍ତି ତାଙ୍କ “ଓଡ଼ିଆ ଅନୁବାଦ ସାହିତ୍ୟ” ପ୍ରବନ୍ଧରେ ସୂଚାଇଛନ୍ତି । ତାଙ୍କ ମତାନୁଯାୟୀ “ଏହି ସମୟରେ ଆଉ କେତେକ ସଂସ୍କୃତ କାବ୍ୟ ଓଡ଼ିଆରେ ଅନୁବାଦ ହୋଇଥିବା କଥା–ଜାନକୀବଲ୍ଲଭ ମହାନ୍ତି ତାଙ୍କ “ଓଡ଼ିଆ ଅନୁବାଦ ସାହିତ୍ୟ” ପ୍ରବନ୍ଧରେ ସୂଚାଇଛନ୍ତି । ତାଙ୍କ ମତାନୁଯାୟୀ ଏହି ସମୟରେ କେତେକ ସଂସ୍କୃତ କାବ୍ୟ ଓଡ଼ିଆରେ ଅନୂଦିତ ହୋଇଥିଲା । “ଗୀତଗୋବିନ୍ଦ”ର ପ୍ରଥମ ଅନୁବାଦକ ଭାବେ ଷୋଡ଼ଶ ଶତାବ୍ଦୀର କବି ଧରଣୀଧର ସୁପ୍ରସିଦ୍ଧ । ସପ୍ତଦଶ ଶତାବ୍ଦୀରେ ବୁନ୍ଦାବନ ଦାସ “ରସବାରିଧି” ଓ ବଜରି ଦାସ “ଅର୍ଥଗୋବିନ୍ଦ” ନାମରେ ଗୀତଗୋବିନ୍ଦକୁ ଅନୁବାଦ କରିଥିଲେ। ସପ୍ତଦଶ ଶତାବ୍ଦୀରେ ମୁକୁଳଦାସ “ବେତାଳ ପଞ୍ଚବିଂଶତି”କୁ ଓଡ଼ିଆରେ ଅନୁବାଦ କରିଥିଲେ । ଏହାଛଡ଼ା ଧନଞ୍ଜୟ ଭଞ୍ଜ “ଇଚ୍ଛାବତୀ” କାବ୍ୟର ଅଧିକାଂଶ ଓ ଚନ୍ଦ୍ରମଣି ମହାନ୍ତି “ଦ୍ୱଂସଦୂତ” କାବ୍ୟ ଅନୁବାଦ କରିଥିଲେ । ଅଷ୍ଟାଦଶ ଶତାବ୍ଦୀରେ ବୈଷ୍ଣବ କବି ସଦାନନ୍ଦ କବି ସୂର୍ଯ୍ୟ ବ୍ରହ୍ମା ବଙ୍ଗଳା ଭାଷାରେ “ଶ୍ରୀକୃଷ୍ଣ ଚୈତନ୍ୟଚରିତା ମୃତସାର’’ ଓ “ବ୍ରଜଲୀଳାମୃତ ସମୁଦ୍ର” ଅନୁବାଦ କରିଥିଲେ । ପ୍ରଥମୋକ୍ତ ପୁସ୍ତକଟି ବଙ୍ଗଳାର କବି କୃଷ୍ଣଦାସ କବିରାଜଙ୍କ “ଚୈତନ୍ୟ ଚରିତାମୃତ” ଓ ଦ୍ଵିତୀୟଟି ରୂପଗୋସ୍ୱାମୀଙ୍କ “ବିଦଗ୍ଧ ମାଧବ’’ର ବଙ୍ଗାନୁବାଦ “ରାଧାକୃଷ୍ଣ ଲୀଳା କଦମ୍ବ”ର ଓଡ଼ିଆନୁଦାଦ ।”

 

ଅଷ୍ଟାଦଶ ଶତାବ୍ଦୀର ସୁପ୍ରସିଦ୍ଧ କବି ଦୀନକୃଷ୍ଣଙ୍କ “ପ୍ରସ୍ତାବ ସିନ୍ଧୁ”ରେ ମଧ୍ୟ ବହୁ ସଂସ୍କୃତ ନୀତିଶ୍ଳୋକର ପଦ୍ୟାନୁବାଦ ଦେଖିବାକୁ ମିଳେ । ଏହିପରି ଭାବେ ପ୍ରାଚୀନ ଓ ମଧ୍ୟଯୁଗୀୟ କବିଗଣ ଓଡ଼ିଆ ସାହିତ୍ୟର ବିକାଶ ସଙ୍ଗେ ସଙ୍ଗେ ଓଡ଼ିଆ ସାହିତ୍ୟର ଅନୁବାଦ ଧାରାକୁ ସେମାନଙ୍କ ସୃଷ୍ଟି ମାଧ୍ୟମରେ ବଳିଷ୍ଠ କରିଯାଇଛନ୍ତି । ଉକ୍ତ କାରୁକାର୍ଯ୍ୟ ପାଇଁ ସେମାନେ ଓଡ଼ିଆ ସାହିତ୍ୟର ଶବ୍ଦକୋଷ, ଭାବକୋଷ, ରସକୋଷ ଓ ଜ୍ଞାନକୋଷକୁ ବେଶ୍‍ ସମୃଦ୍ଧ କରିପାରିଛନ୍ତି । ଏ ବିକାଶ ଧାରା ପରବର୍ତ୍ତୀ ସାହିତ୍ୟରେ କିପରି ଅନୁସୃତ ତାହା “ଊନବିଂଶ ଶତାବ୍ଦୀର ଅନୁବାଦ ସାହିତ୍ୟ”ରେ ଦେଖାଯାଇପାରେ ।

 

ଊନବିଂଶ ଶତାବ୍ଦୀର ଅନୁବାଦ ସାହିତ୍ୟ–

 

ଗୋଟିଏ ନିର୍ଦ୍ଦିଷ୍ଟ ଢାଞ୍ଚାରେ ଗଢ଼ି ଉଠିଥିବା ଓଡ଼ିଆ ଅନୁବାଦ ପ୍ରକ୍ରିୟାରେ ଆଧୁନିକ କାଳରେ ସୃଷ୍ଟିହେଲା ଏକ ଅନଭିଜ୍ଞତା ପରିସ୍ଥିତି । ଏତେବେଳେ ଅନୁବାଦ୍ୟ ହେଲା ପାଶ୍ଚାତ୍ୟ ସାହିତ୍ୟ । ଭାଷା, ଭାବ, ରୂପ, ସବୁ ଦୃଷ୍ଟିରୁ ତାହା ଥିଲା ଅପରିଚିତ ଓ ଅପରିରମ୍ୟ । ତଥାପି ସମୟାନୁସାରେ ଯେହେତୁ ତାହାଥିଲା ଦେବଭାଷାଠୁଁ ବଳି, ରାଜଭାଷାର ମର୍ଯ୍ୟାଦା ମଣ୍ଡିତ ଏବଂ ସେଥିରେ ଥିଲା ଏକ ସମ୍ପୂର୍ଣ୍ଣ ନୂତନ ଜଗତର ପ୍ରଚୁର ସନ୍ଧାନ ତେଣୁ ତାହାହିଁ ହେଲା ଆହରଣ ଓ ଅନୁକରଣର ମୁଖ୍ୟ ଆଧାର । ଉଭୟ ପକ୍ଷରୁ କିଛି ଲୋକେ ସ୍ଵଳ୍ପ ଜ୍ଞାନ ସହ ଏହି ସାଧନାରେ ଅନୁବ୍ରତୀ ହେଲେ । ଊନବିଂଶ ଶତାବ୍ଦୀର ପ୍ରଥମ ଭାଗରେ ମୁଦ୍ରଣ ଯନ୍ତ୍ରର ପ୍ରତିଷ୍ଠା ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଏକ ଅବିସ୍ମରଣୀୟ ଘଟଣା । ଖ୍ରୀଷ୍ଟିୟ ମିସନାରୀମାନେ ପ୍ରଥମେ ଓଡ଼ିଆରେ ବାଇବେଲ ଓ ଖ୍ରୀଷ୍ଟ ଧର୍ମଗ୍ରନ୍ଥ ମାନ ଅନୁବାଦ କରିଥିଲେ । କେତେକ ପାଠ୍ୟପୁସ୍ତକ ମଧ୍ୟ ଏମାନଙ୍କ ଦ୍ଵାରା ଅନୂଦିତ ହୋଇଥିଲା । ବିକୃତ ପଦପ୍ରୟୋଗ ଓ ଇଂରାଜୀ ବାକ୍ୟରୀତି ଅନୁକରଣ ଫଳରେ ଏମାନଙ୍କ ଅନୁବାଦ ଏକ କିମ୍ଭୂତକିମାକାରରୂପେ ଧାରଣ କରୁଥିଲା । ଗୋଟିଏ ଦୃଷ୍ଟାନ୍ତ ହେଲେ ସେମାନଙ୍କ ଅନୁବାଦ ସମ୍ପର୍କରେ ଏକ ମୋଟାମୋଟି ଧାରଣା ଜନ୍ମି ପାରିବ । “×××× ପୁରୁଷର ମୁଣ୍ଡ ଓ ପାଁ କର୍ତ୍ତବ୍ୟ ନ ହୁଅୟ କିଂ ପାନ । ସେ ଈଶ୍ଵରର ପ୍ରତିମୂର୍ତ୍ତି । ତିରୀ ପୁରୁଷର ମହିମା ସ୍ଵରୂପା ×××× ପୁଣି ପ୍ରଭୁରେ ପୁରୁଷ ସ୍ତ୍ରୀ ବିନୁଁ ନ ହୁଅୟ !”

 

ଏପ୍ରକାର ଅନୁବାଦର ଭାଷାକୁ ଓଡ଼ିଆ ନକୁହାଯାଇ ବରଂ ଏକ ଅପଭାଷ କୁହାଯାଇପାରେ । ତଥାପି ଓଡ଼ିଆ ଗଦ୍ୟରେ ଆଦି ଅନୁବାଦକର ଗୌରବ ଏହି ପାଦ୍ରୀମାନଙ୍କର ପ୍ରାପ୍ୟ । ପାଠ୍ୟପୁସ୍ତକ ତଥା ଆଇନିଗ୍ରନ୍ଥର ପ୍ରକାଶକ ଭାବେ ସେମାନେ ବାଇବେଲର ଓଡ଼ିଆ ସଂସ୍କରଣ (ଖ୍ରୀ ୧୮୦୦ରୁ) କାର୍ଯ୍ୟ ଆରମ୍ଭ କରିଥିବା କଥା ଗ୍ରିୟରସ୍‌ନଙ୍କ ରିପୋର୍ଟରୁ ମିଳିଥାଏ । ଅଧ୍ୟାପକ ଅଭିନ୍ନ ସାହୁଙ୍କ ମତରେ, “ବାଇବେଲର ଆଂଶିକ ଅନୁବାଦ କାର୍ଯ୍ୟ ଖ୍ରୀ ୧୮୦୦ରେ ଓ ପୂର୍ଣ୍ଣାଙ୍ଗ ସଂସ୍କରଣ ଖ୍ରୀ ୧୮୧୦ରେ ପ୍ରକାଶିତ ହୋଇଛି ।” ଅନ୍ୟାନ୍ୟ ଅନୁବାଦ ମଧ୍ୟରେ “ସ୍ଵର୍ଗଯାତ୍ରୀର ବୃତ୍ତାନ୍ତ” Piligrims progress–‘‘ମୃତ୍ୟୁକାଳୀନବତନ (Dying Saying of Bunion)” ଷ୍ଟାମ୍ପଆକ୍ଟ, ବିବାହନିୟମ ପତ୍ର, ଆଦିର ନାମ ଉଲ୍ଲେଖ ଯୋଗ୍ୟ । ପାଠ୍ୟପୁସ୍ତକ ପାଇଁ ଉଦ୍ଦିଷ୍ଟ ଅନୁବାଦ ହେଉଛି–ବୋଧୋଦୟ, ଶକୁନ୍ତଳା ଉପାଖ୍ୟାନ, ଆଖ୍ୟାନମଞ୍ଜରୀ, ନୀତିବୋଧ ଓ ଗୁରୁପାଠ ପ୍ରଭୃତି । ପାଠ୍ୟପୁସ୍ତକ ଅନୁବାଦକ, ଓ ଅନ୍ୟାନ୍ୟ ଅନୁବାଦକ ଭାବେ ଏ ସମୟରେ ବିଛନ୍ଦ ପଟ୍ଟନାୟକ, ବନମାଳୀ ସିଂ, ଚନ୍ଦ୍ରନାଥ ରାୟ, ଡଃ ଲାସିରେ, ଜେ ଷ୍ଟବିନ୍‌ସ, ଆମ୍‌ସସଟନ୍‍, ଜେ ଏ ଫିଲିପ୍‌ସ, ପ୍ରଭୃତିଙ୍କ ନାମ ଉଲ୍ଲେଖ ଯୋଗ୍ୟ ।

 

ପାଦ୍ରୀମାନଙ୍କ ଓଡ଼ିଆନୁବାଦ ମଧ୍ୟରେ–୧୮୭୨ ମସିହାରେ ଖ୍ରୀଷ୍ଟିଆନ ପାଦ୍ରୀ ଷ୍ଟବିନ୍‌ସ–ବଙ୍ଗଳା କାହାଣୀ (କେତେକ ଆଲୋଚକଙ୍କ ମତରେ ପ୍ରଥମେ ବଙ୍ଗଳା-ଉପନ୍ୟାସ) “ଫୁଲ୍‌ମନୀ ଓ କରୁନାର ବିବରନ୍‍”ର ଓଡ଼ିଆ ଅନୁବାଦ ପ୍ରକାଶ କରିଥିଲେ । ଏଥିରେ ଓଡ଼ିଆ ସାହିତ୍ୟର ମାର୍ଜିତ ରୂପର କିୟଦଂଶ ପ୍ରତିଭାତ ହୋଇଛି । ଏହି “ଫୁଲ୍‍ମନୀ ଓ କରୁନାର ବିବରନ୍” ଗଳ୍ପଟି (ଉପନ୍ୟାସ) ୧୮୫୨ରେ ଜଣେ ଇଂରେଜୀ ମହିଳା ବଙ୍ଗଳାରେ ରଚନା କରିଥିଲେ । ଡଃ କୃଷ୍ଣଚରଣ ବେହେରାଙ୍କ ମତରେ–“ଖ୍ରୀଷ୍ଟିଆନ ପ୍ରଚାର ସାହିତ୍ୟ ରୂପେ ଏହାର ସୃଷ୍ଟି ହୋଇଥିଲା ଏବଂ ଓଡ଼ିଆ ସମେତ ବାରଟି ଭାରତୀୟ ଭାଷାରେ ଅନୂଦିତ ହୋଇଥିଲା । ×××× ଫୁଲ୍‍ମନୀ ଓ କରୁନାର ବିବରଣ ଓଡ଼ିଆନୁବାଦଟି ‘ଓଡ଼ିଶା ମିସନ୍‍ ପ୍ରେସରୁ’ ପ୍ରକାଶିତ ହୋଇଥିଲା । ଓଡ଼ିଶା ମିସନ୍‍ ରିପୋର୍ଟସର ୨୪ ପୃଷ୍ଠାରେ ଲିଖିତ ଅଛି ଯେ–“ଆମର ଭର୍ଣ୍ଣାକୁଲାର ସାହିତ୍ୟରେ “ଫୁଲମଣି ଓ କରୁଣା” ଅନ୍ୟ ଏକ ଚମତ୍କାର ସଂଯୋଜନା । ଏହା ସ୍କୁଲ ପାଠ୍ୟ ବାହାରେ ପଠିତ ହେଉଛି ।” ଡଃ କୃଷ୍ଣଚରଣ ବେହେରାଙ୍କ ଦ୍ଵାରା ସଂଗୃହୀତ ଏହି ଉପନ୍ୟାସର ଅନୂଦିତ କେତେକାଂଶ ପ୍ରକାଶ କଲେ ଏହି ଅନୁବାଦର ଉତ୍କର୍ଷତା ଅନ୍ୟାନ୍ୟ ପାଦ୍ରୀଙ୍କ ଅନୁବାଦଠାରୁ କେତେ ପରିମାଣରେ ଅଧିକ ତାହା ଜଣାପଡ଼େ–“ଜଣେ କହିଲା, ମଧୁ, କେବଳ ମଦ୍ୟଦାନ ଦ୍ଵାରା ନଷ୍ଟ ହେଲା, ଆଉ ଜଣେ କହିଲା ତା’ ନୋହେ, ତା’ର ପୀଡ଼ା ହେଲା ଉତ୍ତାରେ ସେ ଏକ ଠେକି ଦହି କିଣି ଖାଇଥିଲା, ତହିଁରେ ତାହାରେ ମୃତ୍ୟୁହେଲା ।’’–ଇତ୍ୟାଦି । ସଂଗ୍ରାହକ–ଡଃ କୃଷ୍ଣଚରଣ ବେହେରା ଏହାର ଅନୁବାଦ କଳାଉପରେ ମତାମତ ଦେବାକୁ ଯାଇଁ କହିଛନ୍ତି–“ଉପନ୍ୟାସଟିର ଅନୁବାଦ ବା ତର୍ଜମା କ୍ରିୟା ମୋଟାମୋଟି ସନ୍ତୋଷ ଜନକ ହୋଇଛି । ଏଥିରେ ବଙ୍ଗଳା ଗ୍ରାମ୍ୟ ଜୀବନର ଚିତ୍ର ଅଙ୍କିତ ହୋଇଥିଲେ ହେଁ ଅନୁବାଦକ ଷ୍ଟବିନସ ସାହେବ ଏହାକୁ ଉତ୍କଳୀୟ ପାଠକ ସମାନ ନିକଟରେ ଅଧିକ ଗ୍ରାହ୍ୟ କରାଇବା ପାଇଁ କେତେକ ସ୍ଥଳରେ ଓଡ଼ିଶା ବିଷୟକ ସୂଚନା ଦେଇଛନ୍ତି-।”

 

ଇଂରେଜ ପାଦ୍ରୀମାନଙ୍କର ଓଡ଼ିଆ ଅନୁବାଦ ସାହିତ୍ୟରେ ସକ୍ରୀୟ ଭୂମିକାକୁ ସ୍ୱୀକାର କରିବାକୁ ଯାଇ ଡଃ କୃଷ୍ଣଚରଣ ବେହେରା ମତ ଦେଇଛନ୍ତି–“ଊନବିଂଶ ଶତାବ୍ଦୀରେ ଓଡ଼ିଆ ଗଦ୍ୟ ଶୈଳୀର ରୂପାୟନରେ ଖ୍ରୀଷ୍ଟିଆନ ପାଦ୍ରୀମାନଙ୍କର ଶୁଭଦାନ ଊଣା ନୁହେଁ । ବିଶେଷତଃ ରେଭେରେଣ୍ଡ ଆମ୍‌ସସଟନ୍–(ପଦାର୍ଥ ବିଦ୍ୟାସାର ୧୮୩୨, ଓଡ଼ିଆ ବ୍ୟାକରଣ ଓ ଅଭିଧାନ–୧୮୪୧, ଇତିହାସ ସାର ସଂଗ୍ରହ–୧୮୪୬) ରେଭେରେଣ୍ଡଲେସି (ଓଡ଼ିଆ ବ୍ୟାକରଣସାର–୧୮୫୫) ଏବଂ ଉପସ୍ଥିତ ଅନୁବାଦକ ରେଭେରେଣ୍ଡ ଷ୍ଟନବିନ୍‌ସଙ୍କ ନାମ ଏ ସମ୍ପର୍କରେ ଚିର ସ୍ମରଣୀୟ ।

 

ସମୟର କ୍ରମବିବର୍ତ୍ତନ ରଥଚକ୍ରରେ ତାଳେ ତାଳେ ଆମ ସାହିତ୍ୟ, ଭାଷା ଓ ରୁଚିର ମଧ୍ୟ କ୍ରମ ବିବର୍ତ୍ତନ ଘଟିଛି । ରୁଚି ବଦଳେ ଯୁଗ ବଦଳେ । ନବଯୁଗର ପ୍ରବର୍ତ୍ତକ ରାଧାନାଥ ଓ ମଧୁସୂଦନ ପାଠକର ରୁଚି ବୋଧକୁ ଉନ୍ନତି ଓ ମାର୍ଜିତ କରିବା ପାଇଁ କେତେକ ଉଚ୍ଚ ଶ୍ରେଣୀର ଗ୍ରନ୍ଥ ଓଡ଼ିଆରେ ଅନୁବାଦ କରିଛନ୍ତି ।

 

ରାଧାନାଥ ସୌନ୍ଦର୍ଯ୍ୟର ଉପାସକ । ମଧୁସୂଦନ ନୀତିଧର୍ମର ଉପାସକ । ସେଥିପାଇଁ ବୋଧହୁଏ ରାଧାନାଥ ଓ ମଧୁସୂଦନ ଆଲୋଚକ ଅଭିନ୍ନ ସାହୁଙ୍କ ଭାଷାରେ “ରାଧାନାଥ ନୀତି ଅନୀତିର ଊର୍ଦ୍ଧ୍ଵରେ ଥିବା ପ୍ରେମ ଓ ସୌନ୍ଦର୍ଯ୍ୟପାଇଁ କାଳିଦାସ ତଥା ଓଭିଡ଼ଂକର କୃତି ବାଛିଛନ୍ତି । କିନ୍ତୁ ମଧୁସୂଦନ ଦାର୍ଶନିକ ଭବଭୂତି ଓ ଅକ୍ସଫୋର୍ଡ଼ ଧର୍ମ ଆନ୍ଦୋଳନର ପୁରୋଧା କାଓପରଙ୍କ କୃତିକୁ ଅନୁବାଦର ଉପଯୁକ୍ତ ବୋଲି ମନୋନୀତ କରିଛନ୍ତି । ××× ମେଘଦୂତ ହିଁ ରାଧାନାଥଙ୍କ ସଫଳ ଅନୁବାଦର ଶ୍ରେଷ୍ଠ ନିଦର୍ଶନ । ମଧୁସୂଦନ ଭବଭୂତିଙ୍କର ସମାସବହୁଳ‌ ସଦୁକ୍ତି ମାଳାକୁ ସହଜ ସୁନ୍ଦର ରୂପଦେଇ ପାରିଛନ୍ତି । ପୁଣି ରଘୁବଂଶର (ତ୍ରୟୋଦଶ ସର୍ଗରୁ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ ଓ ଚତୁର୍ଦ୍ଦଶ ସର୍ଗରୁ ସୀତାବନବାସ) ଆଂଶିକ ଅନୁବାଦ କଲାବେଳେ ଦଣ୍ଡକାରଣ୍ୟ ଓ ଆଶ୍ରମର ଶାନ୍ତ ପ୍ରକୃତି, ମୁନି କନ୍ୟାଙ୍କର ପାବନ ଶୋଭନ ରୂପହିଁ ମଞ୍ଜୁଳତର ଭାବେ ପ୍ରସ୍ଫୁଟିତ ହୋଇଛି । ଏଥିମଧ୍ୟରେ ଋଷିପ୍ରାଣ ମଧୁସୂଦନଙ୍କର ଶୁଦ୍ଧପୂତ ପ୍ରାଣ ପ୍ରତିବିମ୍ବିତ । କିନ୍ତୁ ରାଧାନାଥଙ୍କ ପ୍ରାସାଦ ଓ ମାଧୁର୍ଯ୍ୟଗୁଣ ମଧୁସୂଦନଙ୍କ ଅନୁବାଦ ଓ ରଚନା ଶୈଳୀରେ ପରିଦୃଷ୍ଟ ହୁଏନାହିଁ ।”

 

ରାଧାନାଥ ଓ ମଧୁସୂଦନଙ୍କ ପଦ୍ୟାନୁବାଦ ବ୍ୟତୀତ ତାଙ୍କ ଦ୍ଵାରା ଅନୂଦିତ କେତେକ ଗଦ୍ୟାନୁବାଦ ମଧ୍ୟ ଦେଖିବାକୁ ମିଳେ । ମଧୁସୂଦନଙ୍କର “ଲସିବନ୍‍ ଭୂମିକମ୍ପ, ହେମମାଳା, ପ୍ରଣୟର ଅଦ୍ଭୁତ ପରିଣାମ”ରେ ତତ୍‌ସମ ବହୁଳ ଦୀର୍ଘ ସମାସ ଯୁକ୍ତ ପଦ୍ୟାବଳୀ ଦେଖିବାକୁ ମିଳେ । ମଧୁସୂଦନଙ୍କ ତୁଳନାରେ ରାଧାନାଥଙ୍କ ଭାଷା ପ୍ରବାହମାନ, ସଂସ୍କୃତ ପ୍ରଭାବମୁକ୍ତ ଓ ବେଶ୍‍ ସୌନ୍ଦର୍ଯ୍ୟ ମଣ୍ଡିତ । ବହୁ କ୍ଷେତ୍ରରେ ରାଧାନାଥ ଭାବାନୁବାଦ କରିଛନ୍ତି । ତାଙ୍କର “ଇତାଲୀୟ ଯୁବା” ଏହିପରି ଏକ ଗଦ୍ୟାନୁବାଦର ଅତୁଳନୀୟ ଉଦାହରଣ ହୋଇ ପାରିଛି ।

 

ଊନବିଂଶ ଶତାବ୍ଦୀର ଶେଷଭାଗ ଥିଲା, ଆଧୁନିକ ଓଡ଼ିଆ ସାହିତ୍ୟର ଏକ ପ୍ରାଣବନ୍ତ ଉତ୍ସସ୍ଵରୂପ । ଅବହେଳିତ ଓଡ଼ିଆ ସାହିତ୍ୟ ପାଇଁ ତତ୍କାଳୀନ ସାହିତ୍ୟ ସ୍ରଷ୍ଟା ଓ ଓଡ଼ିଆ ପ୍ରେମୀ ଜନସାଧାରଣଙ୍କ ମଧ୍ୟରେ ଅପୂର୍ବଉତ୍ସାହ ସୃଷ୍ଟି ହୋଇଥିଲା । ୧୮୬୬ ମସିହାର ନ’ଅଙ୍କ ଦୁର୍ଭିକ୍ଷ ଓ ୧୮୬୮ ମସିହାର ଭାଷା ବିଲୋପ ଆନ୍ଦୋଳନ ଓଡ଼ିଆ ଜନମାନସରେ ଏକ ଗଭୀର ରେଖାପାତ କରିବା ସଙ୍ଗେ ସଙ୍ଗେ ତା’ର ଉତ୍ସାହ ଓ ଉଦ୍ଦୀପନାକୁ ବେଶ୍‍ ଆଗେଇ ନେଇ ପ୍ରତ୍ୟେକ କ୍ଷେତ୍ରରେ ଉନ୍ନତି ସାଧିତ କରାଇ ପାରିଥିଲା । ଏହି ସମୟରେ ଓଡ଼ିଆ ସାହିତ୍ୟର ଭୂମିକାକୁ ଅବଶ୍ୟ ସ୍ଵୀକାର କରାଯିବ । ବିଛନ୍ଦ ପଟ୍ଟନାୟକ, ସୀତାନାଥ ରାୟ, ଫକୀରମୋହନ, ଜଗମୋହନ ଲାଲ ପ୍ରମୁଖ ଅନୁବାଦକମାନେ ଏ କ୍ଷେତ୍ରରେ ସକ୍ରୀୟ ଅଂଶଗ୍ରହଣ କରିଥିଲେ । ଈଶ୍ଵରଚନ୍ଦ୍ର ବିଦ୍ୟାସାଗରଙ୍କ ‘ସୀତାବନବାସ’ ପୁସ୍ତକଟିକୁ ବିଛନ୍ଦ ଚରଣ ଏବଂ ଟୟବିନ୍‌ଙ୍କ ଓଡ଼ିଶା ଇତିହାସର ୧୮୦୩ରୁ ୨୮ ପର୍ଯ୍ୟନ୍ତ ସମୟକୁ “ଓଡିଶା ବିଜୟ” ନାମରେ ଜଗମୋହନ ଓଡ଼ିଆରେ ଅନୁବାଦ କରିଥିଲେ ।

 

ତତ୍କାଳୀନ ସାମନ୍ତ ରାଜାମାନଙ୍କର ଅନୁବାଦ ସାହିତ୍ୟକୁ ଦାନ ବିଷୟରେ ଆଲୋକପାତ କଲେ ଦେଖାଯିବ ଯେ ତାଳଚେର ଓ ବାମଣ୍ଡା ରାଜାଙ୍କ ଅବଦାନ ଏ କ୍ଷେତ୍ରରେ ବହୁତ ବେଶୀ । ଏହି ଊନବିଂଶ ଶତାବ୍ଦୀର ଶେଷ ଭାଗରେ ନୂତନ ଯୁଗ ସ୍ରଷ୍ଟା ରାଧାନାଥ, ମଧୁସୂଦନ ଓ ଫକୀରମୋହନଙ୍କ ଅନୁବାଦର କ୍ଷେତ୍ର‌ ଯଦିଓ ସୀମିତ ଥିଲା ତଥାପି ଅନ୍ୟାନ୍ୟ ଅନୁବାଦକମାନଙ୍କଠାରୁ ଏମାନଙ୍କ ଅନୁବାଦ ଉତ୍କୃଷ୍ଟ ଧରଣର ଥିଲା । ରାଧାନାଥ “ମେଘଦୂତ, ତୁଳସୀ ସ୍ତବକ”–ଫକୀରମୋହନ “ରାମାୟଣ ମହାଭାରତ, ଛନ୍ଦୋଗ୍ୟ ଉପନିଷଦ” ମଧୁସୂଦନ-ରଘୁବଂଶର କିୟଦଂଶ ଓ ଉତ୍ତର ରାମଚରିତ ନାଟକକୁ ଓଡ଼ିଆରେ ଅନୁବାଦ କରିଥିଲେ ।

 

ଫକୀରମୋହନଙ୍କ ସାହିତ୍ୟିକ ଜୀବନ ଅନୁବାଦରୁ ହିଁ ଆରମ୍ଭ ହୋଇଥିଲା । ମୌଳିକ ଗ୍ରନ୍ଥ ଅପେକ୍ଷା ତାଙ୍କ ଅନୁବାଦ ଗ୍ରନ୍ଥର ସଂଖ୍ୟା ଅଧିକ । ଫକୀରମୋହନ ଥିଲେ ମୁଖ୍ୟତଃ ସମାଜ ସଂସ୍କାର ପ୍ରୟାସୀ । ଏକ ସୁସ୍ଥ ଓ ରୁଚିପୂର୍ଣ୍ଣ ସାମାଜିକ ପରିବେଶ ସୃଷ୍ଟି କରିବା ପାଇଁ ନୀତିଶିକ୍ଷା ମୂଳକ ଧର୍ମଗ୍ରନ୍ଥର ଅନୁବାଦ ସେ ଆରମ୍ଭ କରିଥିଲେ । ସେ ହିନ୍ଦୁଧର୍ମ ଜଗତର ସର୍ବଶ୍ରେଷ୍ଠ ଗ୍ରନ୍ଥ “ରାମାୟଣ, ମହାଭାରତ, ଖିଳିହରିବଂଶ, ଆଦି ଅନୁବାଦ କରିଛନ୍ତି । ଫକୀରମୋହନଙ୍କ ଅନୁବାଦରେ ତାଙ୍କ ମୌଳିକ ସୃଷ୍ଟିଗତ ଭାଷା ଓ ଭାବର ସାମଞ୍ଜସ୍ୟ ପ୍ରକଟିତ ହୋଇଥାଏ ।

 

ମୂଳ ଗ୍ରନ୍ଥର ଅନୁବାଦ ଯେତେ ସହଜ ତା’ର ପଦାଙ୍କ ଅନୁସରଣ କରି ଉକ୍ତ ବିଷୟକୁ ସ୍ଵକୀୟ ଭାବଧାରାରେ ରୂପଦେବା ବାସ୍ତବିକ ବହୁ ଅୟସସାପେକ୍ଷ । “ପ୍ରଣୟ ବଲ୍ଲରୀ” ଏହି ଶ୍ରେଣୀର ଅନୁବାଦ । ସେଥିପାଇଁ ଗଙ୍ଗାଧର ମେହେର ପ୍ରଣୟ ବଲ୍ଲରୀ ମୁଖବନ୍ଧରେ ଲେଖିଛନ୍ତି–“ଭିନ୍ନଭାଷାରେ ମୂଳ କବିତାର ଭାବ ପୋଷଣ କରିବା ସୁକଠିନ କାର୍ଯ୍ୟ । ଗୋଟିଏ ହସ୍ତୀ ପୂର୍ବାଗାମୀ ହସ୍ତୀର ଠିକ୍‍ ପଦଚିହ୍ନ ଉପରେ ପଦକ୍ଷେପ କରି ଚାଲିଗଲେ ସେ ଶୋଭା ରହିପାରେ ନାହିଁ । କିନ୍ତୁ ସେହି ମାର୍ଗରେ ହଂସର ନୈସର୍ଗିକ ଗତି ଦର୍ଶନୀୟ ହୋଇଥାଏ । ଉକ୍ତ ମୁଖବନ୍ଧ ଓ ପ୍ରଣୟ ବଲ୍ଲରୀ ନାମକରଣରୁ ଜଣାଯାଏ ଯେ ଏହା କାଳିଦାସଙ୍କ “ଶକୁନ୍ତଳମ୍”ର ଭାବାନୁବାଦ ।

 

ଆଲୋଚ୍ୟ ସମୟରେ ନାଟ୍ୟକାର ରାମଶଙ୍କର ରାୟ ଋକବେଦ ସଂହିତାର ପ୍ରଥମଖଣ୍ଡ ଓ ଯଜୁର୍ବେଦ ସଂହିତାର ତୃତୀୟ ଖଣ୍ଡ ଅନୁବାଦ କରିଥିଲେ । ଏହି ଅନୁବାଦ ବିଷୟରେ ଅଧ୍ୟାପକ ଗୌରୀ କୁମାର ବ୍ରହ୍ମା ମତବ୍ୟକ୍ତ କରି କହିଛନ୍ତି–“ଏଥିରେ ଅନୁବାଦକ ନିଜର ମତାମତ ଦେବାକୁ ଯାଇଁ ନିଜର କୃତିକୁ ସରଳ ବୋଲି ଅଭିହିତ କରିଛନ୍ତି ମାତ୍ର, ବାସ୍ତବିକ ଅନୁବାଦକଙ୍କର ସେ ରୂପ ଏଥିରେ ପ୍ରକଟିତ ହୋଇନାହିଁ ।” (ଝଙ୍କାର-ଏକାଦଶ ବର୍ଷ-୭ମ ସଂଖ୍ୟା) । ଏହି ସମୟରେ ଅନ୍ୟାନ୍ୟ କେତେକ ଅନୁବାଦକମାନଙ୍କ ମଧ୍ୟରେ ସଂସ୍କୃତ ଗ୍ରନ୍ଥର ଅନୁବାଦକ ଗୋପୀନାଥ ନନ୍ଦଶର୍ମା ଓ ମୃତ୍ୟୁଞ୍ଜୟ ରଥଙ୍କ ନାମ ଅବିସ୍ମରଣୀୟ ।

 

ସତ୍ୟବାଦୀ ଯୁଗର ଅନ୍ୟତମ ପ୍ରତିଭା ଗୋଦାବରୀଶଙ୍କର ଅନୁବାଦ ଓଡ଼ିଆଅନୁବାଦ ସାହିତ୍ୟକୁ ପରିପୁଷ୍ଟ କରିଛି । ଏହି ଯୁଗର ମୂଳସ୍ୱର ଥିଲା‌ ଜାତୀୟତା । “ନିର୍ବାସିତ” ଓ ‘୧୮୧୭’ ପରି ଜାତୀୟତା ମୂଳକ ଉପନ୍ୟାସରେ ବୈଦେଶିକତା ଲୋପ କରିବା ପାଇଁ ସ୍ଥାନୀୟ ଚିତ୍ର ସଂଯୋଜିତ । ଓଡ଼ିଶାର ଇତିହାସ ଓ ପରମ୍ପରା ସଙ୍ଗେ ମୂଳ ଉପନ୍ୟାସର ବିଷୟବସ୍ତୁ ଏଥିରେ ଏକାତ୍ମ ହୋଇଯାଇଛି । ‘ନିର୍ବାସିତ’ ଉପନ୍ୟାସର ଉତ୍ତରାର୍ଦ୍ଧରେ କର୍ଣ୍ଣଧାର ଗଜପତି ଦିବ୍ୟସିଂହ ଦେବଙ୍କର ନିର୍ବାସିତ ଓ ‘୧୮୧୭’ ଉପନ୍ୟାସରେ ବର୍ଣ୍ଣିତ ବକ୍ସି ଜଗବନ୍ଧୁଙ୍କର ବିଦ୍ରୋହ ଏକ ଏକ ଐତିହାସିକ ଓ ଜାତୀୟ ଚେତନା ସୃଷ୍ଟିର ଘଟଣା । ‘ଘଟାନ୍ତର’ ଏକ ସାମାଜିକ ଉପନ୍ୟାସ । ଏହା ରବର୍ଟ ଲୁଇସଙ୍କର “strange case of Dr. Jekyll and Mr. Hyde” ନାମକ ଉପନ୍ୟାସର ଅବଲମ୍ବନରେ ବା ଛାୟାନୁବାଦ ଭିତ୍ତିରେ ଲିଖିତ । ଗୋଦାବରୀଶଙ୍କ ‘ଅଭାଗିନୀ’–ଭିକ୍ଟର ହ୍ୟୁଗୋଙ୍କର ବିଖ୍ୟାତ ଉପନ୍ୟାସ ‘The Lamiserable’ରୁ ଗୃହୀତ । ଗୋଦାବରୀଶ ମୁଖ୍ୟତଃ ରବର୍ଟ ଲୁଇସ୍‍ ଓ ଭିକ୍ଟର ହ୍ୟୁଗୋଙ୍କର ଉପନ୍ୟାସକୁ ଅବଲମ୍ବନ କରି ତାଙ୍କ ଅନୁବାଦ ସାହିତ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରି ଯାଇଛନ୍ତି । ସତ୍ୟବାଦୀ ଯୁଗର ଅନ୍ୟତମ ସାଧକମାନଙ୍କ ମଧ୍ୟରୁ ଆଚାର୍ଯ୍ୟ ହରିହରଙ୍କ ‘ଭାଗବତଗୀତା’ର ଅନୁବାଦ ଓ ଲିଙ୍ଗରାଜ ମିଶ୍ରଙ୍କ ରାମାୟଣର ଅନୁବାଦ ଉଲେଖ ଯୋଗ୍ୟ ।

 

ସତ୍ୟବାଦୀ ଯୁଗର ଅନୁବାଦ ସାହିତ୍ୟ ରାଧାନାଥ ଯୁଗର ଅନୁବାଦ ସାହିତ୍ୟ ସୃଷ୍ଟିର ପରମ୍ପରାଠାରୁ ଅଧିକ ବଳିଷ୍ଠ ଓ ରୁଚିଶୀଳ । ନୀଳକଣ୍ଠ ଦାସଙ୍କର ‘ଦାସନାଏକ’ ଏହି ସମୟର ଏକ ଉଲ୍ଲେଖଯୋଗ୍ୟ କାବ୍ୟାନୁବାଦ । ଏହି ଇଂରେଜ କବି ଟେନ୍‌ସିନ୍‌ଙ୍କ କାବ୍ୟ ‘Enooch Ardon’ରୁ ଅନୂଦିତ ହୋଇଛି । ଟେନିସନଙ୍କର ଅନ୍ୟ ଏକ କାବ୍ୟ ‘The Princess’କୁ ନୀଳକଣ୍ଠ ‘ପ୍ରଣୟିନୀ’ ନାମରେ ଅନୁବାଦ କରି ଯାଇଛନ୍ତି । ସତ୍ୟବାଦୀ ଯୁଗର ଅନୁବାଦ ସର୍ବଜନ ବୋଧ୍ୟ ଏହା ଓଡ଼ିଆ ଭାଷାର ପ୍ରବାଦ, ପ୍ରବଚନ ଓ ରୂଢ଼ି ପ୍ରୟୋଗରେ ପ୍ରାଣବନ୍ତ ହୋଇଛି । ରାଧାନାଥ ଯୁଗର ଅନୁବାଦ ବା ଆହରଣ କ୍ଷେତ୍ରରେ ମୂଳ ଲେଖାର ସ୍ପଷ୍ଟ ଉଲ୍ଲେଖ ନାହିଁ । କିନ୍ତୁ ସତ୍ୟବାଦୀ ଯୁଗରେ ଏ ସତ୍ୟତାକୁ ଲୁଚାଇବାର ପ୍ରୟାସ ଆମେ କାହିଁ ଦେଖିବାକୁ ପାଇ ନାହୁଁ । ତେବେ ଏ ଯୁଗର ଅନୁବାଦ ପ୍ରାୟତଃ ଭାବାନୁବାଦ ଶ୍ରେଣୀଭୁକ୍ତ । ସତ୍ୟବାଦୀ ଯୁଗର ‘ଅନୁବାଦ ସାହିତ୍ୟ’ ପରେ ଏକ ଅନିଶ୍ଚିତ ରାଜନୈତିକ ବାତାବରଣ ଭିତରେ ସୃଷ୍ଟ ‘ଯୁଦ୍ଧୋତ୍ତର ଓଡ଼ିଆନୁବାଦକୁ’ ସମ୍ପ୍ରତି ଆଲୋଚନାର ପରିସର ଭୁକ୍ତ କରାଯାଇ ପାରେ ।

 

ଯୁଦ୍ଧୋତ୍ତର କାଳୀନ ଓଡ଼ିଆ ଅନୁବାଦ–

 

ପ୍ରଥମ ଓ ଦ୍ୱିତୀୟ ବିଶ୍ଵଯୁଦ୍ଧ ପୃଥିବୀକୁ ନିର୍ଦ୍ଦୟ ଭାବରେ କ୍ଷତ ବିକ୍ଷତ କରିବା ପରେ ବିଦାୟ ନେଇଥିଲା ଏକ ଅସ୍ୱଭାବିକ ପରିବେଶ ଓ ପରିସ୍ଥିତି ସୃଷ୍ଟିକରି । ଯୁଦ୍ଧୋତ୍ତର ନୈରାଶ୍ୟ ଜନକ ବାୟୁମଣ୍ଡଳରେ ବିଶ୍ଵଶାନ୍ତି ପାଇଁ ଆତୁରତା ଓ ମୁକ୍ତିଲାଗି ବ୍ୟସ୍ତତାର ଆଲୋଡ଼ନ ଭିତରେ ଆମ ସାହିତ୍ୟର ରୂପରେଖ କ୍ରମଶଃ ବଦଳି ଯାଇଥିଲା । ଏହି ସମୟରେ ପ୍ରାଣସ୍ପନ୍ଦନ ଭିତରେ ଆମର ତତ୍କାଳୀନ ଓଡ଼ିଆ ଅନୁବାଦକଙ୍କ ଭୂମିକା ବେଶ୍‍ ଗୁରୁତ୍ୱପୂର୍ଣ୍ଣ ।

 

ଏହି ସମୟରେ ଶ୍ରୀ ଅମର ବଲ୍ଲଭ ଦେଙ୍କର ‘ବୀରପୂଜା’ ବିଖ୍ୟାତ ଇଂରେଜ ପ୍ରାବନ୍ଧିକ କାରଲାଇଲଙ୍କର ପ୍ରବନ୍ଧ ସଂକଳନ “The Hero and Hero worship’ରୁ ଅନୂଦିତ ହୋଇଥିଲା । ଓଡ଼ିଆ ପ୍ରବନ୍ଧ ସାହିତ୍ୟରେ ଏହି ଅନୁବାଦ ଏକ ଦୃଢ଼ଭିତ୍ତି ସ୍ଥାପନ କରିଛି । ୧୯୨୯ ମସିହାରେ ଏହାର ଓଡ଼ିଆ ଅନୁବାଦ ପ୍ରକାଶିତ ହୋଇଥିଲା । ଗୋପବନ୍ଧୁ ଚୌଧୁରୀ–ମହାତ୍ମା ଗାନ୍ଧୀଙ୍କ ଆତ୍ମଜୀବନୀ ଚରିତକୁ ସୁରେନ୍ଦ୍ର ଦ୍ଵିବେଦୀ–ଜବାହାରଲାଲ୍‍ ନେହେରୁଙ୍କ ଆତ୍ମଜୀବନୀକୁ ଓ ବିଶ୍ୱ ଇତିହାସକୁ ଓଡ଼ିଆରେ ଅନୁବାଦ କରିଥିଲେ । ଏହାଛଡ଼ା ଏହି ସମୟରେ ପ୍ରବନ୍ଧ ସାହିତ୍ୟର ଅନୁବାଦକଭାବେ ରାଜ ଗୋପାଳଚାରୀଙ୍କ ‘ଆମ ସଂସ୍କୃତି ଗୋଧନ, ଆରାନୋଲଡ୍‍ ଟୟନ୍‍ ବୀଂଙ୍କ- ‘ଏକ ବିଶ୍ୱ ଓ ଭାରତ’ର ଓଡ଼ିଆନୁବାଦ କରିଛନ୍ତି ରାଧାନାଥ ରଥ । ସେହିପରି ଗୋକୁଳାନନ୍ଦ ମହାପାତ୍ର ମଧ୍ୟ ସି.ଭି ରମଣଙ୍କ ‘ବିଜ୍ଞାନ ଦୃଶ୍ୟ’କୁ ଓଡ଼ିଆରେ ଅନୁବାଦ କରିଛନ୍ତି ।

 

ଏହି ସମୟର କବିତା ଓ କଥା ସାହିତ୍ୟ ଯେତେ ପରିମାଣରେ ଅନୂଦିତ ହୋଇ ପ୍ରକାଶ ଲାଭ କରିଥିଲା ପ୍ରବନ୍ଧ ସାହିତ୍ୟ ସେତେ ପରିମାଣରେ ଅନୂଦିତ ହୋଇପାରି ନଥିଲା । ଯୁଦ୍ଧୋତ୍ତରକାଳୀନ ଅନୁବାଦ ସାହିତ୍ୟରେ ‘ବୀରପୂଜା’ ପରି ଅନ୍ୟ ଏକ ଖ୍ୟାତି ସମ୍ପନ୍ନ ଅନୁବାଦ ହେଉଛି ଉଦୟନାଥ ଷଡ଼ଙ୍ଗୀଙ୍କର ମିସେସ୍‍ ହେରିଏଟ୍‍ ବେକର ଷ୍ଟୋଂକର ‘Unc।e Tom’s cabin’ରୁ ଅନୂଦିତ ହୋଇଛି । ୧୯୩୩ ମସିହାରେ ଏହାର ପ୍ରଥମ ଓଡ଼ିଆ ଅନୁବାଦ ପ୍ରକାଶିତ ହୋଇଥିଲା ।

 

ଯୁଦ୍ଧୋତ୍ତର କାଳରେ ହିନ୍ଦୀ, ବଙ୍ଗଳା, ଇଂରାଜୀରୁ ଗୋଲକବିହାରୀ ଧଳ, ଲକ୍ଷ୍ମୀନାରାୟଣ ମହାନ୍ତି, ମନମୋହନ ମିଶ୍ର, ଶ୍ରୀନିବାସ ଉଦ୍‌ଗାତା, ଗୋରାଚାନ୍ଦ ମିଶ୍ର, ଚିତ୍ତରଞ୍ଜନ ଦାସ, ଉପେନ୍ଦ୍ର କୁମାର ଦାସ, ଜ୍ଞାନୀନ୍ଦ୍ର ବର୍ମା, ପ୍ରଭାସ ଶତପଥୀ, ରବିନ୍ଦ୍ରନାଥ ସିଂ, ଲାଲା ନଗେନ୍ଦ୍ର କୁମାର, ଧନେଶ୍ୱର ମହାପାତ୍ରଙ୍କ ଦ୍ୱାରା ବହୁ ସାହିତ୍ୟ ଓଡ଼ିଆରେ ଅନୂଦିତ ହୋଇଛି । ପ୍ରେମଚାନ୍ଦଙ୍କ ବହୁ ଗଳ୍ପ ଓ ଉପନ୍ୟାସ ପ୍ରଫେସର ଗୋଲକବିହାରୀ ଧଳଙ୍କ ଦ୍ଵାରା ଅନୂଦିତ ହୋଇଛି । ମନ ମୋହନ ମିଶ୍ର ମଧ୍ୟ ଗର୍କୀ ଓ କାମ୍ୟୁ ପ୍ରଭୃତିଙ୍କର ବହୁ ଉପାଦେୟ ଲେଖାମାନ ଅନୂଦିତ କରିଛନ୍ତି । ତାଙ୍କ ‘ମନୁଷ୍ୟଦୈତ୍ୟ’ ଯୁଦ୍ଧୋତ୍ତରକାଳୀନ ଅନୁବାଦ ସାହିତ୍ୟରେ ଏକ ଉତ୍କୃଷ୍ଟ ଅନୂଦିତ ଗ୍ରନ୍ଥ ।

 

ଯୁଦ୍ଧୋତ୍ତରକାଳରେ ହିନ୍ଦୀ, ବଙ୍ଗଳା, ଇଂରାଜୀରୁ ବହୁ ସାହିତ୍ୟକୃତି ଅନୂଦିତ ହୋଇଥିଲେ ମଧ୍ୟ ପଡ଼ୋଶୀ ସାହିତ୍ୟ ବଙ୍ଗଳାରୁ ଅନୁବାଦ କରିବା ଆମ ଅନୁବାଦକଙ୍କର ଏକ ଅଦମ୍ୟ ମୋହଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ । ବଙ୍ଗ ସାହିତ୍ୟରୁ ବଙ୍କିମଚନ୍ଦ୍ରଙ୍କ ଆନନ୍ଦମଠ, କପାଳ କୁଣ୍ଡଳା, ଶରତ ଚନ୍ଦ୍ରଙ୍କ କୋରେଲ ପ୍ରଭୃତି ଅନୂଦିତ ହୋଇଥିଲା । ୧୯୪୭ରେ ଗର୍କୀଙ୍କର ବିଖ୍ୟାତ ଉପନ୍ୟାସ ‘Mother’କୁ ସୁନନ୍ଦକର ‘ମା’ ନାମରେ ଅନୁବାଦ କରିଥିଲେ । ଏହା ବ୍ୟତୀତ ଏହି ସମୟରେ–ଆଂଥୋନୀହୋପ୍‌ଙ୍କର ‘The Prisioner of Zenda’, ପଲବର୍କଙ୍କର ‘Good earth’ ‘Doctor chicago’ ଏବଂ ଟଲଷ୍ଟୟ, ଡଷ୍ଟୋଭସ୍କି, ମାୟାକ୍ଳୋଭିଷ୍କ, ମିସାଇଲ ଏଲାନ୍‌ଙ୍କର ବହୁ ପ୍ରସିଦ୍ଧ ଉପନ୍ୟାସମାନ ଅନୁବାଦକମାନଙ୍କ ଦ୍ୱାରା ଓଡ଼ିଆରେ ଅନୂଦିତ ହୋଇଥିଲା ।

 

ଏହି ସମୟରେ ପରେ ପରେ ଏହି ଧାରାକୁ ଉଦ୍‌ଜୀବିତ କରାଇ ରଖି ପାରିଥିଲେ ଡଃ ଗୋପାଳ ଚନ୍ଦ୍ର ମିଶ୍ର, ଅନନ୍ତ ଚରଣ ଶୁକ୍ଳ, ଜାନକୀବଲ୍ଲଭ ମହାନ୍ତି, ଶ୍ରୀଧର ଦାସ, ଅନସୂୟା ମହାନ୍ତି ଓ ସୌଭାଗ୍ୟ କୁମାର ମିଶ୍ର ପ୍ରମୁଖ ବହୁ ଅନୁବାଦକମାନେ । ତେବେ ଏମାନଙ୍କ କାଳକୁ ‘ସ୍ଵାଧୀନୋତ୍ତର ଅନୁବାଦ ସାହିତ୍ୟ’ର କାଳ କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହି ସମୟର ଅନୁବାଦ ଓ ଅନୁବାଦକମାନଙ୍କ ବିଷୟରେ ନିମ୍ନମତେ ଆଲୋଚନା କରାଯାଇ ପାରେ ।

 

ସ୍ୱାଧୀନୋତ୍ତର ଓଡ଼ିଆ ଅନୁବାଦ ସାହିତ୍ୟ–

 

ସ୍ୱାଧୀନତା ପ୍ରାପ୍ତିପରେ ଜନସାଧାରଣଙ୍କ ମଧ୍ୟରେ ବିଦେଶୀ ଶିକ୍ଷାର ଦ୍ରୁତ ପ୍ରସାର ଘଟିବା ସଙ୍ଗେ ସଙ୍ଗେ ସେମାନଙ୍କ ସୃଷ୍ଟିଶୀଳ ମନୋଭାବକୁ ପରିପୁଷ୍ଟ କରିଛି । ପରାଧୀନତାର ଗୌଣମନୋବୃତ୍ତିର ବିନାଶ ସଙ୍ଗେ ସଙ୍ଗେ ସ୍ୱାଧୀନତାର ସଞ୍ଚାରଣଶୀଳ ଦୃଷ୍ଟିପଥ ତା’ର କ୍ରମଶଃ ବିକଶିତ ହୋଇ ସ୍ଵକୀୟ ସାହିତ୍ୟର ପରାକାଷ୍ଠା ବିଶ୍ୱ ସାହିତ୍ୟ ଦରବାରରେ ଜାହିର କରିବାର ଅଭ୍ୟାସ କରି ଶିଖିଛି । ତେଣୁ ଜନମାନସ ଓ ସୃଷ୍ଟି ଚେତନଶୀଳ ଜନମାନସର ସାମାଜିକ ସମସ୍ୟା ଓ ସାହିତ୍ୟିକ ସମସ୍ୟାର କ୍ରମଃବୃଦ୍ଧି ଅନୁଯାୟୀ ତା’ର ଉନ୍ନତ ରୁଚିସମ୍ପନ୍ନ ଦାର୍ଶନିକ ଚିନ୍ତାଧାରା ସେତେ ପରିମାଣରେ ବୃଦ୍ଧିପାଇ ପାରିଛି । ସେହି ଦୃଷ୍ଟିରୁ ଏହି ସମୟର ଅନୁବାଦ ସାହିତ୍ୟର ଦ୍ରୁତ ବିକାଶକୁ ଲକ୍ଷ୍ୟ କରାଯିବାର କଥା ।

 

ଏହି ସମୟର ଅନୁବାଦ ଭିତରେ କେତେକ ଅନୁବାଦ ଗ୍ରନ୍ଥର ପ୍ରାରମ୍ଭରେ ମୂଳରଚନା ବା ରଚୟିତାଙ୍କର ଉପରେ ସମୀକ୍ଷାତ୍ମକ ଆଲୋଚନା ରହିଥିବାର ଦେଖିବାକୁ ମିଳେ । ମେଘଦୂତ (ରାଧାମୋହନ ଗଡ଼ନାୟକ) ଋତୁସଂହାର (କୃଷ୍ଣଚନ୍ଦ୍ର କର) ମୋପାଁସା ଓ ଚେଖଭଙ୍କ ଗଳ୍ପ (ପ୍ରଭାସ ଶତପଥୀ) ପ୍ରଭୃତିର ଏହି ଅନୁବାଦରେ ଏପରି ଦୀର୍ଘ ଅବତରଣିକାମାନେ ଦେଖିବାକୁ ମିଳେ ।

 

ଏହି ସମୟରେ ଜ୍ଞାନୀନ୍ଦ୍ର ବର୍ମାଙ୍କ ଦ୍ୱାରା ‘ମେଘଦୂତ’ ଅନୁବାଦ ଓ ଗୋପାଳ ମିଶ୍ରଙ୍କ ଦ୍ୱାରା ଏଜରା ପାଉଣ୍ଡଙ୍କ କେତେକ କବିତା ‘ଦୂର୍ବାଦଳ’ ନାମରେ ଅନୂଦିତ ହୋଇଥିଲା । ରବି ମହାପାତ୍ରଙ୍କ ଏକ ଉଲ୍ଲେଖ ଯୋଗ୍ୟ ଅନୁବାଦ ‘ସବୁଜ ବନାନୀ’ କାବ୍ୟ ଗ୍ରନ୍ଥ ଏହି ସମୟର ଅନ୍ୟ ଏକ ବିଶିଷ୍ଟ ଅବଦାନ ।

 

ସ୍ୱାଧୀନୋତ୍ତରକାଳରେ ଗୋଲକବିହାରୀ ଧଳଙ୍କ ଅନୂଦିତ ସାହିତ୍ୟ ଅତି ଉଚ୍ଚକୋଟୀର-। ବିଖ୍ୟାତ ହିନ୍ଦୀ କଥାକାର ପ୍ରେମଚାନ୍ଦ ‘ଗବନ’କୁ ସେ ‘ଗୋଦାନ’ ଭାବେ ଓଡ଼ିଆରେ ଅନୁବାଦ କରିଛନ୍ତି । ଏହି ସମୟରେ ପଦ୍ୟାନୁବାଦ–ମେଘଦୂତ ଓ ଗଦ୍ୟାନୁବାଦ–‘ଗୋଦାନ’ ଓଡ଼ିଆ ଅନୁବାଦ ସାହିତ୍ୟର ଗୋଟିଏ ଗୋଟିଏ ମାଇଲ ଖୁଣ୍ଟ । ସର୍ଜନଶୀଳ ଅନୁବାଦ ଓ ପ୍ରକାଶ କିପରି ଶୋଭନ ଶିଳ୍ପରେ ପରିଣତ ହୁଏ ଏହି ଦୁଇ ଅନୁବାଦ ଗ୍ରନ୍ଥ ତା’ର ନମୁନା ।

 

ସ୍ୱାଧୀନୋତ୍ତର ଅନୁବାଦ ସାହିତ୍ୟରେ ନାଟକ ଅନୁବାଦ ସ୍ୱଳ୍ପତମ । ନାଟ୍ୟକାର ମନୋରଞ୍ଜନ ଦାସଙ୍କ ‘ସାଗର ମନ୍ଥନ’ ଏହି ସମୟର ଏକ ସାର୍ଥକ ଛାୟାନୁବାଦ ଆଧୁନିକ ନାଟକ-। କାଳିଦାସଙ୍କ ‘ଅଭିଜ୍ଞାନ ଶକୁନ୍ତଳମ୍’କୁ ଡଃ ଧନେଶ୍ୱର ମହାପାତ୍ର ଓଡ଼ିଆରେ ରାଜଶେଖରଙ୍କ ‘କର୍ପୂର ମଞ୍ଜରୀ’କୁ ମଧ୍ୟ ଓଡ଼ିଆରେ ଅନୁବାଦ କରିଛନ୍ତି । ଉପନ୍ୟାସ ଏହି ସମୟରେ ଆମ ପ୍ରାଦେଶିକ ଭାଷାରୁ ବହୁତ ଅନୂଦିତ ହୋଇପାରିଛି । ଏହି ଅନୁବାଦକମାନଙ୍କ ମଧ୍ୟରେ, ସ୍ନେହ ମହାପାତ୍ର, ସରଦାରହସନ, ମହାପାତ୍ର ଭାସ୍ୱର ଗନ୍ତାୟତ, ଡଃ ଅଜୟ କୁମାର ପଟ୍ଟନାୟକଙ୍କ ନାମ ଉଲ୍ଲେଖଯୋଗ୍ୟ । ଏବେ ସମ୍ପ୍ରତି ପ୍ରକାଶିତ ‘ଏହି ଆବରଣ’ ବଙ୍ଗଳା ଉପନ୍ୟାସଟିର ଓଡ଼ିଆନୁବାଦ କରିଛନ୍ତି ମିହିର୍‍ ରାଓ । ଉପନ୍ୟାସଟି ବଙ୍ଗଳାର ବିଶିଷ୍ଟ ଔପନ୍ୟାସିକ ବିମଲ୍‍ କରଙ୍କର ଏକ ଶ୍ରେଷ୍ଠ ରଚନା । ଅଜୟ କୁମାର ପଟ୍ଟନାୟକଙ୍କ ‘ଶଙ୍ଖାସିନ୍ଦୂର’ ଅନୁବାଦ ଡକ୍ଟର ରମାନାଥ ତ୍ରିପାଠୀଙ୍କର ଏକ ସାର୍ଥକ ସୃଷ୍ଟି । ମାସିକ ପତ୍ରିକା ‘ମାନସ’ର ୧୯୭୯ ପୂଜା ସଂଖ୍ୟାରେ ଏହି ଉପନ୍ୟାସଟିର ଅନୂଦିତ ରୂପ ପ୍ରକାଶିତ ହୋଇଛି ।

 

ସ୍ଵାଧୀନୋତ୍ତର ଶିଶୁ ସାହିତ୍ୟରେ ଅନୁବାଦ ଭୂମିକା ମଧ୍ୟ କମ୍‍ ଗୁରୁତ୍ଵପୂର୍ଣ୍ଣ କଥା ନୁହେଁ । ଏ କ୍ଷେତ୍ରରେ ଡଃ ଜାନକୀବଲ୍ଲଭ ମହାନ୍ତି ଓ ଅଧ୍ୟାପକ ପଠାଣି ପଟ୍ଟନାୟକଙ୍କ ନାମ ଉଲ୍ଲେଖ ଯୋଗ୍ୟ ।

 

ସ୍ଵାଧୀନୋତ୍ତର ପ୍ରବନ୍ଧ ସାହିତ୍ୟ କଥା ଆଲୋଚନା କଲେ ଏ ବିଭାଗଟି ସମ୍ପୂର୍ଣ୍ଣ ଦୁର୍ବଳ ଥିବାର ମନେହୁଏ । ଡଃ ଖଗେଶ୍ଵର ମହାପାତ୍ର, ପଠାଣି ପଟ୍ଟନାୟଙ୍କ ଓ ଅନନ୍ତ ଚରଣ ଶୁକ୍ଳ ପ୍ରଭୃତିଙ୍କ ନାମ ଓ କୃତିହଁ ଏ କ୍ଷେତ୍ରରେ ଏକମାତ୍ର ସମ୍ବଳ । ୧୯୬୯ ମସିହାରେ ଅନନ୍ତ ଚରଣ ଶୁକ୍ଳଙ୍କଦ୍ଵାର ଗ୍ରୀକ୍‌ଦାର୍ଶନିକ Aristotleଙ୍କ ‘Poetics’ର ଅନୁବାଦ ‘ଆରିଷ୍ଟୋଟଲଙ୍କ କାବ୍ୟତତ୍ତ୍ଵ’ ନାମରେ ପ୍ରକାଶିତ ହୋଇଥିଲା । ଡଃ ଖଗେଶ୍ଵର ମହାପାତ୍ର ଓ ପଠାଣି ପଟ୍ଟନାୟକ ଯଥାକ୍ରମେ ଓଡ଼ିଆ ଭାଷା ଏବଂ ସାହିତ୍ୟ ବିଷୟକ କେତେକ ପ୍ରବନ୍ଧକୁ ଓଡ଼ିଆରେ ଅନୁବାଦ କରିଛନ୍ତି ।

 

ତେବେ ଆମର ସ୍ଵାଧୀନୋତ୍ତର ଅନୁବାଦ ସାହିତ୍ୟ ଯେତେ ଭାବେ ଆୟତନ ଦୃଷ୍ଟିରୁ ବିରାଟ ତା’ର ସମ୍ପୂର୍ଣ୍ଣ ତାଲିକା ଆଦୌ ସମ୍ଭବ ନୁହେଁ । ଏ କ୍ଷେତ୍ରରେ ‘ଅନୁବାଦ’ ସାହିତ୍ୟ ସୃଷ୍ଟି ଗୁଡ଼ିକୁ ପ୍ରକାଶ କରିବାର ଗୁରୁଦାୟିତ୍ୱ କେତେକ ଓଡ଼ିଆ ପ୍ରକାଶକ ଗ୍ରହଣ କରିଛନ୍ତି । ତନ୍ମଧ୍ୟରୁ ଗ୍ରନ୍ଥମନ୍ଦିର ଓ କଟକ ଷ୍ଟୁଡ଼େଣ୍ଟସ୍‍ ଷ୍ଟୋର ପ୍ରକାଶକ ସଂସ୍ଥା ଅନ୍ୟତମ । ଏତଦ୍‍ବ୍ୟତୀତ ଏ କ୍ଷେତ୍ରରେ ଏବଂ ସମ୍ପ୍ରତି କେନ୍ଦ୍ର ସାହିତ୍ୟ ଏକାଡେମୀ, ନେସ୍‍ନାଲ ବୁକ୍‌ଟ୍ରଷ୍ଟ, ଆମେରିକା ଦୂତାବାସ ଓ ଓଡ଼ିଆ ସାହିତ୍ୟ ଏକାଡେମୀ ଆନୁକୁଲ୍ୟରେ ବହୁଗ୍ରନ୍ଥ ଓଡ଼ିଆରେ ଅନୂଦିତ ହୋଇ ଓଡ଼ିଆ ଅନୁବାଦ ସାହିତ୍ୟର ବିକାଶ ଧାରାର ସ୍ଵାଭାବିକ ଗତି ବଜାୟ ରଖି ପ୍ରାଦେଶିକ ସ୍ତର ଓ ବିଶ୍ୱ ସ୍ତରରେ ସାହିତ୍ୟିକ ଆଦାନ ପ୍ରଦାନର ମାଧ୍ୟମ ହୋଇପାରିଛି । ସଂକ୍ଷେପରେ କହିଲେ ବିଗତ ପନ୍ଦର ବର୍ଷ ମଧ୍ୟରେ ହିଁ ଓଡ଼ିଆ ଅନୁବାଦ ସାହିତ୍ୟର ଅଗ୍ରଗତି ସାଧିତ ହୋଇଛି ।

 

ତେବେ ଆମ ଓଡ଼ିଆ ଅନୁବାଦରେ ବହୁ ଅମାର୍ଜିତ ରୂପ ଏବେ ମଧ୍ୟ ନିରୀକ୍ଷଣ କଲେ ଦେଖିବାକୁ ମିଳେ । ଗୋଟିଏ ଅନୁବାଦ ଥରେ ଦୋଷଦୁଷ୍ଟ ହେଲେ ତାହାର ଅନ୍ୟ ଏକ ଶୁଦ୍ଧ ନୂତନ ସଂସ୍କରଣ ପ୍ରକାଶ ସହଜ ସାଧ୍ୟ ନୁହେଁ । ସେଥିପାଇଁ ବିଂଶ-ଶତାବ୍ଦୀର ଅନୁନାତନ ଅନୁବାଦକମାନଙ୍କୁ ‘ଓଡ଼ିଆ ଅନୁବାଦ ସାହିତ୍ୟର ସମ୍ପ୍ରତି ପ୍ରକାଶିତ ଦୋଷଦୁଷ୍ଟ ଅଧ୍ୟାୟକୁ ଲକ୍ଷ୍ୟରଖି ସେପ୍ରକାର ଭ୍ରାନ୍ତିକୁ ଏଡ଼ାଇବାକୁ ପଡ଼ିବ ।

 

ଆମ ଅନୁବାଦର ବିକାଶକ୍ରମେ ଏହିପରିଭାବେ ଅଭିବୃଦ୍ଧି ହାସଲ କରି ପାରିଛି । ଯାହା ଆମ ସାହିତ୍ୟକୁ ଏକ ସ୍ଵତନ୍ତ୍ର ରୂପ ଓ ସ୍ଵତନ୍ତ୍ର ଆସନର ମର୍ଯ୍ୟାଦା ଦେବାକୁ କ୍ଷମଶୀଳ । ତଥାପି ଆମ ଅନୁବାଦକଳାରେ କେତେକ ଅପରିମାର୍ଜିତ, ଅପକର୍ଷ ଲକ୍ଷ୍ୟ କରାଯାଏ ସେ ସମ୍ପର୍କରେ ଏକ ଆଲୋଚନା କରାଯାଉ ।

 

ଓଡ଼ିଆ ସାହିତ୍ୟରେ ଅନୁବାଦ କଳାର ଅପକର୍ଷ–

 

ଆମ ଅନୁବାଦକମାନେ କୌଣସି ଗ୍ରନ୍ଥ ଅନୁବାଦ କଲାବେଳେ ଏତେ ଭାବପ୍ରବଣତା ଓ ଅହଂଭାବକୁ ଜାବୋଡ଼ି ଧରୁଛନ୍ତି ଯେ–ଯାହାଦ୍ଵାରା ଅନୁବାଦର ରୁଚି ସମ୍ପନ୍ନତା ପ୍ରତି ସେମାନେ ଆଦୌ ଧ୍ୟାନ ଦେଉ ନାହାନ୍ତି । ସେହି ହେତୁ ସେମାନଙ୍କ ଅନୁବାଦରେ ଉତ୍କର୍ଷ ଅପେକ୍ଷା ମାତ୍ରା ଅଧିକ । ଏହି ଅପକର୍ଷଗୁଡ଼ିକ କ’ଣ ତାହା ଆମେ ଅନୁଧ୍ୟାନ କଲେ ଯେ କୌଣସି ଅନୁବାଦ ଗ୍ରନ୍ଥ ପାଠ କଲାମାତ୍ରେ ଅନୁବାଦକର ଉଦ୍ୟମ ବିଷୟରେ ଅବଗତ ହୋଇ ପାରିବା ।

 

୧୮୫୦ ଖ୍ରୀଷ୍ଟାବ୍ଦର ପରକାଳରେ ଯେତିକି ପାରମ୍ପାରିକ ଗ୍ରନ୍ଥନେଇ ଅନୁବାଦ ପ୍ରବଣତାର ପ୍ରକାଶ ଘଟିଥିଲା; ଶହେ ବର୍ଷର ସ୍ଵାନ୍ତଃକରଣାତ୍ମଦ ପର୍ଯ୍ୟାୟ ଶେଷରେ ଖ୍ରୀ ୧୯୫୦ର ପରକାଳରେ ଯେତିକି ବୌଦ୍ଧିକ ମୁକ୍ତି ନେଇ ସେହି ପ୍ରବଣତାର ପୁନରାବର୍ତ୍ତନ ଦେଖାଗଲା । ପରିମାଣାତ୍ମକ ଅଭିବୃଦ୍ଧି ସହିତ ଗୁଣାତ୍ମକ ସିଦ୍ଧିଲାଭ ପାଇଁ ପ୍ରୟାସ ଚାଲିଲା । ପ୍ରଥମତଃ ଲକ୍ଷ୍ୟହେଲା ଭାଷାର ଶୈଳୀଗତ ରୂପାନ୍ତରଣ । ଭାଷାଜ୍ଞାନ, କଳାବୋଧି ଓ ରଚନାଦକ୍ଷତା ଏକାଧାରାରେ ଏ ତ୍ରିବିଧ ଗୁଣରେ ଅଧିକାରିତା ନ ଥିଲେ, ଅନୁବାଦରେ ସର୍ବତୋଭାବେ ଯଥାଯଥତା ପ୍ରତିପାଦନ କରିବା ଆଦୌ ସମ୍ଭବ ନୁହେଁ । ଏ ଦୃଷ୍ଟିରୁ ସମ୍ପ୍ରତି ଓଡ଼ିଆ ଅନୁବାଦକର ଲକ୍ଷ୍ୟ ଓ ସ୍ପର୍ଦ୍ଧା କେଉଁ ପରିମାଣରେ ସାଧିତ ବା ବ୍ୟାହତ ହୋଇଛି ତାହା ବିଚାର୍ଯ୍ୟ । ଏପର୍ଯ୍ୟନ୍ତ ଓଡ଼ିଆ ଅନୁବାଦ ସାହିତ୍ୟ କେଉଁ ସ୍ତରରେ ଉପନୀତ ଏବଂ କେତେ ସମୃଦ୍ଧ ତାହାର ଏକ ମୋଟାମୋଟି ଧାରଣା ଆମେ ନିମ୍ନଲିଖିତ ଆଲୋଚନାରୁ ଜାଣିପାରିବା ।

 

ଓଡ଼ିଆ ଅନୁବାଦ ସାହିତ୍ୟକୁ ସମୀକ୍ଷାତ୍ମକ ଦୃଷ୍ଟିକୋଣ ନେଇ ବିଚାର କରାଗଲେ ଉକ୍ତ ଅପକର୍ଷଗୁଡ଼ିକ ଦୃଷ୍ଟିପଥକୁ ଆସିଥାଏ ଏବଂ ସମସ୍ତ ଅପକର୍ଷ ଅନୁବାଦକ ମାଧ୍ୟମରେ ସାଧିତ ହୋଇଥାଏ । କାରଣ ଜଣେ ସଚେତନ ଅନୁବାଦକ, ଅନୁବାଦ କଲାବେଳେ ଯେପରି ଧ୍ୟାନ ଦେଇଥାନ୍ତି ଉକ୍ତ ଅନୁବାଦରେ ସେପରି ଧ୍ୟାନ ଦିଆଯାଇ ନ ଥିବାରୁ ଏଥିରେ କେତେକ ଅପକର୍ଷମାନ ପରିଲକ୍ଷିତ ହୋଇଥାଏ ସେଗୁଡ଼ିକୁ ନିମ୍ନ ପ୍ରକାରେ ଦର୍ଶାଯାଇପାରେ ।

 

୧। ଓଡ଼ିଆ ଅନୁବାଦ ସାଧାରଣତଃ କୌଣସି ମୂଳଗ୍ରନ୍ଥର ଭାଷାରୁ ସିଧାସଳଖ ଅନୁବାଦ ନ ହୋଇ ଏହି ଗ୍ରନ୍ଥର–ହିନ୍ଦୀ, ଇଂରେଜୀ ବା ବଙ୍ଗଳା ଅନୁବାଦରୁ ହୋଇଥିବାର କେତେକାଂଶରେ ଦେଖିବାକୁ ମିଳେ । ଯାହାଦ୍ୱାରା ମୂଳଗ୍ରନ୍ଥର ବକ୍ତବ୍ୟ ଭାଷା, ଭାବର ପ୍ରାମାଣିକତା ସ୍ଵାଭାବିକତା ଓ ସନ୍ଦେହାନ୍ୱିତ ହୋଇଥାଏ ।

 

୨। ଏଥିରେ ଭାଷାନୁବାଦ ସ୍ୱଳ୍ପ ଏବଂ ବିଷୟାନୁବାଦ ତୁଳନାରେ ଭାବୁବାଦ ବେଶି । ସେଥିପାଇଁ ଅନୁବାଦକର ସ୍ଵାଧୀନତା ଏଥିରେ ବେଶି ପରିଣାମରେ ନିହିତ ।

 

୩। କେତେକାଂଶରେ ଭାଷାନୁବାଦ ଶୈଳୀମୂଳକ ପରିବର୍ତ୍ତେ ଆକ୍ଷରିକ ଏବଂ ବିଷୟାନୁବାଦ ଅତିଶୟ ଲୌକିକ ଓ ବ୍ୟତିକ୍ରମଃ ମୂଳକ କରି ପକାଇ ଥାଆନ୍ତି ।

 

୪। ଏଥିରେ କାବ୍ୟାନୁବାଦ ବିଶେଷତଃ ଅନ୍ଵୟ ଧର୍ମୀ । ନାଟ୍ୟାନୁବାଦ ପୂର୍ଣ୍ଣତଃ ଅନୁଛାୟା ଧର୍ମୀ । ଗଦ୍ୟାନୁବାଦ ସ୍ଥୂଳତଃ ଭାବଧର୍ମୀ ବା ଶବ୍ଦଧର୍ମୀ ।

 

୫। ଆମ ଅନୁବାଦ ସାହିତ୍ୟରେ ଅନ୍ୟାନ୍ୟ ବିଭାଗ ଅପେକ୍ଷା ପ୍ରବନ୍ଧ ସାହିତ୍ୟର ଦିଗଟି ଅପେକ୍ଷାକୃତ ଅବହେଳିତ ଓ କଥା ସାହିତ୍ୟ ଭାଗଟି ହିଁ ଅପେକ୍ଷାକୃତ ପରିପୁଷ୍ଟ ।

 

୬। ଏଥିରେ ପ୍ରତିଶବ୍ଦ ନିର୍ମାଣ ଓ ନିରୂପଣ ପ୍ରକ୍ରିୟା ଅନିୟମିତ, ଅନିଶ୍ଚିତ ଓ ବ୍ୟକ୍ତିଗତ-

 

୭। ପ୍ରକାଶ ରୀତିରେ ଦୁର୍ବଳତା ଆମ ଓଡ଼ିଆ ଅନୁବାଦର ଅନ୍ୟ ଏକ ଦୋଷଦୁଷ୍ଟ ଦିଗ-। କେତେକ ଉପନ୍ୟାସରେ ମଧ୍ୟ ଆମ ପଡ଼ୋଶୀ ଭାଷା ବଙ୍ଗଳା ପ୍ରୟୋଗ ରୀତି, ପ୍ରବଚନ ଓ ପଦ୍ୟବିନ୍ୟାସ ପଦ୍ଧତି ଅବିକଳ ଅନୁସୃତ ହୋଇଛି । ‘ଉପନଗରୀର ସଇତାନ’ ଉପନ୍ୟାସରେ କିପରି ବଙ୍ଗଳା ସାହିତ୍ୟଦ୍ଵାରା ଅନୁବାଦକ ପ୍ରଭାବିତ ଶୈଳୀକୁ ଓଡ଼ିଆ ଅନୁବାଦରେ ପ୍ରୟୋଗ କରିଛନ୍ତି ତାହା ଲକ୍ଷ୍ୟ କରାଯିବାର କଥା । ‘ଆଗୋ ମାଉସୀ ମଣି + + + ସେ ପୀଡ଼ ପୀଡ଼ି ଆରମ୍ଭ କଲେ । ସେଇପରି .... .... .... ବାର୍ଟରାଇଟ୍‍ ଫାନ୍ଦ ଦେଖିଥିଲେ କିନ୍ତୁ ଙ୍ଘୁ ଙ୍ଘୁ ଦେଖିନଥିଲେ-। ସାଧାରଣତଃ ଓଡ଼ିଆ ପାଠକଙ୍କ ପାଇଁ ଏହା ବୋଧଗମ୍ୟ ନୁହେଁ ।

 

୮। ବେଳେ ବେଳେ ଓଡ଼ିଆ ସାଧୁଶବ୍ଦର ଅଯଥା ଅପପ୍ରୟୋଗ ହୋଇଛି । ଯଥା–‘ଘଣ୍ଟାର ସ୍ପଷ୍ଟ ମଧୁର ଧ୍ଵନି’ ×××, ‘ହସ୍ତ ଦ୍ଵୟରେ କର୍ଣ୍ଣଦ୍ଵୟ ମର୍ଦ୍ଦନ କଲେ’ । ଏଠାରେ ‘ଧୈବତ’ ଏକ ପାରିଭାଷିକ ଶବ୍ଦ, ଯାହାକି କେବଳ ଅଶ୍ଵ ପ୍ରସୂତ ଧ୍ଵନିକୁ ବୁଝାଏ । ଦ୍ଵିତୀୟ ବାକ୍ୟଟିରେ ‘ଦୁଇ ହାତରେ କାନ ମୋଡ଼ି ଦେଲେ’ ଲେଖିଥିଲେ ପ୍ରକାଶ ରୀତି ବରଂ ଏହାଠାରୁ ଅଧିକ ପ୍ରାଞ୍ଜଳ ହୋଇଥା’ନ୍ତା ।

 

୯। ଆମ ଅନୁବାଦକଙ୍କ ଭାଷା ସାଧାରଣତଃ ପ୍ରବନ୍ଧର ଭାଷା ପରି । ଉପନ୍ୟାସ ବା କଥା ସାହିତ୍ୟ ଅନୁବାଦ ବେଳେ ଏହି ଭାଷା ଉପନ୍ୟାସର ବାକ୍‍ଚାତୁରୀ ବା କଥା ସାହିତ୍ୟର ପ୍ରକାଶ ଭଙ୍ଗୀକୁ ନଷ୍ଟ କରି ଦେଇଥାଏ ।

 

୧୦। ଓଡ଼ିଆ ଅନୁବାଦ ସାହିତ୍ୟର ଅନୁବାଦକର ପ୍ରଣୋଦିତ ସୃଜନଶୀଳତାଠାରୁ ପେଶାଦାରିକ ବା ବ୍ୟବସାୟିକ ମନୋବୃତ୍ତି ବିଶେଷ ପ୍ରତିବିମ୍ୱିତ । ଏହା ପ୍ରଧାନତଃ ବ୍ୟବସାୟିକ ପ୍ରକାଶନସଂସ୍ଥା ପୃଷ୍ଠପୋଷକତାରେ ପରିପୁଷ୍ଟ ହେଉଥିବାରୁ ଅନୁବାଦ୍ୟ ତଥା ଅନୁବାଦକର ମନୋନୟନ ବିକ୍ଷିପ୍ତ ଓ ଅବିଚାରିତ ।

 

ଏହିପରି ବହୁ ଅପକର୍ଷର ଶିକାର ଆମ ଅନୁବାଦ ସାହିତ୍ୟ । ତେଣୁ ଏସବୁ ଅପକର୍ଷକୁ ଅନୁବାଦରୁ ଦୂରେଇ ଦେବାପାଇଁ ଅନୁବାଦକ ଅନ୍ତତଃ ଏ କ୍ଷେତ୍ରରେ ପ୍ରକିଞ୍ଚକ ନହେବା ଉଚିତ । ସମ୍ପ୍ରତି ଅନୁବାଦ ସାହିତ୍ୟରେ ଉଦବେଳନ ଓ ଉତ୍ତରରେ ସମୟ ଆସିଛି । ଭାରତର ନିସ୍‌ନାଲ, ବୁକ୍‌ଟ୍ରଷ୍ଟ; ପାଠ୍ୟପୁସ୍ତକ ପ୍ରଣୟନ ସଂସ୍ଥାମାନଙ୍କର ପୃଷ୍ଠପୋଷକତାରେ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟର ବିଶେଷ ପତ୍ରଭାବେ (Special paper) ଅନୁବାଦ ସାହିତ୍ୟକୁ ବେଶ୍‍ ଗୁରୁତ୍ୱ ଦିଆଯାଇଛି । ଏ ଦୃଷ୍ଟିରୁ ଏହା ଜିଜ୍ଞାସୁ ଛାତ୍ରମାନଙ୍କରେ ମନନଶୀଳତାର ପରିଚୟ, ଅଧ୍ୟୟନ ଓ ଗୁଣାତ୍ମକ ଅନୁବାଦରେ ତାହାର ପ୍ରତିଷ୍ଠା ଓ ପ୍ରସାରକୁ ବେଶ୍‍ ପରିପୁଷ୍ଟ କରିପାରି ସ୍ୱକୀୟଗତି ଓ ପ୍ରକୃତିକୁ ନିୟନ୍ତ୍ରିତ କରିବ ।

 

ଓଡ଼ିଆ ଅନୁବାଦ ସାହିତ୍ୟର ଗତି ଓ ପ୍ରକୃତି–

 

ସାରଳାଯୁଗରୁ–ପଞ୍ଚସଖା ଯୁଗ, ରୀତିଯୁଗ ଓ ଊନବିଂଶ ଶତାବ୍ଦୀର ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ବର୍ତ୍ତମାନ ପର୍ଯ୍ୟନ୍ତ କିପରି “ଓଡ଼ିଆ ଅନୁବାଦ ସାହିତ୍ୟର” ଗତି ଯେପରି ଆଗେଇ ପାରିଅଛି ସେ କଥା ଏ ଅଧ୍ୟାୟର ପୂର୍ବରୁ କୁହାଯାଇଛି । ତେବେ ବର୍ତ୍ତମାନ ପରିପ୍ରେକ୍ଷୀରେ ଓଡ଼ିଆ ଅନୁବାଦ କଳାର ରୂପ ଓ ବୈଭବ କି ଆକାର ଧାରଣ କରି ନିଜ ଗତି ନିର୍ଣ୍ଣୟ କରୁଛି ସେ ବିଷୟ ଆମର ଆଲୋଚ୍ୟ ବିଷୟ ବସ୍ତୁ । ସେଥିପାଇଁ ନିମ୍ନଲିଖିତ କେତେକ ଦଫା (Point) ପ୍ରତି ଧ୍ୟାନ ଦିଆଗଲେ ଏ ବିଷୟରେ ଆମର ଏକ ମୋଟାମୋଟି ଧାରଣା ହୋଇପାରିବ ।

 

୧। ଯଥା ସମୟ ଅପରଭାଷାର ମାଧ୍ୟମ ବର୍ଜନପୂର୍ବକ ମୂଳଭାଷାରୁ ପ୍ରତ୍ୟକ୍ଷ ଅନୁବାଦ କରଣୀୟ । ଅନ୍ୟଥା ଭାଷାର ପ୍ରବୀଣତା ନ ଥିଲେ ଅନ୍ୟ ଭାଷାର ମାଧ୍ୟମ ଉପଯୁକ୍ତ ପରୀକ୍ଷଣ, ସନ୍ତୁଳନ ଓ ସନ୍ତର୍ପଣ ସହ ଗ୍ରହଣୀୟ । ପ୍ରସଂଗତ୍ୟ ଉଲ୍ଲେଖନୀୟ “ନେସ୍‌ନାଲ ବୁକ୍‌ଟ୍ରଷ୍ଟ” ଅନୁସୃତ ପଦ୍ଧତି ହିନ୍ଦୀ ଅନୁବାଦ ମାଧ୍ୟମରେ ଅପରାପର ଭାଷାକୁ ରୂପାନ୍ତରୀକରଣ କେବଳ ଅଚଳାବସ୍ଥାରେ ଅନୁସରଣୀୟ ।

 

୨। ଅନ୍ୟାନ୍ୟ ଭାଷାରେ ଓଡ଼ିଆ ପ୍ରତିଶବ୍ଦ ନିର୍ଦ୍ଧାରଣରେ ସ୍ଥିରତା ଓ ସର୍ବଜାନ୍ୟତା ବାଞ୍ଛନୀୟ । ବିଶେଷତଃ ପରିଭାଷିକ ଶବ୍ଦ ଗଠନ କ୍ଷେତ୍ରରେ ଏହା ଏକାନ୍ତ କାମ୍ୟ ।

 

୩। ଭାଷାନୁବାଦରେ ଆକ୍ଷରିକ ସଭ୍ୟତା ତୁଳନାରେ ଶୈଳୀଗତ ସମତା ସମ୍ପାଦନ ସ୍ପୃହଣୀୟ ।

 

୪। ଅନୁବାଦ ରଚନା ଶୈଳୀରେ ଅଧିକ ଭାଷାତାତ୍ତ୍ୱିକ‌ (Metaling uistic) ଲକ୍ଷଣମାନ (ରୁଢ଼ାର୍ଥ, ଧ୍ୱନ୍ୟାର୍ଥ, ସୁଭାଷଣ, ଅପ ପ୍ରୟୋଗ ଅଭିପ୍ରାୟିକ ବାଗ୍‌ବିସ୍ତାର, ଅନୁକରଣାତ୍ମକତା ଇତ୍ୟାଦି) ଓଡ଼ିଆରେ ଅନୂଦିତ ନ ହୋଇ ବରଂ ଅନୁରୂପାୟିତ‌ ହେବା ଶ୍ରେୟସ୍କର ।

 

୫। ଅନୁବାଦ୍ୟ‌ ଭାଷାରେ ଅଭିଧାନିକ‌ ଶବ୍ଦାତିରିକ୍ତ ବ୍ୟାକରଣିକ ପ୍ରକାର୍ଯ୍ୟ ଶବ୍ଦ ଏବଂ ଅଭିଧାନିକ ଅର୍ଥାତିରିକ୍ତ ବ୍ୟାକରଣିକ ତାତ୍ପର୍ଯ୍ୟ ସର୍ବଥା ଲକ୍ଷଣୀୟ ।

 

୬। ଓଡ଼ିଆରେ ଅନୁବାଦ ପ୍ରକ୍ରିୟାର ସୁଗମତା ପାଇଁ ପର୍ଯ୍ୟାପ୍ତ ଶବ୍ଦ ସମ୍ବଳିତ ଅନୁବାଦନ ଓ ସହଜ ବ୍ୟବହାର୍ଯ୍ୟ ଦ୍ଵିଭାଷିକ ଅଭିଧାନମାନ ଏବଂ ସମନାମକ ଓ ସମର୍ଥକ‌ ଶବ୍ଦକୋଷମାନ ସଂକଳିତ ହେବା ଆବଶ୍ୟକ ।

 

୭। ଅନୁବାଦ ପାଇଁ ରଚନା ନିର୍ବାଚନରେ ସୁବିଚାର ଓ ସୁପରିକଳ୍ପନା ଆବଶ୍ୟକ । ପ୍ରତିଯୋଗିତା ବିଜୟୀ ଅନୁଷ୍ଠାନିକ‌ ସମ୍ମାନପ୍ରାପ୍ତ; ବିଶେଷ ଉପଯୋଗୀତା ସମ୍ପନ୍ନ ଏବଂ ଲୋକପ୍ରିୟ ରଚନାମାନ‌ ଅଗ୍ରାଧିକାର ପାଇବା ସ୍ଵାଭାବିକ । ମାତ୍ର ବିଶେଷ ଭାବରେ ଓଡ଼ିଆ ଭାଷା ଓ ସାହିତ୍ୟର ଅଭାବ ପୂରଣ, ପାଠକ ସମାଜ ରୁଚି ପରିବର୍ତ୍ତନ ଓ ଦୃଷ୍ଟିକୋଣ ସଂପ୍ରସାରଣ, ଅପରାପର‌ ଦେଶ, ଜାତି, ସଂସ୍କୃତି, ସମସ୍ୟା ଇତ୍ୟାଦି ସହ ଭାବାତ୍ମକ‌ ଆତ୍ମିୟତା ସ୍ଥାପନ ପ୍ରଭୃତି ଲକ୍ଷଣରେ ଅନୁବାଦ ଉପଯୋଗ୍ୟ ହେବା ବାଞ୍ଛନୀୟ । ଏସବୁ ପର୍ଯ୍ୟାପ୍ତ ଆନୁସଙ୍ଗିକତା ଆମ ଅନୁବାଦ ସାହିତ୍ୟର ପ୍ରକୃତି ହେଲେ ଅନୁବାଦ ସଫଳତାର ଚରମସୀମା ସ୍ପର୍ଶ କରିପାରେ । ଓଡ଼ିଆ ଅନୁବାଦ ସାହିତ୍ୟର ଗତି ସର୍ବଦା ଚଳଚଞ୍ଚଳ ହୋଇ ବୌଦ୍ଧିକମାନ ପ୍ରଦର୍ଶନ କରିବା ଓ ପ୍ରକୃତି ସର୍ବଦା ସୁରୁଚିସମ୍ପନ୍ନ‌ ଅନୁବାଦ କଳା ସମ୍ପର୍କିତ ଉପାଦେୟ ଲକ୍ଷଣମାନ ହାସଲ କରିବା ସର୍ବଥା ବାଞ୍ଛନୀୟ ।

 

ଡଃ ଖଗେଶ୍ଵର ମହାପାତ୍ରଙ୍କ ଭାଷାରେ–ବର୍ତ୍ତମାନ ପରିସ୍ଥିତିରେ ଓଡ଼ିଆ ଭାଷା ପକ୍ଷରେ ଅତୀତର ବିଚ୍ଛିନ୍ନତାବୋଧ‌ ପରିବର୍ତ୍ତେ ସମନ୍ୱୟ ବୋଧର ପ୍ରବର୍ତ୍ତନ କାମ୍ୟ । ତେଣୁ ଓଡ଼ିଆ ଭାଷାର ଏହି ନବୀନତମ ପୁନର୍ବିନ୍ୟାସର‌ ଆଭିମୁଖ୍ୟ ହେବା ଆବଶ୍ୟକ ଯେ, ସର୍ବଭାରତୀୟ ସ୍ତରରେ ଏହାକୁ ଯେତେ ଅନ୍ୟ ଭାଷା, ଭାଷୀଙ୍କ‌ ନିକଟବର୍ତ୍ତୀ ଓ ଘନିଷ୍ଠ କରାଯାଇ ପାରେ ।

 

ଓଡ଼ିଆ ରମ୍ୟ ରଚନା

 

କବିତା, ନାଟକ, ଉପନ୍ୟାସ ପରି ରମ୍ୟରଚନା ମଧ୍ୟ ଓଡ଼ିଆ ସାହିତ୍ୟର ଅନ୍ୟତମ ବିଭବ । ଏହାକୁ ପ୍ରବନ୍ଧ କଳାର ଅନ୍ତର୍ଭୁକ୍ତ କରାଯାଏ । ଆଧୁନିକ ଯୁଗରେ ରମ୍ୟରଚନା ଖୁବ୍‍ ଜନପ୍ରିୟ ହେବାରେ ଲାଗିଛି । ରମ୍ୟରଚନାର‌ ଜନପ୍ରିୟତା କେବଳ ଏହାର ମନୋଜ୍ଞ ତଥା ଆକର୍ଷଣୀୟ ଶୈଳୀ ଓ କଥାବସ୍ତୁ ହେତୁ ସମ୍ଭବ ହୋଇ ପାରିଛି । ଆଧୁନିକ ପ୍ରବନ୍ଧକଳାରେ ‘ବେଲଲେଟର’ ବା ରମ୍ୟରଚନା ହେଉଛି ଏକ ଚିନ୍ତା ସର୍ବସ୍ଵ ସାହିତ୍ୟ ସୃଷ୍ଟି । ଅନୁଭବୀର ହୃଦୟ ନଥିଲେ ରମ୍ୟରଚନା ଲେଖିବା କଷ୍ଟସାଧ୍ୟ । ତେଣୁ ରମ୍ୟରଚନାର ସଫଳତା ଅନେକ ଦୃଷ୍ଟିରୁ ଲେଖକଙ୍କ ଅନୁଭବ ଉପରେ ନିର୍ଭର କରେ ।

 

ରମ୍ୟରଚନା ସୃଷ୍ଟି–

 

ବେଲଲେଟର ବା ବେଲଲେଁତା (Belles Letters) ଏକ ଫରାସୀ ଶବ୍ଦ, ଯାହାର ଅର୍ଥ ରମଣୀୟ ରଚନା ବା ରମ୍ୟରଚନା । ଫରାସୀ ପ୍ରାବନ୍ଧିକ ମାଁତେନ୍‍ ଏହି ଦୃଷ୍ଟିଭଙ୍ଗୀ ନେଇ ତାଙ୍କ ସାହିତ୍ୟରେ ପ୍ରଥମେ ପରୀକ୍ଷା ନିରୀକ୍ଷା ଆରମ୍ଭ କରିଦେଇ ଥିଲେ । ୧୭୧୦ ଖ୍ରୀଷ୍ଟାବ୍ଦରେ ଇଂରାଜୀ ସାହିତ୍ୟରେ ଏହି ରମ୍ୟରଚନା ଲେଖିବା ଆରମ୍ଭ ହେଲା ଓ ରିଚାର୍ଡ଼ଷ୍ଟିଲ୍‍ ଏହି ଧାରା ପ୍ରଚଳନ କଲେ । ପରେ ଭାରତୀୟ ସାହିତ୍ୟରେ ଏହା ରମ୍ୟରଚନା ନାମରେ ନାମିତ ହୋଇ ବହୁ ଜନପ୍ରିୟତା ଲାଭ କରିପାରିଛି ।

 

ସଂଜ୍ଞା ଓ ଶୈଳୀ–

(ସଂଜ୍ଞା)

 

ରମ୍ୟରଚନାର‌ ସଂଜ୍ଞା ବଡ଼ ବିଚିତ୍ର ଓ ବର୍ଣ୍ଣିଳ । ବହୁଚିନ୍ତାଶୀଳ‌ ମହାମନିଷୀମାନେ ଏ ସମ୍ପର୍କରେ ବହୁମତ ପ୍ରକାଶ କରି ଯାଇଛନ୍ତି । ଜନସନ୍‌ଙ୍କ ଭାଷାରେ ଏହା ହେଉଛି । ‘Loose Sally of the mind’ ଅର୍ଥାତ୍‍ ରମ୍ୟରଚନା ହେଉଛି, ‘ହୁଗୁଳା ମନର ଅଭିବ୍ୟକ୍ତି’ । ବଙ୍ଗଳା ସାହିତ୍ୟର‌ ଅନ୍ୟତମ ରମ୍ୟରଚନାକାର ପ୍ରମଥ ଚୌଧୁରୀ କହନ୍ତି–‘ରମ୍ୟରଚନା ଏକ୍‌ଟିଖେୟାଲୀ ଲେଖା’ । ଓଡ଼ିଆ ସାହିତ୍ୟର ବିଶିଷ୍ଟ କବି କମଳାକାନ୍ତ ଲେଙ୍କା ଏ ସମ୍ପର୍କରେ କହିଛନ୍ତି–‘ରମ୍ୟରଚନା କେବଳ ବ୍ୟକ୍ତିଗତ ଜୀବନର ପ୍ରତିଛବି, ନିଜ ଅନୁଭୂତିର ପୁଷ୍କଳ ପ୍ରକାଶ । ରମ୍ୟରଚନା ସର୍ବୋପରି ବ୍ୟଙ୍ଗ ସର୍ବସ୍ଵ ଓ ଆକ୍ଷେପ ଧର୍ମୀ । ଏଥିରେ ସମସାମୟିକ ସାମାଜିକ ଅବ୍ୟବସ୍ଥା ସମେତ ବହୁ ଦୋଷ ତ୍ରୁଟିକୁ ଆକର୍ଷଣୀୟ ଭାଷା ଓ ଶୈଳୀରେ ପରିପ୍ରକାଶ କରାଯାଇ ପାଠକକୁ ହାସ୍ୟରସ ମାଧ୍ୟମରେ ବୌଦ୍ଧିକ ଚାବୁକ୍‍ ପ୍ରହାର କରାଯାଇ ଥାଏ । ହାସ୍ୟରସାତ୍ମକ ଶୈଳୀ ହେଉଛି ରମ୍ୟରଚନାର ଅନ୍ୟତମ ବିଭବ । କିନ୍ତୁ ସବୁ ହାସ୍ୟରସଭରା କଥା ରମ୍ୟରଚନା ନୁହେଁ । ତେଣୁ ଶୈଳୀ ଦୃଷ୍ଟିରୁ ଏହାର ଅନୁଧ୍ୟାନ ଏକାନ୍ତ ଅପରିହାର୍ଯ୍ୟ ।

 

ଶୈଳୀ

 

ରମ୍ୟରଚନା ସର୍ବଦା ରସୋତ୍ତୀର୍ଣ୍ଣ ହେବା ନିହାତି ଆବଶ୍ୟକ । ରମ୍ୟରଚନାକାର ପାଠକଙ୍କୁ ସର୍ବଦା ନିଜର ଅନ୍ତରଙ୍ଗ ମନେକରି ବିଷୟ ବସ୍ତୁ ଉପସ୍ଥାପନା କରିବାର ଲକ୍ଷ୍ୟ କରାଯାଇଥାଏ । ଏଥିରେ ପ୍ରକାଶ ପାଇଥାଏ ତା’ର ଅନ୍ତରର ସଞ୍ଚିତ ଦୁଃଖ ସୁଖ, ଆଶା ଆକାଂକ୍ଷା ଓ ଘାତ ପ୍ରତିଘାତ । ତେଣୁ ପାଠକଙ୍କୁ ଏକାନ୍ତ ଅନ୍ତରଙ୍ଗ କରାଇ ବିଷୟବସ୍ତୁ ପ୍ରତି ଏହା ତା’ର ଧ୍ୟାନକୁ ବାନ୍ଧିରଖିବା ସହଜସାଧ୍ୟ ହୋଇପାରେ । ରମ୍ୟରଚନା ଅନେକାଂଶରେ ‘ମୁଁ’ –କାର ସର୍ବସ୍ଵ । ଏଥିରେ ବୁଦ୍ଧି ଓ ହୃଦୟର ଏକ ସୁନ୍ଦର ସମନ୍ୱୟ ଘଟିଥାଏ । ମଣିଷର ଚିନ୍ତା ଓ ଚେତନା ରମ୍ୟରଚନାକାରର ହୃଦତନ୍ତ୍ରୀକୁ ଗଭୀରଭାବେ ସ୍ପର୍ଶକରି ରୂପ ନେଇଥାଏ ରମ୍ୟରଚନାର ବିଷୟ ବସ୍ତୁରେ ।

 

ରମ୍ୟରଚନାର ସରସତା ଏହାର ଶୈଳୀ ତଥା ଉପସ୍ଥାପନା ଚାତୁରୀ ଉପରେ ସମ୍ପୂର୍ଣ୍ଣ ନିର୍ଭର କରେ । ଏହାକୁ ଦୀର୍ଘକଲେ ପାଠକକୁ ବିରକ୍ତି ଲାଗିବା ସ୍ୱଭାବିକ । କିନ୍ତୁ ପ୍ରାୟତଃ ରମ୍ୟରଚନାର କ୍ଷୁଦ୍ର କଳେବର ଏବଂ ବିଶିଷ୍ଟ ଇଙ୍ଗିତ ପ୍ରକାଶକରି ନିଜ ଭିତରେ ଅସମ୍ଭବଭାବେ ବହୁ ଘଟଣା ପରିପ୍ରକାଶ କରାଇବାର ଶକ୍ତି ଲାଭ କରିଥାଏ । ରମ୍ୟରଚନା ପ୍ରାୟତଃ ଭାବଧର୍ମୀ ଓ ଅନୁଭୂତି ଧର୍ମୀ । ଏହା ବସ୍ତୁନିଷ୍ଠ ନହୋଇ ହୋଇଥାଏ ବ୍ୟକ୍ତିନିଷ୍ଠ । ଆଲୋଚକ କମଳାକାନ୍ତ ଲେଙ୍କାଙ୍କ ଭାଷାରେ–‘ଏଥିରେ ହୃଦୟର ନିଷ୍କପଟ ଭାବ ଶିଶୁର ସ୍ୱଭାବ ସୁନ୍ଦର ଗୀତ ପରି ସ୍ୱତଃ ପ୍ରକାଶିତ ହୋଇଥାଏ । ଏଥିରେ ନଥାଏ ଛଳନା, ନଥାଏ ପାଣ୍ଡିତ୍ୟର ଅହଂଭାବ । ପୁଣି ରାଜନୀତି, ସମାଜ ନୀତି, ଧର୍ମ ବିଜ୍ଞାନ, ଦର୍ଶନ ସବୁ କିଛି ଲେଖକର ସୃଜନୀ ପ୍ରତିଭାଦ୍ଵାରା ରସୋତ୍ତୀର୍ଣ୍ଣ ହୋଇ ରମ୍ୟରଚନାରେ ପରିବେଷିତ ହୋଇଥାଏ । ଏହା ରସାଳ ଓ ପ୍ରାଣବନ୍ତ ହୋଇଥିବାରୁ ଏହାକୁ ଗଦ୍ୟ-ଗୀତିକାବ୍ୟ ଆଖ୍ୟା ଦିଆଯାଇଥାଏ । ××× ରମ୍ୟରଚନା ପ୍ରବନ୍ଧ ସାହିତ୍ୟର ଅନ୍ତର୍ଭୁକ୍ତ କିନ୍ତୁ ପ୍ରବନ୍ଧ ହେଉଛି କ୍ଲାସିକ, ରମ୍ୟରଚନା ହେଉଛି ରୋମାଣ୍ଟିକ ଧର୍ମୀ । ପ୍ରବନ୍ଧ ଦୃଢ଼ ଶୃଙ୍ଖଳାରେ ଆବଦ୍ଧ–ରମ୍ୟରଚନା ମୁକ୍ତ-ସ୍ଵାଧୀନ । ଏଥିରେ ତତ୍ତ୍ଵପୂର୍ଣ୍ଣ ପ୍ରାଚୁର୍ଯ୍ୟ ଅପେକ୍ଷା କଳାଶ୍ରୀ ପୂର୍ଣ୍ଣ ବିନ୍ୟାସ ପ୍ରତି ଲେଖକର ଅଧିକ ଦୃଷ୍ଟିଥାଏ ।’ ଏହିସବୁ ସଂଜ୍ଞା ଓ ଶୈଳୀ ଓଡ଼ିଆ ରମ୍ୟରଚନାକୁ କରିଛି ପ୍ରାଣବନ୍ତ ଓ ମନୋଜ୍ଞ । ଏହି ପରିପ୍ରେକ୍ଷୀରେ ଓଡ଼ିଆ ରମ୍ୟରଚନାର ଦିଗ ସମ୍ପର୍କରେ ଆଲୋଚନା କରାଯାଇପାରେ ।

 

ଓଡ଼ିଆ ରମ୍ୟରଚନାର ଦିଗ–

 

ଓଡ଼ିଆ ରମ୍ୟରଚନାର ବିକାଶକ୍ରମ ପ୍ରାଚୀନ ନୁହେଁ । ଏହା ଆଧୁନିକ ଯୁଗର ଫଳ । ଓଡ଼ିଆ ସାହିତ୍ୟରେ ରାଧାନାଥ ରାୟଙ୍କ ‘ବିବେକୀ’ ପ୍ରବନ୍ଧକୁ ପ୍ରଥମ ରମ୍ୟରଚନା ବୋଲି କେତେକ ଆଲୋଚକ ମତ ଦେଇଥାନ୍ତି । ‘ବିବେକୀ’ ପ୍ରବନ୍ଧ ପରେ ପରେ ଓଡ଼ିଆ ସାହିତ୍ୟରେ ଅନ୍ୟ ଦୁଇଟି ଶ୍ରେଷ୍ଠ ରମ୍ୟରଚନା ହେଉଛି ଶଶୀଭୂଷଣ ରାୟଙ୍କ ‘ସ୍ୱାଧୀନଚିନ୍ତା’ ଓ ଜଳନ୍ଧର ଦେବଙ୍କ ‘ବିକ୍ଷିପ୍ତଚିନ୍ତା’-। ଆଲୋଚକମାନଙ୍କ ମତରେ ଉପରୋକ୍ତ ପ୍ରବନ୍ଧଦ୍ଵୟ ପ୍ରକୃତ ରମ୍ୟରଚନାର ସମ୍ମାନ ବହନରେ ସଂଜ୍ଞା ଦୃଷ୍ଟିରୁ କେତେକ ବାଧା ସୃଷ୍ଟି କରନ୍ତି । ସେମାନଙ୍କ ମତରେ ଓଡ଼ିଆ ସାହିତ୍ୟରେ ପ୍ରକୃତ ରମ୍ୟରଚନା ଆରମ୍ଭ ହୋଇଛି ଗୋପାଳଚନ୍ଦ୍ର ପ୍ରହରାଜଙ୍କ ଠାରୁ । ତାଙ୍କ ସମୟ ହେଉଛି ଓଡ଼ିଆ ପ୍ରବନ୍ଧ ସାହିତ୍ୟର ଆଦି–ମଧ୍ୟବର୍ତ୍ତୀ ପର୍ଯ୍ୟାୟ । ପ୍ରହରାଜଙ୍କ–‘ବାଇ ମହାନ୍ତି ପାଞ୍ଜି’, ‘ନନାଙ୍କ ବସ୍ତାନି’, ‘ଭାଗବତଟୁଙ୍ଗିରେ ସନ୍ଧ୍ୟା’, ଓଡ଼ିଆ ରମ୍ୟରଚନା କ୍ଷେତ୍ରରେ ଏକ ଏକ ମାଇଲ୍‍ ସ୍ତମ୍ଭପରି-। ପ୍ରହରାଜଙ୍କ ପରେ ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀଙ୍କ ନାମ ଏ କ୍ଷେତ୍ରରେ ସ୍ମରଣୀୟ । ତାଙ୍କର ଜନ୍ମ ୧୮୯୯ ମସିହାରେ ଓ ମୃତ୍ୟୁ ୧୯୬୨ ମସିହାରେ । ସେ ଅନେକ ଗ୍ରନ୍ଥ ରଚନା କରିଥିଲେହେଁ ତାଙ୍କର ରମ୍ୟରଚନା ଦିଗଟି ପାଇଁ ସେ ଓଡ଼ିଆ ସାହିତ୍ୟରେ ବିଶେଷ ସ୍ମରଣୀୟ । ତାଙ୍କର ‘କଖାରୁ ଫୁଲ’ ‘ଅଦା ବେପାର’ ‘ଆକାଶ କୟାଁ’, ‘ବଟୁଆ’ ଆଦି ପ୍ରବନ୍ଧମାନ ଓଡ଼ିଆ ରମ୍ୟରଚନା ଦିଗକୁ କରିଛି ବଳିଷ୍ଠ ଓ ଉନ୍ନତତର । ଓଡ଼ିଆ ରମ୍ୟରଚନାରେ କାନ୍ତକବି ଲକ୍ଷ୍ମୀକାନ୍ତ ଓ କୃଷ୍ଣ ପ୍ରସାଦ ବସୁଙ୍କ ନାମ ମଧ୍ୟ ଉଲ୍ଲେଖଯୋଗ୍ୟ । କାନ୍ତକବିଙ୍କ ‘ଅସହଯୋଗୀର ଆତ୍ମକଥା’ ଓ ‘ଚମ୍ପୁ’–କୃଷ୍ଣ ପ୍ରସାଦଙ୍କ ‘ଆଖଡ଼ା ଘରେ ବୈଠକ’ ଓଡ଼ିଆ ରମ୍ୟରଚନା କ୍ଷେତ୍ରରେ ଏକ ଏକ ସାର୍ଥକ ରମ୍ୟରଚନା-

 

ସାମ୍ପ୍ରତିକ କାଳରେ ତଥା ଏହି ସମୟର କିଞ୍ଚିତ୍‍ ପୂର୍ବରୁ ଯେଉଁମାନେ ଓଡ଼ିଆ ରମ୍ୟରଚନାରେ ସଫଳତା ହାସଲ କରିଛନ୍ତି ତନ୍ମଧ୍ୟରୁ ନିତ୍ୟାନନ୍ଦ ମହାପାତ୍ର, ସୁରେନ୍ଦ୍ର ମହାନ୍ତି, ଗୋପୀନାଥ ମହାନ୍ତି, ବାମାଚରଣ ମିତ୍ର, ଚୌଧୁରୀ ହେମକାନ୍ତ, ଫତୁରାନନ୍ଦ, କୁଳମଣି ମହାପାତ୍ର, ଚନ୍ଦ୍ରମଣି ପଣ୍ଡା, ଚିତ୍ତରଞ୍ଜନ ଦାସ, ଶ୍ରଦ୍ଧାକର ସୂପକାର, କୁଞ୍ଜବିହାରୀ ଦାଶ, ଚନ୍ଦ୍ରଶେଖର ରଥ ମହାପାତ୍ର ‌ନୀଳମଣି ସାହୁ, ଚିନ୍ତାମଣି ମିଶ୍ର, ଭୁବନେଶ୍ୱର ବେହେରା ଓ ହରିହର ଦାସ ଅନ୍ୟତମ । ନିତ୍ୟାନନ୍ଦ ମହାପାତ୍ରଙ୍କ ‘ପତ୍ର ଓ ପ୍ରତିମା’ କୁଞ୍ଜବିହାରୀ ଦାଶଙ୍କ ‘ଶ୍ରୀମନ୍ତ’, ଭୁବନେଶ୍ୱର ବେ‌ହେରାଙ୍କ ‘ଶୁଣ ପରୀକ୍ଷ’, ସୁରେନ୍ଦ୍ର ମହାନ୍ତିଙ୍କ ‘ଅଫିମ ଫୁଲ’ ଓ ‘ସାହାଜାଦି’ ଚିତ୍ତରଞ୍ଜନ ଦାସଙ୍କ ‘ଜୀବନ ବିଦ୍ୟାଳୟ’ ବସନ୍ତ‌‌ ଶତପଥୀଙ୍କ ‘ପ୍ରବନ୍ଧାବଳୀ’ ମହାପାତ୍ର ନୀଳମଣି ସାହୁଙ୍କ ‘ସ୍ୱପ୍ନ ସ୍ୱପ୍ନ ଅନେକ ସ୍ୱପ୍ନ’ ପ୍ରଭୃତି ରମ୍ୟରଚନାମାନ ଆଧୁନିକ ରମ୍ୟରଚନାର କଳା ଓ ବିକାଶ ଦିଗକୁ କରିଛି ବିସ୍ତାରିତ-

Image